ଅଣୁଗଳ୍ପ

ଅଫେରା ଫଗୁଣ

Anusuya Jena's odia short story Aphera Phaguna

ମଳୟ ପାଇଁ ତା’ ମନରେ ଏତେ ଦୁର୍ବଳତା ଥାଇ ମଧ୍ୟ ସେ କେମିତି ମୟଙ୍କଙ୍କୁ କହିପାରିଲା “ୟୁ ଆର ଦ ଫାଷ୍ଟ ଆଣ୍ଡ ଲାଷ୍ଟ ପରସନ ଇନ ମାଇଁ ଲାଇଫ“

ଅଫେରା ଫଗୁଣ

ପୂର୍ବରୁ

ସେପ୍ଟେମ୍ବର ମାସ । ଦଳଦଳ ନୂଆ ମୁହଁରେ କଲେଜ କ୍ୟାମ୍ପସ ନାହିଁ ନଥିବା ଭିଡ । କାଲି ପର୍ଯ୍ୟନ୍ତ ଥିବା ଅନେକ ପୁରୁଣା ମୁହଁ ଅପସରି ଯାଇଛନ୍ତି ଗଡି ଯାଉଥିବା ସମୟରେ ଆହ୍ଵାନରେ । ଦେଢ ଶତାବ୍ଦୀରୁ ଊର୍ଦ୍ଧ୍ଵ ବୟସ୍କ ଅଟ୍ଟାଳିକା ନୂତନ ଅତିଥି ମାନଙ୍କୁ ସ୍ଵାଗତ ଜଣାଉଛି । ବିଦାୟ ଜଣାଉଛି କାଲି ପର୍ଯ୍ୟନ୍ତ ମାଟି, ଗୋଡି, ରାସ୍ତା, ଶ୍ରେଣୀ ବିଭାଗ ଆଦିକୁ ଦୁଇ ବର୍ଷ ଆପଣାଇ ନେଇ ସ୍ମୃତି, ଅନୁଭୂତିକୁ ସାଉଁଟି, ସାଙ୍ଗରେ ନେଇ, ନୂଆ ସ୍ଵପ୍ନରେ ବିଭୋର ହେବାପାଇଁ ରାସ୍ତା ଖୋଜୁଥିବା ପଥିକ ମାନଙ୍କୁ । ଏଇତ ଜୀବନ !!

ରୁମ ବାହାରକୁ ଭିତରକୁ ଆସୁଛି ଅଞ୍ଜଳି । ତା’ ମୁହଁ ରେ ଖୁସିର ଲହରୀ ।

– ହାଏ ମାଳିନୀ !! ତୋ ପାଇଁ ଦୁଇଟା ଗୁଡ ନିଉଜ ଅଛି ।

ମାଳିନୀ କ୍ଳାସ ଯିବାପାଇଁ ତରତର ହେଇ ବାହାରୁଛି । – କଣ ଶୀଘ୍ର କହ । ମୋର କ୍ଳାସ ଲେଟ ହବ ।

– ମୁଁ ଏମସିଏ ଭଲ ରାଙ୍କ ରେ ପାଇଛି । ଆଉ ଆର ଖୁସ ଖବର ହେଲା ମଳୟ ର ସାନ ଭଉଣୀ ସୁରଭି ଏଠିକି ପଢିବାକୁ ଆସୁଛି । ଆଜି ମଳୟ ମତେ ଜଣାଇଲା ।
ମାଳିନୀ ଖୁସିରେ ଅଞ୍ଜଳିକୁ କୁଣ୍ଢାଇପକାଉଛି ।

କନଗ୍ରାଟ୍ସ, !! ମୁଁ ଜାଣିଥିଲି, ତୁ ନିଶ୍ଚୟ ଏଥର ଭଲ ରାଙ୍କରେ ରହିବୁ ।

ଦିନ ପାଣି ଭଳି ବହି ଚାଲିଛି । ଅଞ୍ଜଳି ମାଳିନୀ କୁ ଏକା ଛାଡି ଗଲା ପରେ ମାଳିନୀ ର ଇଚ୍ଛାରେ ସେ ସ୍ଥାନ ନେଇଛି ସୁରଭି । କଲେଜ ଯିବା ସମୟ ବ୍ୟତୀତ କେହି କାହାକୁ ମୁହୁର୍ତ୍ତେ ଛାଡି ପାରୁନାହାନ୍ତି । ସାନ ଭଉଣୀର ସ୍ନେହ କେମିତି, ଏବେ ନୂଆ ନୂଆ ଜାଣୁଛି ସେ । ସାନ ଭଉଣୀ ଉପରେ ମୁରବି ପଣିଆ ମଧ୍ୟ ଶିଖୁଛି ।

– ମାଳିନୀ, ତମେ ଆଜିକାଲି ମୋ ଅପେକ୍ଷା ଶୁଭୁକୁ ବେଶୀ ପ୍ରାୟୋରିଟି ଦେଉଛ !!

ମଳୟ ର ଅଭିମାନ ଭରା ଅଭିଯୋଗ ରେ ମୁରୁକି ହସୁଛି ସେ ।

– ଦେଲେ ଅସୁବିଧା କଣ ହେଲା ? ତମ ସାନ ଭଉଣୀ ମୋର କଣ କେହି ନୁହେଁ ?

ମଳୟ ପାଟିରେ ଏ ପ୍ରଶ୍ନ ର ଉତ୍ତର ନହିଁ ।

– ତମେ ଠିକ୍‌ରେ ଖିଆପିଆ କରୁଛ ତ ମଳୟ ? କଲେଜ ଛକ ରାସ୍ତାରେ ଚାଲୁ ଚାଲୁ ପ୍ରଶ୍ନ କଲା ମାଳିନୀ । ଏଥର ଯେମିତି କୌଣସି ଚାନ୍ସ ମିସ୍‌ କରିବ ନାହିଁ । ତମର ଓଜନ କିଛି ପାଉଣ୍ଡ ବଢିବା ନିହାତି ଦରକାର । ସବୁଦିନ ସକାଳେ ଗଜାମୁଗ ସହିତ ଗୁଡ ମିଶାଇ ଖାଉଛ କି ନାହିଁ ? ମୁଁ ଜାଣେ ପରା ! ତମେ ନିଜକୁ ନେଇ ବିଲକୁଲ ସିରିୟସ ନୁହେଁ । ଏମିତି ହେଲେ ଜୀବନରେ ବହୁତ କିଛି ହରାଇ ବସିବ ମଳୟ ! ଦୀର୍ଘଶ୍ଵାସ ଛାଡି କହୁଛି ମାଳିନୀ ।

– ଆଚ୍ଛା ବାବା ହେଲା । ତମ କଥା ମାନିବି । ଦେଖିବ, ଏଥର ଇଣ୍ଟରଭିୟୁ ପାଇଁ ଗଲା ବେଳକୁ କେମିତି ଚେହେରା ହେଇଥିବ । ତମେ ନିଜେ ମଧ୍ୟ ଚିହ୍ନି ପାରିବନି ।

ସୁରଭିର ସବୁବେଳେ ପ୍ରଶ୍ନ- ମାଳିନୀ ଅପା ! ତମେ ଭାଇ ପାଇଁ ଏତେ ସମୟ କାହିଁକି ନଷ୍ଟ କରୁଛ ? ତମ ନିଜର ତ ପୁଣି କ୍ୟାରିୟର ଅଛି ? ସୁରଭିର ମୁଣ୍ଡରେ ହାତ ମାରି ମାଳିନୀ କହେ – ତୁ ସେସବୁ ବୁଝି ପାରିବୁନି । ମନେ ମନେ ହସେ ସୁରଭି । ସେ ବୁଝୁନି ତ ଆଉ ବୁଝୁଛି କିଏ ? ନିଜ ଭାଇ ପାଇଁ ତା’ ନିଜର ଯେତିକି ଉତ୍ସାହ କି ଉତ୍ସକତା ନାହିଁ, ତା’ ଠାରୁ ଶହେ ଗୁଣ ଅଧିକ ଏଇ ମାଳିନୀ ଅପାର । ମାଳିନୀ ଅପା, ଭାଇର ଜୀବନ ସାଥି ହେଲେ କେମିତି ହୁଅନ୍ତା ? କଳ୍ପନା ର ତାଜମହଲ ଗଢେ ସୁରଭି ।

-xxx-

ମାର୍ଚ୍ଚ ମାସ । ମାଳିନୀ ପାଖରେ ଆଉ ସମୟ ନାହିଁ । ଯେମିତି ହେଲେ ଏଥର ମ୍ୟାନେଜମେଣ୍ଟ ଟେଷ୍ଟ ରେ ଭଲ କରିବାକୁ ପଡିବ । ନଚେତ ତା’ର ସ୍ୱପ୍ନ ଅଧା ରହିଯିବ। ମଳୟ ଇଣ୍ଟରଭିୟୁ ପାଇଁ ଯାଇଛି । ଗଲାବେଳେ ଅଯଥାରେ ତା’ ସହିତ ଝଗଡା କରି ଯାଇଛି । ଯାହାହେଉ, ମଳୟ ଏଥର ନିଶ୍ଚୟ ସିଲେକ୍ଟ ହବ, ମାଳିନୀ ମନରେ ପ୍ରତ୍ୟୟ ଆସୁଛି । ମଳୟ ଏଥର ବହୁତ କନଫିଡେଣ୍ଟ୍‌ ଦେଖାଯାଉଛି । ମଳୟର ସଫଳତା ପାଇଁ ସେ ବାରମ୍ବାର ମା’ କଟକ ଚଣ୍ଡୀଙ୍କୁ ପ୍ରାର୍ଥନା କରୁଛି । ମଳୟ ଫେରିବା ଦିନ ଯେତିକି ପାଖେଇ ଆସୁଛି, ତା’ର ଉତ୍କଣ୍ଠା ସେତିକି ବଢିଚାଲିଛି ।

ଆଜି ରବିବାର । ସୁରଭି ଘରକୁ ଯାଇଛି । ଝରକା ପାଖରେ ଚେୟାର ପକାଇ ମାଳିନୀ ବଡ ପାଟି କରି ବହି ପଢୁଛି । ପଢା ରେ ଆଜି ତା’ର ମନ ନାହିଁ । ମନେ ମନେ ଚୁପ୍‌ ହେଇ ପଢିଲେ ମଳୟର ଭାବନା ଗୁଡାକ ତା’ ଉପରେ ମାଡି ବସୁଛନ୍ତି । ତା’ ଇଚ୍ଛା ହଉଛି , ମଳୟ ଏଇନେ ଆସି ପହଞ୍ଚି ଯାଆନ୍ତା କି !!

– ମାଳିନୀ ଦାସ, ଭିଜିଟର ।

ଆଟେଣ୍ଡାଣ୍ଟ ନାନୀର ପାଟିରେ ତରତର ହେଇ ସିଡି ପାହାଚ ଡେଇଁ ଗେଟ ପାଖରେ ପହଞ୍ଚିବାପାଇଁ ତାକୁ କେଇ ସେକେଣ୍ଡ ଲାଗିନି । ଗେଟ୍‌ ପାଖରେ ନିଜ ପରିଚିତ କାହାକୁ ନଦେଖି ବିରକ୍ତ ହେଉଛି ସେ । ହଠାତ୍‌ ତା’ ପିଠି ରେ କାହାର ମୃଦୁ ସ୍ପର୍ଶ ଅନୁଭବ କରୁଛି । ପଛ କୁ ବୁଲି ଚାହେଁ ତ ହସୁଛି ମଳୟ । ବଡ ବଡ ଆୟତକରା ଆଖି ଦୁଇଟି ତା’ର ବିସ୍ଫାରିତ ହେଇଯାଉଛି ।

– ମଳୟ ! ତମେ କେବେ ଆସିଲ? ଇଣ୍ଟରଭିୟୁ କେମିତି ହେଲା ? କିଛି ଅସୁବିଧା ହେଇନି ତ ? ସରି !! ତମେ ଯିବା ଦିନ ଅଯଥାରେ ଗୁଡାଏ ଝଗଡା କରିଥିଲି । ଏକ ନିଃଶ୍ଵାସ ରେ କଥା ତକ ସାରି ଟିକିଏ ଦମ ନେଲା ସେ ।

ମଳୟ ଓଠ ରେ ସେମିତି ହସର ଧାର ଲାଖି ରହିଛି । ଏ ଭିତରେ ସେ ଟିକିଏ ସ୍ଵାସ୍ଥ୍ୟବାନ ହେଇଯାଇଛି । ସେ ଏତେ ସ୍ମାର୍ଟ ଆଉ କନଫିଡେଣ୍ଟ୍‌ ଦେଖାଯାଉଛି ଯେ ମାଳିନୀ ତା’ର ମୁହଁ କୁ ଚାହିଁଲେ କେମିତି ଲାଜ ଲାଜ ଅନୁଭବ କରୁଛି । ମାଳିନୀର ଦୁଇ ହାତକୁ ଧରି ଖୁସିରେ ଚୁମାଟିଏ ଦେଇ ସେ କହିଲା- ମାଳିନୀ !! ମୁଁ ସି ଡି ଏସ ଭଲ ରାଙ୍କ ରେ ପାଇଛି । ତମର ବହୁମୂଲ୍ୟ ପରିଶ୍ରମ ସାର୍ଥକ ହେଇଛି । ଆଇ ଆମ ପ୍ରାଉଡ ଅଫ ୟୁ । ରିଅଲି !! ବିହାଇଣ୍ଡ ଏଭ୍ରି ସକସେସଫୁଲ ମ୍ୟାନ , ଦେୟାର ଇଜ ଏ ଉମ୍ୟାନ ।

ମାଳିନୀ ଖୁସିରେ ଆତ୍ମହରା । ତାର ଯେମିତି ଦୁଇଟି ଡେଣା ଲାଗିଯାଇଛି । ସାରା ପୃଥିବୀ ର ଖୁସି ଯେମିତି ତା’ ହାତ ରେ ଧରା ଦେଇଛି । ଓହୋ !! ଏଇ ମଳୟ ପାଇଁ ତା’ର ଯେତେକ ଚିନ୍ତା , ସବୁ ଦୂର ହେଇଗଲା । ଏଥର ସେ ସ୍ଥିର ନିଶ୍ଚିତ ହେଇ ମ୍ୟାନେଜମେଣ୍ଟ ପାଇଁ ପ୍ରିପେୟାର କରିପାରିବ ।

ମଳୟ ତାକୁ ହଲାଇ ଦେଇ କହୁଛି- ଏଇ ! କଣ ଏତେ ଭାବୁଛ ? ମୋ ହାତରେ ଆଉ ଜମା ପନ୍ଦର ଦିନ । ତା’ପରେ ମୁଁ ଟ୍ରେନିଂ ରେ ଡେରାଡୁନ ଚାଲିଯିବି । ଭାବିପାରୁନି, ସେଠି ତମ ବିନା କେମିତି ରହିବି । ତମର ଉପସ୍ଥିତି ପ୍ରତି ମୁହୁର୍ତ୍ତ ରେ ମୋ ପାଇଁ ଏତେ ଏସେନ୍ସିଆଲ ହେଇପଡିଛି ଯେ ତୁମ ବିନା ଜୀବନର କଳ୍ପନା ମଧ୍ୟ ମୁଁ କରିପାରୁନି । ମଳୟ ତା’ ମନର ସମସ୍ତ ଅଭିବ୍ୟକ୍ତି ସ୍ପଷ୍ଟ କରିଦେବା ପାଇଁ ଚାହୁଁଛି ।

ଏବେ ବିଚ୍ଛେଦର ଦିନ ପାଖେଇ ଆସୁଛି । ମଳୟ କେମିତି ବେଶୀ ବେଶୀ ଇମୋସନାଲ ହେଇପଡୁଛି । ମାଳିନୀକୁ ପୁଅମାନେ ଅତି ଇମୋସନାଲ ହେଲେ ଭଲ ଲାଗନ୍ତିନି ।

– ମଳୟ ! ଟ୍ରାଏ ଟୁ ବି ପ୍ରାକ୍ଟିକାଲ । ଆଇ ୱିଲ ୱେଟ ଫର ୟୁ ।

ମଳୟ କୁ ବିଦାୟ ଦେଲାବେଳେ ମାଳିନୀ ଏତିକି ମାତ୍ର କଥା ହିଁ କହିଛି ।

-xxx-

ମଳୟ ଯିବା ପରେ ନିଜକୁ ପାଠପଢାରେ ବୁଡେଇ ରଖୁଛି ମାଳିନୀ । ଏଥର ତାକୁ ଯେମିତି ହେଲେ ମଧ୍ୟ “XAT” ରେ ଭଲ ରାଙ୍କ ରଖିବାକୁ ହେବ । ନିଜର ସକସେସ୍‌ ନେଇ ସେ ଅତ୍ୟଧିକ ଆଶାବାଦୀ । ସେଇ ନିଶାରେ ସେ ଆଜିକାଲି ମଳୟର ଅଧିକାଂଶ ଚିଠିର ଉତ୍ତର ଦିଏନି । ଅବଶ୍ୟ କେବେକେବେ ତାକୁ ଗହଳି ଭିତରେ ମଧ୍ୟ ଏକୁଟିଆ ଲାଗେ । ଜୀବନ ଟା ଭାରି ନିଃସଙ୍ଗ ବୋଧ ହୁଏ । କଲେଜ ରୋଡ୍‌ ଫାଙ୍କା ଫାଙ୍କା ମନେ ହୁଏ । ମଳୟ ଯିବା ପର ଠାରୁ ସେ ଆଉ କେବେ ବି ରେଷ୍ଟୁରାଣ୍ଟ୍‌ ଯାଇନି ।

ସୁରଭି ଏବେ କିନ୍ତୁ ତା’ର ଭାରି ଯତ୍ନ ନିଏ । ଠିକ୍‌ ସମୟରେ ତାକୁ ନିଦରୁ ଉଠାଇବା, ଜଳଖିଆ ତିଆରି କରି ଖାଇବାକୁ ଦେବା ଓ ଅନ୍ୟାନ୍ୟ ଟିକିନିଖି ଖବର ସେ ଅତି ଆଗ୍ରହର ସହିତ ବୁଝେ । ଏଇ ଝିଅ ଟି ପାଇଁ ମାଳିନୀ ମନରେ ଅନେକ ସ୍ନେହ ଆଉ ଶ୍ରଦ୍ଧା । ଏକମାତ୍ର ସନ୍ତାନ ହିସାବରେ ବଢି ଆସିଥିବା ବାଲ୍ୟଜୀବନ, ସବୁ ଜିଦ ପୂରଣ କରୁଥିବା ବାପା’ମା, ପ୍ରିୟ ସାଥି ମଳୟ , ଏ ସମସ୍ତଙ୍କଠାରୁ ସୁରଭି ହିଁ ତାକୁ ସବୁଠାରୁ ଆପଣାର ମନେ ହୁଏ ।

କେବେକେବେ ପାଠ ପଢିବାର ମୁଡ ନଥିଲେ ସେ ସୁରଭି ସାଙ୍ଗରେ ଗପ ଯୋଡେ । ସୁରଭି ନିହାତି ସାଧାରଣ ଝିଅ ଟିଏ । ତା’ର ମାଳିନୀ ଭଳି ଉଚ୍ଚ ଆକାଂକ୍ଷା ନାହିଁ । ବାପା, ମା, ଭାଇ ଆଦି ସମସ୍ତଙ୍କ ପାଖରେ ଅତି ବାଧ୍ୟ ଏଇ ସୁରଭି ର ଫୁଲ ପରି କୋମଳ ନିଷ୍ପାପ ମୁହଁଟି ନିରେଖି ଦେଖିଲେ ମାଳିନୀ ର ସବୁ ଅବସାଦ ମେଣ୍ଟିଯାଏ । ଯେତେବେଳେ ସୁରଭି ତା’ର ପରିବାର ଆଉ ପିଲା ଦିନର ସ୍ମୃତିଚାରଣ କରେ, ମାଳିନୀ ତା’ ଜୀବନ ଆଉ ସୁରଭି ଜୀବନର ପାର୍ଥକ୍ୟ ତଉଲେ ।

ଯେଉଁ ଦିନ ମ୍ୟାନେଜମେଣ୍ଟ୍‌ ପଢିବା ପାଇଁ ସେ ହଷ୍ଟେଲ ଛାଡିଲା, ଅନେକ କାନ୍ଦିଥିଲା ସୁରଭି । ମାଳିନୀର ମନ କିନ୍ତୁ ଉଡୁଥିଲା ଜାଭିୟର ଇନଷ୍ଟିଚ୍ୟୁଟ୍‌ରେ । ଯଦିଓ ସୁରଭିକୁ ଛାଡି ଯାଉଥିବାରୁ ମନ ଭିତରଟା ଟିକିଏ ଘାଣ୍ଟି ଚକଟି ହଉଥିଲା, କିନ୍ତୁ ସୁରଭିର ଅତ୍ୟଧିକ ଭାବପ୍ରବଣତା ତାକୁ ବ୍ୟସ୍ତ କରିପକାଉଥିଲା ।

ଆଜିକାଲି ନୂଆ କ୍ୟାମ୍ପସ , ନୂଆ ହଷ୍ଟେଲ, ନୂଆ ପିଲା ଓ ନୂଆ ପରିବେଶ- ଏସବୁ ନୂତନତ୍ଵ ଭିତରେ ନିଜକୁ ସାମିଲ କରିବାପାଇଁ ପ୍ରସ୍ତୁତ ହେଉଥିଲା ମାଳିନୀ । ଏଠାରେ ରହୁଥିବା ସାଙ୍ଗ ଆଉ ତା’ର ପୁରୁଣା ରେଭେନ୍ସା ସାଙ୍ଗ ମାନଙ୍କ ଭିତରେ ଆକାଶ ପାତାଳର ପ୍ରଭେଦ। ସମସ୍ତେ କେମିତି ମେକାନିକାଲ, ଭାରି ଅପରଚୁନିଷ୍ଟ । ମାପିଚୁପି କଥାବାର୍ତ୍ତା କରନ୍ତି । କାମ ଥିଲେ ପିଛା ଛାଡିବେନି ଆଉ କାମ ସରିଗଲେ ଚିହ୍ନିବାପାଇଁ ମଧ୍ୟ ସେମାନଙ୍କର କୁଣ୍ଠାବୋଧ । ମାଳିନୀ କେବେକେବେ ଏଇ ପରିବେଶରେ ଅଣନିଃଶ୍ଵାସୀ ହୋଇଯାଏ । ପୁରୁଣା ସ୍ମୃତି ସବୁ ମନେ ପଡି ଆଖି ସଜଳ ହେଇଉଠେ । ରାତିରେ ଶୋଇବାବେଳେ ମଳୟର ମୁହଁ ଟା ମନେପଡେ । ଦେହ ସଙ୍ଗେ ସଙ୍ଗେ କେମିତି ଶୀତେଇ ଉଠେ । ମଳୟ ଏଇନେ କଣ କରୁଥିବ ? ନିଶ୍ଚୟ ତା’ କଥା ହିଁ ଭାବୁଥିବ । ଟ୍ରେନିଂ ଭାରି କଷ୍ଟ ବୋଲି ସେ ଅନେକ ଥର ତା’ ଚିଠିରେ ଲେଖିଛି । ମିଲିଟାରୀ ଡ୍ରେସ ରେ ମଳୟ କେମିତି ଦେଖାଯାଉଥିବ ? ମନେ ମନେ କଳ୍ପନା କରେ ସେ ।

ସୁରଭି ମଧ୍ୟ ଅନେକ ଚିଠି ଲେଖେ । ତା’ର ଚିଠି ର ଉତ୍ତର ଦେବା ପାଇଁ ଇଚ୍ଛା ଥିଲେ ମଧ୍ୟ ଷ୍ଟଡି ଟୁର, ସେମିନାର, ଫିଲ୍ଡ ପ୍ଲେସମେଣ୍ଟ ଆଦିରେ ଏତେ ସମୟ ଯାଏ ଯେ ନିଜ କଥା ଭାବିବା ଲାଗି ସେ ସମୟ ପଏନି । ମାଳିନୀକୁ ଲାଗେ ସେ ଯେମିତି ସମସ୍ତଙ୍କଠାରୁ ଦୂରେଇ ଯାଉଛି । ଏଇ ମେକାନିକାଲ ଲାଇଫ୍‌ର ଭିଡରେ ନିଜର ଅସ୍ତିତ୍ଵ ହରାଇ ବସୁଛି ।

ଆଜି ସକାଳେ ଅଞ୍ଜଳି କଲିକତାରୁ ତାକୁ ଫୋନ୍‌ କରିଛି । କିଛି ଗୁରୁତ୍ୱପୂର୍ଣ୍ଣ କାମରେ ତାକୁ ଭେଟିବାକୁ ଚାହୁଁଛି ବୋଲି କହୁଛି । ଦୁଇଦିନ ତଳେ ମଳୟ ଠାରୁ ପାଇଥିବା ଚିଠି ତାକୁ ବ୍ୟତିବ୍ୟସ୍ତ କରିପକାଇଛି । ମଳୟ , ମାଳିନୀକୁ ବାହା ହେବା ପାଇଁ ସିଧା ସଳଖ ସେ ଚିଠିରେ ପ୍ରସ୍ତାବ ରଖିଛି । ମାଳିନୀ କ’ଣ କରିବ କିଛି ବୁଝିପାରୁନି । ଅଞ୍ଜଳି ଆସିଲେ ତା’ ସହିତ କଥାବାର୍ତ୍ତା ହେଇ କିଛି ଚିନ୍ତା କରିବ ବୋଲି ଭାବୁଛି ।

ସାକ୍ଷାତ ରେ ଅଞ୍ଜଳି ତା’କୁ ସେହି ସମାନ ପ୍ରଶ୍ନ ହିଁ ପଚାରୁଛି । ମାଳିନୀ ! ତୋ’ର ମ୍ୟାନେଜମେଣ୍ଟ ପଢା ସରିଲେ ତୁ ମଳୟ କୁ ବାହା ହବୁ ତ ? ଅଞ୍ଜଳି ର ପ୍ରଶ୍ନରେ ସେ ଆଶ୍ଚର୍ଯ୍ୟ ହେଇପଡୁଛି ।

-ଅଞ୍ଜଳି, ଦେଖ ! ମୁଁ ମାନୁଛି ମଳୟ ମତେ ଭଲ ଲାଗେ । ବଟ ଆଇ ହାଭ ନେଭର ଥଟ ବିୟଣ୍ଡ ଦ୍ୟାଟ । ମଳୟ କୁ ମୁଁ କେବେହେଲେ ମୋର ସ୍ଵାମୀର ଆସନରେ ଦେଖିନି । ସେ ମୋର ଜଣେ ଘନିଷ୍ଠ ସାଙ୍ଗ ଭିନ୍ନ ଆଉ କିଛି ନୁହେଁ ।

ମାଳିନୀ କଥାରେ ରାଗ ତମତମ ହେଇଯାଉଛି ଅଞ୍ଜଳି ।

-ମାଳିନୀ, ତୁ କଣ କହୁଛୁ, ନିଜେ ବୁଝୁଛୁ ତ?? ମଳୟ ସାଙ୍ଗରେ ତୋର ଘଣ୍ଟା ଘଣ୍ଟା ଗପିବା, ସାଙ୍ଗ ହୋଇ ବୁଲିବା, ତା’ର ପଢା ପାଇଁ ଏତେ ଯତ୍ନ ନେବା, ତାକୁ ନେଇ ଏତେ ପଜେସିଭ ହେବା, ସବୁ ରାଗ, ଅଭିମାନ ତା’ଉପରେ ଶୁଝାଇବା ଇତ୍ୟାଦିକୁ ତୁ ଖାଲି ବନ୍ଧୁତାର ନାମ ଦେବାକୁ ଚାହୁଁଚୁ । ଏତେ ଦୂର ରେ ଥାଇ ଗୋଟିଏ ନିରୀହ, ନିଷ୍ପାପ ମନର ଭଲପାଇବା ଆଉ ସେଇ ଭଲ ପାଇବାକୁ ନେଇ ଗଢିଉଠୁଥିବା ରଙ୍ଗୀନ, ମଧୁର ସ୍ଵପ୍ନକୁ ତୁ’ ଏମିତି ଚୁରମାର କରି ଭାଙ୍ଗିଦେଏନା । ପ୍ଳିଜ !! ମଳୟ ମନରେ ହତାଶା ଭରି ଦେଇ ତୁ କେବେ ଶାନ୍ତି ରେ ରହିପାରିବୁନି । ରାଗରେ ଅଞ୍ଜଳିର ଆଖି ଲୁହ ଛଳଛଳ ହେଇପଡୁଛି ।

ମାଳିନୀ ପାଖରେ କିନ୍ତୁ ଆଜି ଏସବୁ ଭାବନାର କୌଣସି ମୂଲ୍ୟ ନାହିଁ । ତା’ର ବର୍ତ୍ତମାନର ସବୁ ସାଙ୍ଗମାନଙ୍କ ଭଳି ତାକୁ ମଧ୍ୟ ସଫଳତାର ସିଡି ଚଢିବାର ନିଶା କାବୁ କରିଛି, ଯେଉଁଠି ଇମୋସନାଲ ହେଲେ ଅନେକ କିଛି ହାତଛଡା କରିବାକୁ ହୁଏ ।

ମଳୟ, ଅଞ୍ଜଳି କଥାକୁ ନିଜ ଆଖିରେ ବିଶ୍ଵାସ କରିପାରୁନି । ସେଥିପାଇଁ ନିଜେ ମାଳିନୀ ପାଖକୁ ଧାଇଁ ଆସୁଛି । ମଳୟର ଆଗମନ ରେ ମାଳିନୀ ଖୁସିରେ ଅଧୀର । ଆତ୍ମହରା ହେଇ ସେ ମଳୟକୁ ନିଜର ସଫଳତାର କାହାଣୀ ଶୁଣାଉଛି । ଦୁଇଦିନ ପୂର୍ବରୁ ଆସିଥିବା କ୍ୟାମ୍ପସ ସିଲେକସନରେ ସେ ସିଲେକ୍ଟ ହେବାର ବିଷୟ ଗର୍ବର ସହିତ ଜଣାଉଛି । ଆର୍ଯ୍ୟା ସଲ୍ୟୁସନ ର ଏମ. ଡି. ମୟଙ୍କ ଚୌଧୁରୀ ନିଜେହିଁ ତାକୁ ସିଲେକ୍ଟ କରିଛନ୍ତି । କିନ୍ତୁ କ୍ୟାମ୍ପସ ସିଲେକ୍ଟ ହେଇନଥିବା ପିଲା ତା’ର ଟ୍ୟାଲେନ୍ଟ ଅପେକ୍ଷା ସୌନ୍ଦର୍ଯ୍ୟ କୁ ସଫଳତା ର କାରଣ କହୁଥିବା କଥା ସେ ମଳୟ ଆଗରେ ଅଭିଯୋଗ କରୁଛି । ମଳୟ, ମାଳିନୀ ର ସଫଳତାରେ ଖୁସିରେ ଗଦଗଦ ହେଇପଡୁଛି, କିନ୍ତୁ ଯେଉଁ କଥା କହିବା ପାଇଁ ସେ ତା’ ପାଖକୁ ଧାଇଁ ଆସିଥିଲା, ତାହା ତାକୁ କେମିତି ଫିକା ଫିକା ଲାଗୁଛି । ତା’ର ସ୍ଵପ୍ନର ନାୟିକା ତା’କୁ ଆଜି କେମିତି ଅଚିହ୍ନା ଅଚିହ୍ନା ମନେ ହେଉଚି । ରେଭେନ୍‌ସା କଲେଜରେ ଭେଟିଥିବା ମାଳିନୀ ଆଉ ଏଇ ମାଳିନୀ ଭିତରେ ଥିବା ଯୋଜନ ଯୋଜନର ଦୂରତାକୁ ସେ ମାପିବାକୁ ଚେଷ୍ଟା କରୁଛି । କେଉଁ ଏକ ଅନାହୂତ ପରାଜୟର ଆଶଙ୍କାରେ ତା’ର ଭିତର ଭାଙ୍ଗିରୁଜି ଖଣ୍ଡଖଣ୍ଡ ହେଇପଡୁଛି । ଥର ଥର ଗଳା ରେ ସେ କହୁଛି: ମାଳିନୀ, ତମର ଅନେକ ଇଚ୍ଛା ଥିଲା ନା ମତେ ମିଲିଟାରୀ ଡ୍ରେସ ରେ ଦେଖିବା ଲାଗି ? ଦେଖ, କହି ନିଜ ବ୍ୟାଗରୁ ଫୋଟୋ କାଢି ତାକୁ ବଢାଇ ଦେଉଛି । ମୋର ଟ୍ରେନିଂ ସରି ଯାଇଛି । ଫାଷ୍ଟ ପୋଷ୍ଟିଂ ଚଣ୍ଡିଗଡରେ ହେଇଛି ଲେଫ୍ଟନାଣ୍ଟ ଭାବରେ । ଆଶା କରୁଛି, ଏଇ ଖବର ରେ ତୁମେ ଖୁସି ହେବ ।

ଆଉ ବିଶେଷ କିଛି ନକହି ଚାଲି ଯାଉଛି ମଳୟ । ସେଇ ଶେଷ ଦେଖା ମାଳିନୀର ମଳୟ ସହିତ ।

-xxx-

ମାଳିନୀ ସେବେଠାରୁ ଆଉ ପଛକୁ ଫେରି ଚାହିଁନି । ସମୟ ଓ ନଈର ସୁଅ କେବେ ଅଟକି ରହେନି । ଆଗକୁ ଆଗକୁ ମାଡିଚାଲିବା ସେମାନଙ୍କର ଧର୍ମ । ଗଡି ଚାଲିଥିବା ଦିନ ସହିତ ତାଳ ଦେଇ ଗଡିଚାଲିଛି ମାଳିନୀର ଗତାନୁଗତିକ ଜୀବନର ଦୃଶ୍ୟପଟ୍ଟ । ଗତକାଲି ଆର୍ଯ୍ୟା ସଲ୍ୟୁସନ ର ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ ଦାୟିତ୍ତ୍ଵ ନେଇଥିବା ମାଳିନୀ ଦାସ ଆଜି ମିସେସ ମୟଙ୍କ ଚୌଧୁରୀ । କମ୍ପାନୀର ଅର୍ଦ୍ଧାଧିକ ଦାୟିତ୍ତ୍ଵର ବୋଝ ଏବେ ତା’ଉପରେ ନ୍ୟସ୍ତ । ଯେଉଁ ମୟଙ୍କ ଚୌଧୁରୀ ଭଳି ବ୍ୟକ୍ତିତ୍ଵ ତା’ର ଚିର ଈପ୍ସିତ ଜୀବନ ସାଥିର ପରିକଳ୍ପନାରେ ରହିଆସିଥିଲା, ବିବାହ ପରର ମୟଙ୍କ ଚୌଧୁରୀଙ୍କ ବ୍ୟକ୍ତିତ୍ଵରେ ତା’ର ଅନେକ ପରିବର୍ତ୍ତନର ଆଭାସ ସେ ପ୍ରତିଦିନ ପାଉଥିଲା । ସବୁ ବିଷୟରେ ନିଜର ସ୍ଵାମୀପଣିଆ ଜାହିର କରିବାରେ ଦିନେ ହେଲେ ହେଳା କରନ୍ତିନି ସେ । ସବୁବେଳେ ନିଜ ଜିଦ୍‌ରେ ଅଟଳ ରହୁଥିବା ମାଳିନୀ ଏଇ କେଇଟା ବର୍ଷ ଭିତରେ କେମିତି ଏତେ ସବମିସିଭ ହେଇଗଲା, ସେ ନିଜେ ମଧ୍ୟ ତା’ର ଉତ୍ତର ଖୋଜିପାଏନି ।

– ମାଳିନୀ ଅପା ! ସୁରଭି ର ଡାକ ରେ ପ୍ରକୃତିସ୍ଥ ହେଲା ମାଳିନୀ ।

– ତମେ କେତେବେଳୁ ଆସିଲାଣି ? ସେଇ କବାଟ ପାଖରେ କଣ ଠିଆ ହେଇଚ ? ଭିତରକୁ ଆସ କହି ତା’ ହାତ ଧରି ସୋଫା ଉପରେ ନେଇ ବସାଇଦେଲା ସୁରଭି । ମାଳିନୀର ପାଟିରେ କିଛି ସମୟ ପର୍ଯ୍ୟନ୍ତ ଭାଷା ସ୍ଫୁରିଲା ନାହିଁ । ଏକ ଅବ୍ୟକ୍ତ ବେଦନା ରେ ସେ ସୁରଭି ର ମୁହଁ କୁ ଚାହିଁଲା । କିଛି ସମୟ ପରେ ନିଜକୁ ସମ୍ଭାଳି ନେଇ ପଚାରିଲା: ଏ ସବୁ କଣ ଘଟିଗଲା ସୁଭୁ?

ଦୀର୍ଘଶ୍ଵାସ ନେଇ କଥା ଆରମ୍ଭ କଲା ସୁରଭି । ଯେଉଁ ଦିନ ତମ ବାହାଘର କାର୍ଡ ଭାଇ ପାଇଲା, ଅନେକ କାନ୍ଦିଥିଲା । ତା’ର ସେ ବୁକୁଫଟା ଦୁଃଖ ଦେଖିଲେ କେହି ହେଲେ ଧୈର୍ଯ୍ୟ ଧରିବେ ନାହିଁ । ମୋର ସେତେବେଳେ ତୁମ ଉପରେ ଭୀଷଣ ରାଗ ହେଇଥିଲା । ଅଞ୍ଜଳି ଅପା ଭାଇକୁ ଅନେକ ବୁଝାଇଥିଲେ । ଅନେକ ଦିନ ପର୍ଯ୍ୟନ୍ତ ସେ କେମିତି ଗୁମ୍‌ସୁମ ରହୁଥିଲା । ଛୁଟି ନ ସରିବା ଆଗରୁ ଚାଲିଯାଇଥିଲା । ଦ୍ଵିତୀୟ ଥର ଆସିଥିଲା ମୋର ବାହାଘର ସମୟରେ । ସେଇ ନିଜେ ମୋର ବାହାଘର ଠିକ କରିଥିଲା, ସମୀରଙ୍କ ସହିତ । ବୋଉର ଜିଦ୍‌ ଥିଲା ଆମ ଦୁଇଜଣଙ୍କର ଏକା ସଙ୍ଗେ ବାହାଘର କରିବାକୁ । ମୁଁ ମଧ୍ୟ ତାକୁ ଅନେକ ବୁଝାଇଥିଲି , ତମକୁ ମନରୁ ପୋଛି ଦେବାପାଇଁ । ସେ କଣ କହିଥିଲା ଜାଣିଛ ?

– ସୁଭୁ, ମୋ ଜୀବନରେ ମାଳିନୀ ଯେଉଁ ସ୍ଥାନ ନେଇଛି, ଆଉ କାହାକୁ ମୁଁ ସେଇ ସ୍ଥାନ ଦେଇପାରିବି ନାହିଁ । ମୁଁ ଏ ଜୀବନରେ ତା’ ଭିନ୍ନ ଅନ୍ୟ କାହାର ହେଇପାରିବିନି । ମୁଁ ହିପୋକ୍ରାଟ ନୁହେଁ । ମୁଁ କେବେହେଲେ କାହା ଆଗରେ ଭଲ ପାଇବାର ଛଳନା କରିପାରିବି ନାହିଁ । ଆଉ ଜଣଙ୍କର ଜୀବନ ମୋ ଭଳି ଧୂସର ହେଉ, ମୁଁ ଏହା କଦାପି ଚାହିଁବିନି ।
ଆଖି ପୋଛିଲା ସୁରଭି । ପୁଣି ଆରମ୍ଭ କଲା କଥା ।

– ମାଳିନୀ ଅପା !! ସେ କେବେ କାହା ମନରେ କଷ୍ଟ ଦେଇପାରେନି । ବାପା ,ବୋଉ ଙ୍କର ବାଧ୍ୟ ପୁଅଟିଏ ଥିଲା । ନିଜ ଯନ୍ତ୍ରଣା ର ଲୁହ ପିଇ , ବୋଉର ନୀତିଦିନିଆ କାନ୍ଦଣା ଆଉ ବାପାଙ୍କର ନୀରବ ଅଭିମାନକୁ ସମ୍ମାନ ଜଣାଇବାଲାଗି ସେ ଗଲା ଡିସେମ୍ବର କୋଡିଏ ତାରିଖରେ ଘରକୁ ଆସୁଥିଲା, ବାପା ଠିକ୍‌ କରିଥିବା ତାଙ୍କ ବନ୍ଧୁ ଙ୍କର ଝିଅ ସହିତ ତା’ର ବାହାଘର ପାଇଁ । କିନ୍ତୁ ସେଦିନ ର ଟ୍ରେନ ଆକ୍ସିଡେଣ୍ଟ ତାକୁ ଏ ଜନ୍ମରେ ତୁମ ଭିନ୍ନ ଆଉ କାହାର ହେବାକୁ ଦେଲା ନାହିଁ ।

ମାଳିନୀ ଆଖିରୁ ଥପ୍‌ ଥପ୍‌ ଲୁହ ଖସି କାର୍ପେଟ ଉପରେ ପଡୁଛି । ଆଜି ଅନୁତାପର ଦାବାନଳରେ ସେ ଦଗ୍ଧ । ତା’ର ମନ ମୟଙ୍କ ଆଉ ମଳୟ ମଧ୍ୟରେ ତୁଳନା କରିଚାଲିଛି । ଜଣେ ଝଡ ଭଳି ଭୀଷଣ, ଆଉ ଜଣେ ଫଗୁଣର ମଧୁଝରା ମନ୍ଦ ମଳୟ । ଜଣେ ସବୁ କିଛ ପାଇବାକୁ ବ୍ୟଗ୍ର, ଆଉ ଜଣେ ସବୁ କିଛି ହରାଇ ଅନ୍ୟକୁ ସୁଖୀ କରିବା ପାଇଁ ବଦ୍ଧ ପରିକର । ଆଜି ଯଦି ସେ ମଳୟର ଜୀବନସଙ୍ଗିନୀ ହେଇଥାନ୍ତା, ହୁଏତ…. ନାଃ … ଆଉ ଭାବିବା ପାଇଁ ସମୟ କିଛି ରଖିନି ।

ମୟଙ୍କ ଦିନେ ହେଲେ ତା’ର ମନ ବୁଝିନାହାନ୍ତି । ସେ ଅନେକ ଉଚ୍ଚାଭିଳାଷୀ । ସଫଳତାର ସମସ୍ତ ପାହାଚକୁ ଅତିକ୍ରମ କରିବା ତାଙ୍କର ଲକ୍ଷ୍ୟ । ସେଥିପାଇଁ ସେ ମାଳିନୀ କୁ ଏକ ସହକର୍ମୀ ଭାବରେ ଅଧିକ ସ୍ଥାନ ଦେଇଛନ୍ତି । ମଳୟର ସହିଷ୍ଣତା, ନିରଭିମାନ, ବୁଝାମଣା ମନ ଆଦି ଗୁଣ ନାହିଁ କହିଲେ ଚଳେ ମୟଙ୍କ ପାଖରେ ।

ମଳୟ ପାଇଁ ତା’ ମନରେ ଏତେ ଦୁର୍ବଳତା ଥାଇ ମଧ୍ୟ ସେ କେମିତି ମୟଙ୍କଙ୍କୁ କହିପାରିଲା “ୟୁ ଆର ଦ ଫାଷ୍ଟ ଆଣ୍ଡ ଲାଷ୍ଟ ପରସନ ଇନ ମାଇଁ ଲାଇଫ“ । ସେଇ ଦିନ ବୋଧ ହୁଏ ସେ ମଳୟର ଅସ୍ତିତ୍ଵ କୁ ଦଲିଚକଟି ପକାଇଥିଲା । ସ୍ୱାଭିମାନୀ ମଳୟ ଏଇ ଚରମ ଅପମାନକୁ ସହିପାରିଥାନ୍ତା କେମିତି ? ମାଳିନୀର ମନ ଏମିତି ସବୁ ଯୁକ୍ତି ନିଜ ଭିତରେ କରିଚାଲିଛି । ସେଇ ମନ ପୁଣି କହୁଛି- ସତରେ ! ସବୁବେଳେ ତା’ଠାରୁ ଯୁକ୍ତିରେ ହାରିଯାଉଥିବା ମଳୟ ଆଜି ଜିତି ଯାଇଛି, ଜୀବନର ବାଜିରେ… ଭଲପାଇବାର ଗଭୀରତା ରେ !!!

ସୁରଭିର ପ୍ରଶ୍ନ: ମାଳିନୀ ଅପା !! ତମେ ଭାଇକୁ ଏମିତି ଠକି କଣ ଲାଭ ପାଇଲ ?

କୋହ ସମ୍ବରଣ କରି ସେ କହିଲା : ଜୀବନର ଛକି ଶୂନ ଖେଳରେ ମୁଁ ନିଜେ ହିଁ ହାରି ଯାଇଛି ଲୋ ସୁଭୁ । ବେଳାଭୂମିରେ ମୁକ୍ତା ସାଉଁଟିବା ନିଶାରେ କେତେବେଳେ ଅମୂଲ୍ୟ ହୀରାଟିଏ କୁ ବାଲିଗରଡା ଜ୍ଞାନ କରି ଗୋଡରେ ଆଡେଇ ଦେଇ ଆଗକୁ ଚାଲି ଯାଇଛି, ତାହା ମୁଁ ନିଜେ ମଧ୍ୟ ଜାଣିପାରିନି ।

ବ୍ୟାଗ୍‌ ଭିତରେ ତା’ର ମୋବାଇଲ ରିଂ ହଉଛି । ରାମୁ ଫୋନ କରିଛି, ବାବୁ ଘରକୁ ଫେରିଲେଣି । ତା’କୁ ବ୍ୟସ୍ତ ହେଇ ଖୋଜୁଛନ୍ତି । ଦୀର୍ଘଶ୍ଵାସ ଟିଏ ନେଲା ମାଳିନୀ । ପୁଣି ଫେରି ଯିବାକୁ ହେବ ନିଜର ସେଇ ଯନ୍ତ୍ରଚାଳିତ ଜୀବନର ପରିଧିକୁ । ଏଇ ଜୀବନକୁ ତ ସେ ନିଜେ ହିଁ ଆପଣେଇବାକୁ ଚାହିଁ ଥିଲା । ଆଖି ପୋଛି ଉଠି ଛିଡା ହେଲା ସେ । ମଳୟର ଫୋଟୋ କୁ ଅନେଇ ପୁଣି ଏକ ଦୀର୍ଘଶ୍ଵାସ ନେଲା ।

କେତେ ଶୀଘ୍ର କଣ ସବୁ ଘଟିଗଲା ?? ରାସ୍ତା ସାରା ସେ ଠିକ୍‌ରେ ଗାଡି ଚଳାଇ ପାରୁନଥିଲା । ମଳୟ ଉପରେ ସେ ସବୁବେଳେ ଅଭିମାନ କରିଆସୁଥିଲା। ମଳୟ ତାକୁ ବୁଝାଉଥିଲା । ଆଜି ଅଭିମାନ ଗୁଡାକ ଲୁହ ହୋଇ ତାକୁ ଅନ୍ଧ କରିଦେଉଛନ୍ତି । କିଏ ଆଜି ତା’ ଅଭିମାନର ମୂଲ୍ୟ ଦେବ ? ସେ କାହା ଉପରେ ଆଜି ଅଭିମାନ କରୁଛି ??

ଘରେ ପହଞ୍ଚି ଦେଖେତ ମୟଙ୍କ ବ୍ୟସ୍ତ ହୋଇ ତା’ରି ବାଟକୁ ଚାହିଁ ବସିଛନ୍ତି । ତା’କୁ ଦେଖିବାମାତ୍ରେ ଖୁସିରେ କୁଣ୍ଢାଇ ପକାଇ କହିଲେ: ତୁମେ ଏତେ ବେଳ ପର୍ଯ୍ୟନ୍ତ କୁଆଡେ ଯାଇଥିଲ ? ଆଜି ମୁଁ ଖୁସିରେ ପାଗଳ ହେଇ ଯାଇଛି । ଆମର ପ୍ରୋପୋଜାଲ୍‌ଟା ସେଇ ଏମଏନସି ଆକସେପ୍ଟ କରିଛି । ମୁଁ ଜାଣିଛି, ତମେ ଯେଉଁଥିରେ ହାତ ଦେବ, ସେଇଟା ନିଶ୍ଚୟ ସକ୍‌ସେସ୍‌ଫୁଲ ହବ । ଆଇ ଆମ ପ୍ରାଉଡ ଅଫ ୟୁ । ରିଅଲି !! ବିହାଇଣ୍ଡ ଏଭ୍ରି ସକସେସଫୁଲ ମ୍ୟାନ , ଦେୟାର ଇଜ ଏ ଉମ୍ୟାନ ।

ଏ କଣ ?? ମାଳିନୀକୁ ଶୁଣାଯାଉଛି ମଳୟର କଣ୍ଠସ୍ଵର । ସେ ଡବ ଡବ ଆଖିରେ ଚାହିଁ ରହିଛି ମୟଙ୍କ ଙ୍କର ମୁହଁକୁ ………….

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top