
ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ହୋଇ ପାରିଥାଏ, ତେବେ ପଢାରେ ମନୋନିବେଶ କରି ଅକ୍ଳାନ୍ତ ପରିଶ୍ରମ କଲେ ମୁଁ ମଧ୍ୟ କେବେ ପ୍ରଥମ ସ୍ଥାନ ପାଇଁ ଯୋଗ୍ୟା ହୋଇ ପାରିବି
ରାଗିଙ୍ଗ୍ସିନିଅର ମାନଙ୍କ ଠାରୁ ଶୁଣିଥିଲି ପ୍ରଫେସନାଲ୍ କଲେଜରେ ମେଡିକାଲ୍, ଇଞ୍ଜିନିୟରିଂ ପିଲା ମାନଙ୍କୁ ଖୁବ୍ ରାଗିଙ୍ଗ୍ ହୁଏ । କେତେ ଛାତ୍ର, ଛାତ୍ରୀ ଏହା ନ ସହି ପାରି ଛାଡି ଯାଇଥାଆନ୍ତି । କାହାକୁ କିଛି ନ କହିଲେ ମଧ୍ୟ ନିଜକୁ ନିଜେ କହୁଥିଲି, “ଇଏ ତ ମୋର ପୂର୍ବ ର ଅନୁଭବ । ଆଉ ଥରେ ଏହାର ପୁନରାବୃତ୍ତି ହେବାକୁ ଦେବିନି । ”
ମନକୁ ଦୃଢ କରିବା ପରେ ମୋର ମନେ ହେଲା ଯାହା କିଛି ସହିବାକୁ ପଡ଼ିବ ସେ ସବୁ ମୋ ପାଇଁ ଗୌଣ । କଲେଜରେ ଭଲ କରି ପାଠ ପଢି ଭଲ ଡାକ୍ତର ହେଲେ ସମସ୍ତେ ଆଦର କରିବେ ।
ସବୁ ସନ୍ଧ୍ୟା ରେ ହଷ୍ଟେଲ୍ରେ ଗୋଟିଏ ଗୋଟିଏ ନୂଆ ନୂଆ ପର୍ବ । କେଉଁ ଦିନ କାହାକୁ ଚାହା କରିବାକୁ କୁହା ହେଲାଣି ତ ଆଉ କାହାକୁ ବାଲ୍ଟିରେ ପାଣି ଭରିବାକୁ ,ପୁଣି କାହାକୁ ରୁମ୍ ସଜାଡିବାକୁ ତ ଆଉ କାହାକୁ ଚଉତରା ଉପରୁ ଶୁଖିଲା ଲୁଗା ଆଣି ଭାଙ୍ଗି ରଖିବାକୁ । ମୁଁ ପ୍ରମାଦ ଗଣୁଥିଲି । ମୋ ଉପରେ କ’ଣ ପଡ଼ିପାରେ ?
“ତୁ ଅନୁ ନା ? ”
“ହଁ,ନାନୀ । ମୁଁ କିଛି କରିବି ?”
“କରିବାକୁ ଭଲ ଲାଗୁଛି ଯଦି ଆ ମୋ ସାଙ୍ଗେ । ”
ଆଗେ ଆଗେ ନାନୀ ପଛେ ପଛେ ମୁଁ, ନିଧଡ଼କ ଚାଲିଥିଲି । କ’ଣ ବା ଗୋଟାଏ ହାତୀ ଘୋଡା କାମ କହିବେ ଯେ ଭୟ ପାଇବି !
ସୁସଜ୍ଜିତ ରୁମ୍ ଟିଏ । ଆମମାନଙ୍କ ରୁମ୍ ଭଳି ତିନିଟା ଖଟ ପଡିନି । ଆଡୁ ସାଡୁ ଜିନିଷ ମଧ୍ୟ ପଡିନି । ସବୁଠୁ ଆନନ୍ଦର ବିଷୟ ବିଛଣା ଉପରେ ଖପୁରୀ ରଖାଯାଇନି ।
କାମ କରିବୁ ପରା ! କ’ଣ ଏତେ ଦେଖୁଛ !
ଦେଖୁଥିଲି ଏ ରୁମ୍ ରେ ଖପୁରୀ ନାହିଁ ।
ତତେ ଖପୁରୀ ଭଲ ଲାଗେ ?
ନାଁ ଡର ଲାଗେ ।
ମଣିଷକୁ ଭୟ କର, ହାଡକୁ ନୁହେଁ, ମଣିଷ ତୁମ ଚଲା ପଥରେ ପ୍ରତିବନ୍ଧକ ଆଣିପାରେ, ଏ ଖପୁରୀ ଧରି ପଢି ପଢି ତ ଆମର ରାସ୍ତା ସୁଗମ ହୁଏ ।
ତୋର ସେ ଫିଲୋସୋଫୀ ବନ୍ଦ କର ସବିତା, ୟାକୁ କାମ କରାଇବାକୁ ଆଣିଛୁ ପରା ! ଆରମ୍ଭ କରାଉନୁ ।
ଆରେ ତା ପ୍ରଶ୍ନର ଉତ୍ତର ଦେଲନି,ମତେ ପରେ ଅଥୟ କରିବ । ହଉ ଶୁଣ୍, ସ୍କଲ ଧରି ପଢିବା କେବଳ ପ୍ରଥମ, ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ଏଇଟା ସୁନୀତି ନାନୀଙ୍କ ରୁମ୍ । ସେ ଫୋର୍ଥ ଇୟର ଷ୍ଟୁଡେଣ୍ଟ୍ । କହିଲେ ଇନ୍ଦୁ ଅପା ।
ତୁ କ’ଣ ସବୁ ଗୀତ ଗାଉ ?
ଗାଇ ଶୁଣାଇବି ?
ଦେଖ କାଦୁ, ଝିଅଟାର ଟିକିଏ ବି ଭୟ ନାହି । ମତେ ଏମିତି କିଏ ବଡମାନେ ଗାଇବାକୁ କହିଥିଲେ ମୁଁ ତ ଅତରଛିଆ ହୋଇ ପଡିଥାନ୍ତି ।
“ବଡ ଙ୍କୁ ଭୟ ନୁହେଁ, ଭକ୍ତି କରାଯାଏ । ବଡଙ୍କର ଆଦେଶକୁ ଉଲଙ୍ଘନ କରାଯାଏନା । ମୁଁ କାସାବିଏଙ୍କା କାହାଣୀ ରେ ପଢିଛି ନାନୀ । ”
ରାଗିଙ୍ଗ୍ ପାଇଁ ନିର୍ଦ୍ଦିଷ୍ଟ ଡିଉରେସନ୍ ଥାଏ । ସେ ସବୁର ପର୍ବ ଶେଷ ହୋଇ ଯାଇଥିଲେ ମଧ୍ୟ ହଷ୍ଟେଲ୍ ଝିଅମାନଙ୍କ ପାଖେ ବସି ଗୀତ ଶୁଣାଇବା ମୋର କ୍ଷତି ନୁହେଁ ବରଂ ଏହା ମୋ ପାଇଁ ବହୁ ଲାଭ ଜନକ ଥିଲା । ପ୍ରଥମତଃ ବହୁ ଜଣଙ୍କ ସାମ୍ନାରେ ଗାଇବାର ଭୟ ଚାଲି ଯାଇଥିଲା । ପ୍ରାକ୍ଟିସ୍ ମଧ୍ୟ ଅଳ୍ପ ବହୁତେ ହୋଇଯାଉଥିଲା । ସବୁଠୁ ଅଧିକ କଲେଜରେ ମଧ୍ୟ ମୁଁ ଖୁବ୍ ଶୀଘ୍ର ଆଦୃତା ହୋଇଯାଇଥିଲି । ଏ ସବୁ ଯେମିତି ମତେ ସୂଚାଇ ଦେଉଥିଲା “ପରିଶ୍ରମ କେବେ ବୃଥା ଯାଏ ନା” । ମେଡିକାଲ କଲେଜରେ ମୁଁ ବ୍ରାଇଟ୍ ଷ୍ଟୁଡେଣ୍ଟ ରୂପେ ଗଣା ଯାଉ ନ ଥିଲି । ଚିନ୍ତା କଲି, ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ହୋଇ ପାରିଥାଏ, ତେବେ ପଢାରେ ମନୋନିବେଶ କରି ଅକ୍ଳାନ୍ତ ପରିଶ୍ରମ କଲେ ମୁଁ ମଧ୍ୟ କେବେ ପ୍ରଥମ ସ୍ଥାନ ପାଇଁ ଯୋଗ୍ୟା ହୋଇ ପାରିବି । ଏଇ ଧାରଣା ମତେ କର୍ତ୍ତବ୍ୟ ନିଷ୍ଠାପର କରି ଦେଇଥିଲା ।
ବାସ୍ତବରେ ଏମ୍.ବି.ବି ଏସ୍ କରିବା ସମୟର ପ୍ରତିଟି ଘଟଣା ମୋ ମନରେ ଗୋଟିଏ ଦୁଇଟି ସ୍ତର ସୃଷ୍ଟି କରି ରହିଛି । ମୋର ମାନସିକ ଅପରିପକ୍ୱତା ଯୋଗୁ କିମ୍ବା ଅନ୍ୟ କୌଣସି କାରଣରୁ ହେଉ, ପ୍ରଥମ ଦିନ ୱାର୍ଡ ଡିଉଟି ପାଇଁ ଧଳା କୋର୍ଟ ଏବଂ କାନ୍ଧରେ ଷ୍ଟେଥୋସ୍କୋପ୍ ମତେ ଅନ୍ୟ ଏକ ଅପୂର୍ବ ଦୁନିଆକୁ ନେଇ ଯାଇଥିଲା । ୱାର୍ଡରେ ସାର୍ କହୁଥିଲେ ଧଳା କୋର୍ଟ(ଆପ୍ରନ) ଜଣେ ଡାକ୍ତରର ପରିଚୟ ପତ୍ର । ତେଣୁ ବିନା ଆପ୍ରନରେ ୱାର୍ଡ ଆସିବନି ।
ମୋର ଅକ୍ଲାନ୍ତ ପରିଶ୍ରମ ଯୋଗୁ ହେଉ ଅଥବା ଏକାଗ୍ରତା ଯୋଗୁ ହେଉ ପ୍ରାୟତ୍ତ ସମସ୍ତ ଶିକ୍ଷକଙ୍କର ପ୍ରିୟ ଛାତ୍ରୀ ହେବାର ସୌଭାଗ୍ୟ ପ୍ରାପ୍ତ କରିଥିଲି ।