ଅଣୁଗଳ୍ପ

ଅଫେରା ଫଗୁଣ

Anusuya Jena's odia short story Aphera Phaguna

ମଳୟ ମିଲିଟାରୀ ଡ୍ରେସ ରେ ସେ ଫଟୋ ଉଠାଇଛି । ସେମିତି ଫଟୋ ଟିଏ ମଳୟ ତାକୁ ପାଞ୍ଚ-ଛଅ ବର୍ଷ ପୂର୍ବରୁ ଦେଇଥିଲା

ଅଫେରା ଫଗୁଣ

ଅଫେରା ଫଗୁଣ ବିଷୟରେ ଦୁଇ ପଦ କଥା:

କଥାରେ ଅଛି ସମୟ ଆଉ ଜୁଆର କାହାକୁ ଅପେକ୍ଷା କରେନି । ତା ବାଟ ରେ ଚାଲିଯାଏ । ଜୀବନ ର ସବୁଠୁ ଅଭୁଲା ସ୍ମୃତି ହେଉଛି ଯୌବନର । ବେଫିକର ଜୀବନ, କିଛି କରିବାର ସ୍ୱପ୍ନରେ ବିଭୋର ଜୀବନ ଆଉ ସବୁ ସୁବିଧା ଅସୁବିଧାକୁ ଭୃକ୍ଷେପ ନକରି ଏକ ରଙ୍ଗୀନ ଭବିଷ୍ୟତକୁ ଆମନ୍ତ୍ରଣ କରିବାକୁ ଅପେକ୍ଷାରତ ଜୀବନ । ଏଇ ଯୌବନରେ ପ୍ରେମ ଏକ ଅବିଛିନ୍ନ ଅଙ୍ଗ, ଏବଂ ଏଇ ବୟସ ରେ ପ୍ରେମରେ ଝୁଣ୍ଟିବା ନିହାତି ସାଧାରଣ କଥା ଟିଏ । କିଏ ଝୁଣ୍ଟି ପଡୁ ପଡୁ ସମ୍ଭାଳି ନିଏ, କିଏ ନିତି ପ୍ରତି ଝୁଣ୍ଟି ପଡି, ପୁଣି ଉଠିକି ଝାଡ଼ିଝୁଡ଼ି ହେଉଥାଏ, କାଳେ କାହା ନଜରରେ ଧରା ପଡିଯିବା ଆଶଙ୍କାରେ ତ ଆଉ କିଏ ସଫା ସଫା ଅସ୍ଵୀକାର କରିଦିଏ , ନିଜକୁ ବଞ୍ଚାଇବା ଉଦ୍ଦେଶ୍ୟରେ । କିନ୍ତୁ ଏଇ ସ୍ମୃତି ଏମିତିକା, ସତରେ ଉତ୍ତର ବୟସରେ ମନେ ପକାଇଲେ ଭାରି ରୋମାଂଚିତ ଲାଗେ, ଇଚ୍ଛା ହୁଏ ପୁଣି ସେଇ ବୟସ , ସେଇ ଦୁନିଆ କୁ ଫେରିଯିବା ଲାଗି । କିନ୍ତୁ ହାୟରେ !!! ସମୟ କଣ କାହାରି ଇଚ୍ଛା ଅନିଚ୍ଛା ଶୁଣେ ???

ଏଇ କାହାଣୀର ପୃଷ୍ଠଭୂମି ରେଭେନ୍ସା କଲେଜ । ଏକ ଐତିହ୍ୟ କହିଲେ ଅତ୍ୟୁକ୍ତି ହେବନି । କେତେ କେତେ ପ୍ରେମ କାହାଣୀର ମୂକସାକ୍ଷୀ । ମୁଁ ଏଠି ପାଠ ପଢିଲା ବେଳେ ଅନେକ ଉଦାହରଣ ତିଆରି ହେଲେ ଏବଂ ମୁଁ ଖୁସି ଯେ ପରବର୍ତ୍ତୀ ସମୟରେ ଅନେକ ସଫଳ କାହାଣୀ ସୃଷ୍ଟି ହେଲା , ହେଲେ ଦୁଇ ବର୍ଷର ରେଭେନ୍ସା ଜୀବନରେ ମୁଁ ଯଦି କାହା ପ୍ରେମରେ ପଡିଲି, ସେଇ ହଉଚି ଏଇ କଲେଜ, ତାର ରାସ୍ତାଘାଟ, ସୁଉଚ୍ଚ କୋଠା, ଐତିହାସିକ କନିକା ଲାଇବ୍ରେରୀ, ଫୁଲ ରୋଷଣୀ ରେ ସଂଭାର, ଲାଇବ୍ରେରୀ ରୁ ଆର୍ଟ୍ସ ବ୍ଲକ ରାସ୍ତା, ହଷ୍ଟେଲ ଜୀବନ ଆଉ ସର୍ବୋପରି ମୋ ଦୁଇ ବର୍ଷ ଜୀବନ ର ସହପାଠିନୀ ଓ ଅନ୍ତେବାସିନୀ । ନିଜ ପରିବାର ଛାଡି, ଭିନ୍ନ ଭିନ୍ନ ପରିବାର, ସଂସ୍କାର ରୁ ଆସି ପୁଣି ଗୋଟିଏ ସୂତା ଖିଅରେ ବନ୍ଧା ହେଇ କଳ କଳ ଝରଣା ଭଳି ବହିଯାଉଥିବା ଜୀବନ , କେତେ ରାଗ, ରୁଷା, ମାନ, ଅଭିମାନ, ପାଠ ପଢା ରେ ଆଗକୁ ଯିବାର ପ୍ରତିଯୋଗୀତା, ସେଇ ଭିତରେ ବି ନିରୁତା ଭଲ ପାଇବା, ନିଜର କରିନେବା ପଣିଆ, ଦୁଃଖରେ ଦୁଃଖୀ, ସୁଖରେ ସୁଖୀ, ଟାହି ଟାପରା, ହସ , କୌତୁକ ଭରା ଦିନ ସବୁ ଏବେ ବି ମାନସ ପଟ୍ଟ କୁ ଆବୋରି ବସିଛନ୍ତି, ଟିକିଏ ଉଖାରି ଦେଲେ ସଙ୍ଗେ ସଙ୍ଗେ ଆଗରେ ଆସି ଛିଡା ହେଇଯାଅନ୍ତି , ମୁହୂର୍ତ୍ତକର ସୁଖ ହେଇ ।

ଏଇ କାହାଣୀକୁ ମୁଁ ଲେଖିଥିଲି ଆଜିକୁ କୋଡିଏ ବର୍ଷ ପୂର୍ବରୁ । ସ୍ମୃତି ସେତେ ବେଳେ ତାଜା ଥିଲା, ଲେଖି ହେଇଗଲା ମୋ ମୁଣ୍ଡ ଭିତରେ ଘୁରିବୁଲୁଥିବା ଚରିତ୍ର ମାନଙ୍କୁ ଜୀବନ୍ତ କରିବାରେ । ଯଦି ଏବେ ଲେଖିଥାନ୍ତି, ମହଳଣ ପଡ଼ିଯାଇଥିବା ସ୍ମୃତି ର ପରସ୍ତକୁ ଛଡାଇବା ଚେଷ୍ଟା ରେ ହୁଏତ ଅନେକ କିଛି ଅନୁଭୂତି ଛାଡି ଦେଇଥାନ୍ତି । ସବୁ ସ୍ମୃତି କୁ ଯୋଡି ଯାଡି ସେଥିରେ ରଙ୍ଗ ମିଶାଇ ଏଇ କାହାଣୀ ଟି ଗଢ଼ିଛି ଆଉ ଟେକି ଦଉଚି ମୋର ସେଇ ପ୍ରିୟ ବାନ୍ଧବୀ ମାନଙ୍କ ହାତରେ । ଆଶା କରୁଛି ସମସ୍ତେ ନିଜକୁ ଖୋଜି ପାଇବେ ଏଇ କାହାଣୀରେ , କୋଉ ପରିବେଶରେ ବା ପରିସ୍ଥିତିରେ ଅବା ଦର୍ଶକ କି ଶ୍ରୋତା ଟିଏ ହେଇ । ସେମାନଙ୍କର ସେଇ ଅନୁଭବ ହିଁ ହେବ ମୋ ପାଇଁ ମୋ ପରିଶ୍ରମ ର ଫଳ ।

“ପ୍ରେମ ଏକ ଅବ୍ୟକ୍ତ ମଧୁର ବେଦନା, ଯାହା କେବଳ ହୃଦୟ ବ୍ୟତୀତ ଆଉ କାହାରି ସନ୍ଧାନରେ ଆସେ ନାହିଁ । ପ୍ରେମର ମହତ୍ତ୍ଵ ଏବଂ ସତ୍ୟତା କୁ କେହି ଏ ଦୁନିଆରେ ଅସ୍ଵୀକାର କରିପାରିବେ ନାହିଁ । ପ୍ରତ୍ୟେକ ଚରିତ୍ରର ଜୀବନରେ , ହୃଦୟରେ ଜଣେ କେହି ନିଶ୍ଚିତ ଭାବରେ ଅବାରିତ ଆସ୍ଥାନ ଜମାଇ ବସେ । କେହି ତାକୁ ସ୍ଵୀକାର କରନ୍ତି, ଅବା କେହି ଜୋର କରି ତାହା ମିଥ୍ୟା ବୋଲି ଅସ୍ଵୀକାର କରିଦିଅନ୍ତି । ପାଇବାର ପୂର୍ଣତା ଅପେକ୍ଷା ନ ପାଇବାର ନୈରାଶ୍ୟବୋଧ ପ୍ରେମକୁ ଅଧିକ ଚିରନ୍ତନ କରାଏ । ସାରା ଜୀବନ ଝୁରି ମରିଲେ ମଧ୍ୟ ହଜିଯାଇଥିବା ଦିନ ଆଉ ଫେରିଆସେନି …………ଯେମିତି ଅଫେରା ଫଗୁଣ ………………”

 

ଅଫେରା ଫଗୁଣ

ମାର୍ଚ୍ଚ ମାସର ଏକ ଅଳସ ଅପରାହ୍ନ । ପାଗ ଟା କେମିତି ମେଘୁଆ ହେଇଛି । ହଠାତ୍‌ ନିଦରୁ ଚମକି ଉଠିପଡିଲା ମାଳିନୀ । କାନ୍ଥ ଘଣ୍ଟା କୁ ଚାହିଁଲା । ପାଞ୍ଚ ଟା ବାଜିବାକୁ ବସିଲାଣି । ଏମିତିରେ ରବିବାର ଖରାବେଳେ ସେ ଶୋଇପାରେ ନାହିଁ । ଅଧିକାଂଶ ରବିବାର ତାକୁ ଅଫିସ୍‌ରେ ବିତାଇବାକୁ ହୁଏ । ଆଜି ମୟଙ୍କ ନାହାନ୍ତି, ଏକ ଗୁରୁତ୍ଵପୂର୍ଣ ମିଟିଂରେ ଯାଇଛନ୍ତି । ଆଜି ଟିକିଏ ଫୁରୁସତ ମିଳିଥିବାରୁ ଖଟରେ ଗଡି ମାଗାଜିନ ଟିଏ ପଢୁ ପଢୁ କେତେ ବେଳେ ତା’ ଆଖି ଲାଗି ଯାଇଛି ସେ ଜାଣିପାରିନି । କେମିତି ଗୋଟିଏ ବିଚିତ୍ର ସ୍ଵପ୍ନ ଦେଖି ତା’ ନିଦଟା ଭାଙ୍ଗିଗଲା । ଭାରି ବ୍ୟସ୍ତ ଲାଗୁଛି । ମୟଙ୍କଙ୍କର ଚାରିଟା ସୁଦ୍ଧା ଫେରିଆସିବାର ଥିଲା । ଏ ପର୍ଯ୍ୟନ୍ତ କାହିଁକି ଫେରିଲେ ନାହିଁ ? ରାସ୍ତା ରେ କିଛି ଅସୁବିଧା ଘଟିନି ତ ? ମନଟା କେମିତି ଖରାପ ଲାଗୁଛି । ଖଟ ରୁ ଉଠିପଡିଲା ମାଳିନୀ । ଉଠିପଡି ବାଲକୋନୀ ଆଡକୁ ଗଲା । କୋଣରେ ପଡିଥିବା ଝୁଲା ଉପରେ ଯାଇ ବସିପଡିଲା । ତଳେ ବଗିଚାରେ ମାଳୀ ଘାସ ବାଛୁଛି । ମାଳିନୀର ନଜର ହଠାତ୍‌ ଯାଇ ଅଟକିଗଲା ବଗିଚାର ଶେଷ ମୁଣ୍ଡରେ ଲାଗିଥିବା ଆମ୍ବ ଗଛ ଉପରେ । ଆରେ !! ଆମ୍ବ ଗଛରେ କେତେ ବଉଳ !! କିଛି ବଉଳରେ ଚଣା ଧରିଲାଣି । କି ସୁନ୍ଦର ଦେଖାଯାଉଛି ଗଛଟା !! ତା’ର ନଜର କେମିତି ଆଜି ପର୍ଯ୍ୟନ୍ତ ପଡିନି ? ମନେ ପକାଇଲେ ସେ, ବୋଧହୁଏ ପନ୍ଦର ଦିନ ଉପରେ ହେବଣି ସେ ବାଲକୋନୀ ଆଡେ ଆସିନି । ଆସିବା ପାଇଁ ସମୟ ମଧ୍ୟ ମିଳିନି । ସବୁ ଦିନ ଅଫିସ୍‌ କାମ ସାରି ଘରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ସାତ ଟା । ଆଉ କିଛି ମିଟିଂ ଥିଲେ ତ ସମୟର କୌଣସି ଠିକଣା ନଥାଏ । ଆଜି ଆମ୍ବଗଛରେ ବଉଳର ସଂଭାର ଦେଖି ତା’ର ମନେପଡୁଛି ଅତିପ୍ରିୟ ରେଭେନ୍ସା କଲେଜ ଆଉ ବଉଳ ରେ ଲଦି ହେଇପଡୁଥିବା କୁଞ୍ଜବନର ଆମ୍ବଗଛ ସବୁ ।

ଗତ ସପ୍ତାହରେ ମାର୍କେଟରେ ସୁରଭି ସଙ୍ଗେ ଦେଖା ହେଇଥିଲା । ସୁରଭି !! ମାଳିନୀ ର ଅତି ଆଦର ର ସୁରଭି !! ସାନ ଭଉଣୀ ଠାରୁ ବଳି ଯାହାକୁ ସିଏ ଅଧିକ ଭଲ ପାଇଥିଲା ସେଇ ସୁରଭି !! ସେଦିନ ମାର୍କେଟ ରେ କିନ୍ତୁ ତାକୁ ଦେଖି ନ ଦେଖିବାର ଅଭିନୟ କରି ସେ ଚାଲିଯାଉଥିଲା । ମାଳିନୀ କିନ୍ତୁ ଛାଡିବାର ଲୋକ ନୁହେଁ । ପଛରୁ ଭିଡି ତାକୁ ଧରିନେଲା । “ ସୁଭୁ !! ମତେ ଚିହ୍ନି ପାରୁନୁ ??

ମାଳିନୀର ମୁହଁ କୁ ଚାହିଁ ଶୁଖିଲା ହସ ଟିଏ କେବଳ ହସିଥିଲା ସୁରଭି । ତା’ ମୁହଁ ଦେଖିଲେ ଲାଗୁଥିଲା ଯେମିତି ଝଡ ଟିଏ ତା’ ଉପରେ ବହି ଯାଇଛି । ସବୁବେଳେ କଳ କଳ ଝରଣା ଭଳି ହସି ହସି ଗଡି ଯାଉଥିବା ଆଉ ଅନ୍ୟ କୁ ହସାଉଥିବା ସୁରଭି କୁ ଦେଖି ମାଳିନୀ ର ମନଟା ଆଶଙ୍କିତ ହେଇଉଠିଲା । କିନ୍ତୁ ସୁରଭି ପାଖରେ ଥିବା ଭଦ୍ରଲୋକ ଜଣକ ବେଶ ଖୁସ ମିଜାଜ ର ଜଣା ଯାଉଥିଲେ । ସୁରଭି ର ସ୍ଵାମୀ ହେବେ ବୋଧ ହୁଏ । ମାଳିନୀ ର ଅନୁମାନକୁ ସ୍ପଷ୍ଟ କରି ସୁରଭି ପରିଚୟ କରାଇଲା ସମୀରଙ୍କ ସହିତ । ମାଳିନୀ ର ପରିଚୟ ପାଇ କେମିତି ଏକ ଅର୍ଥପୂର୍ଣ ଅଥଚ ବେଦନାସିକ୍ତ ଚାହାଣୀ ଟିଏ ଚାହିଁଲେ ସମୀର । ସେ ଚାହାଣୀ କୁ ନ ବୁଝି ଏଡାଇ ଯାଇ ମାଳିନୀ ତାଙ୍କୁ ନମସ୍କାର ଜଣାଇଲ। । ପ୍ରତି ନମସ୍କାର ଜଣାଇଲେ ସମୀର ।

– ସୁଭୁ ! ତୁ କେବେଠାରୁ ଏଠି ଆସି ରହୁଛୁ?

– ପ୍ରାୟ ମାସେ ଉପରେ ହେବଣି ସମୀରଙ୍କର ଏଠି ପୋଷ୍ଟିଂ ହେବା । ମୁଁ ଡିଫେନ୍ସ କଲୋନୀ ରେ ରହୁଛି ।

– ମୋ ଘର ତ ସେଇ ପାଖରେ । ଛୁଟି ଦିନ ଦେଖି କେବେ ମୋ ଘର କୁ ବୁଲି ଆସ କହି ନିଜ ଭିଜିଟିଙ୍ଗ କାର୍ଡ ଟି ବଢାଇଦେଲା ମାଳିନୀ ।

– ମାଳିନୀ ଅପା ! ତମେ ଆଗେ ମୋ ଘରକୁ ଆସ । ତମ ସାଙ୍ଗରେ ଅନେକ ଦିନ ର କଥା ଅଛି । ତମେ ଆସିଲେ ମତେ ସାଙ୍ଗରେ ନେଇଯିବ ।

ଦୀର୍ଘ ପାଞ୍ଚ ବର୍ଷ ପରେ ସୁରଭି କୁ ଦେଖି ଖୁସି ରେ ସେଦିନ ଉଛୁଳି ପଡିଥିଲା ମାଳିନୀ ।

ବର୍ତ୍ତମାନ ସୁରଭି ଘରକୁ ଗଲେ କେମିତି ହୁଅନ୍ତା ? ନିଜକୁ ନିଜେ ପ୍ରଶ୍ନ କଲା ମାଳିନୀ । ମୟଙ୍କ ଆସିବା କେତେ ଡେରି ହେବ କେଜାଣି ? ସୁରଭି ସାଙ୍ଗରେ ଅଧ ଘଣ୍ଟା ବିତାଇ ଆସିଲେ ନିଶ୍ଚୟ ଭଲ ଲାଗିବ ।

ବାଲକୋନୀରୁ ତା’ ରୁମ କୁ ଆସିଲା ମାଳିନୀ । ପାଞ୍ଚ ମିନିଟ୍‌ ଭିତରେ ପ୍ରସ୍ତୁତ ହେଇ ସୁରଭି ଘର ଉଦ୍ଦେଶ୍ୟ ରେ ବାହାରିଗଲା । ଗଲାବେଳେ କେୟାର ଟେକର ରାମୁ କୁ କହି ଦେଇ ଗଲା :- ରାମୁ ! ବାବୁ ଆସିଲେ ମୋ ମୋବାଇଲ୍‌କୁ ଫୋନ କରିଦେବୁ । ମୁଁ ଏଇ ପାଖକୁ ଟିକିଏ ଯାଉଛି ।

ଗ୍ୟାରେଜ ରୁ ଗାଡି ବାହାର କଲା ମାଳିନୀ । ସୁରଭି ଦେଇଥିବା ଠିକଣା ଅନୁସାରେ ତା କ୍ଵାର୍ଟର ଖୋଜି ପାଇବାରେ ବିଶେଷ ଅସୁବିଧା ହେଲାନି ତାକୁ । ଗାଡିକୁ ସାଇଡ କରି ପାର୍କିଂ କଲା । ସମୀରଙ୍କର ଇଣ୍ଡିପେଣ୍ଡେଣ୍ଟ କ୍ଵାର୍ଟର । ଗେଟ ଖୋଲିଲେ ବଗିଚା । ବଗିଚାରେ ଗଛ ଗୁଡିକର ଖୁବ ଯତ୍ନ ନିଆଯାଉଥିବାର ଜଣାଯାଉଛି । ଗୋଟେ ପଟେ ଘାସ ସବୁ ସାଇଜରେ କଟା ହେଇ ସୁନ୍ଦର ଲନ ଟିଏ ହେଇଛି । ସବୁଆଡେ ପରିଷ୍କାର । ଛୋଟ ପତ୍ରଟିଏ ମଧ୍ୟ କୋଉଠି ହେଲେ ପଡିନାହିଁ । ଗେଟ ଖୋଲି ଘର ଆଡେ ମୁହାଁଇଲା ମାଳିନୀ । କବାଟ ଖୋଲା ଅଛି, ହେଲେ କେହି କୁଆଡେ ଦେଖା ଯାଉନାହାନ୍ତି । ସ୍ଵାମୀ, ସ୍ତ୍ରୀ ଦୁଇ ଜଣ ବୋଧ ହୁଏ ରହୁଛନ୍ତି । ପରଦା ଆଡେଇଲା ମାଳିନୀ । ଡ୍ରଇଙ୍ଗ ରୁମକୁ ନିଖୁଣ ଭାବରେ ସଜାଇଛି ସୁରଭି । ସବୁଠି ତା’ ହାତର ଯାଦୁଗରୀ । ଶୋ କେସ କୁ ସଫ୍ଟ ଟଏଜରେ ଭର୍ତ୍ତି କରିଛି । ଶୋ କେସ ଉପରକୁ ଆଖି ଉଠାଇଲା ମାଳିନୀ । ତା’ ଛାତି ଭିତର ଟା କେମିତି ଧକ୍‌ ଧକ୍‌ କରିଉଠିଲା । ବିରାଟ ବଡ ଲାଇଫ ସାଇଜ ର ଫଟୋ ଟିଏ ରଖାହେଇଛି ମଳୟର । ମଳୟ ମିଲିଟାରୀ ଡ୍ରେସ ରେ ସେ ଫଟୋ ଉଠାଇଛି । ସେମିତି ଫଟୋ ଟିଏ ମଳୟ ତାକୁ ପାଞ୍ଚ-ଛଅ ବର୍ଷ ପୂର୍ବରୁ ଦେଇଥିଲା । ସେ ଫଟୋ ଏବେ ତା’ ବାପା ଙ୍କ ଘରର କୋଉ ପୁରୁଣା ବହି ଆଲମାରି ଭିତରେ ହୁଏତ ଥିବ । ଫଟୋ ଭିତରୁ ହସୁଛି ମଳୟ । ସେଇ ତେଜୋଦୀପ୍ତ ଆଖି । ଚଉଡା କପାଳ । ଫଟୋ ଟା ଏତେ ଜୀବନ୍ତ ଲାଗୁଛି ସତେ ଯେମିତି ଏଇ ସଙ୍ଗେ ସଙ୍ଗେ ଆସି ସାମ୍ନା ରେ ଠିଆ ହେଇଯିବ । କିନ୍ତୁ ଏ କଣ ? ମଳୟ ର ଫଟୋରେ ସୁରଭି କର୍ପୁର ମାଳ ଲଗାଇଛି କାହିଁକି ? ସୁରଭି ର ମୁଣ୍ଡ ଠିକ ଅଛି ତ ? ମାଳିନୀର ପାଦ ତଳୁ ମାଟି ଖସି ଯିବା ଭଳି ଲାଗୁଛି । ମୁଣ୍ଡ ଭିତରେ ସବୁ କିଛି ଯେମିତି ଗୋଳମାଳ ହେଇଯାଉଛି । ସେ ଫେରି ଯାଉଛି ପାଞ୍ଚ –ଛଅ ବର୍ଷ ର ଅତୀତ କୁ ………..

ରେଭେନ୍ସା କଲେଜ । ଦେଢ ଶତାବ୍ଦୀରୁ ଉର୍ଦ୍ଧ୍ଵ ବୟସ ଅତିକ୍ରାନ୍ତ କରି ଗର୍ବର ସହିତ ଠିଆ ହେଇରହିଛି । କେତେ ପ୍ରେମ, ପ୍ରତାରଣା, ହସ, ଲୁହ କାହାଣୀ ର ମୂକସାକ୍ଷୀ ହେଇ ରହିଛନ୍ତି ତାର ଗୋଡି, ମାଟି, ରାସ୍ତା ଘାଟ, ବିଭିନ୍ନ ବିଭାଗ ର କରିଡର, କନିକା ଲାଇବ୍ରେରୀ, କୁଞ୍ଜବନ ଓ ସର୍ବୋପରି ଲେଡିଜ ହଷ୍ଟେଲ ।

ଯେଉଁ ଦିନ ମାଳିନୀ ପ୍ରଥମ କରି ବାପାଙ୍କ ସହିତ ହଷ୍ଟେଲରେ ରହିବା ପାଇଁ ଆସିଲା, ହଷ୍ଟେଲର ପରିବେଶ ଦେଖି କାବା ହେଇଯାଇଥିଲା । ଦଳ ଦଳ ଝିଅ ଗେଟ ଭିତରକୁ ଆସୁଥିଲେ ଆଉ ବାହାରୁଥିଲେ । ବାପରେ ! କେତେ ଝିଅ ଏଇ ଭିତରେ ରହୁଛନ୍ତି !! ହଠାତ ଅଞ୍ଜଳି ଆସି ପହଞ୍ଚିଗଲା । ଅଞ୍ଜଳି ତା’ର ସ୍କୁଲ ବେଳର ସାଙ୍ଗ। ପାଞ୍ଚ ବର୍ଷ ହେଲାଣି ଏଇଠି ରହି ପଢୁଛି । ପୂରା କଲେଜ୍‌ର ମାନଚିତ୍ର ତା’ର ମୁହଁ ଆଗରେ ।

– ହାଏ ମାଳିନୀ ! ତୁ କେତେବେଳ ଆସିଲୁ? ରୁମ ଆଲଟମେଣ୍ଟ ହେଇଛି କି ନାହିଁ?

– ଏଇନେ ସଙ୍ଗେ ସଙ୍ଗେ ଆସି ପହଞ୍ଚିଛି । ରୁମ ଆଲଟମେଣ୍ଟ ବି ହେଇଛି । ୧୫ ନମ୍ବର ରୁମ ।

– ଆରେ ବାଃ ! ତୁ ତାହେଲେ ମୋ ସାଙ୍ଗରେ ରହିବୁ । ଭାରି ମଜା ହେବ ।

ମାଳିନୀର ବାପାଙ୍କୁ ନମସ୍କାର ହେଇ, ମାଳିନୀ ର ଲଗେଜ ଅଧା ହାତ ରେ ଧରି ସିଡି ଉପର କୁ ଉଠିଲା ଅଞ୍ଜଳି । ବାପାଙ୍କୁ ମୁଣ୍ଡିଆ ମାରି ବିଦାୟ ଦେଇ ଅଞ୍ଜଳି କୁ ଅନୁସରଣ କଲା ମାଳିନୀ । ପନ୍ଦର ଫୁଟ ରେ ପନ୍ଦର ଫୁଟ ବିଶିଷ୍ଟ ବଡ ରୁମ । ଚାରିପାଖକୁ ଝରକା । ଝରକା କୁ ଲାଗି ଚେୟାର ଟେବୁଲ ସବୁ ପଡିଛି । ରୁମ ଭିତରେ ପଶି ଝରକା ପର୍ଦ୍ଦା ଆଡେଇ ରାସ୍ତା କୁ ଚାହିଁଲା ମାଳିନୀ ।

– ହେଃ ଅଞ୍ଜଳି ! ଏଠି ଏ ରାସ୍ତା ରେ ଏମିତି ପିଲା ଯୋଡି ଯୋଡି ହେଇ ଗପୁଛନ୍ତି କଣ ? ତାଙ୍କୁ କଣ ଏ ଖରା କାଟୁନି ?

– ତୁ କଣ ଜାଣିଛୁ କହିଲୁ? ଚାରିଟା ବେଳେ ଏଠି ଯାତ୍ରା ଭଳି ଗହଳି ହୁଏ । କିଏ ଜାଣେ , ତୁ ବି ଦିନେ ଏମିତି ଖରାକୁ ଖାତିର ନକରି ଏଇ ଦେବଦାରୁ ଗଛ ତଳେ ଗପୁଥିବୁ । ଏ ଗଛ ଗୁଡିକର ନାଁ କଣ ଜାଣିଛୁ ? ପି.ଏମ.ଟି. , ମାନେ ପିୟା ମିଲନ ଟ୍ରୀ । ଯେଉଁମାନେ ଏଠି ଗପନ୍ତି, ସେମାନଙ୍କର ଲଭ୍‌ କୁଆଡେ ସକ୍‌ସେସ୍‌ଫୁଲ ହୁଏ ।

ବୋକା ଙ୍କ ଭଳି ଅଞ୍ଜଳି ମୁହଁ କୁ ଚାହିଁଲା ମାଳିନୀ । କଣ ଏମିତି ୟାଡ଼ୁ ସ୍ୟାଡୁ କହୁଛି?

ମାଳିନୀ, ଓରଫ ମାଳିନୀ ଦାସ । ଇଙ୍ଗିଲିଶ ଲିଟରେଚରରେ ପି.ଜି. କରିବାକୁ ଆସିଛି । ଅସାଧାରଣ ଜ୍ଞାନ ତାର ଲିଟରେଚରରେ । ସେକ୍ସପିଅର କ୍ଲାସିକ ମାନଙ୍କ ର ସବୁ କୋଟେସନ ତାର ମୁଖସ୍ଥ ।

XXXXXXXXXXXXXXXXXXXXXXXXXXXXX

ଆଜି ଶୁକ୍ରବାର । ଶୁକ୍ରବାର ରେ ପ୍ରାୟ କ୍ଳାସ ହୁଏନି ମାଳିନୀ ର । ଖରାବେଳ ସାରା ବସି ‘ଏମିଲି ଡିକିନସନ’ ପୋଏମ ର ନୋଟ ପ୍ରିପେୟାର କରୁଛି । ତଳୁ ଆଟେଣ୍ଡାଣ୍ଟ ନାନୀ ଡାକ ଛାଡୁଛି – ଅଞ୍ଜଳି ମିଶ୍ର, ଭିଜିଟର ।

ଓଃ ! ବଡ ବୋରିଙ୍ଗ ଏଇ ଭିଜିଟର କଲ । କାହାର କାମ ନାହିଁ ଦିନ ଦିଇଟା ବେଳେ ଆସିଛି ଅଞ୍ଜଳି ପାଖକୁ ? ମନକୁ ମନ ବିଡ ବିଡ ହେଲା ସେ । ଅଞ୍ଜଳି ନାହିଁ । ଲାଇବ୍ରେରୀ
ଯାଇଛି । ଅଗତ୍ୟା ବାଧ୍ୟ ହୋଇ ଟେବୁଲ ପାଖରୁ ଉଠିଲା ମାଳିନୀ ।

ସିଡି ଓଲ୍ହେଇ ଗେଟ ପାଖରେ ପହଞ୍ଚିଲା । ପତଳା, ଡେଙ୍ଗା ହେଇ ପିଲାଟିଏ ଠିଆ ହେଇଛି ।

– ଆପଣ ଅଞ୍ଜଳିର ଭିଜିଟର ?

– ହଁ । ଛୋଟିଆ ଉତ୍ତର ଦେଲା ପିଲାଟି

– ଅଞ୍ଜଳି ନାହିଁ, ତା’ ପାଖରେ କଣ କାମ ଥିଲା ?

– ଏଇ “ପ୍ଳାଣ୍ଟ ଆନାଟୋମୀ” ବହି ଟା ତାକୁ ଦେଇଦେବେ । କହିବେ, ମଳୟ ଆସିଥିଲା ।

ସେଇ ପ୍ରଥମ ଦେଖା ମାଳିନୀ ର ମଳୟ ସହିତ ।

ସନ୍ଧ୍ୟା ବେଳେ ନିଜ ଟେବୁଲ ଉପରେ “ପ୍ଳାଣ୍ଟ ଆନାଟୋମୀ” ବହି ଦେଖି ଆଶ୍ଚର୍ଯ୍ୟ ହେଇଗଲା ଅଞ୍ଜଳି ।

– ମାଳିନୀ ! କିଏ ଏଇ ବହିଟା ନେଇକି ଆସିଥିଲା ?

– ଓଃ ! ମୁଁ କହିବାକୁ ଭୁଲିଯାଇଛି । ମଳୟ କିଏ ଆସିଥିଲା ।

– ମଳୟ ନିଜେ ଆସିଥିଲା ? ଯାହାହେଉ, ଲେଡିଜ ହଷ୍ଟେଲ ଆଗରେ ତା’ର ପାଦ ପଡିଲା । କେତେ ବଡ ଚାନ୍‌ସ ମୁଁ ମିସ କଲି । ହସି ହସି କହିଲା ଅଞ୍ଜଳି । ଜାଣିଛୁ, ମଳୟ ଆମ କ୍ଳାସ ର ଜିନିୟସ । ସେମିନାର ପ୍ରେଜେଣ୍ଟେସନ ରେ ସେ ପ୍ରଫେସର ମାନଙ୍କୁ ବି ଟପିଯିବ ।

ମାଳିନୀ ର ଅଞ୍ଜଳି କଥାରେ କୌଣସି ଭାବାନ୍ତର ନାହିଁ , କମ୍ପିଟିଟିଭ ମାଗାଜିନରୁ ଗୃପ ଡ଼ିସକସନର ଟିପ୍ସ ସବୁ ପଢିଚାଲିଛି ସେ ନିବିଷ୍ଟ ଚିତ୍ତରେ ।

XXXXXXXXXXXXXXXXXXXXXXXXXXXXX

– ମାଳିନୀ, ଚାଲ ! ଆଜି ଟିକେ ହିନ୍ଦ ସିନେମା ପାଖକୁ ଯିବା । ସେଠି ବଢିଆ ଗୁପ୍ଚୁପ ମିଳେ । ମୋର ଜନ୍ମଦିନ ପାଇଁ ଗୋଟେ ଡ୍ରେସ ସେଟ ବି କିଣିବାରେ ଅଛି ।

ମାଳିନୀ ର ଆସନ୍ତା କାଲି ଡିପାର୍ଟମେଣ୍ଟ ରେ ସେମିନାର ପେପର ପ୍ରେଜେଣ୍ଟ କରିବାର ଅଛି । ଭଲ କରି ପ୍ରିପେୟର ନକଲେ ହବନି । ସିନିୟର ମାନେ ଅଯଥା ପ୍ରଶ୍ନ କରି ହଇରାଣ କରିବାକୁ ପଛାଇବେ ନହିଁ । ତଥାପି ସେ ଅଞ୍ଜଳି କୁ ମନା କରିପାରୁନି ।

କଲେଜ ର ସାମ୍ନା ଗେଟ ରେ କ୍ୟାମ୍ପସ ଭିତରକୁ ଆସୁଛି ମଳୟ ।

– ହାଏ ମଳୟ । କହିଲା ଅଞ୍ଜଳି

ଅଞ୍ଜଳି କୁ ଚାହିଁ ସାମାନ୍ୟ ହସିଲା ମଳୟ ।

– ସି ଡି ଏସ ରିଟିନ କେମିତି ହେଲା ?

– ଭଲ ହେଇଛି। ସ୍ୱଳ୍ପ ଉତ୍ତର ମଳୟ ର

– ମିଟ ମାଇଁ ଫ୍ରେଣ୍ଡ ମାଳିନୀ

ମଳୟ ନଜର ଉଠାଇ ଦେଖିଲ ମାଳିନୀ କୁ । ତା’ ଆଖି ମାଳିନୀ ର ଦୁଇ ଆଖି ସାଙ୍ଗରେ ମିଶିଗଲା । ମାଳିନୀ ପିନ୍ଧିଛି ଡିପ ଲାଭେଣ୍ଡର କଲର ର ଡ୍ରେସ । କୁଞ୍ଚୁକୁଞ୍ଚିଆ ମୋଟା ଗହଳ ଚୁଟି କୁ ସର୍ଟ ଷ୍ଟେପ କରିଛି । ବଡ ବଡ ଆୟତକରା କଥା କୁହା ଆଖି । ଲମ୍ବା ଭୃଲତା । ଦୁଇ ଭୃଲତା ର ସାମାନ୍ୟ ଉପରକୁ ଲଗାଇଛି ଛୋଟ କଳା ବିନ୍ଦି । ଓଠ ରେ ଡ୍ରେସ ର ରଙ୍ଗ କୁ ମ୍ୟାଚ କଳା ଭଳି ପର୍ପଲ କଲରର ସାମାନ୍ୟ ଲିପଷ୍ଟିକ । ସ୍ମାର୍ଟ ଆପିଅରାନ୍ସ । ଶ୍ୟାମଳୀ ହେଲେ ମଧ୍ୟ ମାଳିନୀ ଯେ କଲେଜ ର ହାତ ଗଣତି ସୁନ୍ଦରୀ ମାନଙ୍କ ଭିତରେ ଗଣା ହେବ ଏହା ନିଃସନ୍ଦେହ । ମଳୟ ଚାହିଁ ରହିଛି ସେଇ ମାଳିନୀ କୁ ।

ମଳୟ ଆଉ ମାଳିନୀର ମୁହଁ ମଝିରେ ହାତ ହଲାଇ ଅଞ୍ଜଳି କହିଲା- “ହୋଲ୍ଡ ଅନ ୟାର ! କଣ ଦିନକରେ ତାକୁ ଦେଖିବା ସରିଯିବ?”

ଲାଜରେ ଝାଉଁଳିଗଲା ମାଳିନୀ । କି ବଦମାସ ହେଇଛି ଏଇ ଅଞ୍ଜଳି !!

ପ୍ରକୃତିସ୍ଥ ହେଲା ମଳୟ ।

– ହେଲୋ ! ଗ୍ଲାଡ ଟୁ ମିଟ ୟୁ ।

ମାଳିନୀ ର ପାଟିରେ ଭାଷା ସ୍ଫୁରୁନି । ସେଦିନ କ’ଣ ସେ ଏଇ ମଳୟ କୁ ଦେଖିଥିଲା ? ପଢା ମଝିରୁ ଉଠି ଏତେ ବିରକ୍ତ ହେଇ ତାକୁ ଦେଖା କରିବାକୁ ଆସିଥିଲା ଯେ ତା’ର ମୁହଁ କୁ ମନେ ରଖିବାର ସେ ଆବଶ୍ୟକତା ମନେକରିନାହିଁ ।

ଆଜି ମଳୟ କୁ ଦେଖୁଛି ମାଳିନୀ । ଉଚ୍ଚା ଚଉଡା କପାଳ । ଡେଙ୍ଗା ନାକ । ଆଖି ଦୁଇଟିରୁ ତା’ର ଧୀଶକ୍ତି ର ପ୍ରଖରତା ସୁସ୍ପଷ୍ଟ । ପତଳା ଆଉ ଲମ୍ବା ଚେହେରା କୁ ଜିନ୍ସ , ଟି ସର୍ଟ ବେଶ ମାନୁଛି ତାକୁ ।

– କୁଆଡେ ବୁଲିବାକୁ ବାହାରିଛ? ପଚାରିଲା ମଳୟ

– ଏମିତି ରାଣୀହାଟ ଆଡେ ଯାଉଛୁ । ଆମେ ଆସୁଛୁ । ଡେରି ହେଲେ ହଷ୍ଟେଲ ଗେଟ ପଡିଯିବ କହି ଏକ ପ୍ରକାର ମାଳିନୀର ହାତକୁ ଧରି ଚାଲିବାକୁ ଆରମ୍ଭ କଳା ଅଞ୍ଜଳି ।

– ମଳୟ ତତେ କେମିତି ଲାଗିଲା ମାଳିନୀ ? ତା’ ସହିତ ମୁଁ ପାଞ୍ଚ ବର୍ଷ ହେଲା ପଢୁଛି , ଏମିତି ପିଲା ମୁଁ ଆଉ ଦେଖିନି । ତା’ ସାଙ୍ଗରେ ମିଶିଲେ ଜାଣିବୁ ସେ କେମିତି ? ଗୋଟିଏ
ନିଶା ତା’ର , କେମିତି ସିଏ ସି .ଡି .ଏସ. ପାଇବ । ଡିଫେନସ ରେ ଜଏନ କରିବ ।

ଅଞ୍ଜଳି ର କଥାକୁ ଆଗ୍ରହରେ ଶୁଣିଛି ମାଳିନୀ ।

– ଏଇ ଡ୍ରେସ ଟା କେମିତି ଲାଗୁଛି ?

– ହଁ, ଭଲ ।

ଅଞ୍ଜଳି ଲକ୍ଷ୍ୟ କରୁଛି ମାଳିନୀର ଅନ୍ୟମନସ୍କତାକୁ । ଅନ୍ୟ କେଉଁ ଦିନ ହେଇଥିଲେ ଗୋଟା ପରେ ଗୋଟା ଗୁପ୍ଚୁପ ଗିଳି ପକାଇଥାନ୍ତା ମାଳିନୀ । ଆଜି କିନ୍ତୁ ଦୁଇ, ତିନିଟା ଖାଇବା ପରେ ଆଉ ଖାଇପାରିବିନି ବୋଲି କହୁଛି । ଦାନ୍ତ ଚିପି ଚିପି ହସୁଛି ଅଞ୍ଜଳି । ମାଳିନୀ ଅଞ୍ଜଳି ଆଖିରେ ଅସହାୟ ଭାବରେ ଧରା ପଡିଯାଉଛି ।

XXXXXXXXXXXXXXXXXXXXXXXXXXXXX

ଟେବୁଲ ରେ ଭରା ଦେଇ ଗାଲ ଉପରେ ହାତ ରଖି ଝରକା ରେଲିଙ୍ଗ ଦେଇ ବାହାରକୁ ଚାହିଁଛି ମାଳିନୀ । ଏଇ ଜାଗା ଟି ତା’ର ଅତି ପ୍ରିୟ । ଏକାନ୍ତ ଆତ୍ମୀୟ । ହଷ୍ଟେଲକୁ ଆସିବା ଦିନଠାରୁ ଏମିତି ଠିଆ ହୋଇ ସେ ସୂର୍ଯାସ୍ତ ଦେଖେ । ରାଧାଚୂଡା ଗଛ ଗୁଡିକ ହଳଦିଆ ଫୁଲ ରେ ଲଦି ହୋଇ ପଡିଛନ୍ତି । ସେଇ ଗଛ ଫାଙ୍କ ଦେଇ ସୂର୍ଯ୍ୟଙ୍କର ଲାଲ କିରଣ ସିଧା ଆସି ତା’ ରୁମ ରେ ପଡେ । ରାତିରେ ଗଛ ଫାଙ୍କ ରେ ଜହ୍ନ ଦେଖିବା ପାଇଁ ମାଳିନୀ ଅଧୀର ହେଇ ଯାଏ । ସାପ ଭଳି କଳା ପିଚୁ ରୋଡ ଅଙ୍କା ବଙ୍କା ହେଇ ଲମ୍ବି ଯାଇଛି ହଷ୍ଟେଲ ସାମ୍ନାରେ । ଗଛ ମାନଙ୍କ ଆଢୁଆଳ ରେ ଛାପିଛାପିକା ସେ ରାସ୍ତା ଦେଖାଯାଏ ଝରକା ଦେଇ । ଆଜି ବି ସେମିତି ଠିଆ ହୋଇ ସୂର୍ଯ୍ୟାସ୍ତକୁ ଦେଖୁଛି ମାଳିନୀ । ରାସ୍ତାରେ ଚାଲି ଚାଲି କିଏ ଜଣେ ପିଲା ଆସୁଛି । କୋଉ ହଷ୍ଟେଲ ପିଲା ହେଇଥିବ ବୋଧ ହୁଏ । ମାଳିନୀ ଏକ ଲୟରେ ଚାହିଁଛି ସୂର୍ଯ୍ୟକୁ । ଲାଲ କମଳା ରଙ୍ଗ ର ସୂର୍ଯ୍ୟ କିରଣ ତା’ ମୁହଁ ଉପରେ ପଡୁଛି । ପିଲାଟି କ୍ରମଶଃ ରୁମ ଝରକା ପାଖ ହେଇ ଆସୁଛି । ମଳୟ ଚାଲି ଚାଲି ଆସୁଛି । ମାଳିନୀ ଖୁସିରେ ଫାଟି ପଡୁଛି । ତାକୁ ନିରିଖେଇ ଦେଖୁଛି । ମଳୟ ତା’ ରୁମ ସାମ୍ନା ରାସ୍ତା ଅତିକ୍ରମ କରି ଆଗକୁ ଚାଲିଛି ।
– କେଡେ ଜୋର ରେ ଚାଲୁଛି । ଆଉ ଟିକେ ଧୀରେ ଚାଲୁଥିଲେ ଭଲ କରି ଦେଖି ପାରିଥାନ୍ତି !! ମନକୁ ମନ କହୁଛି ମାଳିନୀ ।

XXXXXXXXXXXXXXXXXXXXXXXXXXXXX

– ମାଳିନୀ, ଚାଲ, ଟିକେ କନିକା ଲାଇବ୍ରେରୀ ଆଡେ ଯିବା । ମୋର ଗୋଟେ ଜର୍ଣ୍ଣାଲ ଦେଖିବାରେ ଅଛି – କହିଲା ତା’ ଡିପାର୍ଟମେଣ୍ଟ ସାଙ୍ଗ ସ୍ମୃତି ।

ଲାଇବ୍ରେରୀ ଯିବା ରାସ୍ତାରେ ଦେଖା ହେଇଗଲା ମଳୟ । ତିନି ଚାରି ଜଣ ସାଙ୍ଗ ମାନଙ୍କ ସହିତ ହଷ୍ଟେଲ ଫେରୁଛି । ତାକୁ ଦେଖି ସାମାନ୍ୟ ଟିକେ ହସି ଚାଲିଗଲା ସେ । ତା’ର ସାଙ୍ଗ ମାନେ କିନ୍ତୁ ପଛକୁ ଫେରି ଚାହୁଁଛନ୍ତି । ମାଳିନୀ ଦାନ୍ତ ଚିପି ହସ ରୋକୁଛି । ସାମ୍ନା ପଟରୁ ଅଞ୍ଜଳି ଏକା ଏକା ଆସୁଛି ।

– ବାଃ, ବାଃ !! କଣ ମନକୁ ମନ ହସି ହସି ଚାଲିଛୁ ? ଦେଖା ମିଳିଗଲାକି ?

ସ୍ମୃତିର ଉପସ୍ଥିତିକୁ ଦେଖାଇ ଚୁପ ରହିବାକୁ ମାଳିନୀ ଇଶାରା କରୁଛି । କଥାର ମୋଡ ବଦଳାଇ ଲାଇବ୍ରେରୀରୁ ବହି ଖୋଜିବାପାଇଁ ଯାଉଛି ବୋଲି କହୁଛି ।

XXXXXXXXXXXXXXXXXXXXXXXXXXXXX

ଅଞ୍ଜଳି ଦୁଇ ଦିନ ହେଲା ନାହିଁ । ତା’ ଘରକୁ ଯାଇଛି । ଏକା ଏକା ଭାରି ବୋର ଲାଗୁଛି । ଝରକା ରେଲିଙ୍ଗ ଦେଇ ବାହାରକୁ ଚାହିଁଲା ମାଳିନୀ । ଚାଟ , ଗୁପ ଚୁପ ଆଉ ଆଇସକ୍ରିମ ବାଲା ଖୁବ ବେପାର ଚଳାଇଛନ୍ତି । ଯୋଡି ଯୋଡି ପୁଅ ଝିଅ ପି. ଏମ. ଟି. ତଳେ ଗପୁଛନ୍ତି । ଗପ ଭିତରେ ହସି ହସି ଗଡି ଯାଉଛନ୍ତି । କିଏ ଅଭିମାନରେ ମୁହଁ ଫୁଲାଇ ଠିଆ ହେଇଛି ଆଉ ଅନ୍ୟ ଜଣକ ତା’କୁ ମନେଇବାକୁ ଚେଷ୍ଟା କରୁଛି । କଣ ଏତେ ଗପୁଛନ୍ତି ଏମାନେ ? ସତରେ ଅଞ୍ଜଳି କହିଲା ଭଳି ଯାତ୍ରାର ଗହଳି ।

ଗ୍ରାଉଣ୍ଡ ଫ୍ଲୋର ରୁ ଆଟେଣ୍ଡାନ୍ଟ ନାନୀ ରଡି ଛାଡୁଛି- ଅଞ୍ଜଳି ମିଶ୍ର, ଭିଜିଟର ।

– ଓଃ! ତଳକୁ ଯିବାକୁ ପଡିବ ଏଇନେ । କେତେ ସାଙ୍ଗ ଏଇ ଅଞ୍ଜଳି ର ?? !! ସବୁବେଳେ ଖାଲି ତା’ର ଭିଜିଟର କଲ । ବାପାଙ୍କ ଛଡା ମାଳିନୀ ର ଆଉ କେହି ଭିଜିଟର ଆସନ୍ତିନି । ସିଏ ପୁଣି ମାସରେ ଥରେ କିମ୍ବା ଦୁଇ ଥର । ବାଧ୍ୟ ପିଲାଟିଏ ଭଳି ତଳକୁ ଆସିଲା ମାଳିନୀ । ଗେଟ ବାହାରେ ମଳୟ ଠିଆ ହେଇଛି । ମାଳିନୀ ର ଛାତି ଭିତରଟା ଧଡ ଧଡ ପଡୁଛି ଉଠୁଛି ।

– ଅଞ୍ଜଳି ନାହିଁ । ବାଲେଶ୍ଵର ଯାଇଛି । କାଲି ଫେରିବ । ଏକ ନିଃଶ୍ଵାସରେ କହିଯାଉଛି ସେ । ମୁରୁକେଇ ସାମାନ୍ୟ ହସୁଛି ମଳୟ ।

– ଅଞ୍ଜଳି ନାହିଁ, ମୁଁ ଜାଣିଛି । ସେ ଗଲା ଦିନ ମତେ କହିକି ଯାଇଛି । ମୁଁ ତମ ପାଖକୁ ଆସିଛି ।

ମାଳିନୀ ର ତଣ୍ଟି ଅଠା ଅଠା ହେଇ ଯାଉଛି । ମଳୟ ସହିତ କଣ କଥା ହେବ, ତା’ର ମୁଣ୍ଡ କୁ କିଛି ଯୁଟୁନି ।

– ତମେ ଅଞ୍ଜଳିର ସ୍କୁଲ ସାଙ୍ଗ ? ମୁଣ୍ଡ ଟୁଙ୍ଗାରି ହଁ କରୁଛି ସେ । ମଳୟ ର ଆଉ ଦୁଇ ଚାରିଟା ପ୍ରଶ୍ନ କୁ ଖାଲି ହଁ, ନାହିଁ ରେ ଉତ୍ତର ଦେଉଛି । ତଳକୁ ମୁହଁ ପୋତି ନଖରେ ମାଟି ଉପରେ ଗାର କାଟୁଛି । ସବୁ ପିଲାଙ୍କ ସାଙ୍ଗରେ ସ୍ମାର୍ଟଲି କଥା କହୁଥିବା ମାଳିନୀ ଆଜି କେମିତି ନର୍ଭସ ହେଇପଡୁଛି । ମାଳିନୀ କୁ ଲାଗୁଛି ଯେମିତି ସମସ୍ତେ ତାକୁ ହିଁ ଚାହିଁ ଛନ୍ତି । ଭାରି ସଙ୍କୋଚ ଲାଗୁଛି ।

– ଆଚ୍ଛା ! ମୁଁ ତାହେଲେ ଆସୁଛି । ମାଳିନୀ ମଳୟ କୁ କଣ ଉତ୍ତର ଦେବ କିଛି ଜାଣି ପାରୁନି । ହେଲେ, ତାକୁ ମଳୟ ର ଉପସ୍ଥିତି ଭଲ ଲାଗୁଛି । ଏମିତି ଘଣ୍ଟା ଘଣ୍ଟା ଠିଆହେଇ ରହିବାପାଇଁ ତା’ର ଇଚ୍ଛା ହଉଛି । ଧୀରେ ଧୀରେ ସହଜ ହେବା ପାଇଁ ଚେଷ୍ଟା କରୁଛ ସେ

– ମଳୟ, ତମର ସି ଡି ଏସ ରିଟିନ ରେଜଲ୍ଟ ଆସିନି ?

– ହଁ, ମୁଁ କ୍ଵାଲିଫାଏ କରିଛି । ଭାଇଭା ଆଉ ମାସେ ପରେ ଅଛି । ଆଇ ୱିଲ ଟ୍ରାଇ ମାଇଁ ଲେବେଲ ବେଷ୍ଟ ଟୁ ଗେଟ ଥୃ ଇଟ ।
‘ଅଲ ଦି ବେଷ୍ଟ’ କହି ମାଳିନୀ ରୁମ କୁ ଫେରି ଆସୁଛି । ପାଠପଢାରେ ମନ ଲାଗୁନି । ସାରା ରାତି ବିଛଣାରେ ପଡି ଛଟପଟ ହେଉଛି । କ’ଣ ଗୋଟେ ହଜିଗଲା ଭଳି ମନେ ହଉଛି ।

XXXXXXXXXXXXXXXXXXXXXXXXXXXXX

– ମାଳିନୀ ଆଜି ତୋର କ୍ଳାସ କେତେବେଳେ ସରିବ ?

– ସାଢେ ଦୁଇଟା ରେ ।

– କ୍ଳାସ ସାରିଲେ ଆମ ଡିପାର୍ଟମେଣ୍ଟ ଆସିବୁ । ତତେ ଗୋଟେ ସରପ୍ରାଇଜ ଦେବି ।

ମାଳିନୀ କ୍ଳାସ ସାରି ବଟାନି ଡିପାର୍ଟମେଣ୍ଟରେ ପହଞ୍ଚିଛି । ଗେଟ ଖୋଲି ଭିତରକୁ ଗଲାବେଳକୁ ଲମ୍ବା ପାହାଚ ରେ ଅଞ୍ଜଳି ଡିପାର୍ଟମେଣ୍ଟର ସବୁ ପିଲା ବସିଛନ୍ତି । ମାଳିନୀ ର ଆଖି ଘୁରି ଯାଉଛି । ନାଃ !! ଅଞ୍ଜଳି କି ମଳୟ କେହି ଦେଖା ଯାଉନାହାନ୍ତି । ହଠାତ ଲ୍ୟାବ ଭିତରୁ ବାହାରି ଆସୁଛି ଅଞ୍ଜଳି । ମାଳିନୀ କୁ ଦେଖି ସେଇ ଦୂରତାରୁ ହାତ ହଲାଇ ଜୋର ଜୋର ରେ ଚାଲି ଆସୁଛି ।

– ମତେ କ’ଣ ସରପ୍ରାଇଜ ଦବୁ ଶୁଣେ ?

– ଚାଲ ଦେଖିବୁ । ମାଳିନୀ ର ହାତ ଟାଣି ଡିପାର୍ଟମେଣ୍ଟ ଗାର୍ଡେନ କୁ ନେଇଯାଉଛ ଅଞ୍ଜଳି ।

– ଇସ !! କି ସୁନ୍ଦର ଫୁଲ ଫୁଟିଛି !!

– ଚାଲ, ସେଠି ଲନ ରେ ବସିବା । ମୁଁ ଦି ଜଣ ପିଲାଙ୍କୁ କ୍ୟାମେରା ରେ ରିଲ ପକେଇବାକୁ ପଠେଇଛି ।

– ଓଃ !! ଏଇ ତୋର ସରପ୍ରାଇଜ ?

– କାହିଁକି ? ତତେ ଖୁସି ଲାଗୁନି ? କେମିତି ଫୁଲ ଫୁଟିଛି ଦେଖିଲୁ ? ଆମ ଡିପାର୍ଟମେଣ୍ଟ ଭଳି ରୋମାଣ୍ଟିକ ଡିପାର୍ଟମେଣ୍ଟ ଆଉ କଲେଜ ରେ ନାହିଁ ।

– ହଉ, ବହୁତ ହେଲା । କିନ୍ତୁ, ସତରେ, ଏଇ ଫୁଲ ମାନଙ୍କୁ ଦେଖ ପେଟ ପୁରି ଯାଉଛି ।

ବଗିଚାର ଗେଟ ଖୋଲି ଭିତରକୁ ଆସୁଛନ୍ତି ମଳୟ ଆଉ ସଂବିତ । ମଳୟ କୁ ଦେଖି ମାଳିନୀର ହସ ବନ୍ଦ ହେଇଯାଉଛି ।

– ମଳୟ, ତମେ ମାଳିନୀ ସାଙ୍ଗରେ କଥା ହୁଅ , ମୁଁ ଅନ୍ୟ ମାନଙ୍କୁ ଡାକି ଆଣୁଛି କହି ସଂବିତ କୁ ସାଙ୍ଗରେ ନେଇ ଚାଲିଯାଉଛି ଅଞ୍ଜଳି

– ମାଳିନୀ !! ତମର ପଢାପଢି କେମିତି ଚାଲିଛି ? ଅଞ୍ଜଳି କହେ ତମେ କୁଆଡେ ଲିଟରେଚର ରେ ମାଷ୍ଟ୍ରି କରିଛ । ତମର ସେଦିନ ସେମିନାର ପ୍ରେଜେଣ୍ଟେସନ କେମିତି ହେଲା ? ଶୁଣିଲି, ତମେ ଏମ. ବି. ଏ. ପାଇଁ ପ୍ରିପେୟାର କରୁଛ? ତମେ ମତେ ମୋ ଭାଇଭା ପ୍ରିପାରେସନରେ ଟିକିଏ ହେଲ୍ପ କରିବ ? ଅଞ୍ଜଳି କହୁଥିଲା ତମେ ମତେ ଗୃପ ଡ଼ିସକସନ ପାଇଁ ଭଲ ଗାଇଡ କରିପାରିବ ।

ମୁଣ୍ଡ ହଲାଇ ଆସ୍ତେ କରି ହଁ ମାରିଲା ମାଳିନୀ ।

– ଠିକ ଅଛି । ତମ ସୁବିଧାରେ ମତେ ଖାଲି ଘଣ୍ଟାଏ ସମୟ ଦେବ ।

ମାଳିନୀ ଆଉ ମଳୟ ର କଥାବାର୍ତ୍ତା କୁ ଭେଦ କରି ବଗିଚା ଗେଟ ଖୋଲି ଅଞ୍ଜଳି ଅନ୍ୟ ସାଙ୍ଗ ମାନଙ୍କୁ ନେଇ ପଶି ଆସୁଛି । ହସି ହସି ସମସ୍ତେ ସେମାନଙ୍କ ଆଡକୁ ଆସୁଛନ୍ତି । ଅଞ୍ଜଳି କୁ ଆସ୍ତେ ଚୁମୁଟି ସୁଶ୍ରୀ ପଚାରୁଛି-ଅଞ୍ଜଳି ! ଆମ ବିଶ୍ଵାମିତ୍ରକୁ ମେନକା କେବେ ମିଳିଲେ ? ଅନ୍ୟମାନେ ହସି ହସି ଗଡିଯାଉଛନ୍ତି ।

ହଷ୍ଟେଲ ଫେରିବା ରାସ୍ତାରେ ଅଞ୍ଜଳିକୁ ତାଗିଦ କରୁଛି ମାଳିନୀ

-ଅଞ୍ଜଳି, ତୁ କେଡେ ଦୁଷ୍ଟ ! ମଳୟ କୁ କାହିଁକି କହିଲୁ ଯେ ମୁଁ ତାକୁ ହେଲ୍ପ କରିବି ?

କାନ୍ଧ ଟେକି ଅଞ୍ଜଳି କହୁଛି, କାହିଁକି ? ମୁଁ ଯାହା ଠିକ ଭାବିଲି, ସେଇଆ କଲି । ତୁ ଯଦି କହିବୁ , ମୁଁ ତାକୁ ମନ କରିଦେବି ।

– ହେଃ ! ତା’ର ମନ ଦୁଃଖ ହବନି ? ହଉ, ଠିକ ଅଛି । ତାକୁ କହିଦବୁ କାଲି ଚାରିଟା ବେଳେ ମତେ ଦେଖା କରିବ ।

XXXXXXXXXXXXXXXXXXXXXXXXXXXXX

– ମଳୟ, ପ୍ଳିଜ, ନେଭର ମାଇଣ୍ଡ । ତମର ଇଙ୍ଗ୍ଲିଶ କହିବାର ଆକସେଣ୍ଟ ଟା ଟିକିଏ ରଷ୍ଟିକ । ତମର ରିଜନିଂ ଆବିଲିଟି ଭଲ, କିନ୍ତୁ ଗୃପ ଡ଼ିସକସନ ରେ ନିଜର ଭିୟୁ ପଏଣ୍ଟ ପ୍ରେଜେଣ୍ଟେସନ ଟା ପରଫେକ୍ଟ ହେବା ଦରକାର । ଯେଉଁ ବିଷୟରେ ଡ଼ିସକସନ ହଉଛି, ସେ ବିଷୟରେ ସଫିସିଏଣ୍ଟ ନଲେଜ ଥିବା ଉଚିତ ।

ମଳୟ ର ପ୍ରତିଟି ଅସାମର୍ଥ୍ୟ କୁ ବିଶ୍ଳେଷଣ କରି ଚାଲିଛି ମାଳିନୀ । ମଳୟ ଆଗ୍ରହର ସହିତ ତା’ କଥାକୁ ଶୁଣୁଛି ଆଉ ମନେ ମନେ ଅଞ୍ଜଳିକୁ ଧନ୍ୟବାଦ ଜଣାଉଛି ଜଣେ ଠିକ ଗାଇଡ ଜୁଟାଇଦେଇଛି ବୋଲି ।

ଦିନେ ଯଦି ମଳୟ ଆସିବା ଡେରି ହେଇଯାଏ, ମାଳିନୀ ଅନାଇ ବସି ରହିଥାଏ ଝରକା ପାଖରେ । ମନ ତା’ର ବ୍ୟସ୍ତ ହେଇଉଠେ । ପିଲାଟା ବିଲକୁଲ ସିରିୟସ ନୁହେଁ । ପଙ୍କଚୁଆଲ ନହେଲେ କି ଡ଼ିଫେନ୍ସ ପର୍ସୋନେଲ ହବ । ମନେ ମନେ ବିଡ ବିଡ ହୁଏ ସେ । ହଠାତ ତା’ ଝରକା ସାମ୍ନା ରେ ଆସି ଠିଆ ହୁଏ ମଳୟ । ମାଳିନୀ ମୁହଁ ରେ ହସ ଉକୁଟି ଉଠେ । ତରତର ହେଇ ସେ ବାହାରି ଆସେ ହଷ୍ଟେଲରୁ । ମଳୟ ପାଇଁ ସମୟ ବାହାର କରି ରାତି ରାତି ଅନିଦ୍ରା ହେଇ କରେଣ୍ଟ ଆଫେୟାର୍ସ ର ନୋଟ ତିଆରି କରେ । ଗୃପ ଡ଼ିସକସନ ପାଇଁ ଟପିକ୍‌ ଠିକ କରେ । କୋଉ ପଏଣ୍ଟ ରହିଲେ ଡ଼ିସକସନରେ ନିଜ ଆର୍ଗୁମେଣ୍ଟ ର ଅଥେଣ୍ଟିସିଟି ରହିବ, ତାହା ମଳୟ କୁ ବୁଝାଇଦିଏ ।

ଏବେ ସବୁଦିନ ମଳୟ ସାଙ୍ଗରେ ସନ୍ଧ୍ୟା ପର୍ଯ୍ୟନ୍ତ କଲେଜ ରୋଡ ରେ ବୁଲିବା ତା’ର ଗୋଟେ ହବି ହେଇଯାଇଛି । ମାଗାଜିନ ଷ୍ଟଲଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ମଳୟ ସାଙ୍ଗରେ ସେ ଥାଏ । କିଛି ସିରିୟସ ଡ଼ିସକସନ ଥିଲେ ଦୁଇଜଣ ଚାଲିଯାନ୍ତି ଷ୍ଟେସନକୁ । ଷ୍ଟେସନ କଲେଜ କ୍ୟାମ୍ପସ କୁ ଲାଗିଛି । ପ୍ଲାଟଫର୍ମ ର ଜନଗହଳିଠାରୁ ଟିକିଏ ଦୂର ରେ ଥିବା ସିମେଣ୍ଟ ବେଞ୍ଚ ଉପରେ ଦୁଇଜଣ ପାଖାପାଖି ବସନ୍ତି । ଟପିକ ଉପରେ ଡ଼ିସକସନ କରୁ କରୁ ଝଗଡା ଆରମ୍ଭ ହେଇଯାଏ । କେହି କାହାକୁ ଛାଡନ୍ତି ନାହିଁ । ଓମେନ ଏମପାୱାରମେଣ୍ଟ ଉପରେ ଆଲୋଚନା କଲାବେଳେ ମଳୟ କେମିତି ରିଆକ୍ଟିଭ ହେଇଯାଏ । ଆଜିକାଲି ସ୍ତ୍ରୀ ଲୋକମାନେ ଏଇ ଏମପାୱାରମେଣ୍ଟ ନାଁ ରେ କିଭଳି ସ୍ଵେଚ୍ଛାଚାରୀ ହୋଇ ଉଠୁଛନ୍ତି, କହିଲାବେଳେ ତା’ର ନାକ ପୁଡା ଫୁଲି ଉଠେ । ମାଳିନୀ ମଧ୍ୟ କାଉଣ୍ଟର ଆଟାକ କରିବାପାଇଁ ପଛାଏନି । ମେଲ ସୋଭିନିଜମ ଉପରେ ବତ୍କୃତା ଶୁଣାଏ । ଯେତେବେଳେ ଝଗଡାର ସୀମା ଟପି ଯାଏ, ନରମ ପଡିଯାଏ ମଳୟ । ମାଳିନୀ ର ମୁହଁ କୁ ଅନାଏ । ସେତେବେଳକୁ ମାଳିନୀ ର ମୁହଁ ଉତ୍ତେଜିତ ହୋଇ ଲାଲ ପଡିଯାଇଥାଏ । ତା’ର ହାତ କୁ ନିଜ ହାତ ଉପରେ ରଖି ଧୀର ସ୍ଵର ରେ କୁହେ- ମାଳିନୀ ! ମତେ ତମର ଯୁକ୍ତି ବେଳେ ବେଳେ ଅକାଟ୍ୟ ମନେ ହୁଏ । କିନ୍ତୁ ତମେ ଯଦି ବାସ୍ତବ ଜୀବନ ରେ ଏମିତି ଟେମ୍ପରାମେଣ୍ଟ ର ହେଇଥାଅ , ମୋର ଭୟ ତମେ ମୋ’ଠାରୁ ଦୂର କୁ ଚାଲିଯିବନାହିଁ ତ ? ମଳୟ ର କଥା ଶୁଣି ଚୁପ ପଡିଯାଏ ମାଳିନୀ । ପୁଣି ସିରିୟସ ହେଇ ମୁଣ୍ଡ ହଲାଇ କହେ- ମୁଁ ବହୁତ ପ୍ରାକ୍ଟିକାଲ ମଳୟ ।

XXXXXXXXXXXXXXXXXXXXXXXXXXXXX

– ମଳୟ ! ଆମ ହଷ୍ଟେଲ ଆନୁଆଲ ଫଙ୍କ୍‌ସନ୍‌ ରେ ତମେ ନିଶ୍ଚୟ ଆସିବ । ମାଳିନୀ ର ମଧ୍ୟ ସୋଲୋ ଡ୍ୟାନ୍ସ ପ୍ରୋଗ୍ରାମ ଅଛି । ଲ୍ୟାବରେ ପ୍ରାକ୍ଟିକାଲ କରୁ କରୁ କହିଲା ଅଞ୍ଜଳି ।

– କାଇଁ, ମତେ ତ ସେ କିଛି କହିନି । ସେ ନ କହିଲେ ମୁଁ ଯିବିନି ।

– ହଉ, ସେ କହୁ କି ନ କହୁ । ତମେ ମୋ ସାଙ୍ଗ ହିସାବରେ ଯିବ ।

ଅଞ୍ଜଳି କଥା ଶୁଣି ମାଳିନୀ ଉପରେ ଅଭିମାନ ହେଲା ମଳୟର । ସନ୍ଧ୍ୟାରେ ତା’ ସାଙ୍ଗରେ କଥା ହେଲା ବେଳେ କେମିତି ଗମ୍ଭୀର ଦେଖାଯାଉଥିଲା ସେ ।

– ମଳୟ ! ତମର ଆଜି କ’ଣ ହେଇଛି ?

– ନାଇଁ, କିଛି ନାହିଁ ।

– ତମେ ଆଜି କେମିତି ଖାପ ଛଡା ଲାଗୁଛ । ହଁ, ମୋର ତମକୁ କହିବାକୁ ମନେ ନାହିଁ । କାଲି ଆମ ହଷ୍ଟେଲରେ ଆନୁଆଲ ଫଙ୍କସନ ଅଛି । ତମେ ନିଶ୍ଚୟ ଆସିବ ।

– ତମକୁ ମତେ ଡାକିବା ପାଇଁ ଅଞ୍ଜଳି କହିଛି ନା ? ଅଭିମାନରେ ଫାଟି ପଡୁଛି ମଳୟ

– ଅଞ୍ଜଳି କାହିଁକି କହିବ ? ମୁଁ ଡାକିଲେ କଣ ତମେ ଆସିବ ନାହିଁ?

ଆଜି ହଷ୍ଟେଲ ରେ ଖୁସି ର ଲହରୀ । ଏଇ ଦିନଟିକୁ ଚାତକ ଭଳି ଅନେଇ ରହିଥାନ୍ତି ସବୁ ଅନ୍ତେବାସିନୀ । ଡେଣା ଯେମିତି ଲାଗିଯାଇଛି ଆଜି ହଷ୍ଟେଲ ରେ ରହୁଥିବା ସବୁ ଝିଅ ମାନଙ୍କ ଦେହରେ । ହସ, ଖୁସି ରେ ଉଛୁଳି ପଡୁଛି ସାରା ପରିବେଶ । ଗେଟ ପାଖରୁ ଆରମ୍ଭ କରି ପେଣ୍ଡାଲ ପର୍ଯ୍ୟନ୍ତ ସୁନ୍ଦର ଆଲୋକ ର ରୋଷଣୀ । ରାତି ବଢି ଚାଲିଛି । ରାତି ସହିତ ତାଳ ଦେଇ ବଢି ଚାଲିଛି ମାଳିନୀ ର ଅସ୍ଥିରତା । ସେ ବାରମ୍ବାର ହାତ ଘଣ୍ଟା କୁ ଚାହୁଁଛି । ରାତି ନ’ଟା ବାଜିଲାଣି । ମଳୟ ବୋଧ ହୁଏ ଆସିବ ନାହିଁ । ନାଚ ଡ୍ରେସ ରେ ନଥିଲେ ସେ ଗେଟ ପାଖକୁ ଯାଇ ଦେଖି ଆସିପାରନ୍ତା । ଅଞ୍ଜଳି କୁଆଡେ ଯାଇଛି କେଜାଣି ? ନିଶ୍ଚୟ ତା’ର ଡିପାର୍ଟମେଣ୍ଟର ପିଲାଙ୍କ ସହିତ ଗପ ଯୋଡି ଦେଇଥିବ ! ଅଞ୍ଜଳି ଉପରେ ମନେମନେ ବିରକ୍ତ ହଉଛି ସେ । ବାରମ୍ବାର ଷ୍ଟେଜର ଡେକୋରେସନ ଫାଙ୍କରୁ ତଳେ ଚେୟାର ରେ ବସିଥିବା ପିଲାଙ୍କ ଉପରେ ଆଖି ପହଁରାଇ ନେଉଛି । ଦୂର ରୁ ତା’ର ନଜର ପଡୁଛି ଅଞ୍ଜଳି ଉପରେ । ଅଞ୍ଜଳି ହାତ ହଲଉଛି । ତା’ ପାଖରେ ବସିଛି ମଳୟ । ସରୁ ଚେକ୍‌ର ଟି ସାର୍ଟ ଆଉ ଧଳା ରଙ୍ଗର ଜିନ୍ସ ପିନ୍ଧିଛି । ମାଳିନୀର ଏଇ ଡ୍ରେସ ଟା ଭାରି ପସନ୍ଦ । ମଳୟ କୁ ଦେଖି ମନକୁ ମନ ହସୁଛି ସେ । ଆଶ୍ଵସ୍ତି ରେ ନିଶ୍ଵାସ ମାରୁଛି । ଷ୍ଟେଜ୍‌ରେ ଆନାଉନ୍ସ ହେଉଛି ତା’ର ନାଁ । ଷ୍ଟେଜ୍‌କୁ ସେ ଆସିବା ମାତ୍ରକେ କରତାଳିରେ ଫାଟି ପଡୁଛି ସାରା ବାତାବରଣ । ତା’ର ପ୍ରୋଗ୍ରାମ ଶେଷରେ ସମସ୍ତେ ତାକୁ ପ୍ରଶଂସାରେ ପୋତି ପକାଉଛନ୍ତି । କିନ୍ତୁ ତାର କାହାରି ପ୍ରଶଂସାକୁ ଖାତିର ନାହିଁ । ତରତର ହେଇ କଷ୍ଟ୍ୟୁମ ଉତାରିବାରେ ମନ ଦେଉଛି । ଲମ୍ବା ବାରଣ୍ଡା ଅତିକ୍ରମ କରି ଅଣନିଶ୍ଵାସୀ ହେଇ ଅଞ୍ଜଳି ପାଖକୁ ଧାଇଁ ଆସୁଛି । ଅଞ୍ଜଳି ପାଖରେ ପହଞ୍ଚିଲା ବେଳକୁ ମଳୟ ଉଠି ଚାଲି ଯାଇଛି । ଦୁଃଖରେ ଅଧୀର ହେଇ ପଡୁଛି ସେ । ଯାହାଠାରୁ ପ୍ରଶଂସା ଶୁଣିବାପାଇଁ ସେ ଦଉଡି ଆସିଛି, ତା’ର କଣ ତା’ ପ୍ରତି ଟିକିଏ ଶ୍ରଦ୍ଧା ନାହିଁ ? ଅଞ୍ଜଳିଠାରୁ ମଳୟ ଚାଲିଯିବାର କାରଣ ଶୁଣିବାକୁ ତାର ଆଉ ଧୈର୍ଯ୍ୟ ନାହିଁ । ଶିଡିରେ ଚଢି ରୁମ ଭିତରକୁ ଚାଲିଯାଉଛି । ଖଟ ଉପରେ ପଡି ଅଭିମାନରେ ଫୁଲି ଫୁଲି କାନ୍ଦୁଛି । ଅଞ୍ଜଳି ଯେତେ ଡାକିଲେ ବି ଖାଇବାକୁ ଉଠୁନି। ରାଗ, ଦୁଃଖ, ଅଭିମାନରେ ଅଧୀର ହୋଇ କାନ୍ଦି କାନ୍ଦି ଶୋଇ ଯାଉଛି ସେ ।

ପରଦିନ ପଢା ଉପରେ ଆଲୋଚନା କରିବା ମଝିରେ ତୀକ୍ଷଣ କଣ୍ଠ ରେ ପ୍ରଶ୍ନ କରୁଛି ମଳୟ – ମାଳିନୀ ! ତମେ କ୍ଲାସିକାଲ ପରଫରମର ନା ? କାଲି ସେ ଆଇଟମ ନମ୍ବର ବଦଳ ରେ ଓଡିଶୀ ନାଚିଥିଲେ କଣ ହେଇ ନଥାନ୍ତା ? ପଛରେ ଆମ ହଷ୍ଟେଲ ପିଲା କେତେ କମେଣ୍ଟ କରୁଥିଲେ ଜାଣିଛ ?

– ଓଃ ! କମ ଅନ ମଳୟ । କେତେ ଆଉଟ ଡେଟେଡ ଥଟ ତମର ? ଆଚ୍ଛା ବାବା ହେଲା । ଏଇଥି ପାଇଁ କାଲି ରାତିରେ ମତେ ଦେଖା ନକରି ଚାଲିଆସିଲ ? ମତେ ସମସ୍ତେ ସେଇ ଡ୍ୟାନ୍ସ କରିବାକୁ ବାଧ୍ୟ କଲେ । ଯଦି ତମକୁ ଭଲ ଲାଗିଲା ନାହିଁ, ମୁଁ ଆଉ କେବେ କରିବିନି । ଏଥର ଖୁସି ତ ?

XXXXXXXXXXXXXXXXXXXXXXXXXXXXX

ମଳୟର ଭାଇଭା ଟେଷ୍ଟ ଦିନ ପାଖେଇ ଆସୁଛି । ମାଳିନୀ କୁ ଲାଗୁଛି ଯେମିତି ମଳୟ ନୁହେଁ, ସେ ନିଜେ ଇଣ୍ଟରଭିୟୁ ପାଇଁ ପ୍ରିପେୟର ହଉଛି । ତା’ର ବ୍ୟସ୍ତତା ବଢି ବଢି ଚାଲିଛି । ଆଜିକାଲି ସେ ମଳୟ କୁ ବେଶୀ ସମୟ ଦେଉଛି । କେଉଁଠି ତା’ର ଭୁଲ ରହୁଛି, ତାକୁ ବାରମ୍ବାର ଜଣାଉଛି । ତାକୁ କନଫିଡେଣ୍ଟ ହେବା ପାଇଁ ଟିପ୍ସ ବତାଉଛି ।

– ମଳୟ ! ଚାଲ, ଆଜି ଗୋଟେ ବଢିଆ ଜାଗାକୁ ଯିବା । ତମର ଇଣ୍ଟରଭିୟୁ ଆଉ ଅଳ୍ପ ଦିନ ରହିଲା । ବେଶୀ ସିରିୟସ ହେଲେ ମାଇଣ୍ଡ ପଜଲ ହବ । ଘେରାଏ ବୁଲି ଆସିଲେ ଭଲ ଲାଗିବ ।

ମାଳିନୀ ମଳୟ କୁ ନେଇ ଗଡଗଡିଆ ଘାଟ ପାଖକୁ ଯାଉଛି । ଗଡଗଡେଶ୍ଵର ମନ୍ଦିର ଭିତରକୁ ଯାଇ ମୁଣ୍ଡିଆ ମାରୁଛି । ମଳୟ ସେମିତି ତା’ ପାଖରେ ଠିଆ ହେଇଛି ।

– ହେଃ ! ଏଇଠି ମୁଣ୍ଡିଆ ମାର, ଏମିତି ଖୁଣ୍ଟ ଭଳି ଠିଆ ହେଇଚ କଣ ?

ବାଧ୍ୟ ପିଲାଙ୍କ ଭଳି ସାଷ୍ଟାଙ୍ଗ ପ୍ରଣିପାତ ହଉଛି ମଳୟ ।

– ଠାକୁରଙ୍କୁ କଣ ମାଗିଲ ?

ମାଳିନୀ ପ୍ରଶ୍ନର କିଛି ସଠିକ ଉତ୍ତର ଦେଇପାରୁନି ମଳୟ

– ମୁଁ କିନ୍ତୁ ତମର ଏଇଥର ସିଡିଏସ ହେଇଯିବାପାଇଁ ପ୍ରାର୍ଥନା କରିଛି ।

ଆନନ୍ଦରେ ଆଜି ଉଛୁଳି ଉଠୁଛି ମାଳିନୀ । ମଳୟକୁ ସାଙ୍ଗରେ ନେଇ ବାରବାଟୀ ପାଖକୁ ଯାଉଛି । ବାରବାଟୀ ପାଖରେ ପାଣିକୁ ଅଟକାଇ ରଖି ଏକ କୃତ୍ରିମ ହ୍ରଦ କରାଯାଇଛି । ସବୁଦିନ ଏଠି ପ୍ରେମୀଯୁଗଳ ଙ୍କର ଭିଡ । ଆଜି କିନ୍ତୁ କେହି ଦେଖାଯାଉନାହାନ୍ତି । ପାଞ୍ଚ, ଛଅ ଟି ବୋଟ ପାଣି ଉପରେ ଭାସୁଛି । ନିରୋଳା ଏଇ ଜାଗାଟି ମାଳିନୀର ପ୍ରିୟ । ବାପାଙ୍କ ସାଙ୍ଗରେ ସେ ଅନେକ ଥର ଏଠିକି ଆସିଛି । ହେଲେ ଆଜି କେମିତି ଏ ଜାଗା ଟା ନୂଆ ନୂଆ ଲାଗୁଛି । ଦେହ ଭିତରେ ଯେମିତି ଶିହରଣ ଖେଳିଯାଉଛି । ରୋମାଞ୍ଚିତ ହେଇ ଉଠୁଛି ମନ । ମଳୟ ତା’ ହାତ ଧରି ବୋଟ ଉପରକୁ ଉଠାଇବା ବେଳକୁ ତା’ର ସାରା ଶରୀର ରେ ଯେମିତି ତଡିତ ପ୍ରବାହ ଖେଳିଯାଉଛି । ନିଜକୁ ଆୟତ୍ତ କରିପାରୁନି ସେ । ବୋଟ ରେ ପାଖାପାଖି ବସିଛନ୍ତି ଦୁଇ ଜଣ । ପେଡାଲିଙ୍ଗ ରେ ବୋଟ ଟି ଭାସି ଚାଲିଛି ପାଣି ଉପରେ ହଂସ ଟିଏ ଭଳି । ମାଳିନୀ କଥା ଆରମ୍ଭ କରୁଛି ।

– ଆଚ୍ଛା ମଳୟ ! ତମର ଡିଫେନସ ସର୍ଭିସ ପାଇଁ ଏତେ ୱିକନେସ କାହିଁକି ?

– ମୁଁ ଯେତେବେଳେ ନିଜର ଭବିଷ୍ୟତ କଥା ଭାବିଛି, ସେତେବେଳେ ନିଜକୁ ମିଲିଟାରୀ ୟୁନିଫର୍ମ ରେ ହିଁ ଦେଖିଛି । ମତେ ମିଲିଟାରୀ ପରସୋନେଲ ଭଲ ଲାଗନ୍ତି । କିନ୍ତୁ ମୋ ମା’ର ବିଲକୁଲ ଇଚ୍ଛା ନାହିଁ । ତା’ର ଏକ ମାତ୍ର ପୁଅ କାଳେ ଶହୀଦ ହେଇଯିବ, ସେଥିପାଇଁ ତାର ଭୀଷଣ ଭୟ ।

ମାଳିନୀ ଅଜାଣତରେ ମଳୟ ପାଟିରେ ହାତ ଦେଇ ତାକୁ ଚୁପ କରାଉଛି । ପରେ ପ୍ରକୃତିସ୍ଥ ହୋଇ ହାତ କାଢି ଆଣୁଛି , କେତେ ବଡ କଥା କହୁଛି ମଳୟ ! ଦୀର୍ଘଶ୍ଵାସ ନେଇ କଥାର ମୋଡ ବଦଳଉଛି ସେ ।

– ମୋର କିନ୍ତୁ ଜାଭିୟର ଇନଷ୍ଟିଟ୍ୟୁଟ ରେ ମ୍ୟାନେଜମେଣ୍ଟ ପଢିବା ସବୁଠାରୁ ବଡ ଆକାଂକ୍ଷା । ମୋ ବାପା, ମା, ଉଭୟ ଏଇଠି ରେଭେନ୍ସାରେ ପଢୁଥିଲେ ଇଙ୍ଗ୍ଲିଶ ଡିପାର୍ଟମେଣ୍ଟରେ । ଜାଣିଛ ! ଏବେ ମଧ୍ୟ ସେମାନେ ମୋ ପାଖକୁ ଆସିଲେ କେମିତି ନଷ୍ଟାଲଜିକ ହେଇପଡନ୍ତି ,ତାଙ୍କ ପୁରୁଣା ଦିନ କଥା ମୋ ଆଗରେ ବଖାଣନ୍ତି । ଖାଲି ମା’ର ଇଚ୍ଛାକୁ ଭାଙ୍ଗି ନପାରି ମୁଁ ଏଠି ପଢିବାପାଇଁ ଆସିଲି । ଆସିଲାବେଳେ ପ୍ରଥମେ ମତେ ଭୀଷଣ ବିରକ୍ତ ଲାଗୁଥିଲା । ଏବେ କିନ୍ତୁ ଭାବୁଛି, ମୁଁ ଯଦି ଏଠି ପଢି ନଥାନ୍ତି, ତୁମେ ହୁଏତ ମୋ ଜୀବନରେ ଆସିନଥାନ୍ତ । କେମିତି ଇମୋସନାଲ ହେଇପଡୁଛି ମାଳିନୀ ।

– ସନ୍ଧ୍ୟା ହେଲାଣି , ଚାଲ ଯିବା ।

ମଳୟ କଥାରେ ସଂବିତ ଫେରିପାଉଛି ସେ ।

XXXXXXXXXXXXXXXXXXXXXXXXXXXXX

ଆଜି ସକାଳୁ ମାଳିନୀର ମନ ଭଲ ଲାଗୁନି । ମଳୟର ଦିନ ୧୨.୩୦ ରେ ଟ୍ରେନ ଅଛି । ଇଣ୍ଟରଭିୟୁ ପାଇଁ ପ୍ରୟାଗରାଜ (ଆଲ୍ହାବାଦ) ଯିବ । ଏଇ ସାତ/ଆଠ ଦିନ ସେ ତା’ ବିନା କେମିତି ବିତେଇବ ? ଏବେ ମଳୟ ତା’ ଜୀବନରେ ଏମିତି ଅପରିହାର୍ଯ ହୋଇପଡିଛି ଯେ ଦିନେ ନ ଦେଖିଲେ ସେ ପାଗଳ ହେଇଯାଉଛି । ତାକୁ ଟ୍ରେନରେ ଛାଡି ସେ ଏକା ଏକା କେମିତି ହଷ୍ଟେଲ ଫେରିବ ? ଏଗାରଟା ତିରିଶ ବାଜିଲାଣି । ତରତର ହେଇ ଚୁନ୍ନିରେ ପିନ ଲଗାଇ ହଷ୍ଟେଲ ଗେଟ ବାହାରକୁ ଆସିଲା ସେ । ଗେଟର ବାଁ ପଟରୁ ଏକୁଟିଆ ଆସୁଛି ମଳୟ । । କେହି ସାଙ୍ଗ ନାହାନ୍ତି । ସମସ୍ତେ କ୍ଳାସ କରିବା ପାଇଁ ଯାଇଛନ୍ତି । ମାଳିନୀର କିନ୍ତୁ ଆଜି କ୍ଳାସ ବନ୍ଦ । ମଳୟକୁ ସେ ତାଗିଦ କରୁଛି- ସବୁ ଠିକ୍‌ ଠିକ୍‌ ସଜାଡି ଆଣିଛ ତ ? ଟ୍ରେନ ଟିକେଟ ଆଣିଚ ନା ଛାଡି ଆସିଛ ? ମଳୟ ତା’ର ଅଭିଭାବକପଣିଆ ରେ ମୁରୁକି ହସୁଛି ।

ଛାତି ଭିତରଟା କେମିତି କୋରି ହେଲାଭଳି ଲାଗୁଛି । ମଳୟର ମୁହଁ ମଧ୍ୟ ଶୁଖିଲା ଦିଶୁଛି । ପ୍ଲାଟଫର୍ମରେ ପଡିଥିବା ଚେୟାର ଉପରେ ଦୁଇଜଣ ବସୁଛନ୍ତି । କାହା ପାଟିରେ ଯେମିତି ଭାଷା ନାହିଁ । କେହି କାହା ମୁହଁ କୁ ଚାହିଁ ପାରୁନାହାନ୍ତି । ନୀଳାଚଳ ଏକ୍ସପ୍ରେସ ଏକ ନମ୍ବର ପ୍ଲାଟଫର୍ମ ରେ ଲାଗୁଛି । ମଳୟ ତା’ ଚେୟାର ରୁ ଉଠୁଛି । ମାଳିନୀ ମଧ୍ୟ ଉଠି ଠିଆ ହଉଛି । ମଳୟ ତା’ ସିଟ ଖୋଜି ଟ୍ରେନ ଭିତରେ ବସୁଛି । ଟ୍ରେନ ର ବାହାର ପାଖରେ ରହିଯାଉଛି ମାଳିନୀ । ଟ୍ରେନ ଝରକାର ରେଲିଙ୍ଗ ରେ ହାତ ରଖୁଛି । ତା’ ହାତ ଉପରେ ମଳୟ ର ହାତ । ମଳୟର ହାତ ତା’କୁ ବରଫ ଭଳି ଥଣ୍ଡା ଲାଗୁଛି । ତା’ର ମୁହଁ କୁ ଏତେ ସମୟ ପରେ ଚାହୁଁଚି ସେ ।

– ମଳୟ ! ଡୋଣ୍ଟ ବି ଇମୋସନାଲ୍‌ । କ୍ୟାଣ୍ଡିଡ୍‌ଲି ସବୁ କୋସଚିନ କୁ ଫେସ୍‌ କରିବ । ଜି.ଡି.ରେ କନଫିଡେଣ୍ଟ୍‌ଲି ନିଜ ଆରଗ୍ୟୁମେଣ୍ଟ୍‌ ଉପରେ ଷ୍ଟିକ୍‌ କରିବ । ଆଇ ୱାଣ୍ଟ ୟୁ ଟୁ କମ ଆଉଟ ସକସେସଫୁଲି ।

ମଳୟ ଆଖିରେ ଲୁହ । ମାଳିନୀ ନିଜକୁ ସମ୍ଭାଳି ପାରୁନି । ଟ୍ରେନ ଛାଡିବାର ହୁଇସିଲ ଶୁଣାଯାଉଛି । ମାଳିନୀକୁ ଏକା ପ୍ଲାଟଫର୍ମରେ ଛାଡିଦେଇ ମଳୟ ଦୂରେଇ ଯାଉଛି । ପଛରେ ରହିଯାଉଛି ସେ । ଆଖିରୁ ଦୁଇ ଟୋପା ଲୁହ ଆସି ତା’ ପାଦ ଉପରେ ପଡୁଛି । ଛି ! ଏ କଣ ? ତା’ ଆଖିରେ ଲୁହ ?? ମାଳିନୀ ଦାସ କେବେ ଇମୋସନାଲ ହେଇନପାରେ । ସେ ସବୁବେଳେ ପ୍ରାକ୍ଟିକାଲ । ନିଜେ ନିଜକୁ ବୁଝାଉଛି ସେ ।

ରୁମ କୁ ଫେରି ଆସୁଛି ମାଳିନୀ । ତା’ର ଅତି ପ୍ରିୟ ଝରକା ପାଖରେ ଅନାଇ ବସୁଛି । ପ୍ରତିଦିନ ଭଳି ମଳୟ କୁ ଅପେକ୍ଷା କରି ତା’ ବାଟକୁ ଚାହିଁରହୁଛି । ଆଜି କିନ୍ତୁ ସେ ଆସିବ ନାହିଁ । ଅଞ୍ଜଳି ବାହାରେ ବୁଲି ଆସିବା ପାଇଁ ଡାକୁଛି । ମନ ଭଲ ନାହିଁ କହି ତା’ କଥାକୁ ଏଡାଇ ଯାଉଛି ସେ । ଅଞ୍ଜଳି ଚୁପଚାପ ଚାଲିଯାଉଚି ।

ମଳୟ ଯିବାର ଦଶ ଦିନ ବିତି ଗଲାଣି । ମାଳିନୀର ଅସ୍ଥିରତାର ସୀମା ନହିଁ । ମଳୟ ତ ଅତି ବେଶୀରେ ସାତ ଆଠ ଦିନ ଭିତରେ ଫେରି ଆସିବା କଥା । ସିଏ କଣ ଫେରିନି ? ଆଶଙ୍କାରେ ଛଟପଟ ହେଉଛି ତା’ର ମନ ? ଅଞ୍ଜଳି ଏଇ ଭିତରେ ଏମ. ସି. ଏ. ଏଣ୍ଟରାନ୍ସ ପାଇଁ କଲିକତା ଯାଇଛି । ହଷ୍ଟେଲ ରେ ବୁଝି ଆସିବ କି ମଳୟର ଖବର ? ସେ ଜେଣ୍ଟ୍ସ ହଷ୍ଟେଲକୁ ଆଜିଯାଏ କେବେହେଲେ ଯାଇନି । ମଳୟ ତାକୁ ସବୁବେଳେ ମନା କରିଛି । ଆଜି କିନ୍ତୁ ମଳୟର କଥାକୁ ତା’ର ଖାତିର ନାହିଁ । ଜେଣ୍ଟ୍ସ ହଷ୍ଟେଲ ଆଗରେ ସେ ଠିଆ ହେଉଛି । ପାଞ୍ଚ ଛ ଜଣ ପିଲା ତାକୁ ବଡ ବଡ ଆଖିରେ ଅନେଇଛନ୍ତି ।

– ଇଡିଅଟ ସବୁ କୋଉଠିକାର । ଝିଅ ଦେଖିନାହାନ୍ତି ନା କଣ ? ମନକୁ ମନ କହୁଛି ମାଳିନୀ

ହଷ୍ଟେଲ ଭିତରୁ ମଳୟର ସାଙ୍ଗ ସମ୍ବିତକୁ ଦେଖି ଟିକିଏ ଆଶ୍ଵସ୍ତ ହେଉଛି ସେ ।

– ମଳୟ କଣ ଫେରିନି ?

– ହଁ, ସେ ଦୁଇ ଦିନ ହେଲା ଫେରିଲାଣି । ମୋର କିନ୍ତୁ ତା’ ସହିତ ଦେଖାହେଇନି । ଏବେ ସେ ରୁମ୍‌ରେ ଥିବ ।

ସଂବିତ ଠାରୁ ରୁମ ନମ୍ବର ବୁଝିନେଇ ଏକ ନିଶ୍ଵାସରେ ସିଡି ଉଠିଯାଉଛି ସେ । ମଳୟ ରୁମ୍‌ର କବାଟ ଆଉଜା ହେଇଛି। ମାଳିନୀର ଧକ୍କା ରେ ତାହା ଖୋଲିଯାଉଛି । ତାକୁ ଦେଖି ହାତବମ୍ବ ହେଇଯାଉଛି ମଳୟ ।

– ମଳୟ ! ତମେ ଦୁଇ ଦିନ ହେଲାଣି ଆସିଲଣି ? ମତେ ଦେଖା କରିବାକୁ ଯାଇନାହଁ କାହିଁକି ?

ମଳୟ ପାଟିର ଭାଷା ହଜିଯାଇଛି । ଲୁହ ଡବଡବ ତା’ର ଆଖି । ଥରଥର ଗଳାରେ ସେ କହୁଛି: ମୁଁ ତମକୁ ଫେସ୍‌ କରିପାରିବି ନାହିଁ । ତା ଆଖିରେ ଲୁହର ବନ୍ୟା । ସେ ପୁଣି କହୁଛି- ଜାଣିଛ, ମୁଁ ସବୁ ଇଭେନ୍ଟ ରେ ସକସେସଫୁଲ ହେଲି । ଜିଡି ରେ ମୋର ସବୁଠାରୁ ଭଲ ପରଫରମାନ୍ସ ଥିଲା । କିନ୍ତୁ ଫିଜିକାଲ ଫିଟ୍‌ନେସ ଯୋଗୁଁ କଟିଯାଇଛି ।

ମାଳିନୀର ମୁଣ୍ଡ ଉପରେ ଯେମିତି ବଜ୍ର ପଡିଯାଉଛି । ତାକୁ ଲାଗୁଛି ଯେମିତି ମଳୟ ନୁହେଁ, ସେ ନିଜେ ହାରିଯାଇଛି । ସତରେ ! ସେ ମଳୟର ଫିଜିକାଲ ଫିଟ୍‌ନେସ ଉପରେ କେବେହେଲେ ନଜର ଦେଇନି । ମଳୟର ଇଣ୍ଟରଭିୟୁ ପାଇଁ ସେ ନିଜର ମ୍ୟାନେଜମେଣ୍ଟ ଏଣ୍ଟରାନ୍ସ କୁ ମଧ୍ୟ ସମୟ ଦେଇପାରିନି । ମନଦୁଃଖରେ ତା’ର ଭିତର ଭାଙ୍ଗିରୁଜି ଯାଉଛି । ତଥାପି ମଳୟକୁ ସେ ଦମ୍ଭ ଦେଉଛି ।

– ଡୋଣ୍ଟ ୱରି ମଳୟ ! ଲେଟ୍ସ ଟ୍ରାଇ ୱାନ୍ସ ଏଗେନ୍‌ ସିରିୟସଲି ।

ତା’ପରେ

 

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top