ଅଣୁଗଳ୍ପ

କଳଙ୍କିନୀ

Deepankar Das's odia short story Kalankinee

ସଂଯୁକ୍ତାର ଅଚେତ ଅବସ୍ଥାରେ ବିକାଶ ନେଇଯାଇ ଶିଶୁଟିକୁ ଫୋପାଡ଼ି ଦେଇ ଆସିଲା ଆବର୍ଜନା କୁଣ୍ଡରେ ।

କଳଙ୍କିନୀ

ସମୟ ରାତି ୧୨:୩୦ ପାଖାପାଖି ଡାକ୍ତରଖାନାର ଆବର୍ଜନା କୁଣ୍ଡରୁ ଗୋଟେ ଛୁଆର କାନ୍ଦ ଶୁଭୁଛି । ବଡ଼ ସବୁଜ ଆବର୍ଜନା କୁଣ୍ଡ ଭିତରେ ପଡ଼ିଥିବାରୁ କୁକୁର ମାନେ ଉପରକୁ ଉଠିପାରୁ ନାହାନ୍ତି । ନ ହେଲେ ଯେତେ କୁକୁର ଥିଲେ ଖାଇସାରନ୍ତେଣି ବୋଧେ । କାନ୍ଦଟା ଏମିତି ଯେମିତି ସେ ପ୍ରଶ୍ନ କରୁଛି ମୋର କ’ଣ ଭୁଲ ରହିଲା ? ହୁଏତ ସେ କୋଉ ଯୁବତୀଙ୍କ ଯୌବନ ବିଳାସର ଚିହ୍ନ କିମ୍ବା ଅନାଥ । ବହୁତ କାନ୍ଦୁଛି ଧରିବାକୁ କେହି ଆସୁନାହାନ୍ତି । ପିଲା କାନ୍ଦିଲେ ମା ପ୍ରଥମ ଥର ହିଁ ଖୁସି ହୋଇଥାଏ ଯେତେବେଳେ ସେ ଜନ୍ମ ହୁଏ, ତା ପରେ ନିଜ ଜୀବନ ଦେଇଦିଏ କିନ୍ତୁ ପିଲାକୁ କାନ୍ଦିବାକୁ ଦିଏନି ।

ସେ ଗପ ଶୁଣିଥିବେ ବୋଧେ ସେକ୍ସପିଅରଙ୍କର । ପ୍ରେମିକା କଥାରେ ପଡି ପୁଅ କେମିତି ମା’କୁ ମାରିଦେଲା । ତଥାପି ମା’ର କଟା ଶବକୁ ନେଇ ପୁଅ ଯାଉଥିବା ବେଳେ ଝୁଣ୍ଟି ପଡିବାରୁ ମା’ର କଟା ହୃଦୟଟା ଚିତ୍କାର କରି କହିଲା “ଦେଖିକି ଚାଲ ବାପା ପଡ଼ିଯିବୁ ।” ଏମିତି ହେଉଛି ମା ।

କିନ୍ତୁ ମା’ ଏଠି କେମିତି ନିଷ୍ଠୁର ପାଲଟି ଯାଇଛି ? ବୋଧେ ସମାଜକୁ ଡରି ଯାଇଛି ।

ସଂଯୁକ୍ତାର ଦୁଇ ଜଣ ସାନ ଭାଇ ଆଉ ଜଣେ ସାନ ଭଉଣୀ । ବାପା କୋଇଲା ଖଣିରେ କାମ କରୁଥିଲେ ।

ମାଟିତଳେ କାମ କରୁ କରୁ ଦୁର୍ଘଟଣାଟିଏ ଘଟିଗଲା । ଅଣ୍ଟାରେ ଅନେକ ଆଘାତ ଲାଗିଲା । ତେଣୁ ଡାକ୍ତର କହିଛନ୍ତି କାମ କରିବା ମନା । ଔଷଧ ଚାଲିଛି ତେଣୁ ସଂଯୁକ୍ତାକୁ ପାଠ ଛାଡି କାମ ଖୋଜିବାକୁ ପଡିଲା । ଗୋଟେ ଆବାସିକ ବିଦ୍ୟାଳୟରେ ରିସେପ୍ସନିଷ୍ଟ ଭାବେ ଯୋଗ ଦେଲା । ଅଭିଭାବକ, ପିଲା ଆସିଲେ ତାଙ୍କୁ କେତେ କଥା ବୁଝାଏ । ଛୋଟ ଛୋଟ ଛୁଆ ଗୁଡା ବଡ଼ ବଡ଼ ଆଖି କରି ଦେଖନ୍ତି ତାକୁ, ଯେମିତି ସେ କଣ ଗୋଟେ ଅଜଣା କଥା କହୁଛି । ଦେଶ ବିଦେଶ, ପାଠ, ବିଦ୍ୟାଳୟ ଶିକ୍ଷକ ସମସ୍ତଙ୍କ କଥା ବୁଝାଇ କହିବାକୁ ପଡେ ତାକୁ । ଦିନେ ତାର ବି ସ୍ବପ୍ନ ଥିଲା ପାଠ ପଢି ବଡ଼ ମଣିଷଟେ ହେବ । କିନ୍ତୁ ଯଦି ସବୁ ଆଶା ଗୁଡ଼ିକ ଘୋଡା ହୁଅନ୍ତେ ଭିକାରି ମଧ୍ୟ ତାକୁ ଚଢି ବୁକଳନ୍ତେ । ସବୁ ଆଶା ଆଜି ତାର ଅତୀତ ପାଲଟି ଯାଇଛି ।

ସେଇ ବିଦ୍ୟାଳୟରେ ତାର ଜଣେ ସହକର୍ମୀ ଥିଲେ ବିକାଶ । ତେଣୁ ଗଢ଼ିହୁଏ ବନ୍ଧୁତା , ସବୁବେଳେ ଚୁପ୍‌ଚାପ୍‌ ରହୁଥିବା ଝିଅଟା ତା ଆଗରେ କହିବୁଲେ ଅନେକ କଥା । ତାର ଅତୀତ, ବର୍ତ୍ତମାନ ଏବଂ ତାର ଭବିଷ୍ୟତ ବିଷୟରେ । ବିକାଶ ବି ଅନେକ କଥା କହେ । ଦୁହେଁ ଦୁହିଁଙ୍କର ସୁଖ ଦୁଃଖ ବାଣ୍ଟନ୍ତି । ସତରେ ଗୋଟେ ଯବାନ ଝିଅ ଏବଂ ପୁଅ କଣ ଖାଲି ସାଙ୍ଗ ହୋଇ ରହିପାରନ୍ତି । ତୋଳା ହେଲା ଆଉ ଗୋଟେ ସମ୍ପର୍କ । ସମ୍ପର୍କ ନଈର ଅନ୍ୟନାମ ହେଲା , ଗୋଟେ ଡଙ୍ଗା ଦୁଇଟା ନାଉରୀ । ଟଳମଳ ପାଣିର ସୁଅରେ ମନ୍ଥର ଗତିରେ ଡଙ୍ଗା ଚାଲିଲା ପରିସ୍ଥିତିର ସବୁ ଲହରୀ ଭାଙ୍ଗି । ଅନେକ ବିଶ୍ବାସ ଦୁହିଁଙ୍କ ମଧ୍ୟରେ । ଦୁହିଁଙ୍କ ଘରେ ବି ଜାଣିଗଲେ ।

ସ୍କୁଲ୍‌ ଆଡ଼ମିଶନ ସମୟ କାମ ବଢି ଯାଇଛି ଫେରୁ ଫେରୁ ଡେରି ହୁଏ ସପ୍ତାହେ ହେଲା । ସହରରେ ଦୁହେଁ ରୁହନ୍ତି ଭଡା ଘରେ । ସ୍କୁଲ ପାଖରୁ ବିକାଶ ଭଡା ଘର ପାଖରେ । ସେଦିନ ବହୁତ ବର୍ଷା ଆଉ ଘଡ଼ଘଡ଼ି ହେଲା । କଳାହାଣ୍ଡିଆ ମେଘ । ବହୁତ କଷ୍ଟରେ ଭିଜି ଭିଜି ଦୁହେଁ ବିକାଶର ଭଡ଼ାଘରେ ପହଞ୍ଚି ଗଲେ । ଘର ଭିତରକୁ ଯାଇ ପୋଛାପୋଛି ହେଲା ପରେ ସଂଯୁକ୍ତା ଦାନ୍ତ କଡ଼ମଡ଼ ଶବ୍ଦ କଲା । ବିକାଶ କହିଲା ରୁହ ଟିକେ ଚାହା କରି ଆଣୁଛି । ବର୍ଷା ଥମିବାର ନାଆ ମଧ୍ୟ ଧରୁନାହିଁ । ରାତିରେ ରହିବାକୁ ହେଲା । ଆଉ ଶରୀର ପ୍ରତିକ୍ରିୟା କଲା ଘଟଣାଟି ମଧ୍ୟ ଘଟିଗଲା । ସେ ଘଟଣା ସମ୍ପର୍କ ରଜ୍ଜୁରେ ବନ୍ଧା ଥିଲେ ହୁଏ ଘଟଣା ନ ହେଲେ ଦୁର୍ଘଟଣା । ତେଣୁ ଏଇଟା ହେଲା ଦୁର୍ଘଟଣା । ବର୍ଷାର ମାଟିରେ ମଞ୍ଜି ପଡି ଅଙ୍କୁରୋଦ୍‌ଗମ ହେଲା । କଥାଟା ପରେ ଜଣା ପଡ଼ିଲା । ବିକାଶ କହିଲା ଏମିତି ଆମ ଘରେ ତୁମକୁ ଗ୍ରହଣ କରିବେନି । ପିଲାଟିକୁ ନଷ୍ଟ କରିଦିଅ । ଅନେକ ଚେଷ୍ଟା ପରେ ମଧ୍ୟ ଭ୍ରୁଣ ନଷ୍ଟ ହୋଇ ପାରିଲା ନାହିଁ । ସମୟ ହେଲା ଜନ୍ମର । ସହର ବାହାରେ ଏକ ଘରୋଇ ଡାକ୍ତର ଖାନାରେ ରାତି ୧୧ଟା ରେ ଜନ୍ମ ନେଲା ଶିଶୁଟି । ସଂଯୁକ୍ତାର ଅଚେତ ଅବସ୍ଥାରେ ବିକାଶ ନେଇଯାଇ ଶିଶୁଟିକୁ ଫୋପାଡ଼ି ଦେଇ ଆସିଲା ଆବର୍ଜନା କୁଣ୍ଡରେ ।

ସଂଯୁକ୍ତା ଚେତା ଫେରିଲା ସେ ପାଗଳ ପ୍ରାୟ ପିଲାଟିକୁ ଖୋଜିଲା, ଜାଣିପାରିଲା ସବୁ କଥା । କାନ୍ଦି କାନ୍ଦି ଥକି ଯାଉଥିଲା ପିଲାଟି । ଦୌଡ଼ି ଯାଇ ସେ ରକ୍ତ ପୂଜ ଥିବା ଆବର୍ଜନା ଭିତରୁ ତାକୁ ବାହାରକୁ ଆଣିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top