ଉପନ୍ୟାସ

ମୁଠାଏ ମାଟି

Ashok Biswal's Odia Novel Muthae Maati

ପ୍ରକୃତରେ ଆମେ ଦୁହେଁ କଳିଙ୍ଗ ପ୍ରଦେଶରୁ ଆସିଥିଲୁ । ସେଇଥିପାଇଁ ତ ।

ମୁଠାଏ ମାଟି

-: ପୂର୍ବରୁ :-

ଅବିନାଶର ଦେହ ଥରିଗଲା । ଗୁଳି ଫୁଟିବାର ସହ ତାକୁ ଏକ ଏକ ଧକ୍କା ଲାଗୁଥିଲା । ସେପଟୁ କିଛି ଆର୍ତ୍ତ ଚିତ୍କାର ଆସୁଥିଲା । କାହାର ଜୀବନଦୀପ ଲିଭିଯାଉଛି । ଅବିନାଶ କାହାକୁ ନିଜ ହାତରେ ଏପର୍ଯ୍ୟନ୍ତ ମାରିନି । କିନ୍ତୁ ଏ ଆସଲ୍ଟ ରାଇଫଲସ୍ ଧରିବା ସହ ଗୁଳି ଫୁଟୁଛି । ଘମାଘୋଟ ଲଢେଇର ସ୍ୱର ଚାରିପଟେ ଖେଳିବୁଲୁଛି । କିଛି ଆଶ୍ଚର୍ଯ୍ୟଜନକ ଶବ୍ଦମାନ ଶୁଣାଯାଉଛି ।

ସେ ରାଇଫଲସ୍କୁ ଛାଇ ମଣିଷ ହାତକୁ ବଢାଇଦେଲା । ଛାଇ ମଣିଷ କେବଳ ଟିକେ ଧରିବା ପାଇଁ ତା ରାଇଫଲସ୍ ଦେଇଥିଲା । ପୁରା ଦେଇନି । ତେଣୁ ସେ ତାହା ନିଜ ସହ ରଖିପାରିବନି । ଏକ ସୈନ୍ୟର ସବୁଠାରୁ ବଡ ମର୍ଯ୍ୟାଦା ହେଉଛି ତାର ଶସ୍ତ୍ର । ତା ମନରେ କିଛି ପ୍ରଶ୍ନ ଥିଲା । କଣପାଇଁ ଯୁଦ୍ଧର ଏତେ କୋଳାହଳ ଭାସିଆସିଲା । ଆଉ କିଏ ତ ସ୍ପଷ୍ଟ ଡାକୁଥିଲା ।

ଏ କଳିଙ୍ଗା ନାଁଟା । କିଛି ବୁଝିପାରିଲିନି ।- ଅବିନାଶ ପଚାରିଲା ।

ଏହାପରେ ଛାଇର ମୁହଁରୁ ଏକ ଲମ୍ବା ଧୂଆଁର ରେଖା ବାହାରିଗଲା । ସେ ଧୂଆଁ କାନ୍ଥରେ ଏପଟ ସେପଟ ପିଙ୍ଗ ପଙ୍ଗ୍ ବଲପରି ବାଡେଇ ହେଉଥିଲା ।

ଅବିନାଶ ଏ ପର୍ଯ୍ୟନ୍ତ ତୁମେ ଯାହା ଦେଖିଲ ସେସବୁ ହେଉଛି ଯୁଦ୍ଧ କ୍ଷେତ୍ରର ଦୃଶ୍ୟ । କିନ୍ତୁ ଘମାଘୋଟ ଲଢାଇ ପୂର୍ବର କିଛି କଥା ମଧ୍ୟ ଅଛି ।

ମୁଁ ତୁମକଥା ଶୁଣିବାକୁ କେତେ ଭାବୁଥିଲି । କିନ୍ତୁ କାଳେ ତୁମକୁ ଖରାପ ଲାଗିବ ସେଥିପାଇଁ କିଛି ପଚାରୁ ନଥିଲି । ନିଜର ଆପଣାର କଥାଗୁଡାକ ।

ଅବିନାଶ । ଶରୀର ଥରେ ଧୂଆଁ ହୋଇଗଲା ପରେ ଆଉ କଣ ନିଜର ଥାଏ । ସବୁକଥା ସେମିତି ଧୂଆଁ ହୋଇ ପବନରେ ମିଳେଇ ଯାଇଥାଏ । ମୋ କଥା କେବେଠୁ ପବନରେ ମିଳେଇ ଯାଇଛି । ସାଧାରଣ ସୈନିକର ଜୀବନ । ସେମିତି କିଛି ନିଆଁକଣା ନାହିଁ । ତୁମକୁ କିଛି ଚମକ୍ରାର ଲାଗି ନପାରେ ।

ଜୀବନ ମାତ୍ରେ ଏକ ଆଶ୍ଚର୍ଯ୍ୟ । ଆଉ କିଛି ଭାବିହେଉନଥିବା କଥା ହେଉଛି ଚମକ୍ରାର । ତୁମ ଜୀବନ ମୁଁ ଜାଣିନି । ଏଣୁ ସବୁ କଥା ମୋ ପାଇଁ ଆଶ୍ଚର୍ଯ୍ୟଜନକ ।

ଛାଇ ହସିଲା । ଧୂଆଁସବୁ ତା ମୁହଁ ଚାରପଟେ ଏକାଠି ହୋଇ ଏକ ଧଳା ରେଖା ତିଆରି କରିଥିଲା । ତାପରେ ଭକ୍ ଭକ୍ କରି ଧୂଆଁ ବାହାରିବା ଆରମ୍ଭ ହେଲା । ଏମିତିଆ ପୁଳା ପୁଳା ଧୂଆଁ ବାହାରି ମିଳେଇ ଯିବା ଅବିନାଶକୁ ମଜା ଲାଗୁଥିଲା । ସେ ଧୂଆଁ ବଲ ଭଳି ଯାଇ କାନ୍ଥରେ ବାଡେଇ ହୋଇ ମିଳେଇ ଯାଉଥିଲା ।

ପ୍ରଧାନୀକୁ ମୁଁ କଳିଙ୍ଗା ଡାକୁଥିଲି ।- ସେ ଧୁଆଁ ବୁଲୁଥିଲା ଆଉ କିଛି ଶବ୍ଦ ବାହାରି ଆସୁଥିଲା ।

ଏଇଟା ଏକ ମଜାଦାର ଡାକ । ମୁଁ ମଧ୍ୟ ଏମିତିଆ ନାମକରଣ ସହ ଡାକିବା ଶୁଣି ନଥିଲି ।- ଅବିନାଶ କହିଲା ।

ଆରେ ମୋତେ ମଧ୍ୟ ଆମ ରେଜିମେଣ୍ଟରେ ଲୋକେ କଳିଙ୍ଗା ଡାକୁଥିଲେ । କଳିଙ୍ଗା- ୧ ଆଉ ପ୍ରଧାନୀକୁ ଡାକୁଥିଲେ କଳିଙ୍ଗା- ୨ ।

ଏମିତିଆ ଆଶ୍ଚର୍ଯ୍ୟ ନାମକରରଣ?

ପ୍ରକୃତରେ ଆମେ ଦୁହେଁ କଳିଙ୍ଗ ପ୍ରଦେଶରୁ ଆସିଥିଲୁ । ସେଇଥିପାଇଁ ତ ।

ଆମ ପ୍ରଦେଶକୁ କେଉଁ ପୁରାତନ କାଳରେ କଳିଙ୍ଗ କୁହାଯାଉଥିଲା । କଳିଙ୍ଗାମାନେ ଅତି ସାହାସୀ ଆଉ ନୌପରିବହନରେ ପ୍ରସିଦ୍ଧି ଲାଭ କରିଥିଲେ । ତୁମକୁ ତାହେଲେ ଭଲ ଲାଗୁଥିବ । ଛୁଆଙ୍କୁ ଚିଡାଇଲା ଭଳି ଡାକୁ ନଥିଲେ ଯାହାହେଉ ।- ଅବିନାଶ କହିଲା ।

ଆମ ଦୁହିଁଙ୍କୁ ଭଲ ଲାଗୁଥିଲା ନିଶ୍ଚିତ । – ଛାଇ ଉତ୍ତର ଦେଲା ।

ଏକ ବୀର ଜାତିକୁ କିଏ ତାର ବୀରତ୍ୱ ପାଇଁ ସମ୍ମାନ ଦେଲେ କାହାକୁ ବି ଭଲ ଲାଗିବ । ଯାହାହେଉ ତୁମର କଳଙ୍ଗା ନାମକରଣ ମୋତେ ମଧ୍ୟ ଭଲ ଲାଗିଛି । ତାହେଲେ ତୁମ ବୀରତ୍ୱରେ କିଛି ବଡ ଆଶ୍ଚର୍ଯ୍ୟଜନକ ଗୁଣ ଥିବ । ସମସ୍ତେ ଏକ ବିଶେଷ ଗୁଣକୁ ପ୍ରଶଂସା କରନ୍ତି । – ଅବିନାଶ ପଚାରିଲା ।

ସେଇଟା ଠିକ । ପ୍ରଧାନୀ ତ ଘାତକ କମାଣ୍ଡୋ ଥିଲା ଆଉ ମୁଁ ସୁବେଦାର ମେଜର ।

ଓଃ । ପ୍ରଧାନୀ ତାହେଲେ ଘାତକ କମାଣ୍ଡୋ ଥିଲା । ଏ କଥା ସୁଣି ମୋ ଛାତି କୁଣ୍ଢମୋଟ ହୋଇଯାଉଛି । ଯାହାହେଉ ତୁମେମାନେ ବଡ କାମ କରିପାରିଛ । ଘାତକ କମାଣ୍ଡୋ ହେବା କିଛି ସହଜ କଥାନୁହେଁ ।

ଅବିନାଶ । ତୁମ କଥା ଶୁଣି ମୋତେ ମଧ୍ୟ ଖୁସି ଲାଗୁଛି ।- ଛାଇ ମଣିଷ କହିଲା । ଏବେ ଧଳା ଧୂଆଁ ସବୁ ତାର ମୁହଁ ଚାରିପାଖେ ଏକାଠି ହୋଇଯାଇଥିଲା । ସେ ଭିତରୁ ନାକ, ଆଖି ଆଉ ପାଟି ବାହାରି ଆସିବା ଭଳି ଲାଗୁଥିଲା ଯେମିତି ଏକ ସିଂହ ଧୂଆଁ ଭିତରୁ ଲମ୍ଫ ଦେବାକୁ ପ୍ରସ୍ତୁତ ହେଉଛି । କାମାଣ୍ଡୋମାନେ ତ ସାଧାରଣ ଲାଗନ୍ତି ନାହିଁ । ସେମାନେ ପୁରୁଷ ସିଂହ ।

ସେ ଯୁଦ୍ଧରେ ପ୍ରଧାନୀକୁ ଦେଖିଥିଲ ?

ଜାଣିପାରିଲିନି । ସବୁ ତ ଅନ୍ଧାର ଥିଲା ।

ପଥରରେ ଝୁଲୁଥିବା ସେ ତାଗଡା ଟୋକାଟା ।- ଛାଇ କହିଲା ।

ଗୁରୁତେଜ ସିଂ ତ ପଥରରେ ଝୁଲି ଉପରକୁ ଉଠି ଆସିଲା । ତାପରେ ଏକ ଅତିମାନବୀୟ ଯୁଦ୍ଧକରି ବୀରଗତିକୁ ପ୍ରାପ୍ତ ହେଲା । ସେ ଭିତରେ ଆଉ ଦୁଇ ତିନିଜଣ ପଥରକୁ ଧରି ଉପରକୁ ଚଢି ଆସିଥିଲେ । ସେ ଭିତରୁ କିଏ ପ୍ରଧାନୀ ? ଅବିନାଶ ପ୍ରଧାନୀକୁ ଜାଣି ନଥିଲା । ଛାଇ ମଧ୍ୟ ଆଗରୁ ତାର ବର୍ଣ୍ଣନା ଦେଇନି ।

ମୋତେ ଚିହ୍ନେଇ ତ ଦିଅ । ତୁମ କଥା ଶୁଣି ମୁଁ ତାକୁ ଭଲଭାବେ ଲକ୍ଷ୍ୟ କରିବି । ମୋତେ ଆଉ ଥରେ ସେ ଦୃଶ୍ୟ ଦେଖାଇ ପାରିବ ?

ମୋର ଶକ୍ତି ବେଶି ନାହିଁ । ମୁଁ ଚେଷ୍ଟା କରିବି । ଥରେ ତ ତୁମକୁ ଦିବ୍ୟଦୃଷ୍ଟି ଦେଇଥିଲି । ତୁମେ ନିୟମ ମାନିଲନି । ଫଳରେ ମୋର ଦିବ୍ୟଦୃଷ୍ଟି ଦେବାର ଶକ୍ତି ଅଧା ହୋଇଗଲା ।

ମୁଁ ମଧ୍ୟ ତୁମ ନିୟମ ବାହାରେ କିଛି କରିବାକୁ ଚାହୁଁ ନଥିଲି । ମୋ ନିଃଶ୍ୱାସ ବନ୍ଦ ହୋଇଗଲା । ମୋର କିଛି ଚାରା ରହିଲାନି । ସେଥିପାଇଁ ମୁଁ ଅତି ଦୁଃଖିତ ।

ଏଥର ତୁମକୁ ଆଉ ବହୁତ କଠିନ ନିୟମ ମାନିବାକୁ ହେବ । ଏକଦମ ଜୋରରେ ନିଃଶ୍ୱାସ ନେବନାହିଁ । ଆଉ ପାଟିରୁ ପଦଟିଏ କଥା ବାହାରିବ ନାହିଁ । ଦେହ ହାତ ତ ମୋଟେ ହଲିବନି ।

ମୁଁ ପ୍ରତିଜ୍ଞା କରୁଛି ସେମିତି କରିବି । ତୁମ କଥା ବାହାରକୁ ମୋଟେ ଯିବି ନାହିଁ ।

ଭଲ କଥା । ତୁମ ଉପରେ ମୋର ବିଶ୍ୱାସ ଅଛି । କିନ୍ତୁ ଗୋଟାଏ କଥା ଜାଣିରଖ । ଏଥର ତୁମେ ନିୟମ ମାନି ନାପାରିଲେ ମୋର ତୁମ ପାଖରେ ରହିବା ଅବଧି କମ ହୋଇଯିବ । ମୋର ଆଉ କିଛି ଆଗକୁ କରିବାପାଇଁ ଶକ୍ତି ରହିବନି । ମୁଁ ନିଜେ ଠିଆ ହୋଇପାରିବି କି ନାହିଁ ଜାଣିନି । ଆଉ ମୁଁ କଥା କହିପାରିବିନି ।

ଅବିନାଶକୁ ଲାଗିଲା ସେ ସବୁ ନିୟମ ମାନିପାରିବ ନାହିଁ । ସତରେ ଯଦି ମାନିନପାରେ ତେବେ ଛାଇ ମଣିଷ ତାର ସବୁ ଶକ୍ତି ହରାଇ ବସିବ । ସେଇଟା ମୋଟେ ଭଲ ହେବ ନାହିଁ । ଅତି ଦୁଃଖକର କଥା ହେବ । ସେ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କଲା । ନିଜ ମନକୁ ଛୁଆ ବୁଝେଇଲା ଭଳି ବୁଝାଇଲା ମନ ଭିତରୁ ଏକ ସ୍ୱର ଶୁଣାଗଲା । ଅବିନାଶ ତୁମେ ମୋଟେ ନିୟମ ଭାଙ୍ଗିବନି । ସେ କରିପାରିବ । ତାର କଳିଙ୍ଗାମାନଙ୍କ ପ୍ରକୃତ ବୀରତ୍ୱ ଦେଖିବାକୁ ବହୁତ ଇଚ୍ଛା ଥିଲା । ପ୍ରାଚୀନ କଳିଙ୍ଗର ବୀରତ୍ୱର ପରିଚୟ ପାଇଁ ଆଜି ସମସ୍ତେ ପ୍ରଧାନୀକୁ କଳିଙ୍ଗା କହୁଛନ୍ତି । ତେଣୁ ତା ପାଖରେ କି ବିଶେଷ କୌଶଳ ଅଛି କେଜାଣି ? ଏଇ କଥା ଜାଣିନେଲେ ସେ ସମସ୍ତଙ୍କୁ କଳିଙ୍ଗାମାନଙ୍କ ବୀରତ୍ୱର ଗାଥା ଶୁଣାଇବ ।

ମୁଁ ସବୁକଥା ମାନିବି । ଆଉ ଥରେ ପ୍ରଧାନୀର ବୀରତ୍ୱର ପରାକାଷ୍ଠା ଦେଖାଅନା ।- ଅବିନାଶ ନେହୁରା ହୋଇ କହିଲା ।

ଛାଇ କିଛି କହିଲାନି । ଘର ଭିତର ଆଗଭଳି ଅନ୍ଧାର ହୋଇଗଲା । ଘଡ ଘଡ ଶବ୍ଦରେ କୋଠରୀଟା ଫାଟିଲା ପରି ଲାଗୁଥିଲା । ପ୍ରଥମରେ ତ ଏମିତି ହୋଇନଥିଲା ସବୁକିଛି ଅତି ସାଧାରଣ ଭାବରେ ହୋଇଯାଇଥିଲା ।ଏବେ ଏମିତି କାହିଁକି ହେଉଛି ଅବିନାଶ ବୁଝିପାରିଲାନି । ତାକୁ ଘର ଦୋହଲୁଥିବା ଭଳି ଲାଗିଲା । ପାଣିର ଭୟଙ୍କର ଗର୍ଜ୍ଜନ ଶୁଣାଗଲା । ଆଉ ଏକ ମରୁଥିବା ସୈନ୍ୟର ଅତି ହୃଦୟବିଦାରକ ଆର୍ତ୍ତଚିତ୍କାର ଶୁଣାଗଲା । ସତେ କିଏ ଯେିମିତି ନିଜ ନଖରେ କାହାର ଛାତି ବିଦାରି ପକାଉଛି । ଜୀଅନ୍ତା ତାର କଲିଜାକୁ ବାହାର କରି ଆଣୁଛି । ଅତି କାତର ଶବ୍ଦ । ଅବିନାଶ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିବା ଆଗରୁ ଏମିତି ଭୟଙ୍କର ଶବ୍ଦ ଶୁଣି ଥରିଗଲା ।

ଜୟ ଜଗନ୍ନାଥ । ହେ ନୀଳାଦ୍ରୀବିହାରୀ । ହେ ମହାବାହୁ । ତୁମେ ମୋତେ ସାହାସ ଦିଅ । – ଅବିନାଶ ମନକୁ ମନ କହିଲା ।

ଜୟ ଜଗନ୍ନାଥ ।– ଏ ଶବ୍ଦ ତା ଭିତରେ ସବୁଆଡେ ପ୍ରତିଧ୍ୱନିତ ହେବାକୁ ଲାଗିଲା । ଏ ଶବ୍ଦ ଯେମିତି ସବୁଆଡୁ ଶୁଣାଗଲା ଭଳି ଲାଗିଲା । ରଥ ଯାତ୍ରାରେ ଯେମିତି ଲୋକେ ଜୟ ଜଗନ୍ନାଥ କୁହନ୍ତି ଆଉ ସେ ଶବ୍ଦର ପ୍ରକମ୍ପରେ ଆଉ ସବୁ ଶବ୍ଦର ପରିଚୟ ହଜିଯାଏ, ସେମିତି ଜୟ ଜଗନ୍ନାଥ ଧ୍ୱନୀରେ ସବୁ ଶବ୍ଦ ହଜିଗଲା । ତାକୁ ଲାଗିଲା ସବୁ ପାହାଡ, ସବୁ ପଥର କନ୍ଦିରୁ ଜୟ ଜଗନ୍ୱାଥ ଧ୍ୱନୀ ଆସୁଛି । ଅବିନାଶ ନିଜକୁ ଏକ ପଥରକୁ ଧରି ଝୁଲୁଥିବାର ଆବିଷ୍କାର କଲା । ଏବେ ତାକୁ ଅନ୍ଧାର ପତଳା ଲାଗିଲା । ସେ ପଥର ଉପରେ ନବସି ପଥରରୁ ଝୁଲି ଯୁଦ୍ଧର ଦୃଶ୍ୟ ଦେଖିବ ତାହେଲେ । ତାକୁ କେଉଁଠି କେଉଁଠିକୁ ଯିବାର ଅନୁମତି ଅଛି ସେ ବିଷୟରେ ଆଗରୁ ଛାଇ ମଣିଷ କିଛି କହି ନଥିଲା । କଳିଙ୍ଗା ସାବଧାନ ରହୋ । ତୁମାରା ଆକ୍ସନ କା ସମୟ ଆ ରହା ହୈ ।- କିଏ ଜଣେ କହିଲା ।

ଅବିନାଶ କଥା ସ୍ପଷ୍ଟ ଶୁଣିପାରୁଥିଲା । କିଏ ଜଣେ କଳିଙ୍ଗାକୁ ସାବଧାନ ରହିବା ପାଇଁ କହୁଛି । ସେ ମୁଣ୍ଡ ବୁଲାଇ ଅନାଇଲା । ତା ଠାରୁ କହୁଣୀଏ ଦୂରରେ ଏକ ଟୋକା ଝୁଲୁଥିଲା । ପଥରଟା ଏକଦମ ସିଧା । ତଳ ଦେଖାଯାଉନି ମୋଟେ । ହାତର ଦୁଇ ଆଙ୍ଗୁଳିରେ ଟୋକାଟା ପଥରକୁ ଧରିଥିଲା । ତା ଦାନ୍ତ ସନ୍ଧିରେ ଏକ ବଡ ଛୁରୀ ଥିଲା । ଟୋକାଟାର ଆଖି ଜୁଳୁଜୁଳିଆ ପୋକ ଭଳି ଜଳୁଥିଲା । ଏମିତିଆ ଗୋଟାଏ ହାତ ବା କେଇଟା ଆଙ୍ଗୁଠିରେ କିଏ ଝୁଲିପାରେ ଅବିନାଶ ମୋଟେ ଭାବିପାରନ୍ତାନି । ଏମିତିଆ ଝୁଲିବା ହୁଏତ ବାଦୁଡି ପାଇଁ ସମ୍ଭବ ।

ରାସ୍ତାର ଦାଢରୁ ପଥରଟା ନଦୀ ଭିତରକୁ ବଢି ଆସିଥିଲା । ଏକ ତୀଖ ଗଡାଣି । ସେଥିରେ ଜଣେ ଦୁଇଜଣ ଚାଲିବା ପାଇଁ ପାଦଚଲା ରାସ୍ତା । ତିନିଜଣ ହେଲେ ଜଣକୁ କିଏ ତଳକୁ ଠେଲିଦେବ । ଝୁଣ୍ଟି ପଡିଲେ ତ ସିଧା ତଳକୁ ଆଉ ଜୀବନ ରହିବନି । ଏ ପାହାଡରେ ଗୋଟାଏ ଗଛ ନାହିଁ । ଖାଲି ଖଣ୍ଡ ପଥର ଆଉ ମାଟି । ଏ କେମିତିଆ ପାହାଡ କେଜାଣି ? ଗଛଟିଏ ବି ଏଠି ଉଠୁନାହିଁ । ସେମିତିଆ ପାହାଡରେ ରାତିରେ ଯୁଦ୍ଧ ଚାଲିଥିଲା । ଚିନୀଗୁଡା ଦଳଦଳ ହୋଇ ପାହାଡ ଉପରୁ ଖସୁଥିଲେ । ଯୁଦ୍ଧ ତ ହେବ ରାସ୍ତାର ଉପରେ ।

ଏକ କାତର ଶବ୍ଦ ଶୁଣାଗଲା । ଗୋଟାଏ ଚିନୀ ଏକ କଣ୍ଟା ଗଦାରେ ଭାରତୀୟ ସୈନିକର ମୁଣ୍ଡକୁ ପ୍ରହାର କଲା । କଣ୍ଟା ଅବଶ୍ୟ ମୁଣ୍ଡରେ ଲୁହା ହେଲମେଟ ଥିବା ହେତୁ ପଶିଗଲାନି । କିନ୍ତୁ କାନ୍ଧ ଆଉ ମୁହଁରେ ଗଭୀର ଆଘାତ ଲାଗିଲା । ଭାରତୀୟ ସୈନିକ ତଳେ ପଡିଗଲା । ଏ ଚିନୀଗୁଡା ବିଶଧ୍ୱାସଘାତୀ ଜାତି । ସୀମାରେଖାର ଦୁଇ କିଲୋମିଟର ଦୂର ପର୍ଯ୍ୟନ୍ତ ଆଗ୍ନେୟାସ୍ତ୍ର ବା ଆଉ କିଛି ଅସ୍ତ୍ରର ବ୍ୟବହାର ହୋଇପାରିବନି । କିନ୍ତୁ ଏଗୁଡାକ ପ୍ରଥମେ ଗଦା ଦ୍ୱାରା ପ୍ରହାର କରୁଛନ୍ତି । ଭାରତୀୟ ସୈନ୍ୟ ତଳେ ପଡିଯିବାର ଦେଖି ପଛରୁ ଅନ୍ୟ ସୈନ୍ୟମାନେ ମାଡି ଆସିଲେ । ଜୟ ବଜରଙ୍ଗ ବାଲୀ ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହେଲା ।

ଜୟ ଜଗନ୍ନାଥ ।– ଅବିନାଶ ପାଖରୁ କମାଣ୍ଡୋ ପ୍ରଧାନୀ ଜୋରରେ ଚିଲ୍ଲେଇ ଉଠିଲା । ଅବିନାଶ ପାଖରେ ଝୁଲୁଥିବା ଟୋକା କମାଣ୍ଡୋ ଜାଣିପାରିଲା ତାର ଆକ୍ସନର ସମୟ ଆସିଗଲା । ସେ ପଥରକୁ ଗୋଟାଏ ହାତରେ ଧରି ସେଉଠୁ ବେଙ୍ଗ ଭଳି ଉଚ୍ଛୁଳି ଆସିଲା । ସେତେବେଳକୁ ଉପରେ ବେଶ ଠେଲାପେଲା ଲାଗିଥାଏ ଆଉ ସମସ୍ତେ ବାଡିଆବାଡି ହେଉଥାନ୍ତି । ତାର ମୁହଁରେ ଥିବ ଛୁରୀ ତାର ହାତରେ ଥିଲା । ତିନିଟା ଚିନୀ ଏକ ଭାରତୀୟ ସୈନିକକୁ ଘେରି ଯାଇଥାନ୍ତି । ସେ ଭିତରୁ ଜଣେ ତାର କଣ୍ଟା ଗଦାରେ ଭାରତୀୟ ସୈନିକକୁ ମାରିବାକୁ ଉଦ୍ୟତ । ପ୍ରଧାନୀ ସେହିବଡ ପଥରୁ ଉପରକୁ ଲମ୍ଫ ଦେଲା । ଏମିତିଆ ଲମ୍ଫ ଦେଇ କେବଳ ବ୍ରାହ୍ମଣୀ ବେଙ୍ଗ ପୋଖରୀ ଭିତରକୁ ଡେଇଁପାରେ ବା କାଠ ବେଙ୍ଗ ଗୋଟାଏ ଯାଗାରୁ ଅଉ ଏକ ଯାଗାକୁ ଲମ୍ଫ ଦେଇପାରେ । ସେ ଦୁଇ ଲମ୍ଫରେ ଗଦା ଧରିଥିବା ସୈନିକ ପାଖରେ ପହଞ୍ଚିଗଲା ତାର ହାତ ଖୁବ ଜୋରରେ ବୁଲିଗଲା ଆଉ ଚିନୀର ମୁଣ୍ଡଟା ଖାଲି ନଡ ନଡ ହେଲା । ଗଳାରୁ ପିଚକାରୀ ଭଳି ରକ୍ତ ବାହାରି ଆସିଲା । ପ୍ରଧାନୀ ତାର କଣ୍ଟା ଗଦା ଛଡେଇ ଆଣି ଅର ଦୁଇଜଣ ଚିନୀ ସୈନିକଙ୍କୁ ଅଣ୍ଟାରେ ବଳରାମଙ୍କର ଗଦା ପାହାର ଦେଲା । ତା ହାତରେ ଯେମିତି ମହାପ୍ରଭୁ ବଳରାମଙ୍କର ସବୁ ଶକ୍ତି ଥିଲା । ଦୁଇ ଚିନୀଙ୍କର ହାତର ଛୁରୀ ଚମକି ଉଠିଲା । ସେମାନେ ପ୍ରଧାନୀ ଆଡକୁ ମାଡି ଆସିଲେ । କିନ୍ତୁ ତା ପୂର୍ବରୁ ତାର ଛଡେଇ ନେଇଥିବା କଣ୍ଟା ଗଦା ଏକ ବଡ ଚକ୍ରଭଳି ବୁଲିଯାଇ ଦୁଇ ଚିନୀଙ୍କୁ ଗୋଟାଏ ପ୍ରହାରରେ ଧରାସାତ କରିଦେଲା । ସେ ଦୁଇଟାଙ୍କର ଅଣ୍ଟା ଭଙ୍ଗିଯାଇଥିଲାା ସେମାନେ ବିକଳରେ ଚିତ୍କାର କରୁଥିଲେ । ସେ ଦୁଇଟାଙ୍କୁ ସେ ତଳକୁ ପେଲିଦେଲା । ଏବେ ରାସ୍ତା ସାଫ ।

ୱାହା । କଳିଙ୍ଗା ୱାହା ।- ଅର୍ଥାତ୍ ବାହା ବାହା କଳିଙ୍ଗା ଚିତ୍କାର ଆସିଲା । ପାଖ ସୈନ୍ୟମାନେ କଳିଙ୍ଗର ବୀର ପ୍ରଧାନୀର ଶକ୍ତି ଦେଖି ତାକୁ ପ୍ରଶଂସା କରୁଥିଲେ । ଦୁଇ କ୍ଷଣରେ ତିନି ଚିନୀ ଜୀବନ ହାରିଥିଲେ ।

କଳିଙ୍ଗା । ତୁମ ପୋଜିସନ ନେଇନିଅ ।- ଆଉ ଜଣେ ଘାତକ କମାଣ୍ଡୋ କହିଲା । ସେମାନଙ୍କୁ ଚିନୀ ସୈନିକମାନଙ୍କୁ ସୁଯୋଗ ଦେଖି ଆକ୍ରମଣ କରିବାପାଇଁ କୁହାଯାଇଥିଲା । ଏ ଘାତକ ଦଳ କେବଳ ପଏଣ୍ଟ ନମ୍ବର ୧୪ ର ରକ୍ଷା କରିବେ । ଅନ୍ୟମାନେ ଅଲଗା ଯାଗାରେ ଆକ୍ରମଣ କରିବେ ।

ପ୍ରଧାନୀ ସେ ଯାଗାରୁ ଏକ ଲମ୍ବା ଲମ୍ଫ ଉପରକୁ ଦେଲା ଆଉ କାଠବେଙ୍ଗ ଭଳି ସେମିତିଆ ଅତି ଦୁଷ୍କର ଲାଗୁଥିବା ପଥରକୁ ଧରି ରହିଗଲା । ତାର ଦେହ ପଥର ଦେହରେ ଚିପି ହୋଇରହିଥିଲା ଆଉ ଛୁରୀଟା ଆଗଭଳି ଦାନ୍ତ ସନ୍ଧିରେ ଥିଲା । ସେଇଠୁ ସେ ଆକ୍ରମଣ କରିବ । ଅବିନାଶ ପ୍ରଧାନୀ ସହଯେମିତି ସବୁ ଯାଗାକୁ ଉଡି ଯାଉଥିଲା । ଅବିନାଶକୁ କିଛି କରିବାକୁ ପଡୁନଥିଲା । ସତେ ଯେମିତି ସେ ପ୍ରଧାନୀର ଛାଇ ଆଉ ପ୍ରଧାନୀ ଯୁଆଡେ ଯିବ ସେ ପ୍ରଧାନୀସହ ଉଡିଯିବ । ତେଣୁ ପ୍ରଧାନୀର ସବୁ ବୀରତ୍ୱର ପ୍ରତିଟି କ୍ଷଣର ସେ ସାକ୍ଷୀ ଥିଲା ଆଉ ଯୁଦ୍ଧର ରୋମାଞ୍ଚ ଗ୍ରହଣ କରୁଥିଲା । ତାର ଛାତିର ନିଃଶ୍ୱାସ ଜୋର ହେବାକୁ ଆରମ୍ଭ କରୁଥିଲା । କିନ୍ତୁ ନିୟମ ଅନୁଯାୟୀ ସେ ଜୋରରେ ନିଃଶ୍ୱାସ ନେଇପାରିବନି । ତେଣୁ ସେ ଧିରେ ନିଶ୍ୱାସ ନେଲା । ସେ ଏବେ ପ୍ରଧାନୀ ସହ ଉପରେ ରାସ୍ତା ଉପରକୁ ଝୁଲିଆସିଥିବା ପଥରରେ ଚିପି ହୋଇ ରହିଥିଲା । ସେମାନଙ୍କ ଉପରୁ ତାର ପୋଜିସନ ଜଣା ପଡିବନି ।

ଅନ୍ୟ ଘାତକ ସୈନ୍ୟମାନେ ଆଉ ସାଧାରଣ ସୈନ୍ୟମାନେ ରଣ ହୁଙ୍କାର ଦେଉଥାନ୍ତି । ଚିନୀମାନଙ୍କ ଆର୍ତ୍ତ ଚିତ୍କାରର ପ୍ରତିଧ୍ୱନୀ ସବୁଆଡୁ ଆସୁଥାଏ । ଭାରତର କିଛି ଜବାନ ମଧ୍ୟ ଆହାତ ହୋଇଥାନ୍ତି । କିଛି ତ ପାଣି ଭିତରକୁ ଖସିଯାଇଥିଲେ । ସେମାନେ ଖସିବା ସମୟରେ ମଧ୍ୟ ଜୟ ବଜରଙ୍ଗ ବାଲୀ ଚିତ୍କାର କରୁଥିଲେ । ସେମାନଙ୍କ ମୁହଁରୁ ଆର୍ତ୍ତ ଚିତ୍କାର ଆସୁନଥିଲା । ସେମାନେ ନିଜର ଯନ୍ତ୍ରଣାକୁ ଖାତିର କରୁ ନଥିଲେ । ଏପଟେ କମାଣ୍ଡୋ ପ୍ରଧାନୀ ଝିଟିପିଟି ଭଳି ପଥରରେ ଚିପି ହୋଇ ଆଉ ଏକ ଆକ୍ସନର ଅପେକ୍ଷା କରିଥିଲା । ଆଗପଟୁ କିଛି ଚିନି ମାଡି ଆସିଲେ । ଏତେ ଲୋକ ମଲାପରେ ବା ଆହାତ ହେଲାପରେ ମଧ୍ୟ ଚିନୀଗୁଡା ମାଡି ଆସୁଥାନ୍ତି । ଏଥର କିନ୍ତୁ ସେମାନଙ୍କ ପାଦ ଡରି ଡରି ଆଗଉଥାଏ । ଏକ ଅଫିସର ସେମାନଙ୍କ ନେତୃତ୍ତ୍ୱ ନେଉଥାନ୍ତି । ଭାରତର ସୈନ୍ୟମାନେ ଚିନୀଙ୍କୁ ଦେଖି ଆଗକୁ ମାଡିଗଲେ । ଏଗୁଡାଙ୍କୁ ଉପଯୁକ୍ତ ଶାସ୍ତି ଦଇେ ସେମାନଙ୍କ ଯାଗାକୁ ଠେଲିଦେବେ ।

ସବୁ ଚିନୀଙ୍କ ହାତରେ ପ୍ରାୟ କଣ୍ଟାତାର ଲାଗିଥିବା ଗଦା । ଭାରତୀୟ ସୈନ୍ୟମାନଙ୍କ ହାତରେ ଲମ୍ବା ଛୁରୀ ଆଉ ଲୁହାର ବାଡି ଥିଲା । ସେମାନେ କଣ୍ଟା ଲଗା ଗଦାରେ ଆକ୍ରମଣ କରୁଥାନ୍ତି ଆଉ ଭାରତୀୟମାନେ ବଡ ଲୁହା ବାଡି ଆଉ ଛୁରୀରେ । ସେ ଅଫିସରଟା ସାହାସୀ ତଥା ବଳିଷ୍ଠ ଥିଲା । ସେ ଅତି ସହଜରେ ଭାରତୀୟମାନଙ୍କ ଆକ୍ରମଣରୁ ବଞ୍ଚିଯାଉଥିଲା ଆଉ ନିଜ ସୈନିକମାନଙ୍କୁ ପ୍ରାଣାନ୍ତକ ଆଘାତ କରିବାପାଇଁ କହୁଥିଲା । ପ୍ରଧାନୀ ଜାଣିପାରିଲା ତାର ଆକ୍ସନ ସମୟ ଆସିଗଲା । ବର୍ତ୍ତମାନ ତାକୁ ନିର୍ଦ୍ଧେଶ ଦେବାପାଇଁ ତାର ଅଫିସର ପାଖରେ ନଥିଲେ । ସେ ମଧ୍ୟ ଆହାତ ହୋଇସାରିଥିଲେ ।

ଜୟ ଜଗନ୍ନାଥ ।- ଏକ ବିରାଟ ଗର୍ଜ୍ଜନର ସହ ପ୍ରଧାନୀ ଆତ୍ମ ପ୍ରକାଶ କଲା । ତା ସ୍ୱରରେ ସବୁ ଥରିଗଲା । ସେ ସିଧା ଚିନୀ ଅଫିସର ଉପରକୁ କୁଦିଗଲାା ଚିନୀ ମଧ୍ୟ ଅତି କୌଶଳୀ ଥିଲା । ପ୍ରଥମ ଆକ୍ରମଣକୁ ସେ ସହିଗଲା । ତା ହାତରେ ଚାକୁ ଚମକି ଉଠିଲା । ପ୍ରଧାନୀ ତାର ବେଙ୍ଗ ଲମ୍ଫଦେଇ ଏକ ପଥର ଉପରକୁ ଯାଇ ବୁଲି ପଡିଲା । ସେ ଚିନୀଟା ତା ଆଡକୁ ମାଡି ଆସୁଥିଲା । ତା ସାଙ୍ଗରେ ଆଉ ଦୁଇଟା ସୈନିକ ଥିଲେ । ସମସ୍ତଙ୍କ ହାତରେ ଗଦା ଆଉ ଛୁରୀ । ପ୍ରଧାନୀ ନିଜର ବଙ୍କା ଛୁରୀକୁ ଜୋରରେ ମୁଠେଇ ଧରି ସେ ଅଫିସର ଉପରକୁ କୁଦିପଡିଲା ଆଉ ତାର ତଣ୍ଟିକୁ ବାଁ ହାତରେ ଧରିନେଲା । ଏକ ଆଘାତରେ ଚିନୀର ବେକ କଟିଯାଇଥାନ୍ତା । କିନ୍ତୁ ସେ ଭିତରେ ଆଉ ଏକ ଚିନୀ ପ୍ରଧାନୀର ହାତକୁ ଖଣ୍ଡାରେ ଭୁସିଦେଲା । ପ୍ରଧାନୀର ଡାହାଣହାତ ଅକାମୀ ହୋଇଗଲା । କିନ୍ତୁ ସେ ବାଁ ହାତରେ ଚିନୀର ତଣ୍ଟି ଧରିଥାଏ । ଚିନୀ ଅଫିସରଟା ମଧ୍ୟ ଅତି କୌଶଳୀ । ସେ ବେଙ୍କଇଯାଇ ପ୍ରଧାନୀ କବଜାରୁ ଖସିଯିବାକୁ ବସିଥାଏ । ଏ ଭିତରେ ଆଉ ଜଣେ ଚିନୀ ପ୍ରଧାନୀର ଗୋଡକୁ ଧରିନେଲା । ବଳଶାଳୀ ଅଫିସର ମଧ୍ୟ ପ୍ରାଣପଣେ ଚେଷ୍ଟା ଚଲାଇଥାଏ । ପାଖରେ ଭାରତୀୟ ସୈନ୍ୟମାନେ ପହଞ୍ଚିପାରୁ ନଥିଲେ । ପ୍ରଧାନୀ ଜାଣିନେଲା । ଏଇଟା ଶହୀଦ ହେବାର ସମୟ । ଦେଶ ମାତୃକା ପାଇଁ ବଳୀଦାନର ସମୟ । ସେ କହୁଣୀକୁ ବେଙ୍କଇ ଦେଇ ଚିନି ଅଫିସରକୁ କଣ୍ଢାଇ ପକାଇଲା । ଡାହାଣ ଗୋଡରେ ଗୋଡ ଧରୁଥିବା ଚିନୀକୁ ଏକ ଜୋରରେ ଗୋଇଠା ପକାଇ ସୋମନଙ୍କ କବଜାରୁ ମୁକ୍ତ ହୋଇଗଲା ।

ଜୟ ଜଗନ୍ନାଥ । – ପ୍ରଧାନୀ ପୁଣି ଜୋରରେ ପାଟିକଲା ।

ତାର ଶରୀର ଏବେ ପ୍ରାୟ ଶୂନ୍ୟରେ । ଡାହାଣ ହାତ କାମ କରୁନି । ବାଁ ହାତରେ ଚିନୀ ଅଫିସରର ଗଳାକୁ କୁଣ୍ଢାଇଛି । ଛାଡିଦେଲେ ନିଶ୍ଚିତ ମୃତ୍ୟୁ । ତା ହାତ ପଥର ଆଡକୁ ଚାଲିଗଲା । କିନ୍ତୁ ପଥରକୁ କଣ୍ଢାଇ ପାରିଲାନି । ସେ ଆଉ ଚିନୀ ଅଫିସର ଦୁହେଁ କଳା ଅନ୍ଧାରକୁ ଖସିଗଲେ ।

ତା ପାଖରେ ଲଢୁଥିବା ଅନ୍ୟ ଭାରତୀୟ ସୈନ୍ୟମାନେ ଚିନୀ ଅଫିସର ସହ ପ୍ରଧାନୀକୁ ନଦୀକୁ ଖସି ଯିବାର ଦେଖିଥିଲେ । ସେମାନଙ୍କ ସମସ୍ତଙ୍କ ମୁହଁରୁ ବାହାରି ଆସିଲା ଜୟ ଜଗନ୍ନାଥ । – ପ୍ରଧାନୀପାଇଁ ସେମାନଙ୍କ ଅନ୍ତିମ ବିଦାୟର ଶବ୍ଦ ଥିଲା । ତଳୁ ମଧ୍ୟ ଜୟ ଜଗନ୍ନାଥ ଶବ୍ଦ ଶୁଣାଗଲା ।

ଏହାପରେ ଯୁଦ୍ଧ ଅତି ଭୀଷଣ ହେଲା । ସବୁ ଚିନୀଙ୍କୁ ମାରି ହାଣି ସେମାନଙ୍କ ତଳକୁ ଠେଲି ଦିଆଗଲା । କେବଳ ଚିନୀମାନଙ୍କ ଆର୍ତ୍ତ ଚିତ୍କାରରେ ଆକାଶ ପାତାଳ ପ୍ରକମ୍ପିତ ହେଉଥିଲା ।

ଅବିନାଶ ମଧ୍ୟରେ ଶିହରଣ ଥିଲା । ସେ ନିଜକୁ ପ୍ରଧାନୀ ସହ ପାଣିକୁ ଖସି ଯିବାର ଦେଖିଲା । ପ୍ରଧାନୀର କବଜାରେ ଥିବା ଚିନୀ ଅଫିସର ଛଟପଟ ହେଉଥିଲା । କିନ୍ତୁ କାଳ କବଳରୁ ମୁକ୍ତି କାହିଁ । ପ୍ରଧାନୀର ମୁହଁରେ କିଛି ଚିତ୍କାର ନଥିଲା । କିନ୍ତୁ ଚିନୀଟା ଚିତ୍କାର କରୁଥିଲାା କିଛି ବେଳପରେ ଚିନୀ ସହ ପ୍ରାଧାନୀ ପଥର ଉପରେ ପଡିଲା । ମରିବା ଆଗରୁ ପ୍ରଧାନୀ ଚିନୀର ବେକକୁ ମୋଡି ଦେଇଥିଲା । ସେ ଗୋଡ ବି ଛଟଛଟ କରୁନଥିଲା । । ପ୍ରଥମେ ଚିନୀର ମୁଣ୍ଡ ପଥରରେ ବାଜି ଛିନଚ୍ଛତ୍ର ହୋଇଗଲା ଆଉ ପ୍ରଧାନୀର ଶରୀର ପାଣିରେ ପଡିଲା । ପ୍ରଧାନୀ ବୀରଗତି ପ୍ରାପ୍ତ ହେଲା ।

ତା ମୁହଁରୁ ଶେଷ ଶବ୍ଦ ଥିଲା – ଜୟ ଜଗନ୍ନାଥ ।

ପ୍ରଧାନୀ ଯୁଦ୍ଧ କୌଶଳ କେଉଁ ଶିଖା କ୍ଲାସର ନଥିଲା । ତାର ନିଜ ଭିତରେ ଥିବା କୌଶଳ । ସେ ବି ନିଜେ ଜାଣି ନଥିଲା ଏମିତି କୌଶଳର ସେ ଅଧିକାରୀ । ପ୍ରଧାନୀର ପାହାଡ ଚଢା କୌଶଳ ସମସ୍ତଙ୍କଠାରୁ ଭିନ୍ନ ଥିଲା । ସେ ଲମ୍ଫ ଦେଇ ଏକ ବଡ ପଥରରୁ ଅନ୍ୟ ବଡ ପଥର ପର୍ଯ୍ୟନ୍ତ ଚାଲି ଯାଉଥିଲା ଆଉ ଅତି ସହଜରେ ଝିଟିପିଟି ଭଳି ଲାଖି ରହୁଥିଲା । ଏମିତିଆ କୌଶଳ ମଣିଷ ପାଖରେ ସମ୍ଭବ ବୋଲି ଅବିନାଶ ଭାବି ପାରୁ ନଥିଲା । ଏହି ଅସମ୍ଭବ ଲାଗୁଥିବା, ପାରି ହେଉନଥିବା କୌଶଳ ପାଇଁ ତ ଯୋଦ୍ଧା ଅଜେୟ ରୁହେ, ଅପରାଜୟୀ ହୁଏ ।

ଅବିନାଶ ପ୍ରଧାନୀର ଏକ କୌଶଳକୁ ଭଲ ଭାବେ ଲକ୍ଷ୍ୟ କଲା । ଯଦି କିଏ ଶକ୍ତିଶାଳି ଶତ୍ରୁ ତାକୁ ଧରି ନେଉଛି ସେ ହାତର ଅତି ତୀବ୍ର ଗତିରେ ତା ଠାରୁ ସହଜରେ ଖସି ଯାଉଛି । ଦଳେ ସୈନ୍ୟ ତାକୁ ଘେରିଗଲେ ସେ ଖୁବ ଜୋରରେ ଗଡି ସମସ୍ତଙ୍କୁ ତଳେ ପଡକାଇ ଦେଇ ସେମାନଙ୍କୁ ପରାଭୂତ କରୁଛି । ଏଇ ତୀବ୍ର ଘୁରିବା କଳା ପ୍ରଧାନୀ ପାଖରେ ଅଦ୍ଭୂତ ଭାବେ ଥିଲା । ଜନ୍ମଗତ ଗୁଣ । ପ୍ରଧାନୀ ଭଳି ସୈନିକ ନିଜ ବାଳୁତ, କୈଶୋରରେ ପାହାଡରେ କେତେ ଗଡିଥିବେ ଆଉ ସେହି ଗଡିବା ଗୁଣ ତାକୁ ଏଠି ଅଜୟ କରି ରଖିଛି ।

ଆଉ ଏକ ମହାନ କଳା ତା ପାଖରେ ଥିଲା ଯେଉଁଟାକି ତାର ଆଙ୍ଗୁଠିର ଶକ୍ତି । ଦେହର ସବୁ ଶକ୍ତି ଯେମିତି ହାତ ଆଙ୍ଗୁଠିକୁ ଆଣି ପାରୁଥିଲା ଆଉ ସେ ସମୟରେ ତା ଆଙ୍ଗୁଠି ଲୁହା ପରି ଶକ୍ତ ହୋଇଯାଉଥିଲା । ଏକ ମଣିଷର ଓଜନ ଏକ ଆଙ୍ଗୁଠିକୁ ଆସିଗଲେ, ସେଇ ଆଙ୍ଗୁଠି ଏକ ଅତି ଶକ୍ତଶାଳି ଅସ୍ତ୍ର ହୋଇଯାଏ । ଗୁଳି ଯେମିତି ସହଜରେ ମଣିଷ ଦେହରେ ଫୁଟିଯାଏ, ଏକ ଟାଣୁଆ ଆଙ୍ଗୁଠି ସହଜରେ ହାଡକୁ ଚୂନା କରିଦେଇପାରେ ।

ଏସବୁ କଳା ଦେଖି ଅବିନାଶ ଚକିତ ହୋଇଯାଉଥିଲା ।

ପ୍ରଧାନୀ ପାଖରେ ଏତେ ଗତି କେମିତି ସମ୍ଭବ ହେଲା ତା ମଧ୍ୟ ଅବିନାଶ ବୁଝିପାରୁ ନଥିଲା । ପ୍ରଧାନୀର ଶରୀର ଏମିତି କିଛି ତାଗଡା ନଥିଲା । ବଳଶାଳୀ କିନ୍ତୁ ଶିଖମାନଙ୍କ ଭଳି ତାଗଡା ନୁହେଁ । କିନ୍ତୁ ଗତି । କି ତୀବ୍ର ଗତି ତାର!ତେଣୁ ନିଉଟନଙ୍କ ପ୍ରଥମ ନିୟମ ହିସାବରେ ଫୋର୍ସ = ମାସ x ମୋମେଣ୍ଟମ । ମାସ ବା ଓଜନ ହିସାବରେ ସିନ ପ୍ରଧାନୀ କମ୍ କିନ୍ତୁ ତାର ମୋମେଣ୍ଟମ ବା ଗତି ବହୁ ଗୁଣରେ ଅଧିକ ଥିଲା । ଏହା ତାକୁ ଏକ ଅତି କୁଶଳୀ ଯୋଦ୍ଧା କରି ଗଢିଥିଲା ।

ତାହେଲେ ପ୍ରଧାନୀ ଭଳି କଳିଙ୍ଗର ଯୋଦ୍ଧାମାନଙ୍କ ଭିତରେ କିଛି ବିରାଟ ଶକ୍ତି କଣ ଶୋଇ ରହିଛି ? କେବଳ ତାକୁ କଣ ନିଦରୁ ଜଗାଇବାର ଆବଶ୍ୟକତା ଅଛି ? ପ୍ରଧାନୀ ଭଳି ଯୋଦ୍ଧାମାନେ କେବଳ ମନ ଭିତରେ ଚାଲିଥିବା ଯୁଦ୍ଧକୁ କଣ ଜିତିପାରୁ ନଥିବାରୁ କଣ ସଂସାର ଆଗରେ ସବୁବେଳେ ଦୁର୍ବଳ ହୋଇ ଅଛନ୍ତି । ସେମାନେ କଣ ପାଇଁ ଅବୋଧ ବାଳକ ଭଳି ଯୁକ୍ତି କରି କରି ନିଜକୁ ଶକ୍ତିହାନୀ କରନ୍ତି କେଜାଣି ? ଏତେ ସନ୍ଦେହ ସେମାନଙ୍କ ମନକୁ କଣ ପାଇଁ ଆସେ ?

ମନରେ ସବୁେଳେ ନିଜ ପ୍ରତି ସନ୍ଦେହ, ଦିଗହୀନତା ପ୍ରଧାନୀକୁ ତାର ପ୍ରକୃତିଗତ ଯୋଦ୍ଧାର ମାନ୍ୟତା ସମାଜ ଆଗରେ ଦେଇ ପାରିନି । ତାର ଭିତରେ ଥିବା ଜନ୍ମଗତ ତୀବ୍ରତା ମନର ସନ୍ଦେହ ଯୋଗୁ ମଳିନ ପଡିଯାଇଛି । ଅବିନାଶ ଭାବୁଥିଲା ଯଦି ପ୍ରଧାନୀ ନିଜର ତୀବ୍ରତାକୁ ଗୋଟିଏ ନୁହେଁ, ସବୁ ଯୁଦ୍ଧରେ ଦେଖାଉଥାନ୍ତା ତାହେଲେ ତାକୁ ସମସ୍ତେ ମହାବୀର କହିଥାନ୍ତେ ।

ଏ ସନ୍ଦେହ ନାଶ ହେଉ ସମାଜରୁ । – ଅବିନାଶ ମନକୁ ମନ କହିଲା ।

ତୁମେ ଏ ଆସଲ୍ଟ ରାଇଫଲସ୍ ନେବାକୁ ମନ କରିଥିଲା । ନେବ ?- ଛାଇ ପଚାରିଲା ।

ଅବିନାଶ ଆଲୁଅରେ ପରିଷ୍କାର କରି ପୋଛା ହୋଇଥିବା ଆସଲ୍ଟ ରାଇଫଲସକୁ ଅନାଇଲା । ସତରେ ସେ ଏ ମର୍ଯ୍ୟାଦା ରଖି ପାରିବ ? ତାକୁ ନିଜ ଭିତରେ କିଛି ସନ୍ଦେହ ଆସୁଥିଲା । ଯଦି ନ ରଖି ପାରିବ ? କେତେ ଅନର୍ଥ ହୋଇଯିବ । କିନ୍ତୁ ଯଦି ସେ ଆସଲ୍ଟ ରାଇଫଲସ୍ ନନେଉଛି ତେବେ ବୀର ସୈନିକର ବଳିଦାନ କେହି ମନେ ପକାଇବେନି । ଏକ ସାଧାରଣ ଦୁର୍ଘଟଣା ଭାବି ସମସ୍ତେ ଭୁଲିଯିବେ । ସେଇଟା ମଧ୍ୟ ଅତି ଅନୁଚିତ । ତେଣୁ କଣ କରିବ ?

ସେ ଛାଇକୁ ଅନାଇଲା । ଛାଇର ମୁହଁ ଅତି ଦୃଢ ଦେଖାଯାଉଥିଲା । ତା କପାଳରେ କେତେଧାଡି ଧୂଆଁର ରେଖା ସିଧା ହୋଇ ଥିଲା । ମୁଣ୍ଡରେ ଗଭୀର ରେଖା ଆସିଯାଇଛି । କର୍ତ୍ତବ୍ୟ ସହ ଅତି ଦୃଢ ନିଷ୍ଠା ଆସିଛି । ସେ ସେହି ନିଷ୍ଠା ଆଉ ଶୃଙ୍ଖଳାକୁ ସମାଜକୁ ନେବ । ଅତି ଦୁଃଷ୍କର କଥା । କିନ୍ତୁ ଛାଇ ମଣିଷର ଯିବା ସହ ଏ ସ୍ମାରକୀ ଯେ ଆଉ ରହିବନି । ସେଇଟା ମଧ୍ୟ କେହି ତିଆରି କରିପାରିବେନି । ବଳିଦାନକୁ କେହି ଶିଳ୍ପୀ ପଥରରେ ଫୁଟାଇ ପାରିବେନି । କିନ୍ତୁ ଛାଇ ମଣିଷର ଆସଲ୍ଟ ରାଇଫଲସ୍ ଏକ ଆଗରୁ ତିଆରି ହୋଇଯାଇଥିବା ସ୍ମାରକୀ । ସେ ଆଖି ବନ୍ଦ କରି ନିଜକୁ ସ୍ଥିର କରୁଥିଲା ।

ଅବିନାଶ ନିଜର ଦୁଇ ହାତ ଆଗକୁ ବଢାଇ ଦେଲା । ତା ହାତରେ ସେ ପୁରୁଣା ଓଜନିଆ କିନ୍ତୁ ଚକ୍ ଚକ୍ ହୋଇଥିବା ରାଇଫଲସ୍ । ସେଥିରେ ଧୂଳିଟିଏ ଲାଗିବନି । ତାର ହାତର ଶିରା ସବୁ ଫୁଟି ଉଠିଲା । ଏତେ ଓଜନ ସମ୍ଭାଳିବା ସହଜ ନୁହେଁ । କିନ୍ତୁ ତା ହାତ ନଇଁଲାନି । ସେ ସାମାନ୍ୟ ବିଚଳିତ ହେଲାନି । ତାକୁ ଏବେ ମରଣର ଚିତ୍କାର ଶୁଣାଯାଉନଥିଲା । କେବଳ ସୈନ୍ୟମାନଙ୍କର ଶୃଙ୍ଖଳିତ ମାର୍ଚ୍ଚପାଷ୍ଟର ଶବ୍ଦ । ଡ୍ରମର ବିଟ୍ । ଏକ୍-ଦୋ-ଏକ୍ । ତାର କାନରେ ବୁଟ ଜୋତାର ଧପ୍ ଧପ୍ ଚାଲି ପ୍ରତିଧ୍ୱନିତ ହେବାକୁ ଲାଗିଲା ।

ସେ ଅତି ସ୍ଥିର ଦୃଷ୍ଟିରେ ରାଇଫଲସକୁ ଅନାଇଲା । ରାଫଲସ୍ କକ୍ ହୋଇଛି । ଟ୍ରିଗାର ଚିପିଲେ ଗୁଳି ବର୍ଷା ଭଳି ଝରିପଡିବ । ତା ଆଙ୍ଗୁଠି ଟ୍ରିଗାର ଉପରେ ରଖିଲାା ହୃତପିଣ୍ଡର ପ୍ରତିଟି ଧକ୍ ଧକ୍ ସେ ଶୁଣିପାରୁଥିଲା । ଅଗଣିତ ସୈନ୍ୟଙ୍କ ହୃତପିଣ୍ଡର ଶବ୍ଦ । ସମସ୍ତେ ଜୀବନ୍ତ । ସେ ରାଇଫଲସ୍କୁ ଅତ ଯତ୍ନର ସହ ଟେବୁଲ ଉପରେ ରଖିଦେଲା ଆଉ ସାବଧାନର ସହ ଠିଆ ହୋଇ ଏକ ଜୋର ସାଲ୍ୟୁଟ ଦେଲା । ଯଦିଓ ତା ଗୋଡରେ ସୈନ୍ୟଙ୍କ ବୁଟ ନଥିଲା ତଥାପି ତାର ଗୋଡଟା ଖୁବ ଜୋରରେ ଚଟାଣରେ ବାଡେଇ ହେଲା ଚଟାଣ, ଘର ଥରି ଉଠିଲା । କିନ୍ତୁ ଅବିନାଶ ଭିତରେ କିଛି କମ୍ପିଲାନି ।

ତୁମ ସହ ଫଟୋ ମୁଁ ନେଇନିଏ ।- ଅବିନାଶ କହିଲା । ଛାଇ କିଛି କହିଲାନି ।

ଅବିନାଶର ଇସାରା ହିସାବରେ ତା ପାଖରେ ଠିଆ ହୋଇଗଲା । ଅବିନାଶ ଆଲମିରାରୁ ନିଜର କ୍ୟାମେରା ବାହାରକରି ଯାଗାର ଫ୍ରେମିଙ୍ଗ କରିନେଲା ଆଉ କ୍ୟାମେରାକୁ ସେଲଫ୍ ଟାଇମର ଦେଇ ଛାଇ ପାଖରେ ଆସି ଉପଯୁକ୍ତ ସ୍ଥାନରେ ଠିଆ ହୋଇଗଲା । ତାର ହାତ ସ୍ଥିର ଥିଲା ଆଉ ପାଖରେ ଛାଇ ମଣିଷ ମୁଣ୍ଡକୁ ସିଧା କରି ଠିଆ ହୋଇଥିଲା । ଅବିନାଶକୁ ଲାଗିଲା ଛାଇ ମଣିଷର ଚାରିପାଖେ ତା ଭାବିବା ହିସାବରେ ଧିଆଁ ବୁଲୁଥିବ ଆଉ ଆଖି ବହୁତ ଉଜ୍ଜ୍ୱଳ ଦେଖାଯାଉଥିବ । ଏକ ସୈନିକ ଭଳି ତା ଛାତି ଜୋରରେ ଫୁଲିଉଠିଲା । ଏକଦମ ଆଟେନସନ ପୋଜିସନ । କିଛି ସେକେଣ୍ଡ ପରେ କ୍ୟାମେରାରୁ ଟକ୍ ଶବ୍ଦ ଆସିଲା ଆଉ ଫଟୋ ଉଠିଗଲା । ଏମିତି ସେ ଦୁଇଟା କୋଣରୁ ଫଟୋ ନେଇଗଲା ।

ଅବିନାଶ କ୍ୟାମେରାର ଫଟୋକୁ ରିପ୍ଲେ କରି ଫଟୋଟା କେମିତି ଉଠିଛି ଦେଖିବାକୁ ଲାଗିଲା । ତାର ଆଖି ଫଟୋ କେଇଟା ଉପରେ ସ୍ଥିର ହୋଇ ରହିଥିଲା । ମନ ମୁତାବକ ଫଟୋ ଉଠିଛି । ଛାଇ କିଛି ସମୟ ନୀରବ ହୋଇ ଠିଆ ହୋଇଥିଲା । ସେ ଅବିନାଶର ଆଖିରେ ଉତ୍ସାହ ଦେଖି ମନମନେ ବହୁତ କିଛି ଭାବୁଥିବ । ଅବିନାଶ ଏକ ଫଟୋକୁ ସବୁଠାରୁ ଚମତ୍କାର ଭାବିଲା । ଜୁମ କଲାପରେ ଫଟୋ ପରିଷ୍କାର ଜଣା ପଡୁଥିଲା ।

ମୋ ଭାବିବା ହିସାବରେ ତୁମେ ଧୂଆଁରେ ଭରିଯାଇଛ । ଲାଗୁଛି ଯେମିତି ମିଳେଇ ଯାଉଛ । ଆଉ ତୁମ ଆଖି ଦୁଇ ଅତି ଉଜ୍ଜ୍ୱଳ ହୋଇ ଫୁଟି ଦିଶୁଛି । – ଅବିନାଶ କହିଲା । ତା କାନ୍ଧ ଉପରେ ଛାଇ ଆଉଜି ଆସି ସେ ଫଟୋକୁ ଦେଖିବାକୁ ଲାଗିଲା ।

ତୁମ ଆଖି ହେଉଛି ଆମର ଭବିଷ୍ୟତ । ସବୁକିଛି ସ୍ପଷ୍ଟ, ସବୁକିଛି ଉଜ୍ଜ୍ୱଳ । ତୁମ ଶରୀରର ଧୂଆଁ ହୋଇଯିବା ହେଉଛି ଆମର ଅତୀତ । ଅତୀତ ସବୁଦିନ ପାଇଁ ମିଳେଇ ଯାଇଛି । ଅତୀତକୁ ପରିଷ୍କାର କରି ଭବିଷ୍ୟତକୁ ଧୂଆଁଳିଆ କରିଦେବାର କିଛି ମାନେନାହିଁ । – ଅବିନାଶ କହିଲା ।

ଛାଇ କିଛି କହିପାରିଲାନି । ଅବିନାଶର କଥା ଏକ ଐତିହାସିକ ଧାରା ବିବରିଣୀର ଯେମିତି ଥିଲା । । ଏଇଠୁ ବାହାରି କେଉଁ ଅଜଣା ଦିନ ପର୍ଯ୍ୟନ୍ତ ଲମ୍ବି ଯାଇଛି । କିନ୍ତୁ ତା କଥାରେ ଏକ ଅନ୍ତର୍ନିହିତ ସତ୍ୟ ଥିଲା । ଅତୀତର ଉଜ୍ଜ୍ୱଳତାରେ ଅନ୍ଧହୋଇ ଭବିଷ୍ୟତକୁ ଧୂଆଁଳିଆ କରିଦେବାର କିଛି ମାନେ ନଥାଏ । ଲୋକେ ତ ଅତୀତ କଥା କହି ଚାଲନ୍ତି । କିନ୍ତୁ ଆଗ ଦିନ କଥା କହିବା ପାଇଁ ସେମାନଙ୍କ ପାଖରେ କିଛି ନଥାଏ । ସେମାନେ କେବେ ଆସଲ୍ଟ ରାଇଫଲସ ଧରିବା କଥା ଭାବନ୍ତିନି । ଯଦି କିଏ ଧରୁଛି ତାକୁ ଦେଖି ଭାବନ୍ତିକେବଳ ଦେଖେଇ ହେବାପାଇଁ ବା ହିଂସା କରିବା ପାଇଁ ଏ କାମ କରୁଛି । କିନ୍ତୁ ତା ଭିତରେ ଲୁଚି ରହିଥିବା ଶୃଙ୍ଖଳା, ଟ୍ରେନିଙ୍ଗ, କାମ କରିବାର ପ୍ରବଣତା, କର୍ତ୍ତବ୍ୟ , ତ୍ୟାଗ, ବଳିଦାନ କଥା କେବେ ଭାବନ୍ତିନି । ସେମାନଙ୍କୁ କେବଳ ଧୂଆଁ ଉଠୁଥିବା ନଳୀ ଭଲକରି ଦେଖାଯାଏ । କିନ୍ତୁ ସେ ନଳୀରୁ କେବେଠୁ ବୁଲେଟ ବାହାରି ଯାଇଛି । ମ୍ୟାଗଜିନରେ ଗୁଳି ଅଛି କି ନାହିଁ ସେମାନେ ଜାଣନ୍ତିନି ।

ଅବିନାଶର ମୁହଁ ଉଜ୍ଜ୍ୱଳ ହୋଇଉଠୁଥିଲା । ଦେହର ପ୍ରତି ରକ୍ତକଣିକା ଯେମିତି ଆଖି ଛୁଇଁ ଯାଉଛି । ଆଖିରେ ଥିବା ଉତ୍ସାହ ନେଇ ଦେହ ଭିତରେ ଶକ୍ତିରେ ପରିଣତ ହୋଇଯାଉଛି । ମନର ଉତ୍ସାହ ତ ଦେହରେ ଅପରିସୀମ ଶକ୍ତି ଭରିଦିଏ । ସେ କହିବାକୁ ଲାଗିଲା ।

ତୁମ ଅସ୍ତ୍ର ପରଶରେ
ମନ ମୋର ଅସ୍ଥିର ହେଉନି
ଏତେ ବଡ ଭୂମିକମ୍ପକୁ ଅଟକାଇ ତ ଦେଇଛ
ପାଦ ମୋର ସ୍ଥିର
ବୋହିବାକୁ ଦେଇନାହଁ ମରୁଭୂମିରୁ ପବନକୁ
ବାଲିକଣାରେ ଆଖି ମୋରଅନ୍ଧ ହୋଇଥାନ୍ତା
ଧୂଳି ଝଡ ମୋତେ ଢାଙ୍କି ଯାଇଥାନ୍ତି
ବରଫ ପାଣି ହୋଇ ବୋହିତ ଆସିଛି
କୁଳୁ କୁଳୁ ଶବ୍ଦ ମୋତେ ଖାଲି ଶୁଣାଯାଏ ।

ଛାଇ କିଛି କହିଲାନି । ଘର ଭିତରେ ହାଲୁକା ଆଲୋକ ଥିଲା । ସେ ରାତିସାରା ଛାଇ ସହ କଥା ହେଉଛି । କେତେ ଯେ ଅଭିଜ୍ଞତା ତାର ହେଲାଣି । ଏ ଅନୁଭୂତି ପାଇବାରେ ସେ ନିଜକୁ ଭାଗ୍ୟବାନ ମନେ କରୁଥିଲା । ସେ ଛାଇକୁ କେତେ ଯେ ଧନ୍ୟବାଦ ଦେଉଥିଲା କିଛି କହି ହେବନି

ମୁଁ ତୁମକୁ ଧନ୍ୟବାଦ ଦେଉଁଛି ତୁମ ଦେଶ ମାତୃକାର ସେବା ପାଇଁ । ମୁଁ ଜାଣେ ତୁମ ଉପରେ ସବୁବେଳେ ଝୁଲୁଥିବା ବିପଦ । ମୋ ଅଧିକାର ପାଇଁ ତୁମେ ଜୀବନ ଦେଇଛ । ତୁମକୁ ଶତ ଶତ ଧନ୍ୟବାଦ । – ଅବିନାଶ ମୁହଁରୁ କେଇପଦ କଥା ବାହାରି ଆସିଲା ।

– ତା’ପରେ –

ଲୋକପ୍ରିୟ ଲେଖା

To Top