ଅଣୁଗଳ୍ପ

ବର

Minati Pradhan's odia short story Bara

ଦୀପ ଲିଭି ଗଲା ପରେ ସେମାନଙ୍କ ଜୀବନକୁ ବିଶ୍ଳେଷଣ କରି କେତେ କଥା ଶିଖି ଜୀବନ ବଞ୍ଚିବାକୁ ପଡିବ-ସେକଥା ଭାବି ଭାବ ବିହ୍ଵଳ ହେଉଥିଲି ମୁଁ….!

ବର

ଫୋନ୍‌ ରିଙ୍ଗ୍‌ ହେଲାରୁ ଉଠାଇଲି ! ଆର ପଟୁ ବୋଉର ଗମ୍ଭୀର କଣ୍ଠ; କିଛି ସମୟ ପୂର୍ବରୁ ଯେମିତି କାନ୍ଦୁଥିଲା ।

ଟିକିଏ ରହି କହିଲା, “ଜାଣିଛୁ, ତପନ ଆଜି ଚାଲିଗଲେ ସକାଳ ଆଠଟା ବେଳେ ।”

“ଓଃ, ଭଗବାନ!” ଦୀର୍ଘ ନିଶ୍ୱାସ ବାହାରି ଆସିଲା ଆଖିର ଲୁହ ତରଳି ଚିବୁକ ଛୁଇଁବା ପୂର୍ବରୁ ।

ଦୁଇ ଦିନ ପୂର୍ବରୁ ଯେବେ ସାନ ପିଉସୀଙ୍କ ସହ କଥା ହୋଇଥିଲି । ସେ କହୁଥିଲେ, “ତପନ ଭାଇଙ୍କ ଦେହ ଆଉ ଭଲ ରହୁନି, ଏଇ କାଲି ଦେଖି ଆସିଲି ! ବିଛଣା ଲଗା ହୋଇ ଗଲେଣି, ଆଉ ବେଶୀ ଦିନ ନୁହେଁ,” ସାନ ପିଉସୀ ଆଶଙ୍କା କରୁଥିଲେ ।

ମୁଁ ତାଙ୍କୁ ଦେଖିଥିଲି ଅନେକ ବର୍ଷ ତଳେ, ଗୋଟେ ବାହାଘରକୁ ଆସିଥିଲେ । କହୁଥିଲେ, “ମୁଁ ଚାଲି ପାରୁନାହିଁରେ ଭଲ କି, ଆଉ କଣ ଦେଖାହେବ ତୋ ସହ? ଆସିବୁ ଆମ ଘରକୁ ।”

“ହଁ, ହଁ, ଦେଖିବା,” ମୁଁ କହିଥିଲି ! କିନ୍ତୁ ଭଲ ଭାବେ ଜାଣିଥିଲି ବର୍ଷରେ ଆଠ, ଦଶ ଦିନ ଛୁଟିରେ, ନିଜର ସବୁ ସମ୍ପର୍କୀୟ, ନିଜର ସାଙ୍ଗ ସାଥି, ପର୍ବ ପର୍ବାଣି ଓ ଉତ୍ସବ ଇତ୍ୟାଦିରେ ଛୁଟି ସରିଯାଏ । ସମସ୍ତେ କମ୍ପ୍ଲେନ କରନ୍ତି ଏଥର ଦେଖା କଲୁନି ।

“ଆର ଥର କୁ ନିଶ୍ଚିତ ଦେଖାକରିବି,” ପ୍ରତିଜ୍ଞା କରେ ମୁଁ ।

ମାତ୍ର ସମୟ ଗଡି ଚାଲେ; କାମ, ପିଲା ଛୁଆ, ସଂସାର ନିଜର ବ୍ୟସ୍ତତା ଭିତରେ କେବେ କେବେ ଉଙ୍କି ମାରେ ପିଲା ଦିନର ସ୍ମୃତି !

ଏବେ କିନ୍ତୁ ପିଲାଦିନୁ ଶୁଣିଥିବା କଥା ଟା ମନରେ ବହୁତ ଆଲୋଡନ ସୃଷ୍ଟି କରୁଥଲା !

ବଡ଼ ପିଉସୀଙ୍କୁ ବିବାହ କରିଥିଲେ ତପନ ପିଉସା । ତାଙ୍କର ବିବାହ ଏମିତି ହୋଇ ଥିଲା ସାଧାରଣ ଭାବରେ ।

ବଡ ପିଉସୀଙ୍କ ବିବାହ ସ୍ଥିର ହୋଇଥିଲା ପାଖରେ ଗାଁ ର ମାନସଙ୍କ ସହ । କେଁଉ ସରକାରୀ ଅଫିସ୍‌ରେ କିରାଣୀ ଚାକିରୀ କରିଥିଲେ ମାନସ । ଜେଜେ ଓ ତାଙ୍କର ପୁତୁରା ମାନେ ମିଶି ଦେଖିବାକୁ ଯାଇଥଲେ ଓ ବାହାଘର ଠିକ ହୋଇଥିଲା । ବାପା ସେତେବେଳେ ନୂଆ ଚାକିରୀ ପାଇଁ ଟ୍ରେନିଂ ନେଉଥାନ୍ତି । ଯୌଥ ପରିବାରରେ ବଡ ମାନେ ନିଷ୍ପତ୍ତି ନେବା ସ୍ୱାଭାବିକ ।

ପିଉସୀଙ୍କ ବାହାଘର ରେ ବର ଆସି ଗାଁ ମୁଣ୍ଡରେ ! ବହୁତ ପ୍ରୋସେସନ କରି ଆସିଥିଲେ, ବାଣ ରୋଷଣୀରେ ଗାଁ ଦାଣ୍ଡ କମ୍ପୁଥାଏ ।

ମାତ୍ର ବଡବାପା ଜେଜେଙ୍କୁ ଘର ଭିତରକୁ ଡ଼ାକିନେଇ କହିଲେ “ଦାଦା, ଏ ବରକୁ ଫେରାଇ ଦିଅ !”

ଚମକି ପଡିଲେ ଜେଜେ-“କଣ କହୁଛୁ?”

“ମୁଁ ବରଧରାରେ ଯାଇଥିଲି । ପିତଳ ଥାଳି ବରଧରାରେ ଯାଇ ନଥିଲା; ଲୋଟା, ଗିନା, ଗ୍ଳାସ ସବୁ ଯାଇଥିଲା । ଫୁଲ ଚନ୍ଦନ ରଖା ଯାଇଥିବା ପତ୍ର କୁ ଦେଖାଇ ତାର ଭାବି ଶାଶୁ କହିଲେ, “ହୋଇ ହେ ମଧ୍ୟସ୍ଥେ, ପିତଳ ଥାଳି କାହିଁ?”

“ବ୍ୟସ୍ତତା ଭିତରେ କିଣି ପାରି ନଥିବେ,” ମଧ୍ୟସ୍ଥି କଥା ଟାକୁ ସମାଧାନ ପାଇଁ ଚେଷ୍ଟା କରୁଥିଲେ ।

ମୁଁ କହିଲି, “ଆପଣ ବ୍ୟସ୍ତ ହୁଅନ୍ତୁ ନି । ବେଦୀ ରେ ଦେଇ ଦେବୁ ।”

“ହୁଁ! ବାହାଘର ପରେ କଣ ଝୁଣ୍ଟି ସୁନ୍ଦର ଦିଶେ? ମୋ ବନ୍ଧୁ ବାନ୍ଧବଙ୍କ ଆଗରେ ମୋ ନାକ କଟିଗଲା ! ସମସ୍ତେ କହିବେ ଏମିତି ଘରୁ ବହୁ କରିଛୁ ଯାହାର ଏଇ ସାମାନ୍ୟ ପିତ୍ତଳ ଥାଳି ଟେ ଦେବାପାଇଁ କ୍ଷମତା ନାହିଁ!”

ରାଗି କରି ଫୁଲଥିବା ପତ୍ର ଟିରେ ଗୋଇଠା ଟିଏ ମାରିଲେ ସେ!

ରାଗ ଆଉ ଅପମାନରେ ଆମେ ସେଠୁ ଶୀଘ୍ର ପଳାଇ ଆସିଲୁ । “ସେଭଳି ଘରେ ବନ୍ଧୁ ବାନ୍ଧିବ ଦାଦା ? ଆମ ଭଉଣୀ ସେଠି ଭଲରେ ରହିବ ତ ?? ଆଜି ଏଟା, କାଲି ସେଟା କହି ନିର୍ଯାତନା ଦେବେ ! ଯୌତୁକ ପାଇଁ ମାରି ବି ଦେଇଛି ପାରନ୍ତି ।”

“ମାନସ ପଢାଶୁଣା ହେଇ ବି କିଛି ପ୍ରତିବାଦ କରିଲେନି?” ଆବେଗ ଭରା କଣ୍ଠ ରେ ଜେଜେମା ପଚାରିଲେ ।

ଏହା ଭିତରେ ବନ୍ଧୁ ବାନ୍ଧବ, ସମ୍ପର୍କୀୟ ସମସ୍ତେ ଠୁଳ ହୋଇ ଯାଇଥିଲେ! ସମସ୍ତଙ୍କ ମନରେ ଉଦବେଗ !

“ସେଇଟା ତ ଅସୁବିଧା ! ମା’ର ଏ ପ୍ରକାର ବ୍ୟବହାର ରେ ନିଜେ ମାନସ କି ଅନ୍ୟ କେହି ତାଙ୍କ ଘରେ ବିରୋଧ କରିଲେ ନାହିଁ,” ବଡ ବାପା କହିଲେ ।

“ବଡ ଲୋକଙ୍କ ଆଗରେ ମୁହଁ ଖୋଲିବାକୁ ସାହସ ନ ଥିବ,” କେହି ଜଣେ କହିଲେ ।

ମୁଁ ଏ ଘଟଣା ଶୁଣିଲା ବେଳେ ଭାବୁଥିଲି- ବଡ ମାନେ ଯଦି ଭୁଲ କରୁଥାନ୍ତି, ସମ୍ମାନ ନାଁ ରେ ତାଙ୍କୁ ବିରୋଧ ନ କରିବା ବା ଚୁପ ରହି ନିଜର ସଂସ୍କାର ଦେଖାଇବା କୋଉ ନ୍ୟାୟ ନା ଠିକ୍‌ ! ତୁମେ ଯଦି ଅନ୍ୟାୟ କୁ ଚୁପ ଚାପ ବରଦାସ୍ତ କରୁଛ, ତାହେଲେ ତୁମେ ବି ଦୋଷୀ !

କାନ୍ଦି କାନ୍ଦି ବଡ ପିଉସୀଙ୍କର ବାରମ୍ବାର ହୋଶ ଉଡି ଯାଉଥଲା ।

ଜେଜେମା ଆଖିରୁ ଲୁହ ପୋଛି ଜେଜେ ଙ୍କୁ ଚାଁହୁଥଲେ, ଜେଜେ ନିରବରେ କିଛି ସମୟ ବସିଥିଲେ ! ବର ଗାଁ ସେ ମୁଣ୍ଡରେ ! ତାଙ୍କ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସଂସ୍କାରର ମନବୃତ୍ତି ଠିକ୍‌ ସେଇ ସମୟରେ ପଦାକୁ ଆସିଲା !

ମନକୁ ସ୍ଥିର ଓ ଦୃଢ କରି ଜେଜେ ନିଷ୍ପତ୍ତି ନେଲେ ଯେ ନା ସେମିତି ଘରେ ଝିଅ କୁ ଦିଆ ଯିବନାହିଁ !

ବର ଆସିଲା ! ପାଛୋଟି ଆଣିବା ବଦଳରେ ସେମାନଙ୍କୁ ଖବର ଦିଆଗଲା ଯେ ସେଠି ବାହାଘର ହେବନି, ବର ଫେରିଯାଉ ! ସେମାନେ ସେତେବେଳେ ଭୂଲ ସ୍ଵୀକାର କରି କ୍ଷମା ପ୍ରାର୍ଥନା କଲେ । ମାତ୍ର ଦୃଢମାନା ଜେଜେ ମନା କରି ଦେଇଥିଲେ !

ଆଜି କାଲି ନାରୀ ସଶକ୍ତିକରଣ ହେବା ପରେ ଏସବୁ କେବେ କେଉଁଠି ଶୁଣିବାକୁ ମିଳୁଛି, ମାତ୍ର ଷାଠିଏ ଦଶକର ଶେଷରେ ସେମତି ହେବା ଟା ଗୋଟିଏ ଆଲୋଡନକାରୀ ଘଟଣା ଥିଲା !

ବରର ବିବାହ ବେଦୀ ପାଖରୁ ଲେଉଟି ଗଲା ! ମାତ୍ର ମଙ୍ଗୁଳା କନିଆର ଭବିଷ୍ୟତ କଣ ହେବ ଭାବି ପରିବାର ଲୋକ ସେ କେଇ ଘଣ୍ଟା ମନେ ମନେ ପାଗଳପ୍ରାୟ ହୋଇ ଯାଉଥିଲେ !

ହଠାତ୍‌ କାହା ମନକୁ ଆସିଲା ପୂର୍ବରୁ ଆସିଥିବା ଗୋଟିଏ ପ୍ରସ୍ତାବ ବିଷୟରେ । ମାତ୍ର ତାଙ୍କର ଚାକିରୀ ନା ଥିବାରୁ ଜେଜେ ଓ ଅନ୍ୟମାନେ ସେଇଟିକୁ ଖାରଜ୍‌ କରି ଦେଇଥିଲେ ।

ତୁରନ୍ତ ମଧ୍ୟସ୍ଥି ଙ୍କୁ ତାଙ୍କ ଘରକୁ ପଠାଗଲା । ଶୁଭ ମୁହୂର୍ତ କୁ ଆଖିରେ ରଖି ସେମାନେ ମଧ୍ୟ ତୁରନ୍ତ ଆସିଥିଲେ ଓ ଚାରି-ପାଞ୍ଚ ଘଣ୍ଟା ଭିତରେ ତପନ ପିଉସାଙ୍କ ସହ ବିଭାଘର ହୋଇଥିଲା ପିଉସୀଙ୍କର ସେଦିନ !

ଥଟ୍ଟାରେ କେବେ କେବେ ସେ କହନ୍ତି, “ଜୀବନରେ କେବେ ବରଟିଏ ସାଜି ପାରିଲିନି, ଦୁଇ ଚାରି ଘଣ୍ଟାରେ ମାନସିକ କି ବେଶଭୁଷା ପ୍ରସ୍ତୁତି ନ ଥାଇ, କିଏ ବର ସାଜେ କହିଲୁ? ହଁ, ପ୍ରେମ ବିବାହ ରେ ଲୋକେ ଘର ଛାଡି ସଙ୍ଗେ ସଙ୍ଗେ ବର ସାଜନ୍ତି; ହେଲେ ବି ପୂର୍ବର ମାନସିକ ପ୍ରସ୍ତୁତି ଥାଏ ।” ପୁଣି ଗମ୍ଭୀର ହୋଇ କହନ୍ତି, “ମୋର ବିଭାଘର ର ସ୍ୱପ୍ନଠୁ ତୋ ପିଉସୀ ଙ୍କୁ ସେତେବେଳେ ଆପଣେଇବା ମୋର ଧର୍ମ ଥିଲା ! ”

“ତଥାପି, ଭଗବାନ ମୋତେ ଝିଅଟିଏ କାହିଁକି ଦେଲେନି କେଜାଣି?” ଥଟ୍ଟା ଓ ଅବଶୋଷ ଥାଏ ତାଙ୍କ ସ୍ଵରରେ ।

ଶୁଣିବାକୁ ମିଳେ ପିଉସୀଙ୍କୁ ସେଇ ବର ଫେରା କୁ ନେଇ ଶାଶୁ ଘରେ ଅନ୍ୟ ମାନେ ଅନେକ ଖୁଣ୍ଟା ଓ ଟାହି ଟାପରା ଶୁଣୁଥିଲେ ଓ ବେଳେ ବେଳେ ବେଳେ ଭାଙ୍ଗି ପଡୁଥିବା ପିଉସୀ କେବେ ଆତ୍ମହତ୍ୟା କଥା ବି ଭାବିଛନ୍ତି । ସେତେବେଳେ ତପନ ପିଉସାଙ୍କ ପ୍ରେମ ଓ ମିଠା କଥା ହିଁ ତାଙ୍କ ସାହାରା ପାଲଟି ଥିଲା । ଘରେ ଓ ବାହାରେ ମୁଁ ପିଲା ଦିନୁ କେବଳ ତାଙ୍କ ପାଇଁ ଅନ୍ୟ ମାନଙ୍କ ଆଖିରେ ସମ୍ମାନ ହିଁ ଦେଖିଛି ।

ସେଇ ବ୍ୟକ୍ତି ଆଜି ଦୁନିଆ ରେ ନାହାନ୍ତି, ସେ କଥା ବିଶ୍ୱାସ କରି ପାରୁ ନ ଥିଲି ମୁଁ । ବର ବେଶରେ ନିଜକୁ ସଜାଇବାଠୁ ପ୍ରକୃତ ବର ସାଜିବାଟା ବହୁତ କମ ଲୋକଙ୍କ ଠାରେ ଦେଖିବାକୁ ମିଳେ ।
ଆହୁରି କେତେ ଦୀପ ଲିଭି ଗଲା ପରେ ସେମାନଙ୍କ ଜୀବନକୁ ବିଶ୍ଳେଷଣ କରି କେତେ କଥା ଶିଖି ଜୀବନ ବଞ୍ଚିବାକୁ ପଡିବ-ସେକଥା ଭାବି ଭାବ ବିହ୍ଵଳ ହେଉଥିଲି ମୁଁ….!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top