-: ପୂର୍ବରୁ :-
ଲୋପାମୁଦ୍ରା ତା ବାନ୍ଧବୀମାନଙ୍କ ସହ ବୁଲିବା ଅପେକ୍ଷା ମୋ ସହ ଏକା ବୁଲିବାକୁ ଭାରି ଭଲପାଏ। ଖୁବ୍ ନିର୍ଭିକ ଓ ସାହସୀ । ଆତ୍ମବିଶ୍ୱାସ ତାର ଅନେକ । ମୋ ଆଡୁ ତ ତା ପାଇଁ ଭୟର କିଛି କାରଣ ନାହିଁ । ତେବେ ବିଶେଷ କରି ତା ବାନ୍ଧବୀମାନଙ୍କର ଟାହି ଟାପରାକୁ ଅଣଦେଖା କରିବା କଣ କମ୍ ସାହସର କଥା ! ସେ କିନ୍ତୁ ନିର୍ବିକାର । ମୁଁ ଏତେଟା ସାହସୀ ହୋଇପାରେ ନାହିଁ । ରୁମ୍ରୁ ବାହାରିଲା ବେଳେ କିଛି ମିଥ୍ୟାକୁ ପାଥେୟ କରି ବାହାରେ । ଆଉ ସଜାଗ ରୁହେ ଯେଉଁମାନଙ୍କୁ ମିଥ୍ୟା କହି ବାହାରିଛି, ସେମାନଙ୍କ ନଜରରେ ନ ପଡ଼ିବାକୁ । ଲୋଭ ଆଉ ସ୍ୱାର୍ଥ ମଣିଷ ଦ୍ୱାରା କଣ କିଛି ନ କରାଏ ! ଲୋଭ ନୁହଁ ତ ଆଉ କଣ ? ଲୋପାମୁଦ୍ରାର ସଙ୍ଗସୁଖର ଲୋଭ, ତା ଭଲପାଇବାର ଲୋଭ, ତାର ପ୍ରତିଟି ଭାବଭଙ୍ଗୀ ଓ ମୁଦ୍ରାକୁ ଏକ ପିପାସୁ ମନ ନେଇ ନିଜ ଭିତରକୁ ଗୋଟା ପଣେ ଟାଣି ନେବାର ଅଦମ୍ୟ ଲୋଭ। ସେଇ ଲୋଭ ହିଁ ଅନେକ ସମୟରେ ମୋ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି କରାଏ ।
ସେଦିନ ରବିବାର ସକାଳୁ ସକାଳୁ ଲୋପାମୁଦ୍ରା ଫୋନ୍ କଲା, ତା ହଷ୍ଟେଲ୍ ଗେଟ୍ ପାଖକୁ ଆସିବାକୁ । ମୁଁ ଚମକି ପଡ଼ିଲି । ଏବେ ହଷ୍ଟେଲ୍ ଗେଟ୍ ପାଖକୁ ଯିବା ଅର୍ଥ, ଯାହା କିଛି ସନ୍ଦେହ ତାର ବାନ୍ଧବୀମାନଙ୍କର କାଣିଚାଏ ବି ରହିଯାଇଛି, ତାକୁ ସତ୍ୟ ବୋଲି ପୂର୍ଣ୍ଣ ପ୍ରାଣରେ ଅନୁମୋଦିତ କରିବା । କହିଲି – ନା, କାମ ଅଛି । ଯାଇ ପାରିବି ନାହିଁ । ଫୋନ୍ କାଟି ଦେଲି । ପ୍ରାୟ ପନ୍ଦର ମିନିଟ୍ ପରେ ଦେଖେ ତ ଲୋପାମୁଦ୍ରା ଆମ ହଷ୍ଟେଲ୍ ଗେଟ୍ ପାଖରେ ଇତସ୍ତତଃ ହେଉଛି । ମୁଁ ତରତରରେ ପ୍ୟାଣ୍ଟ୍ ସାର୍ଟ୍ ଗଳାଇ ତଳକୁ ଆସିଲି । କହିଲି – ପରେ ଦେଖା କଲେ କଣ ଚଳନ୍ତାନି ? ଲୋପାମୁଦ୍ରା ମୋ ପ୍ରଶ୍ନର ଉତ୍ତର ନ ଦେଇ ଚାଲୁ ଚାଲୁ ଓଲଟି ପ୍ରଶ୍ନ କଲା – ଗାଧୋଇଛ ତ ? ମୁଁ ହଁ ଭରିଲି । ଅଳ୍ପ ଦୂର ଗଲା ପରେ ରିକ୍ସାଟିଏ ଡାକି କହିଲା ଚଣ୍ଡି ମନ୍ଦିର ଯିବା ପାଇଁ । ରାସ୍ତାରେ କଥାବାର୍ତ୍ତା ପୁରାପୁରି କମ୍ । କହିଲା – ଆଚ୍ଛା ଲୋକ ସାଙ୍ଗରେ ଭାବ ଯୋଡ଼ିଦେଲି । ନା, ନିଜ ବିଷୟରେ କିଛି ଜଣା, ନା ଅନ୍ୟ ବିଷୟରେ ଜାଣିବାର କିଛି ଆଗ୍ରହ ଅଛି । ମୁଁ କିଛି ମଧ୍ୟ ଠଉରେଇ ପାରିଲି ନାହିଁ ଲୋପାମୁଦ୍ରାର କଥାବାର୍ତ୍ତାରୁ ।
ଆମେ ପହଞ୍ଚି ଯାଇଥିଲୁ ଚଣ୍ଡି ମନ୍ଦିରରେ । ମୋର ମନ୍ଦିର, ମସଜିଦ୍ ପ୍ରତି ଆଗ୍ରହ କମ୍ । ମୁଁ ସେଥିପାଇଁ ବାହାରେ ଠିଆ ହୋଇ ରହିଲି । ମୋତେ ନ ଦେଖି ପଛକୁ ଫେରି ଲୋପା ହାତ ଧରି ଟାଣି ନେଇଗଲା ଭିତରକୁ । ଭିତରେ ଝୁଣା ଓ ଧୂପରେ ମୋତେ ଅଣନିଶ୍ୱାସୀ ଲାଗୁଥିଲା । ଲୋପା କିନ୍ତୁ ବେଶ୍ ଭକ୍ତିର ସହିତ ହାତ ଯୋଡ଼ି ଦେଇଥିଲା ଦେବୀଙ୍କ ଉଦ୍ଦେଶ୍ୟରେ । ଦେବୀଙ୍କ ସିନ୍ଦୁର ଟୋପା ନିଜ କପାଳରେ ଲଗାଇଲା । ମୋ ମଥାରେ ମଧ୍ୟ ଛୋଟ କରି ଟୋପାଟିଏ ଲଗାଇଲା ଭୁରୁ ମଝିରେ । ଆଉ କେହି ଲଗାଇଥିଲେ ମୁଁ ସାଙ୍ଗେ ସାଙ୍ଗେ ରୁମାଲ୍ରେ ପୋଛି ପକାଇଥାନ୍ତି । ତାପରେ ଆମେ ଚାଲିଲୁ କାଠଯୋଡ଼ି । ଅଟୋରୁ ଓହ୍ଲାଇ କାଠଯୋଡ଼ି କୂଳରେ ମୋ ଆଖି ସହ ଆଖି ମିଳାଇ ଠିଆ ହେଲା ମୋ ସାମ୍ନାରେ । ପଚାରିଲା, ଆଜି ଦିନ କଣ ? ମୁଁ ଘଣ୍ଟାକୁ ଚାହିଁଲି । ସେ ମୋର ହାତ ଛାଟି ଦେଲା । ମୋର ମନେ ପଡ଼ିଗଲା । ଆରେ, ହଁ ଆଜି ରବିବାର । ରବିବାର ଦିନରେ ପୁଣି ବିଶେଷତ୍ୱ କଣ ? ହେଲା, ଛୁଟି ଦିନ । ମଉଜ ମଜଲିସ୍ କରି ହେବ । କପେ କଫି ଧରି କେଉଁ ଏକ କଫିସପ୍ରେ ଚାରି ଘଣ୍ଟା ଗୋଟିଏ ଟେବୁଲ୍ ମାଡ଼ି ବସି ବିତେଇ ହେବ। ନଚେତ୍ ଏମିତି ନଈ କୂଳରେ ବିନା ଖର୍ଚ୍ଚରେ ସୁଲୁସୁଲିଆ ପବନର ମଜା ନେଇ ହେବ।
– କଣ ମନେ ପଡ଼ିଲା?
– ହଁ ନିହାତି । ଏତିକି କଥା କଣ ମନେ ରହିବ ନାହିଁ ?
ଲୋପାମୁଦ୍ରା ଖୁସି ହୋଇ କହିଲା – ଦେଖିଲ, ଏ ଡ୍ରେସ୍ ମୋତେ କେମିତି ମାନୁଛି ? ସେ ତାର ଟପ୍ର ଘେରକୁ ଧରି ଟିକିଏ ବୁଲି ପଡ଼ିଲା । ମୁଁ ତାକୁ ଆପାଦ ମସ୍ତକ ଚାହିଁଲି । ମୋର ସେ ଚାହାଣୀରେ ଅପ୍ରତିଭ ହୋଇ କହିଲା, ତମର ଦୃଷ୍ଟି ଭାରି ତିକ୍ଷ୍ଣ ।
– ତମେ ହିଁ ତ କହିଲ ଦେଖିବା ପାଇଁ।
– ମୁଁ ଜାଣେ, ତମେ ଡ୍ରେସ୍ ଦେଖୁନାହଁ।
– ହଁ, ଡ୍ରେସ୍ ହିଁ ତ ଦେଖୁଛି।
– ନା, ତମେ ଆଉ କିଛି ଦେଖୁଛ।
ମୁଁ ଆଖି ମୁଦି ନିଜ ଭୁରୁର ସଂଯୋଗ ସ୍ଥଳର ଟିକିଏ ତଳ ସ୍ଥାନକୁ ଡାହାଣ ହାତରେ ଚାପି ଧରି କହିଲି – ମୋ ଆଗରେ ଏତେ ସୁନ୍ଦର ଦେହଧାରୀ ରୂପସୀଟିଏ ଠିଆ ହୋଇଛି, କେଉଁ ପୁରୁଷ ଭଲା ତାକୁ ନ ଦେଖି ତା ଡ୍ରେସ୍କୁ ଦେଖିଥାନ୍ତା। ଲୋପାମୁଦ୍ରା ମୋର ହାତ ଟାଣି ଦେଇ କହିଲା – ଇସ୍, ଭାରି ଦୁଷ୍ଟ ହେଇଗଲଣି ଆଜିକାଲି ।
ମୁଁ ଚାଲିବା ଆରମ୍ଭ କରି କହିଲି – ତମେ କେବେ ନିରୋଳା ରାତିରେ ନିକାଞ୍ଚନ ଜାଗାରେ ବସି ଶାରଦୀୟ ଆକାଶକୁ ଲକ୍ଷ୍ୟ କରିଛ ?
– ହଁ।
– କଣ ଦେଖିଛ?
– ଆକାଶରେ ଆଉ କଣ ଦିଶନ୍ତା ? ଚାନ୍ଦ ।
– କେବଳ ଚାନ୍ଦ ? ଆଉ କିଛି ନୁହେଁ ।
– ଆଉ କଣ ଥାଏ କି ଆକାଶରେ ?
– ତାରା ଦିଶେନି ? ବାଦଲ ଦିଶେନି ?
– ହଁ ଦିଶେ ଯେ, ତାକୁ କିଏ ଚାହେଁ କି ଚାନ୍ଦ ଥାଉ ଥାଉ ?
ମୁଁ ମୁରୁକି ହସି ଚାହିଁଲି ଲୋପାମୁଦ୍ରା ଆଡ଼େ।
– ଦେଖିଲ, ତମେ ନିଜେ ମାନୁଛ, ଚାନ୍ଦ ଥିଲେ ବାଦଲକୁ ନଜର ଯାଏନି ବୋଲି ।
ଲୋପାମୁଦ୍ରା ମୋର ବାହୁକୁ ତାର କୋମଳ ହାତରେ ମୁଷ୍ଟିଘାତ କରି କହିଲା – ଦୁଷ୍ଟ, ଦୁଷ୍ଟ । ବାପ୍ରେ ବାପ୍। କି ତୀକ୍ଷ୍ଣ ନଜର । ଲାଗେ ପୋଷାକ ଭେଦି ଶରୀରରେ ପ୍ରବେଶ କରିଯିବ । ମୋର ପଚାରିବା ଭୁଲ୍ ହେଇଗଲା । ଲୋପାମୁଦ୍ରା ଲାଜ ହେଇଗଲା ।
ଚାଲୁ ଚାଲୁ ମୁଁ ତାର ଆକର୍ଷଣୀୟ ଲାଜୁରା ମୁହଁକୁ ଚାହିଁ ରହିଲି କିଛି କ୍ଷଣ ଏକ ଲୟରେ । ସେଇ ଚାହିଁ ରହିବା ଭିତରେ ଅନ୍ୟମନସ୍କ ଭାବରେ ଝୁଣ୍ଟି ପଡ଼ିଲି ପଥରଟିଏ । ମୋର ହାତ ଧରି ମୋତେ ଧରି ରଖିବାକୁ ଚେଷ୍ଟା କରୁ କରୁ ଲୋପାମୁଦ୍ରା ବି ମୋ ସାଙ୍ଗରେ ବାଲୁକା ଉପରେ ଧରାଶାୟୀ ହେଲା । ଲୋପାମୁଦ୍ରାର ସମ୍ପୂର୍ଣ୍ଣ ଶରୀର ଲଦି ହୋଇ ପଡ଼ିଥିଲା ମୋ ଉପରେ । ତାକୁ ସମ୍ଭାଳିବାକୁ ଯାଇ ମୋ ହାତ ଦୁଇଟି ତାର ପିଠିକୁ ବେଢ଼ି ହୋଇ ଯାଇଥିଲା । ସକାଳର ସ୍ନିଗ୍ଧ ପରିବେଶରେ ଆହୁରି କିଛି ପ୍ରେମୀଯୁଗଳ ନଈ କୂଳରେ ବୁଲୁଥିଲେ । କିଛି ନୌକା ବିହାର କରୁଥିଲେ। ସେମାନଙ୍କର ଚକ୍ଷୁ ପତିତ ହେଲା ଆମ ଦୁହିଁଙ୍କ ଉପରେ । ଲୋପାମୁଦ୍ରା ସଚେତନ ହୋଇ ତତ୍କ୍ଷଣାତ୍ ଉଠିପଡ଼ିଲା । ଉଠି ଝାଡ଼ିଝୁଡ଼ି ହୋଇ ବସିଲା ବାଲି ଉପରେ । ମୁଁ ବାଲୁକା ଉପରେ ଆଉ ଟିକିଏ ହସ୍ତ ପ୍ରସାରି ଆଖି ମୁଦି ଶୋଇ ରହି ଲୋପାମୁଦ୍ରାର ଅପ୍ରତ୍ୟାଶିତ ଆଲିଙ୍ଗନକୁ ରୋମାଞ୍ଚଭରା ହୃଦୟରେ ଅନୁଭବ କରୁଥିଲି । ଲୋପାମୁଦ୍ରା କଣ ଭାବି ଅତି ସନ୍ତର୍ପଣରେ ମୋ ବାହୁ ଉପରେ ମୁଣ୍ଡ ଭରା ଦେଇ ଗଡ଼ି ପଡ଼ିଥିଲା ବାଲି ଉପରେ ।
ଲୋପାମୁଦ୍ରାର ସାମ୍ପୁକରା, ନରମ କେଶଗୁଚ୍ଛର ସ୍ପର୍ଶ ମୋ ବାହୁକୁ ସ୍ପର୍ଶକାତର କରୁଥିଲା । ତା ଦେହରୁ ପର୍ଫ୍ୟୁମ୍ର ହାଲ୍କା ହାଲ୍କା ବାସ୍ନା ମୋତେ ଉତ୍ତାଳ କରି ତୋଳୁଥିଲା । ବେଳେ ବେଳେ ତା ଅଲରା କେଶରୁ କିଛି ଆସି ମୁହଁରେ ବାଜୁଥିଲା ।
ଆକାଶରେ ସୂର୍ଯ୍ୟର କିରଣ ପ୍ରଖର ହେଉଥିଲା ବେଳକୁ ବେଳ । ଆମେ କେତେ ସମୟ ନିଜକୁ ହଜାଇ ସେମିତି ବାଲୁକା ଉପରେ ପଡ଼ି ରହିଲୁ ଜାଣି ପାରିଲୁ ନାହିଁ । ଧାଡ଼ିଏ ପକ୍ଷୀ ଆକାଶରେ ଉଡ଼ିଗଲେ କୋଳାହଳ କରି । ଲୋପାମୁଦ୍ରା ମୋତେ ଉଠାଇ ଦେଇ କହିଲା – ଚାଲ ଯିବା ।
– କେଉଁଠିକି ?
– ମୋତେ ଭୋକ ଲାଗିଲାଣି । ଚାଲ, ମଡ଼େର୍ଣ୍ଣ ପ୍ଳାଜାରେ ସ୍ପେଶାଲ୍ ଦୋସା ଖାଇବା ।
ସେଠୁ ଫେରି ଲୋପାମୁଦ୍ରା ପୁଣି କହିଲା – ସିନେମା ଯିବା । ଲୋପାମୁଦ୍ରାର ଅଭିଳାଷର ତାଲିକା ବଢ଼ୁଥିଲା ବେଳକୁ ବେଳ । ମୁଁ ତାର ଖୁସିର ଉତ୍ସ ଖୋଜି ପାଉନଥିଲେ ବି ତା ସାନ୍ନିଧ୍ୟ ଆଶାରେ ତାର ସବୁ ଅଭିଳାଷ ପୂରଣ କରିବାକୁ ବ୍ୟଗ୍ର ହୋଇ ଉଠିଥିଲି ।
ପଚାରିଲି – କେଉଁ ସିନେମା ?
– କିଛି ସ୍ପେଶାଲ୍। ରୋମାଣ୍ଟିକ୍ ।
ମୁଁ ତାକୁ ତା ପସନ୍ଦର ସିନେମା ଦେଖାଇବା ଉଦ୍ଦେଶ୍ୟରେ ନେଇଗଲି ନୁନ୍ ସୋ । ହଲ୍ ଅପେକ୍ଷାକୃତ ଫାଙ୍କା ଥିଲା । ଆଜିକାଲି ଆକ୍ସନ୍ ମୁଭିଜ୍ ଛାଡ଼ିଦେଲେ ରୋମାଣ୍ଟିକ୍ ମୁଭି ଦେଖିବାକୁ ଲୋକ କାହିଁ ? ଆମେ ବସିଲୁ ବାଳ୍କୋନୀର କୋଣିଆ ଦୁଇଟି ସିଟ୍ ଅକ୍ତିଆର କରି । ଲୋପାମୁଦ୍ରା ମୋ ବାଁ ହାତଟିକୁ ତାର ଡାହାଣ ହାତରେ ଧରି ମୁଣ୍ଡଟିକୁ ଆଉଜେଇ ଦେଇଥିଲା ମୋ କାନ୍ଧରେ । ମୋତେ ଭଲ ଲାଗୁଥିଲା ଲୋପାମୁଦ୍ରାର ସାନ୍ନିଧ୍ୟ । ପରଦାରେ ଭାସି ଆସୁଥିବା ନାୟକ ନାୟିକାଙ୍କ ରୋମାଞ୍ଚଭରା ଦୃଶ୍ୟରେ ମନ ଓ ହୃଦୟ ଉଚ୍ଚାଟ ହେଉଥିଲା । ମୁଁ ଅନୁମାନ କରୁଥିଲି ରହି ରହି ଲୋପାମୁଦ୍ରାର ହାତ ମୋ ହାତଟିକୁ କେମିତି ଜୋର୍ରେ ଚାପି ଧରୁଥିଲା। ଅଦ୍ଭୁତ ଏକ ଶିହରଣରେ ଶରୀର ମୋର ରୋମାଞ୍ଚିତ ହୋଇ ଉଠୁଥିଲା । ମନ କହୁଥିଲା, ଏ ସିନେମା ଏମିତି ଅନ୍ତହୀନ ଭାବରେ ଚାଲୁଥାନ୍ତା କି ? ଲୋପାମୁଦ୍ରା ମୋ ହାତକୁ ତା ହାତରେ ସେମିତି ଧରି ରହିଥାନ୍ତା କି ଯୁଗ ଯୁଗ ପାଇଁ ? ହେଲେ ନିୟତିର ଆଲେଖ୍ୟ ଆଉ ମଣିଷର ଇଚ୍ଛା, ଅଭିଳାଷ ଭିତରେ ସବୁବେଳେ ସାମଞ୍ଜସ୍ୟ ରହେ ନାହିଁ । ପ୍ରତି ଆରମ୍ଭର ଶେଷଟିଏ ଥିଲା ପରି ଲୋପାମୁଦ୍ରା ଓ ମୁଁ ଫେରିଲୁ ପରିଶେଷରେ ।
ଲୋପାମୁଦ୍ରାକୁ ତାର ହଷ୍ଟେଲ୍ ଗେଟ୍ ଠାରୁ କିଛି ଦୂରରେ ଛାଡ଼ି ମୁଁ ଫେରିବାକୁ ଉଦ୍ୟତ ହେଲା ବେଳକୁ ପଚାରିଲା – ଆଉ ମୋ ଗିଫ୍ଟ ?
ଲୋପାମୁଦ୍ରା କେଉଁ ଗିଫ୍ଟ୍ କଥା କହୁଥିଲା, ମୋ ମୁଣ୍ଡରେ ପଶିଲା ନାହିଁ । ମୁଁ ଯେତେବେଳେ ବୁଝି ନ ପାରିଲା ପରି କିଛି ସମୟ ତା ଆଡ଼େ ଚାହିଁଲି, ସେ ଜାଣିପାରିଲା ଆଜିର ଦିନର ବିଶେଷତ୍ୱ ମୁଁ ମନେ ପକାଇ ପାରିନାହିଁ । ହଠାତ୍ ରାଗି ଉଠି କହିଲା – ମୋ ଜନ୍ମଦିନ ବି ତମର ମନେ ରହେ ନାହିଁ । ଆଇ ହେଟ୍ ୟୁ । ତାପରେ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଚାଲିଗଲା ଲୋପାମୁଦ୍ରା । ସେତିକି ବେଳେ ମୋର ମନେ ପଡ଼ିଲା ଆଜିର ମାସ ଓ ତାରିଖ କଥା । ଲୋପାମୁଦ୍ରା ମୋତେ ଦିନ କଣ ନ ପଚାରି ତାରିଖ କଣ ପଚାରିଥିଲେ ହୁଏତ ମୋର ମନେ ପଡ଼ିଥାନ୍ତା । ମୋର ଭୁଲାମନ ପାଇଁ ମୁଁ ନିଜ ଉପରେ ବିରକ୍ତ ହୋଇ କପାଳରେ ହାତ ଦେଲି ।
ରୁମ୍ରେ ପ୍ରବେଶ କରୁ କରୁ ମୋର ଶୁଖିଲା ମୁହଁ ଦେଖି ସତୀଶ୍ ପଚାରିଲା – କଣ କିଛି ଗୋଳମାଳ ? ମୁଁ ଲଥ୍ କରି ଖଟଟା ଉପରେ ବସି ପଡ଼ି କହିଲି – ଅଳ୍ପ ଲାଭ, ପ୍ରଭୁତ କ୍ଷତି ।
– ମାନେ?
– ମାନେ, ସକାଳଟାରୁ ଦୌଡ଼ି ଦୌଡ଼ି, ପକେଟ୍ରୁ ଦୁଇଶ ଅଢ଼େଇଶ ସାରି ଘରକୁ ଫେରିଲା ବେଳକୁ ପୁରସ୍କାର ହେଉଛି, ଆଇ ହେଟ୍ ୟୁ ।
– ହା ହା ହା, ଏତିକିରେ ମନ ଖରାପ। ସେ ତୋତେ ଆଇ ଲଭ୍ ୟୁ କହିଲାଣି ?
– ନା।
– ତାହେଲେ ତ ଖୁସି ହେବା କଥା । ଯେମିତି ବି ହେଉ ତା ମନ କଥା ସେ ତୋତେ ଜଣାଇଛି । ତା ଆଇ ହେଟ୍ ୟୁ ଭିତରେ ଆଇ ଲଭ୍ ୟୁ ଯେ ଲୁଚିକି ଅଛି, ସେକଥା ତୁ କେବେ ବୁଝିବୁ ?
ମୁଁ ବିରକ୍ତ ହୋଇ କହିଲି – ସେ କିଛି ନ କହିଲେ ବି ମୁଁ ବୁଝୁଛି ସେ କଥା । କିନ୍ତୁ ଅପସେଟ୍ କରି ଦେଲି ନା ତା ମନଟା ।
ପୋଖତ ପ୍ରେମିକଟେ ପରି ସତୀଶ୍ କହିଲା, ସେମିତି ହୁଏ, ମାନ ଅଭିମାନ ନ ରହିଲେ ଭଲପାଇବାରେ ମଜା କାହିଁ ?
– ତା’ପରେ –