ଉପନ୍ୟାସ

ମୁଠାଏ ମାଟି

Ashok Biswal's Odia Novel Muthae Maati

ମରଣର ଆର୍ତ୍ତନାଦ ସବୁକିଛି ଚିରି ଦେଉନି । ତୁମ ଚାରିପାଖେ କୁମ୍ଭାର ଘର ନିଆଁ ଜଳୁନି । ତୁମ ଘର ଭିତରକୁ ତୋପର ଗୋଳା କାନ୍ଥ ଭାଙ୍ଗି ପଶି ଆସୁନି । ତୁମପାଇଁ କିଛି ଅନିଶ୍ଚିତତା ନାହିଁ । ସାମାନ୍ୟ କିଛି ମନୋମାଳିନ୍ୟ କେଉଁଠି ଥାଇପାରେ ।

ମୁଠାଏ ମାଟି

-: ପୂର୍ବରୁ :-

ଅବିନାଶ ପ୍ରଥମେ ଭିଡିମୋଡି ହେଲା । ତାର ସବୁ ଅଙ୍ଗରେ ଅପରିସୀମ ଶକ୍ତ ଠୁଳ ହୋଇଗଲା ଭଳି ତାକୁ ଲାଗୁଥିଲା । ଏକ ବୀର ସର୍ଦ୍ଧାର୍‌ର ତେଜ ଯେମିତି ତା ଦେହରେ ଥିଲା । ସେ ଏକ ଲମ୍ବା କୁଦା ମାରିଲା । ତାକୁ ଲାଗିଲା ତା ଶରୀର ଯେମିତି ପବନରେ ଭାସି ଯାଉଛି । ତଳେ ଚଟାଣରେ ପଡୁ ପଡୁ ଟାଇଲ ଲାଗିଥିବା ଚଟାଣକୁ ଜୋରରେ ମୁଥ ମାରିଲା । ଚଟାଣରେ କିଛିଟା ଲମ୍ବା କ୍ରାକ୍‌ ହୋଇଗଲା । କିନ୍ତୁ ତାକୁ କିଛି ଲାଗିଲାନି । ସେ ପୁଣି ଏକ କୁଦାମାରି ଟେବୁଲ ପାଖରେ ପହଞ୍ଚିଗଲା ଆଉ ଏକ ଜୋର ଗୋଇଠା ପ୍ଲାଷ୍ଟିକ୍‌ ଚେଆରକୁ ମାରିଲା । ଚେଆରର ଗୋଟାଏ ଗୋଡ ଭାଙ୍ଗିଗଲା । ଏମିତି ସେ ଦଶ କୁଦା ଏଣେ ତେଣେ ମାରି କେତେବେଳେ କାନ୍ଥକୁ ତ କେତେବେଳେ ଚଟାଣକୁ ଗୋଇଠା ବିଧା ଇତ୍ୟାଦି ମାରି ଚାଲିଲା । ଘରେ ସବୁ କିଛି ଏଣେତେଣେ ଛିଟିକି ପଡିଲା । ସେ ତା ଆଗରେ ଠିଆ ହୋଇଥିବା ସବୁ ଶତ୍ରୁଙ୍କୁ ସେ ଯେମିତି ହାତ, ଗୋଡ ଦ୍ୱାରା ବଧ କରୁଥିଲା । ତା ଦେହ ଥର ଥର ହୋଇ କମ୍ପୁଥିଲା । କେବଳ କଥା ଶୁଣି ଏତେ ରୋମାଞ୍ଚ ଆସିପାରେ, ଏତେ ଶକ୍ତି ଆସିପାରେ ତାହା କେମିତି ବିଶ୍ୱାସ କରି ହେଉନଥିଲା । ତା ନିଃଶ୍ୱାସ ବେଶ ଖର ହୋଇଯାଇଥିଲା ।

ଯୁଦ୍ଧ ତ ଏକ୍ସଟ୍ରିମ ଥ୍ରୀଲ୍‌ । ଶେଜରେ ପଡିଥିବା ଶିଥିଳ ଏକ ଦେହରେ ଥରୁଥିବା ବଡ ଶିହରଣ । କଣ କହୁଛ ? ଦେହରେ ଶକ୍ତି ଭରିଦିଏ । ତାପରେ ଅବିଶ୍ୱାସନୀୟ ଘଟଣାମାନ ଘଟିଯାଏ । – ଛାଇ ମଣିଷ ହସିକରି କହିଲା । ତା ଆଖି ଏଣେତେଣେ ଛିଟିକି ପଡିଥିବା ଜିନିଷ ଉପରେ ଘୁରିଯାଉଥିଲା ।

ସେ ଅବିନାଶର ନିଜକୁ ଏମିତିଆ ନିଦରୁ ଉଠି ଥର ଥର ହୋଇ କମ୍ପିବା ମୋଟେ ଆଶା କରୁନଥିଲା । ତାପରେ କୁଦିବା, ଗୋଇଠା, ବିଧା ମାରିବା ସବୁ କେମିତି ବିଶ୍ୱାସର ବାହାରେ ଥିଲା । ତା ଭଳି ଲୋକମାନେ କେବଳ ଶୋଇ ରହି ବାତ୍ୟା, ସବୁ ବଢିକୁ ନିଜ ଉପରେ ବୋହି ଯିବାକୁ ଦିଅନ୍ତି ବୋଲି ଭାବୁଥିଲା । ଜୀବନ ରହୁ, ଦିନ ବୋହିଯାଉ । ଜୀବ ଥିଲେ ସିନା କଣ କରିପାରିବ । ତଥାପି ନିଜର ଏତେ ଦିନର ବାସ୍ତବ ଅଭିଜ୍ଞତା ସତ୍ତ୍ୱେ ଅବିନାଶ କିଛି ଶୁଣି ତ ଏକ ପାତ୍ର ଭଳି ଅଭିନୟ କରିବାକୁ ଯେମିତି ପ୍ରସ୍ତୁତ ହୋଇଯାଉଛି । ଏମିତିଆ ଲୋକମାନେ ସବୁବେଳେ ଛୁଆ ହୋଇଥାନ୍ତି । କିଛି ନୂଆ ଜିନିଷ ଦେଖିଲେ ଚମକ୍ରୃତ ହୋଇଯାଆନ୍ତି । କିଛି ନୂଆ ହିସାବରେ କଥାକୁ ବର୍ଣ୍ଣନା କରନ୍ତି । କିନ୍ତୁ ଅଭିଜ୍ଞତାଟା କେମିତି ହେଲା ବା ଏହା ପଛରେ କଣ କାରଣ ଅଛି ମୋଟେ ଭାବନ୍ତିନି । ଜୀବନକୁ ବଢି ପାଣିରେ ଭାସି ଯିବାକୁ ଦିଅନ୍ତି । ଅତି ସାଧାରଣ ମଣିଷର ଜୀବନ ।

ମୁଁ ମୋ ଦେହରେ କିଛି ପରିବର୍ତ୍ତନ ଅନୁଭବ କରୁଛି । ଏଇଟା କେମିତି ହେଲା ?- ଅବିନାଶର ସ୍ୱର ଥରି ଯାଉଥିଲା ।

ଅବିନାଶ ତୁମର ଶତାବ୍ଦୀ ଶତାବ୍ଦୀର ମାନସିକତା ଏକ ଘଣ୍ଟାରେ ବଦଳିଯିବା ସମ୍ଭବ ନୁହେଁ । ଏଇଟା ତୁମ ଭିତରର ଏକ ବାଳୁତ ଛୁଆର ଚପଳାମୀ । ଛୁଆଟା ଦୁଷ୍ଟାମୀ କଲେ କାହାକୁ ମାନେନି । କିନ୍ତୁ ତୁମେ ଯେ ଏତେ ଜଲଦି ବଡ ମଣିଷରୁ ଏକ ଛୁଆ ହୋଇଯିବ, ସେଇଟା ମୋତେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି । – ସେ ଛାଇ କହିଲା ।

ଅବିନାଶ ପୁଣି ଚମକି ଗଲା । ସେ ତ ବୟସରେ ଏତେ ବଡ ହୋଇନି ଯେ ସବୁବେଳେ ଶତାବ୍ଦୀ ଶତବ୍ଦୀର ମାନସିକତା କଥା ସବୁବେଳେ ଭାବିବ ତଥାପି କଣପାଇଁ ଏ ଛାଇ ମାନସିକତା କଥା କହିଚାଲିଛି ଆଉ ସେ ନିଜେ ତା ସହ ସେ ସେମିତି ଭାବିଚାଲିଛି । କିଛି ସମୟ ପୂର୍ବରୁ ସେ ନିଜ ଶରୀରରେ ଳାଭାର ପ୍ରବାହ ଆଉ ଅଫୁରନ୍ତ ଶକ୍ତିର ପ୍ରବାହ ଅନୁଭବ କରିଥିଲା । କଣ ପାଇଁ ସେ କୁଦା ମାରୁଥିଲା ଆଉ ନିଜ ଜିନିଷ ଭାଙ୍ଗୁଥିଲା କେଜାଣି ? ସେ କଥା ସେ ନିଜେ ବୁଝିପାରିନଥିଲା । ତା ମୁହଁ ତ ଗରମ ହୋଇଯାଇଥିଲା । କଣ ତା ଆଖିରେ କିଛି ଅବିଶ୍ୱାସ ନିଶ୍ଚୟ ଫୁଟି ଉଠିଛି ଆଉ ସେଇଟା ଛାଇ ଲକ୍ଷ୍ୟ କରିନେଇଛି ନା କଣ ?

ଅବିନାଶ । କଥାଟା ଅତି ସହଜ । ତୁମେ ନିଜେ କେଉଁଠାରେ ପ୍ରକୃତ ପାତ୍ର ନହେବା । ସେଥିପାଇଁ ତୁମର ସାହାସ ନକୁଳାଇବା ଆଉ ଦୂରରୁ କିଛି ଦେଖି ବା ଶୁଣି ତା ବିଷୟରେ ବେକାରରେ ଖାଲି କହିଚାଲିବା ବା କେଇଟା ମିଛରେ କୁଦା ମାରିବା କିମ୍ବା ଏକ ଡ୍ରାମା କରିନେବା, ଏସବୁ ତୁମର ଶତାବ୍ଦୀ ଶତାବ୍ଦୀର ମାନସିକତା । ଏକ ପଳାତକର ମାନସିକତା । ବାସ୍ତବତାରୁ ସେ ସବୁବେଳେ ପଳାୟନ କରୁଛି । ସେ ନିଜେ କେବେ ପାତ୍ର ହେବାକୁ ଚାହୁଁନି । କିଛି ବି ବିପଦ ମୁଣ୍ଡାଇବାକୁ ଚାହୁଁନି । କେବଳ ଚାରିକାନ୍ଥର ପରିଧିରେ, ପ୍ରକୃତ ଶତ୍ରୁର ଅନୁପସ୍ଥିତିରେ ନିଜର ବୀରତ୍ୱ ଦେଖାଇବାକୁ ବସିଛି ।- ଛାଇ ପୁଣି କହିଲା । ସେ ଅବିନାଶ ମୁହଁରେ ଫୁଟି ଉଠୁଥିବା ସନ୍ଦେହକୁ ପଢି ନେଉଥିଲା ।

ଅବିନାଶ କିଛି ବୁଝିପାରିଲାନି । ତାର ଥରଥର ହୋଇ କମ୍ପୁଥିବା ଦେହ ପଥର ଭଳି ସ୍ଥିର ହୋଇଗଲା ଆଉ ଆଖି କାଚ ଭଳି ସଫା ହୋଇଗଲାା ତାକୁ ଲାଗିଲା ସେ ପ୍ରଥମେ ବିଷୟକୁ ଭଲଭାବେ ବୁଝିନେଉ । ଏବେ ଛାଇ ଯାହା କହିବ ସେ ଆଖିଦେଇ ତାକୁ ଭିତରକୁ ନେଇଯିବ । କେଉଁଠି ଟିକେ ଅଟକାଇବନି । ପରେ ପଚାରିବ ।

ତୁମ କଥା ପ୍ରଥମେ କହିନିଅ । ତାପରେ ମୁଁ ତୁମ କୁହା ଶତାବ୍ଦୀ ଶତାବ୍ଦୀର ମାନସିକତା କଥା ଭାବିବି । ପ୍ରଥମେ ତୁମ ବିଷୟରେ ଜାଣି ନିଏ ତ । – ଏତିକି କହି ଅବିନାଶ ଅଟକି ଗଲା ।

ଛାଇ ତାକୁ ସୈନ୍ୟର ଜୀବନ ବିଷୟରେ ଅନେକ କହିଲା । ତାର ୟୁନିଟ୍‌ର କଥା । ମର୍ଯ୍ୟାଦାର କଥା । ବୀରତ୍ୱର ଗାଥା । ରଣ ଭେରୀ ଆଉ ରଣ ହୁଙ୍କାରର ଶବ୍ଦମାନ । ଏମିତି ଅନେକ । ଅବିନାଶ ମଝିରେ କିଛି କହିଲାନି । ଅଧିକାଂଶ କଥା ତ ସେ ଜାଣିଥିଲା । ଆଜିକାଲି ଫିଲ୍ମ ବା ଇଲେକ୍ଟ୍ରୋନିକ ମେଡିଆରେ ବହୁତ କଥା ସୈନ୍ୟବାହିନୀ ବିଷୟରେ ଜଣାଅଛି । ୧୯୪୧ ମସିହାରେ ଗଠିତ ହୋଇଥିବା ବିହାର ରେଜିମେଣ୍ଟାଲ୍‌ ହେଡକ୍ୱର୍ଟର ପାଟନାର ଦାନାପୁର କ୍ୟାଣ୍ଟନ୍‌ମେଣ୍ଟ୍‌ରେ । ଏହା ଆଗରୁ ଏମାନେ ବେଙ୍ଗଲ ଇନଫାଂଟ୍ରିର ଫୂର୍ବୋୟା ସୈନ୍ୟଭାବେ ଗଣା ଯାଉଥିଲେ ଏବଂ ସବୁ ଯୁଦ୍ଧରେ ଅଦ୍ଭୂତ ବୀରତ୍ୱ ପ୍ରଦର୍ଶନ କରିଥିଲେ । ରେଜିମେଣ୍ଟ୍‌ରେ ଦେଶର ଅନେକ ଭାଗରୁ ସୈନ୍ୟମାନେ ଅଛନ୍ତି । କାରଗିଲ ଆଉ ଅନେକ ଯୁଦ୍ଧରେ ପରାକ୍ରମ ଦେଖାଇଛନ୍ତି । ପାକିସ୍ଥାନରେ ହୋଇଥିବା ସର୍ଜ୍ଜିକାଲ ଷ୍ଟ୍ରାଇକରେ ଏହି ରେଜିମେଣ୍ଟ୍‌ର ଘାତକ ପ୍ଲାଟୁନ ଯୋଗ ଦେଇଥିଲେ । ଏମିତି ଅନେକ କଥା । ଏମାନେ ବ୍ୟାଟ ନୁହଁନ୍ତି, ଏମାନେ ହେଉଛନ୍ତି ବ୍ୟାଟମ୍ୟାନ ବା ଉଡୁଥିବା ମଣିଷ । ଆଃ । କି ସାଜ୍ଞା । ଆକାଶରେ ଉଡି ଶତ୍ରୁଙ୍କୁ ଆକ୍ରମଣ କରନ୍ତି । କାନ୍ଧ ତଳେ ବାଦୁଡିମାନଙ୍କ ଭଳି ଡେଣା ଅଛି କି ଆଉ ?

ଛାଇର କଥାରେ ଜଣେ ସାହାସୀ ଲୋକ ଗର୍ବର ସହ ବସି ବୀରତ୍ୱର ଗାଥା ଶୁଣିବାର କଥା । କିନ୍ତୁ ସାଧାରଣ ସମାଜର ଅବିନାଶକୁ ଏତେ ଲମ୍ବା କଥା ଶୁଣି ଅଳସୁଆମୀ ମାଡି ଆସିଲା । ତାକୁ ହାଇ ମାଡୁଥିଲା । ଛାଇ ମଣିଷର କଥାରେ ସବୁବେଳେ ତ ଯୁଦ୍ଧର ପ୍ରକୃତ ଥ୍ରୀଲ ନଥିଲା । ସେ ନିଜକୁ ଅଟକାଇବାକୁ ଚେଷ୍ଟା କରୁଥିଲା । ନିଜର ହାତ ଗୋଡକୁ ଜୋରରେ ହଲାଇଲା । ଛାଇ ମଣିଷ ଆଗରେ ତାକୁ ନିଦ ନଆସୁ । ସେଇଟା ଭଲ ହେବନି । ଅବିନାଶ ଭିତରର ଭାବନାକୁ ଛାଇ ମଣିଷ ସହଜରେ ପଢିନେଲା । ଅବିନାଶ ନିଜର ପୁରୁଣା ଚରାଚରିତ ବାସ୍ତବିକତା ଭିତରକୁ ଜଲଦି ଫେରିଯିବାକୁ ବସିଲାଣି । ତାକୁ ଯୁଦ୍ଧ କଥା କହି ଆଉ ଥରେ ଜଗାଇ ଦେବା ଦରକାର । ସବୁବେଳେ ଥ୍ରୀଲ ଦରକାର, ଇତିହାସ ବା ପ୍ରସ୍ତୁତି କିମ୍ବା ଡିସିପ୍ଲିନର କଥା ତା ମୁଣ୍ଡରେ ବାଡେଇ ହୋଇ ଫେରି ଆସୁଛି । କିଛି ଯୁକ୍ତିର କଥା କହି ତା ଭିତରୁ ଅଳସୁଆମୀକୁ ବାହାର କରିବା ଦରକାର ।

କୁହ ଅବିନାଶ ଆଜି ପର୍ଯ୍ୟନ୍ତ ତୁମେ କେଉଁଠି ବାସ୍ତବତାକୁ ଗ୍ରହଣ କରିଛ ? ତୁମର ଏ ଯୁଦ୍ଧର ଭାବନା ବା ଥ୍ରୀଲ ତ କେଉଁ ଅଭିଜ୍ଞତା ? ସବୁ ମିଥ୍ୟାର ଅଭିଜ୍ଞତା । କେଉଁଠି କିଛି ବାସ୍ତବରେ ଘଟିନି ।

ବାସ୍ତବତାକୁ ଗ୍ରହଣ କରିନି ଅର୍ଥ !- ଅବିନାଶ ବଡ ପାଟି କରି ପ୍ରତିବାଦ କରୁଥିଲା । ବାକି ଶବ୍ଦ ଆଉ ବାକ୍ୟ ତା କାନରେ ପଶିଥିଲା କି ନାହିଁ ସନ୍ଦେହ । କିନ୍ତୁ ପ୍ରଥମ ଶବ୍ଦ କେତେଟା ତାକୁ ଅପମାନଜନକ ଲାଗୁଥିଲା । ତାର ଢଳି ପଡୁଥିବା ଉତ୍ତେଜନା ପୁଣି ଜାଗ୍ରତ ହୋଇଗଲା । ଯେମିତି ଯୁକ୍ତିପାଇଁ ଘାତକ କମାଣ୍ଡୋ ଗୁରୁତେଜ ସିଂ ପ୍ରସ୍ତୁତ ହୋଇ ରହିଛି ।

ସବୁଦିନ ଜୀବନର ବାସ୍ତବତାକୁ ମୁଁ ଗ୍ରହଣ କରୁଛି । ଦିନରେ କିଛି ଘଟିଯିବା ଆଉ ମୁଁ ସେଇ ରାସ୍ତାରେ କିଛି ନଭାବି ଅତିକ୍ରମ କରିଯିବା ହେଉଛି ମୋ ପାଇଁ ସବୁଠାରୁ ବଡ ବାସ୍ତବତା । – ଅବିନାଶ କହିଲା । ତାର ଯୁକ୍ତି ମଧ୍ୟ ଠିକ ଥିଲା । ତାକୁ ଲାଗୁଥିଲା ଏହାପରେ ଆଉ ଯୁକ୍ତି କରାଯାଇ ନପାରେ ।

ଛାଇ ଟିକେ ହସିଲା । ତାପରେ ବାହାରର ଅନ୍ଧକାରକୁ ଚାହିିଁଲା । ସେ ଭାବୁଥିଲା ଅବିନାଶର ମନକୁ ସେଇ ବାହାରର ଅନ୍ଧକାର, ଜୀବନର ମଧ୍ୟାହ୍ନରେ ମଧ୍ୟ ଆଚ୍ଛନ୍ନ କରି ରଖିଛି । ଅନ୍ଧାରୁଆ ଭାବନା । ସେ ନିଜର ଅତି ସାମାନ୍ୟ ଜୀବନରେ ଘଟୁଥିବା ପ୍ରତି କଥାକୁ ନିଜର ବାସ୍ତବତା ଭାବୁଛି । ଅବିନାଶ କଣ ଏତେ ସାଧାରଣ ମଣିଷ ? ଅବିନାଶକୁ ତାର ସ୍ତବ୍ଧ ମାନସିକତା ଭିତରୁ ବାହାର କରି ଆଣିବାର ଆବଶ୍ୟକତା ଅଛି ।

ଅବିନାଶ, ସବୁଠାରୁ ବଡ ବାସ୍ତବତା ହେଉଛି ତୁମର ଏ ଶରୀର । ଆଉ ସବୁକିଛି ଏ ଶରୀର ଦେଇ ତୁମେ ଗ୍ରହଣ କରୁଛ । ନୁହେଁକି ?- ଛାଇ ପଚାରିଲା ।

ତୁମେ ତା ହେଲେ ଶରୀର ହିସାବରେ ବାସ୍ତବାତାକୁ ବୁଝାଇବାକୁ ଚେଷ୍ଟା କରୁଛ?- ଅବିନାଶ କହିଲା । ତାଭିତରେ ଆଉ କେତେ କେତେ ଯୁକ୍ତିପ୍ରସ୍ତୁତ ହୋଇ ରହିଥିଲା ।

ଏବେ ମୁଁ ତୁମ କଥା ବୁଝିପାରୁଛି । ଏ ଶରୀର ଦେଇ ମୁଁ ସବୁକିଛି ଆହରଣ କରୁଛି । ଫୁଲର ସୁଗନ୍ଧ, ନାରୀର ସୌନ୍ଦର୍ଯ୍ୟ, ଶୀତଳ ଚନ୍ଦ୍ରାତାପ, ସୁଶୀତଳ ସମୀରଣ, ଚଉଷଠି ବ୍ୟଞ୍ଜନର ସ୍ୱାଦ, ପକ୍ଷୀର କାକାଳୀ ସବୁକିଛି ମୁଁ ସ୍ପଷ୍ଟ ଭାବେ ଶୁଣୁଛି ଆଉ ଉପଭୋଗ କରୁଛି । ମୋର ପଞ୍ଚେନ୍ଦ୍ରିୟ ଅତି ସକ୍ରିୟ । ତେଣୁ ଜୀବନର ବାସ୍ତବତାକୁ ମୁଁ ନିଶ୍ଚିତ ଭାବରେ ଏ ଶରୀର ଦେଇ ଅନୁଭବ କରୁଛି ।- ଅବିନାଶ କହିଲା ଆହ୍ଲାଦିତ ହୋଇ । ତାର ନିଜର ଉତ୍ତରରେ ସେ ଖୁସି ଥିଲା । ଶରୀର ଆଉ ବାସ୍ତବତା ବିଷୟରେ ଆଉ କିଛି ଅଧିକ କହିହେବ ବୋଲି ସେ ଭାବୁ ନଥିଲା ।

ଅବିନାଶ । ପକ୍ଷୀର କାକାଳୀ ପାଇଁ ଯେତେବେଳେ ତୁମ ପାଖରେ କାନ ନଥିବ?

ଚଉଷଠି ବ୍ୟଞ୍ଜନ ଯେତେବେଳେ ତୁମ ଆଗରେ ପରଷାଯାଉନଥିବ ?

ଶୀତଳ ଚନ୍ଦ୍ରାତାପ ଯେତେବେଳେ ତୁମ ପାଖରେ ପହଞ୍ଚୁ ନଥିବ ?

ଫୁଲ ଯେଉଁଠି ପ୍ରଷ୍ଫୁଟିତ ହେଉନଥିବ ?

ଆଉ ପ୍ରେୟସୀର ଆଲିଙ୍ଗନ ଯେଉଁଠି କେବଳ ସ୍ୱପ୍ନ ଥିବ ?

କଣ କହିବ ତାକୁ ଅବିନାଶ । ସେଠି କଣ ଶରୀର ନଥିବ? ତେଣୁ ସେଠି କଣ ବାସ୍ତବତା ନଥିବ? ସେଠି କଣ କିଛି ସଂଘଟିତ ହେଉନଥିବ ? ସବୁକଣ ତୁମର ଇଚ୍ଛା ଅନୁସାରେ ଘଟିବ ? ତୁମ ଅନିଚ୍ଛାରେ କିଛି କଣ ଆସିବନି ? ତୁମ ପାଖରେ କଣ ଭୟ ନଥିବ ? ସେଠି କି ବାସ୍ତବତା ଅବିନାଶ ?

ତୁମେ ଏକ କାଳ୍ପନିକ ଦୁନିଆକୁ ନିଜକୁ ନେଇଯାଉଛ ? ବାସ୍ତବତା ଭିତରେ କାଳ୍ପନିକ ଦୁନିଆର କଥା ରହିଲା କେଉଁଠି ?- ଅବିନାଶ କହିଲା । ଛାଇ ମଣିଷର ବୁଝାଇବା କୁହ ବା ଯୁକ୍ତି କୁହ, ସବୁ ଏବେ ଦିଗହୀନ ହୋଇଯାଉଥିବାର ସେ ଅନୁଭବ କରୁଥିଲା । ସେ ମୁଣ୍ଡ ହଲାଇଲା ।

ଅବିନାଶ ମୁଁ ତୁମକୁ ପ୍ରକୃତ ବାସ୍ତବ ଦୁନିଆକୁ ନେଉଛି । ତୁମକୁ ତୁମ ସ୍ୱପ୍ନର ଶେଜରୁ ଜାଗ୍ରତ କରାଉଛି । ପ୍ରକୃତ ବାସ୍ତବତା ଅବିନାଶ, ପ୍ରକୃତ ବାସ୍ତବିକତା । ଜୀବନ ସବୁବେଳେ କବିର କବିତା ନୁହେଁ । ଜୀବନ ମୋଟେ କବିର ଜହ୍ନ ଆଲୋକରେ ଚମକୁଥିବା ସମୟର ପ୍ରତିଫଳନ ନୁହେଁ । ତୁମ ହିସାବରେ ଖାଇ, ପିଇ, ଶୋଇ ବୋହିଯାଉଥିବା ନଦୀର ନୀଳ ପ୍ରବାହ ନୁହେଁ । ମୋଟେ ନଦୀ ପଠାରେ ଖେଳୁଥିବା କାଶତଣ୍ଡୀ ଫୁଲର ଦୋଳି ନୁହେଁ ।

ତା ତ ମୁଁ ଜାଣେ । ଜୀବନରେ ସବୁବେଳେ କବିତା ଫୁଟି ନପାରେ । ସବୁବେଳ ମଧୁମୟ ହୋଇନପାରେ ।

ଯାହାହେଉ ତୁମ କଥା ଅନୁସାରେ ଅଭିନୟର ସେ ସ୍ଥାନ ମଧ୍ୟ ଅତି ମହତ୍ତ୍ୱପୂର୍ଣ୍ଣ ।– ଛାଇ କହିଲା । ତା ମୁହଁରେ ସାମାନ୍ୟ ହସ ଥିଲା । ଅବିନାଶ କିଛି ବୁଝିପାରୁନି ।

ସବୁଠାରେ ଅଭିନୟ ହୋଇପାରେ । ଜୀବନ ଏକ ଅଭିନୟ ମାତ୍ର ।- ଅବିନାଶ ଉତ୍ତର ଦେଲା ।

ଅବିନାଶ ସବୁ ସମ୍ଭବ ସବୁଠାରେ । କିନ୍ତୁ ମୁଁ ତୁମକୁ ସେହି କ୍ଷେତ୍ରର ଅଭିନୟ ବିଷୟରେ କହୁଛି ଯେଉଁଠି ତୁମର ତଥାକଥିତ କଳ୍ପନାର ଦୁନିଆର ପଞ୍ଚେନ୍ଦ୍ରିୟ ସ୍ଥିର, ସ୍ଥବିର ହୋଇଯାଆନ୍ତି ।

ସବୁଠାରେ ମୋ ଇନ୍ଦ୍ରିୟ କାମ କରୁଛି ।

କିନ୍ତୁ ତୁମ ଭାବିବା ହିସାବରେ ନୁହେଁ । ତୁମର ଆକାଂକ୍ଷାକୁ ଧରି ନୁହେଁ । ତୁମେ ଆଶଙ୍କା ଆଉ ଉକ୍ରଣ୍ଠା ଭିତରେ ବୋହୁଥିବା ଜୀବନର ଇନ୍ଦ୍ରିୟ କଥା ଭାବୁନ ।- ଛାଇ ବୁଝାଉଥିଲା ।

କହିବାକୁ କଣ ଚାହୁଁଛ?- ଅବିନାଶ ପଚାରିଲା ।

ଜୀବନ ଆଉ ବାସ୍ତବତା । ଏଇଟା ମୁଁ ତୁମ ପାଖରେ ସ୍ପଷ୍ଟ କରିଦେବାକୁ ଚାହୁଁଛି । ତୁମ ଭିତରେ ଥିବା ବିଷର୍ଣ୍ଣତାକୁ ଦୂର କରି ଏକ ନୂତନ ପ୍ରବାହମାନ ଜୀବନ ବିଷୟରେ କହିବାକୁ ଚାହୁଁଛି ।- ଛାଇ କହିଲା ।

କହିଚାଲ ।- ଅବିନାଶ କହୁଥିଲା ।

ଅବିନାଶ ତୁମର ସ୍ୱପ୍ନର ଦୁନିଆ କାହାର ତ୍ୟାଗଯୋଗୁ ତିଆରି ହୋଇଛି,ଏକଥା ତୁମେ ନିଶ୍ଚିତ ଭାବେ ମାନିବ । ତୁମ ଉପରେ ଘରର ଛାତ ଅଛି । ତୁମ ଚାରିପାଖରେ କାନ୍ଥ ଅଛି । ଶୋଇବା ପାଇଁ ତୂଳୀତଳ୍ପ ଶଯ୍ୟା ଅଛି । ନୀଳ ଆଲୋକ ଅଛି ତୁମ କୋଠରୀରରେ । ଝରକା ଦେଇ ବୋହିଆସୁଛି ପବନ ତୁମ ବଗିଚାରୁ । କୁହ ଅବିନାଶ କାହାର ତ୍ୟାଗ ପାଇଁ ଏହାତ ସମ୍ଭବ । କାହାର ଶରୀର ପାଇଁ ଏ ସବୁ ସମ୍ଭବ ? ତୁମେ ସବୁ ତିଆରି କରିନ ।- ଛାଇ ବୁଝାଉଥିଲା ।

ଶ୍ରମିକମାନେ, ମିସ୍ତ୍ରୀମାନେ, ସେବାକାରୀମାନେ ସମସ୍ତେ ମିଶି ଏହାକୁ ତିଆରି କରିଛନ୍ତି ମୋ ପାଇଁ ଆଉ ସେଥିପାଇଁ ସେମାନେ ମୋଠାରୁ ଉପଯୁକ୍ତ ମଜୁରୀ ପାଇଛନ୍ତି । କାହାର କିଛି ପାଉଣା ବାକି ମଧ୍ୟ ନାହିଁ । ଏସବୁ ମୋର ପରିଶ୍ରମରୁ ଜାତ ।- ଅବିନାଶ ଉତ୍ତର ଦେଲା ।

ଅବିନାଶ । ଏହାଠାରୁ ବଡ କଥା ହେଉଛି ତୁମର ଘର ଉପରେ କାହାର ପାଦଶବ୍ଦ ଶୁଭୁନି । ତୁମ ଘର ଭିତରକୁ କାନଫଟା ଚିତ୍କାର ପଶି ଆସୁନି । ମରଣର ଆର୍ତ୍ତନାଦ ସବୁକିଛି ଚିରି ଦେଉନି । ତୁମ ଚାରିପାଖେ କୁମ୍ଭାର ଘର ନିଆଁ ଜଳୁନି । ତୁମ ଘର ଭିତରକୁ ତୋପର ଗୋଳା କାନ୍ଥ ଭାଙ୍ଗି ପଶି ଆସୁନି । ତୁମପାଇଁ କିଛି ଅନିଶ୍ଚିତତା ନାହିଁ । ସାମାନ୍ୟ କିଛି ମନୋମାଳିନ୍ୟ କେଉଁଠି ଥାଇପାରେ । ଏଇଥିପାଇଁ ତୁମର ଘର ଠିଆ ହୋଇଛି ଆଉ ପ୍ରତିଦିନ ତୁମେ ମନ ଆନନ୍ଦରେ ନିଦ ଯାଉଛ ।

ଏକ ପରିଧିର ସୁରକ୍ଷା ଅବିନାଶ । ସେଇଟା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ । ତାପରେ ଆଉ କିଛି ସମ୍ଭବ ।- ଛାଇ ଭଲକରି ବୁଝାଉଥିଲା ।

ତୁମ କଥା କିଛି ଅଲଗା ଲାଗୁଛି । ପରିଧିର ସୁରକ୍ଷାରେ ମୋର ଯୋଗଦାନ ତ ଅଛି । ମୋ ହିସାବରେ ମୁଁ ଅନ୍ୟସ୍ଥାନରେ ସେଥିପାଇଁ ମୋର ଉପଯୁକ୍ତ ବିନିଯୋଗ କରିଛି ।- ଅବିନାଶ କହିଲା ।

ସେଇଟା ଠିକ୍‌ ଅବିନାଶ । ତଥାପି ମୁଖ୍ୟ ବିଷୟ ହେଉଛି ପରିଧି ଆଉ ତା ଭିତରେ ତୁମେ ସବୁକିଛି ପାଇବାପାଇଁ ପ୍ରଯତ୍ନ କରିପାର ।

ତୁମ କଥା ମୁଁ ଠିକ୍‌ ଭାବୁଛି ।

ଅବିନାଶ ଆମେ ମନର ପରିଧିକୁ ଭ୍ରମିତ କରିସାରିଛେ ।

ଆଗକୁ ତୁମେ କହିବ ଶତାବ୍ଦୀର ମାନସିକତା ।

ଅବିନାଶ । ମନର ପରିଧିକୁ ଆମେ ଏକ ଏକ ଅତି ଛୋଟ ଚିତ୍ରପଟ୍ଟ ଭିତରେ ସୀମିତ କରି ସେଇଠାରେ ବଳିଦାନ, ସେଇଠାରେ ସୁପର ହିରୋଙ୍କୁ ଦେଖୁଛେ । ସେମାନଙ୍କୁ ବାସ୍ତବିକ ଜୀବନର ସୁପର ହିରୋ କହୁଛେ ।

ଅବିନାଶ ନିଜକୁ ପ୍ରକୃତ ସଜ୍ଞା ଭିତରେ ଖୋଜିବାକୁ ପଡିବ ।

ତୁମକୁ ଦର୍ଶକର ପରିଧିଭିତରୁ ବାହାରିବାକୁ ପଡିବ । ଏକ ମୁକ୍ତ ଆକାଶର ମଞ୍ଚ । ସେଇଠି ତୁମେ ଖୋଜିବ ଏ ସବୁ ଶବ୍ଦର ସାଜ୍ଞା ।

ମାନସ ପଟ୍ଟ ତୁମର ଏକ ଟିଭି ସ୍କ୍ରନ୍‌, ଏକ ମୁଭି ଥିଏଟରର ସ୍କ୍ରିନ କୁହ ଖାଲି ଧଳା ପରଦା ଉପରେ ସୀମିତ ହୋଇଯାଇଛି । ସେଇଠୁ ବାହାରିବାକୁ ପଡିବ ।

ସବୁ ତୁମର ଆଗରେ ଘଟୁ ବୋଲି ତୁମେ ଭାବୁଛ । ତୁମ ଆଗରେ ଦୃଶ୍ୟ ପରିବେଷିତ ନହେଲେ ତୁମେ ସେହି ଘଟଣାକୁ ଅତି ଗୌଣ ମନେ କରୁଛ । ସେତେବେଳେ ତୁମେ ତୁମ ଭାବନାର ପରିଧିକୁ ଏକ କୋଠରୀ ଭିତରେ ସୀମିତ କରୁଛ । ତୁମର ମାନସିକ ଚିନ୍ତାଧାରା ତୁମର ସ୍କ୍ରିନ୍‌ରେ ଦେଖାଦେଉଥିବା ସୁଦର୍ଶନ ସୁପର ହିରୋ ସହ ସାରା ପୃଥିବୀକୁ, ମହାକାଶକୁ ଜୟ କରୁଛି । ତୁମେ ପ୍ରକୃତ ବାସ୍ତବତା ଭିତରେ ନରହି ଏକ ମାନସିକ ଜଗତ ଭିତରେ ଚଳପ୍ରଚଳ କରୁଛ ।

ଏହା ତ ସାଧାରଣ ଜୀବନ । ଏକ ସାବଲୀଳ ସାଧାରଣ ଜୀବନ । ଏଇଟା ତ ଆମଭଳି ଲୋକମାନଙ୍କ ଜୀବନ । ଏକ ମଧୁର ଜୀବନ । ପକ୍ଷୀର କାକଳୀ ଶୁଣି ହେଉଥିବା ଜୀବନ ।- ଅବିନାଶ କହିଲା । ସେ କିନ୍ତୁ ଅବିନାଶ ଛାଇର ଗଭୀର ଦର୍ଶନର କଥା ଟିକେ ଟିକେ ବୁଝିପାରୁଥିଲା । ଏବେକାର ଦୁନିଆ ଏକ ଛୋଟ ସ୍କ୍ରିନ୍‌ ଉପରେ ଭାସୁଥିବା ରୂପକୁ ସୁପର ହିରୋ ବୋଲି ଭାବିନେଉଛି । ପ୍ରକୃତ ଘଟଣାକୁ କେବେ ଜାଣିବାକୁ ସାମାନ୍ୟତମ ଚେଷ୍ଟା ବି କରୁନି । ଛାଇ ତାକୁ ସତରେ କଣ ବୁଝାଇବାକୁ ଚେଷ୍ଟା କରୁଛି ? କିନ୍ତୁ ତା ଭିତରର ଏକ ଅମାନିଆ ବ୍ୟକ୍ତିତ୍ୱ ସବୁ କଥାରେ ନିଜକୁ ଠିକ୍‌ ବୋଲି ପ୍ରତିପାଦିତ କରି ଚାଲିଛି ।

ଏତେ ସବୁ ଭାବିଲା ପରେ ଅବିନାଶର ଦେହ ଆଉ କମ୍ପୁ ନଥିଲା । ସେ ଉଠି ପଡିଲା । ତାକୁ ଲାଗୁଥିଲା ସେ ଯେମିତି ଛାଇର ଦର୍ଶନ ସହ ଆଉ ଏକ ଜୀବନ ଆରମ୍ଭ କରନ୍ତା ।

ଛାଇ କହୁଥିଲା- ଅବିନାଶ ତୁମେ ପ୍ରକୃତରେ କେଉଁ ଘଟଣାର ପାତ୍ର ନୁହଁ । ଦୂରରୁ ଥାଇ ଏକ ତାଳି ବଜାଉଥିବା ଦର୍ଶକ । କେବଳ ଥ୍ରୀଲ୍‌ ବା ରୋମାଞ୍ଚ ଗ୍ରହଣ କରୁଛ । ନିଜେ କେଉଁ ଘଟଣାର ପାତ୍ର ହେଲେ କେତେ ଭଲ ହୁଅନ୍ତା । କିନ୍ତୁ ତା କଣ ଏବେ ସମ୍ଭବ । ସେ ମୁଣ୍ଡ ହଲାଇଲା ।

ମୁଁ ଜାଣେ ଅବିନାଶ, ତୁମେ ନିଜ ଉପରେ ଅଭିମାନ କରୁଛ । ଟିକେ ହତାଶ ହେଉଛ ।- ଛାଇ କହିଲା ।

ଅବିନାଶ ମୁଣ୍ଡ ହଲାଇଲା । ତାର ଯୁଦ୍ଧର ସେହି ଦୃଶ୍ୟମାନ ଦେଖିବାକୁ ଇଚ୍ଛା ହେଉଥିଲା । ସବୁ ଘଟଣା ଟିକିନିଖି କରି ତା ଆଗରେ ଆଉଥରେ ଘଟିଯାଉ । ସେ ସବୁକିଛି ଏକ ପାତ୍ର ହିସାବରେ ପାଖରୁ ଗ୍ରହଣ କରୁ , ସବୁଥିରେ ସେ ଏକ ଅଂଶ ହୋଇ ରହୁ । କିନ୍ତୁ ଅତୀତର ଘଟଣାରେ ପାତ୍ର ହୋଇପାରିବନି । ଛାଡି ଯାଇଥିବା ବିଷୟ ତା ଆଗରେ ଆଉଥରେ ତା ଭାବିବା ହିସାବରେ ଅଭିନୀତ ହେବ ।

ସେ କାହାଣୀ ଜାଣିବାକୁ ଚାହୁଁଛ?- ଛାଇ କହିଲା ।

ତୁମେ ଟିଭି ସ୍କ୍ରିନ୍‌ ହିସାବରେ ନୁହେଁ ପ୍ରକୃତ ଅନୁଭବ କରିବ ।- ଛାଇ କହିଲା ଅତି ଗମ୍ଭୀର ସ୍ୱରରେ । ସେ ସ୍ୱର ତା ଦେହ ଭେଦକରି ତାର ଛାତି ଭିତରକୁ ପଶିଯାଉଥିଲା । ଅବିନାଶ ଏକ ଲମ୍ବା ନିଃଶ୍ୱାସ ନେଲା । ତାର ଛାତି ଯେତେ ସମ୍ଭ ହେବ ସେତେ ଜୋର ଫୁଲିଗଲା । ସେଠି କିଏ ଯଦି ବିଧାଟାଏ ମାରନ୍ତା ତା ଛାତିରୁ ଢୋଲ ବଜାଇଲା ଭଳି ଶବ୍ଦ ଆସନ୍ତା । ତାପରେ ସବୁଆଡୁ ଛାତି ବାଡେଇବାର ଶବ୍ଦମାନ ଆସନ୍ତା । ଆଫ୍ରିକୀୟ ଗରିଲାମାନେ ଯୁଦ୍ଧର ହୁଙ୍କାର ଦେଇ ସାରିଲେଣି । କିଛି ଆରମ୍ଭ ହୋଇଯାଉଛି ।

ଅବିନାଶ ପୁଣି ଥରଥର ହୋଇ କମ୍ପିଗଲା । ତା ଆଖି ଆଗରେ ଯେମିତି ଘାତକ କମାଣ୍ଡୋ ଗୁରୁତେଜ ସିଂ ଜୋରରେ ଲମ୍ଫ ଦେଲା । ତାକୁ ଏକ କୃପାଣରୁ ବାହାରି ଆସୁଥିବା ଆଲୋକର ଝଲକ ଦେଖାଦେଲା । ସବୁଆଡୁ ଚିତ୍କାର ଶୁଣାଗଲା ।

ବୋଲ ଶ୍ରୀ ନିହାଲ, ସତ୍ ଶ୍ରୀ ଅକାଲ ।- ଡାକରେ ଆକାଶ ପାତାଳ କମ୍ପିଲା । ତାର ରକ୍ତ ଫୁଟୁଥିବା ଭଳି ତାକୁ ଲାଗିଲା ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top