ଏ ସମାଚାର ପୁରା ଜଙ୍ଗଲରେ ଚହଳ ପକେଇଦେଲା, ସମସ୍ତେ ଆଶ୍ଚର୍ଯ୍ୟ ‘ରାଜତନ୍ତ୍ର ରହିବ ନାହିଁ, ରାଜା ରହିବେ ନାହିଁ’ । ଆଉ କାହାଠୁ ଏ ଖବର ଆସିଥିଲେ କେହି ବିଶ୍ୱାସ କରିନଥାନ୍ତେ, କିନ୍ତୁ ସମ୍ବାଦ ଆଣିଥିଲା ପ୍ରବଳ ପ୍ରତାପୀ ମହାରାଜ ସିଂହଙ୍କ ସରକାରୀ ସମ୍ବାଦଦାତା ବିଲୁଆ । ବିଲୁଆ ଗୋଟେ ସଭା ଡାକି ଜଣେଇଦେଲା ଜଙ୍ଗଲରେ ଆଉ ରାଜା ରହିବେ ନାହିଁ ଏଣିକି ଅନ୍ୟ ସମାଜ ଭଳିଆ ଏଠି ଗଣତନ୍ତ୍ର ଚାଲିବ, ସମସ୍ତଙ୍କ ସମାନ ଅଧିକାର, କେହିବି ରାଜା ହେଇ ପାରିବେ । ଗୁହ ଖାଉଥିବା କାଉ, ପଙ୍କରେ ଲୋଟୁଥିବା ଘୁଷୁରୀ, ସର୍ବଦା ମାଙ୍କଡ଼ାମି କରୁଥିବା ମାଙ୍କଡ, ଘରଭଙ୍ଗା କଜଳପାତି, ଗୀତ ଗାଉଥିବା କୋଇଲି, ନାଚ କରୁଥିବା ମୟୁର, ସବୁଠୁ ବୋକା ଗଧ ସମସ୍ତଙ୍କର ସମାନ ଅଧିକାର ରହିବ ।
ଏକଥା ଅଧିକାଂଶ ପଶୁ ପକ୍ଷୀଙ୍କୁ ହଜ଼ମ ହେଉ ନଥାଏ ।
ସାହସ କରି ଗଧ ପଚାରିଲା;
–ଆଚ୍ଛା ବିଲୁଆ ନାନା, କହିଲ, ସମସ୍ତେ ଜାଣନ୍ତି ମୁଁ ମୂର୍ଖ , ସେଇଥପାଇଁ ସମସ୍ତେ ଗଧ ଡାକୁଛନ୍ତି, ମୁଁ କଣ ରାଜା ହେଇ ଶାସନ ଚଳେଇ ପାରିବି ?
— ସେଥିରେ କିଛି ଅସୁବିଧା ନାହିଁ, ସବୁ ଆଇନ ତିଆରି ସାରିଛି, ସେ ଅନୁସାରେ ରାଜ୍ୟ ଚାଲିବ । ତୋଠୁ ଆହୁରି ବୋକା ଶାସନ ଚଳାଉଛନ୍ତି । ତୁ ଯଦି ସମର୍ଥନ ଯୋଗାଡ଼ କରି ପାରିଲୁ, ତୁ ରାଜା ହେବୁ, ବିଲୁଆ କହିଲା ।
ଆହୁରି ବୁଝେଇ ଦେଲା, ଆଗରୁ ଜଙ୍ଗଲରେ ଯିଏ ସବୁଠୁ ବଳୁଆ ସିଏ ରାଜା ହେଉଥିଲା । ଯେତେଦିନ ପର୍ଯ୍ୟନ୍ତ ଆଉକେହି ରାଜାଙ୍କ ବଶତା ଅସ୍ୱୀକାର କରି ତାଙ୍କୁ ଯୁଦ୍ଧ ରେ ନ ହରେଇଛି ସେ ପର୍ଯ୍ୟନ୍ତ ସେ ରାଜା ହେଉଥିଲେ । ତେଣୁ ଅଧିକାଂଶ ସମୟ ବାଘ ନ ହେଲେ ସିଂହ ମାନେ ରାଜା ହେଉଥିଲେ । ମୋର ଜାଣିବାରେ ଥରେ ଅଧେ ଭାଲୁ ଓ ହାତୀ ରାଜା ହେଇଥିଲେ । କିନ୍ତୁ ଏବେ ସେ ସବୁ ଚାଲିବ ନାହିଁ ସମସ୍ତେ ସମାନ । ଯିଏ ଅଧିକାଂଶ ପଶୁ ପକ୍ଷୀଙ୍କ ସମର୍ଥନ ପାଇଲା ସିଏ ଶାସନ କରିବ ।
ଏବେ ତମେମାନେ ଗୋଟେ ଲେଖା ପରିଚୟ ପତ୍ର ଓ ଚିରିକୁଟି ପାଇବ । ଆସନ୍ତା ମାସ ନିର୍ବାଚନ ହେବାପାଇଁ ସ୍ଥିର ହେଇଛି । ଯିଏ ଚାହିଁବ ଏହି ଜଙ୍ଗଲର ମୁଖିଆ ହେବା ପାଇଁ ନିର୍ବାଚନ ଲଢ଼ି ପାରିବ । ଯିଏ ଅଧିକ ଭୋଟ ପାଇବ ବା ଯାହାକୁ ଅଧିକ ପଶୁ ପକ୍ଷୀ ପସନ୍ଦ କରିବେ ସେ ମୁଖିଆ ବା ରାଷ୍ଟ୍ରମୁଖ୍ୟ ହେବ ।
ନିର୍ଦ୍ଧାରିତ ଦିନ ସବୁ ପଶୁ ପକ୍ଷୀ ଏକତ୍ରିତ ହେଲେ । ମହାରାଜ ସିଂହ ସବୁଠୁ ପୁରୁଣା ହନୁ ମାଙ୍କଡ଼କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କଲେ । ଯଦିଓ ଆଶା କରା ଯାଉଥିଲା ବହୁ ପଶୁ ପକ୍ଷୀ ନିର୍ବାଚନ ଲଢ଼ିବେ କିନ୍ତୁ କେବଳ ଶେର ସିଂ ନାମକ ଏକ ମଧ୍ୟ ବୟସ୍କ ବାଘ ଓ ବର୍ତ୍ତମାନର ରାଜା ସିଂହ କୁ ଛାଡି ଆଉ କେହି ନାମାଙ୍କନ ଦାଖଲ କଲେନାହିଁ । ଅବଧି ସରିବା ପରେ ହନୁ ଘୋଷଣ କଲା; ମାତ୍ର ଦୁଇଜଣଙ୍କ ଭିତରେ ଲଢେଇ ହେବ, ବର୍ତ୍ତମାନର ମହାରାଜ ସିଂହ ଯାହାଙ୍କ ନାମ ପ୍ରଖର ଦେବ ଓ ବାଘଙ୍କ ପ୍ରତିନିଧି ଶେର ସିଂ ।
ଆସନ୍ତା କାଲି ସକାଳୁ ଆପଣ ମାନେ ନିଜର ନେତା ନିର୍ବାଚନ କରିବେ । ତା ପୂର୍ବରୁ ଉଭୟ ବାଘ ଓ ସିଂହ କାହିଁକି ସେମାନେ ନେତା ହେବାକୁ ଯୋଗ୍ୟ ସେ ବିଷୟରେ ଆପଣ ମାନଙ୍କୁ ଭାଷଣ ମାଧ୍ୟମରେ ଜଣେଇବେ ।
ପରଦିନ ସମସ୍ତେ ସଜବାଜ ହେଇ ଆସିଲେ । ଠିକ୍ ସମୟରେ ସଭା ଆରମ୍ଭ ହେଲା । ଜଙ୍ଗଲର ପ୍ରଥମ ନିର୍ବାଚନ । ସମସ୍ତଙ୍କ ମନରେ ଆଗ୍ରହ । ହନୁ ଗୋଟେ ଉଚ୍ଚ ପଥର ଉପରେ ବସିଥାଏ । ଗମ୍ଭୀର କଣ୍ଠରେ ଘୋଷଣ କଲା । ମୁଁ ନୂଆ ଯୁଗକୁ ଆପଣ ମାନଙ୍କୁ ସ୍ୱାଗତ କରୁଛି । ଆଜି ଆମ ମାନଙ୍କ ପାଇଁ ଐତିହାସିକ ଦିନ । ବର୍ତ୍ତମାନ ରାଜା ସିଂହଙ୍କ ନିଷ୍ପତି ଅନୁସାରେ ଆମ ଜଙ୍ଗଲ ମୂଳକରେ ଆଉ ରାଜତନ୍ତ୍ର ରହିବ ନାହିଁ । କିଛି ସମୟ ପରେ ଏଠି ଗଣତନ୍ତ୍ର ପ୍ରତିଷ୍ଠା ହେବ । ଆଉ ମନମୁଖୀ ଶାସନ ଚାଲିବ ନାହିଁ । ପ୍ରତିବର୍ଷ ଆଜିର ସ୍ମରଣୀୟ ଦିନକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯିବ । ଯିଏ ଆପଣ ମାନଙ୍କ ସମର୍ଥନ ପାଇବ ସେ ଏହି ଜଙ୍ଗଲ ପ୍ରଦେଶର ପ୍ରଥମ ନିର୍ବାଚିତ ରାଷ୍ଟ୍ରମୁଖ୍ୟ ହେବ ।
ପ୍ରଥମେ ମୁଁ ଶେର ସିଂ ମହୋଦୟଙ୍କୁ ନିଜ ପକ୍ଷ୍ୟ ରଖିବାକୁ ଆମନ୍ତ୍ରଣ କରୁଛି ।
ବାଘ ତାର ଭାଷଣ ଆରମ୍ଭ କଲା …
— ସମ୍ବନ୍ଧରେ ମୁଁ ତମର ମାମୁଁ, ଯଦି ତମେମାନେ ମତେ ନିର୍ବାଚିତ କରିବ, ମୁଁ ରାଜା କିମ୍ବା ମୁଖିଆ ହିସାବରେ ନୁଁହ ବରଂ ତମର ମାମୁଁ ହିସାବରେ ସେବା କରିବି । (ପ୍ରବଳ ତାଳି ମାଡ ହେଲା )
କିଛି ବର୍ଷ ପୂର୍ବେ ମୁଁ ଜଣେ ବ୍ରାହ୍ମଣକୁ ନ ମାରି ଛାଡି ଦେଇଥିଲି । ବ୍ରାହ୍ମଣ ଜଣକ ଜ୍ଞାନୀ, ଦୟାବନ୍ତ ଓ କୃପାଳୁ ଥିଲେ । ମତେ କହିଲେ;
— ରେ ବାଘ ତୁ ମତେ ଜୀବନ ଦାନ ଦେଇଛୁ, ମୁଁ ତୋର ଋଣ ନେଇ ଘରକୁ ଯିବି ନାହିଁ । ମୁଁ ତତେ ଶାସ୍ତ୍ର ଶିକ୍ଷା ଦେବୀ । ଏହା କହି ସେ ମତେ ଅନେକ ଶାସ୍ତ୍ର ଜ୍ଞାନ ପ୍ରାଦନ କଲେ । ସେ ମତେ ରାଜ୍ୟ ଶାସନ ଓ ନ୍ୟାୟ ଶାସ୍ତ୍ର ବିଷୟରେ ମଧ୍ୟ ଜ୍ଞାନ ଦେଇଛନ୍ତି । ବିଭିନ୍ନ ପରିସ୍ଥିତି ରେ ଜଣେ ଜୀବର କିପରି ବ୍ୟବହାର ହେବାକଥା, ସେ ବିଷୟରେ ଉଚିତ ଜ୍ଞାନ ପ୍ରଦାନ କରିଛନ୍ତି । ତେଣୁ ମୁଁ ଭାବୁଛି ମୁଁ ଜଣେ ଉପଯୁକ୍ତ ଶାସକ ହେଇ ପାରିବି । ଯେଉଁମାନେ ମତେ ଜାଣିଛନ୍ତି ସେମାନଙ୍କୁ ପଚାରନ୍ତୁ ମୁଁ ଆବଶ୍ୟକ ଠାରୁ ଅଧିକ ଶିକାର କେବେ କରି ନାହିଁ । (ପ୍ରବଳ ତାଳି ମାଡ )
ଆହୁରି କହି ରଖେ, ମୁଁ ଭାବିଥିଲି, ଏ ବର୍ଷ ବୁଢା ସିଂହ, ଯିଏ ବହୁବର୍ଷ ହେଲା ଆମର ରାଜା ଥିଲା ତାକୁ ଲଢେଇ ପାଇଁ ଆମନ୍ତ୍ରଣ କରିବି ଓ ତାକୁ ପରାସ୍ତ କରି ରାଜା ହେବି । ଏ ବୁଢା ପ୍ରବଳ ଅଳସୁଆ, ଦୀର୍ଘ ଦିନ ରାଜୁତି ସମୟରେ ସେ ଅନେକ ଅପକର୍ମରେ ଲିପ୍ତ ରହିଛି, ନିଜ ସୁବିଧା ଛାଡିଦେଲେ କେବେ କାହାର ଉପକାର କରି ନାହିଁ । ସେ କୌଣସି ସୂତ୍ରରୁ ଖବର ପାଇଲା ମୁଁ ତାର ଶାସନର ଅନ୍ତ କରି ନିଜେ ରାଜା ହେବାକୁ ଯାଉଛି । ଏ ବୁଢା କେବେହେଲେ ମୋତେ ଲଢେଇରେ ପାରି ନଥାନ୍ତା । ତେଣୁ ନିଜ ଶାସନ ବଞ୍ଚେଇବାକୁ ଏହି ଗଣତନ୍ତ୍ର ଫନ୍ଦି କରିଛି । ଆହୁରି ଗୋଟେ କଥା କହି ରଖେ, ଅନ୍ୟ ଜଙ୍ଗଲରୁ ଆସିଥବା କିଛି ଚିତା ବାଘଙ୍କ ସହ ମୁଁ ମିଶିଛି । ସେମାନଙ୍କ କହିବା କଥା ହେଲା ଏଭଳି ଅଯୋଗ୍ୟ ଓ ଟାଉଟର ରାଜା କୌଣସି ଜଙ୍ଗଲରେ ନାହାନ୍ତି । ମୁଁ ଜାଣିଛି ଆପଣ ମାନେ କେହି ଏହିଭଳି ଅଯୋଗ୍ୟକୁ ଭୋଟ ଦେବେ ନାହିଁ । (ପ୍ରବଳ ତାଳି ମାଡ )
ଏତିକି କହି ବାଘ ତାର ଭାଷଣ ଶେଷ କଲା । ବାଘ ଏତେ ସୁନ୍ଦର ଭାଷଣ ଦେବ କେହି ଭାବି ନଥିଲେ । ସମସ୍ତେ ଜାଣିଲେ ବାଘଟା ବଡ ଜ୍ଞାନୀ । ଲାଗିଲା ସବୁ ଭୋଟ ବାଘ ପାଇବ ।
କିଛି ସମୟ ପରେ ନିଜ ଜାଗାରୁ ଉଠି ସିଂହ ଭାଷଣ ଦେବା ଆରମ୍ଭ କଲା । ପ୍ରଥମ କିଛି ସମୟ ନିଜ ଗଳା ସଫା କରିବାରେ ଗଲା । ତା ପରେ ଥର ଥର କଣ୍ଠରେ କହିଲା ;
–ବାଘ ମୋର ବି ମାମୁଁ, ସେ ଏ ମଧୁର ସମ୍ପର୍କ ଭୁଲି ମତେ ଯେଉଁ ଅପମାନ ଦେଲେ ତାହା ମତେ କଷ୍ଟ ଦେଇଛି । ଆପଣ ମାନେ ମନେ ରଖନ୍ତୁ ନିର୍ବାଚନ ସରିବା ପରେ ଗଣତନ୍ତ୍ର ପ୍ରତିଷ୍ଠା ହେବ । ସେ ପର୍ଯ୍ୟନ୍ତ ମୁଁ ରାଜା । ଆଜି ଆପଣଙ୍କ ରାଜାର ଯେଉଁ ଅପମାନ ହେଇଛି, ତାହା ଏ ରାଜ୍ୟ ର ଅପମାନ, ଆପଣ ମାନଙ୍କ ଅପମାନ । ( ତାଳି ମାଡ )
ମୋ ମାମୁଁ ସବୁ କହିଲେ କିନ୍ତୁ ଶାସକ ହେଲେ କଣ କରିବେ କହିଲେ ନାହିଁ । ମୁଁ ଘୋଷଣ କରୁଛି ଯଦି ମୁଁ ନିର୍ବାଚନ ଜିତେ ଆପଣ ମାନେ ପ୍ରତିମାସ ୧୦ ଦିନର ରାସନ ମାଗଣାରେ ପାଇବେ । (ପ୍ରବଳ ତାଳି ମାଡ )
ସମସ୍ତେ ପ୍ରତିମାସ ୧୦ ଲିଟର ମହୁଲି ଓ ପାଞ୍ଚ ଲିଟର ସଲପ ମଦ, ତିନି ଲିଟର ଖଜୁରୀ ରସ, ଗୋଟେ ଲିଟର ଆଖୁରସ, ଅଧ କେଜି ମହୁ ମାଗଣାରେ ପାଇବେ । ଏଥିପାଇଁ ଆପଣ ମାନଙ୍କୁ ଏଠିକି ଆସିବାକୁ ପଡିବ ନାହିଁ । ସମସ୍ତଙ୍କୁ ଘରେ ଯୋଗେଇ ଦେଇଯିବ । ସବୁ ଭାଲୁ ମାନଙ୍କୁ ମାସକୁ ଗୋଟେ ଲେଖା ପଣସ ମାଗଣା ଦିଆଯିବ । ମାଙ୍କଡ ମାନକୁ କିଲେ ଲେଖା ଚଣା ମାଗଣା ଦିଆଯିବ । ବଳଦ, ଗଧ ଓ ହରିଣ ମାନଙ୍କୁ ଗୋଟେ ଲେଖା ମାଗଣା ଜୋତା ଦିଆଯିବ । ………..
ଏମିତି ଭାଷଣ ଶୁଣି ସମସ୍ତେ ବାଘ ଭାଷଣ ଭୁଲିଗଲେ । ତାଳି ରେ ପୁରା ଜଙ୍ଗଲ କମ୍ପିଲା ।
ଭାଷଣ ଶୁଣିବା ପରେ, ହନୁ କହିଲା ଉଭୟ ବାଘ ଓ ସିଂହ ଲମ୍ବା ଭାଷଣ ଦେଲେ, ଏ ଭିତରେ ନିର୍ବାଚନ ପାଇଁ ଅନୁକୂଳ ବେଳା ଗଡି ଯାଇଛି, ତେଣୁ ଆଜି ନିର୍ବାଚନ ହେବ ନାହିଁ, ଆସନ୍ତାକାଲି ଠିକ୍ ଆଠଟା ବେଳକୁ ନିର୍ବାଚନ ହେବ ।
ସନ୍ଧ୍ୟା ବେଳକୁ ଖବର ମିଳିଲା, ସମସ୍ତେ ସିଂହକୁ ଭୋଟ ଦେବେ, କିନ୍ତୁ କିଛି ପକ୍ଷୀ ଅସନ୍ତୁଷ୍ଟ ଅଛନ୍ତି । ମାଗଣା ଯୋଜନାରେ ପଶୁ ଅପେକ୍ଷା ମାଗଣା ଯୋଜନାରେ ତୁଳନାତ୍ମକ ଭାବରେ ତାଙ୍କୁ କମ୍ ଲାଭ ମିଳୁଛି । କିଛି ସମୟ ପରେ ଚାରୋଟି ମାଙ୍କଡ଼ ଓ ଦୁଇଟି ଭାଲୁ ଆସିଲେ, ସେମାନେ ଗୋଟେ ବଡ଼ ବାଡ଼ି ଧରି କଣ କରୁଥାନ୍ତି ଓ ନିଜ ନିଜ ଭିତରେ କଥା ହେଉଥାନ୍ତି । ବଗ ପଚାରିଲା, ତମେ ସବୁ କଣ କରୁଛ ?
ଗୋଟେ ମାଙ୍କଡ଼ କହିଲା, ମହାରାଜ ସିଂହଙ୍କ ଆଦେଶ ଅନୁସାରେ ଆମେ ଜାଗା ନିରୂପଣ କରିବାକୁ ଆସିଛୁ । ଗୋଟେ ବଡ ପୋଖରୀ ଖୋଳା ହେବ । ସେଥିରେ ବିଭିନ୍ନ କିସମର ସୁଆଦିଆ ମାଛ ଛଡ଼ାଯିବ । ସବୁ ମାଛ ବାହାରୁ ଆସିବ । ଯିଏ ଯାହା ମାଛ ଖାଇ ପାରିବ ସବୁ ମାଗଣା । କାଲି ଭୋଟ ସରିଲା ପରେ ଏଠି କାମ ଆରମ୍ଭ ହେବ । ବଗ କୁଆକୁ କହିଲା, ମୁଁ କେଡ଼େବଡ଼ ଭୁଲ କରିବାକୁ ଯାଉଥିଲି । ଭାବୁଥିଲି ବାଘକୁ ଭୋଟ ଦେବି, ଦୟାଳୁ ମହାପୁରୁଷ ସିଂହ ମହାରାଜଙ୍କୁ ଚିହ୍ନି ପାରିନଥିଲି । ଯାହାହେଉ, ଭଗବାନ ମତେ ଗୋଟେ ମସ୍ତବଡ ଭୁଲ କରିବାରୁ ରକ୍ଷା କରିଦେଲେ ।
ରାତିରେ ସିଂହ କୁ ସମର୍ଥନ କରୁଥିବା, ମାଙ୍କଡ଼ ଦଳ, ଭାଲୁ ମାନଙ୍କ ପାଖରେ ଗୋଟେ ଲେଖା ପଣଷ ପହଞ୍ଚେଇ ଦେଲେ । ହାତୀ ଓ ଭାଲୁ ମାନଙ୍କୁ ମହୁଲି ମଦ ଦେଲେ, ପସନ୍ଦ ଅନୁସାରେ ଚଣା, ଆଖୁ, ମହୁ ଓ ଦୁବଘାସ ବଣ୍ଟାଗଲା । କେବଳ ବାଘ ଦଳ ଛାଡିଦେଲେ ସମସ୍ତେ ମାଗଣା ଜିନିଷ ନେଇ ଖାଇଲେ । ସିଂହ ସମସ୍ତଙ୍କ ପାଖକୁ ଯାଇ ମୁଣ୍ଡିଆ ମାରି ଭୋଟ ପାଇଁ ନିବେଦନ କଲା । କହିଲା, ଏ ଜଙ୍ଗଲ ପାଇଁ ମୋ ବାପା ଓ ଅଜା ସହିଦ ହେଇଛନ୍ତି, ମୁଁ ଆଉ ଅଳ୍ପଦିନ ବଞ୍ଚିବି, ସେବା ପାଇଁ ମତେ ଶେଷ ସୁଯୋଗ ଦିଅନ୍ତୁ ।
ସମସ୍ତେ କହିଲେ, ଦେଖ, ସିଂହ ରାଜା ଆମକୁ ମୁଣ୍ଡିଆ ମାରୁଛନ୍ତି । ସେ ଅତୀବ ସରଳ, ଭଦ୍ର ଓ ଦୟାଳୁ । ବାଘଟା ଗର୍ବୀ ଓ ଅହଙ୍କାରୀ ।
ପରଦିନ ସକାଳୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ।
ଜଣ ଜଣ କରି ସମସ୍ତେ ହନୁ ପାଖକୁ ଯାଇ ଭୋଟ ଦେଲେ । ହନୁ ସମସ୍ତଙ୍କ ପରିଚୟ ପତ୍ର ଦେଖି ଚିରିକୁଟି ରଖୁଥାଏ । ବାଘ ଦଳ ଆସିଲା ବେଳକୁ, ହନୁ ଅଧିକାଂଶ ବାଘଙ୍କ ଭୋଟ ନାକଚ କଲା । କହିଲା ପରିଚୟ ପତ୍ର ରେ ଥିବା ଫୋଟୋ ରେ ଲାଞ୍ଜ ଦେଖା ଯାଉ ନାହିଁ, କିନ୍ତୁ ଏମାନଙ୍କ ଲାଞ୍ଜ ଅଛି, ତେଣୁ ତାଙ୍କୁ ଚିହ୍ନଟ କରି ହେଉ ନାହିଁ । ଶେଷରେ ଫଳ ଘୋଷଣ ହେଲା, ବୁଢା ସିଂହ ବହୁ ଭୋଟରେ ଜିତିଲା । ତାକୁ ପ୍ରଥମ ରାଷ୍ଟମୁଖ୍ୟ ହିସାବରେ ଶପଥ ପାଠ କାରଗଲା ।
ଫଳ ଘୋଷଣା ପରେ ମାଙ୍କଡ ନୂତନ ରାଷ୍ଟ୍ରମୁଖ୍ୟଙ୍କୁ ସମସ୍ତଙ୍କୁ ଉଦବୋଧନ ଦେବାକୁ ଅନୁରୋଧ କଲା ।
ସିଂହ କହିଲା;
ମୋର ପ୍ରିୟ ପଶୁ ପକ୍ଷୀ ମାନେ, ଆପଣ ମତେ ମତେ ନିର୍ବାଚିତ କରିଥିବାରୁ ଧନ୍ୟବାଦ, ମୁଁ ଟିକେ ଥକି ଯାଇଛି ତେଣୁ ଏବେ ମୋ ତରଫରୁ କହିବେ ବିଲୁଆ ନନା । ସେ ଗଣତନ୍ତ୍ର ର ନିୟମ ବିଷୟରେ ବୁଝେଇବେ ।
ବିଲୁଆ କହିବା ଆରମ୍ଭ କଲା;
— ମୁଁ ଆଜି ବହୁତ ଖୁସି ଆଜି ଆମକୁ ଜଣେ ଜନପ୍ରିୟ ଶାସକ ମିଳିଛି । ଆଗାମୀ ଛଅ ବର୍ଷ ପର୍ଯ୍ୟନ୍ତ ସିଂହ ପ୍ରବର ଆପଣ ମାନଙ୍କ ଶାସକ ନିର୍ବାଚିତ ହେଇଛନ୍ତି । ଆଗରୁ ଏଠି ରାଜତନ୍ତ୍ର ଚାଲିଥିଲା, ଆଜିଠୁ ଗଣତନ୍ତ୍ର ଆରମ୍ଭ ହେଲା । ଆଜି ଆମପାଇଁ ଗୌରବର ଦିନ । ସହଭାଗିତା ବିନା ଗଣତନ୍ତ୍ର ବଞ୍ଚି ପାରିବ ନାହିଁ । ଆଜି ଆପଣ ମାନଙ୍କ ଦାୟିତ୍ତ୍ୱ ଓ କର୍ତ୍ତବ୍ୟ ବଢି ଯାଇଛି । ଆଗରୁ ରାଜା ଚାଲି ଚାଲି ଯାଉଥିଲେ । କିନ୍ତୁ ଗଣତନ୍ତ୍ରରେ ଜଣେ ରାଷ୍ଟ୍ରମୁଖ୍ୟ ଚାଲି ଚାଲି ଯିବା ଶୋଭା ପାଏ ନାହିଁ । ତେଣୁ ତାଙ୍କ ପାଇଁ ଗୋଟେ ବଳଦ ଗାଡିର ବ୍ୟବସ୍ତା ହେବ । ତାଙ୍କ ଗାଡି ଟାଣିବା ପାଇଁ ଚାରିଟା ବଳଦ ସର୍ବଦା ପ୍ରସ୍ତୁତ ରହିବେ । ରାଷ୍ଟମୁଖ୍ୟ ନଈରେ ଗାଧେଇଲେ ତାଙ୍କ ଜୀବନ ପାଇଁ ବିପଦ, ତେଣୁ ନୂଆ ନିୟମ ଅନୁସାରେ ସବୁବେଳେ ଛଅ ଜଣ ହାତୀ ତାଙ୍କ ସେବାରେ ଉପସ୍ଥିତ ରହିବେ । ସେମାନେ ଶୁଣ୍ଢରେ ପାଣି ଆଣି ରାଷ୍ଟମୁଖ୍ୟଙ୍କୁ ଗାଧୋଇ ଦେବେ ।
ରାଷ୍ଟମୁଖ୍ୟ ହିସାବରେ ତାଙ୍କ ଜୀବନକୁ ସବୁବେଳେ ବିପଦ ରହିଛି । ତେଣୁ ଆଠଟି ହେଟା ବାଘ ଦିନରାତି ତାଙ୍କୁ ସୁରକ୍ଷା ପ୍ରଦାନ କରିବେ । ରାଷ୍ଟ୍ରମୁଖ୍ୟ ଠିକ୍ରେ ନ ଶୋଇଲେ ରାଜ୍ୟ ପାଇଁ ଚିନ୍ତା କରି ପାରିବେ ନାହିଁ, ତେଣୁ ପ୍ରତିଦିନ ହରିଣ ମାନେ କଅଁଳ ଦୁବଘାସ ଆଣି ଶେଜ ତିଆରି କରିବେ । ରାଜକାର୍ଯ୍ୟର ହିସାବ ରଖିବ ପାଇଁ ୨୦୦ କିରାଣୀ ନିଯୁକ୍ତି ପାଇବେ । ଏ ସମସ୍ତେ ରାଜକର୍ମଚାରୀ ଭାବରେ ବିବେଚିତ ହେବେ ।
ଏସବୁ ଛାଡି ସିଂହଙ୍କ ମହୋଦୟଙ୍କ ରୁଚି ଅନୁସାରେ ଆପଣ ମାନେ ଖାଇବା ଯୋଗେଇବେ । ତାଙ୍କ ପାଇଁ ସପ୍ତାହକ ଦୁଇଟି ହରିଣ, ୩ଟା ମେଣ୍ଢା, ଗୋଟେ ଛେଳି, ୧୦ଟା କୁକୁଡ଼ା, ୧୦ଟା ଠେକୁଆ ଓ ଅନ୍ୟ ସବୁ ଖାଦ୍ୟ ଆବଶ୍ୟକ । ସେ ସର୍ବଦା ନିର୍ମଳ ଜଳ ପିଇବେ, ତେଣୁ ଆପଣ ମାନେ ଏ ପାଖାପାଖି କେହି ପାଣି ପିଇ ପାରିବେ ନାହିଁ । ରାଜାଙ୍କ ଗୁମ୍ଫା ପାଖାପାଖି କେହି ଝାଡା ପରିସ୍ରା କରି ପାରିବେ ନାହିଁ । ତାଙ୍କର ସବୁ ଖର୍ଚ୍ଚ ଆପଣ ମାନେ ବହନ କରିବେ । ଯଦି କେହି ଠିକ୍ ସମୟରେ କର ନ ଦିଅ ଆଇନ ଅନୁଯାଇ ଦଣ୍ଡ ପାଇବ ।
ବିଲୁଆ ଭାଷଣ ସରିଲା ବେଳକୁ ସମସ୍ତେ ଆବାକାବା, ଏଭଳି ଗଣତନ୍ତ୍ର ଅପେକ୍ଷା ରାଜତନ୍ତ୍ର ଠିକ୍ ଥିଲା । ଏ ବୁଢା କୁ ଭୋଟ ଦେଇ ଆମେ ବଡ ଭୁଲ କଲୁ ।
ଏତିକି ବେଳକୁ ଗଧ କହିଲା, ଆଚ୍ଛା ସବୁ ଠିକ୍, କିନ୍ତୁ ନନା ତମେ ଯେତବେଳ ନିୟମ ସବୁ କହିଲ ସିଂହ ଯେଉଁ ମାଗଣା ଯୋଜନା ସବୁ ଲାଗୁ କରିବାକୁ କହିଥିଲେ, ସେ କିପରି କାର୍ଯ୍ୟକାରୀ ହେବ କିଛି କହିଲ ନାହିଁ । ଆମେ କର ନ ଦେଲେ ଦଣ୍ଡ ପାଇବୁ, ଠିକ୍ ଅଛି କିନ୍ତୁ ନୂତନ ଶାସକ ଆମକୁ ତାଙ୍କ ପ୍ରତିଶୃତି ଅନୁସାରେ ରାସନ କିପରି ପହଁଚାଇବେ ସେ କଥା କହିଲ ନାହିଁ । ଆମେ ଠିକ୍ ସମୟରେ ଆମର ପ୍ରାପ୍ୟ ନ ପାଇଲେ ଗଣତନ୍ତ୍ର ଅନୁସାରେ ଶାସକ କଣ ଦଣ୍ଡ ପାଇବେ ସେ କଥା ଟିକେ ଜଣାନ୍ତୁ ।
ବିଲୁଆ କହିଲା, ଗଣତନ୍ତ୍ର ରେ ସମସ୍ତେ ରାଷ୍ଟମୁଖ୍ୟଙ୍କୁ ପ୍ରଶ୍ନ ପଚାରି ପାରିବେ ନାହିଁ । କେବଳ ବିରୋଧୀ ଦଳ ନେତା ହିସାବରେ ବାଘ ମାମୁଁ ପ୍ରଶ୍ନ ପଚାରି ପାରିବେ । ତେବେ ଯେହେତୁ ଗଧର କିଛି ବୁଦ୍ଧି ନାହିଁ ତେଣୁ ତାର ଭୁଲ କ୍ଷମା କରାଗଲା ।
ମୁଁ ତାର ପ୍ରଶ୍ନର ଉତ୍ତର ଦେଉଛି । ବର୍ତ୍ତମାନ ପାଇଁ ସେଭଳି କିଛି ମାଗଣା ଯୋଜନା ଲାଗୁ କରାଯାଇ ନାହିଁ । ଗଣତାନ୍ତ୍ରିକ ବିଧି ବ୍ୟବସ୍ତା ଅନୁସାରେ ନିର୍ବାଚନ ଜିତିବା ପାଇଁ ମିଛ ପ୍ରତିଶୃତି ଦେବା ଦୋଷାବହ ନୁଁହ । ଏଭଳି ମିଛ ପ୍ରତିଶୃତି କୁ ‘ଜୁମଲା’ କୁଆଯାଏ । ଗଣତନ୍ତ୍ର ରେ ଜୁମଲା ଏକ ପବିତ୍ର ଶବ୍ଦ । କୌଣସି ରାଷ୍ଟମୁଖ୍ୟଙ୍କୁ ସେ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ପାଳନ କରିବାକୁ ବାଧ୍ୟ ନୁହନ୍ତି । ତାଙ୍କ ଇଚ୍ଛା ହେଲେ ଓ ଦେଶର ହିତକୁ ଦେଖି ସେ ପ୍ରତିଶୃତି ଦେଇଥିବା ଯୋଜନା ଲାଗୁ କରି ପାରନ୍ତି । ତମେମାନେ ଜାଣିଥିବ ପେଁକାଳୀ ତିଆରି ପୂର୍ବରୁ ସମସ୍ତେ କହନ୍ତି, ହାତୀ ଦେବି ଘୋଡା ଦେବି ମୋ ପେଁକାଳୀ ବଜେଇଦେ । କିନ୍ତୁ ପେଁକାଳୀ ବାଜିବା ପରେ କେହି ହାତୀ ଘୋଡା ଦିଅନ୍ତି ନାହିଁ । ଜୁମଲା ହେଉଛି ସେଭଳି ଏକ ମିଛ ପ୍ରତିଶୃତି ।
ବଗ କହିଲା, ତା ହେଲେ କଣ ପୋଖରୀ ଖୋଳା କଥା ବି ମିଛ ?
ବିଲୁଆ କହିଲା,
-ଚୁପ କର, ମୁଁ ତତେ କଣ କହିଲି, ସେସବୁ ମିଛ ନୁଁହ, ଜୁମଲା ।
ଏତେ ବେଳକୁ ହାରି ଯାଇଥିବ ବାଘ କହିଲା;
ହେ ମହାରାଜ ମତେ ଆପଣ ବିରୋଧୀ ଦଳ ନେତା ହିସାବରେ ମାନ୍ୟତା ଦେଇଥିବାରୁ ଧନ୍ୟବାଦ । ଅନୁମତି ଦେଲେ ମୁଁ ଗୋଟିଏ ପ୍ରଶ୍ନ ପଚାରିବି ।
— ତମର ମହାରାଜ ଡାକରେ ମୁଁ ଆନନ୍ଦିତ, କଣ ପଚାରିବି ପଚାର, ନବନିର୍ବାଚିତ ରାଷ୍ଟମୁଖ୍ୟ କହିଲେ ।
— ଏକଦା ମୁଁ ଆପଣଙ୍କୁ ହରେଇ ରାଜା ହେବ ପାଇଁ ଚିନ୍ତା କରିଥିଲି, ନିର୍ବାଚନ ଲଢ଼ି ନିଜେ ରାଷ୍ଟମୁଖ୍ୟ ହେବାକୁ ଆଶା ରଖିଥିଲି । ମୋର ଉପସ୍ଥିତି ଆଗାମୀ ଦିନରେ ଆପଣଙ୍କ କ୍ଷମତା ପାଇଁ ବିପଦ ହେଇପାରେ । ତେଣୁ ମତେ ଏ ଜଙ୍ଗଲ ଛାଡି ଅନ୍ୟତ୍ର ଯିବାକୁ ଅନୁମତି ଦିଅନ୍ତୁ ।
–ତମ ପ୍ରସ୍ତାବରେ ମୁଁ ଖୁସି, ତୁମେ ଯାଇପାର ।
ବାଘ ସେ ଜାଗା ଛାଡି ପଳେଇଲା, ଗଲା ବେଳକୁ କହିଲା ଏ ଭଳି ଜୁମଲାବାଜ ଓ ଟାଉଟର ଏବଂ ତା ସାଙ୍ଗରେ ଥିବା ତେଲିଆ ଓ ମୂର୍ଖଙ୍କ ପାଇଁ ଆଜି ଗଣତନ୍ତ୍ରର ହତ୍ୟା ହେଉଛି । ଏଠି ବିରୋଧୀ ଦଳ ନେତା ହେବ ଅପେକ୍ଷ। କଉଠି ଯାଇ କିରାଣୀ ହେବା ଭଲ ।