“ବୋଉ, ବୋଉଲୋ.. ମୋ ପାଇଁ ଏଥରକ ଯେମିତି ହେଲେ ଗୋଟେ ନୂଆ ଫ୍ରକ ଆଣିଦେ ଯେଉଁଥିରେ ଝାଲେରି ଝାଲେରି ଥିବ । ମୋର ସବୁ ସାଙ୍ଗ ଏବେ ସେମିତି ଜାମା ପିନ୍ଧୁଛନ୍ତି, ନୂଆ ଆସିଛି ଏବେ, ମୁଁ ଯଦି ସେମିତି ସ୍କୁଲ ପିନ୍ଧି ଯିବିନି ମୋତେ ଖରାପ ଲାଗିବ ।
ମୋ ଜନ୍ମଦିନ, ଏତିକି ତ ଆଣିଦେ ମୋ ପାଇଁ । ହଁ ଆଉ ପ୍ଲିଜ଼ ପ୍ଲିଜ଼.. ଗୋଟେ ଚକୋଲେଟ ପ୍ୟାକେଟ ଆଣିଦେବୁ ନା ? ମୁଁ ସାଙ୍ଗମାନଙ୍କୁ ବାଣ୍ଟିବି । ଆଣିବୁ ତ ? ନ ଆଣିଲେ ଦେଖ ମୁଁ ଜମା କଥା ହେବିନି କି ଖାଇବିନି । ”
ଇଏ ଥିଲି ମୁଁ.. ମୋ ୧୧ ବର୍ଷ ବୟସରେ.. ଟିକେ ଜିଦ୍ଦି, ଟିକେ ରାଗୀ, ଟିକେ ଅଭିମାନୀ ଝିଅ!! କଥା କଥାରେ ଗୋଡ କଚାଡି ବୋଉ ନନାଙ୍କୁ ଉପହାର ମାଗୁଥିବା ତାଙ୍କ ଗେଲ୍ହା ବଡ଼ ଝିଅ ।
ସେଦିନ ମୋ ଦାବିର ଉତ୍ତରରେ ବୋଉ କିଛି କହିନଥିଲା, ଖାଲି ହସିଥିଲା । ସେଦିନ ସନ୍ଧ୍ୟାରେ ନନା ବୋଉ ମୁଁ ଯାହା ଯାହା କହିଥିଲି ଆଣିଦେଇଥିଲେ । ମୋ ହାତରେ ଧରେଇ ଦେଇ କହିଥିଲେ.. “ଦେଖ ତ ମା, ସବୁ ପସନ୍ଦ ହେଇଚି ତ ? ଏତିକି ଚକୋଲେଟ ତୋ ସାଙ୍ଗମାନଙ୍କ ପାଇଁ ହେବ ତ ?”
ମୁଁ ନନା ବୋଉଙ୍କୁ କୁଣ୍ଢେଇ ପକେଇଥିଲି ଖୁସିରେ, ସେଇ ଡ୍ରେସ କୁ ମୁଁ ଜାବୁଡି ଧରି ଶୋଇଥିଲି ସେଦିନ । ହଟାତ ଭୋରୁ ନିଦ ଭାଙ୍ଗିଥିଲା, ନିଦ ଟଳ ମଳ ଆଖିରେ ଉଠି ବସିଛି ତ ଆର ଘରୁ ବୋଉ ନନା ଙ୍କ କଥା ଶୁଭୁଥିଲା । ଧୀର ସ୍ୱରରେ ବୋଉ ନନାଙ୍କୁ କୁ କଣ କହୁଥଲେ । ମୋ ଚଞ୍ଚଳ କିଶୋରୀ ମନ ଭାବିଲା ବୋଧେ ନନା ଆଜି ମୋ ଜନ୍ମଦିନ ପାଇଁ ଆହୁରି କିଛି କରିବେ ! ମୁଁ କାନେଇଲି.. ବୋଉ କହୁଥିଲା.. ” ଏଇ ମାସ ଶେଷ ବେଳକୁ ଏତେ ଟଙ୍କା କେଉଁଠୁ ଆଣିଲ ? ଫ୍ରକ ତ ୨୦୦୦ ଟଙ୍କା ରୁ କମ ହେବନି ? କଣ ସୁଧ ରେ କାହାଠୁଁ ଧାର ଆଣିଲ ? ଆଗକୁ ଆହୁରି ତ ଟଙ୍କା ଦରକାର, ସ୍କୁଲ ବହି ଡ୍ରେସ ସବୁ କିଣିବାର ଅଛି ଦୁଇ ପିଲାଙ୍କ, କେମିତି କରିବା ?”
ନନାଙ୍କ ସ୍ୱର ଶୁଭୁନଥିଲା.. ମୁଁ ଏପଟେ ଅବାକ ହେଇ ବସିଥିଲି.. ବୋଉ କଣ କହୁଛି ଯେ.. ମୋ ଜନ୍ମଦିନ ପାଇଁ ଏତେ ଖର୍ଚ୍ଚ ହେଲା, ନନା ଧାର କଲେ ! ମୁଁ କେବେ ଘର କଥାରେ କିଛି ପଶି ନଥିଲି, ଏଇ ପ୍ରଥମ ଥର ପଇସା ବାବଦରେ କିଛି କିଛି ଶୁଣିଥିଲି । ଦୌଡ଼ିଗଲି ଆର ଘରକୁ, ନନା ବସିଥିଲେ ବୋଉ କୁ ମୁହଁ କରି । ପଛରୁ କୁଣ୍ଢେଇ ପକେଇଲି । ନନା ଚମକି ପଡିଲେ, କହିଲେ “ଆରେ ଏତେ ଜଲଦି କଣ ଉଠିଛୁ ? ଆଜି ଜନ୍ମଦିନରେ ଯା ଗାଧେଇ ମନ୍ଦିର ଆସେ” ।
ମୁଁ ସେମିତି ତାଙ୍କୁ କୁଣ୍ଢେଇ ଧରିଥିଲି, ଆଖୁରୁ କେଜାଣି ସେଦିନ କାହିଁକି ଲୁହ ଗଡୁଥୁଲା । କେଜାଣି ମୋତେ ଲାଗୁଥିଲା ଯେମିତି ମୁଁ ସେଦିନ ହଟାତ ବଡ଼ ହେଇଗଲି, ପାକଳ ବୁଦ୍ଧିଆ ହେଇଗଲ ।
“ନନା ମୋର ଭୁଲ ହେଇଗଲା.. ମୁଁ ଜାଣିନଥିଲି କି ଏତେ ଧାର, କରଜ କରି ତୁମେ ମୋ ପାଇଁ ଆଣିଛ ଏଇ ସବୁ, ମୁଁ ଏମିତି ଜିଦ୍ଦି କରିବାର ନଥିଲା ” ।
ନନା ମୋତେ ଟାଣିନେଇଥିଲେ କୋଳକୁ…ତାଙ୍କ ଆଖିରୁ ବି ଲୁହ ଜକେଇ ଆସିଥିଲା ବୋଧେ…ଅନେକ ସମୟ ଚୁପ ରହିବା ପରେ ବୁଝେଇ ଥିଲେ.. “ପିଲାଙ୍କ ପାଇଁ ବାପା ମା ସବୁ କରିପାରନ୍ତି । ତୁ କାହିଁକି ଅଭାବ ରେ ରହିବୁ ମା, ମୁଁ ଆଉ ତୋ ବୋଉ ବା ବଞ୍ଚିଛୁ, ଯେତେ କଷ୍ଟ ହେଲେ ବି ତୋତେ ଆଉ ଭାଇକୁ ସବୁ କିଛି ଆଣି ଦେବୁ ” ।
ନନାଙ୍କ କଥା ମୁଁ ଶୁଣିଥିଲି ସତ, କିନ୍ତୁ ମୋ ମନ ଶହେ ଯୋଜନ ଆଗକୁ ଦୌଡୁଥିଲା.. ମୁଁ ହଟାତ ୧୧ ବର୍ଷ କିଶୋରୀ ରୁ ଯେମିତି ୫୧ ବର୍ଷ ର ସ୍ତ୍ରୀ ଲୋକ ହେଇଯାଉଥିଲି । ମୋତେ ନିଜକୁ ଖରାପ ଲାଗୁଥିଲା ଜଯେ ମୁଁ କେମିତି ନନା ବୋଉ ଙ୍କୁ ଏତେ କଷ୍ଟ ଦେଇପାରିଲି ! ଏଇ ଫ୍ରକ ବା କି ମୂଲ୍ୟ ନନା ବୋଉ ଙ୍କ ସ୍ନେହ ଆଶୀର୍ବାଦ ପାଖେ !
ସେଇ ଥିଲା ସତରେ ମୋ ଜନ୍ମଦିନ.. ଗୋଟେ ଦାୟିତ୍ୱ ସମ୍ପନ, ଝିଅ ହେଇ ସେଇଦନ ଜନ୍ମ ହେଇଥିଲି । ଅଭାବ କଣ ବୁଝିଥିଲି ଆଉ ସେବେଠୁ କେବେ କିଛି ନିଜ ପାଇଁ ମାଗିନଥିଲି, ଦାବି କରିନଥିଲି, ଜିଦ୍ଦି କରିନଥିଲି ।
ୟା ଭିତରେ ଅନେକ ବର୍ଷ ବିତିଗଲାଣି, ଅନେକ ଜିନିଷ ବଦଳି ଗଲାଣି । ମୋ ଚୁଟି ପାଚିଲାଣି ଆଉ ନନା ବୋଉ ଙ୍କ ଅଣ୍ଟା ନଇଁ ଆସିଲାଣି । ଆଜି ମୁଁ ବାହା ହେଇ ମୋ ଘର ସଂସାର, ପୁଅ ଝିଅ ବଡ଼ ହେଲେଣି । ମୁଁ ମୋ ଜୀବନ, ମୋ ଚାକିରୀ ନେଇ ବ୍ୟସ୍ତ, ଆଉ ନନା ବୋଉ ମୋ ଠୁଁ ଅନେକ ଦୁର ସହରରେ ତାଙ୍କ ଏକାନ୍ତ ଜୀବନ ନେଇ ନିସଙ୍ଗ ଶାନ୍ତ ।
ଆଜି ବି ମୋ ଜନ୍ମଦିନ, ଆଉ ଆଜି ବି ନନା ବୋଉ ସକାଳୁ ଫୋନ କରି ମନେପକେଇଦେଲେ…”ମନେ ଅଛି ତ ମା.. ଆଜି ଟିକେ ନୂଆ ଶାଢ଼ୀ ପିନ୍ଧି ମନ୍ଦିର ଟିକେ ଯିବୁ ” ।
ମୁଁ ଫୋନ ରେ ହସିଦେଲି.. “ହଁ.. ନନା.. ଯିବି ଯିବି..” । କିନ୍ତୁ ନନା ବି ନାଚୋଡ଼ବନ୍ଧା, ସେ ଜାଣିଥିଲେ ମୁଁ ଏମିତି କଥା ବୁଲାଏ.. କହିଲେ..”ହଉ ମା ନୂଆ ଶାଢ଼ୀ ପିନ୍ଧି ଭିଡ଼ିଓ ରେ ଫୋନ କରିବୁ ତ, ଦେଖିବାକୁ ବହୁତ ଇଚ୍ଛା ହେଉଛି ତୋତେ..” ।
ମୁଁ ପୁଣି ହସିଲି, ନନା କେତେ ଚାଲାକ ନା ! ସେ ବି ତାଙ୍କ ଝିଅ କୁ ଜାଣିଛନ୍ତି..
ହଉ ତାଙ୍କ ଇଚ୍ଛା ରହୁ, ଗାଧେଇ ପାଧେଇ ଆଲମିରା ରୁ ବାହାର କଲି ଗୋଟେ ଶାଢ଼ୀ, ସେ ବୋଉ ଯେଉଁ ଗତ ଥର ଦେଇଥିଲା ସେଇଗୋଟିକ । ପିନ୍ଧିକି ବାହାରିଛି, ମୋ ଝିଅ ଆସି ଚମକି ପଡି କହିଲା “ମାମା କଣ ଅଫିସ ଆଜି ଶାଢ଼ୀ ପିନ୍ଧି ଯିବ? ଆଜି କଣ କି?”
ମୁଁ ହସିଦେଲି, “ନା ମ!.. ଏଇ ରଜ ତ.. ଇଚ୍ଛା ହେଲା ଆଉ । ”
ଝିଅ ତା ବାଟରେ କଲେଜ ଗଲା ।
ସ୍ୱାମୀ ସମ୍ବିତ ସେ ଘରେ ସୋଇଛନ୍ତି, ମନେ ଅଛି କି ନା ମୋ ଜନ୍ମଦିନ କେଜାଣି.. ମନେ ନଥିବ ପ୍ରାୟ, କାରଣ ମୁଁ ଆଉ ବୁଢୀ ଦିନେ କଣ ପାଳିବି ଯେ?
ମୁଁ ନନାଙ୍କୁ ଭିଡିଓ ରେ ଫୋନ କଲି.. ନନା ବୋଉ ସେପଟୁ ଯେମିତି ଅପେକ୍ଷା କରିଥିଲେ.. ଦୁହେଁ ସାଥି ହେଇ ବସିଥିଲେ…
ମୋତେ ଦେଖିକି ଆଖି ଚମକି ଉଠିଲା ଆଉ ତା ସହ ଲୁହ ଜକେଇ ଆସିଲା..
ବୋଉ ତ ଗୁଡ଼ାଏ ଆଶୀର୍ବାଦ ଢାଳିଲା ଆଉ ନନା ବୋଉ ପଛପଟେ ଠିଆ ହେଇ ମୋତେ ସେମିତି ଅନେକ ରହିଥିଲେ.. ତାଙ୍କ କୋରଡ଼ଗାତ ଆଖିରେ ଖୁସି ଗୁଡା ପାଣି ହେଇ ବହୁଥିଲା.. ।
ବୋଉ ହଟାତ କହିଲା.. “ଆରେ ମା ଇଏ କଣ..? ଇଏ କି ଶାଢ଼ୀ.?. ତୁ ତ ଏତେ ରୋଜଗାର କରୁଛୁ.. ଭଲ ଶାଢ଼ୀ ଟେ କିଣିଲୁନି.. ତୋର କି ଅଭାବ ଯେ..?”
ମୁଁ ହସିଦେଲି.. “ଆରେ ବୋଉ ବୁଢୀ ଦିନେ କି ଜନ୍ମଦିନ ଯେ ? ଆଉ ଏଇ ଶାଢ଼ୀ ତ ତୁ ଦେଇଥିଲୁ, ୟା ଠୁଁ ବଡ଼ କି ଉପହାର ମୋ ପାଇଁ? ”
ବୋଉ ମୁରୁକି ହସିଥିଲା.. ସେ ହସରେ ମୋ ଖୁସି ଝଲକୁ ଥିଲା..
ଫୋନ ରଖିଲି, ଦଣ୍ଡେ ବସିଲି.. ଆଉଜି ପଡିଲି ଚେୟାର ରେ, ଭାବିଲି
“ହଁ ବୋଉ.. ଆଉ କି ଜନ୍ମ ଦିନ.. ଯେ ପର୍ଯ୍ୟନ୍ତ ତୁମେ ଦୁହେଁ ଅଛ ସେଇ ପର୍ଯ୍ୟନ୍ତ ଯେତେ ଦୂରରେ ଥିଲେ ବି ମୋ ଜନ୍ମଦିନ ପାଳିବ, ମୋତେ ଆଶୀର୍ବାଦ ଦେବ, ତା ପରେ ??
ଆଉ ବୋଉ ତୁ ଯେଉଁ ଅଭାବ କହିଲୁ.. ହଁ ଅଭାବ ବା କଣ ? ସେ ଚାଳିଶ ବର୍ଷ ତଳେ ସତରେ କେତେ ଅଭାବ ଥିଲା.. କିନ୍ତୁ ମୁଁ ବୁଝି ନଥିଲି.. । ଆଜି ପଇସା ର କିଛି ଅଭାବ ନାହିଁ.. ଅଛି ଯେ ଭିନ୍ନ କିଛି ଅଭାବ.. । ମୋ ଜୀବନରେ ତୁମ ଦୁହିଁଙ୍କ ଅଭାବ, ତୁମ କୋଳର ଅଭାବ, ସେଇ ସ୍ନେହ, ଶ୍ରଦ୍ଧା, ଆପଣା ପଣର ଅଭାବ ଆଜି ।
ଅଭାବ.. ଅଛି ଲୋ ବୋଉ.. ବାସ ତା ସ୍ୱରୂପ ବଦଳି ଯାଇଛି…ଏଇ କିଛି ବର୍ଷ ଭିତରେ !!!