ନଦୀ କ’ଣ ନାରୀଟିଏ ? କାଠଯୋଡ଼ି ଓ କୁଆଖାଇ ନଦୀ ଦୁଇଟିକୁ ଦେଖିଲେ ମନେହୁଏ, ସତେଯେମିତି ଦୁଇଜଣ ନାରୀ, ଦୁଇ ଭଗିନୀ ଅବା । କେତେବେଳେ ଛଳଚଳ ନାଦିନୀ, କଳକଳ ଗାମିନୀ ତ ପୁଣି କେତେବେଳେ ରୁଦ୍ର, ଭୟଙ୍କରୀ, କୂଳ ଉଲ୍ଲଙ୍ଘନ କାରିଣୀ । କେତେବେଳେ କ୍ଷୀଣବସ୍ତ୍ର ପରିହିତା କିଶୋରୀ ତ କେତେବେଳେ ଆପଦମସ୍ତକ ଆବୃତା ଷୋଡ଼ଶୀ ଯୁବତୀ ।
କଟକରୁ ଭୁବନେଶ୍ଵର ସଟଲ ଟ୍ରେନ୍ରେ ଯିବା ଆସିବା କରିବାବେଳେ, ଏଇ ନଦୀ ଦୁଇଟି ହିଁ ମମତାଙ୍କର ଏକାନ୍ତ ଦର୍ଶନୀୟ ହୋଇପଡ଼ିଥୁଲେ । ଏ ନଦୀ ଦୁଇଟିକୁ ସେ ପରମ ଆଗ୍ରହରେ ଦେଖନ୍ତି ଓ ଋତୁଚକ୍ରର ଆବର୍ତ୍ତନରେ ଏମାନଙ୍କ ମଧ୍ୟରେ ଘଟୁଥୁବା ପରିବର୍ତନକୁ ଅନୁଭବ କରନ୍ତି । ପରିବର୍ତ୍ତନତ ହେଉଛି ପ୍ରକୃତିର ନିୟମ, ଏକ ଚିରନ୍ତନ ସତ୍ୟ, ହେଲେ ମମତା କ’ଣ କେବେ ଭାବିଥିଲେ, ତାଙ୍କ ମଧ୍ୟରେ ଏମିତି ଗୋଟେ ବିରାଟ ପରିବର୍ତ୍ତନ ହୋଇଯିବ, ଯାହା ତାଙ୍କ ସମଗ୍ର ସତ୍ତାକୁ ଓଲଟ ପାଲଟ କରିଦେବ । ସେ ନିଜକୁ ପଚାରିବାପାଇଁ ବାଧ୍ୟହେବେ ଯେ, “ ମୁଁ ଯାହା କରୁଛି ଠିକ୍ ତ ? ଯାହା କରିବାପାଇଁ ଯାଉଛି, ଉଚିତ୍ ହେବତ ? ?
ଜୀବନ ତାଙ୍କୁ କେଉଁ କାଉଁରୀ କାଠିରେ ଛୁଇଁଗଲା କେଜାଣି, ତାଙ୍କପାଇଁ ବସନ୍ତରେ ଆଜି ଅନେକ ବେପଥୁ, ଶ୍ରାବଣରେ ଅନେକ ଉତ୍ତାପ ଆଉ ଶୀତରେ ଅନେକ ଶିହରଣ । ଚାରିଆଡ଼ କୁସୁମିତ, ପ୍ରେମମୟ, ମଧୁମୟ ଓ କୁହୁତାନଭରା ।
ଏହା ପୂର୍ବରୁ ମମତାଙ୍କ ଜୀବନ ଗଡ଼ିଆସିଥୁଲା ଛୋଟ ଝରଣାଟିଏ ପରି ସ୍ୱଚ୍ଛ, ସାବଲୀଳ ଆଉ ଗାତନୁଗତିକ ରୀତିରେ । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ପ୍ରଫେସର ଡକ୍ଟର ଦାସଙ୍କର ସେ ଥିଲେ ବଡ଼ଝିଅ । ତାଙ୍କ ପରେ, ପରେ ଆଉ ଦୁଇ ଭଉଣୀ ଯଦିଓ ଥିଲେ, ତଥାପି ପିତାମାତାଙ୍କର ଅଧକ ସ୍ନେହ, ଶ୍ରଦ୍ଧାଝରି ପଡ଼ୁଥିଲା ମମତାଙ୍କ ଭାଗରେ… ଆଉ ସେ କେବେହେଲେ ଏସବୁ ସ୍ଳେହ ଶ୍ରଦ୍ଧାର ଅସଦ୍ଉପଯୋଗ କରିନାହାନ୍ତି । ଶାନ୍ତ, ଶିଷ୍ଟ, ନମ୍ର ଓ ବିନୟୀଥିଲେ ମମତା । ପିଲାଟି ବେଳରୁ ଖୁବ୍ ଭଲ ପଢ଼ୁଥିଲେ । ଶ୍ରେଣୀରେ ପ୍ରତିବର୍ଷ ପ୍ରଥମସ୍ଥାନ ଅଧିକାର କରୁଥୁଲେ । ଥରେ ତାଙ୍କ ବାବା ଖୁସିହୋଇ କହିଥିଲେ, “ ମମତା ଆମର ବଡ଼ହେଲେ ଅଧ୍ୟାପିକାଟିଏ ହେବ । ଝିଅମାନଙ୍କ ପାଇଁ ଅଧ୍ୟାପନା ଚାକିରି ଖୁବ୍ ସୁବିଧାଜନକ ।” ବାସ୍, ତା’ପରଠାରୁ ମମତା ସେଇ ଗୋଟିଏ ଲକ୍ଷ୍ୟରେ ଆଗେଇ ଚାଲିଥୁଲେ, ବହି ଭଲତ ସେ ଭଲ । ପଢ଼ା ଭଲ ତ ସେ ଭଲ । ଆଉ ଅନ୍ୟ କୌଣସିଥିରେ ଆଗ୍ରହ ନାହିଁକି ଆକର୍ଷଣ ନାହିଁ ।
ୟା ମଧ୍ୟରେ କେତେ ଯେ ବସନ୍ତ ହଜିଯାଇଛି, କେତେ ଯେ ଶ୍ରାବଣ ଝରିଯାଇଛି, ତା’ର ହିସାବ ରଖିନାହାନ୍ତି ମମତା । କେବେ ତାଙ୍କ ତନୁପାତଳି ଦେହଟା ଯୌବନପୁଷ୍ଟ ହୋଇଯାଇଛି, କେବେ ସେ କିଶୋରୀରୁ ସମ୍ପୂର୍ଣ୍ଣ ଯୁବତୀଟିଏରେ ପରିଣତ ହୋଇଯାଇଛନ୍ତି, ସେ କିଛି ଜାଣିପାରି ନାହାନ୍ତି । ସେଥିପାଇଁ ସାଙ୍ଗମାନେ ବେଳେବେଳେ ତାଙ୍କୁ ପୁସ୍ତକକୀଟ କହି ଚିଡ଼ାନ୍ତି । ଏଥିରେ ଦୁଃଖିତ ହୁଅନ୍ତି ନାହିଁ ମମତା । ବାସ୍ତବରେ ପୁସ୍ତକ ହିଁ ତାଙ୍କର ସବୁଠାରୁ ବଡ଼ ସାଥୀ, ଦିଗ୍ଦର୍ଶକ ଓ ପଥପରିଦର୍ଶକ । କିଏ ଜଣେ ଠିକ୍ କହିଥିଲେ, “ପୁସ୍ତକଠାରୁ ବଡ଼ବନ୍ଧୁ ନାହିଁ ।” ଏମିତି ପଢ଼ି ପଢ଼ି ଶେଷରେ ସେ ଦିନେ ଏମ୍.ଏ.ରେ ପ୍ରଥମ ଶ୍ରେଣୀରେ ପ୍ରଥମସ୍ଥାନ ଅଧିକାର କଲେ । ଏହାପରେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଦେଲେ । “
ଏଥର ଆରମ୍ଭ ହୋଇ ଯାଇଥିଲା ମମତାଙ୍କ ପାଇଁ ବର ଯୋଗାଡ଼ କରିବାର ପାଲା । ପାଲା ନୁହେଁ ତ ଆଉ କ’ଣ ? ମନେ ମନେ ଭାବନ୍ତି ମମତା । ତାଙ୍କ ବାବାଙ୍କର ଡାକ୍ତର ଜ୍ଵାଇଁଟିଏ କରିବାପାଇଁ ଖୁବ୍ ଆଗ୍ରହ । ତେଣୁ ସମୟ, ଅସମୟରେ ସେ ତାଙ୍କ କଲେଜର କୌଣସି ଏକ ମେଧାବୀ ଛାତ୍ରକୁ ସାଥିରେ ନେଇ ଘରେ ପହଞ୍ଚୁଥିଲେ । କିନ୍ତୁ ମା’ ତାଙ୍କୁ ବହୁପ୍ରକାର ପ୍ରଶ୍ନ ପଚାରି ଶେଷରେ ନାପସନ୍ଦ କରୁଥିଲେ । ‘ମା’ଙ୍କର ଆଇ.ଏ.ଏସ୍. ଜ୍ଵାଇଁଟିଏ କରିବାପାଇଁ ପ୍ରବଳ ଇଚ୍ଛା ଥିଲା । ସେଥୁପାଇଁ ସେ ଅନେକ ବନ୍ଧୁ ବାନ୍ଧବଙ୍କୁ ଆଇ.ଏ.ଏସ୍ ପ୍ରସ୍ତାବଟିଏ ଯୁଟିଲେ ବୁଝାବୁଝି କରିଦେବା ପାଇଁ ଅନୁରୋଧ କରିଥୁଲେ । ଶେଷରେ ଦିନେ ଜିତାପଟ ହୋଇଥିଲା ମା ‘ଙ୍କର । ମମତାଙ୍କ ପାଇଁ ଆଇ.ଏ.ଏସ୍. ଜୋଇଁଟିଏ ଠିକ୍ ହୋଇଥିଲା ।
ଅନେକ ଉପହାର, ଅନେକ ଯୌତୁକ ନେଇ ମମତା, ଶୁଭେନ୍ଦୁଙ୍କ ଘରକୁ ବୋହୂ ହୋଇଯାଇଥିଲେ । ତାଙ୍କ ମା’ ଆନନ୍ଦିତ ହୋଇ କହି ପକାଇଥିଲେ, “ ମମତା ମୋର ଖୁବ୍ ଭାଗ୍ୟବତୀ । ଏମିତି ଜୋଇଁଟିଏ ଏପର୍ଯ୍ୟନ୍ତ କ୍ୟାମ୍ପସରେ କେହି କ”ଣ କରିଛନ୍ତି ? ବାସ୍ତବବାଦୀ ମମତାଙ୍କ ହୃଦୟରେ ମଧ୍ୟ କୋମଳ ସ୍ଵପ୍ନଟିଏ କୁତୁକୁତୁ ହେଉଥିଲା । ଏକ ସଫଳ ପୁରୁଷ ସହିତ ଏକ ସାର୍ଥକତାର ଜୀବନ ବିତାଇବାର ସ୍ଵପ୍ନ ଆସ୍ତେ ଆସ୍ତେ ଓଢ଼ଣା ତଳୁ ଉଙ୍କିମାରୁଥିଲା । ଅଥଚ ବିବାହର ପ୍ରଥମ ରାତ୍ରୀରେ ହିଁ ତାଙ୍କ ସବୁ ସ୍ଵପ୍ନକୁ ଚୁର୍ମାର କରିଦେଇଥିଲେ ଶୁଭେନ୍ଦୁ । ରାତି ଦୁଇଟା ବେଳକୁ ଟଳିଟଳି, ମାତାଲ ହୋଇ, ଦୁଇଜଣ ଭାଉଜଙ୍କ ସହାୟତାରେ ଆସି କହିଥିଲେ, “ ଆଜି ଟିକେ ବେଶୀ ହୋଇଗଲା ଡାର୍ଲିଙ୍ଗ । ଆଜି ଆମର ବାସର ରାତି ସିନା, ବନ୍ଧୁମାନଙ୍କର ଅନୁରୋଧ ଏଡ଼ାଇ ପାରିଲିନାହିଁ ।” ଏତିକି କହି କାର୍ପେଟ ଉପରେ ଢଳିପଡ଼ିଲେ ଶୁଭେନ୍ଦୁ ଆଉ ପଲଙ୍କବାଡ଼ରେ ଝୁଲୁଥୁବା ମାଳ ମାଳ ରଜନୀଗନ୍ଧା, ଶେଯରେ ବିଛା ହୋଇଥିବା ମୁଠାମୁଠା ଗୋଲାପ ଫୁଲର ପାଖୁଡ଼ା, ଘରସାରା ଖେଳିବୁଲୁଥୁବା ଦାମୀ ଅତରର ବାସ୍ନା ଆଉ ଢେଉ ମାରୁଥିବା ଫିକାନୀଳ ଆଲୋକ, ସବୁ ଯେମିତି ବ୍ୟର୍ଥତାର ଅଟ୍ଟହାସ୍ୟ କରୁଥିଲେ ।
ଶାଶୁଘରେ ଆଠଦିନ ରହି ଫେରିଆସିଲେ ମମତା କଟକକୁ । କାରଣ ଶୁଭେନ୍ଦୁ ସେଠାରେ ପଦସ୍ଥ ଅଫିସର । ଏଥର ମେଡ଼ିକାଲ କଲେଜ କ୍ୟାମ୍ପସ ନୁହଁ, ଶୁଭେନ୍ଦୁଙ୍କ ସୁରମ୍ୟ ଅଟ୍ଟାଳିକା ହେଲା ତାଙ୍କ ବାସସ୍ଥାନ ।
କଟକ ଆସି ଶୁଭେନ୍ଦୁଙ୍କର ଆଉଗୋଟେ ରୂପ ଆବିଷ୍କାର କଲେ ମମତା । ଶୁଭେନ୍ଦୁଙ୍କ ଜୀବନରେ ଅନେକ ନାରୀ ଥିଲେ । କ୍ଲବ୍ରେ ବା ଅଫିସ୍ରେ ଭେଟୁଥୁବା ଅନେକ ନାରୀଙ୍କୁ ସେ ବାନ୍ଧବୀ ଭାବରେ ଗ୍ରହଣ କରୁଥିଲେ ଓ ସେମାନଙ୍କ ଗହଣରେ ଅର୍ଦ୍ଧରାତ୍ରୀ ପର୍ଯ୍ୟନ୍ତ ବିତାଇ ଟଳି ଟଳି ଘରକୁ ଫେରୁଥିଲେ । ମମତାଙ୍କ ସ୍ଥାନ ତାଙ୍କ ନିକଟରେର ସୋକେସ୍ରେ ସଜ୍ଜିତା ଗୋଟିଏ ଚାବିଦିଆ କଣ୍ଢେଇଛଡ଼ା ଅଧକ କିଛି ନ ଥିଲା । ଶାନ୍ତ, ସମାହିତ ଭାବରେ ନିଜ ଜୀବନକୁ କଟାଇଥିବା ମମତାଙ୍କ ନିମନ୍ତେ ଏସବୁ ଅସହ୍ୟ ଥିଲା । ପ୍ରଥମେ ସେ କେତେଦିନ ହତବାକ୍ ହୋଇ ରହିଗଲେ । ତା’ପରେ ନିଜକୁ ନିଜେ ସମ୍ଭାଳି ନେବାର ଚେଷ୍ଟାକଲେ । କଲେଜ, କ୍ଲାସ୍ ଆଉ ମାଗାଜିନ୍ ମଧ୍ୟରେ ନିଜକୁ ହଜାଇ ।
ଏମିତି ଗୋଟେ ଉଦାସୀ ଜୀବନ ମଧ୍ୟରେ ଦିନେ ଆନନ୍ଦର ଝଲକ ଖେଳାଇ ଜନ୍ମନେଲା କଳିକା । ସୁନ୍ଦର, ଗୁଲୁଗୁଲିଆ ଝିଅଟିଏ । ଏବେ ଟିକିଝିଅର ମୁହଁକୁ ଚାହିଁ ସବୁ ଦୁଃଖକୁ ନୀଳକଣ୍ଠଙ୍କ ପରି ପିଇ ନେଉଥୁଲେ ମମତା । ହେଲେ କଳିକାକୁ ବର୍ଷଟାଏ ପୂରିନାହିଁ ତାଙ୍କର ବଦଳି ହୋଇଗଲା ରମାଦେବୀ ମହିଳା କଲେଜ, ଭୁବନେଶ୍ଵରକୁ ।
ସତରେ ଯେମିତି ଚଡ଼କ ପଡ଼ିଲା ମମତାଙ୍କ ମୁଣ୍ଡରେ । କଟକରୁ ଭୁବନେଶ୍ଵରକୁ ତ ପ୍ରତିଦିନ ଶହଶହ ଲୋକ ଯାଆ, ଆସ କରୁଛନ୍ତି । କିନ୍ତୁ ମମତାଙ୍କୁ ବସ୍ରେ ବସିଲେ ବଡ଼ ଅଣନିଃଶ୍ଵାସୀ ଲାଗେ । ଗୋଟେ କିଲୋମିଟର ଯାଇଥିବକି ନାହିଁ ପେଟ ଭିତରେ ଘଣ୍ଟାଚକଟା ଆରମ୍ଭ ହୋଇଯାଏ, ସତେ ଯେମିତି ଗ୍ରାଇଣ୍ଢରଟିଏ କିଏ ବୁଲେଇ ଦେଇଛି । ପ୍ରଥମେ ଲୁଣି ଲୁଣି ଛେପ ଆଉ ପରେ ପରେ ଖାଦ୍ୟ ପଦାର୍ଥ ଉପରକୁ ଉଠିଆସେ ଆଉ ସେ ବାନ୍ତି କରିପକାନ୍ତି । ପାଖରେ ବସିଥୁବା ଯାତ୍ରୀମାନେ ମୁହଁ ବିକୃତକରି, ଘୂଣା ଦୃଷ୍ଟିରେ ଟାହାନ୍ତି । ତେଣୁ ଏଲ ଅସ୍ଵସ୍ତିକର ପରିସ୍ଥିତିରୁ ରଷା ପାଇବାପାଇଁ ସେ ବସ୍ରେ କୁଆଡ଼େvଯାନ୍ତି ନାହିଁ । ଶୁଭେନ୍ଦୁ ତାଙ୍କ ବ୍ୟସ୍ତତା ଦେଖି କହିଲେ, “ ଚାକିରିଟା ଛାଡ଼ିଦିଅ ? କ’ଣ ବା ଦରକାର ଅଛି ତୁମ ରୋଜଗାର ଟଙ୍କାରେ ।’ “ଚାକିରି ଛାଡ଼ିଦେବି ? ତେବେ ବଞ୍ଚିବି କେମିତି ?” କାହିଁକି ତୁମ ରୋଜଗାରରେ କ’ଣ ଘର ଚଳୁଛି ? ହୁ କେୟାର୍ସ ୟୋର ମନି ।” ମମତା କ’ଣ କହି ଆସୁଥିଲେ, କିନ୍ତୁ ଚୁପ୍ ରହିଲେ । ତାଙ୍କୁ ଅଯଥା ଯୁକ୍ତିତର୍କ ଭଲ ଲାଗେନାହିଁ । ତେଣୁ ସେ ସମାଧାନ କଲାପରି କହିଲେ, “ ଦେଖେ, କ’ଣ କରିହେବ । ଏମିତି ଛୋଟ ଛୋଟ ଅସୁବିଧା ପାଖରେ ହାରିଗଲେ ହେବକି ? ଶୁଭେନ୍ଦୁ ମଧ୍ୟ କଥା ନ ବଢ଼ାଇ ହୁଇସିଲ୍ ମାରି ମାରି କ୍ଲବ୍କୁ ବାହାରି ଗଲାବେଳେ କହିଲେ, ଡ଼ୁ ଆଜ୍ ୟୁ ଲାଇକ୍, ଇଟିସ୍ ୟୋର ପ୍ରୋବ୍ଲେମ୍ । “
ମମତା ଚିନ୍ତିତ ହୋଇ ପଡ଼ିଲେ । ଶୁଭେନ୍ଦୁଙ୍କୁ ସିନା କହିପାରିଲେ ନାହିଁ ହେଲେ ନିଜକୁ ନିଜେ ସ୍ଵଗତୋକ୍ତି କଲେ, “ କେମିତି ଛାଡ଼ିବି ଚାକିରି ? ଏହା ଯେ ମୋ ଜୀବନର ଏକମାତ୍ର ଅବଲମ୍ବନ । ଜଣେ ଆତ୍ନନିର୍ଭରଶୀଳା ନାରୀ କ’ଣ କେବେ ଜାଣୁ ଜାଣୁ ଆଶ୍ରୀତ ଆଉ ପରାନ୍ନଭୋଜି ହୋଇପାରିବ ? ତୁମେ ଦୁଝିପାରିବ୍ ନାହିଁ ଶୁଭେନ୍ଦୁ ଶିକ୍ଷାଦାନ କରି ମୁଁ କେତେ ଆତ୍ନସନ୍ତୋଷ ଲାଭ କରିଥାଏ । ଛୋଟ ବାଲିବନ୍ଧଟିଏ ଦେଖି ନଦୀର ସ୍ରୋତବନ୍ଦ ହୋଇଯାଏ କି ?
ଇଚ୍ଛାଥିଲେ ଉପାୟ ବଳେ ଆସେ । ମମତା କଟକରୁ ଭୁବନେଶ୍ଵର ଯାଉଥିବା ସଟଲଟ୍ରେନ୍ରେ ଗୋଟେ ପାଶ୍ କଲେ ଏବଂ ପ୍ରତିଦିନ ଟ୍ରେନ୍ରେ ଯିବା ଆସିବା କଲେ । ଏଇ ଟ୍ରେନ୍ରେ ହିଁ ସେ ପ୍ରଥମ କରି ବାହାର ଲୋକମାନଙ୍କ ସହିତ ମିଳାମିଶା କରିବାର ସୁଯୋଗ ପାଇଲେ । ହଜାର ହଜାର ଲୋକ, ନିଜର ହଜାରେ ପ୍ରକାର କାମରେ ଯାଉଛନ୍ତି, ଆସୁଛନ୍ତି । କେହି କାହାର ନିଜର ନୁହଁ । ପୁଣି ସମସ୍ତେ ସମସ୍ତଙ୍କର ନିଜର, ସହଯାତ୍ରୀ । ସ୍ୱଳ୍ପଭାଷିଣୀ ମମତା ଟ୍ରେନ୍ରେ କାହାସହିତ ବିଶେଷ କଥାବାର୍ତ୍ତା କରନ୍ତି ନାହିଁ । ନୀରବରେ ମାଗାଜିନ୍ ଖଣ୍ଡିଏ ମେଲାଇ ବସିପଡ଼ନ୍ତି । କେବଳ ତାଙ୍କର ଦୁଇଜଣ ବାନ୍ଧବୀ । କାଠଯୋଡ଼ି ଓ କୁଆଖାଇ । ସେ ନଦୀ ଦୁଇଟି ଆସିଲେ ସେ ଆଗ୍ରହରେ ଚାହିଁ ରହନ୍ତି । ଚୁପ୍ଚାପ୍ ସେମାନଙ୍କ ସହିତ କେତେ କ”ଣ କଥାବାର୍ତ୍ତା କରନ୍ତି । ମନୋଭାବର ଆଦାନ ପ୍ରଦାନ ପାଇଁ ସବୁବେଳେ ଶବ୍ଦ କ’ଣ ନିହାତି ପ୍ରୟୋଜନ ?
ସେଦିନ କିନ୍ତୁ, ସବୁକିଛି ଅଦଳ ଅଦଳ କରିଦେବାର ଦିନଟି ନିହାତି ସାଧାରଣ ଭାବରେ ଆସିଥିଲା । ସିପ୍ରା ତାଙ୍କ ସହିତ ଭୁବନେଶ୍ଵରରୁ କଟକ ଫେରୁଥିଲେ । ବାଣୀବିହାର ହଲଟିଂରେ ଠିଆହୋଇ ଟ୍ରେନକୁ ଅପେକ୍ଷା କଲାବେଳେ ସେ ଗପୁଡ଼ି ସିପ୍ରାର କଥାଗୁଡ଼ାକୁ କୌଣସି ପ୍ରକାରେ ହଜମ କରି ନେଉଥୁଲେ । କାହାକୁ ଦେଖି ସିପ୍ରା ହାତ ଯୋଡ଼ିଲେ । ହସି ହସି ତାଙ୍କ ପାଖକୁ ଆଗେଇ ଆସିଲେ ଜଣେ ଶାନ୍ତ, ଗମ୍ଭୀର ଓ ଶ୍ୟାମଳ,ଚେହେରାର ଯୁବକ । ଆରେ ବିକ୍ରମ ଭାଇ ତୁମେ କ’ଣ ଟ୍ରେନ୍ରେ ଯିବା ଆସିବା କରୁଛ ? ପଚାରିଲେ ସିପ୍ରା “ମୁଁ ତ ସବୁଦିନେ ଯାଉଛି ହେଲେ ଆଜି ତୁ କେମିତି ?” “ମା’ଙ୍କ ସହିତ ଷ୍ଟେସନ୍ ବଜାରରେ ଟିକେ ଦେଖା କରିବାର ଅଛିତ, ଭାବିଲି ମମତା ତ ଯାଉଛି, ତା ସହିତ ଚାଲିଯିବି ।” ଏଥର ମମତାଙ୍କ ସହିତ ବିକ୍ରମଙ୍କର ପରିଚୟ କରାଇଦେଲେ ସିପ୍ରା । “ ଇୟେ, ମୋ ବାନ୍ଧବୀ ମମତା, ଆଉ ଇୟେ, ବିକ୍ରମଭାଇ, ମୋ ବଡ଼ଭାଇଙ୍କର ଘନିଷ୍ଠବନ୍ଧୁ ।” ଅଳ୍ପ ହସି ହାତ ଯୋଡ଼ିଲେ ମମତା । ସିପ୍ରା କହିଲେ, “ ମମତା ବିକ୍ରମଭାଇଙ୍କୁ ଚିହ୍ନିଥା, ତୁ ତ ଟ୍ରେନ୍ରେ ଏକା ଯା’ଆସ କରୁଛୁ, ଯଦି କେବେ କିଛି ଅସୁବିଧା ହୁଏ, ତେବେ ସେ ତୋତେ ସାହାଯ୍ୟ କରିବେ ।” ମନେ ମନେ ହସିଲା ମମତା । କ’ଣ ବା ଅସୁବିଧା ହୋଇପାରେ ଏ ଦେଢ଼ଘଣ୍ଟାର ରାସ୍ତାରେ ଯେ ସେ ସିପ୍ରାର ବିକ୍ରମ ଭାଇଙ୍କର ସାହାଯ୍ୟ ଲୋଡ଼ିବେ । ତଥାପି ସେ ସିପ୍ରାର କଥାରେ ବିକ୍ରମଙ୍କ ଆଡ଼େ ଦୃଷ୍ଟିପାତ କରି ପୁଣି ଅଳ୍ପ ହସିଲେ । ସିପ୍ରା ତା ଗଳ୍ପର ପସରା ବିକ୍ରମଙ୍କ ଆଗରେ ମେଲେଇଦେଲା । କେତେକଥା, ଭାଇଙ୍କ କଥା, ଭାଉଜଙ୍କ କଥା, ଛୋଟ ଛୋଟ ପୁତୁରା ଝିଆରୀଙ୍କ କଥା । ବିକ୍ରମ ମଧ୍ୟ ମଝିରେ ମଝିରେ ମୁଣ୍ଡ ଟୁଙ୍ଗାରି ପୁଣି କେତେବେଳେ ଛୋଟ ପ୍ରଶ୍ନଟିଏ ପଚାରି କଥାର ଖିଅକୁ ଲମ୍ବାଇ ଦେଉଥାନ୍ତି କିନ୍ତୁ ସାରା ରାସ୍ତା ନୀରବରେ ବସିଥାନ୍ତି ମମତା । ବିକ୍ରମଙ୍କ ସହିତ ବନ୍ଧୁତ୍ୱ ବଢ଼ାଇବାର କି ଗଳ୍ପଯୋଡ଼ିବାର କୌଣସି ଆଗ୍ରହ ନ ଥାଏ ତାଙ୍କର । ଶୁଭେନ୍ଦୁଙ୍କ ହାତ ଧରିବା ଦିନରୁ ପୁରୁଷ ସମାଜ ପ୍ରତି ତାଙ୍କ ମନରେ କେମିତି ଗୋଟେ ବିତୃଷ୍ଣା ଭାବ, ହେଲେ ସେଦିନ ସେ କ’ଣ ଜାଣିଥିଲେ ଏଇ ବିକ୍ରମ ତା ଜୀବନରେ ଏତେବଡ଼ ସ୍ଥାନ ଅଧିକାର କରି ବସିବେ !
– ୨ –
ଏ ଭିତରେ ଗଡ଼ିଚାଲିଲା କିଛିଦିନ । ସବୁଦିନ ମମତାଙ୍କର ଦେଖାହୁଏ ବିକ୍ରମଙ୍କ ସହିତ । କେବେ ଟ୍ରେନ୍ରେ ତ କେବେ ଷ୍ଟେସନରେ । ହେଲେ ଦେଖି ନ ଦେଖିଲା ପରି ରୁହନ୍ତି ମମତା । କିନ୍ତୁ ଖୁବ୍ ଶୀଘ୍ର ସିପ୍ରାର କଥାକୁ ସତ୍ୟରେ ପରିଣତ କରିଦେବା ପାଇଁ ସେଦିନର ଘଟଣାଟି ଘଟିଲା ।
ଏକା କମ୍ପାଟ୍ମେଣ୍ଟରେ ବିକ୍ରମ ଓ ସେ ବସିଥୁଲେ । ବିକ୍ରମଙ୍କୁ ନ ଦେଖିଲା ପରି ବହିଖଣ୍ଡିଏ ମେଲାଇ ବସିପଡ଼ିଥୁଲେ ମମତା । ହଠାତ୍ ବାଲିଅନ୍ତା ଆଉ କଟକ ମଝିରେ ଟ୍ରେନ୍ଟି ଅଟକିଗଲା । ପାଞ୍ଚମିନିଟ୍ ଗଲା, ଦଶମିନିଟ୍ ଗଲା, ଆସ୍ତେ ଆସ୍ତେ ହୋଇ ଟ୍ରେନ୍ରୁ ସମସ୍ତେ ଓହ୍ଲାଇବା ଆରମ୍ଭ କରିଦେଲେ । ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଟ୍ରେନ୍ଟି ଅଟକି ରହିଛି, ଏଆଡ଼େ ଅନ୍ଧାର ମାଡ଼ିଆସିଲାଣି । ମନେମନେ ବ୍ୟସ୍ତ ବିବ୍ରତ ହୋଇପଡ଼ିଲେ ମମତା ।
“ଆପଣ ଯିବେନି କି ?” ଦୃଷ୍ଟି ତୋଳି ଚାହିଁଲେ ମମତା । ଆଗରେ ତେବଦୂତ ପରି ଠିଆ ହୋଇଛନ୍ତି ବିକ୍ରମ । “ ଦେଖନ୍ତୁ ଆଗରେ ଗୋଟେ ଆକ୍କିଡ଼େଣ୍ଟ ହୋଇଯାଇଛି । କେତେ ସମୟ ଏଠାରେ ଟ୍ରେନ୍ଟି ପଡ଼ିରହିବ ଜଣାନାହିଁ । ଯଦି ମୋ ସହିତ ଆସିବେ, ତେବେ ହାଇୱେ ଉପରକୁ ଚାଲିଗଲେ ବସ୍ ନିଶ୍ଚୟ ମିଳିଯିବ । “ଠିକ୍ ଅଛି”, କହି ଅଗତ୍ୟା ତାଙ୍କ ପଛେ ପଛେ ଚାଲିଲେ ମମତା । ରାସ୍ତା ଉପରେ ପହଞ୍ଚୁ ପହଞ୍ଚୁ କାର ଟିଏ ବ୍ରେକ୍ ଦେଲା । “ ହ୍ୟାଲୋ ବିକ୍ରମ, କାର ଭିତରୁ ଯୁବକ ଜଣେ କହିଉଠିଲେ ।” “ ଆରେ ବିକାଶ ଯେ…, ” ବିକ୍ରମ ତାଙ୍କ ସହିତ ହାତ ମିଳାଇଲେ ଏବଂ ତାଙ୍କ ନିକଟରେ ବସିଥିବା ଭଦ୍ରମହିଳାଙ୍କୁ ହାତ ଯୋଡ଼ିଲେ ।
“ଟ୍ରେନ୍ରେ ଯାଉଥିଲୁ, ହଠାତ୍ ଟ୍ରେନ୍ ରହିଯାଇଛି, କେତେବେଳେ ଲାଇନ୍ କ୍ଲିୟର୍ ହେବ ଜଣାନାହିଁ । ”
“ଆରେ ଆ… ଆ…, ଆମ ସହିତ ଚାଲିଯିବୁ ।”
ଏତେବେଳକୁ ମମତାଙ୍କ ଉପରେ ଦୃଷ୍ଟିପଡ଼ିଲା ସେମାନଙ୍କର । ବିକ୍ରମ ସେମାନଙ୍କୁ ପରିଚୟ କରାଇଦେବା ପୂର୍ବରୁ ବିକାଶ, ମମତାଙ୍କ ମଥାର ସିନ୍ଦୁର ହାତର ଶଙ୍ଖାଉପରେ ଦୃଷ୍ଟିପାତକରି କହିଲେ, “ ଆର ଭାଇ ତୁ ତ ବଡ଼ ଛୁପାରୁସ୍ତମ ସାଜିଲୁ । ଲୁଚି ଲୁଚି ବାହା ହୋଇଗଲୁ, କ’ଣ ଭୋଜି ଦେବାକୁ ପଡ଼ିବ ବୋଲି କାହାକୁ ଜଣାଇଲୁ ନାହିଁ ?”
ଲାଜରେ ଏକଦମ୍ ଲାଲ୍ ପଡ଼ିଗଲେ ବିକ୍ରମ । ସତେ ଯେମିତି ଅବିର ମେଞ୍ଚାଏ କିଏ ତାଙ୍କ ମୁହଁସାରା ବୋଳିଦେଲା । କେମିତି ଗୋଟେ ଘାବରେଇ ଯାଇ କହିଲେ, “ ନାଇଁ, ନାଇଁ, ତୁ ଭୁଲ ବୁଝୁଛୁ । ସେ… ସେ… ମ୍ୟାଡ଼ମ ମୋର ସହଯାତ୍ରିଣୀ । ଏଥର ମମତା ଆଡ଼େ ବୁଲିପଡ଼ି କହିଲେ, “ ମମତା, ଇୟେ ହେଉଛନ୍ତି ବିକାଶ ଦାସ, ମୋ କ୍ଲାସ୍ମେଟ୍ ତଥା ଜଣେ ବଡ଼ ଇଣ୍ଡିଷ୍ଟ୍ରିଆଲିଷ୍ଟି ଆଉ ତାଙ୍କ ମିସେସ୍ । ମମତା ସେମାନଙ୍କୁ ହାତଯୋଡ଼ିଲେ । ପୁଣି ସେମାନଙ୍କୁ ମମତାଙ୍କ ପରିଚୟ ଦେଇ କହିଲେ, “ମମତା ଦାସ, ଆର୍. ଡି.ୱିମେନ୍ସ କଲେଜରେ ଲେକ୍ଚରସିପ୍ କରୁଛନ୍ତି । ପରସ୍ପର ମଧ୍ୟରେ ପରିଚୟ ପର୍ବପରେ ସେମାନେ କାର୍ରେ ବସିଲେ । କାର୍ ଆଗେଇ ଚାଲିଲା କଟକ ଦିଗରେ । ବିକାଶ, ମମତାଙ୍କ ଠାରୁ କ୍ଷମା ମାଗିନେଇ କହିଲେ, “କ୍ଷମା କରିବେ ମାଡ଼ାମ, ମୁଁ ନ ଜାଣି ପରିହାସ କରିଦେଲି ।”
ଏ ମଧ୍ୟରେ ବିକାଶଙ୍କ ପତ୍ନୀ ବିକ୍ରମଙ୍କ ସହିତ ମଧୁର ପରିହାସ ଆରମ୍ଭ କରିଦେଇଥିଲେ । ବିକ୍ରମଙ୍କୁ ଚିଡ଼ାଇ, ଚିଡ଼ାଇ କହୁଥିଲେ, “କ’ଣ କେଉଁଠି ଝିଅ ଠିକ୍ କଲଣି ନା ନାହିଁ । ତୁମରତ କେହି ପସନ୍ଦ ହେଉନାହାନ୍ତି, ଏମିତି ଦେଖୁଦେଖୁ ବୁଢ଼ା ହୋଇଯିବ ଯେ… ।” ବିକ୍ରମ କେମିତି ଗୋଟେ କିଶୋରୀ ଝିଅପରି ଲାଜେଇ ଗଲେ ।
ସମୟର ରଥଚକତ ଗଡ଼ିଚାଲିଛି ତା ପଥରେ । କେବେହେଲେ ତା ଘର୍ଘରନାଦ ରୋକି ଯାଇନାହିଁ ଦେଖିବାପାଇଁ ଯେ ମମତାଙ୍କ ଭିତରେ କେତେ ପରିବର୍ତ୍ତନ ଘଟିଯାଇଛି । ଏବେ ସେ ବିକ୍ରମଙ୍କୁ ଦେଖିଲେ ନ ଦେଖିଲା ପରି ରୁହନ୍ତି ନାହିଁ । ଭଦ୍ରତା ଖାତିରରେ ଅଳପଟିକେ ହସିଦିଅନ୍ତି । ପ୍ରତିଦିନ ଷ୍ଟେସନରେ ଆସି ପହଞ୍ଚୁଲା ପରେ ତାଙ୍କ ଆଖି ଘୂରିଯାଏ ପ୍ଲାଟ୍ଫର୍ମ ଉପରେ । ବିକ୍ରମ ଆସିଲେଣି, ନା ନାହିଁ… । ପାଖରେ ହେଉକି ଦୂରରେ ହେଉ, କେଉଁଠାରେ ହେଲେ ବିକ୍ରମ ଠିଆ ହୋଇଥଲେ ସ୍ଵସ୍ତିରେ ନିଶ୍ଵାସ ମାରନ୍ତି ମମତା । କେମିତି ଗୋଟେ ଆପଣା ପଣରେ ଭରିଯାଏ ମନ ।
ଏଇ ସେ ଦିନର କଥା… । ତୃତୀୟ ଘଣ୍ଟ ବାଜିଗଲାଣି । ବିକ୍ରମଙ୍କର ଦେଖାନାହିଁ । ପାଞ୍ଚମିନିଟ୍ ହେଲା ଏପଟ, ସେପଟ, ବ୍ୟତିବ୍ୟସ୍ତ ହୋଇ ଚାହୁଁଛନ୍ତି ମମତା । ଆଜି କ”ଣ ଆଉ ଆସିବେନି ? ଦେହ ଖରାପ ହୋଇଗଲାକି ? ପୁଣି ମନକୁ ମନ ଶାସନ କଲେ, ସେ ମୋର କିଏ କି ? ସେ ନ ଆସିଲେ ମୋର ବ୍ୟସ୍ତ ହେବାର କ’ଣ ଅଛି ? ହେଲେ, କେମିତି ଗୋଟେ ନିଃସଙ୍ଗତା ଘାରିଯାଉଛି । ଏଡ଼େ ଗହଳି ମଧ୍ୟରେ ନିଜକୁ ଏକାଏକା ଲାଗୁଛି । ଗାଡ଼ି ଗଡ଼ିବାକୁ ଆରମ୍ଭ କଲାଣି, ଝରକା ବାଟେ ମୁଣ୍ଡଗଳାଇ ଶେଷଥର ପାଇଁ ପ୍ଲାଟ୍ଫର୍ମକୁ ଦେଖିନେଲେ ମମତା । ଆରେ, ଏଇ ଯେ ବିକ୍ରମ ଆସୁଛନ୍ତି ।
ଦଉଡ଼ି, ଦଉଡ଼ି ଟ୍ରେନ୍ ପାଖକୁ ଆସିଲେ ବିକ୍ରମ । ଦୃଷ୍ଟି ତୋଳି ଚାହିଁନେଲେ ଥରେ ଚାରିଆଡ଼େ । ତାଙ୍କ ଖୋଜିଲା ଆଖି ସହିତ ମମତାଙ୍କ ଆଖି ମିଶିଗଲା । ନିଜ ହାତ ପାଖରେ ଥିବା କମ୍ପାଟ୍ମେଣ୍ଟକୁ ଛାଡ଼ିଦେଇ ଏଥର ଚଳନ୍ତା ଗାଡ଼ିର ପାଖେ ପାଖେ ଦଉଡ଼ିଲେ ବିକ୍ରମ । ମମତା ଯେଉଁ କମ୍ପାଟମେଣ୍ଟରେ ବସିଛନ୍ତି ତାରି ଡୋର ପାଖରେ ଚଢ଼ିବା ପାଇଁ ଚେଷ୍ଟାକଲେ । ଗାଡ଼ିର ଗତି ବଢ଼ିଗଲାଣି । ଓଃ, ପଡ଼ିତ ଯାଇଥାନ୍ତେ, ମମତାଙ୍କ ଆଖି ବୁଜି ହୋଇଗଲା । ଡୋର ପାଖରେ ଠିଆ ହୋଇଥୁବା ଭଦ୍ରଲୋକ ଜଣକ ଧରିପାକଇଲେ ବିକ୍ରମଙ୍କ ହାତ ଆଉ ବିକ୍ରମ କମ୍ପାଟମେଣ୍ଟ ଭିତରକୁ ପଶିଆସିଲେ । ମମତାଙ୍କ ଦୃଷ୍ଟି ସହିତ ଦୃଷ୍ଟି ମିଶାଇ ଖୁବ୍ ଗୋଟେ ବୀରତ୍ୱର ସହିତ ହସିଦେଲେ । ମମତାଙ୍କ ଓଠରେ ମଧ୍ୟ ହସର ମଲ୍ଲୀ ଫୁଟିଉଠିଲା । ପରକ୍ଷଣରେ ପ୍ରକୃତିସ୍ଥ ହେଲେ ମମତା । ସେ ଏ କ’ଣ କରୁଥିଲେ ? ଷୋଡ଼ଶୀ ତରୁଣୀଟିଏ ପରି ଝରକାରେ ମୁଣ୍ତଗଳାଇ ଏକଦୃଷ୍ଟିରେ ବିକ୍ରମଙ୍କୁ ଚାହିଁ ରହିଥିଲେ । ଛି… ଛି…, ନିଜକୁ ନିଜେ ଧିକ୍କାରିଲେ ମମତା । ହେଲେ ଭିତରେ
ଭିତରେ କେଉଁଠି ଗୋଟେ ଆନନ୍ଦର ଫଲ୍ଗୁ ବୋହିଗଲା । କେହି ଜଣେ ଆଜି ଜୀବନରେ ପ୍ରଥମଥ ପାଇଁ ତାଙ୍କୁ ଗୁରୁତ୍ବ ଦେଇଛି । ସେ ବସିଥିବା କମ୍ପାଟ୍ମେଣ୍ଟକୁ ଚଢ଼ିବା ପାଇଁ ଜୀବନକୁ ବାଜି ଲଗାଇ ଦେଇଛି । ନିଜ ଭିତରେ ଗୋଟେ ପୂର୍ଣତା ଅନୁଭବ କଲେ । ଏ ପୂର୍ଣ୍ଣତା ସେ ଶୁଭେନ୍ଦୁଙ୍କ ହାତଧରି ପାଇନଥିଲେ । ଶୁଭେନ୍ଦୁଙ୍କ ଜୀବନରେ ଅନେକ ନାରୀ । ମମତାଙ୍କ ଇମୋସନ ପାଇଁ ସେ କେବେହେଲେ ସମଯ କି ଗୁରୁତ୍ୱ ଦେଇ ନାହାନ୍ତି । ତାଙ୍କ ପାଇଁ ମମତା ପତ୍ନୀ ନାମକ ଏକ ସ୍ଥାୟୀ କଣ୍ଢେଇ ମାତ୍ର । କିନ୍ତୁ ପ୍ରତ୍ୟେକ ନାରୀ ଚାହେଁ ତାକୁ ପ୍ରାଣଭରି କେହି ଭଲପାଉ, ଜୀବନର ସବୁଠାରୁ ବେଶୀ ଗୁରୁତ୍ୱ ଦେଉ ଆଉ ଖୁବ୍ ଆପଣାର କରିନେଉ । ବିକ୍ରମଙ୍କର ଏ ସବୁ ବ୍ୟାକୁଳତା ମମତାଙ୍କୁ ସମ୍ମୋହିତ କରି ଦେଇଥିଲା । ହୃଦୟର ପ୍ରତିଟି ତନ୍ତ୍ରୀକୁ କଲ୍ଲୋଳିତ କରି ପକାଇଥୁଲା । ସତେ ଯେମିତି ସେ ରାଇବିନୋଦିନୀ ଆଉ ମୋହନଙ୍କ ବଂଶୀସ୍ଵନ ଚଉଦିଗରେ ଗୁଞ୍ଜରିତ ହେଉଛି । ଅଗୁରୁ ଚନ୍ଦନର ମହ ମହ ବାସ୍ଵାରେ ଚାରିଆଡ଼େ ମହକିତ ହୋଇଯାଉଛି । ତା’ମଧ୍ୟରେ ନିଜକୁ ପୂରାପୂରି ଭୁଲିଯାଉଛନ୍ତି ମମତା ।
ଏମିତି ଏକ ଭାବାବେଗ ମଧ୍ୟରେ ବାଣୀବିହାର ହଲ୍ଟିଂ ଆସିଯାଇଥିଲା । ମମତା ଚୁପ୍ଚାପ୍ ଓହ୍ଲାଇ ରିକ୍ସାରେ ବସିଯାଇଥଲେ । ଥରୁଟିଏ ବି ବିକ୍ରମଙ୍କୁ ଦୃଷ୍ଟି ତୋଳି ଚାହିଁନଥିଲେ । ଲଜ୍ଜା ଓ ସଂକୋଚରେ ଲାଜକୁଳି ଲତାପରି ଝାଉଁଳି ପଡ଼ିଥିଲେ ।
ରିକ୍ବା ଗଡ଼ିଚାଲିବା ପରେ ଆତ୍ମସଚେତନ ହେଲେ ମମତା । ନା ସେ ମାନିନୀ ରାଧା, ନା ବିକ୍ରମ ମୁରଲୀଧାରିଆ, ତ୍ରିଭଙ୍ଗୀ ଠାଣିଆଁ ମୋହନ । ସେ ଶ୍ରୀମତୀ ମମତା ଦାସ, ଶୁଭେନ୍ଦୁ ଦାସଙ୍କ ଧର୍ମପତ୍ନୀ ଓ ରମାଦେବୀ ମହିଳା ମହାବିଦ୍ୟାଳୟର ଇତିହାସ ଅଧ୍ୟାପିକା । ନିଜକୁ ଦୃଢ଼ କଲେ, ମନକୁ କଠୋର କଲେ, ଆଜିଠାରୁ ବିକ୍ରମଙ୍କ ପାଖରୁ ଦୂରେଇ ରହିବେ । ବିକ୍ରମ ତାଙ୍କର କିଏ ? ଏକା ଟ୍ରେନ୍ରେ ଯିବା ଆସିବା କରୁଥୁବା ସହଯାତ୍ରୀ ମାତ୍ର ।
ଏମିତି ଦୁଇଚାରିଦିନ ବିତିଗଲା । ଆଉ ମମତାଙ୍କ ଖୋଜିଲା, ଖୋଜିଲା ଆଖି ବିକ୍ରମଙ୍କ ପଥକୁ ଚାହିଁ ରହିଲା ନାହିଁ କି କମ୍ପାଟମେଣ୍ଟ ଭିତରେ ବିକ୍ରମଙ୍କୁ ଦେଖିଲେ ଓଠରେ ମଧୁର ହସ ଖେଳିଲା ନାହିଁ । ହେଲେ ଗାମ୍ଭୀର୍ଯ୍ୟର ଏ ବାଲିବନ୍ଧ ପଞ୍ଚମଦିନ ଭୁଷୁଡ଼ି ପଡ଼ିଲା । ସିପ୍ରା ସେଦିନ ଟ୍ରେନ୍ରେ କଟକକୁ ଫେରିବା ପାଇଁ ମମତା ସହିତ ଆସିଥିଲେ । ବିକ୍ରମ ଆସି ତା ସହିତ ଗପସପ ଆରମ୍ଭ କରିଦେଇଥିଲେ । ହଠାତ୍ ଦ୍ରୁତ ଗତିରେ ଏକ୍ସପ୍ରେସ୍ ଟ୍ରେନଟିଏ ଚାଲିଗଲା । ଆଃ, କହି ମମତା ନିଜ ଆଖିକୁ ଚାପି ଧରିଲେ । ସିପ୍ରା କଥା ଅଧାରଖି ବୁଲି ଚାହିଁଲେ । ଆରେ… ଆରେ… ଆଖିରେ କୋଇଲା ଗୁଣ୍ଡ ବୋଧହୁଏ ପଡ଼ିଯାଇଛି । ବ୍ୟସ୍ତ ହନ ନା, ମୋତେ ଦେଖା, ମୁଁ ଆସ୍ତେ ଆସ୍ତେ ଆସ୍ତେ କାଢ଼ିଦେବି । ସିପ୍ରା ଶାଢ଼ୀ ପଣତ ଦେଇ, ରୁମାଲ ଦେଇ ମମତା ଆଖିରୁ କୋଇଲା ଗୁଣ୍ଡକାଢ଼ିବା ପାଇଁ ଅନେକ ଚେଷ୍ଟା କଲେ । ହେଲେ ସବୁ ବିଫଳ ହେଲା । ପୁଣି ଆଖିକୁ ବିକଳରେ ମକଚି ପକାଇଲେ ମମତା । ଏଥର ପାଖକୁ ଆସିଲେ ବିକ୍ରମ । କହିଲେ, “ ଆରେ, ହଲଚଲ୍ ହୁଅନ୍ତୁ ନାହିଁ, ସୁନା ଝିଅଟି ପରି ଦେଖାଇ ଦିଅନ୍ତୁ । ମୁଁ ମୋ ମାଙ୍କ ଆଖୁରୁ କେତେଥର କୋଇଲା ଗୁଣ୍ଡ କାଢ଼ିଛି । ଆପଣଙ୍କର ମଧ୍ୟ କାଢିଦେବି ।
ମମତାଙ୍କର ଅତିପାଖରେ ବିକ୍ରମ । ତାଙ୍କ ମୁହଁକୁ ମମତାଙ୍କ ମୁହଁପାଖକୁ ନଇଁ ଦେଇଛନ୍ତି । ତାଙ୍କ ଉଷ୍ମ ନିଶ୍ଵାସ ମମତାଙ୍କ ସାରା ମୁହଁରେ ବିଛେଇ ହୋଇଯାଉଛି ଆଉ ତାଙ୍କ ସାରା ଦେହର ବାସ୍ନା ମମତା ଆଘ୍ରାଣ କରିପାରୁଛନ୍ତି । ପୁଣିଥରେ ମୋହନଙ୍କ ମୁରୀଲୀ ସ୍ଵନ ଗୁଞ୍ଜରିତ ହୋଇଥୁଲା ମମତାଙ୍କ କାନରେ । ସାରା ଶରୀର ଶିହରିତ, ରୋମାଞ୍ଚିତ ହୋଇଉଠିଲା । ମନ ହେଲା ଉଚ୍ଚାଟନ । “ ଏଇ ଯେ ବାହାରି ଆସିଲା”, କୋଇଲା ଗୁଣ୍ଡଟି ଆଖିରୁ କାଢ଼ି ଘୁଞ୍ଚୁଗଲେ ବିକ୍ରମ ।
“ ଧନ୍ୟବାଦ, ” କମ୍ପିତ କଣ୍ଠରେ କହିଲେ ମମତା । ଠିକ୍ ସେତିକି ବେଳେ ଟ୍ରେନ୍ଟି ପହଞ୍ଚିଗଲା ଓ ସେମାନେ ସମସ୍ତେ ଟ୍ରେନକୁ ଉଠିଲେ ।
– ତା’ପରେ –