ସପ୍ତାହାନ୍ତରେ ଶନିବାର, ରବିବାର ଦୁଇଦିନର ଛୁଟି । ପାଞ୍ଚ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଏଇ ଛୁଟି ଦୁଇଦିନ ଭଲ ତ ଲାଗେ, କିନ୍ତୁ ବିଶ୍ରାମ ପୁରା ହେଲା ପରି ଲାଗେନି । ଶନିବାର ସକାଳ ବେଳାଟା ଶୋଇବାରେ ଚାଲିଯାଏ, ଉପର ବେଳାଟା ସପିଙ୍ଗରେ, ସନ୍ଧ୍ୟାରେ ହଷ୍ଟେଲର ନିଜ ରୁମରେ ରେଷ୍ଟନେଇ ପୁରା ଦିନଟି କଟିଯାଏ । ବାକି ବଞ୍ଚିଲା ରବିବାରଟା, ବଡ ଅଳସୁଆ ଲାଗେ, ମନହୁଏ କିଏ ଜଣେ ସାଙ୍ଗରେ ଥାଆନ୍ତା କି ! ଦି’ପହରର ଅଳସ ମୁହୂର୍ତ୍ତରେ ସାଙ୍ଗ ହୋଇ ବାହାରି ଯାଆନ୍ତେ ମୁମ୍ବାଇର ରବିବାସରିୟ ସରସ ରାଜ ରାସ୍ତାରେ । ରାସ୍ତା କଡର ଚଟପଟା ଷ୍ଟ୍ରିଟ୍ ଫୁଡର ମଜାନେଇ, ଝାଲମୁଢି ଖାଉ ଖାଉ ସମୁଦ୍ର କୁଳରେ ଘେରାଏ ବୁଲି ଆସନ୍ତା ।
ବେଳାଭୂମିରେ ପାଣି ମଠାରୁ ଅଳ୍ପ ଦୂରରେ ସେହି ସ୍ୱପ୍ନର ବନ୍ଧୁଟି ସହିତ ବସି, ହାତରେ ହାତ ଛନ୍ଦିଦେଇ ଢେର ସାରା ଗପନ୍ତା । ହେଲେ ଜୀବନଟା ଏତେ ସୁନ୍ଦର ନଥିଲା ତା ପାଇଁ । ନିଜକୁ ଭାରି ଏକୁଟିଆ, ଏକୁଟିଆ, ନିରାଶ, ନିସଙ୍ଗ, ଖାଁ ଖାଁ ଲାଗେ, ତା ପାଇଁ ଜୀବନଟା ପୁରା ନିରସ ଥିଲା । ଆଜି ସକାଳୁ କାହିଁକି କେଜାଣି ଆକାଶର କଥା ବହୁତ ମନେ ପଡୁଥିଲା ତାର । ସେ ଆସନ୍ତା ହେଲେ, ଦି’ ଘଣ୍ଟା ପାଇଁ । କିନ୍ତୁ ସିଏ ବା କାହିଁକି ଆସିବ ! ସେ କଣ ତାର ପ୍ରମିକ ନା ତାର କିଛି ନିବିଡ ସମ୍ପର୍କ ଅଛି ଆକିଶ ସହିତ !
ସେମାନେ କେବଳ ୟୁନିଭରସିଟିରେ ଏକାଠି, ଏକା ସବଜେକ୍ଟ, ଏକା କ୍ଲାସରେ ପଢୁଥିଲେ ବୋଲି କେବଳ ଟିକିଏ ବନ୍ଧୁତା ହୋଇ ଯାଇଥିଲା। ଆକାଶର ପଞ୍ଝାଏ ସାଙ୍ଗମାନଙ୍କ ଭିତରେ କୃଷ୍ଣା କେବଳ ଜଣେ ସାଧାରଣ ବନ୍ଧୁ ଥିଲା । ୟୁନିଭରସିଟିର ବେଷ୍ଟ ଷ୍ଟୁଡେଣ୍ଟ ଥିଲା ସିଏ, ଭଲ ଗୀତଗାଏ, କିଛି କିଛି କବିତା ବି ଲେଖେ, ସେଥିପାଇଁ ସମସ୍ତେ ତାକୁ ବହୁତ ଭଲ ପାଆନ୍ତି । ତା ସହିତ ବନ୍ଧୁତା କରିବାକୁ ମଉକା ଖୋଜନ୍ତି । ୟୁନିଭରସିଟିର ଅଧା ଝିଅ ତା ପଛରେ ପଡି ଯାଇଥିଲେ ।
କାହିଁକି ପଡିବେନି ଯେ, ସିଏ ତ ସେମିତି, କୋଟିକରେ ଗୋଟିଏ ପିଲା ଥିଲା । ପ୍ରାୟ ଛ’ଫୁଟର ଗୋରା ତକ୍ ତକ୍ ଡେଙ୍ଗା ପିଲାଟା, ଫିଲ୍ମ ହିରୋ ପରି ଦିଶେ । ପାଠ ପଢାରେ ଯେମିତି, ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିରେ ବି ସେମିତି ବେଷ୍ଟ ଥିଲା । ଷ୍ଟୁଡେଣ୍ଟ ଅଫ୍ ଦ ଇୟର ଦୁଇ ବର୍ଷରେ ଦୁଇ ଥର ଟ୍ରଫି ଲଗାତାର ଜିତିଥିଲା । ହେଲେ କାହିଁକି କେଜାଣି ଗୋଟିଏ ବି ଝିଅ ତାର ପ୍ରେମ ଜିତି ପାରିଲାନି । ପଦ୍ମ ପତ୍ରରେ ପାଣି ଢଳ ଢଳ ହେଲା ପରି ସେ ସମସ୍ତଙ୍କ ମନରେ ତ ଥିଲା, ହେଲେ କେହି ତାକୁ ଛୁଇଁ ପାରୁ ନଥିଲେ । ସମସ୍ତେ ଭାବୁଥିଲେ ଆକାଶର ବୋଧହୁଏ ଗୋଟିଏ ଗୁମନାମ ପ୍ରେମିକା, କୋଉଠି ନା କୋଉଠି ଲୁଚିକି ରହିଛି । ନହେଲେ ଫଗୁଣର ହୋଲି ଦିନରେ ଗୋପ ବଜାରର ଗଳିରେ, ଗୋପୀ ଗହଳରେ ବୁଲି ବି ଦେହରେ ଟୋପାଏ ରଙ୍ଗ ନଲାଗେବା ବଡ ଅଜବ କଥା ନୁହେଁ ?
କିନ୍ତୁ କୃଷ୍ଣାକୁ ଅନେକ ଥର ଏପରି କାହିଁକି ଲାଗେ, ଆକାଶ ଯେପରି ସବୁବେଳେ ତାର ନିକଟତର ହେବାକୁ ଚେଷ୍ଟା କରୁଥିଲା । ଏମିତି କିଛି ପାଠ ନଥିଲା ଯେଉଁଥିରେ ଆକାଶର କୌଣସି ଡାଉଟ୍ ରହିଯିବ । କ୍ଲାସର ବେଷ୍ଟ ଷ୍ଟୁଡେଣ୍ଟ ଥିଲା ସିଏ, ତଥାପି, ପ୍ରାୟ ଅନେକ ସମୟରେ ନିଜର ଡାଉଟ୍ କ୍ଲିୟର କରିବାକୁ ସେ କୃଷ୍ଣା ପାଖକୁ ଚାଲି ଆସୁଥିଲା, ଏମିତି ଅନେକ ଥର । କୃଷ୍ଣା ବହୁତ କ୍ଳିୟର ଭାବେ ସବୁ ବୁଝାଇ ସାରିଲା ପରେ ବି ଆକାଶ ନବୁଝିବାର ବାହାନା କରି ଆଉ ଥରେ ବୁଝାଇବାକୁ ଅନୁରୋଧ କରୁଥିଲା ।
କୃଷ୍ଣାକୁ କାହିଁକି ଲାଗୁଥିଲା ତା ସହିତ କିଛି ଅଧିକ ସମୟ ବିତେଇବା ପାଇଁ, ଏ ସବୁ ଆକାଶର ବାହାନା ଥିଲା । କୃଷ୍ଣା ଚେଷ୍ଟାକରେ, ଆହୁରି ସରଳ ଭାବେ ପୁଣି ଥରେ ସେହି ପ୍ରଶ୍ନର ଉତ୍ତର ବୁଝେଇ ଦେବାକୁ, କିନ୍ତୁ ତେବେ ବି ଆକାଶକୁ ସବୁ ଅବୁଝା ରହିଯାଏ, ଏମିତି ବାରମ୍ବାର ହୁଏ । ଦୁଇ ତିନି ଘଣ୍ଟା ସମୟ ଗୋଟିଏ ପ୍ରଶ୍ନର ଉତ୍ତର ବାରମ୍ବାର ବୁଝାଇ ବୂଝାଇ କୃଷ୍ଣାକୁ ବିରକ୍ତ ଲାଗେ, ହେଲେ ସେ ମୁହଁ ଖୋଲି ଆକାଶକୁ କିଛି ବି କହି ପାରେନା । ତାକୁ ଚାଲି ଯିବାକୁ ବି କହି ପାରନା । କାରଣଟା କିନ୍ତୁ କୃଷ୍ଣାକୁ ଜଣା ନଥିଲା, ହୁଏତ ଆକାଶର ସାନ୍ନିଧ୍ୟ ତାକୁବି’ ଭଲ ଲାଗୁଥିଲା । ଆକାଶ ଏମିତି ସାମ୍ନାରେ ବସି ତା ମୁହଁକୁ ଚାହିଁ ରହିଥିବ, ବାରମ୍ବାର ଆଖିରେ ଆଖିର ଟକ୍କର ହୋଇ ଯାଉଥିବ ଏବଂ ଉଭୟ ଟିକିଏ ଲିଜମିଶା ହସ, ହସି ଦେଉଥିବେ !
ଏ ସବୁ କଣ ପ୍ରେମ ଥିଲା ? ତେବେ ଆକାଶ କଣ ତାକୁ ହିଁ ପ୍ରେମ କରୁଥିଲା ? ହେଲେ ସେ କେବେ ବି ସେମିତି କିଛି କହିନି, ଏମିତି କିଛି ଇସାରା ବି କେବେ ଦେଇନି । କେମିତି କହିଦେବ କୃଷ୍ଣା, ଯେ ଆକାଶ ତାକୁ ଭଲପାଉଥିଲା ବୋଲି । କୃଷ୍ଣା ବି’ ମନେ ମନେ ଆକାଶର ପ୍ରେମରେ ପଡି ଯାଇଥିଲା ଯେମିତି, ହେଲେ…… ହେଲେ, ସେ କେମିତି କହି ଥାଆନ୍ତା ଆକାଶକୁ, ଆଇ ଲଭ ୟୁ ବୋଲି ? କେବଳ ଗୋଟିଏ ଝିଅ ହୋଇ ଆଗୁଆ ପ୍ରେମ ନିବେଦନ କରିଲେ ଲାଜ ଲାଗିବ ବୋଲି ନୁହେଁ, ବରଂ ଆହୁରି ଅନେକ କାରଣ ଥିଲା କୃଷ୍ଣା ପାଖରେ, ସେ ଆକାଶକୁ ଭଲପାଉ ଥିଲେ ବି, ମନର ପ୍ରେମକୁ ମନରେ ଲୁଚାଇ ରଖିବା ପାଇଁ ତା ପାଖରେ ଅଜସ୍ର କାରଣ ଥିଲା । କିନ୍ତୁ ଆକାଶ ଯଦି ଭଲ ପାଉଥିଲା, ତେବେ ସେ କାହିଁକି ନିରବ ଥିଲା ? ତା ପାଖରେ ନିଜର ପ୍ରେମ ପ୍ରକାଶ କରି ନ ପାରିବାର ଏପରି କିଛି ଗୋଟିଏ ବି କାରଣ ଥିଲା ପରି ତ କେବେ ମନେ ହୁଏନା ।
ହଠାତ କବାଟରେ କାହାର ଠକ୍ ଚକ୍ କରିବାର ଶବ୍ଦରେ କୃଷ୍ଣାର ଧ୍ୟାନ ଭାଙ୍ଗିଗଲା, ସେ ବେଡରୁ ଉଠି କବାଟ ଖୋଲି ଯାହା ଦେଖିଲା, ସେଥିରେ ସେ କେମିତି ପ୍ରତିକ୍ରୀୟା କରିବ ଭାବିପାରୁ ନଥିଲା । ବଡ ବଡ ଆଖି କରି ଅନେଇ ରହିଥାଏ ଆଗନ୍ତୁକଙ୍କୁ । ବଡ ଅସମଞ୍ଜସ ସ୍ଥିତିରେ ଥିଲା କୃଷ୍ଣା, ତାର ମନ ହେଉଥିଲା ସେ ଧାଇଁଯାଇ ଆଗନ୍ତୁକକୁ ନିଜ ବାହୁ ବନ୍ଧନରେ ଜାବୁଡିଧରିବ, ତାଆଲିଙ୍ଗନରେ ନିଜକୁ ହଜେଇ ଦେବ । ତା ଦେହ ସାଙ୍ଗରେ ତା ଦେହକୁ ମିଶାଇ ଏକ ହୋଇଯିବ ଅବା ତା ମୁହଁକୁ ନିଜର ଦୁଇ ହାତରେ ଜାବୁଡି ଧରି ଚୁମିଯିବ ତାର ମୁହଁ ସାରା । ପୁରା ମୁହଁକୁ ତାର ରଙ୍ଗେଇ ଦେବ ନିଜର ଲିପଷ୍ଟିକ ରଙ୍ଗର ଦାଗରେ । ହେଲେ, ସେମିତି କିଛି ବି କରି ପାରୁ ନଥିଲା ସେ, କିଛି ବି କହି ପାରୁନ ଥିଲା, ଏପରି ଏକ ବିଚିତ୍ର ଅବସ୍ଥା ଥିଲା କୃଷ୍ଣାର। ସେହି ମୁହୁର୍ତ୍ତର ଦୃଶ୍ୟକୁ ଠିକ ଠିକ ଭାବେ ବର୍ଣ୍ଣନା କରିବାକୁ ଶବ୍ଦ ବି ନାହିଁ ଦୁନିଆରେ । କୃଷ୍ଣାର ଏପରି ତଟସ୍ଥ ଅବସ୍ଥା ଦେଖି ଆକାଶ ମୁହଁ ଖୋଲିଲା । କହିଲା “ଆରେ ଏମିତି କଣ ଚାହିଁଛୁ ? ଦିନ ଦି’ପହରରେ ମୁଁ ଭୂତ ନୁହେଁ, ପୁରା ଜିଅନ୍ତା ମଣିଷଟେ” ।
ଯେମିତି ସିନେମାରେ ହୁଏ, ଗୋଟିଏ ଭୟାନକ ଝଡ ସିନ୍ ମଝିରେ ହଠାତ୍ ପଜ୍ କରି ପୁଣି ରିପ୍ଲେକଲେ ଯେପରି ହୁଏ, ସେପରି ଥିଲା କୃଷ୍ଣାର ରିଆକ୍ସନ, ସତେ ବା ବୁଢି ଅସୁରୁଣୀର ଅଭିଶାପରେ ଅଭିଶପ୍ତ କେଉଁ ଏକ ରାଜ କୁମାରୀର ପଥର ମୂର୍ତ୍ତି, ହଠାତ୍ ଏକ ଅଜଣା ରାଜ କୁମାର ହାତର ଯାଦୁଇ ସ୍ପର୍ଶ ପାଇ ଜୀବନ୍ତ ହୋଇ ଗଲା । ସଦ୍ୟ ହୋସ ଫେରି ପାଇଥିବା କୃଷ୍ଣା, ନିଜର ଖୁସିକୁ ଠିକ୍ ଠିକ୍ ପ୍ରକାଶ କରିପାରୁ ନଥିଲା । ନିଜକୁ ପ୍ରକୃତିସ୍ଥ କରି ବଡ କଷ୍ଟରେ କୃଷ୍ଣା କହିଲା, ଆରେ ଆକାଶ, ତୁ ? ଏମିତି, ଏଇଠି ? ତୁ ପୁରା ଶହେ ବର୍ଷ ବଞ୍ଚିବୁ ରେ । ତୋରି କଥା ଭାବୁଥିଲି ଏବେ । ଆକାଶ ଟିକିଏ ହସି କହିଲା, ସତରେ? ମୋର କାହିଁକି ବିଶ୍ୱାସ ହେଉନି, ତୁ ମୋ କଥା ଭାବୁଥିବୁ ବୋଲି । କୃଷ୍ଣା ଟିକିଏ ହସି ଦେଇ, କହିଲା, ଠିକ୍ ଅଛି, ମୁଁ ଗୋଟେ ମିଛେଇ, ଏବେ ଠିକ୍ ତ? ଆ ଭିତକୁ ଆ, କହି ଚଉକିଟାକୁ ବେଡ ପାଖକୁ ଟାଣିଆଣି, ବସ କହି ନିଜେ ଖଟଟା ଉପରେ ଚକାମଲି କରି ବସିଗଲା ।
: ଚା ପିଇବୁ ନା କୋଲ୍ଡଡ୍ରିଙ୍କ ? କୃଷ୍ଣା ପଚାରିଲା ।
: ଆକାଶ କହିଲା ସ୍ପ୍ରିଣ୍ଟ ଅଛି ?
କୃଷ୍ଣା ଟିକେ ହସିଲା ଏବଂ ଦୁଇଟି ଗ୍ଲାସରେ ସ୍ପ୍ରିଣ୍ଟ ଭରି ନେଇଆସିଲା ଆଉ ପିଉ ପିଉ ପଚାରିଲା, ଆଜି କେମିତି ଦର୍ଶନ ଦେଇଦେଲୁ ?
ଆକାଶ କହିଲା, ମେସ୍ ରେ ବୋର ହେଉଥିଲି । କିଛି କାମ ନାହିଁ, ସକାଳୁ ଲାପଟପ୍ ରେ ଫିଲ୍ମ ଦେଖି ଦେଖି ଥକିଗଲି । କେବେଠୁ ଭାବୁଥିଲି ସନ-ଡେ ଦେଖି ଥରେ ତୋ ହଷ୍ଟେଲଟା ଦେଖି ଆସିବାକୁ, କିନ୍ତୁ ଆସି ପାରୁ ନଥିଲି । ଆଜି ସମୟ ଥିଲା, ତେଣୁ ଚାଲି ଆସିଲି । ପ୍ରଥମେ ତୋତେ ଫୋନ କରି ଆସିବି ବୋଲି ଭାବୁଥିଲି, କାଳେ ତୁ ଥିବୁ କି ନଥିବୁ, କିନ୍ତୁ ପରେ ଭାବିଲି ହଠାତ୍ ପହଞ୍ଚି, ତୋତେ ଗୋଟେ ସରପରାଇଜ୍ ଦେଇଦେବି, ଯଦି ତୁ ମିଳି ନଥାନ୍ତୁ ତେବେ ନିଜେ ଗୋଟେ ସର୍ପରାଇଜ ନେଇ ଫେରିଯାଇ ଥାଆନ୍ତି । ତୁ କଣ କିଛି କାମ କରୁଥିଲୁ ଏବେ ? ମୁଁ ଏମିତି ଆସି ତୋତେ କିଛି ଡିଷ୍ଟର୍ବ କରୁନି ତ ?
ଆକାଶ ଓଠ ଉପରେ ନିଜର ହାତ ରଖିଦେଇ କୃଷ୍ଣା କହିଲା, ଆରେ, ତୁ କେମିତି କଥା କହୁଛୁ ଆକାଶ ? ତୁ ଆସିଲେ ମୁଁ ଡିଷ୍ଟର୍ବ ହେବି ? ତୁ ଆସିଲୁ, ସେଇଟା ମୋ ପାଇଁ ବଡ ଭାଗ୍ୟର କଥା । କିଛି କାମ ନଥିଲା, ମୁଁ ବି ବସି ବସି ବୋର ହେଉଥିଲି, ଭାବିଲି ଟିକିଏ ଶୋଇ ପଡିବି, ହେଲେ, ବେଡରେ ଯେମିତି ପଡିଲି, କାହିଁକି କେଜାଣି ୟୁନିଭରସିଟି କଥା ସବୁ ମନେ ପଡିଗଲା, ଆଉ ତାରି ଭିତରେ ତୁ । ତୁ ତ ପୁରା ଷ୍ଟୋରିଟାକୁ କଭର କରିଗଲୁ, ଆଉ କିଛି, କିମ୍ବା ଆଉ କାହା କଥା ଭାବିବାକୁ ସମୟ ନଥିଲା । ଯେଉଁ ଆଡକୁ ଦେଖିଲେ କେବଳ ତୁହିଁ ଆଖି ଆଗରେ ଆସୁଥିଲୁ, କହି କୃଷ୍ଣା ଟିକିଏ ଲାଜେଇ ଗଲା ।
ଆକାଶ କହିଲା, କିଛି କାମ ନାହିଁ ଯଦି ରୁମରେ ବସି ବୋର ହେବା ଅପେକ୍ଷା ଚାଲୁନୁ ବାହାରୁ ଟିକେ ବୁଲି ଆସିବା । ମୁମ୍ବାଇ ଆସିବା ଛ’ ମାସ ହୋଇ ଗଲାଣି, ତଥାପି କେବେ ସମୁଦ୍ର ଦେଖିବାକୁ ଯାଇନି । କହନ୍ତି ମୁମ୍ବାଇ ବିଚ୍ ବହୁତ ରୋମାଣ୍ଟିକ୍ । ଚାଲ ବିଚ୍ ଆଡୁ ଘେରାଏ ବୁଲି ଆସିବା ।
କୃଷ୍ଣା କହିଲା, କିଛି ସମୟ ଆଗରୁ ମୁଁ ବି ସେଇ କଥା ଭାବୁଥିଲି, ସବୁ ଦିନ ସେଇ ଅଫିସ ଆଉ ହଷ୍ଟେଲ ହୋଇ ହୋଇ ମନ ଭରି ଗଲାଣି । କୁଆଡେ ବାହାରକୁ ଯାଇ ହେଉନି, ନୁଆ ଜାଗା, କେହି ସାଙ୍ଗରେ ନାହାନ୍ତି । ତୁ ଆସିଲୁ ଭଲ ହେଲା, ଚାଲ, ମୁଁ ଦୁଇ ମିନିଟରେ ରେଡି ହୋଇ ଆସୁଛି କହି ବାଥରୁମରେ ପଶିଗଲା କୃଷ୍ଣା ।
x x x x x x
ସଂଧ୍ୟା ହେବାକୁ ତଥାପି ଅନେକ ଡେରିଥାଏ । କିନ୍ତୁ ପଶ୍ଚିମ ଆକାଶରେ ସୂର୍ଯ୍ୟ ତାର ରଙ୍ଗ ବଦଳେଇ ସାରିଲାଣି, ଏବେ ଆଉ ସେ ତେଜ ନାହିଁ, ସେଇ ନାରଙ୍ଗୀ ସୂର୍ଯ୍ୟରେ । ଆକାଶଟା ବି ବିଦାୟୀ ସୂର୍ଯ୍ୟର ରଙ୍ଗରେ ନାଲିଆ ହୋଇ ସାରିଲାଣି, ତା ସହିତ ସମୁଦ୍ରର ଢେଉ ସୂର୍ଯ୍ୟର ନାଲିଆ ରଙ୍ଗକୁ ସମୁଦ୍ର ପାଣିରେ ଯେମିତି ଫେଣ୍ଟି ଚାଲିଥିଲେ । ନୀଳ ସମୁଦ୍ରରେ ନାଲିଆ ନାଲିଆ ଢେଉ ସବୁ କୁଳରେ ପିଟିହୋଇ ପୁଣି ଫେରି ଯାଉ ଥାଆନ୍ତି । ଆକାଶରେ ଘର ବାହୁଡା ପକ୍ଷୀ ସବୁ ବିଚିତ୍ର ଡିଜାଇନ୍ ତିଆରି କରି, ତାଙ୍କର ଲିଡର ପଛରେ ‘ଭି’ସେପ୍ ରେ ଉଡି ଯାଉ ଥାଆନ୍ତି । ସବୁ କିଛି ମିଶି, ଏକ ରୋମାଣ୍ଟିକ୍ ପରିବେଶର ସରଞ୍ଚନା ହୋଇ ସାରିଥାଏ ।
ସମୁଦ୍ରର ଲୁଣମିଶା ପବନରେ ସତେ ଯେମିତି ପ୍ରେମର ନିଶା ଫେଣ୍ଟି ହୋଇ ବୋହି ଆସୁଛି । ହେଲେ ଏ ପ୍ରେମର ମହକ, ପାଣି ଠାରୁ ଟିକିଏ ଦୂରରେ ବସିଥିବା ଦୁଇଟି ପ୍ରାଣୀଙ୍କ ମନରେ କିଛି ପ୍ରେମ ସଞ୍ଚାର କରି ପାରିବ, କି ନାହିଁ, ବଡ ସନ୍ଦେହ ହେଉଥିଲା । ମୁମ୍ବାଇ ବିଚ୍ ର ଏଇ ରୋମାଣ୍ଟିକ ପବନ ହୁଏତ ତାର ଚେଷ୍ଟା ତଥାପି ଜାରି ରଖିଥିଲା ।
ନିରବତା ଭାଙ୍ଗି କୃଷ୍ଣା କହିଲା, ସବୁ ଦିନ ସେଇ ଗୋଟାଏ କାମ, ଅଫିସ ଯାଅ, ଦିନ ସାରା କି’ବୋର୍ଡ ସାମ୍ନାରେ ବସି ପ୍ରୋଗ୍ରାମ କୋଡିଙ୍ଗ କର, ସଫ୍ଟୱୟାର ଡେଭେଲପ କର, ସଂଧ୍ୟାରେ ଥକି ହାରି ଅଫିସରୁ ହଷ୍ଟେଲକୁ ଫେର, କଣ ଟିକେ ଖାଇଦେଇ ଶୋଇପଡ । ସକାଳୁ ଉଠିଲେ ପୁଣି ସେଇ ଏକା ରୁଟିନରେ ବନ୍ଧା ଜୀବନ । ଜୀବନଟା ସତେ ଆଉ ଜୀବନ ପରି ଲାଗୁନି । ଲାଗୁଛି ଯେମିତି କିଏ ଆମ ଭିତରେ କିଛି ପ୍ରୋଗ୍ରାମିଂ କରି ଦେଇଛି, ଏବଂ ଆମ ଜୀବନର ହାର୍ଡଡିସ୍କରେ ଗୋଟାଏ ସଫ୍ଟଓୟାର ଡାଉନଲୋଡ କରି ଦେଇଛି । ଆଉ ସେଇ ଗୋଟିଏ ସଫ୍ଟଓୟାରେ ବନ୍ଧା ହୋଇଯାଇଛି ଆମ ଜୀବନ । ସଫ୍ଟଓୟାର ପରି କିବୋର୍ଡର ବଟନ’ ଦବେଇ ଦେଲେ ଏଇ ଜୀବନ୍ତ ରୋବଟ୍ ପରି ଆମେ କାମରେ ଲାଗି ଯାଉଛେ ।
ରୋବଟ୍ ଆଉ ଆମ ଭିତରେ କଣ ଫରକ ରହିଗଲା କହିଲୁ ? ସେ ତା’ର ପ୍ରୋଗ୍ରାମ ଅନୁଶାରେ ଚାଲୁଛି, ଆଉ ଆମେ, ଆମ ଭିତରେ ଯୋଉ ସଫ୍ଓୟାର ଲୋଡ ହୋଇଛି, ସେ ଯେମିତି ନଚଉଛି ଆମେ ଠିକ୍ ସେମିତି ନାଚି ଚାଲିଛେ । ଗୋଟିଏ ରୁଟିନରେ କାମ କରି ଚାଲିଛେ । ଫରକ୍ ଖାଲି ଏତିକି ରୋବଟ କାମ କରି କରି ଥକି ଯାଉନି, କି ବୋର ହେଉନି । କିନ୍ତୁ ଆମେ ଥକି ବି ଯାଉଛେ, ବୋର ବି ହୋଇ ଯାଉଛେ । ରୋବଟ ବିଜୁଳି ଖାଉଛି, ଆଉ ଆମେ, ଭାତ ଅବା ରୁଟି ।
ଜୀବନଟା ସତରେ ବଡ ବୋରିଂ ହୋଇ ଗଲାଣି ଅକାଶ ! ମନ କିଛି ନୁଆ ଚାହୁଁଛି, କିଛି ଚେଞ୍ଜ ଚାହୁଁଛି । ମନ ହେଉଛି, ପକ୍ଷୀଟିଏ ହୋଇ ଯାଆନ୍ତି କି ଏଇନେ । ଚଢେଇଟେ ପରି ମୋର ଦି’ଟା ଡେଣା ଲାଗି ଯାଆନ୍ତା ! ଏଇ ସାଙ୍ଗ ସାଙ୍ଗେ ଏଇଠୁ ଉଡି ଯାଆନ୍ତି, ଅନନ୍ତ ଗଗନରେ । ଆକାଶର ଖୋଲା ଅଗଣାରେ ଉଡି ବୁଲନ୍ତି, ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ, ଯେତେ ବାଟ ଆଖି ପହଞ୍ଚି ପାରୁଛି ସେ ପର୍ଯ୍ୟନ୍ତ । ନଦୀ, ନାଳ ଜଙ୍ଗଲ ପାହାଡ ସମୁଦ୍ର ସବୁରି ଉପର ଦେଇ, ମୋର ଛୋଟ ଛୋଟ ଡେଣା ଝାଡି, ଉଡି ବୁଲନ୍ତି । କେବେ ସୂର୍ଯ୍ୟର ଟାଣ ଖରାରେ, କେବେ ଜହ୍ନର ମିଠା ମିଠା ଜୋଝନାରେ ଉଡିବାର ଅନନ୍ଦ ନିଅନ୍ତି । ଶିତଳ ପବନର ପ୍ରତିରୋଧକୁ କାଟି, ଆଡି ତେରେଛା ଡେଣା ବୁଲାଇ ନିଜର ସାମର୍ଥ୍ୟ ଦେଖେଇ ଦିଅନ୍ତି । ଗଳା ଫଠାଇ ଚିତ୍କାର କରନ୍ତି, କେବେ ମିଠା ସ୍ୱରରେ ଗୀତ ଗାଇ ସମସ୍ତଙ୍କୁ ଶୁଣାନ୍ତି । ଆଉ ଯେବେ ଥକି ଯାଆନ୍ତି, ସେତେବେଳେ କେଉଁ ଏକ ଗଛ ଡାଳରେ ଛୋଟିଆ ନୀଡଟିଏ ତିଆରି କରି ଆରାମରେ ଶୋଇ ଯାଆନ୍ତି, ନିଶ୍ଚିନ୍ତ ହୋଇ । କେହି ଉଠାନ୍ତାନି ମୋତେ, ନା’ ଆଲାର୍ମ ଘଡି, ନା’ ମୋବାଇଲର ରିଙ୍ଗ ଟୋନ୍ । ତୋର କଣ ସେମିତି କେବେ ମନ ହୁଏନି ଆକାଶ ? ଏତିକି କହି କୃଷ୍ଣା ଆକାଶର ମୁହଁକୁ ଉତ୍ତର ଶୁଣିବା ଅପେକ୍ଷାରେ ଚାହିଁ ରହିଲା ।
ଆକାଶ ଛୋଟିଆ ହୁଁ ଟିଏ କହି, କୃଷ୍ଣାର ମୁହଁକୁ ସେମିତି ଅନେଇ ରହିଥାଏ, ଯେପରି ସେ କେଉଁ ଅଜଣା ସ୍ୱପ୍ନ ରାଇଜରେ ହଜି ଯାଇଛି । କୃଷ୍ଣାର ଆଖିରେ ଏବେ ବି ଖୁସିର ଏକ ଚମକ ଦିଶି ଯାଉଥାଏ । ସତେ ଯେପରି ସେ ସତ ସତକା ଛୋଟ ଏକ ଚଢେଇର ଡେଣା ନେଇ, ସେ ଏବେ ଏବେ ଅନନ୍ତ ଅନ୍ତରୀକ୍ଷର ଭ୍ରମଣ କରି ଫେରି ଆସିଛି । ତା ଓଠରେ ଏବେ ବି ସେଇ ତୃପ୍ତିର ହସ ଟିକକ ଲାଖି ରହିଥିଲା । ଆକାଶ ନିର୍ମିନେଶ ନୟନରେ କୃଷ୍ଣାର ମୁହଁକୁ ଚାହିଁ ରହିଥାଏ, ଉଭୟ ନିର୍ବାକ, ଜଣେ ଆଉ ଜଣକୁ କେବଳ ସେମିତି ଚାହିଁରହି ଥାଆନ୍ତି । ହଠାତ୍ ଆକାଶକୁ କହୁଣି ମାରି କୃଷ୍ଣା ତାର ସ୍ୱପ୍ନାବିଷ୍ଟ ମନକୁ ଜଗେଇ ଦେଲା ।
କହିଲା, ଏଇ ଆକାଶ, କଣ ଦେଖୁଛୁ ? ମୁଁ କିଛି ପଚାରିଲି ପରା । ଆକାଶ ଟିକିଏ ପ୍ରକୃତିସ୍ଥ ହୋଇ, ହସି ହସି କହିଲା, ପରାଚିଲୁ କେତେବେଳେ, ତୁ ତ ମୋତେ କୋଉ ଗୋଟେ ମଲ୍ଟିପ୍ଲେକ୍ସରେ ପୁରା ତିନି ଘଣ୍ଟାର ରଙ୍ଗୀନ ଫିଲ୍ମଟିଏ ଦେଖେଇ ଦେଲୁ ! ମୁଁ ବି ତୋ ସାଙ୍ଗରେ ସେଇ ସୁନୀଳ ଗଗନରେ ତୋ ପଛେ ପଛେ ଉଡୁଥିଲି ଯେମିତି, ଆଉ ସବୁ ଦୃଶ୍ୟର ମଜା ବି ନେଉଥିଲି । ତୁ ବୋଧେ ମୋତେ ନୋଟିସ କରିନୁ, ମୁଁ କିନ୍ତୁ ତୋ ସାଙ୍ଗରେ ଉଡୁଥିଲି ପରା ! କୃଷ୍ଣା ମିଛ ମିଛକା ରାଗ ଦେଖିଇ କହିଲା, ଧେତ୍, ଏ ମଜାକ୍ ଛାଡ୍, ଆରେ ମୁଁ କହୁଥିଲି ଏଇ ରୁଟିନ ବନ୍ଧା ଜୀବନରୁ ମୁଁ ପୁରା ପୁରି ବୋର ହୋଇ ସାରିଲିଣି । ତୁ ବି କଣ ବୋର ଫିଲ୍ କରୁନୁ ?
ଆକାଶ ଟିକେ ଚୁପରହି କହିଲା, ଠିକ୍ କହୁଛୁ । ଜୀବନଟା ସତରେ ଗୋଟିଏ ରୋବଟ ପରି ହୋଇଗଲାଣି, ସତରେ ଲାଇଫ୍ ଏବେ ବହୁତ ବୋର ଲାଗୁଛି । ହେଲେ କାମ ତ କରିବାକୁ ପଡିବ । ତୁ ଗୋଟେ କାମ କର, କିଛି ଦିନ ଛୁଟି ନେଇ ଭାକେସନରେ ଚାଲିଯା, ଦଶ ପନ୍ଦର ଦିନ କୁଆଡେ ବୁଲାବୁଲି କରି ଆସିଲେ ମନ ପୁଣି ଫ୍ରେସ ହୋଇଯିବ । ପୁଣି କିଛି ଦିନ ପାଇଁ ଜୀବନ ଆଉ ଥରେ ନୁଆ ରିଚାର୍ଯ ହେଲା ପରି ଲାଗିବ ।
: କୁଆଡେ ଯିବି ? କୃଷ୍ଣା ପଚାରିଲା ।
ଆକାଶ କହିଲା କୁଆଡେ ବି, କିଛି ନହେଲେ ଗାଆଁକୁ ଚାଲିଯା, ବାପା ବୋଉ, ଭାଇ ଭାଉଜଙ୍କ ସାଥିରେ କିଛି ଦିନ ଛୁଟି କଟେଇ ଆସିବୁ, ପାଣି ପବନ ଚେଞ୍ଜ ହୋଇଯିବ, ରେଷ୍ଟ ବି ମିଳିଯିବ । ବହୁତ ଦିନ ହେବ ଗାଆଁକୁ ଯାଇନୁ, ତୋତେ ଦେଖିଲେ ସେମାନେ ବହୁତ ଖୁସି ହୋଇଯିବେ, ଆଉ ତୋତେ ବି ଭଲ ଲାଗିବ । ନହେଲେ ଆଉ ଗୋଟେ କାମ କର, ସିମଲା କି ନୈନତାଲ, ଆରେ ହଁ, ସିକିମ୍, ଏଇ ଖରାଦିନ ପାଇଁ ବେଷ୍ଟ ଡେଷ୍ଟିନେସନ । ସେଠାରେ ପାହାଡ ଜଙ୍ଗଲ ଘାଟି, ନଈ ନାଳ ଆଉ ଥଣ୍ଡା ଥଣ୍ଡା ପବନରେ ତୋତେ ତୋ ଚଢେଇର ଏକ୍ସପେରିଏନ୍ସଟା ନିଶ୍ଚୟ ମିଳିଯିବ, କିନ୍ତୁ ତୋତେ ସମୁଦ୍ର ମିଳିବନି ସେପଟ । ଫେରିଲେ ଏଇଠି ଆଉ ଥରେ ସମୁଦ୍ରକୁ ଦେଖିନେବୁ, ତୋର ଚଢେଇ ଭ୍ରମଣଟା ପୁରା ହୋଇଯିବ । ଏଥର କିନ୍ତୁ କୃଷ୍ଣା ସତରେ ହସିଦେଲା ।
କୃଷ୍ଣା ପଚାରିଲା, ବୁଲିବାକୁ କଣ ଏକୁଟିଆ ଯିବି ? ଏକୁଟିଆ ବୁଲିବା ବଡ ବୋରିଂ ଲାଗିବ, ନୁହେଁ ?
ଆରେ, ତୋତେ ଏକୁଟିଆ ଯିବାକୁ କିଏ କହୁଛି, ତୁ ତୋର କିଛି ସାଙ୍ଗଙ୍କୁ ଏଇ ପ୍ରୋପୋଜାଲ ଦେ, ମୋତେ ଲାଗୁଛି ଏତେ ସୁନ୍ଦର ପ୍ରୋପଜାଲ ଶୁଣି, ଦୁଇ ଚାରି ଜଣ ସାଙ୍ଗ ନିଶ୍ଚୟ ଖୁସି ଖୁସି ତୋ ପ୍ରସ୍ଥାବ ଆକସେପ୍ଟ କରିନେବେ । ଯଦି କେହି ନ ମିଳିବେ, ତେବେ, ମୋର ବି ମନ ହେଉଛି କୁଆଡେ ଯାଇ ଘେରାଏ ବୁଲି ଆସିବା ପାଇଁ । ତୋର ଯଦି କିଛି ଆପତ୍ତି ନଥାଏ, ତୁ ଆଉ ମୁଁ ଆମେ ସାଙ୍ଗ ହୋଇ ବୁଲି ଆସିବା ।
: କୃଷ୍ଣା ବଡ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ତୋ ସାଙ୍ଗରେ ? ତୁ ମୋ ସାଙ୍ଗରେ ବୁଲିବାକୁ ଯିବୁ?
କାହିଁକି ମୋ ସାଙ୍ଗରେ ଗଲେ କଣ ଅସୁବିଧା ଅଛି ? ମୋ ସାଙ୍ଗରେ ବୁଲି ଯିବାକୁ ତୋତେ କଣ ଡର ଲାଗୁଛି ? ମୁଁ ଏତେ ଖରାପ ପିଲା ତ ନୁହେଁ ? ମୋ ନାଆ ଶୁଣି ଚମକି ପଡିଲୁ ଯେ ?
କୃଷ୍ଣା ଟିକେ ଲାଜେଇ ଗଲା, କହିଲା ନା’ ଚମକୁନି ଯେ, ଆଶ୍ଚର୍ଯ୍ୟ ଲାଗୁଛି, ତୁ ମୋ ସାଙ୍ଗରେ ଭାକେସନରେ ଯିବାକୁ ଟାହୁଁଛୁ ବୋଲି ଶୁଣି ।
ଆକାଶ କହିଲା ଆରେ, ତୁ’ ତ ବଡ ଅଜବ ଝିଅଟେ, ମୋତେ ବନ୍ଧୁ ବୋଲି କହୁଛୁ । ଆଉ ଭାକେସନର ଯିବାକୁ କଣ କହିଦେଲି ଯେ ତୁ ଆଶ୍ଚର୍ଯ୍ୟ ହୋଇ ଯାଉଛୁ ! ଆମର ବନ୍ଧୁତା ଆଜିର ତ ନୁହେଁ, କେତେ ପୁରୁଣା, ୟୁନିଭରସିଟି ଦିନରୁ ଏ ଫ୍ରେଣ୍ଡସିପ୍, ଏକା କ୍ଲାସରେ ଆମେ ପଢୁଥିଲେ । ଏଇଟା ଅଲଗା କଥା ଯେ, ଏବେ ମୁମ୍ବାଇ ଆସିଲା ପରେ ଏ ବନ୍ଧୁତା ଆଉ ଟିକିଏ ଘନିଷ୍ଟ ହୋଇ ଯାଇଛି ।
ଆକାଶର କଥା କାଟି କୃଷ୍ଣା କହିଲା, ଆରେ ନାହିଁ, ତୁ ଖରାପ ପିଲା ବୋଲି କହୁନି । ତୁ ମୋ କଥା ବୁଝି ପାରୁନୁ, ମୋ କହିବା କଥା ହେଲା, କୃଷ୍ଣା ଟିକିଏ ଅଟକି ଯାଇ କହିଲା, ଆଜି କାଲିକା ଲୋକେ ଖରାପ । ତୋ ସାଙ୍ଗରେ ବୁଲିବାକୁ ଗଲେ, ଲୋକେ ମୋତେ ତୋର ଗାର୍ଲଫ୍ରେଣ୍ଡ, ଆଉ ତୋତେ ମୋର ବୟଫ୍ରେଣ୍ଟ ବୋଲି ଭାବିନେବେ ।
ଆକାଶ ନିଜର ହସ ଅଟକେଇ ପାରିଲାନି, ହୋ ହୋ ହୋଇ ହସି ଉଠିଲା, କହିଲା କଣ ହୋଇଗଲା ସେଇଠୁ, ଲୋକଙ୍କୁ ଯାହା ଭାବିବାକୁ ମନହେବ ସେ ଭାବିବେ । ଆମେ କିଏ ସେମାନଙ୍କ ଭାବନା ଉପରେ ସେନସର କମିଟି ବସେଇବାକୁ ? ଆରେ ଲୋକେ କଣ ଭାବିବେ, ନଭାବିବେ ସେ କଥାକୁ ମାର ଗୋଲି । ତୁ ଲୋକଙ୍କୁ ମିଛ ଅନ୍ଦାଜ ଲଗାଇ କିଛି ରୋମାଣ୍ଟିକ୍ ଭାବିବାକୁ ମଉକା କାହିଁକି ଦେଉଛୁ, ତୁ ସତ ସତ ମୋର ଗାର୍ଲ ଫ୍ରେଣ୍ଟ ହୋଇ ଯାଉନୁ ? ଲୋକଙ୍କୁ କିଛି ଭାବିବାକୁ ମଉକା ବି ମିଳିବନି ।
ଏଥର କିନ୍ତୁ କୃଷ୍ଣା ଖୁବ୍ ଯୋରରେ ହସି ଉଠିଲା, କହିଲା ମୁଁ ତୋର ଗାର୍ଲ ଫ୍ରେଣ୍ଟ ହୋଇଗଲେ ବୋଧହୁଏ ଦୁନିଆର ଅଧା ଝିଅ ଅକାରଣ ସୁଇସାଇଟ୍ କରଦେବେ, ଆଉ ଅଧା ପୁଅ ସେନ୍ସଲେସ ହୋଇଯିବେ । ଆକାଶ ପଚାରିଲା କାହିଁକି ? ତୋତେ ଏପରି କାହିଁକି ଲାଗୁଛି ? କୃଷ୍ଣା କହିଲା, ଏମିତି କେବଳ ମୋତେ ଲାଗୁନି, ଏଇଟା ମୋର ବିଶ୍ୱାସ । ତୁ ଜାଣିଛୁ, ମୁଁ ଆଇନାରେ ମୋ ନିଜ ମୁହଁକୁ ସବୁ ଦିନ ସକାଳ ସଞ୍ଜରେ ଦେଖୁଛି, ଥରେ ନୁହେଁ, ଅନେକ ଥର । ଅଫିସରେ ଫ୍ରେସରୁମ ଗଲେ ସବୁବେଳେ ଥରେ ଦୁଇ ଥର ନୁହେଁ, ନିଜ ମୁହଁକୁ ମୁଁ ବାରମ୍ବାର ଦେଖୁଛି । ମୁଁ ଜାଣେ, କେମିତି ଦିଶେ ମୋ ମୁହଁ, ସବୁବେଳେ ସତ କହୁଥିବା ସେ ଆଇନାରେ । ଏଇ ତ ବଡମ୍ବନା, ସୁନାର ଫ୍ରେମରେ ଦର୍ପଣକୁ ଫ୍ରେମିଙ୍ଗ କରି ଦେଲେ ବି ସେ କେବେ ବି ସତ କହିବା ଛାଡି ଦେବନି । ଦର୍ପଣରେ ପ୍ରତିଥର, ମୋତେ ମୋ ରୂପରେ କାଳିକା ମାତାଙ୍କ ଅବତାର ଦିଶି ଯାଆନ୍ତି ।
ଜନ୍ମ ବେଳେ ମୋ ଦେହର କଳା ରଙ୍ଗ ଦେଖି, ବଡ ଶରଧାରେ ବାପା ମୋ ନାଆ ରଖି ଥିଲେ କୃଷ୍ଣା । ଆଉ ତୁ, ଗୋରା ଚିକିଟା ପିଲାଟେ, ହିନ୍ଦି ଫିଲ୍ମର ହିରୋଟେ ପରି ତୋର ଚେହେରା । ତୁ ଚୁଟୁକି ବଜେଇ ଦେଲେ, ସହରର ଶହେଟା ସୁନ୍ଦରୀ ତୋ ଚାରି ପାଖରେ ଚକ୍କର କାଟିବେ । ଆଉ ମୁଁ ଯଦି କାହାକୁ ଭୂଲରେ ଆଖି ମାରିଦେବି ନା, ସେ ଟୋକା ସେଇଠି ବେହୋସ ହୋଇଯିବ, ନହେଲେ ତା ପିଚାରେ ନାଲି ଲଙ୍କାଗୁଣ୍ଡ ଲାଗିଲା ପରି ସେଇଠୁ ଉଠି, ସେ ଡବଲ୍ ସ୍ପିଡରେ ଦଉଡି ପଲେଇବ । ତୋର ମୋର ଜୋଡି, ଚାନ୍ଦ ଆଉ ଚନ୍ଦରକାଣୀ ପରି ଦିଶିବ, କହି କୃଷ୍ଣା ଖୁବ୍ ଜୋରରେ ହସି ଉଠିଲା, ସେ ହସରେ କୃଷ୍ଣାର ହସ କମ୍ ଆଉ କାନ୍ଦ ବେଶି ଶୁଣା ଯାଉଶଥିଲା । ହସ ବନ୍ଦ କରି କୃଷ୍ଣା କହିଲା, ଛାଡ ସେକଥା, ଆଉ କିଛି ନୁଆକଥା କହ ।
ଆକାଶ କିଛି ସମୟ କୃଷ୍ଣାର ମୁହଁକୁ ଚାହିଁ ରହିଲା, ତା ମୁହଁ ଉପରେ ନିରାଶର ଏକ କଳା ବାଦଲ ତାକୁ ସ୍ପଷ୍ଟ ଦେଖା ଯାଉଥିଲା, ସେ ପୁଣି କହିଲା, ତୋର ମନେ ଅଛି କୃଷ୍ଣା, ଆମ ଓଡିଆରେ ସମସ୍ତେ ଗୋଟିଏ ଢଗ କହନ୍ତି, ପିଲା ଦିନେ ବହୁତ ଥର ଶୁଣିଛି ।
କେଉଁ ଢଗ କଥା କହୁଛୁ ତୁ ? କୃଷ୍ଣା ଉତ୍ସୁକତାର ସହିତ ପ୍ରଶ୍ନଶକଲା ।
ଆକାଶ କହିଲା ଢଗଟି ହେଲା ‘ଯିଏ ଯାହାକୁ ରସିଲା, ସିଏ ତାହାକୁ କିଆ ଫୁଲ ପରି ବାସିଲା’ । ଆକାଶର ଉତ୍ତର ଶୁଣି କୃଷ୍ଣା ଖୁବ୍ ଯୋରରେ ହସି ଉଠିଲା ।
ନିଜର ହସକୁ ବହୁତ କଷ୍ଟରେ ବନ୍ଦକରି କହିଲା, ତା ମାନେ ତୁ କହୁଛୁ, ମୁଁ ତୋତେ କିଆ ଫୁଲ ପରି ବାସୁଛି ?
କୃଷ୍ଣା ମୁହଁର କଥା ଛଡାଇ ନେଇ ଆକାଶ କହିଲା ‘ଯଦି ମୁଁ କହେ ହଁ, ତୁ ମୋତେ, କିଆ ଫୁଲ, ଗୋଲାପ, ମଲ୍ଲୀ, ହେନା ସବୁ ଫୁଲ ପରି ବାସୁଛୁ ବୋଲି, ତୁ କଣ ବିଶ୍ୱାସ କରିବୁ’ ?
କୃଷ୍ଣା ତାତ୍ସଲ୍ୟ ଭରା ସ୍ୱରରେ ଖୁବ୍ ଜୋରରେ ହୋ ହୋ ହୋଇ ହସି ଉଠିଲା, ଟିକେ ଦମ୍ ନେଇ କହିଲା, ହେଃ, ଟିକେ ରହି ଯା ଆକାଶ, ହାୱା ଆନେ ଦେ । ବୁଝିଲୁ ଆକାଶ, ଜୋକ୍ କରିବାର ଗୋଟାଏ ଲିମିଟ୍ ଥାଏ, ଆଉ ତୋର ଏଇ ଜୋକ୍ ଟା ନା, ଗୋଟାଏ ବହୁତ ବଡ ଜୋକ ହୋଇ ଯାଉଛି । ମୋତେ ପ୍ରେମ କରିବାକୁ କେହି ପସନ୍ଦ କରୁଥିବ ଏକଥା ମୁଁ କେବେ ସ୍ୱପ୍ନରେ ବି କଳ୍ପନା କରିନି । ଏଇଟା ବଡ ଅସମ୍ଭବ କଥା । ଯଦି ଏପରି କେବେ କିଛି ହୁଏ, ତେବେ ସେଇଟା ବୋଧେ ସଂସାରର ଅଷ୍ଟମ ଆଶ୍ଚର୍ଯ୍ୟ ହେବ । ବଡ ନିରାଶ ହୋଇ କୃଷ୍ଣା ଏତକ କହି ତାର ମୁହଁ ବୁଲେଇ ନେଲା ।
ଦେଖ୍ କୃଷ୍ଣା ମୁଁ ଜୋକ ମାରିବା ମୁଡରେ ମୋଟେ ନାହିଁ, କିମ୍ବା ଏଇଟା କିଛି ଜୋକ ନୁହେଁ, ମୁଁ ପୁରା ସିରିୟସ ହୋଇ କହୁଛି, ରିଏଲି ଆଇ ଆମ ଭେରି ସିରିୟସ । ଆକାଶ କୃଷ୍ଣାର ଆଖିରେ ଆଖି ମିଶେଇ କହିଲା ।
ରିଏଲି? ଆର ୟୁ??? କୃଷ୍ଣା ଅବିଶ୍ୱାସ ଭରା ସ୍ୱରରେ ପଚାରିଲା ।
ୟେସ, ୟେସ, ଆଇ ଏମ । ବଡ ବିଶ୍ବାସର ସାଥିରେ ଦୃଢତାର ସହିତ ଜବାବ୍ ଦେଲା ଆକାଶ, କହିଲା, ମୋର ଏ ପ୍ରେମ ଆଜିର ନୁହେଁ, ବହୁତ ପୁରୁଣା ମୋ ପ୍ରେମ । ତୋର ମନେ ଅଛି ଆମର ସେଇ ୟୁନିଭରସିଟିର ଦିନ ଗୁଡିକର କଥା ? ଆକାଶ ପଚାରିଲା ।
ହଁ, ମୋର ସବୁ କିଛି ମନେ ଅଛି ଆକାଶ । ବିଶେଷ କରି ତୋର ସବୁ କଥା । କଲେଜରେ କିଏ ଜାଣି ନଥିଲା ତୋତେ, କିଏ ଜାଣି ନଥିଲା ୟୁନିଭରସିଟିର ଅଧା ଝିଅ ତୋରି ପଛରେ ପଡିଥିଲେ ବୋଲି ? ତୋ ସହିତ ପଦିଏ କଥା ହେବାକୁ ମଉକା ଖୋଜୁଥିଲେ ସମସ୍ତେ, ତୋ ପାଖରେ ବସିବାକୁ ଯେପରି କମ୍ପିଟେସନ ଚାଲିଥିଲା ସେମାନଙ୍କ ଭିତରେ । ତୁ କ୍ଲାସ ଭିତରକୁ ଆସୁ ଆସୁ ଝିଅମାନେ କିପରି ନିଜ ପାଖରେ ତୋପାଇଁ ସିଟ୍ ରିଜର୍ଭ ରଖୁଥିଲେ । ତୋତେ ହାତ ଠାରି ଡାକନ୍ତି , ହେଲେ ତୁ ସିଧା ଆସି ମୋ ପାଖ ସିଟରେ ବସି ଯାଉ । ମୋ ପାଖରେ କେହି ବସିବାକୁ ପସନ୍ଦ କରନ୍ତିନି, ତେଣୁ ପ୍ରାୟ ସମୟ ମୋ ପାଖ ସିଟ୍ ଟା ସବୁ ବେଳେ ଖାଲିଥାଏ ।
ଆକାଶ ଛୋଟିଆ ହୁଁ ଟାଏ କହି ଟିକିଏ ରହିଗଲା, ତାପରେ କହିଲା, ତୁ ଏକୂଟିଆ ବସି କାଳେ ଡାଉନ ଫିଲ କରୁଥିବୁ ଏବଂ ତୋତେ କମ୍ଫର୍ଟ ଦେବାପାଇଁ ମୁଁ ତୋ ପାଖରେ ବସୁ ନଥିଲି, ବରଂ ତୋ ପାଖରେ ବସି ମୋତେ ଏକ ଅପୂର୍ବ ଆନନ୍ଦର ଅନୂଭବ ହେଉଥିଲା, ଜାଣିଛୁ ତୋ ସହିତ ପଦିଏ କଥା ହେବାକୁ ତୋ ସହିତ କିଛି ସମୟ ବିତେଇବାକୁ ମୋତେ କେତେ କଷ୍ଟ କରିବାକୁ ପଡୁଥିଲା ? କେତେ ବାହାନା ଖୋଜିବାକୁ ପଡୁଥିଲା ! ଆଉ ଯେତେ ବେଳେ କିଛି ସୁଯୋଗ ମିଳିଯାଏ ମୁଁ ତୁରନ୍ତ ତୋ ପାଖକୁ ଚାଲି ଆସୁଥିଲି । ତୋ ସହିତ ବିତେଇ ଥିବା ପ୍ରତିଟି ମୁହୁର୍ତ୍ତ ମୋ ପାଇଁ ସବୁ ଠାରୁ ମୂଲ୍ୟବାନ ଥିଲା, ଆଜି ବି ସେ ସବୁ ମୋ ସ୍ମୃତିରେ ସେମିତି ତାଜା ହୋଇ ରହିଛି ।
ତୋର ମନେ ଅଛି, ଚିଲିକା ପିକନିକ୍ କଥା ? ନୁଆବର୍ଷ ପାଇଁ ଆମ କ୍ଲାସର ସବୁ ପିଲା ଯାଇଥିଲେ କାଳିଯାଇ । ତୁ ଭଲ ଗୀତ ବୋଲୁ ବୋଲି ସମସ୍ତଙ୍କୁ ଜଣାଥିଲା । ମୁଁ ଗାଇ ସାରିବା ପରେ ଗୀତଟିଏ ଗାଇବା ପାଇଁ ସମସ୍ତେ ତୋ ପଛରେ ପଡିଯାଇ ଥିଲେ । ଶେଷରେ ତୁ ଗାଇ ଥିଲୁ ଫରିଦା ଖାତୁନଙ୍କର ସେଇ ଫେମସ ଗଜଲଟା “ଆଜ୍ ଜାନେ କି ଜିଦି ନା କରୋ, ୟୁହିଁ ପେହେଲୁ ମେ ବୈଠେ ରହୋ” କେତେ ସୁନ୍ଦର ଶୁଭୁଥିଲା ସେ ଗୀତଟି ତୋ କଣ୍ଠରେ, ମୁଁ ଆଖି ବନ୍ଦକରି ସେ ଗୀତ ଭିତରେ ହଜି ଯାଇଥିଲି, ଭାବୁଥିଲି ସେ ଗୀତଟି ତୁ ମୋରି ପାଇଁ ଗାଉଥିଲୁ ବୋଲି ! ଖୁବ୍ ପ୍ରେମଭରା ମିନତି ଭରି ରହିଥିଲା ସେ ଗୀତଟିରେ । ଆଜି ବି ଅନେକ ସମୟରେ ମୋ କାନରେ ଶୁଭିଯାଏ ତୋ କଣ୍ଠରେ ସେ ଗୀତଟି । ମୋ ମୋବାଇଲରେ ଏବେ ବି ଅଛି ଅରିଜିନାଲ ଗିତଟା, କିନ୍ତୁ ଶୁଣିବାକୁ ମୋର ମନ ହୁଏନା । କାହିଁକି ଜାଣୁ ? ମୋର ମନେହୁଏ ତୋ କଣ୍ଠରେ ସେ ଗୀତଟା ଯେତେ ମଧୂର ଶୁଣା ଯାଉଥିଲା ହୁଏତ ଅରିଜିନାଲ ଗୀତରେ ସେ ଆପଣା-ପଣ ମୋତେ ମିଳିବନି ।
ହଠାତ୍ କୃଷ୍ଣା ଆକାଶର କଥା ମଝିରେ କହିଲା, ହଁ ମୋର ମନେ ଅଛି ସେ ଦିନର ଘଟଣା, ମୁଁ ଗୀତଗାଇ ସାରିଲା ପରେ ସୁଦେଷ୍ଣା କମେଣ୍ଟ କରି କହିଥିଲା, ଆମ ପାଖରେ ସତରେ ଗୋଟିଏ କୋଇଲି ଅଛି । ରଙ୍ଗରେ ଯେମିତି, କଣ୍ଠଟା ବି ସେମିତି କୋକିଳ କଣ୍ଠ । ତା କଥା ଶୁଣି ତୁ ବହୁତ ଚିଡି ଯାଇଥିଲୁ ତା ଉପରେ, ବହୁତ ଗାଳି କରିଥିଲୁ ତାକୁ ଏବଂ ମୋ ପାଖରୁ କ୍ଷମା ମାଗିବା ପାଇଁ ତାକୁ ବାଧ୍ୟ କରିଥିଲୁ, ସମସ୍ତେ ପ୍ରେସର ପକାଇବା ପରେ ସେ ସରି କହିଥିଲା । ଏସବୁ ପରେ ମୋ ମନରେ ତୋ ପ୍ରତି ବହୁତ ସମ୍ମାନ ବଢି ଯାଇଥିଲା, ମୋ ପ୍ରେମ ତୋ ପାଇଁ ଦୁଇଗୁଣା ହୋଇ ଯାଇଥିଲା । କୃଷ୍ଣା ଟିକିଏ ରହିଯାଇ ଆକାଶକୁ ପ୍ରଶ୍ନ କଲା, ଆକାଶ, ତୋତେ ଗୋଟିଏ କଥା ପଚିରିବି, ଖରାପ ଭାବିବୁନି ତ ? ଆକାଶ କେବଳ ମୁଣ୍ଡ ହଲାଇ ନାହିଁ କଲା । କୃଷ୍ଣା କିଛି ସମୟ ଆକାଶର ନିର୍ଲିପ୍ତ ମୁହଁକୁ ନିରେଖି ଦେଖିଲା, ତାପରେ ପଚାରିଲା, ଆକାଶ, ତୁ ମୋତେ କାହିଁକି ଭଲପାଉ ? ତୋର ମୋ ପାଇଁ ଏ ପ୍ରେମ, ମୋତେ ଦୟା ଦେଖାଇ ନୁହେଁ ତ? ମୋର ଏଇ କଳା ରୂପ ଭିତରେ ତୁ ଏମିତି କଣ ଦେଖିନେଲୁ ଯେ, ତୁ ମୋ ପ୍ରେମରେ ପଡିଗଲୁ ?
ଆକାଶ ତଥାପି ନିରବ ଥିଲା, ସତେ ଯେପରି ତାର ଆଖି ସମୁଦ୍ରର ଶେଷ ପର୍ଯ୍ୟନ୍ତ ଦେଖୁଥିଲା, ଯେଉଁଠି ଆକାଶ ଆଉ ସମୁଦ୍ର ଏକ ହୋଇ ଯାଇଛନ୍ତି । ସୂର୍ଯ୍ୟ ତେବେ ବି ସେଇଠି ସେମିତି ଝୁଲିବା ଅବସ୍ଥାରେ ଲଟକି ରହିଛି । ଯେପରି ସୂର୍ଯ୍ୟ ବି ଅପେକ୍ଷା କରିଛି, ଆକାଶର ଉତ୍ତର ଶୁଣି ସାରିବା ପରେ ହିଁ ଘରକୁ ବାହୁଡି ଯିବ । ନହେଲେ, ଆକାଶ ତାର ଉତ୍ତରରେ କଣ କହିଲା ବୋଲି ଭାବି ଭାବି ରାତି ସାରା ତାକୁ ନିଦ ଆସିବନି । କୃଷ୍ଣା ବି ଉତ୍ସୁକତାଭରା ନୟନରେ ଆକାଶର ମୁହଁକୁ ଚାହିଁ ରହିଥାଏ । ଆକାଶ ଦୂର ଦିଗବଳୟରୁ ମୁହଁ ଫେରାଇ କୃଷ୍ଣାର ମୁହଁକୁ ଚାହିଁ କହିଲା, ସତରେ କୃଷ୍ଣା, ମୁଁ ବି ବେଳେ ବେଳେ ଭାବେ, ମୁଁ ତୋତେ କାହିଁକି ଭଲପାଏ ? ହେଲେ ସତ କହୁଛି ତାର ଉତ୍ତର ମୁଁ ନିଜେ ବି ଆଜି ଯାଏ ଖୋଜି ପାଇନି ! ଭଲ ପାଇବା ପାଇଁ ସତରେ କଣ କିଛି କାରଣ ଥିବା ନିହାତି ଦରକାର? ବିନା କାରଣରେ କାହାକୁ କଣ ଭଲପାଇ ହେବନି??
ତା’ଛଡା ତୁ ପଚାରିଲୁନା, ମୁଁ ତୋର କଳା ରୂପରେ କଣ ଦେଖି ତୋ ପ୍ରେମରେ ପଡିଗଲି ବୋଲି ? ଆରେ, କାହାକୁ ଆଖିରେ ଦେଖି କଣ ପ୍ରେମ କରିହୁଏ ? ଆଖି ଉପରେ କଣ ଭରସା ଅଛି ? ଆଜି ଜଣଙ୍କ ରୂପ ଭଲ ଲାଗିଲା ତ କାଲି ଆଉ କାହା ରୂପ ଲାବଣ୍ୟରେ ଆଖି ଅଟକି ଯିବ ! ମନ ଜଣକୁ ଛାଡି ଆଉ ଜଣଙ୍କ ପଛରେ ଧାଇଁବ । ତା ଛଡା ରୂପ ଉପରେ କଣ ଭରସା, ଏଜି ଏ ରୂପ ଅଛି, କାଲି କିଛି ରୋଗ କି ଆକ୍ସିଡେଣ୍ଟ ହୋଇଗଲେ ରୂପ କୁରୂପ ହେବା ପାଇଁ କେତେ ଡେରି ଲାଗିବ ?
ହେଲେ ତୋ ପ୍ରଶ୍ନର ଉତ୍ତର କିନ୍ତୁ ମୋ ପାଖରେ ଅଛି, ତୁ ବିଶ୍ୱାସ କରିପାରିବୁ ତ ? ପିଲାଟି ଦିନରୁ ଦେଖି ଆସିଛି, ଆମ ମନ୍ଦିରରେ ପୂଜା ପାଉଥିବା କଳା ମୁଗୁନି ପଥରର ରାଧା କୃଷ୍ଣଙ୍କର ଜୁଗଳ ମୂର୍ତ୍ତିକୁ, ଜେଜେମା ତାଙ୍କୁ ରାଧାମାଧବ ରୂପରେ ପୂଜାକରେ । ପ୍ରତି ଏକାଦଶୀ ଦିନ ସ୍ନାନ କରାଇ ଚୁଆ ଚନ୍ଦନ ଲେପକରେ । କେଉଁ କେତେ ଯୁଗର ପୁରୁଣା ମୂର୍ତ୍ତି ସେଇଟି, ଚୁଆ ଚନ୍ଦନ ଚର୍ଚ୍ଚିତ ହୋଇ ଆହୁରି କଳା ଆଉ ଚିକ୍କଣ ହୋଇ ଯାଇ ଥାଆନ୍ତି । ସେ ଯୁଗଳ ମୂର୍ତ୍ତିରେ ମୁଁ ଯେବେ ରାଧାଙ୍କୁ ଦେଖେ, ତାଙ୍କ ମୁହଁରେ ମୋତେ ଏକ ଅପୂର୍ବ ଜ୍ୟୋତି, ଏକ ଅନନ୍ୟ ଭାବ ଦେଖା ଯାଉଥିଲା । ରାଧାଙ୍କ ଅଧରରେ ସ୍ମିତ ହସ ବହୁତ ସୁନ୍ଦର ମନୋଲୋଭା ଦିଶେ, ଆଉ ସେଇ ଲାସ୍ୟମୟୀ, ହାସ୍ୟମୟୀ ପ୍ରେମମୟୀ ରାଧାଙ୍କ ରୂପ ମୋ ମନକୁ ମୋହି ନେଇଥିଲା ସତେ, ତାଙ୍କର ରୂପ ମୋ ମନ, ମୋ ମସ୍ତିସ୍କ ଆଉ ମୋର ହୃଦୟକୁ ଆବୋରି ରଖିଥିଲା । ରାଧାଙ୍କର ସେ ଅପୂର୍ବ ଲାବଣ୍ୟରେ ମୁଁ ମୋ ଅସ୍ଥିତ୍ୱ ସତ୍ତା ଖୋଜୁଥିଲି ।
ଅନେକ ସମୟରେ ମୁଁ ଭାବେ ସତରେ କଣ ଏତେ ସୁନ୍ଦର ମଣିଷ ଏଇ ଦୁନିଆରେ ଥାଆନ୍ତି ? କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା, ଯେଉଁ ଦିନ ମୁଁ ତୋତେ ପ୍ରଥମ ଥର ପାଇଁ କଲେଜରେ ଦେଖିଲି, ସେଦିନ ତୋରି ଭିତରେ ମୁଁ ମୋର ସେଇ ପ୍ରେମମୟୀ ରାଧାଙ୍କର ରୂପ ଦେଖିବାକୁ ପାଇଥିଲି, ସେ ଦିନ ମୋ ପ୍ରଶ୍ନର ଉତ୍ତର ମୋତେ ମିଳିଯାଇ ଥିଲା, ହଁ ସତରେ ଏପରି ପ୍ରେମମୟୀ ରାଧା, ମାନବ ଶରୀରେ ବି ମିଳିଯାଏ । ତୋତେ ଦେଖିଲା ପରେ, ଜୀବନ ମୋର ସତରେ ରାଧାମୟ ହୋଇ ଯାଇଥିଲା ସେ ଦିନ । ମୁଁ ତୋ ଭିତରେ କୃଷ୍ଣା ନୁହେଁ ସେଇ ପ୍ରେମମୟୀ ରାଧାଙ୍କୁ ଦେଖୁଥିଲି । ସତ କହିବାକୁ ଗଲେ ମୁଁ ତୋ ଭିତରେ ରାଧାଙ୍କର ସେଇ, ପ୍ରେମ, ସେଇ ରୂପ, ଗୁଣକୁ ସାକାର ରୂପରେ ଦେଖି ପାରୁଥିଲି । ଆଉ ମୁଁ ରାଧାଙ୍କ ରୂପରେ କୃଷ୍ଣାର ପ୍ରେମରେ ପଡି ଯାଇଥିଲି । ଏବେ ମୋତେ କେବଳ ରାଧା ନୁହେଁ ରାଧା କୃଷ୍ଣଙ୍କର ସେଇ ଯୁଗଳ ମୂର୍ତ୍ତି ଖୁବ୍ ଭଲ ଲାଗୁଥିଲା । ମୁଁ ମୋ ନିଜ ଭିତରେ କୃଷ୍ଣ ଆଉ ତୋ ଭିତରେ ମୋର ପ୍ରିୟତମା ରାଧାଙ୍କୁ ଦର୍ଶନ କରୁଥିଲି । ମୁଁ ନିଜକୁ ତୋ ଠାରୁ ଦୂରେଇ ରଖିପାରୁ ନଥିଲି, ଆଉ ମୋ ମନରୁ ହୃଦୟରୁ ତୋତେ ଦୂରେଇ ଦେଇ ପାରୁ ନଥିଲି ।
ହେଲେ ଆକାଶ, ତୁ ଯଦି ମୋତେ ଭଲ ପାଉଥିଲୁ ମୋତେ ଥରଟିଏ ବି କହି ପାରିଲୁନି ? ଟିକିଏ ଇସାରା କରିଥିଲେ ମୁଁ ତୋ ପାଇଁ ମୋ ପ୍ରାଣ ବି ଦେଇ, ଦେଇଥାଆନ୍ତି । ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ କୃଷ୍ଣା ଆକାଶକୁ ଚାହିଁ ରହିଲା ।
ଆକାଶ ଗୋଟାଏ ଦୀର୍ଘ ନିଶ୍ୱାସ ଛାଡି କହିଲା, ହଁ କହିପାରି ଥାଆନ୍ତି, କିନ୍ତୁ ଥରେ ନୁହେଁ ଅନେକ ଥର ଚେଷ୍ଟା କରିଛି ତୋତେ ମୋ ମନ କଥା କହିଦେବି ବୋଲି । ଥରେ ଦି’ ଥର ପୁରା ପ୍ରସ୍ତୁତ ହୋଇ ମଧ୍ୟ ଯାଇଥିଲି ତୋ ପାଖକୁ, ଭାବି ଥାଏ ଆଜି କହିଦେବି ମୋ ମନ କଥା, ହେଲେ ତୋତେ ଦେଖିଲା ପରେ, ସାହସ ହୁଏନା କହି ଦେବାକୁ, ମନର କଥା ମନରେ ଲୁଚାଇ ରଖି ଫେରିଆସେ ।
: କିନ୍ତୁ କାହିଁକି ଆକାଶ ? କୃଷ୍ଣା ବଡ ବ୍ୟଗ୍ରତାର ସହିତ ପଚାରିଲା ।
ଆକାଶ କହିଲା, ମୁଁ ଜାଣିଛି, ତୁ କେତେ ସ୍ୱାଭିମାନୀ ଝିଅ ଏବଂ ତୁ ତୋର ଦେହର ରଙ୍ଗକୁ ନେଇ କେତେ ସେନସିଟିଭ ଥିଲୁ ସେ ସମୟରେ । ତୋ ଦେହର ରଙ୍ଗ ପାଇଁ ତୋ ମନ ଭିତରେ ଏକ ହୀନଭାବନା, ଇନଫ୍ୟୁରିଟି କମ୍ଳେକ୍ସ ଡେଭେଲପ ହୋଇ ଯାଇଥିଲା । ତା ଛଡା ୟୁନିଭରସିଟିର ସେଇ ପରିବେଶରେ ଯଦି ମୁଁ ତୋତେ ମୋ ପ୍ରେମ କଥା କହି ଥାଆନ୍ତି, ତେବେ ହୁଏତ ତୁ ଓଲଟା ରିଆକ୍ଟ କରି ଥାଆନ୍ତୁ । ଭାବି ଥାଆନ୍ତୁ ମୁଁ ତୋତେ ଦୟାକରି ପ୍ରେମ କରୁଛି, ୟୁନିଭରସିଟି ସମୟର ପରିବେଶ ସେପରି ଥିଲା, କେତେ ସୁନ୍ଦରୀ ଝିଅ ମୋ ପାଇଁ ନିଜ ଭିତରେ କମ୍ପିଟେସନ କରୁଥିଲେ, ସେମାନଙ୍କ ସହିତ ନିଜକୁ ତୁଳନା କରି ତୋର ଭାବନା କେତେ ନକାରାତ୍ମକ ହୋଇ ପାରିଥାନ୍ତା, ସେ କଥା ତୁ ନିଜେ କଳ୍ପନା କରି ପାରୁଥିବୁ । ସେଥିପାଇଁ ଠିକ୍ ସମୟକୁ ମୁଁ ଅପେକ୍ଷା କରିଥିଲି । ଆଜି ସେହି ସମୟ ଆସିଛି, ଆଜି ତୁ ମୋର ସମସ୍କନ୍ଦ ପେଷାରେ ଅଛୁ, ଆମେ ଏକା ପାଠ ପଢିଛେ, ଏକା ପ୍ରକାର କାମ କରୁଛେ ଏବଂ ଏକା ପରିମାଣର ରୋଜଗାର କରୁଛେ, ଆମେ ଷ୍ଟାଟସରେ କେହି କାହାଠାରୁ କିଛି କମ୍ ନୁହେଁ । ଏପରି ପରିସ୍ଥିତିରେ ମୋର ପ୍ରେମ ତୋତେ କୌଣସି ଦୃଷ୍ଟିରୁ ଦୟାପରି ଲାଗିବନି ।
କୃଷ୍ଣା ଥରେ ଆକାଶର ମୁହଁକୁ ଚାହିଁଲା ଏବଂ ତଳକୁ ମୁହଁ ପୋତି କହିଲା, ହଁ, ତୁ ବୋଧ ହୁଏ ଠିକ୍ କହୁଛୁ । ସେ ସମୟରେ ମୋର ମାନସିକ ପରିସ୍ଥିତି ଠିକ୍ ସେପରି ଥିଲା । କାରଣ ମୁଁ ବି ମନେ ମନେ ତୋତେ ବହୁତ ଭଲ ପାଉଥିଲି ଏବଂ ତୁ କାଳେ ମୋ ପ୍ରେମକୁ ପ୍ରତ୍ୟାଖାନ କରିଦେବୁ ସେ ଭୟରେ ମୁଁ ତୋତେ ମୋ ଫିଲିଙ୍ଗସ ବିଷୟରେ କେବେ କହିବାକୁ ସାହସ ଜୁଟେଇ ପାରି ନଥିଲି, କିନ୍ତୁ ମୁଁ ତୋତେ ହରେଇ ଦେବାକୁ ବି ଚାହୁଁ ନଥିଲି । ମୋର ଏଇ କମ୍ଲେକ୍ସ ଏବଂ ତୋର ପ୍ରତ୍ୟାଖ୍ୟାନର ଭୟ ମୋତେ ଆକାଶକୁ ପ୍ରେମ ନକରିବା ପାଇଁ ବାରମ୍ବାର ଡରାଉ ଥିଲା । ଏ ସବୁ ମିଶି ମୋ ମନଟାକୁ ବହୁତ ଦୁର୍ବଳ କରି ଦେଇଥିଲା ।
ସଙ୍ଗେ ସଙ୍ଗେ ଆକାଶ କହିଲା ସେଇଥି ପାଇଁ ମୁଁ ଉପଯୁକ୍ତ ସମୟର ଅପେକ୍ଷାରେ ରହିଥିଲି । ହେଲେ ସେ ସମୟ ଯେ ଆଜି ଏମିତି ଆସି ଯିବ, ସେ କଥା ମୁଁ କେବେ କଳ୍ପନା କରି ନଥିଲି । ତୁ ଜାଣିଛୁ, ରେଜଲ୍ଟ ବାହାରିବା ପରେ ମୁଁ ସବୁବେଳେ ତୋତେ ପଚାରେ, ଜବ୍ ପାଇଁ ତୁ କେଉଁଠି କେଉଁଠି ଆପ୍ଲାଇ କରୁଛୁ ? ତୁ ଯେଉଁଠି ଆପ୍ଲାଇ କରୁଥିଲୁ ମୁଁ ବି ସେଠାକୁ ଆପ୍ଲାଇ କରୁଥିଲି । ମୋତେ କେତେଟା ଯାଗାରୁ ଅଫର ବି ମିଳି ଯାଇଥିଲା, କିନ୍ତୁ ମୁଁ ଗଲିନି । ଯେଉଁଦିନ ତୁ ମୋତେ କହିଲୁ, ମୁମ୍ବାଇର ଟିସିଏସରୁ ତୋତେ ଅଫର ମିଳିଛି ବୋଲି, ଠିକ୍ ତାର ଦୁଇଦିନ ଆଗରୁ ମୋତେ ମଧ୍ୟ ସେଠାରୁ ଅଫର ମିଳି ସାରିଥିଲା । ଏହା ସହିତ ନଏଡାରୁ ଏବଂ ବାଙ୍ଗାଲୋରରୁ ମଧ୍ୟ ଦୁଇଟି ଅଫର ମିଳିଥିଲା, କିନ୍ତୁ ମୁଁ ମୁମ୍ବାଇ ଜଏନ କଲି, କେବଳ ତୋରି ପାଇଁ ।
କୃଷ୍ଣାର ମୁହଁ ଉପରେ ନିରାଶର ବାଦଲ ଏବେ ବି ସେମିତି ଢାଙ୍କି ହୋଇ ରହିଥାଏ । ନିଜର ସମସ୍ତ ଶକ୍ତିକୁ ଏକାଠି କରି ସେ କହିଲା, ତୁ ଜାଣିଛୁ ଆକାଶ, ତୋ ପାଖରେ ଠିଆ ହେଲେ ମୋତେ ମୋ ନିଜ ଉପରେ ବହୁତ ଘୃଣା ଆସେ, ମୁଁ ଭଗବାନଙ୍କ ଉପରେ ବହୁତ ଅଭିମାନ କରେ, ପଚାରେ ଆକାଶର ରଙ୍ଗରୁ ଦିଟୋପା ଗୋରାପଣ ମୋ ଦେହର ରଙ୍ଗ ସହିତ ମିଶେଇ ଦେଇଥିଲେ କଣ କ୍ଷତି ହୋଇ ଯାଇଥାନ୍ତା । ଆକାଶର ଗୋରାପଣ ତ କମ୍ ହୋଇ ନଥାନ୍ତା, କିନ୍ତୁ ମୋର କଳାରଙ୍ଗ ଟିକିଏ ତ କମ୍ ହୋଇ ଯାଇ ଥାଆନ୍ତା । ତୋ ସାମ୍ନାରେ ମୋତେ ନିଜକୁ ବହୁତ ହୀନ ଏବଂ ତୁଚ୍ଛ ଲାଗେ ।
ବାମନ ହୋଇ ଚାନ୍ଦକୁ ଆଶା କରିଲା ପରି ମନେହୁଏ । ବଡ ଲାଜ ଲାଗେ ମୋତେ । ଆମ ଦୁଇ ଜଣଙ୍କୁ ସାଥିରେ ଦେଖିଲେ ଲୋକ ଭାବୁଥିବେ ହ୍ୱାଇଟ ପେପର ପାଖରେ ଏଇ ବ୍ଲାକ ପେପରଟିଏ କିଏ ଥୋଇଦେଲା ? ବଡ କଣ୍ଟ୍ରାଷ୍ଟ କଲର କମ୍ବିନେସନ । ଆଉ ପ୍ରେମ କରିବା ପରେ ମୁଁ ଯେତେ ବେଳ ତୋ ମୁହଁକୁ ଦଖିବି, ମୋତେ ବହୁତ ଗିଲ୍ଟି ଫିଲହେବ । ମୋତେ ଲାଗିବ ତୋ ପ୍ରତି ମୁଁ ବଡ ଅନ୍ୟାୟ କରି ଦେଲି । ମୁଁ ମୋ ନିଜକୁ ସବୁ ବେଳେ ଦୋଷୀ ମନେ କରୁଥିବି । ୟୁ ଆର ଦି ବେଷ୍ଟ ଆକାଶ, ଆଣ୍ଡ ୟୁ ଡିଜର୍ଭ ଦ ବେଷ୍ଟ, ଆଉଟ ଅଫ ଦ ବେଷ୍ଟ । ମୁଁ ସେଇ ଭାଗ୍ୟବତୀ ଝିଅ ନୁହେଁ, ଯିଏ ତୋ ପ୍ରେମ ପାଇଁ ଯୋଗ୍ୟ, ଏତିକି କହି କୃଷ୍ଣା ଚୁପ୍ ହୋଇଗଲା ।
ଆକାଶ କୃଷ୍ଣାର ମୁହଁକୁ ଦୁଇ ହାତ ପାପୁଲିରେ ତୋଳିନେଲା, ଲାଜରେ କୃଷ୍ଣାର ଆଖି ବନ୍ଦ ହୋଇ ଆସୁଥିଲା । ଜୀବନରେ ପ୍ରଥମ ଥର ପାଇଁ ଏପରି କେହି ଜଣେ କୃଷ୍ଣାର ଏତେ ପାଖରୁ ତାର ମୁହଁକୁ ନିଜ ହାତରେ ଏତେ ନିବିଡତାର ସହିତ ତୋଳି ଧରିଛି । ଆକାଶ କୃଷ୍ଣାର ମୁହଁକୁ ସେହି ପରି ହାତରେ ତୋଳିଧରି କହିଲା, କୃଷ୍ଣା, ଥରେ ମୋ ମୁହଁକୁ ଚାହାଁ । ଜାଣିଛୁ, ପ୍ରେମରେ ଗୋଟିଏ ବିଚିତ୍ର କଥା ହୁଏ । ପ୍ରେମ କଲା ପରେ ସମସ୍ତେ ନିଜ ମୁହଁ ଦେଖିବା କଥା ଭୂଲି ଯାଆନ୍ତି । କେବଳ ନିଜ ପ୍ରେମୀର ମୁହଁ ଦେଖି ସବୁ କିଛି ଭୂଲି ଯାଆନ୍ତି । ପ୍ରେମୀର ମୁହଁରେ ନିଜର ମୁହଁ, ନିଜ ସଂସାର ଆଉ ଦୁନିଆର ସବୁ କିଛି ଦେଖିପାରନ୍ତି । ଚକୋର ଚାନ୍ଦକୁ ଚାହିଁ ଚାହିଁ ଜୀବନ କଟେଇ ଦିଏ, ସେ କେବେ ନିଜ ମୁହଁ ଦେଖେ ? ପଦ୍ମିନୀ ସୂର୍ଯ୍ୟଙ୍କୁ ଦେଖି ଦେଖି ଝାଉଳି ଯାଏ ସିନା ନିଜ ରୂପ କଥା କେବେ ଭାବେନା । ରାଧା, କୃଷ୍ଣଙ୍କ ରୂପରେ ଏପରି ମୋହିତ ହୋଇଗଲେ ଯେ ସାରା ସଂସାରର ଲାଜ ମହତ, କୁଳ ମର୍ଯ୍ୟଦା ସବୁ ଭୂଲିଗଲେ । ତୁ କଣ ମୋ ମୁହଁକୁ ଦେଖି ସେଥିରେ ତୋ ନିଜ ମୁହଁକୁ ଭୂଲି ପାରିବୁନି?
କୃଷ୍ଣାର ବନ୍ଦ ଆଖିରୁ ଦୁଇ ଧାର ଲୁହ ବୋହି ଆସୁଥିଲା, ଆକାଶ କୃଷ୍ଣାର ମୁହଁକୁ ନିଜ ହାତରୁ ମୁକ୍ତ କରି ଦେଇଥିଲା । କୃଷ୍ଣା ଆଉଜି ଆସିଲା ଆକାଶର ଛାତି ଉପରକୁ, ସେଇଠି ମୁହଁ ରଖି ଛୋଟ ଝିଅଟିଏ ପରି କଇଁ କଇଁ ହୋଇ କାନ୍ଦିଉଠିଲା । ଆଖିର ଲୁହ ତାର ଅମାନିଆ ନଈଟିଏ ପରି ଲୁହ ବୋହି ଚାଲିଥିଲା । କେତେ ଦିନର, ଦିନ ତ ନୁହେଁ, କେତେ ବର୍ଷରୁ, ଯୌବନର ପ୍ରଥମ ଦିନରୁ ଜମାଟ ବାନ୍ଧିଥିବା ସବୁ ଲୁହ ସତେ ଆଜି ଏକା ବେଳେକେ ବୋହି ଯିବାକୁ ଚାହୁଁଛନ୍ତି । ଏଇ ଟିକକ ପ୍ରେମ ପାଇଁ କେତେ ବ୍ୟାକୁଳରେ ସେ ଚାତକ ପରି ଚାହିଁ ରହିଥିଲା କେଉଁ ଏକ ଅଜଣା ଆକାଶର କଳା ବାଦଲକୁ । କିନ୍ତୁ ଆଜି କେବଳ ବାଦଲ ନୁହେଁ, ସେ ସମ୍ପୁର୍ଣ୍ଣ ଆକାଶକୁ ପାଇ ଯାଇଛି ନିଜ ବାହୁ ବନ୍ଧନ ଭିତରେ । ଆକାଶର ବିଶାଳ ଛାତିରେ ମୁହଁ ଗୁଞ୍ଜିଦେଇ ସବୁ ଲୁହ ଅସରା ଶ୍ରାବଣର ବର୍ଷାର ଧାରା ପରି ଢାଳି ଦେଉଛି । ସେ ବୁଝି ପାରୁ ନଥିଲା କେଉଁ ଦୁଃଖରେ ଅବା ଅନେକ ପ୍ରତୀକ୍ଷାର ଅନ୍ତରେ ମିଳିଥିବା ଏଇ ଅସୁମାରୀ ଖୁସିରେ ବୋହି ଯାଉଥିଲେ, ତାର ଆଖିର ସବୁ ଯାକ ଲୁହ ।