“ମା, ଆମ କ୍ଲାସରେ ବହୁତ ଝିଅ କାନ୍ଧ ପର୍ଯ୍ୟନ୍ତ ବାଳ ରଖିଛନ୍ତି, ଖୋଲା ରଖି ପାରୁଛନ୍ତି, ବିଭିନ୍ନ ଷ୍ଟାଇଲ କରି ପାରୁଛନ୍ତି । ମୋର ଏଇ ଲମ୍ବା ବାଳ ମୋତେ ବହୁତ ଅଡୁଆ କରୁଛି । ସ୍କୁଲ ଯିବା ପୂର୍ବରୁ କୁଣ୍ଡାଇ ବେଣୀ କରିବାକୁ ଗୁଡାଏ ସମୟ ଦରକାର,” ସରିତା କହିଲା ।
“ତତେ ମୁଁ ବି ତ ବେଣୀ ବାନ୍ଧିବାରେ ସାହାଯ୍ୟ କରେ ନା,” ମା କହିଲେ ।
“କିନ୍ତୁ ସବୁବେଳେ ତ କରି ପାରନା, ତୁମେ କାମ ବ୍ୟସ୍ତ ଥିଲେ ମୁଁ ହଇରାଣ ହୁଏ, ବାଳ ଧୋଇଲା ବେଳେ ବି ବହୁତ ସମୟ ଲାଗେ, ବାଳ ଧୋଇ ଶୁଖାଇ, କୁଣ୍ଡାଇ ସ୍କୁଲ ଯିବାକୁ ବହୁତ ସମୟ ଯାଏ, ପଢା ଠୁ ମୋର ବେଶୀ ସମୟ ବାଳ ଯତନରେ ହିଁ ଯାଏ, ତୁମେ ତ ବାଳ ଛାଡିବାକୁ ଦିଅନା, କୁହ ଜେଜେମା ରାଗିବେ, ଝିଅ ପିଲା ବାଳ ଛାଡିବାଟା, ଭଲ ଲକ୍ଷଣ ନୁହେଁ ‘’
“କଣ କରିବୁ କହ, ଜେଜେମାଙ୍କ କଥା ତ ମାନିବାକୁ ପଡିବ ନା ।
“ତୁମେ କଣ ମୋତେ ସପୋର୍ଟ କରି ପାରିବନି?”
“କରିଛି ପରା, ତେଣୁ ସ୍କୁଲ ଯାଉଛୁ । କିନ୍ତୁ ବାଳ କାଟିବା କଥା କହନା, ଲମ୍ବା ବାଳ ଥିଲେ ଝିଅ ପିଲା ସୁନ୍ଦର ଓ ନାରୀ ଲକ୍ଷ୍ମୀବନ୍ତ । ଆମ ପୂରାଣ ରେ ପରା ଲେଖା ହୋଇଛି,” ମା ଯୁକ୍ତି ବାଢନ୍ତି ।
“ନା ମା, ସେମିତି ଜମା ନୁହେଁ । ବାଳର ଲମ୍ବ ସହ ଆମ ଭାଗ୍ୟର ସମ୍ପର୍କ ବିଲକୁଲ ନ ଥାଏ,” ଯୁକ୍ତି କରେ ସରିତା ।
ପାକୁଆ ପାଟିରେ ପାନ ଚୋବାଉ ଚୋବାଉ ଜେଜେମା ଆସି କହେ, “କଣ କିଲୋ, ଦୁହେଁ କେଉ କଥା କୁ ନେଇ ଯୁକ୍ତି ତର୍କ ଲାଗିଛ?”
“ଏଇ ବାଳ କଥା, ବାଳ ଲମ୍ବା କି ଛୋଟ ଟା ଠି ମଣିଷ କେମିତି ଦେଖାଯିବ ହୁଏ ତ ଫରକ ପଡି ପାରେ, ମାତ୍ର ମଣିଷ ର ଭାଗ୍ୟ ବଦଳି ପାରେ କି, କହିଲ ଜେଜେମା ?” ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କରେ ସରିତା ।
“ଆଲୋ, ହେଇ, ଲମ୍ବା ବାଲ ରଖିବା କଣ ସମସ୍ତଙ୍କ ଭାଗ୍ୟରେ ଯୁଟେ, ବନାରସ ରେ କେତେ ବିଧବା ସବୁ ଅଛନ୍ତି, ଦେଖିଛୁ ? ସେମାନେ ସମସ୍ତେ ଲଣ୍ଡା, ସ୍ଵାମୀ ନ ଥିବା ରୁ ବାଳ ରଖିବା ମନା ।”
“ରଖିଲେ କଣ ହେବ?”
“ଘୋର ବିପତ୍ତି ଲ ମା । ପୁଣି ଆକର୍ଷିତ ହୋଇ ପୁରୁଷ ମାନେ ତାଙ୍କୁ ଦେଖିବେ । ବିଧବା ଙ୍କ ମୁହଁ ଚାହିଁବା ମନା । ରାମ-ରାମ, ବହୁତ ବଡ ଦୋଷ ଲାଗିବ…….।’’
“ସେ ସବୁ ଅନ୍ଧବିଶ୍ଵାସ ଓ ଆଗ ଯୁଗର ଅଯୁକ୍ତିକର କଥା । ତା ଛଡା, ଏ ସବୁ ପୁରୁଷ ପ୍ରାଧାନ୍ୟ ସମାଜ ର ପ୍ରଥା ଜେଜେମା, ଏବେ ଯୁଗ ଯାଇ କେଉଁଠି ପହଞ୍ଚିଲାଣି,” ପୁଣି ଜେଜେମା କୁ ବୁଝାଇବାକୁ ଚେଷ୍ଟା କରେ ସରିତା ।
ମାତ୍ର ପାରେନି ! ମା ଏହି ସୁଯୋଗ ଦେଖି ପଳାଇ ଯାନ୍ତି ସେଠାରୁ । ନିଜ ଝିଅ ର କଥା କିଛି ମାତ୍ରାରେ ଠିକ ହେଲେ ବି ଶାଶୁଙ୍କ ଆଗରେ କେମିତି ମୁହଁ ଖୋଲିବେ? ଖୋଲି ପାରେନ୍ତେ ଯେ, ସରିତା ର ବାପା ପୁଣି କହିବେ, ‘ସେ ମୋ ମା ! ଯାହା କହୁଛି କହୁ, କେତେ ଦିନ ଆଉ ବଞ୍ଚିବ?’ ଚୁପ ରହନ୍ତି ସରିତାର ମା । ବଡ ଓ ସମ୍ମାନସ୍ପଦ ବୋଲି ଯେ ଭୂଲ କଥା ସବୁ କହିବେ ତା ଠିକ ନୁହେଁ, ମନକୁ ମନ କହି ଚୁପ ରହନ୍ତି ସେ । ଭାବନ୍ତି, କାହିଁକି କେଜାଣି, ଆମ ସମାଜ ରେ ଭୂଲ ର ବିରୋଧ କରିବାକୁ, ପ୍ରଶ୍ନ ପଚାରିବାକୁ ସାଧାରଣ ମଣିଷର ପ୍ରକୃତି ବୋଲି ସ୍ଵୀକୃତି ନ ମିଳିଲା ନାହିଁ, ତାକୁ ବିଦ୍ରୋହର ରୂପ ତ ଦିଆ ନ ଯାଉ ।
ଏମିତି ଦିନ ଗଡି ଚାଲେ ।
ସରିତା ଉଚ୍ଚ ମାଧ୍ୟମିକ ପରୀକ୍ଷା ଦେଇ ସାରି ଥାଏ, ଫଳାଫଳ ର ଅପେକ୍ଷା । ସେଦିନ ସାଙ୍ଗ ଘରୁ ଫେରି ଦେଖିଲା ଘରେ କିଛି ଲୋକ ଥିଲେ, ସରିତା ଆସିବା ପରେ ବାପାଙ୍କ ସହ କଥା ହୋଇ ଚାଲିଗଲେ । ଘରେ ପଶି ଜିନିଷ ସବୁ କୁ ଦେଖି ସରିତା ଜାଣିଲା, ଅତିଥି ମାନଙ୍କର ଖୁବ ଚର୍ଚ୍ଚା ହୋଇଛି । ଜରି ଓ ଅନ୍ୟାନ୍ୟ ପ୍ୟାକିଙ୍ଗ ରୁ ଦୋକାନ ସବୁ ର ନା ଦେଖି ବୁଝି ଗଲା ଯେ ବିଭିନ୍ନ ପ୍ରକାର ମିଷ୍ଟାନ୍ନ, ଫଳ, ଚାହା ରେ ଆପ୍ୟାଇତ ହୋଇଛନ୍ତି ଅତିଥି । ତାକୁ ଆଶ୍ଚର୍ଯ୍ୟ ଲାଗିଲା ଘରେ ତ ପର୍ବ ପର୍ବାଣି ର ପିଠା ପଣା କୁ ଛାଡି ଦେଲେ ଘରେ ଦୋକାନ ରୁ ଏତେ ପ୍ରକାରର ଖାଦ୍ୟ ଆସେନି ।
“କିଏ ସେମାନେ ଆସିଥେଲେ ମା?” ପଚାରିଲା ସରିତା ।
“ପାଖ ଗାଁ ର ଜଣେ ଦାଦା, ତୋ ବାପାଙ୍କୁ ଚିହ୍ନନ୍ତି । ତୋ ପାଇଁ ପ୍ରସ୍ତାବ ନେଇ ଆସିଥିଲେ । ପିଲାଟି ବାହାରେ କାମ କରୁଛି, ଜମି ବାଡି ଅଛି, ଭଲ ପ୍ରସ୍ତାବ ।”
“ବାହାଘର? ମୁଁ ତ ଏଇ ମାତ୍ର ପରୀକ୍ଷା ଦେଇଛି, ଆଗକୁ ଆହୁରି ପଢିବି । ପୁଲିସ ଅଫିସର ହେବାର ଲକ୍ଷ୍ୟ ଅଛି ମୋର,” କାନ୍ଦି ପକଇଲା ସରିତା ।
“ଲୋ ମା, ଯେତକ ପଢିଲୁ ଢେର, ସେତକ ଯଥେଷ୍ଟ । ବାହା ହେବା ବୟସ ହେଲାଣି, ଡେରି କରିବା ଠିକ ନୁହଁ ।”
ଜେଜେମା ମୁହଁରୁ କଥା ଛଡାଇ ନେଇ ସରିତା କହିଲା, “ଜାଣିନୁ କି ଝିଅ କୁ ଏକୋଇଶ ନ ପୁରିଲେ ବାହା ଦେବା ଆଇନ ସମ୍ମତ ନୁହେଁ?”
‘’ଆଲୋ ଏକୋଇଶି, ଆହୁରି ତିନି ଚାରି ବରଷ । ମୁଁ ବଞ୍ଚିଥିବି ତ ପୂଣ୍ୟ ପାଇବାକୁ? ବଞ୍ଚି ଥାଉ ଥାଉ ନାତୁଣୀ କୁ ବାହା ଦେଲେ ସିନା ସ୍ଵର୍ଗ କୁ ଯାନ୍ତି ।”
“ତୁ ସ୍ଵର୍ଗକୁ ଯା’ କି ନ ଯା, ମୁଁ କିନ୍ତୁ ବାହା ହେବିନି । ମୋତେ ତ ଅଠର ବି ପୁରିନି, ଥାନା ରେ ଅଭିଯୋଗ କଲେ ତୁମେ ସମସ୍ତେ ଜେଲ ଯିବ,” ରାଗରେ ଫାଟି ପଡୁଥିଲା ସରିତା ।
“ତତେ ବଢେଇ, କୁଢେଇ ପାଠ ପଢାଇ ଥିଲେ ଶେଷରେ ଏଇ ଦିନ ଦେଖିବାକୁ? ତୋର ଲାମ୍ବା ବାଳ ଦେଖି, ତତେ ପସନ୍ଦ କରିଛି ସେ ଟୋକା । ବୟସ ବେଶୀ ହେଲେ କିଏ ପଚାରିବ ଲୋ?” କଥା ଟା ସିଧା ହୃଦୟରେ ଲାଗିଲା ସରିତାର, ବାପା ମାଙ୍କୁ ଚାହିଁଲା, ଦୁହିଁଙ୍କ ନୀରବତା ହିଁ ତାର ସବୁ ପ୍ରଶ୍ନ ର ଉତ୍ତର ଦେଇ ଦେଉଥିଲା ।
ଦମ ଦମ କରି ଲୁହ ଆଉ କୋହ ନେଇ ସରିତା ଶୋଇବା ଘରେ ପଶିଯାଇ କବାଟ ବନ୍ଦ କରିଦେଲା, କେହି ଡାକିଲେ ଶୁଣିଲାନି କି ଖିଆ-ପିଆ ବି କଲାନି ସେ ରାତି ଟା ।
ତା ପର ଦିନ ସକାଳୁ କାହାକୁ କିଛି ନ କହି ବାହାରକୁ ବାହାରି ଗଲା ସରିତା, ଫେରିଲା କିଛି ସମୟ ପରେ । ଫେରିବା ପରେ ତାକୁ ଦେଖି ମା’ଙ୍କ ହାତରୁ ବାସନ ତଳେ ପଡି ଯାଇଥିଲା, ହତବାକ ହୋଇ ଚାହିଁ ଥିଲେ ତାକୁ ।
“ଆଲୋ, କଣ ହେଲା?’’ କହି ଜେଜେମା ବାହାରି ଆସିଲା ବାଡି ପଟ ରୁ, ସରିତା କୁ ଚାହିଁ ଦେଇ ମୁଣ୍ଡ ତାଙ୍କର କଣ ହୋଇଗଲା ।
ସରିତା ଛିଡା ହୋଇ ଥିଲା ନିର୍ବିକାର ଭାବେ ତାର ଏଇ ସଦ୍ୟ ଲଣ୍ଡା ମୁଣ୍ଡ ନେଇ । ତାର କଳା ମଚ ମଚ ଘନ କେଶ ର ବେଣୀ ଟି ଯାହା ନିତମ୍ବ ପର୍ଯ୍ୟନ୍ତ ଝୁଲୁଥିଲା, ଆଉ ନ ଥିଲା ତା ମୁଣ୍ଡ ଉପରେ । ତାର ସବୁ ଆଶାରେ ଅନ୍ତରାୟ ସୃଷ୍ଟି କରୁଥିବା ଲାମ୍ବା ବାଳ କୁ ସେ କାଟି ଫୋପଡ଼ି ଦେଇ ଥିଲା ।
ଜେଜେମା କାନ୍ଦି କାନ୍ଦି ଲୋଟି ଯାଉଥିଲେ- “କଣ କଲୁ ଆଲୋ ପୋଡା ମୁହିଁ ! ପାଠ ପଢିବୁ, ବାହା ହେବୁ ନି ବୋଲି ଏତେ ସୁନ୍ଦର ବାଳକୁ ହରାଇ ଦେଲୁ, ପୁଣି କେତେ ବର୍ଷ ଲାଗିବ ସେ ବାଳକୁ ବଢି ସେତେ ଲମ୍ବା ହେବାକୁ ! ସୁନ୍ଦର ପ୍ରସ୍ତାବ ଟି ହାତରୁ ଚାଲିଗଲା..ଇତ୍ୟାଦି ଇତ୍ୟାଦି ।” ମା ନୀରବରେ ଆଖିରୁ ଲୁହ ଗଡାଇ ଚାଲିଥିଲେ । ଖୁସି କି ଦୁଖ ବୁଝିବାକୁ ଇଚ୍ଛା ନ ଥିଲା ସରିତାର ।
ଉତ୍ସାହ ଓ ବିଜୟ ଉଲ୍ଲାସ ସରିତାର ରୋମ ରୋମରେ ଖେଳି ଯାଉଥିଲା ।