ଅମଙ୍ଗ କୋଡ଼ରେ ମଲେ ଜୋଡ଼କୁ ଫୋପାଡ଼ି ଦେବି । ମାତ୍ର ପୋଷ୍ୟା କନ୍ୟା କରି କାହା ହାତରେ ଉତ୍ସର୍ଗୀ ଦେବିନି ।
-:ଶୈଶବ:-
ଶିଶୁଟି ଭୂଇଁ ଛୁଇଁବା ମାତ୍ରେ ହିଁ କୁଆଁ କୁଆଁ ରାବ ଦେଇଥାଏ, ଏହା କେବଳ ବିଧିର ବିଧାନ ନୁହେଁ, ୟା ପଛରେ ବୈଜ୍ଞାନିକ କାରଣ ମଧ୍ୟ ନିହିତ ରହିଛି, ମୋ କ୍ଷେତ୍ରରେ ସେଥିରେ ବ୍ୟତିକ୍ରମ ଥିଲା ବୋଲି ଅନ୍ୟମାନଙ୍କ ଠାରୁ ଶୁଣିଛି, ପିଲାଦିନେ ସେଇ କଥାଟି ଶୁଣିଲେ ମୁଁ ନିଜକୁ ନିଜେ ଗର୍ବ ଅନୁଭବ କରୁଥିଲି, ମୁଁ ପୃଥିବୀର ସମସ୍ତ ଜୀବମାନଙ୍କଠାରୁ ଭିନ୍ନ, ମାତ୍ର ଡାକ୍ତରୀ ବିଦ୍ୟା ପ୍ରାପ୍ତ କରିସାରିବା ପରେ ମୁଁ ବୁଝିପାରିଥିଲି, ଜନ୍ମିତ ଶିଶୁର କୌଣସି କାରଣରୁ ଶ୍ୱାସରୋଧ ହେଲେ ମତେ ଆଶ୍ଚର୍ଯ୍ୟ ଲାଗେ, ବାପା ଅପେକ୍ଷାକୃତ ଜ୍ଞାନୀ ହୋଇ ମଧ୍ୟ ସେ କେମିତି ଏଇ ବ୍ୟତିକ୍ରମଟିକୁ ବିଜ୍ଞାନ ଦୃଷ୍ଟିରେ ଦେଖି ନ ଥିଲେ ।
ବହୁ ସମୟ ଭୂଇଁରେ ପଡ଼ି ରହିବା ପରେ ହଠାତ୍ ଶିଶୁଟିର କ୍ରନ୍ଦନ ଫୁଟି ବାରି ହୋଇ ପଡ଼ିଥିଲା । ପ୍ରସୂତି ଗୃହ ପାଖରୁ ବହୁ ଗୁଡ଼ିଏ ମିଳିତ କଣ୍ଠସ୍ୱର “ଆଲୋ ଛୁଆ କାନ୍ଦିଲାଣି” ତା’ପରର ପ୍ରତିକ୍ରିୟା କ’ଣ ହୋଇଥିବ ମୁଁ କହିପାରିବିନି, ହେଲେ ମୁଁ ଏଇୟା ଶୁଣିଛି, ଶିଶୁର କାନ୍ଦ ଶୁଣି ରୁଗ୍ଣା ଆଉବୋଉ(ଜେଜେମା’) ବାପାଙ୍କ ଉଦ୍ଦେଶ୍ୟରେ କହି ଉଠିଥିଲେ, “ସବୁ ସେଇ ଲକ୍ଷ୍ମୀନାରାୟଣଙ୍କ କୃପା (ଇଷ୍ଟଦେବ) ଛୁଆ ବକଟକ ଜୀବନ ପାଇଗଲାରେ ଆଜି ।”
ବାପା ଜେଜେମା’ଙ୍କ କଥା ଉପରେ ଗୁରୁତ୍ୱ ନ ଦେଇ ଚଉପାଡ଼ୀ ଘରୁ କହିଥିଲେ, “ଅଷ୍ଟମ ଗର୍ଭରେ ଇଏ ମୋର କୃଷ୍ଣ, ତେଣୁ ପାର୍ଥିବ କେଉଁ ଶକ୍ତି ବି ତା’ପରେ ଆଞ୍ଚ ଆଣି ପାରିବନି ।”
ତା’ପରେ ଜେଜେମା’ ନିଶ୍ଚୟ କହିଥିବେ ପୁଅ ନୁହେଁରେ ଝିଅଟାଏ । ବାପାଙ୍କର ତା’ପରର ପ୍ରତିକ୍ରିୟା ମୁଁ ବା କ’ଣ କହିପାରିବି ! ହେଲେ ବାପା ଜୀବିତ ଥିବା ପର୍ଯ୍ୟନ୍ତ ବାପା ଏଇ କଥା ପଦକ ମୋ ପାଇଁ ବାରମ୍ୱାର ଦୋହରାଇବାର ଶୁଣିଛି, “ଅଷ୍ଟମ ଗର୍ଭରେ ସେ ମୋର କୃଷ୍ଣ ।”
ମୁଁ ଥିଲି ବୋଉ (ମା’)ର ଅଷ୍ଟମ ଗର୍ଭ । ଗର୍ଭାବସ୍ଥାରେ ସେ ବହୁତ ରୁଗ୍ଣା ଥିଲା । କହନ୍ତି ନିମୋନିଆ । ଡେଲିଭେରୀ ପରେ ସେଇ ରୁଗ୍ଣତା ବୃଦ୍ଧି ପାଇଲା । ଅଳ୍ପ କେଇଟା ଦିନରେ ସେଇ ଶୀର୍ଣ୍ଣକାୟା ମହୀୟସୀ ନାରୀଟି ଇହଧାମ ତ୍ୟାଗ କରି ଚାଲିଯାଇଥିଲେ । ଏଇ “ଚାଲିଗଲେ” କଥାଟା ହେତୁ ହେବା ପରେ ଶୁଣି ମୁଁ ବଡ଼ ଉତ୍ତେଜିତ ହୋଇଯାଉଥିଲି । କହନ୍ତି, ମା’ ସହନଶୀଳା ଧରିତ୍ରୀ ଠାରୁ ଅଧିକ । ତେବେ ଏ ଜନ୍ମିତ ଶିଶୁଟିକୁ ଛାଡ଼ି ସେ କେମିତି ଚାଲିଗଲେ ? ତେବେ ମୋ ବୋଉ କ’ଣ ଏତେ ସ୍ୱାର୍ଥୀ ଥିଲା ? ନିଜ ଖୁସି ପାଇଁ ସେ ମୋ କଥା ଥରେ ବି ଚିନ୍ତା କଲାନି ?
ଏଇ “ଚାଲିଗଲେ”ର ଅର୍ଥ ପ୍ରଥମ କରି ମୁଁ ବୁଝିଥିଲି ଦଶ ବର୍ଷ ବୟସରେ, ନିଜର ଧୃଷ୍ଟତା ପାଇଁ ନିଜକୁ ଧିକ୍କାରି ଥିଲି ମଧ୍ୟ ।
ମା’ ଛେଉଣ୍ଡ ପିଲାଟାକୁ କେମିତି ବେଞ୍ଚଇବାକୁ ହେବ । ସମସ୍ତଙ୍କର ଭାଳେଣୀ । ନାନା ମୁନି ନାନା ମତ ଶୁଣିଛି ବହୁ ଆଲୋଚନା ପରେ ସମ୍ପର୍କରେ ଜଣେ କକେଇ ଖୁଡ଼ି, ଯାହାଙ୍କର କୋଳ ବହୁବର୍ଷରୁ ଶୂନ୍ୟ ଥିଲା, ପୋଷ୍ୟା କନ୍ୟା କରିନେବାକୁ ଆଗେଇ ଆସିଥିଲେ । ମାତ୍ର ବାପା “ଅମଙ୍ଗ କୋଡ଼ରେ ମଲେ ଜୋଡ଼କୁ ଫୋପାଡ଼ି ଦେବି । ମାତ୍ର ପୋଷ୍ୟା କନ୍ୟା କରି କାହା ହାତରେ ଉତ୍ସର୍ଗୀ ଦେବିନି ।”
ଏତେ ସବୁ ବାଧା ବିଘ୍ନ, ଅଶାନ୍ତି ଭିତରେ ତାଳପତ୍ର ଉପରେ ଉତ୍କୀର୍ଣ୍ଣ ମୋର ଜନ୍ମ ଜାତକ ତ କରିବା ଦୂରକଥା, ଜନ୍ମ ତାରିଖଟି ମଧ୍ୟ କାହାର ମନେ ନଥିଲା । ବଡ଼ନାନୀଙ୍କ ଠାରୁ ଚବିଶ ବର୍ଷ ସାନ ଜାଣି ନଥିଲେ ମସିହା ମଧ୍ୟ ଜାଣିବା କାଠିକର ପାଠ ହୋଇ ଥାଆନ୍ତା । ତଥାପି ମଧ୍ୟ ମୁଁ ସେଇ ସମ୍ମାନସ୍ପଦୀୟ ଏବଂ ଶୁଭାକାଂକ୍ଷୀମାନଙ୍କ ପାଖରେ ଚିରକୃତଜ୍ଞ । ଯେଉଁମାନେ ବହୁ ବର୍ଷ ପରେ ମୋର ଜନ୍ମ ଶ୍ରୀଗୁଣ୍ଡିଚା ଦିନ ଥିଲା ବୋଲି ଉଲ୍ଲେଖ କରିଥିଲେ । ସେତେବେଳକୁ ମୁଁ ଗାଁ ଛାଡ଼ି ବହୁ ଦୂରକୁ ଆସିଯାଇଥିଲି ।
ମୁଁ ଘରେ ଦେଖି ଆସିଛି, ମୋ ଉପର ଭାଇ ଭଉଣୀମାନଙ୍କର ଜନ୍ମଦିନ ପାଳନ ହୁଏ । ସାଇ, ପଡ଼ିଶା, ବନ୍ଧୁବାନ୍ଧବ ସମସ୍ତଙ୍କ ଘରେ ପିଲାମାନଙ୍କର ଜନ୍ମଦିନ ପାଳନ କରନ୍ତି । ପଚୀ(ପାଞ୍ଚାଳୀ) ମୋର ସମ୍ପର୍କୀୟା ପିଉସୀ ଝିଅ ଭଉଣୀ । ଚାରି ଭଉଣୀ ମାନଙ୍କ ମଧ୍ୟରେ ସେ ସବା ସାନ । ଆମ ଗାଁ ଠାରୁ ଦୂରରେ ରହନ୍ତି । ମାମୁଁ ଘରକୁ ଆସିବା ବେଳେ ସେ ତା’ର ଜନ୍ମଦିନ ପୋଷାକଟିକୁ ଆଣିବାକୁ ଭୁଲେ ନା । ସବୁ ବର୍ଷ କହୁଥିଲେ ମଧ୍ୟ ପ୍ରତିଥର ତା’ର ସେଇ ପ୍ରଶ୍ନ, ତୋ ଜନ୍ମଦିନ ପୋଷାକ ଦେଖା ମୋ’ ଠାରୁ ତୋର ନିଶ୍ଚୟ ଭଲ ହୋଇଥିବ । ଗୋଲ (ଗୋଲାପ) ନାନୀ, ଫୁଲ ନାନୀ ତାକୁ ନାଲି ଆଖି ଦେଖାଇ ଚୁପ୍ କରାନ୍ତି ।
ପିଲାଟି ଦିନରୁ ମାତୃହରା ଜାଣିବା ପରେ କେବେ କେବେ ମୋ ମନରେ ପ୍ରଶ୍ନ ଆସେ ବୋଧହୁଏ ମାତୃହରା ଶିଶୁଟିର ଜନ୍ମଦିବସ ପାଳନ କରିବା ସମାଜର ନୀତି ବିରୁଦ୍ଧ ! ତେବେ କ’ଣ ସେମାନେ ମୋତେ “ମା’ ଖାଇ ଡାହାଣୀ” ଉପାଧିରେ ଭୂଷିତ କରାଇଥିଲେ ।
ବର୍ତ୍ତମାନ ସମାଜରେ ଦେଖି ଆସୁଛି କେବଳ ପିଲାମାନଙ୍କର ନୁହେଁ ବୟସ୍କମାନଙ୍କର ଜନ୍ମଦିବସ ପାଳନ ପ୍ରଥା ବିରଳ ନୁହେଁ । ତେବେ ମୋ ଜନ୍ମଦିନ କାହିଁକି ପାଳନ ହୁଏନା ? ଏବେ ମଧ୍ୟ ସେଇ ପ୍ରଶ୍ନଟି ମୋର କେହି କେହି ବନ୍ଧୁ କିମ୍ୱା ସହକର୍ମୀ ପଚାରି ଥାଆନ୍ତି । ବହୁଗୁଡ଼ାଏ ପ୍ରଶ୍ନରେ ମୋ ମନ ବୀଣାର ତାର ଗୁଡ଼ାକ ଅଡୁଆ ତଡୁଆ ହୋଇଯାଏ ।
ପିଲାଦିନେ ଗାଁରେ ସବୁ ଚଳନ୍ତି ଅଚଳନ୍ତି ପ୍ରଥା ଉପରେ ପ୍ରଶ୍ନ କରିଥାଏ ବୋଲି କେତେଜଣ ମତେ ମୁହଁଖୋର ବୋଲି କହିଥାନ୍ତି । ମାତ୍ର କାହିଁକି କେଜାଣି ନିଜ ବିଷୟରେ ମୁଁ କେବେହେଲେ ମତାମତ ନେବା ପାଇଁ ଆଗ୍ରହ ପ୍ରକାଶ କରେନି । ସେଇ ପ୍ରକୃତିଟିର ଅବସାନ ଏବେ ବୟସର ଚତୁର୍ଥ ପର୍ଯ୍ୟାୟରେ ପାଦ ରଖିବା ପରେ ମଧ୍ୟ ହୋଇ ପାରିନି ବୋଲି ସମାଜର ମତାମତ ମିଳିଥାଏ ।
ପିଲାଦିନେ ଆମ ପରିବାର ବର୍ଗ ଏବଂ ଅଡ଼ୋଶୀ ପଡ଼ୋଶୀଙ୍କର ଟିପ୍ପଣୀ ଏ ଛୁଆଟା ମଣିଷ ଛୁଆମାନଙ୍କର ଗଣତିରେ ଆସିବନି । ଦୟାମୟ ୟାକୁ କିଛି ସ୍ୱତନ୍ତ୍ର ଗୁଣ ଦେଇ ଦୁନିଆଁକୁ ପଠାଇଛନ୍ତି । ତା’ର ମୁଖ୍ୟ କାରଣ ହେଲା, ମୁଁ ଅନ୍ୟ ପିଲାଙ୍କ ଭଳି କିଛି ଦାବି କରୁ ନଥିଲି । ମୋ ହାତରେ ଥିବା ଜିନିଷଟିକୁ କେହି ନେବାକୁ ଚାହିଁଲେ, ସେ ପିଲା ହେଉ କିମ୍ୱା ବଡ଼ । ମୁଁ ବିନା ଦ୍ୱିଧାରେ ବଢ଼ାଇ ଦେଉଥିଲି । କେହି କେବେ ମୋ ହାତରେ ଅଧଲାଟାକର ଜିନିଷ ଧରାଇ ଦେଲେ ମୁଁ କୃତକୃତ୍ୟ ହୋଇ ଯାଉଥିଲି । ଯଦି ମୋ ପାଖରେ କିଛି ଜିନିଷ ଥାଏ ବଦଳରେ ତାହା ଦେଇ ଦେବା ପାଇଁ ଗର୍ବ ଅନୁଭବ କରୁଥିଲି । କିଛି ଜିନିଷ ପାଇଁ ଅନ୍ୟ ପିଲାଙ୍କ ଭଳି ଅଝଟ କରୁନଥିଲି । କେବେ କେବେ ବାପା କହିବାର ଶୁଣିଛି ଅଦୃଶ୍ୟରେ ପିଲାଟା ମୁଣ୍ଡ ଗରୁଚାପ ରହୁଛି । କଥାଟାର ଅର୍ଥ ସେତେବେଳେ ମୋ ପକ୍ଷରେ ବୁଝିବା ସମ୍ଭବ ନଥିଲା । ମାତ୍ର ଏବେ ଖୁବ୍ ଭଲ ଭାବେ ହୃଦୟଙ୍ଗମ କରୁଛି, ସତରେ ମୋ ମନରେ କିଛିଟା ଅଦୃଶ୍ୟ ଚାପ ମାଡ଼ି ବସିଥିଲା । କଥାଟାର ଅର୍ଥ ସେତେବେଳେ ବୁଝିବା ମୋ ପକ୍ଷେ ସମ୍ଭବ ନ ଥିଲା । ମାତ୍ର ଏବେ ଖୁବ୍ ଭଲ ଭାବେ ହୃଦୟଙ୍ଗମ କରିପାରୁଛି ।
ବାପା ଆମ ଇଲାକାର ଜମିଦାର ପରିବାରର ତୃତୀୟ ପୀଢ଼ି ଥିଲେ । ସେ କେବଳ ଆଖପାଖ କୋଡ଼ିଏଟି ଗାଁର ପ୍ରତିପତ୍ତିଶାଳୀ ଏବଂ ପରାକ୍ରମୀ ଜମିଦାର ନଥିଲେ, ଅସାଧାରଣ ଭାବେ ଜ୍ଞାନୀ ମଧ୍ୟ ଥିଲେ । ମୁଁ ଶିଶୁ ସମୟରେ ଜନ୍ମଦାତ୍ରୀଙ୍କୁ ହରାଇଲା ଭଳି ସେ ମଧ୍ୟ ତାଙ୍କ ପୂଜ୍ୟ ପିତୃଦେବ, ଶ୍ରୀ ପ୍ରହଲ୍ଲାଦ ପଣ୍ଡାଙ୍କୁ କିଶୋର ବୟସରେ ସ୍କୁଲରେ ଅଧ୍ୟୟନ କରିବା ସମୟରେ ହରାଇ ଥିଲେ । ତାଙ୍କର ପ୍ରପିତା ଶ୍ରୀ ବାଇଧର ପଣ୍ଡା ତାଙ୍କର ରକ୍ଷଣାବେକ୍ଷଣା ସୁଚାରୁ ରୂପେ କରିଥିଲେ ।
ବାପାଙ୍କ ବିଷୟରେ ପିଲାଦିନେ ମୋର ଏତିକି ଧାରଣା ଥିଲା ଯେ ସେ ଜଣେ ଧର୍ମ ପରାୟଣ ଏବଂ ମହାବିଦ୍ୱାନ ବ୍ୟକ୍ତି ଥିଲେ । ତାଙ୍କଠାରୁ ଶିଖିଥିବା ସୁଶୃଙ୍ଖଳା ଆଜି ମତେ ଅନ୍ୟ ବହୁଜଣଙ୍କ ମଧ୍ୟରେ ସ୍ୱତନ୍ତ୍ର କରିପାରିଛି । ମୋ ହେତୁ ହେବା ପରେ ବୟୋଜ୍ୟେଷ୍ଠମାନଙ୍କ ଠାରୁ ଜାଣିଥିଲି ଯେ ସେ ବହୁ କଡ଼ା (ଷ୍ଟ୍ରିକ୍ଟ) ଏବଂ କ୍ଷଣ କ୍ରୋଧୀ ଥିଲେ । ତା’ଛଡ଼ା ତାଙ୍କର ଅପାର ଜ୍ଞାନ ସମ୍ୱନ୍ଧରେ ମୁଁ ମୋର ନାନୀ ଏବଂ ନନାମାନଙ୍କ ଠାରୁ ଶୁଣିଛି । ସେ କାଳରେ ବାପା ଆମ ଖଣ୍ଡମଣ୍ଡଳରେ ଜଣେ ବ୍ୟକ୍ତି ଥିଲେ ଯେ ଇଂରାଜୀରେ ଖୁବ୍ ଧୂରନ୍ଧର । ସେଥିପାଇଁ ସେ ବ୍ରିଟିଶର୍ମାନଙ୍କର ଖୁବ୍ ନିକଟତମ ଥିଲେ । ତେଣୁ ବଡ଼ ବଡ଼ ଅଫିସର୍ମାନଙ୍କର ଆମ ଘରକୁ ଅନବରତ ଯାତାୟତ ଥିଲା । କେବଳ ସେତିକି ନୁହେଁ, ବହୁ ଅଫିସିଆଲ୍ ମାମଲାରେ ସେ ଜଡ଼ିତ ଥିଲେ । ଏପରିକି ବ୍ରିଟିଶ୍ ଗଭର୍ଣ୍ଣମେଣ୍ଟ୍ ତାଙ୍କୁ ଅନରାରୀ ମାଜିଷ୍ଟ୍ରେଟ୍ ରୂପେ ନିଯୁକ୍ତ କରିଥିଲେ ଏବଂ ମର୍ଡର କେସ୍ମାନଙ୍କର ମୀମାଂଶା କରିବା ପାଇଁ ତାଙ୍କୁ ଜରୁରୀ ପଦରେ ସମ୍ମାନିତ କରାଇଥିଲେ ।
ବାପାଙ୍କର ଇଂରାଜୀ ଜ୍ଞାନ ବିଷୟରେ ଖୁବ୍ ଏକ ଛୋଟ ଘଟଣା ହୋଇଥିଲେ ମଧ୍ୟ ତାହା ମୋର ମାନସପଟ୍ଟରେ ଲେଖା ହୋଇ ରହିଛି । ତୃତୀୟ ଶ୍ରେଣୀ ପାସ୍ କରି ଗାଁ ଘରେ ବସିଥିବା ସମୟରେ ଗୁରୁଚରଣ ଭାଇଙ୍କ ଠାରୁ ପ୍ରଥମ କରି ଏମ୍ରୋଡ଼ୋରି ଶିଖିବାର ସୌଭାଗ୍ୟ ପାଇଥିଲି । ମୋର ନନା ଦୁହେଁ ସେତେବେଳେ ସହରରେ ରହି କଲେଜ୍ରେ ପାଠ ପଢୁଥିଲେ । ନୂଆ କରି ଶିଖିଥିବା ଏମ୍ରୋଡ଼ୋରି କରି ଦୁହିଁଙ୍କ ପାଇଁ ଦୁଇଟି ରୁମାଲ୍ ତିଆରି କରିଥିଲି । ନିଜେ ତ ଇଂରାଜୀରେ ଅଜ୍ଞ, ତେଣୁ ମୋର ଜଣେ ସହରୀ ବାନ୍ଧବୀ(ପୁରୀ)ର ସାହାଯ୍ୟ ନେଇଥିଲି । କୌଣସି କାରଣ ଯୋଗୁଁ ବାପା ମତେ ଡାକ ଦେଇଥିଲେ । ହାତରେ ଫ୍ରେମ୍ ଲଗା ରୂମାଲ୍ଟା ନେଇ ଦଉଡ଼ି ଯାଇଥିଲି । ବାପା ଡାକିବାର କାରଣ ନ ଦର୍ଶାଇ କହିଲେ, ଏଲ୍-ଓ-ସି-କେ ମାନେ ତାଲା । ରୁମାଲ୍ ଉପରେ ଏଲ୍-ୟୁ-ସି-କେ ଲେଖିବା କଥା । ଇଂରାଜୀ ଜ୍ଞାନ ନ ଥିବା ହେତୁ ମୁଁ ନିଜକୁ ନିଜେ ଖୁବ୍ ନ୍ୟୂନ ମନେ କରିଥିଲି, ଅବଶ୍ୟ ଗୁରୁ ଭାଇଙ୍କର ସାହାଯ୍ୟ ନେଇ ରୁମାଲ୍ ଦୁଇଟିର କାମ ସମ୍ପୂର୍ଣ୍ଣ କରିଥିଲି ।
ଜମିଦାରୀ ଯିବା (ଉଠିଯିବା) ପୂର୍ବରୁ ଆମ ଘରେ ରାଜକୀୟ ଚଳଣୀ ଥିଲା । ମୋର ହେତୁ ହେବା ପରେ ସେ ଆଡ଼ମ୍ୱର ନ ଦେଖିଥିଲେ ମଧ୍ୟ ଶୁଣି ଶୁଣି ତାକୁ ମାନସପଟ୍ଟରେ ଚିତ୍ରିତ କରି ଦେଇଛି । ଆମ ରହିବା ଘର (ରେସିଡ଼େନ୍ସିଆଲ ପ୍ଲେସ୍)କୁ ଛାଡ଼ି ସାମ୍ନାରେ କଚେରୀ ଘର, ପାଖକୁ ଲାଗି ଗୋଟିଏ ପାଖେ ଅତିଥି ନିବାସ ଏବଂ ଅନ୍ୟ ପାଖେ ଗରିବ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । କେବଳ ଘର ନୁହେଁ, ଘରକୁ ଲାଗି ଦୁଇଟି ବଡ଼ ବଡ଼ ପ୍ରଶସ୍ତ ବଗିଚା ଯାହା ବହୁ ଫୁଲ, ଫଳ ଗଛରେ ଭରପୁର । କୁହାଯାଏ, ଏତଦ୍ ବ୍ୟତୀତ ଗାଁରେ ଯେଉଁ ସବୁ ବଗିଚା, ପଡ଼ିଆ, ପାଠଶାଳା, ମନ୍ଦିର, କେନାଲ୍, ହ୍ରଦ, ପୋଖରୀ (ଜଳାଶୟ) ଏବଂ ଅନ୍ୟ ସବୁ ସ୍ଥାନ ଗୁଡ଼ିକ ବାପାଙ୍କ ଅଧୀନରେ ଥିଲା, ଯାହା ଉପରେ ବାପା ନିଜର ଅଧିକାର ସାବ୍ୟସ୍ତ କରୁ ନଥିଲେ । ଏତଦ୍ ବ୍ୟତୀତ ବଗିଚାକୁ ଲାଗି କେଜାଣି କେତେ ଧାନ ଜମି ଥିବାର ବୃତ୍ତାନ୍ତ ମୁଁ ଶୁଣିଛି । ଏସବୁ ପାର୍ଥିବ ବିଷୟ ବସ୍ତୁର ବର୍ଣ୍ଣନା ମୋ ଜୀବନରେ କୌଣସି ପ୍ରଭାବ ନ ପକାଇଥିଲେ ମଧ୍ୟ ଆମ ପରିବାର ସ୍ୱତନ୍ତ୍ର । ସମାଜରୁ କିଛି ଦୁର୍ଗୁଣ ଶିକ୍ଷା କରି ସେଇ ପରିବାରର ସମ୍ମାନ ତଳେ ପକେଇବାକୁ ନ ଦେବି ବୋଲି ବାଲ୍ୟ ଚପଳତା ମନରେ ସ୍ଥାପି ଦେଇଥିଲି । ଆଜି ଯଦି ମୁଁ କିଛି ସୁକର୍ମ କରିଥାଏ ତାହା ମୋର ନିଜସ୍ୱ ନୁହେଁ ତାହା ବଂଶବାତ ମାଧ୍ୟମରେ ଗୃହୀତ । ଏହାର ଏକ ଉଦାହରଣ ଏଠାରେ ଦେଉଛି, ବାପା ଗରିବ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରି ବହୁ ଆନନ୍ଦ ଲାଭ କରୁଥିଲେ । ମୋ ସାରା ଜୀବନରେ, ଏମିତିକି ଆଜିର ଷଷ୍ଠ ଦଶକ ବୟସରେ ମଧ୍ୟ ପାଠ ହେଉ କିମ୍ୱା ଅନ୍ୟ କିଛି ଶିଖାଇବାରେ ମୁଁ ଆତ୍ମତୃପ୍ତି ଲାଭ କରିଥାଏ । ମୁଁ ଖୁବ୍ ଭଲଭାବେ ହୃଦୟଙ୍ଗମ କରିଛି ଅନ୍ୟକୁ ସହାୟତା କରିବାରେ ମୁଁ ବହୁ ମାନସିକ, ଆର୍ଥିକ ଏବଂ ଶାରୀରିକ ପୀଡ଼ାକୁ ଆହ୍ୱାନ କରିଛି ମାତ୍ର ତାହା ଆତ୍ମତୃପ୍ତି ସାମ୍ନାରେ ଗୌଣ ମାତ୍ର । ବାପାଙ୍କ ପ୍ରଚେଷ୍ଟାରେ ଶିକ୍ଷାପ୍ରାପ୍ତ ପିଲାମାନେ ଭବିଷ୍ୟତରେ ବହୁ ବଡ଼ ବଡ଼ ପୋଜିସନ୍ ମାନ ଅଧିକାର କରିଥିଲେ । ମୁଁ ବଡ଼ ହେବା ପରେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ସଂସ୍ପର୍ଶରେ ଆସିଛି ।
୧୯୫୧ ମସିହା ମେ’ ପ୍ରଥମ ତାରିଖରେ ଜମିଦାରୀ ଛାଡ଼ ପ୍ରଥା ଲାଗୁ ହୋଇଥିଲା । ବାପାଙ୍କ ମନର ସେଇ ସମୟର ସନ୍ତୁଳନ ବୁଝିବା ପାଇଁ ମୋର ବୟସ ହୋଇ ନଥିଲା । ଦୁଇ ବର୍ଷର ପିଲାକୁ ଆମ ମେଡ଼ିକାଲ୍ ଭାଷାରେ ଇନ୍ଫାଣ୍ଟ କହିଥାନ୍ତି । ଜମିଦାରୀ ଉଠିଯିବା ପରେ ଆମ ପରିବାର ଚଳଣୀରେ ଅବନତି ଘଟିଥିଲା । ପ୍ରଖ୍ୟାତ ଜମିଦାରୀ ଧୀରେ ଧୀରେ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକବାଦୀ ପୁରୁଷରୂପେ ପରିଚିତ ହୋଇଥିଲେ ।
୧୯୫୫ ମସିହାରେ ବାପାଙ୍କ ଆଲମାରୀରୁ ମୁଁ ଦୁଇଖଣ୍ଡ କାଗଜ, ଯାହା ହିନ୍ଦୀ ଏବଂ ବଙ୍ଗଳାରେ ଲେଖାଥିଲା । ଉଠାଇ ମୋ କାଗଜପତ୍ର ସଙ୍ଗେ ରଖିଥିଲି । ଦୁର୍ଭାଗ୍ୟ ବଶତଃ ପଢ଼ି ପାରି ନଥିଲି । ପୁରୀରେ ରହୁଥିବା ସମୟରେ “କାକୋଲୀ” ସହ ମୋର ଖୁବ୍ ଘନିଷ୍ଠତା ବଢ଼ି ଯାଇଥିଲା । ସେ ପୁରୀ ଜିଲ୍ଲା ସ୍କୁଲ୍ରେ ଅଷ୍ଟମ କକ୍ଷରେ ଅଧ୍ୟୟନ କରୁଥିଲା । କାଗଜ ଦୁଇଟି ତାକୁ ଦେଖାଇ ପଢ଼ିବାକୁ କହିଲି, ତାକୁ ହିନ୍ଦୀ ଆସେନା କହି ବଙ୍ଗଳାରେ ଲେଖାଥିବା ଗୀତଟି ମତେ ପଢ଼ି ଶୁଣାଇଲା । ତା’ ସଙ୍ଗେ ବନ୍ଧୁତା ମଧ୍ୟରେ ମୁଁ ବଙ୍ଗଳା ଖୁବ୍ ଭଲ ଭାବେ ବୁଝି ପାରୁଥିଲି । ସେ ଗୀତିଟିର ଶୀର୍ଷକ ଥିଲା “ଶ୍ରୀ ଶ୍ରୀ ଭଗବତ୍ ପ୍ରାର୍ଥନା” ତା’ପରେ :-
“ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ ରାମ ରାମ ହରେ ହରେ
ଜୟେ ଜୟେ ଦୀନବନ୍ଧୁ ପତିତପାବନ୍
ପୂର୍ଣ୍ଣବ୍ରହ୍ମ ପରାତ୍ପର ପରମ କାରଣ
ଯୁଗେ ଯୁଗେ ଅବତରି ପତିତ ଉଦ୍ଧାର
ଦେଶ କାଳ ପାତ୍ର ଭେଦ କରି ନା ବିଚାର. . . ।”
ଏଇ ସବୁ ଆଧ୍ୟାତ୍ମିକ ବିଚାର ତାଙ୍କ ଜୀବନ ଉପରେ କ’ଣ ସବୁ ପ୍ରଭାବ ପକାଇଥିଲା, ତାହା ତ କହିପାରିବିନି, ମାତ୍ର ଦୃଢ଼ତାର ସହ କହିପାରେ ତାହା ମୋ ଜୀବନ ଉପରେ ବହୁ କିଛି ପ୍ରଭାବ ପକାଇ ପାରିଛି ।
ବାପାଙ୍କର ଏଇ ଗୀତ ଲେଖା କଥା ମୁଁ ରାମଭାଇ(ବାପାଙ୍କର ଧର୍ମପୁତ୍ର)ଙ୍କୁ ଗଦ୍ ଗଦ୍ ହୋଇ କହିଥିଲି । ଉତ୍ତରରେ ସେ କହିଥିଲେ “ବାପା ଓଡ଼ିଆରେ ବହୁ ସୁନ୍ଦର ସୁନ୍ଦର ଗଳ୍ପ, କବିତା ଏବଂ ନାଟକ ଆଦି ଲେଖିବାରେ ଧୂରନ୍ଧର ।”
– ତା’ପରେ –