ଅଣୁଗଳ୍ପ

ବିଷର ପିଆଲା

Prafulla Tripathy's odia short story Bishara Piaalaa

ଆପଣଙ୍କ ପରି ଜଣେ ଦରିଦ୍ର ଯୁବକକୁ ପ୍ରେମ କରିବାକୁ ମୁଁ କାହିଁକି, କୌଣସି ଝିଅ ହୁଏତ ପସନ୍ଦ କରିବନି ।

ବିଷର ପିଆଲା

ଆଜି ବହୁତ ମନେ ପଡୁଛି ସରୋଜିନୀ ମିଶ୍ର । ସତେ ଯେମିତି କାଲି ରାତିରେ ସେ ମୋ ପାଖରୁ ବିଦାୟ ନେଇଛି । ସତରେ ସରୋଜିନୀ ମିଶ୍ର ମୋ’ ପାଇଁ ଏକ ବିସ୍ମୟ ! ଗୋଟାଏ ଚିଆଁ ଦାଗ ବହୁଦିନ ଘାଇଲା ହେଇ ଦେହରୁ ରକ୍ତ ପିଇବା ପରେ ସୁଖୀ ସେମେଟା ହେଇ ଯାଇଛି । ସେ ଦାଗ ଉପରେ ଗୋଟାଏ ପତଳା ଦୁଃଖର ପରଦା – ଚାହିଁଲେ ଉତ୍ତାରିବାକୁ ଇଚ୍ଛା ହୁଏନା । ବାଧ୍ୟ କରି ଉତ୍ତାରି ଦେଲେ ଗୋଟାଏ ଲୁହର ପାହାଡ଼ ଭାଙ୍ଗିଯାଏ । ଅଚାନକ ଭାବେ ନିହାତି ଦୁଃଖ ବେଳେ ଆପଣାର ଲୋକକୁ ଜାବୁଡି ଧରି ଛାଡିବାପରି । ସେଥିପାଇଁ ସରୋଜିନୀ ମିଶ୍ରକୁ ଆଖି ସାମ୍ନାରେ ରଖି ଜୀବନ ସଂଗ୍ରାମରେ ଆଗକୁ ମାଡ଼ିଯିବା ଏକଦମ ନିର୍ବୋଧତା । କିନ୍ତୁ ଆଜି ମନେ ପଡିବାରୁ ପୁଣି ଭୁଲି ଯାଇଥିବା ଅତୀତ ସରୋଜିନୀ ମିଶ୍ରକୁ ସାଙ୍ଗରେ ଧରି ଫେରି ଆସିଲା । ଯେଉଁଠୁ ଜୀବନଟା ଅଲଗା ରାସ୍ତାରେ ସାମିଲ ହୋଇଯାଇଥିଲା, ପୁଣି ସେଇ ଦିନକୁ ଫେରି ଯିବାକୁ ଇଚ୍ଛା ହେଲା ।

ବହୁବର୍ଷ ତଳେ ସରୋଜିନୀ ମିଶ୍ର ସହ ଅଚାନକ ଦେଖା ହୋଇଥିଲା ମୋ ବନ୍ଧୁଙ୍କ ଘରେ । ଦି’ଟା ହରିଣୀ ଆଖିର ଚଳଚଞ୍ଚଳ ଚାହାଣୀରେ ମୋ’ ମନ ଭିତରଟା ରସସିକ୍ତ ହୋଇଗଲା । ଦେହ ଭିତରେ ଗୋଟାଏ ନିବିଡ଼ ପ୍ରେମର ତରଙ୍ଗ । ହାଲକା ହାଲକା ହେଇଗଲା ଦେହର ଓଜନ – ଗୋଟାଏ ଲଗାମଛଡ଼ା ଯୌବନର ଘୋଡା – ନିହାତି ବେପରୁଆ ହେଇ ଦୌଡିବାକୁ ଲାଗିଲା । ସରୋଜିନୀ ମିଶ୍ର ମନ ଭିତରେ ଗୋଟାଏ ଗୋପନ ଜାଗାରେ ଛପିଗଲା – ଦେହକୁ ଚିପୁଡ଼ି ଦେଲା ପରି ।

ପ୍ରତିଦିନ ମୁଁ ସେ ବନ୍ଧୁଙ୍କ ଘରକୁ ଯିବା ଆସିବା କଲି । ଗୋଟାଏ ନିର୍ଦ୍ଦିଷ୍ଟ ସମୟ । ଠିକ୍‌ ସବୁଦିନ ସେତିକି ବେଳେ ସରୋଜିନୀ ମିଶ୍ର ସହ ଦେଖା ହୁଏ । ଆଖି ସହ ଆଖି ଦି’ଟା ମସଗୁଲ ହେବାର ମୁଁ ଅନୁଭବ କରେ । ପୁଣି ଫିଟିଯାଏ ସମୟର ବେଣୀ – ଦୀର୍ଘ ଚବିଶ ଘଣ୍ଟା ଧରି ଉଡ଼ିବୁଲେ । ମୁଁ ଫେରିଆସେ ମୋ ନିର୍ଜନ କୋଠରିକି ।

ସରୋଜିନୀ ମିଶ୍ର ମତେ ଦେଖା କରିବାକୁ କିମ୍ବା ଠିକ୍‌ ତା’ର ସେଇଟା କଲେଜ ଯିବା ସମୟ ତାକୁ ଜଣା । ଅନୁଭବ ଆଉ ଅନୁଭୁତିର ଝିଅଟାଏ । ଯେମିତି ଲାଗିଗଲା ସରୋଜିନୀ ମିଶ୍ରର ଦେହ ସହ ମୋ ଦେହର ଗୋଟାଏ ଆକର୍ଷଣ । ସରୋଜିନୀ ମିଶ୍ରଙ୍କୁ ମନେ ମନେ ଆପଣାର ଭାବି ନେଇଥିଲି । ପୃଥିବୀର ସବୁ ସୁନ୍ଦରତା ଯେମିତି ତା ଭିତରେ ଖୁନ୍ଦି ହେଇ ରହିଛି । ମୋ ‘ ମନର ସ୍ୱପ୍ନିଳ ନୀଡ଼ ଭିତରେ ତା ଚିବୁକର କଅଁଳ ପଦ୍ମଫୁଲ । ମୋ ଆଶାର ସୁନେଲି କଳ୍ପନା ଭିତରେ ତାର ଖୋଜିଲା ଖୋଜିଲା ଆଖି । ମୋ ହାତର ପରିଧି ଭିତରେ ତାର ଦେହର ନରମ ସ୍ପର୍ଶ । ଏକ ସ୍ବପ୍ନ, ନୁହେଁ ତ ଏକ ଦୁଃସ୍ବପ୍ନ ବୋଲି ଏବେ କହିବାକୁ ବାଧ୍ୟ ହେଉଛି । ମୁଁ ଭାବୁଥିଲି ସରୋଜିନୀ ମିଶ୍ର ମୋର ଏକାନ୍ତ ଆପଣାର । ରକ୍ତ ପରି ସେ ମୋ’ ଦେହରେ ଯେମିତି ନେସି ହେଇଯାଉଛି । କଲେଜ ଠାରୁ ଘର ପର୍ଯ୍ୟନ୍ତ ମୋ ଆଖିରେ ସରୋଜିନୀ ମିଶ୍ରର ଛବି ନାଚି ଯାଉଛି । ଏକ ଅହେତୁକ ବିଦଗ୍ଧତା ମତେ କାବୁ କରିଛି । ଚେଷ୍ଟା କରି ବି ମୁଁ ମୁକୁଳି ପାରୁନି ।

ହଠାତ୍‌ ଦିନେ ସକାଳୁ ସରୋଜିନୀ ମିଶ୍ର ସେଠୁ ଚାଲିଯିବାର ଖବର ପାଇଲି । ଯାଇଥିଲି ତାକୁ ଶେଷ ଦେଖା କରିବା ପାଇଁ । ଅଥଚ ମୋ ଯିବା ଆଗରୁ ସେ ଚାଲି ଯାଇଥିଲା । ସେ ଖୋଜୁଥିଲା କି ମତେ ? ଏକ ଦରଦୀ ପ୍ରଶ୍ନବାଚୀ ! କିନ୍ତୁ ତା’ର ଉତ୍ତର ଦେବା ପାଇଁ ମୋ ପାଖରେ କେହି ନ ଥିଲେ କି ତା ଭଲ ମନ୍ଦ ବିଷୟରେ ମୋ’ ବନ୍ଧୁଙ୍କୁ ପଚାରିବା ଏକ ନିର୍ବୋଧତା ବୋଲି ଭାବିନେଲି ।

ପ୍ରଥମ ଦେଖା ଦିନଠାରୁ ସେ ଦିନ ଯାଏ କେବେ ବି ସରୋଜିନୀ ସହ ମୁଁ କଥା ହେଇନି । ଏକପାକ୍ଷିକ ଭଲ ପାଇବାର ସ୍ମୃତିକୁ ଧରି ସେ ଦିନ ଯାଏ ମୁଁ ଖାଲି ସରୋଜିନୀ ମିଶ୍ରର ପ୍ରେମିକ ଭାବରେ ପ୍ରେମକରି ଚାଲିଥିଲି । ହୁଏତ ସରୋଜିନୀକୁ ଏ କଥା ଅଜଣା ଥିଲା । ସେ ହୁଏତ ମୋ ମନର ଦରଦକୁ ତା ଭିତରେ ଖୋଜିନି । ମୋ’ ଆଶାର ଚଢେଇଟିକୁ ସେ ତା ମନ ପଞ୍ଜୁରୀରେ ବାନ୍ଧି ରଖିନି । ସେଥିପାଇଁ ତା’ର ସେଇ ପ୍ରଥମ ଓ ଶେଷ ଚିଠିରେ ସେ ମତେ ଅତି ଦୟନୀୟ ଭାବେ ଶର ବିଦ୍ଧ କରିଥିଲା । ଚିଠିଟିଏ ପଠେଇଥିଲା । ଚିଠି ନୁହେଁ ତ ଜହରଭର୍ତ୍ତି ଗୋଟାଏ ପିଆଲା । ମୋ ଚିଠିର ଉତ୍ତରରେ ସେ ଚିଠିଟିଏ ଦେଇଥିଲା ।

ସେଦିନ ଡାକବାଲା ଯେତେବେଳେ ଚିଠି ଖଣ୍ଡକ ହାତରେ ଦେଇଗଲା, ଅନେକ ଆନନ୍ଦ ଓ ଆଶାରେ ଝଙ୍କୃତ ହେଇଗଲା ମନର ତାଜମହଲ । ସିଧା ବିଛଣା ଉପରକୁ ଉଠିଗଲି । ଏକଦମ ଏକାକୀ ନିର୍ଜନତା ଭିତରେ ପ୍ରିୟତମାର ଚିଠି ପଢ଼ିବାର ଯେଉଁ ଆନନ୍ଦ ଅନୁଭବୀ ବ୍ୟତୀତ କେହି ଜାଣି ପାରିବେ ନି ।

ଚିଠିର ଆରମ୍ଭ ଥିଲା ଏମିତି

ଆପଣଙ୍କ ଚିଠି ପାଇଛି । ଚିଠିକୁ ଚିରି ଦେଇଥାନ୍ତି କିନ୍ତୁ ଆପଣଙ୍କ ଚିଠି ଆପଣଙ୍କ ପାଖକୁ ଫେରେଇ ଦେଉଛି । ଆପଣଙ୍କ ପରି ଜଣେ ଦରିଦ୍ର ଯୁବକକୁ ପ୍ରେମ କରିବାକୁ ମୁଁ କାହିଁକି, କୌଣସି ଝିଅ ହୁଏତ ପସନ୍ଦ କରିବନି । ଆପଣ ନିଜକୁ ପ୍ରଥମେ ତୁଳନା ନ କରି ମତେ ଭଲ ପାଉଛନ୍ତି ବୋଲି ଲେଖିଛନ୍ତି । ସତରେ ହସ ଲାଗୁଛି ଆପଣଙ୍କ ଚିନ୍ତାଧାରାକୁ ଦେଖି । କେବେ ସ୍ୱପ୍ନରେ ବି ମୋ’କଥା ଭାବିବେନି । ହଁ ଆପଣଙ୍କ ପଠେଇଥିବା ବହିଟି ବି ପାଇଛି । ଏମିତି ବହି ତ ଫୁଟ୍‌ପାଥ୍‌ରେ ବି ମିଳେ । ଆପଣ ଆଉ କାହାକୁ ବିକିଥିଲେ କିଛି ଟଙ୍କା ବି ପାଇଥାନ୍ତେ କିନ୍ତୁ ଦୟାରେ ବି ମୋର ଦି’ଟଙ୍କା ଦେବାକୁ ଇଚ୍ଛା ହେଉନି । ଆଶା କରେ ଆଉ ଭବିଷ୍ୟତରେ ମୋ’ପାଖକୁ ଚିଠି ଲେଖିବାର ଦୁର୍ବାର ଲାଳସା ରଖିବେନି । ଆକାଶ କଇଁଆ ଚିଲିକା ମାଛର ସୁନେଲି କଳ୍ପନା କେବେ ବି କରିବେନି ।

(ଇତି)
ସରୋଜିନୀ ମିଶ୍ର

ମୋ’ ସାରା ଦେହରେ ନିଆଁ ଚରିଗଲା । ପାଦ ତଳର ମାଟି ଖସିଗଲା ଯେମିତି ତଳକୁ ତଳକୁ । ଗରମ ହାୱାରେ ଝାଳେଇ ଗଲା କୁଞ୍ଚିତ କପାଳ । ବିଶ୍ବାସ କରିପାରିଲିନି ସରୋଜିନୀ ମିଶ୍ର ଏତେ ଛୋଟ ହୋଇଯାଇପାରେ ବୋଲି । ଉପର ଚେହେରା ସହ ଭିତରଟା ଯେ ସମ୍ପୂର୍ଣ୍ଣ ଅଲଗା ଏକଥା ମୁଁ ମଧ୍ୟ ସ୍ୱପ୍ନରେ ଭାବି ନ ଥିଲି ।

ମୁଁ ଜାଣିଥିଲି ଝିଅମାନେ ସାଧାରଣ ଭାବେ ଯେତିକି ଦରଦୀ ସେତିକି ସ୍ୱାର୍ଥପର । କିନ୍ତୁ ସରୋଜିନୀ ମିଶ୍ରର ଚିଠି ମତେ ସୂଚେଇଦେଲା ସେ କେବଳ ସ୍ୱାର୍ଥପର ନୁହେଁ, ଅହଂକାରୀ । କିଛି ସମୟ ନୀରବ ରହିବା ପରେ ଧୀରେ ଧୀରେ ଖଟ ଉପରକୁ ଉଠି ପଡିଲି । ଧିକ୍କାର କଲି ନିଜକୁ । ସାଧାରଣ ଭାବେ କୌଣସି ଝିଅଠାରୁ ଅପମାନିତ ହେବା ହେଉଛି ଏଇଟା ପ୍ରଥମ ଏବଂ ବୋଧ ହୁଏ ଶେଷ ।

ବାକ୍ସ ଖୋଲି ମୋ’ ବନ୍ଧୁଙ୍କଠାରୁ ପାଇଥିବା ସରୋଜିନୀ ମିଶ୍ରର ଏକ ବଡ଼ ଫଟୋକୁ ଚିରି ଟିକ୍‌ ଟିକ୍‌ କରି ଦେବାକୁ ଇଚ୍ଛା ହେଲା । ପୁଣି ନିଜକୁ ସାନ୍ତ୍ୱନା ଦେଲି । ଅନେକ ବୁଝେଇଲି ମନକୁ । ସରୋଜିନୀ ମିଶ୍ର ସହ ତ ପଦେ କଥା ହେଇନି ।

ସେ କାହିଁକି ବୁଝିବ ମୋ’ ମନର ବିଧୂରତାକୁ । ମୋ ହୃଦୟର ଅନୁରାଗକୁ । ମୋ ପ୍ରେମର ସ୍ନିଗ୍ଧତାକୁ । ଏକା ଏକା ତ ମୁଁ ଭଲ ପାଇଥିଲି ତାକୁ । କିଛି ପ୍ରତିଶୃତି ନ ଥିଲା ତ । ତେବେ ତାକୁ ଦୋଷ ଦେଇ ଲାଭ କଣ ? ଆଜି ହଠାତ ସରୋଜିନୀ ମିଶ୍ରକୁ ବାଟରେ ଦେଖିବାକୁ ପାଇଲି । ଚିହ୍ନିପାରିଲିନି ପ୍ରଥମେ । ଗୋରା ତକ୍‌ ତକ୍‌ ଚେହେରା କଳା ପଡ଼ିଯାଇଛି । ଚମ ଉପରେ ତନ୍ତୁଗୁଡ଼ାକ ସେମିଟି ଯାଇ କଦଳୀ ବାସୁଙ୍ଗା ପରି ହେଇଯାଇଛି । ନିଜକୁ ବିଶ୍ବାସ କରିପାରିଲିନି । ସତରେ ଏ କ’ଣ ସେଇ ସରୋଜିନୀ ମିଶ୍ର । ନା ମୋର ଆଖି ଧୋକା ଖାଉଛି ।

ଦେହରେ ଧଳା ଶାଢ଼ୀ । କପାଳରେ ସିନ୍ଦୁର ନାହିଁ । ହାତରେ ଗୋଟାଏ ବ୍ୟାଗ୍‌ । ରାସ୍ତା କଡେ କଡେ ଚାଲିଛି ସରୋଜିନୀ ମିଶ୍ର । କୁଆଡେ ଚାହୁଁନି ମୁହଁ ଟେକି । ଧଳା ଲୁଗାଟା ଝାଳରେ ଓଦା ହେଇ ଯାଇଛି । ଇଚ୍ଛା ହେଉଥିଲା ସାମ୍ନାରେ ଭେଟି ପଚାରନ୍ତି ସରୋଜିନୀ ! ଏ କଣ ତୁମ ଅହଙ୍କାରର ପ୍ରତିଛବି ? କିନ୍ତୁ ପାଦ ଦି’ଟା ମୋର ପଛକୁ ଫେରି ଆସିଲା । ଦୁଃଖଦ ଯନ୍ତ୍ରଣାର ବୋଝ ବୋହି ସେ ଚାଲିଛି , ମୁଁ କାହିଁକି ତା’ ବାଟରେ କଣ୍ଟା ହେଇ ଠିଆ ହେବି ହୁଏତ ସେ ପୁଣି ଏକ ବିଶର ପିଆଲା ଦେଇ ମତେ ପାଗଳ କରିଦେଇପାରେ ! କିମ୍ବା ମୁଁ ପୁଣି ତା’ ସହ ଆତଙ୍କିତ ସମ୍ପର୍କର ସେତୁ ବାନ୍ଧିଦେଇପାରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top