ଉପନ୍ୟାସ

ମୁଠାଏ ମାଟି

Ashok Biswal's Odia Novel Muthae Maati

ଘାତକ ପ୍ଲାଟୁନର ସବୁଠାରୁ କୌଶଳୀ ଯୋଦ୍ଧା ଶତ୍ରୁକୁ ନର୍କରେ ପହୁଁଚାଇ ନିଶ୍ୱାସ ନେବ । ଛାଇ ଅବିନାଶର ମୁହଁରେ ଅଭିନୀତ ହେଉଥିବା ଯୁଦ୍ଧକୁ ଦେଖିପାରୁଥିଲା ।

ମୁଠାଏ ମାଟି

ଅବିନାଶର ମନ ଭଲ ଥିଲା । ଖଟରେ ଆରାମରେ ତକିଆକୁ ଆଉଜି କିଛି ନୂଆ କଥା ଶୁଣିଲେ ଭାବିବା ପାଇଁ ମନକୁ ଖୋରାକି ମିଳିଯିବ । ଏ ଦିନମାନଙ୍କରେ ଲଦାଖର ଗଲୱାନ ଉପତ୍ୟକା ଉପରେ ବହୁତ ଖବର ଆସୁଛି । ଚିନୀଗୁଡା ଭାରତୀୟ ସୀମା ଭିତରକୁ ମାଡି ଆସିଛନ୍ତି । ଖବର ବହୁତ ଗରମ । ସୀମାନ୍ତରେ ଉତ୍ତେଜନା ଚରମ ସୀମାନ୍ତରେ ପହଞ୍ଚିଲାଣି । ଉଭୟ ପକ୍ଷରୁ ଟ୍ୟାଙ୍କ, ବଡ ବଡ ଗନ, ଆଉ କ୍ଷେପଣାସ୍ତ୍ର ମୁତୟନ କରାଗଲାଣି । ଆକାଶରେ ସୁଖୋଇ, ମିଗ୍‌-୨୯ ଆଉ ରାଫେଲ୍‌ ଭଳି ଅତ୍ୟାଧୁନିକ ଫାଇଟର ଉଡାଜାହାଜମାନ ଉଡିଲାଣି । ଅପାଚି ହେଲିକ୍ୟାପ୍ଟରକୁ ମୁତୟନ କରାଗଲାଣି । ଭାରତରେ କରୋନା ସଂକ୍ରମଣ ମାଡି ଚାଲିଛି, ପୃଥିବୀ କରୋନା କବଳରେ ଅଣାୟତ ଆଉ ଏଇ ସମୟରେ ଚିନୀଗୁଡା ଶତ୍ରୁତା ଆଚରଣ କରୁଛନ୍ତି । ସବୁ ଖଟିରେ, ସବୁ ଘରେ, ଅଫିସ୍‌ରେ, ବାଟେ ଘାଟେ ଭାରତ-ତିବତ ସୀମାର ଗରମା ଗରମ ଆଲୋଚନା ଚାଲିଛି ।

ବେଳେବେଳେ ଇତିହାସରେ ବା ଭୂଗୋଳରେ ନିଜକୁ ଅତି ବିଷାରଦ ଦେଖାଇ ହେଉଥିବା ବନ୍ଧୁମାନେ ସାମାନ୍ୟ କେତେ ମିଟର ଜମି ପାଇଁ ଲଢେଇକୁ ଆଉ ଏତେ ବଡ ସୈନ୍ୟ ମୁତୟନକୁ ମୂଲ୍ୟହୀନ କହିଛନ୍ତି । ଅଯଥାରେ ଏବେ ରାଜକୋଷ ଉପରେ ଓଜନ ପଡିବ । କରୋନା ମହାମାରୀ ପାଇଁ ଅମାପ ଅର୍ଥର ଆବଶ୍ୟକତା ଅଛି । ଆଉ କି ଭଳି ଜମି । ମୁଠାଏ ଶୁଖିଲା ମାଟି । ଥଣ୍ଡା ପଥୁରିଆ ମାଟି । ଏମନ୍ତ ଭୁଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ । ଏଠି ଚାକୁଣ୍ଡା ଭଳି ବଡ ଗଛ କଥା ଛାଡ, ସାମାନ୍ୟ ଦୁବ ମଧ୍ୟ ଉଠେ ନାହିଁ । ଏ ବଞ୍ଜର ଭୂମିପାଇଁ ଏତେ ରକ୍ତପାତର ଆବଶ୍ୟକ ନାହିଁ ବୋଲି କେତେ ମତ ଦେଇଥିଲେ । କିନ୍ତୁ ଅବିନାଶ ସବୁକଥା ମନରେ ମାନୁ ନଥିଲା । ନିଜରସୀମାନ୍ତକୁ ରକ୍ଷା କରିବା ଯେ କୌଣସି ନାଗରିକର କର୍ତ୍ତବ୍ୟ ହେବା ଦରକାର । ସବୁକଥା କେବଳ ଆର୍ଥିକ କୋଣରୁ ଭାବିନେଲେ ତ ଆଗକୁ କିଛି ହେବନି । କିଛି ବିଷୟରେ ବୁଝାମଣା ହୋଇ ନପାରେ । ତେଣୁ ସେ ସେତେବେଳେକୁ ଭାବୁଥିଲା ଯେ ଏ ବନ୍ଧୁମାନଙ୍କରେ ମନରେ ପରିବର୍ତ୍ତନ ଆସିବା ଦରକାର । ପରିବର୍ତ୍ତନ କେମିତିଆ ହେବ ସେ ବିଷୟରେ ତାର କିଛି ଧାରଣା ନଥିଲା । ସେମାନଙ୍କର କଥାରେ ହୁଏତ ଲଜିକ୍‌ ଥାଇପାରେ, କିନ୍ତୁ ସବୁ ଯାଗାରେ ଲଜିକ୍‌ କାମ କରେନା । ଆଉ ତା ଛାତିର ବହୁତ ଭିତରୁ କିଏ ଯେମିତି ଏକଥା କହୁଥିଲା- ଏ ଚିନୀଗୁଡାଙ୍କୁ ଆମ ଅଞ୍ଚଳରୁ ଭଗାଇବାକୁ ପଡିବ । ଏବେ ତାକୁ ଲାଗିଲା ପରିବର୍ତ୍ତନ କିଛି ଆବଶ୍ୟକ । ସେ ନିଜ ହାତରେ ମୁଠାଏ ମାଟି ଧରିଥିବା ଭଳି ଅନୁଭବ କଲା । ଝର୍‌ଝର୍‌ ହୋଇ ମାଟି ତା ହାତରୁ ଯେମିତି ତଳେ ପଡୁଛି । ଆଉ ଏମିତି ଭାବିବା ବେଳକୁ ଛାଇ ମଣିଷ ତା ପାଖରେ ଆସି ହାଜର ହୋଇଗଲା ।

ଅବିନାଶ ମୁଠାଏ ଶୁଖିଲା ମାଟି କଥା ଶୁଣି ତୁମେ ପରିବର୍ତ୍ତନ କଥା ଭାବୁଛ । ଆଶ୍ଚର୍ଯ୍ୟର କଥା । କିନ୍ତୁ ନିଷ୍ଠା ଦରକାର । – ଛାଇ ମଣିଷଟା ବହୁତ ଧିରେକହିଲା । ସେ କଥା ଆଉ କିଏ ଶୁଣି ପାରିଥିବ କି ନା ସନ୍ଦେହ । ମୁଠାଏ ମାଟି କେଉଁଠୁ ବି ଉଠାଇ ଫୋପାଡି ଦେଇ ହେବ । ନଦୀରେ ତ ଶହ ଶହ ଟନ ଲାଲ ମାଟି ବୋହିଯାଏ । ତେଣୁ ମୁଠାଏ ମାଟିର ମୂଲ୍ୟ କଣ ? ସୁନା ହୋଇଛି କି ? ତାକୁ ଲାଗୁଥିଲା ତା ହାତରୁ ସେମିତି ଝରଝର ହୋଇ ମାଟି ବୋହିଚାଲିଛି । ସେ ମୁଣ୍ଡ ହଲାଇଦେଲା ଆଉ ମୁଠିକୁ ଜୋରରେ ବନ୍ଦ କରିଦଲା ।

ପରିବର୍ତ୍ତନ ହେଉଛି ଏକ ଶାନ୍ତ ମନରେ ଉଠୁଥିବା ବିଶାଳ ଢେଉ । ମନରେ ବିପ୍ଲବ ହେଉଛି ବନ୍ଧ ଭାଙ୍ଗିଯାଇଥିବା ନଦୀ । ସେମିତିଆ ନଦୀରେ ପାଣି ଲାଲ ରହିଥାଏ । ଏକ ବହୁତ ବଡ ଘଟଣା । ସବୁକିଛି ଧୋଇଯିବ । ସେଇଟା ଭାବି ହେଉନି । – ଅବିନାଶ କହିଲା ଆଉ ହାତ ମୁଠିକୁ ଯେତେ ଜୋର ହୋଇପାରେ ସେତେ ଜୋର ବନ୍ଦ କରିଦେଲା । ନିଜ ଭିତରେ ଏ ମାଟିର ଫିଲିଙ୍ଗ୍‌କୁ ଅଟକାଇବା ଦରକାର । ସେ ଜୋର ଜୋରରେ ମୁଣ୍ଡ ହଲାଇଲା । ତାର ଭିତରେ ଯେମିତି ପୁରୁଣା ଅବନାଶ ଜାଗି ଉଠିଲା ଆଉ ସେ ନିଜର ସବୁ ଦିନିଆ ସାଧାରଣ ଭାଷା କହିଲା ।

ମୋତେ ଶାନ୍ତ ନଦୀର ଧୀର ପାଣି ଭଲ ଲାଗେ । ଧଳା ପଠା ଦେଇ ବୋହିଯାଉଥିବ ନୀଳ ପାଣିର ଧାର । ତେଣୁ ଆଉ ଏମିତି ସେମିତି ବେକାର କଥା ଭାବି ନିଜର ଭଲରେ ଗଡିଯାଉଥିବା ଜୀବନରେ ଅଯଥାରେ ମୁଁ ସନ୍ଦେହ ପୁରାଇବିନି । ଏ ସବୁ ଗରମ କଥା କେବଳ କହିବା ପାଇଁ ଖଟିରେ ଆଲୋଚନା ହୁଏ । ଖଟିରୁ ବାହାରି ଆସିଲେ ଜୀବନ ସେମିତି ଚରାଚରିତ, କିଛି ବଡଢେଉ ସେଥିରେ ନାହିଁ । ସତ କହିବାକୁ ଗଲେ ସମୁଦ୍ରର ବଡ ଢେଉର ମୋଟେ ଆବଶ୍ୟକତା ନାହିଁ । -ଅବିନାଶ ଆସ୍ତେ କହିଲା ।

ସେଇଟା ସତ । ଏକ ଗତାନୁଗତିକ ଜୀବନର କଥା । ସାଇକେଲ୍‌ରେ ବସି ନଦୀ ବନ୍ଧରେ ଗଡୁଥିବା ଜୀବନ କଥା । ସୁଲୁସୁଲିଆ ପବନ ବୋହୁଥିବ, ନଦୀ ପଠାରେ କାଶତଣ୍ଡୀ ଫୁଲ ଢେଉ ଖେଳୁଥିବ ଆଉ ନୀଳ ପାଣିରେ ମାଛ ପହଁରୁଥିବେ । ନଈକୁ ଗାଧୋଇବାପାଇଁ ଗାଁ ମାଇପେ ଯାଉଥିବେ । ତୁମେ ଏକ ଗୋରୀ ସୁନ୍ଦରୀ ଝିଅକୁ ଚାହିଁ ହସୁଥିବ । ସେ ଝିଅଟା ଅଟକି ଯାଇ ପଛକୁ ଅନାଉଥିବ । ମନରେ କେତେ ଭାବନା ଖେଳି ଯାଉଥିବ । ଏଇଟା ଏକ ସ୍ଥିର ଜୀବନ କହିପାର । ତୁମେ ଏକ କଲେଜ ପଢୁଆ ଟୋକାରେ ପରିଣତ ହୋଇଯାଉଥିବ । ଏମିତି ଜୀବନରେ ପରିବର୍ତ୍ତନ କଣ ଦରକାର ? ସାଇକେଲର ଜୀବନ ସବୁବେଳେ ସୁଖୀ ଜୀବନ ।– ସେ ଛାଇ ମଣିଷ ଉତ୍ତର ଦେଲା ।

ମୋ କଥାଟା କଣ ଏମିତି ଥଟ୍ଟା ମଜା କରିବା ଭଳି ହୋଇଗଲା ନା କଣ ଯେ ତୁମେ ଏମିତି କହୁଛ?- ଅବିନାଶ ପଚାରିଲା ।

ତାକୁ କେମିତି କେମିତି ଲାଗୁଥିଲା । ଖଟିରେ ବସି ଆଉ ନିଜ ହିସବାରେ ଯୁକ୍ତି କରି ନପାରି ସେ ଭାବନାର ପରିବର୍ତ୍ତନ କଥା ସେତେବେଳେ ଭାବିଥିଲା । ଏବେ ନିଜ ଭିତରେ ସେ କଣପାଇଁ ପରିବର୍ତ୍ତନ ଆଣିବ ଯେ ? ସେ କଣପାଇଁ ଗଲୱାନ ଉପତ୍ୟକା ଆଉ ଛାଇ କଥା ଭାବିଲା ଆଉ ଏ ଛାଇ ତା ପାଖରେ ଆଖି ପିଛୁଳାକେ ହାଜର ହୋଇଗଲା ? ତାପରେ ସେ କଣ ନାହିଁ କଣ କହିଯାଉଛି । କିଛି ବେକାର କଥାରେ ମୁଣ୍ଡଟାକୁ ଗୋଳମାଳିଆ କରିଦେବାର ଆବଶ୍ୟକତା କଣ ? ଖଟିରେ ମୁଣ୍ଡ ଗରମ ହୁଏନି । ଏତେ କିଛି ଭାବିବାକୁ ପଡେନି । କିନ୍ତୁ ଛାଇ ପ୍ରଥମ କଥାରେ ଅଯଥାରେ ଅବୋଲକରା ଭଳି ଅଛିଣ୍ଡା ବିବାଦ ପୁରାଉଛି । ସେ ପୁଣି ଟିକେ ମୁଣ୍ଡ ହଲାଇଲା ।

କିଛି ଭାବନି । ମୁଁ ସେମିତି ତୁମ ଚରାଚରିତ ଭାବିବାଠୁ କିଛି ବାହାରର କଥା କହିଦେଲି ।- ଛାଇ କହି ଟିକେ ରହିଗଲା । ଅବିନାଶ କିଛି ଉତ୍ତର ଦେଲାନି । ପୁଣି ଛାଇ ଅବୋଲକରା ଭଳି ନ ଅଟକି କହିବାକୁ ଲାଗିଲା । ତା କଥା ଭଲ ଲାଗୁ କି ନଲାଗୁ ଶୁଣିବାକୁ ପଡିବ ।

ଭାବନାର ପରିବର୍ତ୍ତନ ହେଉଛି ମନର ବିପ୍ଳବ । ଆଉ ମନର ଅଲଗା ଭାବିବା ଏକ ଐତିହାସିକ ଘଟଣା । ବହୁତ ବଡକଥା ।- ଛାଇ କହୁଥିଲା ।

ଅବିନାଶ ମୁଣ୍ଡ ହଲାଇଲା । ଛାଇର କଥାମାନବୁଢୀଆଣି ଜାଲ ଭଳି ଲାଗୁଥିଲା । ଶିକାରକୁ ଗୁଡାଇଲା ଭଳି ଏ ଜାଲ ତା ମନକୁ ଗୁଡାଇଲାଣି । ସବୁ ଛନ୍ଦି ହୋଇଗଲାପରି ଲାଗୁଥିଲା । ସେ କିଛି ଖିଅ ଧରିପାରୁ ନଥିଲା । ଏଣୁତେଣୁ ନକହି ସିଧା ଛାଇ ଗଲୱାନ ଉପତ୍ୟକାର ଲଢେଇ ବିଷୟରେ କହିଥାନ୍ତା । କେମିତି ଚିନୀମାନେ ବଣମଣିଷ ଭଳିଆ ସବୁବେଳେ ସଁ ସଁ ହେଉଥିଲେ ଆଉ ଭାରତୀୟମାନେ ହନୁମାନ ଭଳି ଏ ପାହାଡରୁ ସେ ପାହାଡକୁ ଲମ୍ଫ ଦେଉଥିଲେ । କିନ୍ତୁ କଥାଟା ପ୍ରଥମରୁ ଓଲଟା ରାସ୍ତାରେ ଚାଲିଛି । ଅବିନାଶ ଭାବୁଥିଲା ମଣିଷ ଧୂଆଁ ହୋଇଗଲେ ଆଉ ତାକୁ କେଉଁ ଖିଅ ମିଳେନା । କଳା ଧଳା ଧୂଆଁ ସବୁ ଧିରେ ମିଶି ଯାଏ । ଛାଇର ମୁଣ୍ଡରେ ଆଉ ଗ୍ରେ ମ୍ୟାଟର ବା ମୁଣ୍ଡର ଦହି ତ ନଥିବ ତେଣୁ ସବୁ କଥା ଗୋଳମାଳିଆ ହୋଇଯାଇଥିବ । ଏକ ମଲା ଲୋକଠୁ ଆଉ କଣ ଆଶା କରାଯାଇପାରେ ?

କଣ ଏଇଥିପାଇଁ ମୁଁ ମରିଯାଇଛି । ସେଇଥିପାଇଁ ଏମିତି କହୁଛି ବୋଲି ଭାବୁଛ କି?- ସେ ଛାଇ ପୁଣି କହିଲା । ଏଇଟା ଅବଶ୍ୟ ପ୍ରଶ୍ନ ।

ନା । ମରିଗଲେ ତୁମ କହିବା ହିସାବରେ ପରିବର୍ତ୍ତନ କେମିତି ଆରମ୍ଭ ହେବ । ତୁମେ ମରିନ ।- ଅବିନାଶ ଆଉଥରେ କହିଲା ।

ଛାଇ ହସିଲା । ହୋ ହୋ ନୁହେଁ । ଏକ ଦୁଃଖର ହସ । ଅତି କମରେ ଅବିନାଶ ସେ ନମରୁ ବୋଲି ତ କହିଲା । ହୋଇ ନପାରେ ଏଇଟା ଅବିନାଶର ହୃଦୟର କଥା, କିନ୍ତୁ ମୁହଁରେ କହିଦେଲେ ଶୁଣିବାକୁ ତ ଭଲଲାଗେ । ଅବିନାଶ କିନ୍ତୁ ବଡ କଷ୍ଟରେ ଏ କଥା କହିଥିବ । ଅବିନାଶ ପ୍ରକୃତରେ ଛାଇକୁ ମିଛିମିଛିଆ ସାନ୍ତ୍ୱନା ଦେଉଥିଲା । ପାଖରେ ତ କିଏ ଅଛି । ତାକୁ ମନରେ ଦୁଃଖ ଦେଇ ଲାଭ କଣ ?

ମଣିଷ କେବେ ମରେନି ।- ଅବିନାଶ ପୁଣି କହିଲା ।

ଏଇଟା ଅବଶ୍ୟ ନିତିଦିନିଆ ଅବିନାଶର କଥା ନୁହେଁ । ତା ଆଗରେ ସବୁଦିନ ଖବର କାଗଜରେ ଶହ ଶହ ଲୋକ ମରୁଥାନ୍ତି ଆଉ ଟିଭିରେ ହଜାର ହଜାର ଲୋକ ମରନ୍ତି । ମଣିଷ ନିଶ୍ଚିତ ଭାବରେ ମରେ । ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । କିନ୍ତୁ ଏକ ମଲା ମଣିଷକୁ ସେ ମରିଛି ବୋଲି ଏବେ ଚେତେଇ ଦେବାର କିଛି ଆବଶ୍ୟକତା ନାହିଁ ବୋଲି ସେ ଭାବୁଥିଲା । ଏମିତି ତ ଛାଇ ଶରୀର ଆଉ ପାଇବନି । ଶରୀର ଥିଲେ ସିନ ମଣିଷ ବଞ୍ଚେ । ଶରୀର ଯିବା ସହ ମଣିଷ ମରିଯାଇଛି । ମଣିଷ ଏକ ଲମ୍ବା ଭୁତ ହୋଇଯାଇଛି ।

ଅବିନାଶ ତୁମେ ସେମିତି ଭାବୁଛ । କଥାଟା ସମାଜ ହିସାବରେ ମୋଟେ ଭାବୁନ । ସମାଜ ବହୁତ ଜଲଦି ମରିଥିବା ଲୋକକୁ ଭୁଲିଯାଏ । ଯୁଇରୁ ଧୂଆଁ ବାହାରିବା ସହ ଲୋକଟା ପରା ମିଳେଇ ଯାଏ । ଆଉ ତୁମେ ଆକାଶରୁ ଧୂଆଁ ଗୋଟାଇବ ଅବିନାଶ ।- ଛାଇ କୋହଭରା ସ୍ୱରରେ କହିଲା । ଛାଇ ଯେମିତି ବହୁତ କାନ୍ଦ ମାଡୁଥିଲା ।

ଏମିତିଆ ସ୍ୱର ଶୁଣି ଅବିନାଶ ମନରେ ଦୁଃଖ ହେଲା । ଘର ଲୋକମାନେ ସତରେ ମରିଥିବା ଲୋକକୁ ଏକ ରାତିରେ ଭୁଲିଯାଆନ୍ତି । ଦେହର ପରଶ ପାଇଥିବା ସ୍ତ୍ରୀ ତ ଭୁଲିଯାଏ କେଇ ରାତିରେ ଆଉ ଏକ ନୂଆ ପରଶରେ । ଅନ୍ୟ ଲୋକମାନେ କାହିଁକି ମନେ ରଖିବେ? ଯୁଇଁରୁ ଧୁଆଁ ଉଠୁ ଉଠୁ ତାକୁ ଭୁଲି ଘରକୁ ଯିବାପାଇଁ ବ୍ୟସ୍ତ ହୁଅନ୍ତି । ସାଙ୍ଗରେ ଚାଲିଥିବା ଏତେ ଦିନର ସାଥିକୁ ପରକ୍ଷଣରେ ଭୁଲି ଯାଆନ୍ତି । ସମାଜ ତ ସେମିତି । ଭୁଲିଯିବାଟା ସାଧାରଣ ମଣିଷର ଲକ୍ଷଣ । ଆଉ ଛାଇ କ୍ଷେତ୍ରରେ ନିୟମର କିଛି ପରିବର୍ତ୍ତନ ହେବନି । ଅବିନାଶ ହଠାତ୍ କିଛି କହିଲାନି ଆଉ ଛାଇ ନିଜକୁ ସମ୍ଭାଳି ନେଲା ।

ଅବିନାଶ । ତୁମେ କୁହ ଆମ କଥା କେତେଜଣ ମନେ ରଖନ୍ତି ? ତୁମେ କେତେ ଲୋକଙ୍କୁ ପାଖରୁ ଦେଖିଛ । କେହି ତୁମ ହିସାବରେ ତୁମ ସମାଜରେ ଛାଇକୁ ମନେ ରଖନ୍ତି?- ଛାଇ ପୁଣି ପଚାରିଲା । ତା ଅନ୍ତରର ଭିତରୁ ଶବ୍ଦମାନ ଶେଷଥର ପାଇଁ ଯେମିତି ଆସୁଥିଲା । ସେ କିଛି ଶୁଣିବାକୁ ଚାହୁଁଛି ପାଖର ଭାବୁଥିବା ମଣିଷ ପାଖରୁ । ହୁଏତ ସେ ମିଛ କହିପାରେ । କିନ୍ତୁ କିଛି କହିଲେ ମନ ଶାନ୍ତ ତ ହେବ ।

ପ୍ରକୃତ ମନେ ରଖିବାଟା ତ ହୃଦୟରେ । ବାହାର ଦୁନିଆକୁ ଦେଖାଇବା ପାଇଁ କିଛି ମଲା ଲୋକଙ୍କ ପାଇଁ ସ୍ମୃତି ଫଳକ ତ ତିଆରି ହୁଏ । କିଛି ନା କିଛି ମାଧ୍ୟମରେ ସେମାନଙ୍କ ସ୍ମୃତିକୁ ସାଇତି ରଖାଯାଏ । ସେଇଥିପାଇଁ ତ ସେମାନେ ମରନ୍ତିନି । ତୁମ କଥା ? ସତ କହିବାକୁ ଗଲେ ମୁଁ ଜାଣିନି । ମୋ ହୃଦୟରେ କିନ୍ତୁ ତୁମପାଇଁ, ତୁମର ଚରମ ତ୍ୟାଗ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଅଛି । – ଅବିନାଶ କହିଲା ।

ଯଦିଓ ଅବିନାଶ ତାର ପୁରୁଣା ଖଟିର ଏକ ପ୍ରମୁଖ ସଭ୍ୟ ଆଉ ଅନେକ ବାଦ ବିବାଦରେ ଯୋଗ ଦିଏ, ତଥାପ ସବୁବେଳେ କେବଳ ଯୁକ୍ତି ମାଧ୍ୟମରେ ଉପନୀତ ହେଉଥିବା ଶେଷ କଥାକୁ ଠିକ ମାନେନା । ତାକୁ ଲାଗେ ଏହାପରେ ମଧ୍ୟ କିଛି ଅଛି । କିନ୍ତୁ ସେଇଟା କଣ ସେ ଠିକ ଭାବେ କଳି ପାରେନା । ତା ପାଇଁ ସେମିତି ଛାଇ ଭଳି ମଣିଷ ମାନେ ଯେ ମରି ନାହାନ୍ତି । ଏ କଥାଟା ସେ ହୃଦୟରେ ମାନେ । କିନ୍ତୁ ଅନ୍ୟ ସଭ୍ୟଙ୍କ ପାଇଁ ଛାଇ ଗଲୱାନ ଉପତ୍ୟକାରେ ଶତ୍ରୁ ଆକ୍ରମଣରେ ମରିଯାଇଛି । ଆଉ ତା ଉପରେ ଆଲୋଚନା କରିବାରେ ମୂଲ୍ୟ ନାହିଁ ।

ଲୋକେ ଆମକୁ ସତରେ ମନେ ପକାଇବେ ବୋଲି ତୁମେ ଭାବୁଛ ଅବିନାଶ ?- ଛାଇ ପଚାରିଲା । ଏଇଟା ଥିଲ ଏକ ବଡ ପ୍ରଶ୍ନର ମାଡି ଆସୁଥିବା କୁହୁଡି । ସେ ଭିତରେ ଉତ୍ତର କିଛି ସ୍ପଷ୍ଟ ଦେଖାଯିବନି । ମନ ଭିତରେ ମଧ୍ୟ ସବୁ କେମିତି ଦିନରେ ଅନ୍ଧାର ହୋଇଯିବ ।

ଅବିନାଶ କିଛି କହି ପାରିଲାନି । ତା ଭିତରେ ବହୁତ କିଛି ଆନ୍ଦୋଳିତ ହେଉଥିଲା ।

ଅବିନାଶ, ତୁମେ ଏକ ଛୋଟିଆ ଭିଡିଓ ପଠାଇଥିଲ ଏକ ଶିଖ ଯୁବକର ବଳିଦାନ ଉପରେ । ତୁମ ଖଟିର ଲୋକେ, ତୁମ ସମାଜର ଲୋକେ କେତେ ଭୁଲ ବୁଝିଲେ । ସେଇଟାକୁ ବଳିଦାନ ଭାବିଲେନି । ସେଇ କଥାକୁ ସମାଜର ପରିବର୍ତ୍ତନ ପ୍ରଥମ ସୋପାନ ବୋଲି ଭାବିଲେନି । ସେମାନେ ତାକୁ କାଳ୍ପନିକ ଭାବିଲେ, ତାକୁ ଭାବିଲେ ରାଜନୈତିକ । ତାକୁ ଭାବିଲେ ନିଜର ଗତାନୁଗତିକ ବିଚାରଧାରାର ମୂଲ୍ୟହୀନ ପରିବର୍ତ୍ତନ । ତାକୁ ଭାବିଲେ ଏକ ମୂର୍ଖର ବାଚାଳାମୀ । ଆଉ ସେଇ ସମାଜ ଭିତରେ ତୁମେ ପରିବର୍ତ୍ତନର କଥା ଭାବୁଛ ? ତୁମେ ନଦୀବନ୍ଧରେ ଗଡୁଥିବା ସାଇକେଲ କଥା ଭାବ । ସୁଲୁସୁଲିଆ ପବନରେ ଦିବାସ୍ୱପ୍ନ କଥା ଭାବ । ଗାଁ ଦାଣ୍ଡର ଝିଅଙ୍କର ପୁଚି ଖେଳ କଥା ଭାବିଚାଲ । ଝିଅମାନେ ପରା ତରୁଣୀବେଳେ ସବୁଠାରୁ ସୁନ୍ଦର ଲାଗନ୍ତି । କି ମସୃଣ ସେମାନଙ୍କର ମୁଖମଣ୍ଡଳ । ସେମାନଙ୍କ ହସକଥା ଭାବି ନିଦରେ ଶୋଇଯାଅ । – ଛାଇ କହିଲା ।

ଏଇଟା ସମାଜର ଭୁଲ । ଆମ ଭାବନାର ଭୂଲ । – ଅବିନାଶ ଅଟକି ନପାରି କହିଲା । ସେଇ କଥା ତ ସେ ବେଳେବେଳେ ତା ନିଜ ଖଟିରେ ସାଙ୍ଗମାନଙ୍କୁ କୁହେ ।

ତାହେଲେ ତୁମେ ଆମ ବଳିଦାନ ଆଉ ଭାବନାର ପରିବର୍ତ୍ତନ କଥା ଭାବିଲ କାହିଁକି?- ଛାଇ ପଚାରିଲା ।

କିନ୍ତୁ ତୁମେ କଣ କହୁଛ ମୁଁ ତାହା ଭାବିବିନି । ଆମେ ଭାବିଲେ ସିନା ତୁମର ବଳିଦାନ ଲୋକେ ମନେ ରଖିବେ । ଲୋକେ ଦି କେଇଟାରେ ଭୁଲିଯିବେ, ଏଇଟା ମୁଁ ସହି ପାରିବନି । ମୁଁ ଜାଣେ ତୁମ ପାଇଁ ପରା ରାତିରେ ନିଶ୍ଚିନ୍ତ ନିଦରେ ଶୋଇ ପାରୁଛି ।- ଅବିନାଶ କହିଲା ସାମାନ୍ୟ ରୁଦ୍ଧ ସ୍ୱରରେ । ତା ସ୍ୱରରେ ସେ ଛାଇପାଇଁ ବହୁତ ସମ୍ମାନ ଥିଲା । ଅବଶ୍ୟ ଏବେକାର ସମୟ ପାଇଁ । ଆବେଗରେ ବୋହିଗଲେ ମଣିଷ କଣ ନାହିଁ କଣ ଭାବିନିଏ ଆଉ ନିଜ ଭିତରେ ଏକ ପରିବର୍ତ୍ତନ ଆସିଛି ବୋଲି ଭାବେ । କିନ୍ତୁ ସେଇଟା ସାଧାରଣ ମଣିଷପାଇଁ କେତେ ଘଣ୍ଟାର ଅଭିଜ୍ଞତା ମାତ୍ର । ଅବିନାଶ କିଛି ଭିନ୍ନ ନୁହେଁ ।

ସେଇଟା ତୁମର ଏବେକାରକଳ୍ପନାର ନିଦ । ତୁମେ ଭାବୁଛ ମୁଁ ନଥିଲେ ତୁମର ନିଦ ଭଲ ହେବନାହିଁ । ମୁଁ ଜାଣିଛି ମୋର ମନ ବୁଝାଇବା ପାଇଁ ମିଛରେ କହୁଛ । ମୋତେ ତୁମେ ଆଜିଦିନରେ ସମସ୍ତଙ୍କୁ ଦେଖାଇହେବାପାଇଁ ସମ୍ମାନ ଦେଉଛ । ମୋତେ ଲାଗେ ତୁମେ ପ୍ରକୃତରେ ତୁମର ବର୍ତ୍ତମାନଠାରୁ କେବେଠୁ ପଳାୟନ କରିବାକୁ ଭାବୁଛ ।– ସେ ଛାଇ କହିଲା । ତା ମୁହଁରେ ସାମାନ୍ୟ ହସ ଥିଲା । ଦୁଃଖର ହସ ନିଶ୍ଚିତ । ମଣିଷକୁ ଛାଇ ଏତେ ଦିନ ଦେଖି ଦେଖିଏବେ ଧୂଆଁରେ ପରିଣତ ହୋଇଯାଇଛି । ଏ ଦୁନିଆର ମଣିଷ ଚରିତ୍ରକୁ ଜାଣିବାକୁ ଆଉ କଣ ବାକି ଅଛି ?

ତାହେଲେ ତୁମେ ମୋତେ କଣ ପଳାତକ କହୁଛ ? ତୁମେ ଭାବୁଛ ମୋର ଏକ ସାକାର ଭାବନାରୁ ମୁଁ ପଳାୟନ କରୁଛ ? କି କଥା ତୁମେ କହୁଛ ? ଅପମାନର କଥା ।- ଅବିନାଶ କହିଲା । ତାର ସ୍ୱର ଭାରି ହୋଇ ଆସିଲା ।

ତୁମକୁ ପଳାତକ କହୁନି, ତୁମେ ପ୍ରକୃତରେ ଅନ୍ୟମାନଙ୍କ ସହ ପଳାୟନ ପନ୍ଥୀ ହେବାକୁ ଚାହୁଁଛ । ସତରେ ତୁମ ମନ ଭିତରେ ତୁମକୁ ଦୌଡି ପଳାଇବାକୁ କିଏ କହୁଥିବ । ତୁମେ ତ କିଛି ଭିନ୍ନ ନୁହଁ ।- ସେ ଛାଇ କହିଲା ।

ଅବିନାଶ କିଛି ନକହିପାରି ନୀରବ ରହିଲା । କଣ ସେ କହିଥାନ୍ତା ? ତାର ଦୁନିଆରେ କେହି ବୀର ଯୁବକମାନଙ୍କ କଥା ନିଜ ପରିଧିରେ ଆଲୋଚନା କରନ୍ତିନି । ସେଇଠି ସେଇ ଗତାନୁଗତିକ ଜୀବନ । ଏକ ଛୋଟ ନଦୀର ସୁଲୁସୁଲିଆ ପବନରେ ଭାସିଯାଉଥିବା ସରଳ ଜୀବନ । କାହାର ପାଟି ଲାଲ ହୋଇଯାଇଥିବ । ସେଇ ବିଷୟରେ ଆଲୋଚନା । ଫର ଫର ଉଡୁଥିବା କାନି ଉପରେ ଆଲୋଚନା । ବିଶାଳ ଗଙ୍ଗା ବା ବ୍ରହ୍ମପୁତ୍ର ନଦୀର ଛୋଟ ଜାହାଜ ବା ଅତି ବଡ ଷ୍ଟିମର ଉପରେ ବୋହୁଥିବା ଆଉ ପବନରେଭାସୁଥିବା ଜୀବନ ଉପରେ ଆଲୋଚନା ନୁହେଁ । ସମୁଦ୍ରରେ କେବେ ଭାସିଥିବା ପୁରୁଣା ବୋଇତର କଥାଟା ନଦୀରେ ଡଙ୍ଗା ଭସାଇବା ପର୍ଯ୍ୟନ୍ତ ଯାଏ । କିନ୍ତୁ ଆଜିର ଯୁଦ୍ଧଜାହାଜ ବା ସୁପର କ୍ୟାରିଅର ଜାହାଜମାନଙ୍କ କଥା ମୋଟେ ପଡେନା । ବୁଡାଜାହାଜ ବା ଉଡାଜାହାଜ କଥା କେହି ସ୍ୱପ୍ନରେ ଭାବନ୍ତିନି । ସେଇ ପୁରୁଣା କଥା- ଅନ୍ଧ ରାଇଜକୁ ଗଲି ଦର୍ପଣ ବିକି ।

ସମାଜ କିନ୍ତୁ ସବୁଯାଗାରେ ସବୁବେଳେ ପଳାୟନ କରେନି ଅବିନାଶ ।- ଛାଇ ପୁଣି କହିଲା ଅତି ଗମ୍ଭୀର କଣ୍ଠରେ । ସେ ଶବ୍ଦ ଆଉ ସବୁ ଶବ୍ଦକୁ ନୀରବ କରିଦେଉଥିଲା । ସବୁକିଛି ସେହି ଶବ୍ଦରେ ପ୍ରକମ୍ପିତ ହେଉଥିଲା । ଅବିନାଶ ପାଖରେ ଆଗକୁ କହିବାପାଇଁ ସେମିତି କିଛି ନଥିଲା ।

ତୁମେ ସେଇ ଶିଖ ଯୁବକ କଥା ଭିଡିଓରେ ଶୁଣିଲ ।- ଛାଇ ପଚାରିଲା ।

ଏକ ସାଧାରଣ ଗାଁର ଯୁବକ ।- ଅବିନାଶ କହିଲା ।

ଅସାଧାରଣ ବୀର ।- ଛାଇ କହିଲା ।

ସାଧାରଣ ଚାଷୀର ପୁଅକୁ ଅସାଧାରଣ ଭାବେ ଏ ଛାଇ ଚିତ୍ରିତ କରୁଛି । ଖଟିରେ ଆଲୋଚନା ହିସାବରେ ଅସାଧାରଣ ଲୋକେ ସମ୍ଭ୍ରାନ୍ତ ପରିବାରରୁ ଆସନ୍ତି । ଅବିନାଶ ମନରେ ତାର ନିତିଦିନିଆ ଯୁକ୍ତି କରିବାପାଇଁ କିଛି ବିଷୟ ଯେମିତି ଉତ୍ଥାପନ ହୋଇଗଲା । ସେ କିଛି ନଭାବି, ସେଇଟା ଯେମିତି ଏଠାକାର ଅଧିକାଂଶ ଲୋକ କିଛି ନଭାବି ଯୁକ୍ତି କରନ୍ତି, ସେମିତି କହିଲା ।

ଗାଁର ଯୁବକମାନେ ମରିବା ପାଇଁ ସୀମାନ୍ତ ଯାଆନ୍ତି ।

ଅବିନାଶ ଭାବୁଥିଲା ପାଖରେ କାମ ମିଳେନି ତ ସେଇଥିପାଇଁ ସୀମାକୁ ଯାଆନ୍ତି । ମାଗଣା ଖାଇବା, ସବୁ ପଇସା ସଂଚୟ । ସେଥିରେ ବଡ କଥା କଣ ରହିଲା? ମରିଗଲେ କିଏ ସେମାନଙ୍କୁ ବୀର କହିଦିଏ । କିନ୍ତୁ ବାହାର କିଏ ଦେଖିଛି ? ଛାଇ ଏ ଭିତରେ ପୁଣି କହିଲା

ସେମାନଙ୍କ ବୀରଗାଥାକୁ କିନ୍ତୁ ସମାଜ ଯୁଗଯୁଗକୁ ମନେ ରଖେ । ସେଇ ବୀରଗାଥାକୁ ନେଇ ତୁମେମାନେ ଡ୍ରଇଂରୁମରେ ଆହ୍ଲାଦିତ ହୁଅ ।

କାହାଣୀ ଶୁଣିବାକୁ କାହାକୁ ଭଲ ନଲାଗେ । କିଛି ରୋମାଞ୍ଚକର ଲାଗେ ତ ନିଶ୍ଚିତ ।

କାହାର ଜୀବନ ଯିବାରେ ?

ଯୁଦ୍ଧରେ ଜୀବନ ତ ଯିବ ନିଶ୍ଚିତ । ସାଧାରଣ କଥା । ଅସାଧାରଣ ଏଠି ରହିଲା କେଉଁଠି ? ରକ୍ତ ନବୋହିଲେ ରୋମାଞ୍ଚ ଆସିବ କେଉଁଠୁ । ଯୁଦ୍ଧର ସିନ୍ ସବୁ ଦେଖିବାକୁ ମୋତେ ଭଲଲାଗେ । –

ଅବିନାଶ ସ୍ୱରରେ ଯେମିତି ଯୁଦ୍ଧର ରୋମାଞ୍ଚ ଭରିଥିଲା ।

ଅବିନାଶ, ମୋତେ ଲାଗୁଛି ତୁମପାଇଁ ବୀରତ୍ୱ କେବଳ ଚାରିକାନ୍ଥ ଭିତରେ ଆଉ ଚାରି ବାକ୍ୟରେ ତାହେଲେ ସୀମିତ ।- ଛାଇ ଉତ୍ତର ଦେଲା ।

ବୀରଗାଥା ତ କାହାଣୀ ଲେଖିବା ପାଇଁ, କାହାକୁ ଆମୋଦ ଦେବାପାଇଁ । କଣ ବହୁତ ବଡ ଅଛି ସେମାନଙ୍କର ବୀରତ୍ୱରେ?ସେମାନେ ପ୍ରକୃତରେ ମର୍ସିନାରିଜ । କେବଳ ପଇସା ପାଇଁ ଲଢେଇ କରନ୍ତି । ସରକାର ସେମାନଙ୍କୁ ପଇସା ଦେଉଛି । ସେଇଥିପାଇଁ ସେମାନେ ଲଢେଇ କରୁଛନ୍ତି ।- ଅବିନାଶ କହିଲା ।

ଅବିନାଶର ଏମିତି ଯୁକ୍ତି ଛାଇକୁ ବି ଆଶ୍ଚର୍ଯ୍ୟ ଲାଗିବାର କଥା । ଏଇ ଅବିନାଶ କିଛି ସମୟ ପୂର୍ବରୁ ଇମୋସନାଲ ହୋଇ ପରିବର୍ତ୍ତନ କଥା ଭାବୁଥିଲା । ଅନ୍ୟମାନଙ୍କୁ ପଳାୟନପନ୍ଥୀ ଭାବୁଥିଲା । ଯୁକ୍ତି ଭିତରକୁ ଆସିଗଲାପରେ ତା ନିଜ ଭିତରେ ସେ ଯାହା ଆଜି କରୁଛି ତାକୁ ଠିକ୍‌ ଭାବିଲା । ଆଗକୁ ସେ ସମାଜର ସମସ୍ତଙ୍କ ଭଳି ଭାବିବ ।

ଅବିନାଶ, ଅବିନାଶ ତୁମେ କଣ କହୁଛ ? ତୁମେ ଏକଥା କହିବ ବୋଲି ମୁଁ ଭାବୁନଥିଲି । – ଛାଇ କହିଲା ।

ମୋ ଉପରେ ସମାଜର ଛାଇ ତ ପଡିଛି । ଆଉ ତୁମେ ଭାବୁଛ ମୁଁ ମୋ ଛାଇ ବାହାରକୁ ଆସି ନିଃଶ୍ୱାସ ନେଇପାରିବି । କଥାଟା ଅସମ୍ଭବ । ତୁମ ଭଳି ମୁଁ ମୁକ୍ତ ଛାୟା ନୁହେଁ । – ଅବିନାଶ ନିଜର ନଭାବି କହୁଥିବା ଯୁକ୍ତିକୁ ବେଶ ବଳିଷ୍ଠ ଭାବରେ ଉପସ୍ଥାପିତ କଲା । ଏବେ ତାକୁ ନିଜ ପୁରୁଣା ସମାଜ ବଡ ଲାଗୁଥିଲା ।

ଅବିନାଶ ତାହଲେ ଭାବୁଛ ମୁଁ କେବଳ ଦରମା ପାଇ ଜୀବନ ଦେଇଛି । ମୋ ତ୍ୟାଗକୁ ତୁମେ ଏତିକିରେ ସୀମିତ କରୁଛ?- ଛାଇ ପଚାରିଲା କ୍ଷୋଭର ସହ । ଅବିନାଶ ନିଜ ଯୁକ୍ତିର ସ୍ତରକୁ ଏତେ ଶୀଘ୍ର ଏତେ ତଳକୁ ନେଇ ଆସିବ ବୋଲି ସେ ଭାବୁନଥିଲା ।

ଅବଶ୍ୟ ମୁଁ ତାହା କହୁନି । କିନ୍ତୁ ତୁମେ ତୁମ ଚାକିରୀପାଇଁ ଦରମା ତ ପାଇଛ । ସବୁ ଚାକିରୀରେ କିଛି କି ଭଲ କିଛି ଖରାପ ଅଛି । ତୁମ ଚାକିରୀରେ କିଛି ନେଗେଟିଭ ଆସପେକ୍ଟ ଥିଲା ତ ନିଶ୍ଚିତ । ମରିବା ଏକ ରିସ୍କ । ଏଣୁ ତୁମର ତଥାକଥିତ ବୀରତ୍ୱକୁ ମୁଁ ବହୁତ ବଡ ଏବେ ଭାବୁନି ।- ଅବିନାଶତାକୁ ବୁଝେଇଲା ଭଳି କହିଲା ।

ସୈନିକ ଗୁରୁତେଜ ସିଂ କେବଳ ଦରମା ପାଇଁ ମରିବାକୁ ସୀମାନ୍ତ ଯାଇ ନଥିଲା । ସେ ତ୍ୟାଗ ଅଦ୍ଭୂତ । ବୀରତ୍ୱ ଅକଳ୍ପନୀୟ । କଥାଟା ଜାଣିଛ ତ ? ଛାଇ ପଚାରିଲା । ଅବିନାଶର ମୁହଁ ଲମ୍ବା ହୋଇଯାଇଥିଲା ଆଉ ଛାତି ଭିତରକୁ ପବନ ଯିବା ଆସିବା କମି ଯାଇଥିଲା ।

ଅବିନାଶ, ବୀରତ୍ୱର ପରିଧି ତୁମ ଭାବିବାର ସୀମାନ୍ତ ଠାରୁ ଅନେକ ଲମ୍ବିଛି । ଗୁରୁତେଜର କାହାଣୀ ଶୁଣିଲାପରେ ତୁମେ ନିଜର ଭାବନାକୁ ବଦଳାଇ ଦେବ ।-ସେ ଛାଇ କହିଲା ।

ତୁମେ ତାହା କହିପାର । – ଅବିନାଶ କହିଲା ସାଧାରଣ ଭାବେ, ସଂମ୍ପୂର୍ଣ ନିସ୍ପୃହ ହୋଇ ।

କିନ୍ତୁ ଜାଣିରଖ ମୁଁ ମୋ ମତର ପରିବର୍ତ୍ତନ କରିବି ନାହିଁ । ଏଇଟା ମୋର ଜନ୍ମ ଜନ୍ମରୁ ଗ୍ରହଣ କରିଥିବା ମତ । ମୋଟେ କିଛି ପରିବର୍ତ୍ତନ ହେବନି । ତେଣୁ ମୁଁ ମତ ପରିବର୍ତ୍ତନ ନକଲେ ଦୁଃଖ କରିବନି ।- ଅବିନାଶ ମନ ଭିତରେ ନିଜକୁ କହୁଥିଲା ଅତି ଗମ୍ଭୀର ହୋଇ । ତା କଥାରେ ପର୍ବତର ଦୃଢତା ଥିଲା ଭଳି ଲାଗୁଥିଲା । ଛାଇ ଏ କଥା ଶୁଣି ନଥିବ ।

ଅବିନାଶ ବିଛଣାରେ ଗଡ ପଡ ହୋଇ ବା ଡ୍ରଇଂ ରୁମ ଭିତରେ ବସିରହି ତ୍ୟାଗର ମହତ୍ତ୍ୱ ଆଉ ବିଷୟର ଗମ୍ଭୀରତାକୁ ତୁମେ ଠିକ ଭାବେ ଅନୁଭବ କରୁନାହଁ । ବୋହୁଥିବା ପବନକୁ ମଳୟ ପବନର ଏକ ସାଧାରଣ ପ୍ରବାହ ବୋଲି ଭାବୁଛ । କିନ୍ତୁ ଏକ ବାତ୍ୟାର ସ୍ରୋତରେ ସବୁ ବଦଳିଯାଏ ।- ଛାଇ କହିଲା ।

ଅବିନାଶ କିନ୍ତୁ କିଛି କହିଲାନି । ତାର ମୁହଁରେ ମାଂସପେଶୀ ଟିକିଏ କୁଞ୍ଚିତ ହେଲାନି ।

ଫିଲିଙ୍ଗ୍‌ ପାଇଁ ତୁମକୁ ଟିକେ ଭାବିବାକୁ ପଡିବ । ତୁମକୁ ସେ ଚରିତ୍ରମାନଙ୍କ ହିସାବରେ ଭାବିବାକୁ ପଡିବ । – ସେ ଛାଇ କହିଲା ।

ଠିକ୍ ଅଛି । ତୁମେ ଏତେ କହୁଛ ବୋଲି ମୁଁ ସେହି ହିସାବରେ ଭାବିବି । – ଅବିନାଶ କହିଲା ।

ମନେ ପକାଅ ସେଇ କାଳରାତି । ଗଭୀର ବିଶ୍ୱାସଘାତରେ ପୂର୍ଣ ରାତ୍ରି । ଆଗରୁ ତ ଆମେ ଚିନୀ ସୈନିକଙ୍କୁ ବିଶ୍ୱାସ କରୁନଥିଲୁ ।

ଚିନୀମାନେ କେବେ ବିଶ୍ୱାସଯୋଗ୍ୟଥିଲେ ଯେ ? ସେମାନେ ସବୁବେଳେ ଅବିଶ୍ୱାସ ସହ କାମ କରନ୍ତି ।- ଅବିନାଶ କହିଲା ।

ଆଉ ସେଇଟା ଥିଲା ଧୋକା । ଏକ ବହୁତ ବଡ ଧୋକା ।– ସେ ଛାଇ ପ୍ରାୟ ବଡ ପାଟି କରି କହିଲା ।

ତୁମର ବୋକାମୀ କହିପାର । ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ ? ତୁମେମାନେ ମୂର୍ଖ ।- ଅବିନାଶ କହିଲା ଶାନ୍ତଭାବେ ।

ବୋଧହୁଏ ଆମେ ଅଜଣାରେ କିଛି ଭୂଲ କରିଥିଲୁ । କିନ୍ତୁ ସାହାସ ତ ତଥାକଥିତ ବୋକାମୀରୁ ଜନ୍ମ ନିଏ । କଣ କହୁଛ?- ଛାଇ ପଚାରିଲା ।

ଠିକ୍‌ ଅଛି । ତୁମ କଥାରେ ମୁଁ ହଁ ମିଳାଉଛି । ଆଗକୁ କହିଚାଲ ।- ଅବିନାଶ କହିଲା ।

ମୁଁ ପ୍ରଥମେ ତୁମକୁ ଗୁରୁତେଜ ସିଂହ କଥା କହିବି । ପରେ ଅନ୍ୟକଥା, ମୋ କଥା, ବିସ୍ତୃତରେ କହିବି । – ସେ କହିଲା ।

ଠିକ୍‌ ଅଛି ପ୍ରଥମେ ତୁମେ ଭିଡିଓ ହିସାବରେ କହିଚାଲ । କିଛି ବିଶ୍ୱାସ ଯୋଗ୍ୟ ଲାଗିବ । ନହେଲେ ତୁମ କଥାର ପ୍ରମାଣ କଣ ? ତୁମେ ନିଜେ ପାଉଁଶ ହୋଇଯାଇଥିବା ମଣିଷର ଏକ ଛାଇ । – ଅବିନାଶ କହିଲା ।

ମୁଁ ଜାଣେ । – ଛାଇର କଥାରେ ଦୁଃଖ ଭରିଥିଲା ।

ଅବିନାଶ ଭଳି ହଜାର ହଜାର ଲୋକ ତା ରାଜ୍ୟରେ ତା କଥାକୁ ବିଶ୍ୱାସ କରିବେନି । କିନ୍ତୁ ସେ କହିବାକୁ ଚାହିଁଲା । ସବୁ କଥାରେ ସେମାନେ ପ୍ରମାଣ ଖୋଜନ୍ତି । କିଛି ବିଶ୍ୱାସଯୋଗ୍ୟ ପ୍ରମାଣ । ନିଜ ଲୋକଙ୍କୁ ଅବିଶ୍ୱାସ କରିବା, ସନ୍ଦେହ କରିବା ସେମାନଙ୍କର ପ୍ରବୃତ୍ତି ହୋଇଯାଇଛି । ସେମାନେ କେବେ ନିଜର ବୀରକୁ ପଞ୍ଜାବରେ ଦିଆ ଯାଉଥିବା ବୀରର ସମ୍ମାନ ଦିନେ ଦିଦିନ ଛଡା ଅଧିକ ଦିନପାଇଁ ଦେବେନି । ସମ୍ମାନ ଦେବାଭଳି ଏକ ମହାନ କର୍ମକୁ ଅବିନାଶ ଭଳି ଲୋକମାନେ ପ୍ରକୃତରେ ଜାଣି ନାହାନ୍ତି । ସେମାନଙ୍କ ପାଇଁ ସୈନିକର ସବୁଠାରୁ ବଡ ବଳିଦାନ ଆଉ ଏକ ଆକସ୍ମିକ ଦୁର୍ଘଟଣାରେ ସାଧାରଣ ଯାତ୍ରୀର ମୃତ୍ୟୁ, ସବୁ ଏକ । ଅବିନାଶ ଭଳି ବ୍ୟକ୍ତି କେବେ ଏହି ବିଶାଳ ତ୍ୟାଗକୁ ଠିକ ଭାବେ ବୁଝି ପାରିବେନି । ଠିକ ଅଛି ଅବିନାଶର ଇଚ୍ଛା ଅନୁଯାୟୀ ସେହି ଭିଡିଓକୁ ବନେଇ ଚୁନେଇ କହିନେଲେ କ୍ଷତି କଣ ? ହୁଏତ ଅବିନାଶର ମନ ପରିବର୍ତ୍ତନ ହୋଇଯିବ । ସେଇଟା ତ ସେ ଚାହେଁ । ସମସ୍ତେ ତାର ଆତ୍ମଦାହ ବୁଝନ୍ତୁ ।

ତାପରେ ଅବିନାଶ ଆମେ କିଛି ବୁଝିପାରିଲୁନି ।- ଛାଇ କହିଲା ।

କହିଚାଲ । – ଅବିନାଶର ସ୍ୱରରେ ବିରକ୍ତି ଥିଲା । ସାମାନ୍ୟ କଥା କହିବାକୁ ଜଣେ କେତେ ନିଃଶ୍ୱାସ, କେତେ ଦୀର୍ଘଶ୍ୱାସ ନେଉଛି ।

ତାର ନିଶ ମଧ୍ୟ ଭଲକରି ଉଠିନଥିଲା । ମାତ୍ର ୨୩ ବର୍ଷ ବୟସ । –ଛାଇ କହିଲା ।

ତୁମେ ଭିଡିଓ ହିସାବରେ କହୁଛ ତ ।- ଅବିନାଶ ପଚାରିଲା । ତା ସ୍ୱରରେ ସାମାନ୍ୟତମ ଆଗ୍ରହ ନଥିଲା । ଆଖି ଅଧା ବନ୍ଦ ହୋଇଯାଇଥିଲା । ଠିକ୍‌ ଅଛି ସେଇ ଛାଇ ତା କଥା କହୁ । ଏମିତି ଢୁଳେଇ ଢୁଳେଇ ଶୁଣିଲେ ନିଦଟା ଭଲ ପରେ ଆସିବ । ଆଗକୁ ଅଳସୁଆମୀ ଛାଡିଯିବ ।

ପଞ୍ଜାବର ସେଇ ଧୂଳି ଧୂସରିତ ଗାଁ ର ଟୋକା । – ଛାଇ କହିଲା ।

ତାପରେ ।- ଅବିନାଶ କହିଲା । ତା ସ୍ୱରରେ କିଛି ଆଗ୍ରହ ନଥିଲା । ଏକ ମଲା ଲୋକର ମରିବା ବିଷୟରେ କହିବା କଥା ଏତେ ବହ୍ୱାଡମ୍ବରର କଣ ଆବଶ୍ୟକତା ଏ ସୈନ୍ୟମାନେ ତାହେଲେ ଛୋଟ କଥାକୁ ବଡ ଲମ୍ବା କରି କରନ୍ତି ।

ଛାଇ ତ ସତରେ ବେଶ ବନେଇ କହୁଥିଲା । ଅବିନାଶକୁ ଲାଗିଲା ମଝିରେ ଟିକେ କଣ କହିଦେଲେ ଛାଇ ଉତ୍ସାହିତ ହୋଇଯିବ । ସେ ଭାବିଲା ଏକ ଛୋଟ ଗାଁରେ ଘଟଣାଟା ଶେଷରେ ପ୍ରଘଟ ହୋଇଥିବ ? କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟିପଡିଥିବ ଆଉ ଏକ ତୋପ ସଲାମୀ ଦିଆଯାଇଥିବ । କିଛି ୟୁନିଫର୍ମ ପିନ୍ଧିଥିବା ଆର୍ମିର ଲୋକେ ଶବାଧାରକୁ ନେଇ ଆସିଥିବେ । ମନ୍ତ୍ରୀ ଆଉ ଅଫିସରମାନେ ରାସ୍ତାରେ ଶବାଧାରକୁ ଫୁଲଗୋଚ୍ଛାଦେଇ ନମସ୍କାର କରିଥିବେ । ପରିବାରକୁ କିଛି ଟଙ୍କା ମିଳିଯାଇଥିବା ଆଉ ବଡ କଥାଟା କଣ? ଏଇଟା ମରିଯାଇଥିବା ଲୋକଙ୍କ ପାଇଁ ଅତି ସାଧାରଣ ପ୍ରଥା ।

ତୋପ ସଲାମୀ ଆଉ ଯୁଇରେ ନିଆଁ ଲାଗିଲା ପରେ କଥାଟା ଭଲକରି ଜଣା ପଡିଲା । ତାର ସାଙ୍ଗମାନେ କହିଲେ ତାର ବୀରତ୍ୱର କଥା । – ଛାଇ ଏକ ଲମ୍ବା ସମୟ ପାଇଁ ଅଟକି ଗଲା । ତାର ମନ ଭିତରେ ଯେମିତି କିଛି ଗୋଳେଇ ଘାଣ୍ଟି ହେଉଥିଲା । ଅବିନାଶର ନିସ୍ପୃହତା ପାଇଁ ତାକୁ ଦୁଃଖ ଥିଲା । ଅବିନାଶ ଏକ ଅତି ସାଧାରଣ ଲୋକଭଳି ଏକ ବୀରର ଜୀବନକୁ ପଇସାରେ, ସମୟରେ ତୁଳନା କରୁଛି ।

ଏକ ସୁନ୍ଦରୀ ତରୁଣୀର କଥାଟା ହୋଇଥାନ୍ତା । ଅବିନାଶ ଢୁଳେଇ ଢୁଳେଇ ଭାବିଲା । ସେଇ ନଦୀବନ୍ଧରେ ଗଡୁଥିବା ସାଇକେଲର ଜୀବନ । କିଛି ବଡ କାମରେ ମୁଣ୍ଡ ନପୁରାଇ ଫେରିଆସି ସାଇକେଲରେ ଏକ ସୁନ୍ଦରୀ ଝିଅକୁ ବସାଇ ନଦୀ ବନ୍ଧରେ ଯାଉଥିବ । କାଶତଣ୍ଡୀ ଫୁଲ ଦୋଳି ଖେଳୁଥିବ । କଥାରେ ସବୁବେଳେ ସୁନ୍ଦରୀମାନେ ଆସିବା ଦରକାର । ସୁନ୍ଦରୀ ତରୁଣୀର ରୂପର ପସରାରେ କେତେ ଯେ ଖୋଜିବାପାଇଁ ଅଛି । ତାର ଖଣ୍ଡାଧାର ନାକ । ତାର ଗହମ ଭଳି ରଙ୍ଗ । ତାର ତୂଳି କରାଯାଇଥିବା ମୁହଁ । କୁହାଯାଇଛି ଶିଖନୀ ଚିକନୀ । ମାନେ ଶିଖ ଝିଅମାନେ ବେଶ ସୁନ୍ଦର । ସେଇଟା ଅବଶ୍ୟ ଅବିନାଶକୁ ଏକ ହିମାଚଳୀ ସାଙ୍ଗ କହିଥିଲା । ସେ ଚଣ୍ଡିଗଡରେ ପଢୁଥିଲା । ଶିଖ ଝିଅମାନେ ସବୁଠାରୁ ଲାବଣ୍ୟବତୀ ଥିଲେ । ଖାଲସା ଧର୍ମର କୁମାରୀମାନେ ଅତି ଆକର୍ଷଣୀୟା ଲାଗନ୍ତି । ସେମିତି ଏକ ଝିଅର କଥାରୁ ଆରମ୍ଭ ହୋଇଥିଲେ କଥାଟା ଚମତ୍କାର ହୋଇଥାନ୍ତା । କିନ୍ତୁ ଏ ଛାଇଟା ଏକଦମ ଥଣ୍ଡା ହୋଇଯାଇଥିବା, ଖଣ୍ଡ ଖଣ୍ଡ ହୋଇଥିବା ଆଉ ପରେ ସିଲାଇ ହୋଇ ଏକାଠି ହୋଇଥିବା ଶରୀରର କଥା କହିଚାଲୁଛି । ଏମିତିଆ ଖଣ୍ଡ ବିଖଣ୍ଡିତ ଶବର ଆତ୍ମକଥା ଅବିନାଶର ମନରେ କିଛି ତରଙ୍ଗ ଆଣିପାରୁ ନଥିଲା ।

ଅବିନାଶ ତୁମେ ବାସ୍ ଏମିତି ବଢିଆ ମଜାଦାର କଥା ଭାବୁଥାଅ । ଏମିତିଆ ଭାବନା ତୁମକୁ ଶୋଇବାପାଇଁ ବାଧ୍ୟ କରେ ।- ଛାଇ କହିଲା । ସେ ଯେମିତି ଅବିନାଶର ମନ କଥା ଜାଣିପାରୁଥିଲା ।

ଅବିନାଶର ମୁହଁରେ ଫୁଟି ଉଠିଥିବା ହସରୁ ଜଣାଯାଉଥିଲା ଯେ ଅବିନାଶ ମୋଟେ ଛାଇର କଥାକୁ ଭଲଭାବେ ଶୁଣୁନାହିଁ । ଏକ ଥଣ୍ଡା ପଡିଥିବା ଶରୀର କଥା ଭାବି କାହା ମୁହଁରେ ହସ ଫୁଟିପାରେନା । ସେ ତାର ନିଜ ଦୁନିଆରେ ଆଉ କାହା କଥା ଭାବୁଛି । ଆଉ ସେଇଟା ଏକ ସୁନ୍ଦରୀ ତରୁଣୀ ନିଶ୍ଚିତ ଭାବେ ହୋଇଥିବ ।

ଆରେ ତୁମେଏ ଖରାପ ଭାବନା । ସେଇଟା ମୋର ପ୍ରକୃତି । କୁହ ତ ତରୁଣୀ କଥା ନଭାବିଲେ ଏକ ଯୋଦ୍ଧା କଥା ଭାବିବାକୁ ମନ ହେବନି । ଯୁଦ୍ଧ ଆଉ ସୌନ୍ଦର୍ଯ୍ୟ ପାଖାପାଖି ତ ରୁହନ୍ତି । ଅଧିକାଂଶ ଯୁଦ୍ଧ ପଛରେ କେହି ଅସାମାନ୍ୟ ଲାବଣ୍ୟବତୀ ତ ଥାଏ । ତେଣୁ ବୀରତ୍ୱ ପଛରେ କେଉଁ କୁମାରୀର ପ୍ରେରଣା କଥା ଭାବିଲେ କ୍ଷତି କଣ ? ପଞ୍ଜାବର ଝିଅମାନେ ତ ଏମିତି ଅତି ସୁନ୍ଦରୀ ।- ଅବିନାଶ ଛାଇକୁ ବୁଝାଉଥିଲା ।

ଏଇଟା ଅବଶ୍ୟ ଛଳନା ଥିଲା । ସେ ଆଉ କେଉଁ ବୀର କଥା ସତରେ ଭାବୁ ନଥିଲା । ଏକ ବଢିଆ ଘର ଆଉ ଏକ ମଧୁରଭାଷିଣୀ, ସୁନ୍ଦରୀ ପ୍ରେମିକା କଥା ଭାବୁଥିଲା । ଘର ଛାଡି ଅପନ୍ତରାରେ ପଡିବା କଣ ଆବଶ୍ୟକ ? ଆପେ ବଞ୍ଚିଲେ ବାପର ନାମ । ଏମିତି କେଉଁ ଅଜଣା ଦେଶରେ ମରିକରି କି ଲାଭ । ମୁଠାଏ ମାଟି । ମେରି ମିଟି । ଅର୍ଥାତ ମୋର ଜମି । ଏ ଶବ୍ଦଗୁଡା ମୁଣ୍ଡରେ ମସ୍ତବଡ ଠେକା ବାନ୍ଧିଥିବା ପଞ୍ଜାବୀମାନଙ୍କୁ ଭଲ ଲାଗେ । ସେମାନଙ୍କ ମୁଣ୍ଡ ଠେକାତଳେ ସେମିତି ଗରମ ହୋଇଯାଉଥିବ । ନିଜ ମରିବା ପାଇଁ ଛଅ ହାତ ମାଟି ଦରକାର । ସେଥିରେ ସାମାନ୍ୟ ଶୁଖିଲା ଭୂମି ପାଇଁ କି ଲଢେଇ ଆବଶ୍ୟକ ?ଏମିତିକିଆ ବୀରମାନଙ୍କ କାହାଣୀ ଶୁଣିବା କଣ ଆବଶ୍ୟକ ?ସୁନ୍ଦରୀ ତରୁଣୀର କଳ୍ପନାରେ, ତାର ନରମ ବାହୁର ବନ୍ଧନରେ, ତାର ଚୁମ୍ବନର ଆଶ୍ୱାସନାରେ, ତାର ନିଶ୍ୱାସର ମହକରେ, ତାର ଚଞ୍ଚଳ ହୃଦୟର ନଦୀରେ ଭାସିଯିବା ବେଶି ଭଲ ବୋଲି ଅବିନାଶ ଭାବିଲା । କିନ୍ତୁ ସେ ଏକଥା ମୁହଁରେ କହିଲାନି । ଏ ନିର୍ଜ୍ଜୀବ ଛାଇଟା ସେମିତି ତା ଭିତରେ ଘାଣ୍ଟିହେଉଥିବା କଥା କହିଚାଲୁ । କଥା ଭିତରେ ତା ଭିତରୁ ସେ ବହୁତ ମନଲାଗୁଥିବା ମଜା ମଜା କଥା ବାହାର କରି ଆଣିବ । ଯେମିତି ଶିଖନୀ ଚିକନୀ । ସୁନ୍ଦରୀ ଶିଖ ଝିଅମାନଙ୍କ କଥା । ଫିଲ୍ମ ଜଗତରେ ପ7888ନଦୀର ଦେଶରୁ ଅପସରାମାନେ ଆସିଛନ୍ତି । ତା ଦେଶରୁ କେତେ ସୁନ୍ଦରୀ ବଲିଉଡ ଯାଇଛନ୍ତି ଯେ ? ତେଣୁ ଏମିତି କଥାରୁ ସେ ସୁନ୍ଦରୀ ଶିଖ ଲଳନାମାନଙ୍କ କଥା ଭାବିବ । ସବୁ କଥାରେ ହଁ ରେ ହଁ ମିଳେଇବ ।

ଛାଇ ଅବିନାଶର ମୁହଁରେ ସାମାନ୍ୟ ରକ୍ତର ପ୍ରବାହ ଦେଖିନେଲା । ଅବିନାଶକୁ ବୋଧହୁଏ ବୀରମାନଙ୍କର ଗାଥା ଭଲଲାଗିଲାଣି । ସେଇଟା ସେ ଭାବୁଥିଲା । ଅବିନାଶ ଯେ କେବଳ ଝିଅମାନଙ୍କ କଥା ଭାବୁଛି ସେ କଥା ମୋଟେ ଠଉରାଇପାରିଲାନି ।

ସେମାନେ ଅନେକ ଥିଲେ । କଲୋନେଲ ସୁରେଶ ବାବୁଙ୍କର ଦେହାନ୍ତ ପରେ ସବୁ କିଛି ଅଣାୟତ ହୋଇଗଲା । ସେତେବେଳର କାହାଣୀ ମୁଁ ଅବଶ୍ୟ ତୁମକୁ ପରେ କହିବି । ସେ କାହାଣୀ ସହ ମୋର କଥା ଯୋଡାଯାଇଛି । ଏବେ କେବଳ ତୁମେ ଏ ଭିଡିଓର କାହଣୀ ଶୁଣିନିଅ ।

ସିପାହୀ ଗୁରୁତେଜ ସିଂହ – ୬ ଶିଖ ରେଜିମେଣ୍ଟ୍‌ର ଘାତକ ପ୍ଲାଟୁନର ସୈନିକ । ଘାତକ ପ୍ଲାଟୁନର ସୈନ୍ୟମାନେ ସବୁଠାରୁ ଦୁର୍ଦ୍ଧାନ୍ତ ଯୋଦ୍ଧା । ସେମାନେ ଫିନିଶର । ଅତି କୁଶଳୀ ଯୋଦ୍ଧା ।
ଅବିନାଶକୁ ଅବଶ୍ୟ ଫିଲ୍ମରେ ଥ୍ରୀଲ ଭଲ ଲାଗେ । ଘାତକ ପ୍ଲାଟୁନ କଥା ଶୁଣି ତାର ଆଖି ଟିକେ ଖୋଲିଗଲା । କିଛି ବର୍ଷତଳେ ଅନ୍ୟବିହାର ରେଜିମେଣ୍ଟ୍‌ର ଏକ ଘାତକ ପ୍ଲାଟୁନର ସୈନ୍ୟମାନେ ତ ପାକିସ୍ଥାନରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲେ । ସେମାନେ ପାକିସ୍ତାନ ଭିତରକୁ ଯାଇ ଆତଙ୍କବାଦୀମାନଙ୍କୁ ମୃତ୍ୟୁ ମୁଖରେ ପକାଇଥିଲେ । ସେହି ଦୁର୍ଦ୍ଧାନ୍ତ ଆତଙ୍କବାଦୀମାନେ ଆଗରୁ କେତେ ନରସଂହାର କରିଥିଲେ, କେତେ କ୍ରୂରତା ଦେଖାଇଥିଲେ । ସେମାନଙ୍କୁ ନିଜ ଘର ଭିତରେ କୁକୁର ଭଳି ମାରି ଦିଆ ଯାଇଥିଲା । ସେମାନଙ୍କ ବୀରତ୍ୱ ଉପରେ ଉରି ଫିଲ୍ମ ମଧ୍ୟ ତିଆରି ହୋଇଛି । ତେଣୁ ଏମାନେ ଆସିଲେ ଯୁଦ୍ଧର ଗତି ବଦଳିଯାଏ । କିଛି ଇନ୍ଟରେଷ୍ଟ୍ରିଙ୍ଗ ଘଟଣା । କିଛି ଫାଷ୍ଟ ଫରଫ୍ୱାର୍ଡ ଘଟଣାମାନ ଘଟିବ । ଏକ ରିଅଲ ଥ୍ରୀଲ, ପୁଣି ଏକ ନିଜ ଆଖିରେ ଦେଖିଥିବା ଲୋକ ମୁହଁରୁ । ସେଥିରେ ଶିହରଣ ତ ରହିବ । ମନରେ, ଶରୀରରେ ରୋମାଞ୍ଚ ରହିଲେ ସବୁ ଭଲଲାଗେ । ଲାଗେ ଯେମିତି ଏକ ଗଛ ତଳେ ସାଙ୍ଗମାନଙ୍କ ସାଙ୍ଗରେ ହୁସ୍କି ବୋତଲ ଧରି ବସିଯାଇଛି ଆଉ କଥା ସବୁ ଅସଙ୍ଗତ ହୋଇଯାଉଛି କିନ୍ତୁ ମନ ଏକଦମ ଠିକ୍‌ ଅଛି । ସୈନ୍ୟମାନଙ୍କ ଜୀବନ ମସ୍ତ । ମଦ ତ ରେସନରେ ଫ୍ରି ରେ ମିଳେ ।

ଗୁରୁତେଜକୁ ଚାରିଜଣ ଚିନୀ ସୈନିକଘେରିନେଇଥିଲେ ।– ଛାଇ କହି ରହିଗଲା ।

ଅବିନାଶ ଭାବିଲା ଚାରିଜଣ ହାତ ଗୋଡକୁ ଧରିନେଲେ ଜଣେ ହଲିବ କେମିତି ? ଜଣେ ହତ୍ୟାକାରୀ ଛାତିକୁ ଏକ ବଡ ଖଣ୍ଡାରେ ଭୁସି ଠିକ୍‌ ହୃତପିଣ୍ଡକୁ କଣା କରିଦେବ ଆଉ ପିଚ୍‌ପିଚ୍‌ କରି ରକ୍ତ ବାହାରି ଆସିବ । ନହେଲେ ଏକ କଣ୍ଟା ଲାଗିଥିବା ଗଦା ପାହାରରେ ନିଶ୍ଚିତ ମୃତ୍ୟୁ । ଅତି କୁଶଳୀ ହୋଇଥିଲେ ଟିକିଏ ବୁଲିଯାଇ ଜଣେ, ଦୁଇଜଣ ସହ ନଦୀକୁ ଡେଇଁ ପଡିବା ସେଇଠି ସମସ୍ତଙ୍କର ମୃତ୍ୟ ଘଟିବ । ନିଜେ ମରିବ କିନ୍ତୁ ମରିବା ସହ କେତେଜଣ ସେବାକାରୀଙ୍କୁ ନେଇ ବୀରଗତି ପ୍ରାପ୍ତ ହେବ । ସେଇଟା ସୁପରମ୍ୟାନର କଥା । ସାଧାରଣ ଗାଉଁଲୀ ଯୁବକ ସୁପରମ୍ୟାନ ହେବ ! କଥାଟା କେମିତି ଲାଗୁଥିଲା ।

ତୁମେ ଭାବୁଥିବା ହିସାବରେ ଘଟଣା ଘଟିଲାନି । ଗୁରୁତେଜ ଖାଇକୁ ଖସିଗଲା । ନିଜକୁ ଅଫ ବାଲାନ୍ସ କରିଦେବା ଫଳରେ ଚାରିଜଣ ଚିନୀଙ୍କ ସହ ସେ ନଦୀକୁ ଖସିଗଲା । ଚିନି ନଦୀକୁ ଖସିଗଲେ । କିନ୍ତୁ ସେ ଏକ ପଥରକୁ ଧରି ରହିଗଲା । –ଛାଇ କହିଲା ।

ବଡ ଓସ୍ତାଦ୍‌ ତ । – ଅବିନାଶ ମନକୁ ମନ କହି ଉଠିଲା । ତା ଆଗରେ ଘାତକ ପ୍ଲାଟୁନର ଆକ୍ସନରଏକ ଚମତ୍କାର ଦୃଶ୍ୟ ଅଭିନୀତ ହେଉଛି ଯେମିତି । ତାକୁ ଫାଇଟିଙ୍ଗ୍‌ ସିନ୍‌ମାନ ଭଲ ଲାଗେ । ଜଣେ କେତେଜଣଙ୍କୁ ମାରି ମରିଯାଏ । ସବୁଆଡେ ତାଜା ଲାଲ ରକ୍ତ ଛିଟିକି ପଡିଥାଏ । ସେତେବେଳେ ଟିଭି ସ୍କ୍ରିନରେ ବୀରତ୍ୱ ଦେଖିବାକୁ ମଜାଲାଗେ । ଛେଳିକୁ କାଠଛକୀ ବଳୀବେଦୀରେ ବଳୀ ଦେଖିବାରେ କି ମଜା ଲାଗିବ ? ବେକ କଟିଯିବ, ଜଣଙ୍କର କୁଠାର ଲାଲ ହୋଇଯିବ କିନ୍ତୁ ସେଇଥିରେ ମୋଟେ ଥ୍ରୀଲ ନାହିଁ ।

ସେ ଉପରକୁ ଉଠିଆସିଲା । ଅତି କୁଶଳତାର ସହ ସାତ ଜଣଙ୍କୁ ନିଜର କୃପାଣ ଆଉ କିଛି ବଡ ଛୁରୀରେ ବଧ କଲା । – ଛାଇ ପୁଣି କହି ଅବିନାଶ ଆଡକୁ ଅନାଇଲା ।

ଆକ୍ସନ ଫିଲ୍ମର କଥା ଭଳି ଘଟଣାମାନ ଥିଲା । ତେଣୁ ଅବିନାଶ ନିଜ ଭିତରେ ପରିବର୍ତ୍ତନ ଅନୁଭବ କରୁଥିଲା । ତାକୁ ଲାଗିଲା ସେ ଯେମିତି ସେହି ଅନ୍ଧାରରେ ଠିଆ ହୋଇଛି । ସବୁକିଛି ତା ଚାରିପାଖରେ ଘଟିଯାଉଛି । ମୁହଁକୁ ମୁହଁ ନଦିଶୁଥିବା ଅନ୍ଧାର । ତା ଭିତରେ ସୈନ୍ୟମାନେ ଏକ ତୀଖ ପାହାଡରେ ଲଢାଇ କରୁଛନ୍ତି । ଗୋଡ ରଖିବାକୁ ଯାଗା ନାହିଁ । ସେ ଭିତରେ ଘମାଘୋଟ ଲଢେଇ ଚାଲିଛି । ପ୍ରବଳ ଶୀତରେ ଦେହ ଥରି ଯାଉଛି । ତଳ ଦେଖାଯାଉନି । କିନ୍ତୁ ପ୍ରାଣକୁ ବାଜି ଲଗାଇ ଲଢେଇ ଚାଲିଛି ।

ତାପରେ? – ଅବିନାଶ ପଚାରିଲା । ସେ ବିଛଣାରୁ ଉଠି ପଡିଥିଲା । ରୋମାଞ୍ଚଭରା ବର୍ଣ୍ଣନାରେ ସେ ନିଜ ଭିତରେ ଗରମ ରକ୍ତର ପ୍ରବାହ ଅନୁଭବ କରୁଥିଲା । ଏକ ତରଳ ଲାଭାର ପ୍ରବାହ ଦେହରେ ବୋହି ଯାଉଛି । ସେ ନିଜେ ଯେମିତି ଲଢେଇର ଏକ ପାତ୍ର ହୋଇଯାଉଛି । କିଛି ଅଟକି ଗଲେ ମନ ମାନୁନି । ଆଉ କିଛି କରିବାକୁ ମନ ଦୌଡୁଛି । ସେ ଯେମିତି ଘାତକ ପ୍ଲାଟୁନର ସବୁଠାରୁ କୁଶଳୀ ଯୋଦ୍ଧା ।

ଏବେ ଛାଇ ଜୋର୍‌ରେ ହସିଲା । ଅବିନାଶର ନିସ୍ପୃହତାର ନିଶା ତାହେଲେ ଛାଡିଗଲାଣି । ପ୍ରଥମରୁ ଅବିନାଶର କଥାସବୁ କେତେ ବେଢଙ୍ଗିଆ ଥିଲା । ଏମିତି କଥାରେ ତାର ମନ ଭାଙ୍ଗିଯାଉଥିଲା । ଏକ ପଥର ଆଗରେ ଗପିବା ଭଳି ଲାଗୁଥିଲା । କିଛି ଲାଭ ନାହିଁ । ଅବିନାଶର ଏ ପରିବର୍ତ୍ତନ ସେ ଭାବିପାରୁନଥିଲା ।

ଅବିନାଶ । ତୁମେ ତାହେଲେ ଆଉ କଣ ଜାଣିବାକୁ ଚାହୁଁଛ ?- ଛାଇ ଜାଣିକରି କହିଲା । କିନ୍ତୁ ଅବିନାଶକୁ ପ୍ରଥମ ନିସ୍ପୃହତା ବିଷୟରେ ଇଙ୍ଗିତଦେବା ଦରକାର ଥିଲା । ତା ସମାଜ କିପରି ଭିଡିଓକୁ ବେକାର, ରାଜନୈତିକ, ସାମାଜିକ ଇତ୍ୟାଦି କଣ କଣ ଭାବରେ ଚିତ୍ରିତ କରିଥିଲା । ସେତେବେଳେ ବଡ ଖରାପ ଲାଗିଥିଲା । ଅବିନାଶ ନିଜ ମୁଣ୍ଡକୁ ଜୋରରେ ହଲାଇଲା । ସେ କିଛି ଶୁଣିବାକୁ ଚାହୁଁନି । ଶତ୍ରୁକୁ ବଧ ନକଲା ଯାଏଁ ସେ ମୋଟେ ବସିବନି । ଘାତକ ପ୍ଲାଟୁନର ସବୁଠାରୁ କୌଶଳୀ ଯୋଦ୍ଧା ଶତ୍ରୁକୁ ନର୍କରେ ପହୁଁଚାଇ ନିଶ୍ୱାସ ନେବ । ଛାଇ ଅବିନାଶର ମୁହଁରେ ଅଭିନୀତ ହେଉଥିବା ଯୁଦ୍ଧକୁ ଦେଖିପାରୁଥିଲା ।

ଅବିନାଶ । ଅତି ସୁକୌଶଳୀ ଯୋଦ୍ଧା ସବୁବେଳେ ବଞ୍ଚିପାରେନି । ରହିଯାଏ ତାର ବୀରତ୍ୱର ଗାଥା ।

ପବନରେ ଭାସିଯିବ ତାର ବୀରତ୍ୱର କଥା ତାର ସେହି ଗାଁକୁ ।- ଦୁଃଖରେ ଛାଇ କହି ରହିଗଲା । ଅବିନାଶ ବହୁତ ଜୋରରେ ମୁଣ୍ଡ ହଲାଇଲା । ତାକୁ ପ୍ରକୃତିସ୍ଥ ହେବାକୁ ସମୟ ଲାଗିଲା । ସେ ଛାଇର ଶେଷ କଥାରେ ଯେମିତି ହୋସ ଫେରି ପାଉଥିଲା ।

ବଡ ଦୁଃଖର କଥା । ସତ କହିବାକୁ ଗଲେ ମୁଁ ତାକୁ ବଞ୍ଚାଇବାକୁ ଚାହୁଁଥିଲି ।- ଅବିନାଶ କହିଲା । ତା ଆଖିରେ ଲୁହ ଭରି ଯାଇଥିଲା । ସ୍ୱର ଗାଁ ପଛପଟ ବିଲର କେଉଁ ଅଜଣା ଗହୀରରୁ ଭାସିଆସୁଥିଲାଭଳି ଲାଗୁଥିଲା ।

ଅବିନାଶ ତୁମ ହିସାବରେ ତ ସେ ବଞ୍ଚିବ । – ଛାଇ କହିଲା ।

ମିଛ ଆଶା ଦିଅନି । ସେମିତିଆ ଥଣ୍ଡାରେ କିଏ ବଞ୍ଚିପାରିବନି । ପାଣିରେ ବରଫ ହୋଇଯିବେ । ହାଇପୋଥର୍ମିଆରେ ମୃତ୍ୟୁ ।- ଅବିନାଶ କହିଲା ।

ତାର ମୃତ୍ୟୁ ପଛରୁ ବଡ ଛୁରୀର ଆଘାତରେ ହେଲା । ଆଗରୁ କେହି ସାହାସ କରି ତାକୁ ଆକ୍ରମଣ କରିପାରିଲେନି । ସେ ବୀରଗତି ପ୍ରାପ୍ତ ହେଲା । –ଛାଇ ନିଜ ଆବେଗକୁ ଅଟାକାଇ ସାଧାରଣ ସ୍ୱରରେ କହିଲା । ଆର୍ମିର ଲୋକମାନେ ସାଥି ମରିଯିବାରେ ନିଜର ବିଚଳିତ ଭାବକୁ ସହଜରେ ପ୍ରକାଶିତ କରନ୍ତିନି । ନିଜ ମନ ଭିତରେ ସବୁକିଛି ଭାଙ୍ଗି ଯାଇଥିବ କିନ୍ତୁ ମୁହଁରେ ମନର ଭାବନା ସେମାନଙ୍କୁ ଶୋଭା ପାଏନା । ଆଖିରେ କିନ୍ତୁ ନରକର ଅଗ୍ନି ଦେଖାଯାଉଥାଏ । ପ୍ରତିଶୋଧ, ପ୍ରତିଶୋଧ- କିଏ ଯେମିତି କହୁଥାଏ । ସେଇଟା ଅବିନାଶ କିନ୍ତୁ ଲକ୍ଷ୍ୟ କରିପାରିଲାନି ।

ତାର ମରିବା କଥା କୁହନି । – ଅବିନାଶ କଣ୍ଠରେ ଦୁଃଖ ଫୁଟି ଉଠୁଥିଲା । ସେ ସତରେ ବହୁତ ଦୁଃଖ କରୁଥିଲା ।

ତୁମର ପ୍ରଥମର ସେହି ଭାବିବାର କଥା । – ଛାଇ ଟିକେ ହସିକରି କହିଲା ।

କଣ କହୁଛ ? ମୁଁ କଣ ଭାବୁଥିଲି କି ?

ଶିଖନୀ ଚିକନୀ –ଶିଖ ଝିଅମାନେ ଅପୂର୍ବ ସୁନ୍ଦରୀ ।

ମୋତେ ଆଉ ଲଜ୍ଜିତ କରାଅନି ।

କେଉଁ ଏକ ସୁନ୍ଦରୀ, ତରୁଣୀ ଶିଖ୍‌ ଝିଅ ଏକୁଟିଆ ହୋଇଗଲା ଚିରଦିନ ପାଇଁ । ଗହମର କ୍ଷେତରେ, ସୋରିଷର କ୍ଷେତରେ ସେ ଏକୁଟିଆ ଘୁରିବୁଲୁଥିବା ଏତେ ଏତେ ଫୁଲ । କିନ୍ତୁ କଥା ହେବାପାଇଁ କେହି ନଥିବା । ତୁମେ କଥା ହେବ ? ତୁମେ ତାର ସାଥି ହେବ ?

ଦୟାକରି ମୋତେ ଆଉ ନିନ୍ଦା ଦିଅନି ।

ସେଇ ନବ ତରୁଣୀର ଗୀତ ଶୁଣୁଥିବ ସମସ୍ତଙ୍କ ଅଗୋଚରରୋ ସେଇ ଟୋକା ଗାଇଥିବା ଗୀତ । ସେମାନଙ୍କ ବୀରଗାଥାପାଇଁ ତ ପଞ୍ଜାବର ବିଲମାନଙ୍କରେ ଏତେ ସୋରିଷ ଫୁଲ ଫୁଟିଛି । ତାର ଆଖିରୁ ଝରିପଡିଥିବ କେଇ ବିନ୍ଦୁ ଲୁହ । କେହି ଦେଖି ନଥିବେ ।

ଅବିନାଶ । କେଇ ମୁଠା ଶୁଖିଲା ମାଟିପାଇଁ ଏକ ତରୁଣ ଏକ ସୁନ୍ଦରୀ ନରମ ତରୁଣୀ, ଏକ ଅପସରାକୁ ଛାଡି କେଉଁ ଅଜଣା ରାଜ୍ୟରେ ମୂର୍ଖ ଭଳି ଜୀବନ ଦେଇଦେଲା । ଅବିନାଶ କଣ କହୁଛ?

ମୋତେ ଆଉ କିଛି ପଚାରନି । ଦୟାକରି ମୋତେ ଆଉ କିଛି ପଚାରନି ।- ଅବିନାଶ କହିଲା ।

ଅବିନାଶ ତାପରେ ଏକ ଲମ୍ବା ନିଃଶ୍ୱାସ ନେଲା । ଆକ୍ସନ ଫିଲ୍ମ ଦେଖିଲେ ସବୁବେଳେ ସେ ଫିଲ୍ମର ହିରୋ ଭଳି ବ୍ୟବହାର କରେ । ତା କାନରେ ଆଉ ବେଶି କଥା ପଶେନା । ମୁଣ୍ଡରୁ ସବୁ ଚିନ୍ତା ବାହାରିଯାଏ । ଏଣୁ ତାକୁ ପୁରା ଲାଗିଲା ସେ ଯେମିତି ଘାତକ ପ୍ଲାଟୁନର ସିପାହୀ ଗୁରୁତେଜ । ତା ଦେହରେ ଏକ ଲମ୍ବା ଖଣ୍ଡା କିଏ ଭୁସି ଦେଇଛି । ଦେହରୁ ଝର ଝର ହୋଇ ରକ୍ତ ବୋହି ଯାଉଛି । ତାର ଶରୀର ତଳେ ଲୋଟି ଯାଉଛି । ସେ ଶେଷ ମୁହୂର୍ତ୍ତରେ ମୁଠାଏ ମାଟି ହାତରେ ନେଉଛି । ତେରି ମିଟି । ଏ ମୋର ମାଟି କହି ପାଣିକୁ ଫୋପାଡି ଦେଉଛି । ଏ ମାଟି କେହି ନେଇପାରବେନି । ତାର ଶରୀର ମାଟିରେ ଲୋଟିଯାଉଛି । ସେ ଏକ ଲମ୍ବା ନିଃଶ୍ୱାସ ନେଲା । ବହୁତ ଲମ୍ବା ନିଃଶ୍ୱାସ ନେଲା । ତାର ଖର ନିଃଶ୍ୱାସରେ କୋଠରୀଟା ଥର ଥର ହୋଇ କମ୍ପି ଉଠିଲା ।

ତା’ପରେ

ଲୋକପ୍ରିୟ ଲେଖା

To Top