ଉପନ୍ୟାସ

ମୁଠାଏ ମାଟି

Ashok Biswal's Odia Novel Muthae Maati

ତୁମେ ସେ ସ୍ଥାନରେ ଥାଇ ଯୁଦ୍ଧ ନିଜ ଆଖିରେ ଦେଖିପାରିବ ।- ଛାଇ କହିଲା । ଛାଇର ମୁହଁରେ ଟିକିଏ ହସ ଥିଲା ଭଳି ଲାଗିଲା ।

ମୁଠାଏ ମାଟି

-: ପୂର୍ବରୁ :-

ଅବିନାଶ ଭିତରେ ଗୁରୁତେଜ ସିଂ ଲମ୍ଫ ଦେଇ ଆଉ କିଛି କରିବା ଆଗରୁ ଛାଇ ଗମ୍ଭୀର ହୋଇ କହିଲା- ଆମ କମାଣ୍ଡର ନାଁ ହେଉଛି- ଫାୟାର ଆଣ୍ଡ ଫ୍ୟୁରି ।

ସେତେବେଳକୁ ଅବିନାଶ ଦେହରେ ରକ୍ତ ଜୋରରେ ଦୌଡୁଥିଲା । ଆଉ ତାକୁ ପ୍ରଶ୍ନ କରିବାକୁ ଇଚ୍ଛା ନଥିଲା । କିଛି କାମ ନକରି ଯୁକ୍ତିର ମୂଲ୍ୟହୀନ ପ୍ରଶ୍ନସବୁ ଭିତରର ପ୍ରବଳ ଉତ୍ସାହକୁ ପ୍ରଥମରୁ ଡେମ୍ଫରୁ ଭାଙ୍ଗିଦିଏ । କାମ ଯାହା ଫୁଲ ଭଳି ଫୁଟିଥାନ୍ତା, ବଗିଚାରେ ଶୋଭା ପାଇଥାନ୍ତା ତାହା ଆଉ ଘଟନ୍ତାନି । କେବଳ ମନ ଭିତରେ ସମାଧାନ କରି ନହେଉଥିବା ଅସରନ୍ତି ଯୁକ୍ତି । ମନରେ ଥିବା ସୈନିକ ଗୁରୁତେଜକୁ ଆଗକୁ କାମ କରିବାକୁ ଅଛି । ତେଣୁ ସେ ଶହୀଦ ସର୍ଦ୍ଧାର ଭଳି ମୁଣ୍ଡକୁ ଉପରକୁ ଉଠାଇ ଦେଲା । ତା ଦୃଷ୍ଟି ସିଧା ଥିଲା ଆଉ ଆଖିରୁ ନିଆଁ ଯେମିତି ବର୍ଷୁଥିଲା । ସେତେବେଳେ ଛାଇ ମଣିଷ କହିଲା ।

ଅଗ୍ନିର ତାଣ୍ଡବ ଅବିନାଶ । ଅଗ୍ନିର ତାଣ୍ଡବ । ଆମେ ତୋପରୁ ନିଆଁ ବର୍ଷା କରୁ ଅବିନାଶ ।- ଛାଇ କହିଲା ।

ଛାଇ ମଣିଷର ସ୍ୱର ସେମିତି ଗମ୍ଭୀର ଥିଲା । ସେଥିରେ ସାମାନ୍ୟତମ ହଲୁଥିବା ଭାବନାର ଆଭାସ ନଥିଲା । ଏକ ସିଧା ଅନାଇଥିବା ସର୍ଦ୍ଧାରର ମନ ଆଗରେ କିଛି ଥରି ନପାରେ । ସବୁକିଛି ସିଧା, ସେଥିରେ ତେଢା ମେଢା କିଛି ନାହିଁ । ସର୍ଦ୍ଧାରମାନେ ସେଥିପାଇଁ ଭାରତର ମହାନ ଯୋଦ୍ଧାମାନଙ୍କ ଭିତରେ ଗଣା । ସେମାନେ ସିଧା ଭାବନ୍ତି । ଯୁଦ୍ଧରେ ସିଧା ଭାବିବାକୁ ପଡେ । ମନର ସାମାନ୍ୟତମ ଦ୍ୱିଧା ଅର୍ଥ ତୁମ ବନ୍ଧୁକରୁ ଗୁଳି ଫୁଟିବାକୁ କ୍ଷଣେ ଡେରି ଆଉ ସେଇ ଭିତରେ ଶତ୍ରୁ ଗୁଳି ଫୁଟାଇ ତୁମକୁ ବଧ କରିବ । କୁହାଯାଇଛି- ଶୁଟ ଟୁ କିଲ । ଆଉ ଏ ଶୁଟିଙ୍ଗ ମନରେ ସାନ୍ୟତମ ସନ୍ଦେହ ନରଖି କରିବାକୁ ପଡେ । ଏଣୁ ପ୍ରକୃତ ଯୁଦ୍ଧରେ, ମନର ପ୍ରକୃତ ସାହାସରେ ସବୁବେଳେ ସିଧା ଭାବିବାକୁ ପଡେ । ତେଣୁ ଏବେର ଅବିନାଶ ଆଗରେ ଆଉ କିଛି ଥରି ନପାରେ । ଅବିନାଶ ଭିତରେ ପ୍ରବଳ ସଂଘର୍ଷ ଆରମ୍ଭ ହୋଇଗଲା । ତାକୁ ସବୁ କଥାରେ ଯୁଦ୍ଧର ଇଙ୍ଗିତ ଆସୁଥିଲା ।

ଅବିନାଶକୁ ଲାଗିଲା ଏକ ଲମ୍ବାତୋପରୁ ଫୁଟୁଥିବା ଗୋଳା ପଥରରେ ବାଡେଇ ହୋଇ ଯାଉଛି ଆଉ ଏକ ବଡ ବିଷ୍ଫୋରଣ ହେଉଛି । ଶତ୍ରୁ ସୈନ୍ୟମାନେ ଛିନ୍‌ଚ୍ଛତ୍ର ହୋଇଯାଉଛନ୍ତି । ବୁ-ଉ-ଉ-ମ୍ । ତୋପ ଏ ପାହାଡରୁ ଫୁଟୁଛି ଆଉ ଆଉଆର ପାହାଡରେ ପର ମୁହୂର୍ତ୍ତରେ ନିଆଁର ବର୍ଷା ହେଉଛି । ଏ ନିଆଁର ବର୍ଷା ଲାଗି ରହିଛି । ତା କାନରେ ବୁ-ଉ-ଉ-ଉ-ମ ଶବ୍ଦ ଗୁଞ୍ଜରିବାକୁ ଲାଗିଲା । କମାଣ୍ଡର ନାଁଟା ଠିକ୍ ଦିଆଯାଇଛି । ଅଗ୍ନିର ତାଣ୍ଡବ । ତାକୁ ନୂଆ ନାମ ଦେବାକୁ ଇଚ୍ଛା ହେଲା- ବିଶ୍ୱାସର ବାରୁଦ । ନିଜ ମନର ବିଶ୍ୱାସର ସହ ଶତ୍ରୁକୁ ସମୂଳେ ସବୁ ଧ୍ୱଂସ କରିଦେଉଛି ।

ଅବିନାଶ, ସେଦିନ କିନ୍ତୁ ଆମେ ଅଗ୍ନିରେ ତାଣ୍ଡବ ନୃତ୍ୟ କରିନଥିଲୁ । ପୂର୍ବର ନିୟମ ଆମକୁ ଅଟକାଇ ଦେଇଥିଲା । – ଛାଇ ମଣିଷ କହିଲା ।

ଯୁଦ୍ଧରେ କିଛି ନିୟମ ନାହିଁ । – ଅବିନାଶ ଜୋରରେ କହିଲା । ସେଇଟା ସେ କହୁଥିଲା କି ତା ଭିତରେ ମାଟିରୁ ମୁଠାଏ ଧୂଳି ଧରି ଉଠିଥିବା ଗୁରୁତେଜ ସିଂ କହୁଥିଲା କିଏ ଜାଣେ । କିନ୍ତୁ ଏ କଥାଟା ଗୁରୁତେଜ କହିଲା ଭଳିଆ ଲାଗୁଥିଲା । ଅବିନାଶ ଭଳି ବାକ୍ୟ ବୀର ତ ଶେଜରେ ଶୋଇ ବା ଚେଆରରେ ବସି ଅନ୍ୟ ଆଗରେ ବାହଷ୍ଫୋଟ ମାରନ୍ତି । ତତାପି ଯାହା ହେଉ ନା ଅବିନାଶ ନାକରୁ ଖର ନିଃଶ୍ୱାସ ବାହାରୁଥିଲାା ତେଣୁ ତା ଭିତରେ କିଛି ସିଧା ଦୌଡୁଥିଲା ।

ଅବିନାଶ, ଆମେ ଭାରତର ନିୟମବଦ୍ଧ ସୈନିକ । ଦେଶର ସବୁ ନିୟମକୁ ମାନି ଚଳୁ ।- ଛାଇ ମଣିଷ ବୁଝାଇଲା ।

ଯୁଦ୍ଧରେ କିଛି ନିୟମ ନାହିଁ । ଗୋଟିଏ ନିୟମ । ସେଇଟା ହେଉଛି ଶତ୍ରୁ ଉପରେ ବିଜୟ । ଶତ୍ରୁକୁ ପଦାନତ କର । ଧ୍ୱଂସ, ସବୁ ଶତ୍ରୁକୁ ଧ୍ୱଂସ କର । – ଅବିନାଶ ପୁଣି ବହୁତ ଜୋର୍‌ରେ କହିଲା । ଏକ ଖୁରାଟେକି ଦୌଡିବାକୁ ପ୍ରସ୍ତୁତ ଥିବା ମାରଣା ଷଣ୍ଢଭଳି ତା ନାକରୁ ଧୂଆଁ ଯେମିତି ବାହାରୁଥିଲା । ସେ ଜୋର୍‌ରେ ହଲୁଥିଲା ।

ଛାଇ ମଣିଷ ଅବିନାଶକୁ ସିଧା ଆନଇଲା । ପ୍ରାୟଶୋଇରହୁଥିବା ଏ ଅବିନାଶର କଣ ହେଉଛି ? ସେ କେବଳ ଯୁଦ୍ଧଂ ଦେହି, ଯୁଦ୍ଧଂ ଦେହି- ଡାକରା ଦେଉଛି ଆଉ ତା ନାକରୁ ଖର ନିଃଶ୍ୱାସ ବାହାରୁଛି ଆଉ ମୁଣ୍ଡଟା ଏକଦମ ସିଧା ରହୁଛି । ଏଇଟା ଅବିନାଶର କଣ ଶତବ୍ଦୀ ଶତାବ୍ଦୀ ଧରି ଶୋଇ ରହିଥିବା ମଣିଷର ପ୍ରକୃତ ନିଜ ରୂପ ନା ଅବିନାଶ ଭିତରର ଗୁରୁତେଜ ସିଂ ଅମାନିଆ ହୋଇ ଉଠୁଛି । ଅବିନାଶର ମୁଣ୍ଡଟା ଆଗରୁ କ୍ଷଣେ ସିଧା ରହେନା, ସବୁବେଳେ ନଡନଡ ହେଉଥାଏ ସତେ ଯେମିତି ମୁଣ୍ଡଟା ଏକ ପତଳା ସ୍ପ୍ରିଙ୍ଗରେ କେହି ଦେହରେ ଖଞ୍ଜି ଦେଇଛି । ତା ଆଖି କେବଳ ଏଣେ ତେଣେ ଦେଖି ସାେଙ୍ଗ ସାେଙ୍ଗ ତଳୁଆ ହୋଇଯାଏ । ଏଇଟା କି ରୂପ ଅବିନାଶର ?

ମୁଁ ଗୋଟିଏ ନିୟମରେ ବିଶ୍ୱାସ କରେ । ସେ ନିୟମ ହେଲା –ଶତ୍ରୁ ଦମନ । ଆଉ କିଛି ନୁହେଁ । ଶତ୍ରୁ ଆଉ ଆଗକୁ ମୋଟେ ଆଖି ଉଠାଇ ଦେଖି ପାରିବନି । ସେମାନେ ଯଥେଷ୍ଟ କ୍ଷତି କରିଛନ୍ତି । ଆମର ଧୈର୍ଯ୍ୟର ଯଥେଷ୍ଟ ପରୀକ୍ଷା ନେଇଛନ୍ତି । ଆଉ ଅପେକ୍ଷା କରିବାର ଆବଶ୍ୟକତା ନାହିଁ । ସଂମ୍ପୂର୍ଣ ଶତ୍ରୁ ଦଳନ । ଶତ୍ରୁର ଧ୍ୱଂସ ।- ଅବିନାଶର ସ୍ୱରରେ ଲାଗୁଥିଲା ଯେମିତି କିଏ ପାହାଡରେ ତାଣ୍ଡବ ନୃତ୍ୟ କରୁଛି । ସେ ନୃତ୍ୟ ନସରିବା ଯାଏଁ କିଛି ଅଟକିବନି ।ସବୁକିଛି ଧୂଳିସାତ୍ ହେବ । କିଛି ଶବ୍ଦ ଆଉ ଶୁଣାଯିବନି । ସେ ପୁଣି ରହି ରହି ଜୋର୍‌ରେ କହିବାକକୁ ଲାଗିଲା ।

ଦୁର୍ବଳ, କେବଳ ଦୁର୍ବଳ ହିଁ ପ୍ରତୀକ୍ଷା କରେ । କାରଣ ସେ କିଛି କରିପାରିବ ନାହିଁ ।

କିଛି ତା ସପକ୍ଷରେ ଘଟିଯାଉ । ସେ କେବଳ ବସି ପ୍ରାର୍ଥନା କରିବା ଜାଣେ । ଏହା ହେଉଛି ଏକ ନିର୍ବଳର ଅସହାୟତା ।

କିନ୍ତୁ ସବଳ ଦୁଷ୍ଟକୁ ଦମନ କରେ ।

ତୁମେ ବଳବାନ ନହେଲେ ସବୁବେଳେ ଶତ୍ରୁ ତୁମକୁ ପୀଡା ଦେବ । ତେଣୁ ସଂମ୍ପୂର୍ଣ ଶତ୍ରୁ ଦଳନ । ସବୁ ନିୟମ ବାହାରେ ଶତ୍ରୁ ଦମନ । ଶକ୍ତିର ସହ ଶତ୍ରୁର ଶିର ଚ୍ଛେଦନ ।- ଅବିନାଶରକଥାଗୁଡା ସେମିତି ତୋପର ଗୋଳାପରି ମଝିରେ ମଝିରେ ଜୋର୍‌ ଶବ୍ଦ କରି ବାହାରି ଆସୁଥିଲା ।

ଏବେ ତାର ଶରୀର ଏକଦମ ସିଧା ହୋଇଯାଇଥିଲା । ଦେହର ମାଂସପେଶୀ ଫୁଟି ଦିଶୁଥିଲା । ବାଳ ଯେମିତି ଧୂସର ହୋଇ ଫରଫର ଉଡୁଥିଲା । ହାତର ଆଙ୍ଗୁଠିମାନ ଯେମିତି ଲମ୍ବା ହୋଇଯାଉଥିଲା । ଗଣ୍ଠି ସବୁ ଠକ୍ ଠକ୍ ହୋଇ ଫୁଟୁଥିଲା । ତାର ଡାହାଣ ହାତ ଉଠିଗଲା । ପ୍ରଥମ ଆଙ୍ଗୁଠି ଏକ ରଡ ଭଳି ସିଧା ହୋଇଗଲା । ଲାଗୁଥିଲା ଯେମିତି ସେ ସୁଦର୍ଶନ ଚକ୍ର ବୁଲାଉଛି । ଚକ୍ର ଏଇ ତା ହାତରୁ ଯାଇ ଶତ୍ରୁର ଶିରଚ୍ଛେଦନ କରି ଫେରି ଆସିବ । ପିଙ୍ଗଳ ବର୍ଣ ଧାରଣ କରିଥିବା ଅବିନାଶ ଆଉ ପ୍ରତୀକ୍ଷା କରିପାରିବନି ।

ଅବିନାଶର ଏ ଅପ୍ରତ୍ୟାଶିତ ପରିବର୍ତ୍ତନଦେଖି ସେ ଛାଇ ମଣିଷ ଆଉ କିଛି କହିପାରିଲାନି । ଏମିତି ସ୍ଥିର ହୋଇ ଅବିନାଶକୁ ସିଧା ଅନାଇ ରହିଲା । ଅବିନାଶର ଏତେ ଜୋର ଯୁକ୍ତି ଆଗରେ ତା ପାଖରେ କିଛି କହିବାପାଇଁ ଯେମିତି ଶକ୍ତି ନଥିଲା । ପରାକ୍ରମୀର କଥାରେ ଏକ ପ୍ରବଳ ପ୍ରବାହ ଅଛି । ସେଥିରେ ସାଧାରଣ ମଣିଷ ଭାସି ଯାଆନ୍ତି । ପ୍ରଥମରୁ ଶୋଇ ରହିଥିବା ଅବିନାଶ ଏକ ଅତି ସାଧାରଣ ମଣିଷ ଥିଲା । କିନ୍ତୁ ଏବେ ଅସାଧାରଣ ଲାଗୁଥିଲା । ଅବିନାଶର କଥାରେ ଘର ଭିତରେ ସବୁ ଯେମିତି କମ୍ପିଲା ।

ତୁମ ତୋପର ଗୋଳା କାହିଁକି ଫୁଟିନି । ଅପେକ୍ଷା କେବଳ ଦୁର୍ବଳ କରେ । ତୁମେ କଣ ପାଇଁ ତୋପ ଫୁଟାଇଲନି । – ଅବିନାଶ ପୁଣି ସେଇ ପୁରୁଣାପ୍ରଶ୍ନ ପଚାରୁଥିଲା । ତା ହାତ ଉପରକୁ ଉଠି ଚକ୍ର ଆକାରରେ ଜୋରରେ ବୁଲିବାକୁ ଲାଗିଲା । ଅବିନାଶ ସତରେ କଣ କରିବାକୁ ଯାଉଥିଲା କେଜାଣି । ଗୋଳା ନଫୁଟିଲେ ଚକ୍ର ପଠାଇ ଶିରଚ୍ଛେଦ କରିବ । ଅବିନାଶ ଭିତରେ ଜ୍ୱାଳାମୁଖୀର ପ୍ରବଳ ପ୍ରବାହ ଥିଲା ।

ଛାଇ ଏକ ଲମ୍ବା ନିଃଶ୍ୱାସ ନେଲା । ଏମିତି ନିଃଶ୍ୱାସ ଏକ ଛାଇପାଇଁ ଦରକାର ଥିଲା ଯେମିତି ? ଏବେ ଲାଗୁଥିଲା ଅବିନାଶ ଆଗରେ ଆଉ କିଛି କହିବାକୁ ହେଲେ ନିଜ ମନରେ ଯଥେଷ୍ଟ ଶକ୍ତି ସଂଚୟ କରିବାକୁ ପଡିବ । ନିଜ ଭିତରଟା ସ୍ଥିର କରିବାକୁ ପଡିବ । କ୍ରୋଧରେ ଜଳୁଥିବା ଜ୍ୱାଳାମୁଖୀକୁ ଅନାଇବା ପାଇଁ ମନରେ ବହୁତ ସାହାସ ଦରକାର ।

ଅବିନାଶର ଏମିତି ରୂପ ଛାଇପାଇଁପାଇଁ ମଧ୍ୟ ଆଶ୍ଚର୍ଯ୍ୟ ଥିଲା । ଏ ଗୁରୁତେଜ ସିଂର ରୂପ କେବଳହୋଇ ନପାରେ । ଅବିନାଶ ଭିତରେ କଣ ସତରେ ଆଗରୁ ଅଗ୍ନିର ସ୍ଫୁଲିଙ୍ଗ ଅଛି ନା କଣ ? ସେଠି କେବଳ ଟିକିଏ ଦିଆସିଲି କାଠି ଜଳାଇବା ଆବଶ୍ୟକ ଅଛି ନା କଣ? କିନ୍ତୁ ତାକଥା ତ ଏବେ ଅଗ୍ନିଗର୍ଭା ଥିଲା । ସେଥିରେ ନରକର ଅଗ୍ନି ଜଳି ଚାଲିଛି । ସବୁ କିଛି ଭସ୍ମ ହୋଇଯିବ । ଏ କଣ ଅବିନାଶର ପ୍ରକୃତ ରୂପ ?

ହେ ମହାବାହୁ ।– ଛାଇ ମନକୁ ମନ କହିଲା । ଅବିନାଶର ଭିତରର ଅଗ୍ନିକୁ ଶାନ୍ତ କରିବାପାଇଁ ତାକୁ କିଛି ବିଶ୍ୱର ଚରମଶକ୍ତିର ଆଶ୍ରୟ ନେବାକୁ ପଡିବ । ସବୁଠାରୁ ବଡ ଆଶ୍ରୟ ତ ନିଜେ ମହାବାହୁ । ତାର ନିଜ ଆରାଧ୍ୟ ଦେବବତା । ତାର ଓଠ ଥରି ଉଠିଲା ଆଉ ସେ ଗୁଣୁଗୁଣୁ ହେଲା ।

ତୁମେ କଣ ଗୁଣୁଗୁଣୁ ହେଉଛ ? ତୁମର ତୋପର ବିଶାଳ ଗୋଳା କଥା କାହିଁକି କହୁନ ? ଅଗ୍ନି ବର୍ଷା କାହିଁକି ହେଉନି ?- ଅବିନାଶ କହିଲା । କିନ୍ତୁ ତା କଥା ଧିମା ହୋଇ ଆସୁଥିଲା ।

ଛାଇ କିଛି ଉତ୍ତର ଦେଲାନି । ସେ ନିଜ ମନରେ ହେ ମହାବାହୁ, ହେ ମହାବାହୁ ଜପିଲା । ଅବିନାଶର ନିଃଶ୍ୱାସ ଧିର ହୋଇଗଲା । ତାର ଆଖି ନରମ ହୋଇଗଲା ଆଉ ହାତର ଶୀର ସବୁ ବସିଗଲା । ସେ ଏକ ସାଧାରଣ ମଣିଷକୁ ପରିବର୍ତ୍ତିତ ହୋଇଯାଉଥିଲା ।

ଅବିନାଶ ନିୟମ ହିସାବରେ ଆମେ ନିଜର ସଂଜମ ରଖିଥିଲୁ । ଆମ କମାଣ୍ଡିଂ ଅଫିସର କର୍ନେଲ ସୁରେଶ ବାବୁ ଅତି ଅଭିଜ୍ଞ ତଥା ଶାନ୍ତ ଲୋକ । ଯୁଦ୍ଧର ପ୍ଲାନିଙ୍ଗ୍‌ରେ ଶାନ୍ତ ଲୋକର ମଧ୍ୟ ଆବଶ୍ୟକତା ପଡେ । ଚିନୀମାନଙ୍କ ସହ କଥାବାର୍ତ୍ତା ଚାଲିଥିଲା । ସେଥିରେ କିଛି ନିଷ୍କର୍ଷ ବାହରିଥିଲା । ଚିନୀମାନେ ୧୪ ନମ୍ବର ପାଟ୍ରୋଲିଙ୍ଗ ପଏଣ୍ଟ୍‌ରୁ ପଛକୁ ଫେରିଯିବେ । ଆମେ ଭାରତୀୟ ସେନା ନିୟମ ମାନୁ । ଆମ ସେନା ଯାହା କହିଥିବ ସେଇଆ କରିବ । – ଛାଇ କହିଲା ।

ହଁ । ତୁମ ସେନାର ନିୟମ ସବୁବେଳେ ପଥରର ଗାର । କିଛି ପରିବର୍ତ୍ତନ ହେବନି । ଆଉ ସୈନିକର କଥା ହେଉଛି ବେଦର ଗାର । ସେ କଥାରୁ କେହି ଓହରି ଯିବେନି । ମୋତେ ଏମିତି ନିୟମ ଆଉ ଅନୁଶାସନ ଭଲାଲଗେ ।- ଅବିନାଶ କହିଲା ।

ଚିନୀମାନେ ଏତେ ଛଳକପଟ କରନ୍ତି ବୋଲି ଆମେ ଆଶା କରିନଥିଲୁ । ସେମାନଙ୍କୁ ଅବଶ୍ୟ ଆମେ ବିଶ୍ୱାସ କରୁନଥିଲୁ । କିନ୍ତୁ ସେମାନଙ୍କ ସକାଳର କଥା ସଂଜକୁ ମନେ ରହେନି ବୋଲି ଆମେ ଭାବୁନଥିଲୁ । ସେ ଲୋକଗୁଡା ସେଇଆ । ସବୁ ଭଲଭାବେ ମନେରଖି, ଜାଣି ଭୁଲିଯାଆନ୍ତି ଆଉ ଉପରେ ପଡି କଳି କରନ୍ତି । ବୁଢୀଆଣୀ ଦେହରୁ ଦେଖାଯାଉ ନଥିବା ସୂତା ଟାଣନ୍ତି ।- ଛାଇ ମଣିଷ କହିଲା ।

ତୁମର ଫାୟାର ଆଣ୍ଡ ଫ୍ୟୁରୀ ଟାକଟିସ ଦରକାର । ତୋପର ଗୋଳାରେ ସବୁ ଧ୍ୱଂସ କରିଦିଅ ।- ଅବିନାଶ ସହଜ ସ୍ୱରରେ କହିଲା । ତା କଥାରେ ଭିତରର ଅଗ୍ନି କିନ୍ତୁ ବର୍ଷା ହେଉନଥିଲା ।

ମୁଁ ମଧ୍ୟ ମନରେ ସେଇଆ ଭାବୁଥିଲି । କିନ୍ତୁ ସେଇ ଗୋଟିଏ କଥା ଆମେ ନିୟମରେ ବଦ୍ଧ । ଆଉ କମାଣ୍ଡିଂ ଅଫିସର ଅତି ଶୃଙ୍ଖଳାର ସହ ନିୟମ ପାଳନ କରନ୍ତି ।- ଛାଇ ମଣିଷ କହିଲା । ଅବିନାଶ କିଛି କହିଲାନି । ତା ଭିତରେ ଆଉ ସେମିତି ବଡ ଆନ୍ଦୋଳନ ହେଉନଥିଲା ।

କର୍ନେଲ ସୁରେଶ ବାବୁ ଜଣେ ଅଭିଜ୍ଞ କମାଣ୍ଡର । ପାହାଡରେ କାମ କରିବାର ଅଭିଜ୍ଞତା ମଧ୍ୟ ଅନେକ ଦିନର । ସେ ଅନେକ ଥର ଭାରତ-ଚିନୀ କମିଟିର ବର୍ଡର ମିଟିଙ୍ଗରେ ଯୋଗ ଦେଇଛନ୍ତି । ତେଣୁ ଚିନାମାନଙ୍କ ବ୍ୟବହାର ଜାଣିଛନ୍ତି । ସ୍ଥାନୀୟ ସ୍ତରରେ ସାଧାରଣ ଚିନୀ ସୈନିକମାନେ ତାକୁ ପ୍ରାୟ ଚିହ୍ନିଛନ୍ତି ।- ଛାଇ ମଣିଷ କହୁଥିଲା ।

ପାହାଡର ଏ ସବୁ ଉଚ୍ଚ ସ୍ଥାନରେ ନର୍ଭ ଦରକାର । କର୍ନେଲ ସୁରେଶ ବାବୁଙ୍କର ଷ୍ଟିଲ୍‌ ନର୍ଭ । ସେଠି କିଛି ଘଟିଲେ ନର୍ଭ ଥଣ୍ଡା ରହେନି । ରକ୍ତ ଜମାଟ ନ ବାନ୍ଧି ଜୋରରେ ଦୌଡେ । ସେ କିନ୍ତୁ ଅତି କଷ୍ଟକର ଆଉ ବିପଦପୂର୍ଣ ପରିସ୍ଥିତିରେ ନିଜକୁ ସନ୍ତୁଳନ କରିବା ଜାଣିଥିଲେ । ଅଯଥାରେ କିଛି ଆଗକୁ ନବଢୁ । ପ୍ରକୃତ ସୈନିକର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଶାନ୍ତି । ଯୁଦ୍ଧର ମୁଖ୍ୟ ଲକ୍ଷ୍ୟ ହେଉଛି ଶାନ୍ତିର ଲମ୍ବା ବିରାଜମାନ । ତେଣୁ କର୍ନେଲ ବାବୁ ଏକ ଅତି ଦୂରଦର୍ଶୀ ସୈନିକ ହିସାବରେ ଶାନ୍ତି ଚାହୁଁଥିଲେ ଆଉ ସାମାନ୍ୟ କଥାରେ ବିଚଳିତ ହେଉନଥିଲେ । ଆଉ ପାଟ୍ରୋଲିଙ୍ଗ୍‌ ପଏଣ୍ଟ୍‌ ନମ୍ବର-୧୪ର ତଦାରଖ କରିବା ପାଇଁ ନିଜେ ଯାଇଥିଲେ । – ଛାଇ ମଣିଷ କହିଲା ଆଉ ଟିକିଏ ରହି ପୁଣି କହିଲା ।

ଶାନ୍ତି ମାନେ ନୁହେଁ ତୁମେ ଯାହା ଆଶା କର ତାହା ହେବ ଆଉ ତୁମକୁ ଶାନ୍ତି ମିଳିବ । ଆଗକୁ ଶାନ୍ତି ତୁମକୁ ତିଆରି କରିବାକୁ ପଡିବ, ଶାନ୍ତି ପାଇଁ ତୁମକୁ ନିରନ୍ତର ପ୍ରୟାସକରିବାକୁ ପଡିବ । ତୁମକୁ ବଳୀଦାନ ଦେବାକୁ ପଡିବ । ଆଉ ତାହା ପ୍ରାଣ ବଳିଦାନ ବି ହୋଇପାରେ ।- ଛାଇର କଥା ଆବେଗରେ ଭରା ଥିଲା ।

ହଁ ସତ କଥା । ଯୁଦ୍ଧର ଲକ୍ଷ୍ୟ ହେଉଛି ଶାନ୍ତି । ମହାଭାରତ ତ ସେଇଆ କହୁଛି । କର୍ନେଲ ସୁରେଶ ବାବୁଙ୍କର ଲକ୍ଷ୍ୟ ମହତ୍ ।- ଅବିନାଶ କହିଲା ।

କିନ୍ତୁ ଘଟଣା ତାଙ୍କ ଆକଳନ ହିସବାରେ ଘଟିଲାନି । ଚୁକ୍ତି ହିସାବରେ ସେ ଯାଗାରୁ ଚିନୀମାନେ ହଟିଯିବା କଥା । କିନ୍ତୁ ହଟି ନଥିଲେ । ଆଗର କଥା । ସକଳାର ଭାଷାକୁ ଏ ଚିନୀମାନେ ଜାଣିକରି ସଂଜକୁ ଭୁଲିଯାଆନ୍ତି ।- ଛାଇ କହିଲା । ଅବିନାଶ ମୁଣ୍ଡ ହଲାଉଥିଲା । ଆଖି ତରାଟି ହେଉନଥିଲା ।

ସେମାନେ ନୂଆ ସୈନିକ ଥିଲେ । ଜାଣିକରି ନୂଆ ଲୋକ ଆସିଥିଲେ । ଆଉ ଲୋକଗୁଡା ବଡ ଉଦ୍ଧତ । – ଛାଇ କହିଲା ।

ମୁଁ ମଧ୍ୟ ସାଧାରଣ ଜୀବନରେ ଔଦ୍ଧତ୍ୟକୁ ଭଲ ପାଏନି । ଉଦ୍ଧତ ପଣିଆ ହେଉଛି ମୂର୍ଖାମୀ ।- ଅବିନାଶ କହିଲା ।

ଏଇଟା ସାଧାରଣ ମଣିଷ ଅବିନାଶ କହୁଥିଲା । ଅବିନାଶ କେବଳ ଖଟରେ ପଡି ବଡ ବଡ କଥା କହେ, ବିରାଟ ଭାଷଣ ଦିଏ ଆଉ ଏକ କୋଠରୀ ବା ଚା ଖଟିରେ ଗପି ସାରା ପୃଥିବୀକୁ ପଦାନତ କରେ । ଗୁରୁତେଜ ସିଂ ଭିତରୁ କହୁଥିଲେ ଅବିନାଶ ନିଜ ଯାଗାରୁ ଏକ ବିରାଟ ଲମ୍ଫ ଦେଇଥାନ୍ତା, ସେ ଚିନୀର ବେକକୁ ଧରି ତଳେ ପକାଇଥାନ୍ତା, ତାକୁ ଉତ୍ତମ ମଧ୍ୟମ ଦେଇଥାନ୍ତା ଆଉ ତା ଉପରେ ଆଣ୍ଠୁ ପକାଇ ତାକୁ ତଳେ ମାଡି ବସିଥାନ୍ତା । ଏମିତିଆ କଥା ଭାବି ଆଖି ଫାଡି ହୋଇଯାଇଥାନ୍ତା । ଏମିତି କିଛି ବଦଳିବା ଅବିନାଶ ଦେହରେ ଘଟୁନଥିଲା । ସାଧାରଣ ପୁରୁଣା ଅବିନାଶ । କେବଳ ସାମାନ୍ୟ କଥା କହୁଥିବା ପୁରୁଣା ଅବିନାଶ ।

ସେଇ ମୂର୍ଖାମୀ ପରେ ବିରାଟ ଆକାର ଧାରଣା କରିନେଲା । ସୈନ୍ୟବାହିନୀରେ ରାଙ୍କ୍‌ଙ୍କର ସମ୍ମାନ ଏକ ଘଷରା ହେଉନଥିବା ନିୟମ । ଉପର ରାଙ୍କ୍‌ର ପଦାଧିକାରୀଙ୍କୁ ତଳ ରାଙ୍କ୍‌ର ପଦାଧିକାରୀ ଉପଯୁକ୍ତ ସମ୍ମାନ ଦେବ । ଏକ ସାଧାରଣ ସୈନିକ ଉଦ୍ଧତ ଭାବେ କମାଣ୍ଡରଙ୍କ ସହ କଥା ହେବାକୁ ଭାବିବି ପାରିବନି । ଅନୁଶାସନ ହେଉଛି ସୈନ୍ୟର ରକ୍ତରେ ଦୌଡୁଥିବା ଲାଲ କଣିକା । କିନ୍ତୁ ଏ ନୂଆ ଚିନୀଗୁଡାକ ଜାଣିକରି ଅସମ୍ମାନ କରିବାକୁ ଆରମ୍ଭ କଲେ ।- ଛାଇ କହିଲା ।

ସାଧାରଣ ଅବିନାଶ ମନରେ ରାଗ ଆସୁଥିଲା । ସବୁ ସହିହେବ କିନ୍ତୁ ଔଦ୍ଧତ୍ୟ ସହି ହେବନି । ଏହି ଔଦ୍ଧତ୍ୟ ପାଇଁ ତ ସ୍ବର୍ଣ୍ଣଲଙ୍କା ଜଳିପୋଡି ପାଉଁଶ ହୋଇଯାଇଥିଲା । ତା ଆଖିରେ ନିଆଁ ଜଳିବା ଆରମ୍ଭ କରୁଥିଲା । ପୁଣି ତାକୁ ଲାଗୁଥିଲା ପୁରୁଣା ଗୁରୁତେଜ ଲମ୍ଫ ଦେବାକୁ ପ୍ରସ୍ତୁତ ହେଉଛି । ଛାଇ ମଣିଷ ଅବିନାଶ ଆଡକୁ ନ ଅନାଇ ବାହାରକୁ ଅନାଇଥିଲା । ତାପରେ କହିବାକୁ ଲାଗିଲା ।

କର୍ଣେଲ ସୁରେଶ ବାବୁ ନିଜେ ଅପ୍ରସ୍ତୁତ ହୋଇଗଲେ । ଏମିତି କିଏ କଥାବାର୍ତ୍ତା କରିପାରେ ସେ ଭାବି ପାରୁ ନଥିଲେ । ତାଙ୍କ ସାଙ୍ଗରେ ଥିବା ସୈନ୍ୟମାନେ ତ ରାଗରେ ଥରିଗଲେ । କିଛି ନା କିଛି ହୋଇଯାଇଥାନ୍ତା । କିନ୍ତୁ ସେ ସେମାନଙ୍କୁ ଅଟକାଇଲେ । ଚିନୀଗୁଡା ଭାରତୀୟ ସୈନ୍ୟଙ୍କର ଧୈର୍ଯ୍ୟର ପରୀକ୍ଷା ଯେମିତି ନେଉଥିଲେ । ସେ ଭିତରୁ ଏକ ଅତି ଅଭଦ୍ର ସୈନିକ ଆସି କର୍ନେଲଙ୍କୁ ଧକ୍କା ମାରିଲା ଆଉ ସେ ତଳେ ପଡିଗଲେ । କଥାଟା ତାପରେ ଅଣାୟତ୍ତ ହୋଇଗଲା ।

କଣ ହେଲା? ଏକ ସାଧାରଣ ସୈନିକ ଆସି କମାଣ୍ଡରଙ୍କୁ ଧକ୍କା ମାରିଦେଲା ଆଉ କର୍ନେଲ ବାବୁଙ୍କ ଭଳି ଭଦ୍ରଲୋକଙ୍କୁ । ମୋର ରକ୍ତ ଯେମିତି ଫୁଟୁଛି ।- ଅବିନାଶ ଏକଦମ୍‌ ଠିଆ ହୋଇଗଲା । ଗୁରୁତେଜ ସିଂ ଜୀବନ ପାଇବାକୁ ଆରମ୍ଭ କରୁଥିଲା । ତାର ଆଖି ଏବେ ଜଳିବାକୁ ଲାଗିଲା ଆଉ ହାତର ଶୀରାସବୁ ଫୁଲିଗଲା । ତାକୁ ଲାଗିଲା ସେ ଯେମିତି ଯୁଦ୍ଧର ଏକ ପାତ୍ର ହୋଇଯାଉଛି ।

ତୁମେ ମୋତେ ସେଇଠାକୁ ନେଇଯାଇ ପାରିବ । ମୋର କିଛି କରିବାର ଅଛି । ଏ ସବୁ ଶୁଣି ମୁଁ ବସି ପାରିବିନି ।- ଅବିନାଶ କହିଲା । ଛାଇ ତାକୁ ଅନାଇଲା । ଅବିନାଶ କି ଅସମ୍ଭବ କଥା କହୁଛି ! ଅବିନାଶ କିନ୍ତୁ ଦେହରେ କିଛି କମ୍ପୁଥିବା ଅନୁଭବ କରୁଥିଲା ।

ଏକ ବର୍ଣ୍ଣନା କରି ହେଉନଥିବା ଶିହରଣ ଦେହରେ ବୋହିଯିବ । ନିଜେ ସମରର ବୀର ନହେଲେ କଣ ହେବ, ନିଜକୁ ତ ଯୁଦ୍ଧର ଏକ ସୈନିକ ଭଳି ଲାଗିବ ।- ଅବିନାଶ ଅନୁରୋଧ କରି କହିଲା । କିନ୍ତୁ ତାର ସ୍ୱର ଥରୁଥିଲା । ତାକୁ ଲାଗୁଥିଲା ସେ ଯଦି ୧୬- ବିହାରର ସୈନିକ ହୋଇଥିଲେ ଆଉ ମୋଟେ ଅଟକି ନଥାନ୍ତା ।

ତୁମର ରକ୍ତ କଣ ବରଫର ଥଣ୍ଡା ହୋଇଥିବା ପାଣି ହୋଇଯାଇଥିଲ ନା କଣ?- ଅବିନାଶ କଥାରେ ସାମାନ୍ୟ ତାଚ୍ଛଲ୍ୟ ଫୁଟୁଥିଲା । ଛାଇ ମଣିଷ ଏ ପର୍ଯ୍ୟନ୍ତ କିଛି ବଡ କଥା କହିନି । ଏତେ ଅସମ୍ମାନରେ ଗୁଳି ଫୁଟନ୍ତା, ରକ୍ତ ବୋହୁଥାନ୍ତା । ଛାଇ ଧାରଧାର ବୋହୁଥିବା ରକ୍ତ କଥା କହୁନି କାହିଁକି?

ଅବିନାଶ ଲାଗୁଛି ତୁମେ ଦେହରେ ଏକ ଅଗ୍ନିର ସ୍ଫୁଲିଙ୍ଗ ଅନୁଭବ କରୁଛ । ସେ ନିଆଁର କଣିକା ସବୁଠାକୁ ଛୁଟୁଛି ।- ଛାଇ କହି ଟିକେ ଅଟକି ଗଲା । ଅବିନାଶର ନିଃଶ୍ୱାସ ସାମାନ୍ୟ ଖର ଥିଲା । କିନ୍ତୁ ସେଥିରୁ ଧୂଆଁ ବାହାରୁ ନଥିଲା । ସେ ଆର୍ମିର କଳ, କୌଶଳ, ଧୈର୍ଯ୍ୟ ଇତ୍ୟାଦି ଜାଣିନି । ତେଣୁ ଅଭାବନୀୟ କଥାଗୁଡା କହି ଚାଲିଛି । ଛାଇ ପୁଣି ନିଜ କଥା କହିବାକୁ ଲାଗିଲା ।

ଅବିନାଶ, ସବୁବେଳେ ପ୍ରକୃତ ଯୁଦ୍ଧର ଅଭିଜ୍ଞତା ବହୁତ ଭିନ୍ନ । ସେ ରୋମାଞ୍ଚ ତୁମେ ବର୍ଣ୍ଣନା କରିପାରିବନି । ଯୁଦ୍ଧକ୍ଷେତ୍ରରେ ସବୁକିଛି ଏକଦମ୍‌ ଠିକ୍‌ ଭାବେ ହେବା ଦରକାର । ସେଥିରେ ସାମାନ୍ୟ ଭୁଲର ଅବକାଶ ନାହିଁ । ଟିକିଏ ଭୁଲ ମାନେ ହେଉଛି ଶତ୍ରୁର ବୁଲେଟ ତୁମ ଛାତିରେ ବାଜିବ ଆଉ କ୍ଷଣକରେ ମୃତ୍ୟୁ । ପ୍ରକୃତ ଯୁଦ୍ଧରେ ମନ, ଶକ୍ତି ତଥା କୌଶଳ, ଏସବୁର ଚରମ ସମନ୍ୱୟ ରିହିବା ଆବଶ୍ୟକ । ସେଇ ସମନ୍ୱୟ, ସମୟର ଅଭାବ ଆଉ ଅନିଶ୍ଚିତତା ଯୁଦ୍ଧର ରୋମାଞ୍ଚ ବଢାଇଦିଏ । ଆଉ କର୍ନେଲ ବାବୁ ମନ, ବୁଦ୍ଧି ଆଉ କୌଶଳରେ ପ୍ରକୃତ ସୈନିକ ଥିଲେ । ସେ ଶତ୍ରୁର ଶକ୍ତିକୁ ଆକଳନ କରିନେଉଥିଲେ ଆଉ ପାଟ୍ରୋଲିଙ୍ଗ ପଏଣ୍ଟ ନମ୍ବର-୧୪କୁ ଶତ୍ରୁ କବଳରୁ ମୁକ୍ତ କରିବାକୁ ପଣ କରିଥିଲେ । ଟେଣ୍ଟ ଗୁଡାକୁ ଜଳାଇ ଦିଆଯାଇଥିଲା । ତେଣୁ ସେ ହଠାତ୍ ପ୍ରତିକ୍ରିୟା କଲେନି । – ଛାଇ କହିଲା ।

ତୁମ କଥା ଶୁଣି ମୁଁ ଆଉ ଯେମିତି ରହି ପାରୁନି । ମୋତେ ଲାଗୁଛି ମୁଁ ସୈନିକ ହୋଇଯାଇଥିଲେ ଭଲ ହୋଇଥାନ୍ତା । ମୁଁ କିନ୍ତୁ ଆହୁରି କିଛି କରିଥାନ୍ତି ।- ଅବିନାଶ କହିଲା ।

ଛାଇ ଟିକେ ହସିଲା । ଅବିନାଶ ଯୁଦ୍ଧ ବିଷୟରେ ଜାଣେ କେତେ ? ସେ ଯୁଦ୍ଧକୁ ରାଜରାସ୍ତାରେ ଗଡୁଥିବା ମଦୁଆଙ୍କ କଳି ବୋଲି ଭାବିଛି ବା ସାଧାରଣ ଛେରୁଆ ଲୋକଗୁଡା ବୃଥାରେ ଗର୍ଜ୍ଜନ କରି ଡ୍ରେନରେ ଗଡି ପଡୁଥିବା ଘଟଣା ବୋଲି ଭାବିଛି । ଯୁଦ୍ଧରେ ଅତି ନିୟମବଦ୍ଧ ସୈନିକମାନେ ଲେଢଇ କରନ୍ତି । ସେମାନେ ମାସ ମାସ ଧରି ସଂଜମ ଆଉ ନିୟମ ତଥା କୌଶଳ ବିଷୟରେ ଶିକ୍ଷା ପାଇଥାନ୍ତି । ଶୃଙ୍ଖଳାବଦ୍ଧ ମଣିଷର ଲଢେଇ ଅଉ ସଂମ୍ପୂର୍ଣ ବିଶୃଙ୍ଖଳିତ ପାଗଳର ବାଚାଳାମୀ, ଏ ଦୁଇଟି ଏକ ରେଖାର ଦୁଇ ବିପରୀତ ବିନ୍ଦୁ, ଦୁହେଁ ସଂମ୍ପୂର୍ଣ ଅଲଗା । ଅବିନାଶ ଶୃଙ୍ଖଳାବଦ୍ଧ ମଣିଷ ହିସାବରେ ଭାବିବା ଦରକାର ।

ଅବିନାଶ, ଯୁଦ୍ଧରେ ତୁମର ସତର୍କତା ଚରମ ସୀମାରେ ରହିବାର ଆବଶ୍ୟକତା ଅଛି । ଶତ୍ରୁର ପ୍ରତି ଚାଲକୁ ଆଗରୁ ଆକଳନ କରିନେବାର ଅଛି । ତୁମର ଚାଲାକିକୁ ସାମନେ ଜାଣି ନପାରିବାର ଆବଶ୍ୟକତା ଅଛି । ଏବେ ଯୁଦ୍ଧ ତ ହେଉଛି ମନରେ, ତାପରେ ଯୁଦ୍ଧ ପ୍ରତିଫଳିତ ହେଉଛି ରଣକ୍ଷେତ୍ରରେ । ମନ ଭିତରେ ବହୁତ କିଛି ଆକଳନ କରିନେବା ହେଉଛି ପ୍ରକୃତ ଯୁଦ୍ଧ । ତରବାରୀର ପ୍ରବଳ ଶକ୍ତିିର ଆବଶ୍ୟକତା ନାହିଁ । ଆବଶ୍ୟକତା ଅଛି ତରବାରୀର ଧାରର ତୀକ୍ଷଣତାରେ, ଆଉ ପ୍ରହାର ହେଉଥିବା ସ୍ଥାନର ଦୁର୍ବଳତା ଉପରେ । ଏକ ଗଦା ପ୍ରହାରରେ ଏକ ବ୍ୟକ୍ତିର ମୃତ୍ୟୁ ହୋଇପାରେ କିନ୍ତୁ ତା ଠାରୁ ବହୁତ କମ ଶକ୍ତି ଖର୍ଚ୍ଚ କରି ଏକ ଶତ୍ରୁକୁ ବଧ କରାଯାଇପାରେ । ଏକ ଯୁଦ୍ଧରେ ପ୍ରବଳ ଶକ୍ତିର ଆବଶ୍ୟକତା ଅଛି ତ ଅନ୍ୟ ଯୁଦ୍ଧରେ ଆବଶ୍ୟକତା ଅଛି ରଣ କୁଶଳତା ଆଉ ତୀବ୍ରତାରେ । ତେଣୁ ଆଜିକାଲି ସୈନ୍ୟ କୁଶଳତା ଆଉ ତୀବ୍ରତାରେ ବିଶ୍ୱାସ କରନ୍ତି ।- ସେ ଛାଇ କହିଲା । ଅବିନାଶର ମନରେ ଯୁଦ୍ଧ ପ୍ରତି ଆକର୍ଷଣ ଚରମ ସୀମାରେ ଯେମିତି ଥିଲା ।ତାର ହାତ ପାଦ ସ୍ପ୍ରିଙ୍ଗ୍‌ ଭଳି ଉଚ୍ଛୁଳିବାକୁ ପ୍ରସ୍ତୁତ ହୋଇ ରହିଥିଲା । ଯୁଦ୍ଧ କେବଳ ଏକ ରଣକ୍ଷେତ୍ରର ପରିଚୟ ନୁହେଁ , ଯୁଦ୍ଧ ହେଉଛି ବିଚାର ବୁଦ୍ଧିର ଏକ ବହୁତ ବଡ ପଡିଆର ଚେସ୍‌ ଖେଳ ।

ମୋତେ ସେଇଠିକୁ ନେଇ ପାରିବ ? ମୁଁ ସେଇଠି ତୁମ ବର୍ଣ୍ଣିତ ସବୁ ସମର କଳାର ପ୍ରଦର୍ଶନ ନିଜ ହିସାବରେ ଦେଖିନେବି ଆଉ ନିଜ ହିସାବରେ ନିଜର ବୁଦ୍ଧିକୁ ପରେ ସଜାଇ ନେବି । ।- ଅବିନାଶ କହିଲା । ତାକୁ ଲାଗୁଥିଲା ହୁଏତ ଛାଇ ତା ଆଗରେ ସେ ସବୁକିଛି ଆଉଥରେ ପ୍ରଦର୍ଶିତ କରିଦେଇପାରେ ।

ତୁମକୁ ଦିବ୍ୟଦୃଷ୍ଟି ଦେବି ଅବିନାଶ । ତୁମେ ସେ ସ୍ଥାନରେ ଥାଇ ଯୁଦ୍ଧ ନିଜ ଆଖିରେ ଦେଖିପାରିବ ।- ଛାଇ କହିଲା । ଛାଇର ମୁହଁରେ ଟିକିଏ ହସ ଥିଲା ଭଳି ଲାଗିଲା ।

ଦିବ୍ୟ ଦୃଷ୍ଟି ! ସତରେ ତୁମେ ଦେଇ ପାରିବ ? ସତରେ ମୋର ଆଶା ପୁରଣ ହେବ!ସତରେ ମୁଁ ସେ ଯାଗା ନିଜ ଆଖିରେ ଦେଖି ପାରିବି! – ଅବିନାଶ ନିଜ ଯାଗାରୁ ପ୍ରାୟ ଉଚ୍ଛୁଳି ଗଲା ଭଳି ହୋଇ କହିଲା ।

ତା’ପରେ

ଲୋକପ୍ରିୟ ଲେଖା

To Top