ଉପନ୍ୟାସ

ମୁଠାଏ ମାଟି

Ashok Biswal's Odia Novel Muthae Maati

ମୁଁ ତ୍ରିରଙ୍ଗା ଉଡାଇ ଫେରିବି କମ୍ବା ମୋର ଶରୀର ତ୍ରିରଙ୍ଗାରେ ଆବୃତ ହୋଇ ଫେରିବ । କିନ୍ତୁ ମୁଁ ଫେରିବି ନିଶ୍ଚୟ ।

ମୁଠାଏ ମାଟି

-: ପୂର୍ବରୁ :-

ଡରରେ ଅବିନାଶ କିଛି କ୍ଷଣପାଇଁ ଚୁପ୍ ହୋଇଗଲା । ଆଶ୍ଚର୍ଯ୍ୟଜନକ ଭାବେ ବାହାରେ ସବୁକିଛି ନିସ୍ତବ୍ଧ ଥିଲା । କେବଳ ତଳେ ଅନ୍ଧାରରେ ପାଣିର ଶବ୍ଦ ଶୁଣାଯାଉଥିଲା ।

ଅବିନାଶକୁ ଲାଗିଲା ସେ ଯେମିତି କିଛିରେ ଜୋରରେ ପିଟି ହୋଇଯାଉଛି । ତାର ହାତ ଗୋଡ ସବୁ ଚୂନା ହୋଇଯାଉଛି । କେଉଁ ଶୂନ୍ୟରୁ ଖସି ପଥରରେ ବାଡେଇ ହୋଇ ସବୁ ଭାଙ୍ଗିଯାଉଛି । କିଛି କରିବାର କର୍ତ୍ତବ୍ୟ ନାହିଁ ।

ହଠାତ୍ ଅବିନାଶକୁ ଲାଗିଲା ତାର ନିଃଶ୍ୱାସ ବନ୍ଦ ହୋଇଗଲା । ତାର ଛାତିଟା ଫାଟିଗଲା ନା ସେ ପାଣିରେ ବୁଡିଗଲା କିଛି ଜାଣିପାରିଲାନି । ଏଠାକୁ ଆସିବାର ନିୟମ ହିସାବରେ ସେ ବସିକରି ସବୁକିଛି ଦେଖିବ । ତାର କିଛି ହେବା କଥା ନୁହେଁ । ଏହି ସର୍ତ୍ତରେ ତ ସେ ଏଠାକୁ ଆସିଛି । ହଠାତ୍ ନିଃଶ୍ୱାସ ବନ୍ଦ ହୋଇଯିବାର କିଛି କାରଣ ନାହିଁ ।

କାନରେ କେବଳ ନଦୀର ଶବ୍ଦ । ପୁଣି ତାକୁ ଲାଗିଲା ତାର ଦେହ ବରଫ ହୋଇଯାଉଛି । ଆଉ ଦେହରେ ଗରମ ରକ୍ତ ଚାଲୁନି । ହାତ ଗୋଡ ଅଛି କି ନାହିଁ ସେ ଜାଣି ପାରୁନି । କିନ୍ତୁ ସବୁ ବରଫ ହୋଇଯାଉଛି । ହୃତପିଣ୍ଡଟା ବନ୍ଦ ହୋଇଗଲା ନା କଣ ?ସେମିତି ହେଲେ ? ଓଃ । ସେ ସମାଧି ନେବାକୁ ତ ହିମାଳୟ ଆସିନି । ଏମିତି କେମିତି ହୋଇଯାଉଛି ? ସେ କେବଳ ଦେଖିବାର କଥା । ସେ ନିଜେ କେଉଁ ଘଟଣାର ପାତ୍ର ନୁହେଁ । ତେଣୁ ତାର କିଛି ହେବା କଥା ନୁହେଁ । କିନ୍ତୁ ତାକୁ ଆଶ୍ଚର୍ଯ୍ୟକର ଅନୁଭୂତି ଆସୁଥିଲା ।

ପୁଣି ତାକୁ ଲାଗିଲା ପାଣିରେ ତା ଦେହ ଭାସିଯାଉଛି । ଛାଇ କହିଥିବା କଥା ହିସାବରେ ସେ ତଳକୁ ଆସିପାରିବ । ନଦୀ ପାଣି ପର୍ଯ୍ୟନ୍ତ ଆସି ପାରିବ । କିନ୍ତୁ ଭାସି ଯିବା କଥାଟା ? ସେ ସତକୁ ସତ ଯଦି ପାଣିରେ ଡୁବିଯାଏ ? ତାକୁ ଏକଦମ ଅଣନିଃଶ୍ୱାସୀ ଲାଗିଲା ଯେମିତି ସେ ଶହେ ଢୋକ ପାଣି ପିଇନେଲାଣି । ଆଉ ଫୁସଫୁସରେ ପବନ ପାଇଁ ଯାଗା ନାହିଁ । ହୃତପିଣ୍ଡଟା ଥଣ୍ଡା ହୋଇଗଲାଣି ନା କଣ ? କିଛି ଘଟୁଛି ନିଶ୍ଚିତ ।

ଏବେ ଆଉ ତାର ମନ କାମ କଲାନି । ତାର ଶରୀରର ରିଫ୍ଲେକ୍ସ ଆକସନ ତାର ଚେତନାକୁ ଢାଙ୍କିଦେଲା ଆଉ ସେ ପାଣିରୁ ବାହାରିଯିବା ପାଇଁ ଛାଟିପିଟି ହେଲା । ଅଘଟଣ ସମୟରେ ଶରୀର ଭିତରେ କିଛି ସବୁକାମକୁ ନିଜ ନିୟନ୍ତ୍ରଣରେ ନେଇଯାଏ ଯାହାକୁ ଆମେ ରିଫ୍ଲେକ୍ସ ଆକସନ କହୁ । ଶରୀରକୁ ବଞ୍ଚେଇବା ପାଇଁ ଶେଷ ଆଡକୁ ମନ ଆଉ ବୁଦ୍ଧି କାମ କରେନି । ଶରୀର ଭିତରେ ଏକ କମ୍ପ୍ୟୁଟର କୋଡ୍ ଅଛି । ଆଉ ସବୁ କିଛି ବିଫଳ ହୋଇଗଲେ ସେଇ କୋଡ୍ନିଜକୁ ନିଜେ କାମ କରିବାକୁ ଆରମ୍ଭ କରିନିଏ । ଶରୀର ମନ ବିନା ନିଜକୁ ରକ୍ଷା କରିବାକୁ ଚେଷ୍ଟା କରେ । ସେମିତି କିଛି ଘଟୁଥିଲା ମନକୁ ମନ ତା ମୁହଁରୁ ଟିକେ ବଞ୍ଚାଅ, ବଞ୍ଚାଅ ଶବ୍ଦ ବାହାରି ଆସିଲା । ଏସବୁ ସେ ଜାଣିକରି କରୁନଥିଲା ।

ହଠାତ୍ ଏକ ପ୍ରବଳ ବତାସ ବୋହିଲା । କିଏ ଯେମିତି ତାକୁ ପାଣି ଭିତରୁ ଜୋରରେ ଛାଣି ଆଣୁଛି । ତାର ଶରୀର ପବନରେ ଭାସୁଥିବାର ସେ ଅନୁଭବ କଲା । କିଛି ସମୟ ତା ଶରୀର ଶୁନ୍ୟରେ ସ୍ଥିର ହୋଇଯାଇଥିବାର ସେ ଜାଣି ପାରୁଥିଲା । ତଳୁ ଅତି କରୁଣ ଆର୍ତ୍ତନାଦ କ୍ରମାଗତ ଭାବେ ଭାସି ଆସୁଥିଲା । ପାଣିର ଶବ୍ଦ ଜୋରରେ ଶୁଣାଯାଉଥିଲା । ଚାରିଆଡ ଘନଘୋର ଅନ୍ଧାର ଥିଲା । ତାର ଛାତି ଜୋରରେ ଧକ୍ ଧକ୍ କରୁଥିଲା ଆଉ ସେ ଜୋରରେ ବଡ ନିଃଶ୍ୱାସମାନ ନେଉଥିଲା । କଣ ଘଟୁଛି ଜାଣିବାକୁ ତାର ବୁଦ୍ଧି ନଥିଲା । ତାପରେ ବେଶ ଜୋରରେ ସୁ-ଉ-ଉ ଶବ୍ଦ ହେଲା ଆଉ ସେ କେଉଁଠିକି ଟାଣି ହୋଇଯାଉଥିବାର ଅନୁଭବ କଲା ।

ଏବେସେ ଯେମିତି ଜୋର୍‌ରେ କଚାଡି ହୋଇପଡିିଲା ଓ ଅନ୍ଧକାର କମିଗଲା । ଅବିନାଶ ନିଜକୁ ନିଜ ଘରେ ଆବିଷ୍କାର କଲା । ସେ ପ୍ରଥମେ ନିଜ ହାତ ଗୋଡ ଅଣ୍ଡାଳି ପକାଇଲା । ସବୁକିଛି ଠିକ ଅଛି । ହାତ ଗୋଡ ଜୋରରେ ନିଜ ଇଚ୍ଛାରେ ହଲାଇଲା । ସବୁ ଚାଲୁଛି । ଛାତିରେ ହାତ ଦେଲା । ହୃତପିଣ୍ଡଟା ବ୍ରାହ୍ମଣୀ ବେଙ୍ଗ ଭଳି ଜୋରରେ ଡେଉଁଥିଲା । ଆଉ ସବୁ ଠିକ ଅଛି । ସେ ବୋହେ ନିଃଶ୍ୱାସ ନେଇଗଲା । ଧିରେ ତାର ଛାତି ସାଧାରଣ ଭାବେ ଡେଇଁବା ଆରମ୍ଭ କଲା ।

ତୁମେ ମୋତେ କଣ ନା କଣ କରିଦେଇଥିଲ ।- ଅବିନାଶ ତାକୁ ଆକ୍ଷେପ କରି କହିଲା ।

ଯୁଦ୍ଧର ଘନଘୋଟ ଲଢାଇ ଦେଖିଲ । – ଛାଇ କହିଲା । ଏକ ମେସିନର ଶବ୍ଦ ଭଳି ତାର କଥା ଥିଲା ।

ଆଉ ଟିକକରେ ମୋତେ ମାରି ଦେଇଥାନ୍ତ ।- ଅବିନାଶ ପୁଣି ଟିକେ ରହିଯାଇ କହିଲା ।

ସେମିତି ତ ହୋଇନଥାନ୍ତା । ଦେଖ ତୁମେ ଫେରି ଆସିଛ । ତୁମେ ପାତ୍ର ନଥିଲ । ତୁମେ ମରି ପାରି ନଥାନ୍ତ ।

କିନ୍ତୁ ସେଇଟା ତୁମ ଭାବିବାର ଆଉ କହିବାର କଥା । ତୁମେ ମୋତେ ନିଶ୍ଚିତ ଭାବେ ମାରିବାର ସବୁ ପ୍ରବନ୍ଧ କରିଥିଲ । ଏକ ଭୂତର କଥାକୁ ମୁଁ କଣାପଇଁ ବିଶ୍ୱାସ କରୁଥିଲି ?- ଅବିନାଶ କହିଲା । ତାକୁ ନିଜ ଉପରେ ରାଗ ଆସୁଥିଲା । ଭୂତମାନେ ତ ଏମିତି ଘଟଣାମାନ ତିଆରି କରି ଭଲ ମଣିଷକୁ ଭେଟଣା କରନ୍ତି । ଲାଗେ ସବୁକିଛି ଠିକ ଭାବେ ହେଉଛି, କିନ୍ତୁ କିଛି ଠିକଭାବେ ଘଟେନି । ମଣିଷ ଅବେଳରେ ମରେ ।

ଛାଇ କିଛି କହିଲାନି । ଏକ ଲମ୍ବା ନିଃଶ୍ୱାସ ନେଲା । ଏଇ ତ ଅବିନାଶର ପୁରୁଣା ଗୁଣ ବାହାରିଲାଣି । ସେ ଦେଖିଥିବା ମହାନ ଅଭିଜ୍ଞତାକୁ କେମିତି ହିସାବରେ ନେଉଛି । କଣ ମନକୁ ମନ ବକୁଛି । ଧନ୍ୟବାଦ ଦେବା ବଦଳରେ ଆକ୍ଷେପ କରି ଚାଲିଛି । ଏମିତି ଅଭିଜ୍ଞତା କେତେଜଣଙ୍କ ଭାଗ୍ୟରେ ଘଟେ ?

ଅବିନାଶ । ଆଗରକଥା ହିସାବରେ କେତେ ଯାଗାକୁ ତୁମେ ଯାଇ ପାରିବାର ଥିଲା । ଶେଷଟା ଥିଲା ଗଲୱାନ ନଦୀର ପାଣି । ସେଇ ନଦୀ କଥା ଭାବିବା ସହ ତୁମେ ସେଠାକୁ ଟାଣି ହୋଇଗଲ ।- ଛାଇ କହିଲା ।

ଘଟଣାମାନ ସହ ତୁମେ ଟାଣି ହୋଇଯାଇଥିଲ ଅବିନାଶ । ତୁମକୁ କେହି ମାରୁ ନଥିଲା । ତୁମକୁ ପ୍ରକୃତ ଅଭିଜ୍ଞତା ମିଳୁଥିଲା । – ଛାଇ କହିଲା ଉଦାସ ହୋଇ ।

ଓଃ! କି ଥଣ୍ଡା ପାଣି । ଦେହଟା ପୁରା ବରଫ ହୋଇଯାଉଥିଲା ।- ଅବିନାଶ କହିଲା । ତା ଦେହ ଯେମିତି ଥଣ୍ଡାରେ ଥରୁଥିଲା ।

ତୁମର ସେ ଯାଗାର ଅଭିଜ୍ଞତା । ତୁମେ ସ୍ଥାନ ସହ ବାତାବରଣର ଅନୁଭୂତ ନେଇନେଲ ।- ଛାଇ ପୁଣି ବୁଝାଇଲା । ସ୍ୱରର ଉଦାସୀନତା କମି ନଥିଲା ।

ଏ ଥଣ୍ଡା ପାଣିରେ ଭାସିବା ତ ଅସ୍ତ୍ରରେ ମରିବାର କଷ୍ଟ ଠାରୁ ବି କଷ୍ଟ ।- ଅବିନାଶ କହିଲା ।

ସୈନିକର ପ୍ରତି ଦିନର ଜୀବନ ଅବିନାଶ । ପ୍ରତି ଦିନର ଜୀବନ । ଶତ୍ରୁ ସହ ଅନବରତ ସଂଘର୍ଷ । – ଛାଇ ଆଗକୁ କିଛି ନକହି କେତେଟା ଶବ୍ଦ ଘୋଷି ହେଲା । ଅବିନାଶ ଅର୍ଥ ବୁଝି ପାରୁଥିଲା । ସୈନିକ ସେଇ ସବୁ ପର୍ବତ, ବରଫ ଆଉ ପାଣି ସହ ଅହରହ ଯୁଦ୍ଧ କରିଚାଲିଛି । ତା ଉପରେ ଚିନୀମାନେ ମଣିଷ ହିସାବରେ ଆଉ ଏକ ଶତ୍ରୁ ।

ମୋତେ କ୍ଷମା କର । ମୁଁ କିଛି ଜାଣିପାରିଲିନି । ମୁଁ ଏକ ସାଧାରଣ ମଣିଷ ।- ଅବିନାଶ କହିଲା । ନିଜକୁ ସମ୍ଭାଳି ନପାରି ଏମିତି ସେମିତି କହିଥିବାରୁ ତାକୁ ନିଜକୁ ଖରାପ ଲାଗୁଥିଲା । ଛାଇ ଯୋଗୁ ଏ ଅଭିଜ୍ଞତା ସମ୍ଭବ ହେଲା । ନହେଲେ ସେ ଖାଲି ଖବରକାଗଜ ପଢା ଘଟଣା ଭିତରେ ସୀମିତ ଥାଆନ୍ତା ।

ଯୁଦ୍ଧର ପ୍ରକୃତ ଥ୍ରୀଲ ବହୁତ ବହୁତ ଭିନ୍ନ । ସେଥିର ପଟ୍ଟାନ୍ତର ନାହିଁ । ଜଣେ ଘରେ ବସି ତାକୁ କେବେ ଅନୁଭବ କରିପାରିବନି ।- ଅବିନାଶ କହିଲା । ତାକୁ ବଡ ଅନୁତାପ ଲାଗୁଥିଲା । ଅଯଥାରେ କିଛି ବୁଝିନପାରି ଛାଇକୁ ଆକ୍ଷେପ କରି ଭୂତ କହିଛି । ଛାଇ କିଛି କହିଲାନି ।

ତୁମର ବଳିଦାନର ସତରେ କିଛି ତୁଳନା ନାହିଁ ।- ସେ ଛାଇ ଉଦ୍ଧେଶ୍ୟରେ କହିଲା ।

ଅବିନାଶ । ତୁମେ ତାହେଲେ ଏବେ ମୋ ବଳିଦାନ କଥା ଭାବୁଛ । ଯାହାହେଉ ଭାବୁଛ ତ ।- ଛାଇ କହିଲା । ସ୍ୱର ସେମିତି ଉଦାସୀନ ଥିଲା । ଛାଇର ସ୍ୱରରେ କିନ୍ତୁ ଦୁଃଖ ଥିଲା । ଜାଣି ହେଉଥିଲା ।

ତୁମପାଇଁ କେବଳ ମୁଁ ଏତେ ଦେଖିପାରିଲି । କି ଲୋମହର୍ଷଣକାରୀ ଅନୁଭୂତି!- ଅବିନାଶ କହିଲା ।

ତାପରେ ଅବିନାଶ ମନରେ ପୁଣି ଏକ ଛୁଆ ଡେଇଁବାକୁ ଆରମ୍ଭ କଲା । ଏବେ ତାର କଥାବାର୍ତ୍ତା ସ୍ୱାଭାବିକ ହୋଇଯାଉଥିଲା । ସେ ଆଉ କିଛି ଦେଖିନଥିବାର ଭାବୁଥିଲା । ଚାଇନିଜ୍‌ କ୍ୟାମ୍ପ୍‌ ତ ଦେଖିନି । ଯଦି ଛାଇ ମଣିଷ ସେଗୁଡାକ ଦେଖାଇ ଦିଅନ୍ତା ତାର ପୂର୍ବର ଯାତ୍ରା ସଫଳ ହୁଅନ୍ତା । ଶତ୍ରୁ କେମିତି ଆକ୍ରମଣ ଯୋଜନା କରିଥିଲା, କେମିତି ଭାରତୀୟ ସେନାଙ୍କୁ ଛଳ କପଟରେ ପାନେ ଶିଖାଇବାକୁ ଯାଉଥିଲା, ସେସବୁ ଦେଖିନେଲେ ହୁଏତ ତାର ଯାତ୍ରା ସଫଳ ହୋଇଯିବ । ତା ଛଡା ସେ ଜାଣିକରି ମଧ୍ୟ ନିୟମ ଭାଙ୍ଗିନି । ତେଣୁ ଅଜଣାରେ ହୋଇଥିବା ଭୂଲକୁ ମାଫ କରାଯାଇପାରେ । ସେ ଛାଇ ମଣିଷକୁ ଅନୁରୋଧ କଲେ ହୁଏତ ଆଉ ଥରେ ତାକୁ ଯୁଦ୍ଧ କ୍ଷେତ୍ରକୁ ନେଇଯିବ । ତାକୁ ମାଡି ପଡୁଥିଲା, କିନ୍ତୁ ପଚାରିନେଲେ କ୍ଷତି କଣ । ଅବିନାଶ ଭିତରେ ସାଧାରଣ ମଣିଷ ନିଶ୍ଚିତ ଭାବରେ ମଝିରେ ମଝିରେ ମୁଣ୍ଡ ଟେକିବ ।

ଅଚ୍ଛା କୁହ ତ । ମୋତେ ତୁମେ ଚାଇନିଜ୍‌ କ୍ୟାମ୍ପ ନେଇପାରିଥାନ୍ତ ।- ଅବିନାଶ ଏତିକି ପଚାରି ରହିଗଲା । ଅବଶ୍ୟ ତାକୁ ଛେପ ଢୋକିବାକୁ ପଡିଥିଲା । ସେଇଟା ଭୂଲ ପ୍ରଶ୍ନ ବୋଲି ସେ ମଧ୍ୟ ଅନୁଭବ କରୁଥିଲା । ସେନାରେ ସବୁ ନିୟମ ହିସାବରେ ହୁଏ । ନିୟମ ବାହାରେ ସୈନିକ କିଛି କରେନି । ଆଉ ସବୁବେଳେ ପ୍ରଶ୍ନ ପଚାରିବାକୁ ମଧ୍ୟ ଉତ୍ସାହିତ କରାଯାଏନି । ସାଧାରଣ ସୈନିକ ପ୍ଲାନର ବା ଯୋଜନାକାରୀ ନୁହେଁ, ସେ ଯୁଦ୍ଧକ୍ଷେତ୍ରରେ ନିଜର ବୀରତ୍ୱ ଦେଖାଇବ, ଅଯଥା ପ୍ରଶ୍ନ କରିବନି । ତାର ହାତ ଆଉ ଗୋଡ ବେଶି କଥା କହିବ । ମୁହଁରୁ କେବଳ ହୁଁକାର ଶବ୍ଦ ଆସିବ ।

ତା କରି ପାରି ନଥାନ୍ତି ।- ଛାଇ ମଣିଷ କହିଲା । ସାଧାରଣ ସୈନିକର ଦିନିକିଆ ଶବ୍ଦ । କେଉଁଟା କରିପାରିବ, କେଉଁଟା କରିପାରିବନି ତା ନିଶ୍ଚୟ କରାଯାଇଛି । ଡୁ ଆଣ୍ଡ ଡୁ ନଟ – ସ୍ପଷ୍ଟ ଭାବରେ ଲିଖିତ ଅଛି ।

କାହିଁକି ? ତୁମ ପାଖରେ ତ ଅସୀମ ଶକ୍ତି ଅଛି । ଅତୀତର ସବୁ ସ୍ଥାନକୁ ତୁମେ ଯାତ୍ରା କରିପାରିଥାନ୍ତ ।- ଅବିନାଶ ପଚାରିଲା । ସେଇ ପୁରୁଣା ଅବିନାଶର ମନ । ଏତେ ଜାଣିକରି ମଧ୍ୟ ତାର ମନ ଭିତରେ ଭିତରେ ପ୍ରଶ୍ନ କରିବାକୁ ପାଗଳ ହୋଇଉଠେ । ସୈନିକ ପାଖରେ ଏତେ ରହିଲେ ବି କଣ ସେ ସହଜରେ ବଦଳିବ ?

କିଛି ନିୟମ ଅଛି । ସେଇ ସ୍ଥାନକୁ ସେ ଯାଇପାରେ ଯେଉଁଠାରେ ସେ ଶେଷ ସମୟ କାଟିଥିଲା । ଅନ୍ୟ ସ୍ଥାନକୁ ଯାଇ ପାରେନା ।

ଅର୍ଥାତ ।

ତୁମକୁ ମୁଁ ସେଇ ସବୁ ସ୍ଥାନକୁ ନେଇପାରିଲି ଯେଉଁଠାରେ ମୁଁ ପ୍ରକୃତରେ ଥିଲି । ସବୁକିଛି ମୋ ଉପରଦେଇ ଘଟଣାମାନ ଘଟିଯାଇଥିଲା ।

ଆଉ ମୋର ସେହି ଫ୍ରିଫଲ? ମୁଁ ପଥରରୁ ସିଧା ପାଣି ଭିତରେ ପଡିଥିଲି ।- ଅବିନାଶ ପଚାରିଲା । ଏ ପ୍ରଶ୍ନଟା ଛାଇ ମଧ୍ୟ ଅସଙ୍ଗତ ଭାବିପାରିବନି । ଏଇଟା ଛାଇ ମଣିଷର ଡୁ ଆଣ୍ଡ ଡୁ ନଟ ଭିତରେ ସ୍ପଷ୍ଟ ନଥିଲା । ଅବିନାଶ ସୈନିକ ନହେବାରୁ ତାକୁ ଏ ପ୍ରଶ୍ନ ଆସିବ । ଏମିତି ଘଟିବ ବୋଲି ନିଜେ ଛାଇ ମଣିଷ ବି ଜାଣି ନଥିଲା, ଅବଶ୍ୟ ସେଇଟା ସେ ଯୁଦ୍ଧରେ । ନିଜର ଅନ୍ତ ସମୟ କେମିତି ଆସିବ, କେଉଁ ଜୀବ ଜାଣି ନଥାଏ, କିନ୍ତୁ ଶେଷ ସମୟ ଆସେ ଆଉ କ୍ଷଣକରେ ଜୀବନ ଡୋରି ଛିଡିଯାଏ ।

ଛାଇ ମଣିଷ ଏକ ଲମ୍ବା ନିଃଶ୍ୱାସ ନେଲା । ଛାଇ ହେବା ସତ୍ତ୍ୱେ ତା ଛାତି ସ୍ପଷ୍ଟ ଭାବେ ଜୋରରେ ଉଠୁଥିବା ପଡୁଥିବା ଲକ୍ଷ୍ୟ କରି ହେଉଥିଲା । ଏ ଘଟଣାଟା ନିଶ୍ଚୟ ମନେରଖିବା ଭଳି, ହୁଏତ ହୃଦୟକୁ ଅତି ଆଘାତ ଦେଇଥିବ । କିଛି ଅଘଟଣ କଥାକୁ ବର୍ଣ୍ଣନା କଲାବେଳେ ମନକୁ ମନ ଫୁସ୍‌ଫୁସ୍‌ ଭିତରେ ପବନ ପୁରା ଭରିଯାଏ ଆଉ ଶବ୍ଦମାନ ଧିରେ ଧିରେ ବାହାରି ଆସେ । କିଛି କରିବାର ନାହିଁ, କେବଳ ମନସ୍ତାପ । ତଥାପି ସେମିତି ଘଟଣା ବର୍ଣନା କରିବା ସହଜ ନୁହେଁ । ଛାଇ ମଣିଷ କହିବାକୁ ଲାଗିଲା ।-

ମୁଁ ତଳକୁ ଖସିଯାଇଥିଲି ଅବିନାଶ । ଶେଷରେ ଏକ କଣ୍ଟାଗଦାର ପ୍ରହାରରେ ମୁଁ ନିଜର ସନ୍ତୁଳନ ରକ୍ଷା କରି ନପାରି ପାଣିରେ ପଡିଥିଲି । ତୁମ ଭିତରର ଅନୁଭୂତି ସବୁ ମୋର ଶେଷ ମୁହୂର୍ତ୍ତମାନଙ୍କର ଅନୁଭୂତି ଥିଲା । ସେଇଥିପାଇଁ ତୁମେ ଅଣନିଃଶ୍ୱାସୀ ହୋଇଯାଉଥିଲ । ତୁମର ହୃତପିଣ୍ଡ ବନ୍ଦ ହୋଇଯାଉଥିଲା । ଯାହାକିଛି ଅନୁଭୂତି ଥିଲା ସବୁ ମୋ ଉପର ଦେଇ ଘଟିଯାଇଥିବା ଘଟଣାର ଅନୁଭୂତି ।

ଓଃ । ସେଇଟା ତାହେଲେ ତୁମର ଅନୁଭୂତି ଆଉ ମୁଁ ଅନୁଭବ କରୁଥିଲି । ଏକ ବୀର ସୈନିକର ନିଜ ଅନୁଭୂତି ।- ଅବିନାଶ କହିଲା । ଛାଇ କିଛି କହିଲାନି ।

ତୁମର ବୀରତା ମୁଁ ତାହେଲେ ମୁଁ ଆଖିରେ ଦେଖୁଥିଲି । ତୁମକୁ ଶତ ଶତ ଧନ୍ୟବାଦ ।- ଅବିନାଶ ପୁଣି କହିଲା ।

ଛାଇ ମଣିଷ ତଥାପି ଆଉ କିଛି କହିଲାନି । ଘର ଭିତରେ ଅନ୍ଧାର ଉପର ତଳ ହେଉଥିଲା, ସତେ ଯେମିତି ସମୁଦ୍ରର ଢେଉ କୂଳରେ ଶୋଇଥିବା ଲୋକକୁ ଛୁଇଁ ଫେରି ଯାଉଛି । ସେ ଛାଇ ଅନ୍ଧାରର ଢେଉ କିଛି କ୍ଷଣ ଉଦବେଳିତ ହୋଇଉଠୁଥିଲା । ସବୁକିଛି ଛାଇ ମଣିଷର ହୃତପିଣ୍ଡ ଉପରେ ବୋହିଯାଉଥିବା ଲାଲ ରକ୍ତର ପ୍ରବାହର ପ୍ରତିଚ୍ଛବି । ହୃତପିଣ୍ଡ କେମିତି ଜୋରରେ ଧକ୍ ଧକ୍ ହୋଇଥିବ, କେମିତି ଲମ୍ବା ଧକ୍ ଧକ ହୋଇଥିବ ଆଉ ଶେଷରେ ରକ୍ତର ଲହଡି ହୃତପିଣ୍ଡକୁ ପହଞ୍ଚି ପାରି ନଥିବ । ତାର ପ୍ରତିଫଳନ ସେ ଅନ୍ଧାରୁଆ ଛାଇର ନୃତ୍ୟ ଥିଲା । ଜଣେ ଏମିତି ନୃତ୍ୟରେ ଡରିଯିବ କିନ୍ତୁ ଅବିନାଶ ଛାଇ ମଣିଷ ଭିତରେ ଘଟିଯାଇଥିବା ପ୍ରବାହକୁ ଦେଖି ଡର ବଦଳରେ ସାହାସ ପାଉଥିଲା, ତାର ଆଖି ଉଜ୍ଜ୍ୱଳ ହେଉଥିଲା । ମଣିଷର ଶେଷ ବେଳକୁ ଏମିତି ସବୁ ପ୍ରତିଫଳନ ତାହେଲେ ଆସିଥାଏ । ସେ ସବୁକିଛି ସାଧାରଣ ହେବାପାଇଁ ଟିକିଏ ଅପେକ୍ଷା କଲା ।

ଅବଶ୍ୟ ଅବିନାଶର ମନ ଭିତରେ କିଛି ହଲଚଲ ହେଉଥିଲା । ସେ ଭିତରେ ଦୋଳି ଖେଳୁଥିବା ମନର ଭାଷାକୁ ହଠାତ୍ କହିପାରିଲା ନାହିଁ । ପୁଣି ସେଇ ଯାଗାକୁ ଫେରିଯିବା କଥା କହିବା ପାଇଁ ପରିସ୍ଥିତିରୁ ସବୁ ଅନାବଶ୍ୟକ ଭାବନା, ଅନୁଶୋଚନାମାନ ଚାଲିଯିବା ଦରକାର । ଛାଇ ମଣିଷ ଆଉଥରେ ସ୍ୱାଭାବିକ ହେବା ଦରକାର । ସେ ଅପେକ୍ଷା କରିବ ଆଉ ଠିକ୍‌ ସମୟରେ ନିଜର କଥା ଖୋଲି କହିବ । ଏମିତି ତ ମଣିଷ ସାଧାରଣ ହେବାକୁ ହେଲେ ତାକୁ ତାର ପୁରୁଣା କଥା ମନେ ପକାଇଦେବା ଦରକାର । ସେ ନିଜର ପୁରୁଣା ପରିସ୍ଥିତ ଭିତରୁ ନିଜର କରିଥିବା କାମର ଝଲକ ଦେଖି ଖୁସି ହୋଇଯିବ ।

ତୁମର ପୁରୁଣା ଦିନ କଥା ବହୁତ ମନେ ପଡୁଥିବ ?

ଛାଇ ମଣିଷ ଏକ ଲମ୍ବା ନିଃଶ୍ୱାସ ନେଲା । ଘର ଭିତରେ ଅନ୍ଧାରୁଆଛାଇର ଢେଉ ଜୋର୍‌ ଜୋର୍‌ରେ ବାଡେଇ ହେଉଥିଲା । କୂଳରେ ବାଡେଇ ହୋଇ ନିଜର ରୂପ ହରାଇଲା ଭଳି, ଛାଇ ମଣିଷର ମନର ଢେଉ ଆଲୋକରେ ବାଡେଇ ହୋଇ ନିଜର ରୂପ ହରାଉଥିଲା ଆଉ ଛାଇ ମଣିଷ ସ୍ୱାଭାବିକ ହୋଇଯାଉଥିଲା । ସେ କାନ୍ଥକୁ ଅନାଇଲା ଆଉ ସ୍ୱାଭାବିକ ହେବାକୁ ଚେଷ୍ଟା କଲା ।

ଯାହା କୁହ ତୁମର ଅନୁଶାସନ କୁହ ବା ଶୃଙ୍ଖଳା କୁହ, ତୁମର ନିୟମବଦ୍ଧ ଜୀବନ ଯାତ୍ରା ପ୍ରଶଂସା ଯୋଗ୍ୟ ।- ଅବିନାଶ ପୁଣି କହିଲା ।

ଛାଇର ତରଙ୍ଗ କାନ୍ଥରେ ନାଚିଗଲା । ହୃତପିଣ୍ଡ ଧତ୍ ଧକ୍ ହେଉଥିବା ଭଳି ନାଚ । ଛାଇ ଅବିନାଶକୁ ଅନାଇ କହିଲା ।

ଆମ ସମସ୍ତଙ୍କ ଜୀବନରେ ଘଟୁଥିବା ଘଟଣାମାନ ଏମିତି କାନ୍ଥରେ ନାଚ କରିଥାନ୍ତି । କେତେବେଳେ ତୁମେ ଖୁସି ବା ଅତି ଦୁଃଖୀ ହୋଇଯାଅ ଆଉ ଲହଡି ବଡ ହୋଇଯାଏ । ହଁଁ ଅବିନାଶ । ଜୀବନର ଦୃଷ୍ଟିଶୈଳୀ ବଦଳିଯାଏ ଏମତି ନାଚ ଦେଖି ।

ଅବିନାଶ ଏମିତିଆ ଲହଡିର ନାଚ ଦେଖି ଭାବୁଥିଲା ଯେ ଏକ ଯୁବକ ସାଧାରଣ ଘରୁ ଆସି ସୈନିକର ଜୀବନ ଗ୍ରହଣ କରିନେଲେ ତାର ଦୃଷ୍ଟିଶୈଳୀ ଏକ୍‌ଦମ୍‌ ବଦଳିଯାଏ ।

ସେତେବେଳେ ସେ ଜୀବନକୁ ଭିନ୍ନ ଭାବେ ଦେଖେ । ସୈନ୍ୟକୁ ଶୃଙ୍ଖଳା, ତ୍ୟାଗ ଆଦି କଥା କହିଲେ ସେ ପୁଲକିତ ହୋଇଯାଏ ।

ମୁଁ ମଧ୍ୟ ସେଇଆ ଭାବୁଛି । ଆଗରୁ, ତୁମର ଲଢେଇର ଦୃଶ୍ୟ ନଦେଖିବା ଆଗରୁ ହୁଏତ ମୁଁ ଜୀବନକୁ ଏକ ସାଧାରଣ ସାଇକେଲରେ ଗଡିଯାଉଥିବା ଜୀବନ ଭାବିିଥାନ୍ତି । ଧିର ଶାନ୍ତ ସରଳ ଜୀବନ । କିଛି ଅନିଶ୍ଚିତତା ନଆସୁ । ସବୁ କିଛିଭାବିବା ହିସାବରେ ଘଟିଯାଉ । କିନ୍ତୁ ଆଜି ଲାଗୁଛି ଗଲୱାନର ପତଳା ରାସ୍ତାରେ ମୁଁ ଠିଆ ହୋଇଛି । ଜୀବନ ଅଲଗା ଲାଗୁଛି । ଦେହରେ ଅସୀମ ସ୍ଫୂର୍ତ୍ତି । ଲାଗୁଛି ମୁଁ ପର୍ବତକୁ ସହଜରେ ପରାଭୂତ କରିପାରିବି । ଆଗରୁ ଶରୀରରେ ଏତେ ତେଜ ନଥିଲା । – ଅବିନାଶ କହିଲା ।

ଅବିନାଶ ଗତାନୁଗତିକ ଧାରାରୁ ଜୀବନକୁ ଅଲଗା ଭାବରେ ଦେଖିବା ହେଉଛି ଜୀବନର ଏକ ବଡ ଆବିଷ୍କାର । ଆମେ ଫେରୁଥିବା ନଦୀର ଧାରରୁ ଆଗର ଦିନମାନଙ୍କୁ ଅଲଗା ଦେଖିଥିଲୁ ଅବିନାଶ । –ଛାଇ କହିଲା । ଅବିନାଶ ପ୍ରାୟ କିଛି ବୁଝିପାରୁ ନଥିଲା । ସେ ମୁଣ୍ଡ ହଲାଇଲା । ଛାଇ କହି ଚାଲିଲା ।

ତୁମ ପଢାଠାରୁ ଭିନ୍ନ । କାହିଁ ଦେଖ ଏ ଶୁଷ୍କ ପ୍ରଦେଶ । କିନ୍ତୁ ପାଣି ବୋହି ଆସୁଛି ପାହାଡରୁ । ସଂମ୍ପୂର୍ଣ ନିର୍ମଳ ପାଣି । ଟିକିଏ ମଳି ହୋଇନି । ଆକାଶ ଘନ ନୀଳ । ସେଇଠି ମଇଳା ଟିକିଏ ନାହିଁ । ଏଇତ ମୋର ଆବିଷ୍କାର । ଆମ ସୈନ୍ୟ ଜୀବନର ଆବିଷ୍କାର । ଆଉ ଏଇ ହେଉଛି ଆମର ନୂଆ ଜୀବନ । ଏଇ ଭିନ୍ନତା ପାଇଁ ବଞ୍ଚୁ ଆମେ । ବଞ୍ଚିବାର କିଛି ଲକ୍ଷ୍ୟ ଥାଏ । ସାଧାରଣ ମଣିଷ ଲକ୍ଷ୍ୟହୀନ ହୋଇ ବଞ୍ଚେ । ଆମ ଭାଷାରେ ଏମିତି ଲକ୍ଷ୍ୟହୀନ ହୋଇ ବଞ୍ଚିବା ହେଉଛି ଜୀବନର ବ୍ୟର୍ଥତା ।

ଅବିନାଶ ଏ ସବୁ ଜୀବନ ଦର୍ଶନର କଥା ଠିକ ଭାବେ ବୁଝି ପାରୁ ନଥିଲା । ସୈନିକ ଜୀବନର ଦର୍ଶନ ତା ଜୀବନଠାରୁ ବହୁତ ଭିନ୍ନ । କିନ୍ତୁ ସେଥିରେ କିଛି ଅନ୍ତର୍ନିହିତ ଉଦ୍ଧେଶ୍ୟ ଥିଲା ପରି ଲାଗୁଥିଲା । ସେ ସବୁ କଥା ଭଲ ଭାବେ ବୁଝିବାକୁ ଚେଷ୍ଟା କରୁଥିଲା । ମଝିରେ ମଝିରେ ଜାଣୁ ନଜାଣି ବି ମୁଣ୍ଡ ହଲାଉଥିଲା । ସେଥିରେ ଛାଇ ଉତ୍ସାହିତ ହୋଇଯାଉଥିଲା ।

ସେହି ପର୍ବତମାନ ତୁମେ ଅବଶ୍ୟ ରାତିରେ ଦେଖିଲ । ସବୁକିଛି ଭଲ ଭାବେ ଦୃଶ୍ୟ ହୋଇନଥିବ । ଅବିନାଶ ସେମିତିଆ ଶୁଖିଲା ପାହାଡର ଲମ୍ବା ପତଳା ରସ୍ତାରେ ଚାଲିଲାବେଳେ ମନରେ ଭିନ୍ନ ଭାବନା ଆସେ । ବଞ୍ଚିବାର ଭାବନା । ସେ ବଞ୍ଚିବାଟା କେବଳ ନିଜର ବଞ୍ଚିବା ନୁହେଁ । ଅନ୍ୟ ପାଇଁ ବଞ୍ଚିବା । – ଛାଇ ମଣିଷ କହିଲା ।

ଅବିନାଶ ପୁଣି ମୁଣ୍ଡ ହଲାଇଲା । ଏମିତିଆ ରାସ୍ତାରେ ପିଠିରେ ବୋଝବୋହି, ଟଳମଟଳ ପାଦରେ ସେ ମୋଟେ ଚାଲିପାରନ୍ତାନି । ସେ ସମୟରେ ଗୋଡ କେମିତି ସ୍ଥିର ରହିବ, କେମିତି ନିରାପଦରେ ନିଜ ଯାଗରେ ପହଞ୍ଚିବ ସେଇ ବିଷୟ କେବଳ ଭାବୁଥାନ୍ତା । ସେ ମୋଟେ ଅନ୍ୟର ଜୀବପାଇଁ ନିଜର ଜୀବନ ଦେବା କଥା ଭାବି ପାରନ୍ତାନି । ଏ ସୈନ୍ୟମାନେ ଦେଶବାସୀଙ୍କ ପାଇଁ ଜୀବନଦେବା ଭାବୁଛନ୍ତି, ଏହା ଅତି ପ୍ରଶଂସାଯୋଗ୍ୟ ।

ଏମିତି ସୁଖସ୍ୱାଚ୍ଛନ୍ଦ୍ୟଠାରୁ ଦୂରରେ ରହି, ଅନ୍ୟପାଇଁ ଆଜିର ଦିନ ତ୍ୟାଗ କରିବା ହେଉଛି ସୈନିକର ଜୀବନ । ସେଇଟା ହେଉଛି ଗବେଷଣା କରୁଥିବା ବୈଜ୍ଞାନିକର ଜୀବନ । ସେମାନେ ପରିବର୍ତ୍ତନ ଆଣନ୍ତି । ଏକାନ୍ତରେ, ଆଜିର ଦିନରୁ ଦୂରରେ ରହି କରୁଥିବା ଉଦ୍ୟମ, ସେମାନଙ୍କର ତ୍ୟାଗ ପର ପିଢିର ନାଗରିକକୁ ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରଦାନ କରେ । ସେଇ ମହାନ ତ୍ୟାଗକୁ ସାଧାରଣ ଦୈନଦିନ ଜୀବନରେ ଘଟୁଥିବା ପ୍ରତିଟି ବିଷୟକୁ ତୁଳନା କରା ନଯାଇପାରେ ।- ଛାଇ କହୁଥିଲା ।

ଅବିନାଶ ସେମିତି ମୁଣ୍ଡ ହଲାଇଲା । ସେ କଥାଟା ବୁଝିପାରୁଥିଲା । କିନ୍ତୁ କିଛି କହିଲାନି । ତାର ଆଖି ଛାଇ ମଣିଷ ଉପରେ ସ୍ଥିର ଥିଲା ।

ଆମ ଭିତରେ ତ୍ୟାଗ ଆଉ ବଳିଦାନ ଉପରେ ଅନେକ ଆଲୋଚନା ହୁଏ । ପ୍ରତିଦିନର ଆଲୋଚନା ନିଜର ଭାବନାକୁ ବଳିଷ୍ଠ କରେ । ସବୁବେଳେ ତୁମ ଆଗରେ ପରାକାଷ୍ଠା, ବୀରତ୍ୱ, ତ୍ୟାଗ, ବଳିଦାନ ଆଉ ସମ୍ମାନର କଥା କୁହାଗଲେ ମନ ନିଶ୍ଚିନ୍ତ ହୋଇଯାଏ । ଲକ୍ଷ୍ୟ ଅତି ନିର୍ଦ୍ଧିଷ୍ଟ ହୋଇଯାଏ । ଫଳରେ ଆଗକୁ ଅତି ଦୁଃଷ୍କର ପରିସ୍ଥିତିରେ କାମ କରିବାପାଇଁ ପ୍ରେରଣା ମିଳେ ।

ଅବିନାଶ ମୁଣ୍ଡ ପୁଣି ହଲାଇଲା । ଛାଇ ମଣିଷ ଯାହା କହୁଛି ତାହା ସତ । ସବୁବେଳେ ବେଦ ଗାନ ହେଲେ ସାଧାରଣ ଶୁଆ ବି ବେଦର କିଛି ଶବ୍ଦ ମନେ ରଖିନିଏ । ସେମିତି ସବୁବେଳେ ଇତିହାସ କୁହାଗଲେ ଇତିହାସର ଚରିତ୍ରମାନେ ଜୀବନ୍ତ ହୋଇଉଠନ୍ତି । କବିତାର ଆସରରୁ କବିର ଜନ୍ମ ହୁଏ । ସାଧାରଣ ମଣିଷର ମନସ୍ତତ୍ତ୍ୱ । ତାହେଲେ ବୀର ସୈନିକମାନଙ୍କ ବିଷୟରେ ବହୁତ ଆଲୋଚନା ହୁଏ ?- ସେ କହିଲା ।

ଅବିନାଶ । ଉଚ୍ଚ ପାହାଡମାନଙ୍କୁ ଦେଖି ପାହାଡରେ ଚାଲୁଥିବା ବୀର ସେନାର ଦୃଢ ପଦ ବିଷୟରେ ମନେ ପଡିଯାଏ । ତୁମେ ହିମାଳୟର ଶୃଙ୍ଗ ଦେଖିଲେ ତେନଜିନ ନୋରଗେ, ଏଡମଣ୍ଡ ହିଲାରୀ ବା ମହିଳା ଆରୋହଣକାରୀ କଳ୍ପନା ଦାଶଙ୍କର କଥା ମନେ ପକାଇବ । କ୍ୟାପ୍‌ଟେନ୍‌ ମନୋଜ ପାଣ୍ଡେଙ୍କ କଥା ଆମ ୟୁନିଟରେ ଅନେକ ଆଲୋଚନା ହୋଇଥିଲା । ମହାନ ବୀର ସୈନିକ । – ଛାଇ ମଣିଷ ଏତିକି କହି ଅଟକି ଗଲା ।

ପୁଣି କାନ୍ଥରେ ସେଇ ଛାଇ ଅନ୍ଧାରରର ଲହଡି ମାରିବା ଆରମ୍ଭ ହୋଇଗଲା । କିଛି କଥା ଛାଇ ମଣିଷ ଭିତରେ ରକ୍ତର ପ୍ରବାହକୁ ବଢାଇ ଦେବା କଥା । ଅବଶ୍ୟ ଅଶରୀର । କିନ୍ତୁ ପୁରୁଣା ଫିଲିଙ୍ଗ ଏ ପର୍ଯ୍ୟନ୍ତ ଛାଇ ମଣିଷର ଦେହରେ ଅଛି । ସେ ସେଇ ଲହଡିକୁ ଅନାଇ ରହିଲା । କିଛି ଲହଡି ବହୁତ ବଡ ହୋଇଯାଉଥିଲା । ତାପରେ କହିବାକୁ ଲାଗିଲା ।

ଆଗରେ ନଷ୍ଟବୁଦ୍ଧି ଚିନୀ । ସେମାନେ କି ଛଳ କରିବେ ଆମେ ଜାଣି ନଥିଲୁ । କିନ୍ତୁ ଗୋଟିଏ କଥାରେ ଆମେ ସମସ୍ତେ ସହମତ ଥିଲୁ । ସେଇ କଥାଟା କ୍ୟାପଟେନ ମନୋଜ ପାଣ୍ଡେ କହିଥିଲେ – ମୋର ରକ୍ତର ମୂଲ୍ୟ ପ୍ରମାଣ କରିବା ଆଗରୁ ଯଦି ମୋର ମୃତ୍ୟ ଆସେ, ତେବେ ମୁଁ ପ୍ରତିଜ୍ଞା କରୁଛି ମୁଁ ମୃତ୍ୟୁକୁ ପରାଜିତ କରିବି ।- ଏତିକି କହି ପୁଣି ରହିଗଲା । କାନ୍ଥରେ ଥରବା ଲହଡି ବଡ ଶୃଙ୍ଗ କରୁ ନଥିଲା ।

ମୃତ୍ୟୁ ସମସ୍ତଙ୍କୁ ଆସିବ ଅବିନାଶ । କିନ୍ତୁ ଗୌରବର ମୃତ୍ୟୁ ଆମର କାମ୍ୟ । –ଛାଇ ମଣିଷ କହିଲା ।

ତୁମ କଥାରେ ମୁଁ ସହମତ । କେବଳ ଏକ ମୃତ୍ୟୁରେ କି ପରିଚୟ ? ଲକ୍ଷ ଲକ୍ଷ ମୃତ୍ୟୁ ମଧ୍ୟରେ ଏ ଆଉ ଏକ ମୃତ୍ୟୁ । ମୂଲ୍ୟହୀନ ମୃତ୍ୟୁ, ଅର୍ଥହୀନ ବିଦାୟ ।- ଅବିନାଶ ଆଶ୍ଚର୍ଯ୍ୟଜନକ ଭାବେ ଉତ୍ତର ଦେଲା ।

ସେଇଥି ପାଇଁ ସେ କଥା ତ ଏତେ ମୂଲ୍ୟବାନ ଥିଲା । ମୃତ୍ୟୁକୁ ମୁଁ ପରାଜିତ କରିବି । ମୃତ୍ୟୁ ମୋତେ ଛୁଇଁ ପାରିବନି । –ଛାଇ ମଣିଷ ପୁଣି କହିଲା ।

ତୁମେମାନେ ତ ତାହା ପ୍ରମାଣ କରିଛ । କେବଳ ଚାଲୁଥିବା ଶରୀର ନେଇ ତୁମେମାନେ ବଞ୍ଚ । ବୀରର ବିଜୟ ତିଳକ ନେଇ ତୁମେ ଅମର ହୋଇଛ । ମୃତ୍ୟୁକୁ ପରାଜିତ କରିଛ ।- ଛାଇ ମଣିଷ ଆଉ କିଛି କହିବା ଆଗରୁ ଅବିନାଶ କହୁଥିଲା । ଗୋଟାଏ ଛୁଆ କିଛି କଥା ଜାଣିନେଲେ ତାକୁ କିଛି ଆଗୁଆ କରିବାପାଇଁ ଉତ୍ସାହ ଆସେ । ଅବିନାଶର ମନ ମଝିରେ ମଝିରେ ଛୁଆ ହୋଇଯାଉଥିଲା ।

ତାହେଲେ ବହୁତ ଲୋକଙ୍କର କଥା ଆଲୋଚନା ହୁଏ ? ଅବିନାଶ ପଚାରିଲା ।

ସେଇଟା ସାଧାରଣ । ଏକ ସୈନିକ କଣ ଆଲୋଚନା କରିବ ? ସୀମା, ଦେଶ ମାତୃକାର ରକ୍ଷା । ବୀରତା । ଏଇଆ ତ କରିବ ।- ଛାଇ କହିଲା

କିନ୍ତୁ ବେଳେବେଳେ ମୁଁ ଭାବେ ସବୁବେଳେ ସେମାନେ କଣ ଠିକ୍ ଭାବେ ଭାବନ୍ତି ନା କଣ ? ହୁଏତ ଭାବନାରେ କିଛି କମ କେଉଁଠି ରହିଯାଉଛି । ମୁଁ ବେଳେବେଳେ ଭାବେ କଣପାଇଁ ସୈନିକମାନେ ଡେଥ ମାର୍ଚ୍ଚ କରିନିଅନ୍ତି । ନିଶ୍ଚିତ ମୃତ୍ୟୁକୁ ଡେଇଁପଡିନ୍ତି । ଜୀବନ ଥିଲେ ସିନା ବିଜୟର ମୂଲ୍ୟ ଅଛି । ବିଜୟ କାହାପାଇଁ?- ଅବିନାଶ କହୁଥିଲା । ସେହି ପୁରୁଣା ସନ୍ଦେହ । ସହଜରେ ଯିବନାହିଁ ।

ଏଇଟା କେବଳ ଭାବିବାର କଥା । ସାମାନ୍ୟ ଶରୀର ହିସାବରେ ଭାବିବାର କଥା । ଯଦି ମୋର ଶରୀର ନାହିଁ ତା ହେଲେ ମୁଁ ଜିତୁଛି କାହାପାଇଁ? ଏ ମୁଠାଏ ମାଟି ଉପରେ ବିଜୟର ଅର୍ଥ କଣ ? ଅତି ଯୁକ୍ତିଯୁକ୍ତ ପ୍ରଶ୍ନ ।- ଛାଇ କହିଲା । ଏଥର ନିଜର ଯୁକ୍ତିକୁ ସେ ପୁରା ଠିକ ନକହି ଅବିନାଶ ହିସାବରେ ପ୍ରଶ୍ନକୁ ଭାବି ଅବିନାଶକୁ ତାର ସନ୍ଦେହର ଅବାସ୍ତବତା ବୁଝାଇଦେବ ।

ପରମ ବୀର ଚକ୍ର କ୍ୟାପ୍‌ଟେନ୍‌ ବିକ୍ରମ ବାତ୍ରାଙ୍କ କଥା ଜାଣିଛ?- ଛାଇ ପଚାରିଲା । ଅବିନାଶ ମୁଣ୍ଡ ଟୁଙ୍ଗାରିଲା । କ୍ୟାପ୍‌ଟେନ୍‌ ବିକ୍ରମ ବାତ୍ରା ମହାନ ସୈନିକ । ସେ କାର୍‌ଗିଲ୍‌ ଯୁଦ୍ଧରେ ଅସାମାନ୍ୟ ବୀରତା ପ୍ରଦର୍ଶନ କରି ଶହୀଦ ହୋଇଥିଲେ । ଅସାଧାରଣ ବୀରତା । ତାଙ୍କର ବାକ୍ୟ ତ ଅବିନାଶ କେଉଁଠି ପଡିଛି । ଛାଇ କହିଚାଲିଲା ।

ମୁଁ ତ୍ରିରଙ୍ଗା ଉଡାଇ ଫେରିବି କମ୍ବା ମୋର ଶରୀର ତ୍ରିରଙ୍ଗାରେ ଆବୃତ ହୋଇ ଫେରିବ । କିନ୍ତୁ ମୁଁ ଫେରିବି ନିଶ୍ଚୟ ।- ଏ ବାକ୍ୟ ଶୁଣିଥିବ । ଆଉ ସେଇଟା ସେ ନିଜ ପ୍ରେମିକାକୁ କହିଥିଲେ ଯୁଦ୍ଧକୁ ଯିବାର ଆଗରୁ ।

ଅବିନାଶ ମୁଣ୍ଡ ହଲାଇଲା । ସତରେ ତ ମହାନ ବୀର ପ୍ରେମିକାରେ ବାହୁରେ ଅଟକି ଯିବାପାଇଁ ରହିଯାଇ ନଥିଲେ । ସେ ଫେରିଥିଲେ, ବୀରତ୍ୱର ଗୌରବର ଗାଥା ସହ, ତ୍ରିରଙ୍ଗାରେ ଆବୃତ୍ତ ହୋଇ । ତରୁଣୀର ଆଖିରୁ ସେମିତି ଆଗଭଳି କେତେ ଲୁହ ବିନ୍ଦୁ ଝରିପଡିଥିବ । ସବୁଦିନପାଇଁ ସମସ୍ତଙ୍କ ଅଗୋଚରରେ ଲୁହ ଝରିଚାଲିବ । ଉଦାସ ଦୃଷ୍ଟିକୁ କେତେଜଣ ବୁଝିବେ ?

ଅବିନାଶ, ଆମେ ଭାଗ୍ୟର ସହ ବଞ୍ଚିଛୁ, ଆମର ବଞ୍ଚିବାଟା ଏକ ମ୍ୟାଥ୍‌ମେଟିକାଲ୍‌ ଚାନ୍ସ । ଆମେ ପ୍ରେମ କରୁ ହୃଦୟର ସହ, ନିଜ କର୍ତ୍ତବ୍ୟର ପାଇଁ ଆମେ ଶତ୍ରୁକୁ ବଧ କରୁ ।

ଆମେ ନାଗରିକଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରୁଛୁ ।- ଛାଇ କହିଲା । ତାର ଆଖି ସେହି ନାଚୁଥିବା ଲହଡି ଉପରକୁ ଚାଲିଯାଉଥିଲା ।

ଦେଶର ପାଇଁ ଆମେ ଚରମ ତ୍ୟାଗ କରୁ ଅବିନାଶ । ଦେଶ ହେଉଛି ଏକ ସିମ୍ବଲ । ଆଉ ସେ ସିମ୍ବଲ୍‌ ତ ସୈନିକର ପାଇଁ ଏକ ପତାକା । ଏକ ମ୍ୟାପ୍‌ । କହିପାର ଏକ କପଡା ଆଉ ଏକ କାଗଜ । ସେତିକି ପାଇଁ ସୈନ୍ୟ ଲଢେଇ କରେ ।- ଛାଇ ପୁଣି କହିଲା । କାନ୍ଥରେ ଲହଡିର ଆକାର ବହୁତ ବଡ ହୋଇଗଲା । ଛାଇ ମଣିଷ ପାଇଁ ଅତି ବଡ କଥା ଥିବ ଏମିତି ପ୍ରତୀକାତ୍ମକ ଚିହ୍ନମାନ ।

ତୁମର ଏସବୁ ବର୍ଣ୍ଣନା ମୋତେ କେତେ ଦ୍ୱିଧା ଭିତରକୁ ନେଇଯାଉଛି । ସୈନ୍ୟର ଜୀବନକୁ ଭଲ ଭାବେ ଦେଖିଲେ ସତରେ ଲାଗିବ ତ ଏକ ସୈନ୍ୟ ତ କେବଳ ହାତେ ଦୁଇହାତର ପତାକା ଆଉ ଏକ କାଗଜରେ ଟଣା ହୋଇଥିବା କେତେଟା ରେଖା ପାଇଁ ଏକ ଯୁଦ୍ଧକ୍ଷେତ୍ରରେ ଲଢେଇ କରୁଛି । ଏଇଟା ନୁହେଁକି ?- ଅବିନାଶ ତା ମନ କଥା କହିଲା ।

ଏତେ ଗୁଳି, ବାରୁଦ, ଚିତ୍କାର ସବୁ କେବଳ ଏହି ଦୁଇ ଜିନିଷ ପାଇଁ ।- ଛାଇ ମଣିଷ କହିଲା । କିନ୍ତି ସେ ଟିକେ ହସୁଥିଲା ।

ଯେତେବେଳେ ପରମ ବୀର ଚକ୍ର ବିଜେତା କ୍ୟାପ୍‌ଟେନ୍‌ ବିକ୍ରମ ବାତ୍ରା କୁହନ୍ତି- ମୁଁ ତ୍ରିରଙ୍ଗା ଉଡାଇ ଫେରିବି କମ୍ବା ମୋର ଶରୀର ତ୍ରିରଙ୍ଗାରେ ଆବୃତ ହୋଇ ଫେରିବ । କିନ୍ତୁ ମୁଁ ଫେରିବି ନିଶ୍ଚୟ । ସେତେବେଳେ ମନରୁ ସବୁ ଦ୍ୱିଧା ସମାପ୍ତ ହୋଇଯାଏ । ଅବିନାଶ ଏହି ପତାକାର ସମ୍ମାନ ପାଇଁ ଆମେ ଯୁଦ୍ଧ କରୁଛୁ । ଆଉ ଏହି ପତାକା ଆମକୁ ସମ୍ମାନ ଦେଉଛି ।- ଛାଇ ତା କଥା ଭଲଭାବେ କହୁଥିଲା ।

ଅବିନାଶ ବୁଝୁଥିଲା । ଏ ପତାକା ଦୁଇ ହାତର ଯୋଡା ହୋଇଥିବା କନା ନୁହେଁ । ଜୀବନ ଆଉ ଗୌରବର ପ୍ରତୀକ । ଯେ କେଉଁ ସୈନ୍ୟ ପାଇଁ ଅତି ଗର୍ବର ବିଷୟ । ଘରର ସମ୍ମାନ ଯେମିତି କେଉଁ ବି ଆତ୍ମ ସମ୍ମାନ ଥିବା ବ୍ୟକ୍ତିପାଇଁ ସର୍ବୋପରି, ସେଇ ଭଳି ଫରଫର ହୋଇ ଉଡୁଥିବା ପତାକା ହେଉଛି ସୈନିକର ଆତ୍ମସମ୍ମାନର ଚରମ ନିଦର୍ଶନ । ଅବିନାଶ ତୁମେ ଲେହ-ଲଦାଖ ରାସ୍ତାରେ ଯାତ୍ରା ତ କରିନ । ମୁଁ ତୁମକୁ ଏକ ସାଇନବୋର୍ଡ କଥା କହୁଛି । ସେଥିରେ ଲେଖା ଅଛି- ଯାହା ତୁମର ଜୀବନର ସବୁଠାରୁ ବଡ ଦୁଃସାହିସକ ଯାତ୍ରା, ଆମ ପାଇଁ ପ୍ରତି ଦିନର ରୁଟିନ ।

ତୁମେ ସେ ସାଇନବୋର୍ଡର ଲେଖା କଥା ଶୁଣି କଣ ବୁଝୁଛ? ଆଡଭେଞ୍ଚର ନା ରୁଟିନ?

ଅବିନାଶ ଆଡଭେଞ୍ଚର ଦିନେ ଦୁଇ ଦିନ, ସାତ ଦିନ ବା ପନ୍ଦର ଦିନ କରାଯାଏ । କିନ୍ତୁ ପ୍ରତିଦିନ ନୁହେଁ । ସେଇ କେତେଟା ଦିନର ସ୍ମୃତିକୁ ନେଇ ଲୋକେ ସହସ୍ର ଲୋକଙ୍କ ଆଗରେ ଜୀବନ ଶେଷ ପର୍ଯ୍ୟନ୍ତ ନିଜର ଅସାଧାରଣ କୃତିତ୍ୱ ବିଷୟରେ କହିଚାଲନ୍ତି । ଆଉ ଏହା ହେଉଛି ଆମର ସବୁଦିନିଆ ରୁଟିନ ।- ଛାଇ କହିଲା ।

ଅବିନାଶ ମନରେ ଅନେକ ଭାବିଲା । ତା ଆଖି କାନ୍ଥରେ ଉଠୁଥିବା ଛାଇର ଢେଉରେ ଲାଗିଥିଲା । ଭାରତର ସବୁଠାରୁ ବିପଦତମ ରାସ୍ତା ହିମାଚଳ ଆଉ ଲେହ ଲଦାଖରେ । କୋଲ୍ଡ ଡେଜର୍ଟ । ପ୍ରବଳ ଥଣ୍ଡା । ଗଛଟିଏ ନାହିଁ । ନଦୀରୁ ପାଣି ପିଇଲେ ଦେହ ବରଫ ହୋଇଯିବ । ଆଗରେ ଲୋକଟିଏ ନାହିଁ, ଲୋକ ବସତିଟିଏ ନାହିଁ । ସେମିତି ସ୍ଥାନରେ ସୈନ୍ୟମାନେ ପ୍ରହରା ଦେଉଛନ୍ତି ।

ରହିବାପାଇଁ ଉପଯୁକ୍ତ ଘରଟିଏ ନାହିଁ, ଶୋଇବାପାଇଁ କାଠର ଖଟଟିଏ ନାହିଁ, ମୁଣ୍ଡର ଉପରେ ତିଆରି ଛାତଟିଏ ନାହିଁ । ଆଗକୁ କଣ ଘଟିବ ସେଇଟା ଜଣା ନାହିଁ । ରାସ୍ତା ବଣା ହୋଇଯିବାର ଭୟ ରହୁଛି । ପାଦ ଖସିଗଲେ ଜୀବନପାଇଁ ଅପଙ୍ଗ ହୋଇଯିବ । ଶରୀରର ପ୍ରତି ରକ୍ତକଣା ଥରିଯାଉଛି । ନିଃଶ୍ୱାସ ଥୟ ଧରୁନି । ଗୋଡ ଉଠାଇ ହେଉନି । କିଛି ଠିକଭାବେ ଅମ୍ଳଜାନର କମ ହେତୁ ମନରେ ଠିକ ଭାବେ ଭାବି ହେଉନି । ସେଇ ଜୀବନ ହେଉଛି ଏଠାକାର ଆଡଭେଞ୍ଚର । ଲୋକ କେଉଁଠୁ ଦୌଡିଆସୁଛନ୍ତି । ସମସ୍ତେ ଏ ପରିବେଶ ଦେଖି ଆଗକୁ ଯାଇ ପାରୁ ନାହାନ୍ତି । କିଛି ଏ ଦୁର୍ଗମ ଅଞ୍ଚଳରେ ଘୁରି ବୁଲୁଛନ୍ତି । ସେଇମାନେ ପର୍ବତାରୋହୀ । ସେଇମାନେ ଆଡଭେଞ୍ଚରର । ଆଉ ଆମର ଜୀବନ ସେଇମାନଙ୍କ ଭଳି ସବୁଦିନ ଅନିଶ୍ଚିତତାରେ ଭରା ।- ଛାଇ କହୁଥିଲା । ଅବିନାଶ ପାଇଁ ଆଉ କିଛି କହିବାକୁ ଶବ୍ଦ ନଥିଲା ।

ଅବିନାଶ, ଆମର ପତାକା ଏଇଥିପାଇଁ ଉଡୁନି କାରଣ ପବନ ବୋହୁଛି, ଏଇଥିପାଇଁ ଉଡୁଛି କାରଣ ଏହାର ରକ୍ଷାପାଇଁ ଶହୀଦ ହୋଇଥିବା ପ୍ରତି ସୈନିକର ଶେଷ ନିଃଶ୍ୱାସରେ ଏହା ହଲୁଛି । ଅଗଣିତ ସୈନ୍ୟ ଏଇ ପତାକାପାଇଁ ଜୀବନଦାନ କରିଛନ୍ତି । ଏଇ କଥା ଆମକୁ କୁହାଯାଇଛି । ଆଉ କଥାଟା ସତ ।- ଛାଇ କହିଲା ।

ଅବିନାଶକୁ ହଠାତ୍ ଦଳେ ସୈନ୍ୟଙ୍କର ମାର୍ଚ୍ଚପାଷ୍ଟର ଶବ୍ଦ ଶୁଣାଗଲା । ଏକ୍-ଦୋ-ଏକ୍ । ଜୋତା ସବୁ ଠିକ୍‌ ଭାବରେ ପଡୁଥିଲା । ତାଳମେଳ ଏକଦମ୍ ଠିକ ଥିଲା । ସେ ଶବ୍ଦ କ୍ରମଶଃ ପାଖେଇ ଆସିଲା । ସୈନ୍ୟମାନଙ୍କର ଅଲିଭ ଗ୍ରୀନ କପଡାରେ ଲାଗିଥିବା ପିତ୍ତଳ ଷ୍ଟାରମାନ ଚକ୍ଚକ୍ କରୁଥିଲା । ସେମାନେ ସମସ୍ତେ ମୁଣ୍ଡ ଉଠାଇ ଗର୍ବର ସହ ଚାଲୁଥିଲେ । ବ୍ୟାଣ୍ଡ ବାଜା ବାଜୁଥିଲା । ଡ୍ରମର ରିଦିମିକ ପିଟାରେ ନିଜ ଭିତରର ଉତ୍ସାହ ବଢୁଥିଲା । ଏଇ ସେମାନେ ତା ପାଖରେ ମାର୍ଚ୍ଚପାଷ୍ଟ କରୁଛନ୍ତି ।

– ତା’ପରେ –

ଲୋକପ୍ରିୟ ଲେଖା

To Top