ଅଣୁଗଳ୍ପ

ମାଆର ମହତ୍ତ୍ୱ

Armaan Ojha's odia short story Maara Mahattwa

ଆଜି ଯାଏଁ ମୁଁ କରିଛି କଣ ତାଙ୍କର ? ରାଗରେ କେତେ କଥା ବି କହି ଯାଇଛି, ହେଲେ କେବେ ତାଙ୍କଠାରୁ ଘରର କିଛି ବି ଦାୟିତ୍ତ୍ୱ ନେଇକି କି ତାଙ୍କୁ କୋଉଥିରେ ସାହାଯ୍ୟ କରିନି । ତେବେ ପ୍ରକୃତରେ ସେତେ ମହତ୍ତ୍ୱ କଣ ସତରେ ମୁଁ ଦେଇ ପାରିଛି ?

ମାଆର ମହତ୍ତ୍ୱ

କେବେ ସେ ହାତ ଧରି ବାଟ ଚଲାଉଥିଲେ । ଆଜି ଯେତେବେଳେ ସେ ସବୁ କଥା ମନେ ପଡ଼େ ଯେତେ ଖୁସି ଲାଗେ, ସେତେ ଦୁଃଖ ବି ଲାଗି ଥାଏ । କେଜାଣି କ’ଣ ଥିଲା ସେ ମୁହୂର୍ତ୍ତ ସବୁ ! ଭୁଲି ହୋଇନାହିଁ । ଲାଗେ ଯେପରି ଏତେ ସବୁ ଘଟଣା କାଲି ହିଁ ସଦ୍ୟ ଘଟି ଯାଇଅଛି । ଯେପରି ସେ ବିଗତ ସତର ବର୍ଷ ତଳର ନୁହଁ, ଏଇ କିଛି ଦିନ ଏ ମନଲୋଭା ଘଟଣାବଳୀ । ଆଉ ସେ ମୁହୂର୍ତ୍ତର ମହତ୍ତ୍ୱ , ମାଆ , ତାଙ୍କ ମହତ୍ତ୍ୱ , ସତରେ ମୋ ପକ୍ଷେ ଅବର୍ଣ୍ଣନୀୟ ।

ବାପାଙ୍କ ଯିବା ପରଠୁଁ ମାମା (ଯେହେତୁ ମୁଁ ତାଙ୍କୁ ମାମା ଡାକେ) ଆମକୁ ଯେପରି ସମ୍ଭାଳି ଆସିଛନ୍ତି ତା’ର କୌଣସି ପଟାନ୍ତର ନାହିଁ । ଆମ ଘର ଲୋକେ ଘରୁ ତଡ଼ିଦେଲାପରେ ଦୁଇ ତିନି ଥର ଆତ୍ମ ହତ୍ୟାର ଚେଷ୍ଟା ମଧ ସେ କରିଥିଲେ । ଏତେ ସବୁ ପରେ ମଧ୍ୟ ସେ ଆମ ମୁହଁକୁ ଚାହିଁ ବଞ୍ଚି ଆସିଛନ୍ତି । ଆମର କୌଣସି ଅଭାବ ରଖି ନାହାନ୍ତି । ଯେତେବେଳେ ଆମେ ଦୁଇ ଭାଇ ଯାହା ମାଗିଛୁ ସଙ୍ଗେ ସଙ୍ଗେ ଆଣି ଖଞ୍ଜି ଦେଇଛନ୍ତି । ବାଓଆଙ୍କ ପେନ୍‌ସନ୍‌ରେ ଯାହା ଯେମିତି ହେଉ ଘର ଚଳେଇ ଆମକୁ ପଢ଼ାଉଛନ୍ତି । ନିଜ ପାଇଁ କିଛି ନ ରଖି ଆମ ପାଇଁ ସବୁ ସାଇତି ରଖିଛନ୍ତି ।

ମାମୁ ଘରେ ଆଶ୍ରୟ ନେଲୁ ମାତ୍ର ଜୀବନ ଏଠାରେ ମଧ୍ୟ ସହଜ ନୁହେଁ । ଲୋକେ କହିଲେ ବାପଘରୁ ପଇସା ମାରି ଖାଉଛି । ହେଲେ ଅନ୍ତର କଥା କିଏ ବୁଝିଲାଣି ନା ବୁଝିବ ! କେତେ କଷ୍ଟରେ ସେ ସବୁ ମ୍ୟାନେଜ୍‌ କରନ୍ତି ସେ ହିଁ ଜାଣିଛନ୍ତି । ସାମାନ୍ୟ ଦିଆସିଲଟିଏ ନ କିଣିଲେ ଯେଉଁଠି ନ ଚଳେ ସେପରି ସ୍ଥାନରେ ପେନ୍‌ସନ୍‌ ମାତ୍ରାରେ ଦୁଇ ପିଲାଙ୍କୁ ଧରି ଚଳିବା କେତେ କଷ୍ଟ ସେଇଟା ଅନ୍ୟ କେହି ବୁଝିବେ ନାହିଁ । ଆମ ସବୁ ସୁବିଧା ଅସୁବିଧାରେ ଆମକୁ ସଠିକ ରାସ୍ତା ବତେଇଛନ୍ତି ।

ହେଲେ ଆଜି ଯେତେବେଳେ ସେ ମୋତେ ଖାଲି ଗୋଟିଏ ପ୍ରଶ୍ନ କଲେ “ତୋ ଜୀବନରେ ମୋର ମହତ୍ତ୍ୱ କ’ଣ? ” ମୋ ପାଖରେ ତାର କୌଣସି ଉତ୍ତର ନ ଥିଲା । ଜୀବନର ପ୍ରତ୍ୟେକ ବସ୍ତୁ, ମାନବ ଇତ୍ୟାଦିର ମହତ୍ତ୍ୱର କଳନା କରାଯାଇପାରେ ହେଲେ ପୁଅ ହୋଇ ମାଆର କି ମହତ୍ତ୍ୱ ଦେବି ! ନିଜ ପେଟ କାଟି ଆମକୁ ଜୀବନ୍ତ ରଖିଥିବା ମାଆର କି ମୂଲ୍ୟ ଦେଇ କହିବି କେତେ ମହତ୍ତ୍ୱ ତାର । ଯାହା ହାତ ଧରି ଏ ବିଶାଳ ଦୁନିଆରେ ଏକ ଛୋଟ ଚରିତ୍ର ହୋଇ ଦୁନିଆକୁ ଦେଖିଛି କି ମୂଲ୍ୟ ଦେବି ମୁଁ ତାକୁ ?

ତେବେ ସେ ଯାହା ବି ହେଉ,ମୋତେ ବାବୁଙ୍କ ହେବାର ଦେଖି ଯାହା ମନ ଚଞ୍ଚଳ ହୋଇ ଉଠିଥିଲା ମୋର ଏକ ବାଳସୁଲ୍ଲଭ ଉତ୍ତର ତା’ ମୁହଁରେ ଏପରି ଗମ୍ଭୀର ରେଖା ଟାଣିଦେବ, ତାହା ମୋ କଳ୍ପନାର ପରେ ଥିଲା । ମୋର ଜଣେ ସାଙ୍ଗ ତାର ପୁତୁରା କୁ ଧାଇଁ ଫଟୋ ଛାଡିଥାଏ । ମୁଁ ତାକୁ ଦେଖି କେଜାଣି କଣ ଭାବୁଥିଲି । ସେ ସବୁକୁ ଦେଖି ହସି ହସି ମଜା କରିବା ଉଦ୍ଦେଶ୍ୟରେ କହିଲେ “କଣ ଭାବୁଛୁ ? ସେମାନଙ୍କର ପୂରା ପରିବାର ଅଛି । ସେମାନେ ଧରିବେ, ବୁଲିବେ, ଗେଲ ହେବେ, ଗେଲ କରିବେ । ତୋର କିଏ ଅଛି ଭାବୁଛୁ ? ଏତିକି କହି ଏକ ଗମ୍ଭୀର ଅର୍ଥ ଥିବା ହସ ହସିଲେ । ମୁଁ ବି ହସ ଫୁଟାଇବା ଉଦ୍ଦେଶ୍ୟରେ କହିଲି “ମୋର କିଏ ଥାଉ କି ନ ଥାଉ ଫୋନ୍‌ଟେ ତ ଅଛି !ଧରିବି ଭୁଲିବି, ଯାହା ଇଚ୍ଛା କରିବି । ହେଲେ ମାମାଙ୍କ ମନକୁ କଥାଟା ଠିକ୍‌ ଲାଗିଲା ନାହିଁ ବୋଲି ମୋତେ କାହିଁ ଲାଗିଲା । କିଛି କ୍ଷଣ ଗମ୍ଭୀର ରହି ସେ କହିଲେ, “ତୋ ଜୀବନରେ ମୋର ମହତ୍ତ୍ୱ କଣ ?”

ଉତ୍ତର ତ କିଛି ନ ଥିଲା ମୋ ପାଖରେ ମାତ୍ର କିଛି କ୍ଷଣ ସ୍ତବ୍ଦ ହୋଇଗଲି । ଆଖିରେ ନାଚି ଯାଉଥାଏ ସେ ୧୭ ବର୍ଷ ତଳର କଥା ଗୁଡିକ । ରାତି ଦିନ ମୋତେ ଜଗିରହିବ ଠାରୁ ଆରମ୍ଭ କରି କୌଣସି ବିପଦକୁ ନିଜ ଉପରକୁ ନେଇଯିବା ସବୁ ଆଖିଆଗରେ ସତେ ଯେମିତି ନାଚିଗଲା । ଭାବିଲି ସତରେ କଣ ମୁଁ କହିପାରିବି କେତେ ମହତ୍ତ୍ୱ ରହିଛି ତାଙ୍କର ମୋ ଜୀବନରେ । ଆଜି ବି ମାନେ ଅଛି ସେ ବିଛା କଥା । ଠାରେ ଗୋଟେ ବିଛା ମୋ ଗୋଡ଼ ପାଖରେ ଚାଲିଗଲା ବୋଲି କାଳେ କାମୁଡ଼ିଦେବ ଏ ଭୟରେ ନିଜେ ତାକୁ ପିଟିପିଟି ମାରିଦେଇଥିଲେ । ପ୍ରକୃତରେ କହିବାକୁ ଗଲେ ସେ ଆମ ପାଇଁ କିଛି ବି କରିଯିବାକୁ ପଛାଉ ନ ଥିଲେ ।

ହେଲେ ଆଜି ସେ କଥା ସତେ ଯେପରି ଛାତିକୁ ଶରବିଦ୍ଧ କରି ଦେଉଛି । ମୋତେ ବାରମ୍ବାର ଗୋଟେ ପ୍ରଶ୍ନ କରୁଛି “ଆଜି ଯାଏଁ ମୁଁ କରିଛି କଣ ତାଙ୍କର ? ରାଗରେ କେତେ କଥା ବି କହି ଯାଇଛି, ହେଲେ କେବେ ତାଙ୍କଠାରୁ ଘରର କିଛି ବି ଦାୟିତ୍ତ୍ୱ ନେଇକି କି ତାଙ୍କୁ କୋଉଥିରେ ସାହାଯ୍ୟ କରିନି । ତେବେ ପ୍ରକୃତରେ ସେତେ ମହତ୍ତ୍ୱ କଣ ସତରେ ମୁଁ ଦେଇ ପାରିଛି ?

ସେ ଯାହା ବି ହେଉ ସେ ମୋତେ କେବେ ଦାୟିତ୍ୱ ଦେଇ ନାହାନ୍ତି କିମ୍ବା ମୁଁ ବି ନିଜ ଆଡୁ କେବେ ନେଇନି । ଆଉ ଆଜିର ତାଙ୍କର ଏ ପାଦ ବୋଧ ହୁଏ ମୋ ଦାୟିତ୍ୱ ବୋଧ ଆଣି ଦେଇଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top