ଆରମାସ ଆମ ଗାଁକୁ ଯାଇଥିଲି ତ ମାନିନୀ ଦେଖାହେଲା । ହସକୁରିଆ ବୋହୂଟା ସେ ଆମ ଗାଁ ର, ଯାହାକୁ ଦେଖିଲେ ଭଲମନ୍ଦ ପଚାରେ । ହେଲେ ଏଥରକ ଦେଖାହେଲାରୁ ମନ ଉଣାକରି ବସିଥାଏ, ଆଗଭଳିଆ କଥାଭାଷା ଆଉ ଶୁଣିବାକୁ ପାଇଲିନି ତାଠୁ ।
ମୁଁ ବାରବାର ପଚାରିଲାରୁ ଜାଣିବାକୁ ପାଇଲି ତା ମା’ ଙ୍କର ଦେହାନ୍ତ ହେଇଯାଇଛି ଦୁଇମାସ ପୂର୍ବରୁ । ଉଚ୍ଚ ରକ୍ତଚାପଯୋଗୁଁ ନିୟନ୍ତ୍ରଣ ହରାଇ ପଡିଯିବାରୁ ପଛପଟ ମୁଣ୍ଡରେ ଗଭୀର ଆଘାତ ହେଲା ଏବଂ ଚିକିତ୍ସାଳୟରେ ସପ୍ତାହେ ବାକଶୂନ୍ୟ ଅବସ୍ଥାରେ ପଡିରହି ଇହଲୀଳା ସମ୍ବରଣ କଲେ । ଯୋଗକୁ ମାନିନୀ ଯାଇଥିଲା ବାପଘରକୁ ଏ ଦୁର୍ଘଟଣା ବେଳକୁ , ଆଉ ମା’ ଭଲହେଇଯିବ ବୋଲି ଆଶାରେ ଚିକିତ୍ସାଳୟରେ ବି ସପ୍ତାହେ ରହିଥିଲା ।
ମା’ ଟି ଦୁନିଆଛାଡି ଏମିତି ହଠାତ୍ ଚାଲିଯିବା, ସେ ଆଉ ତା ଅବିବାହିତା ସାନ ଭଉଣୀ ମାଛେଉଣ୍ଡ ହୋଇଯିବା କଥା ତାକୁ କେତେ ବାଧୁଛି ତାହାତ ଯାହାର ମା’ ନାହିଁ, କେବଳ ତାକୁ ଜଣା । ହେଲେ ମାନିନୀର ମନ ନବୁଝିବାର କାରଣ ସବୁ ଆହୁରି ଗଭୀର । ପ୍ରଥମ କଥାହେଲା , ସେ ଘରେଥିବାବେଳେ ମା କେତେବେଳେ ପଡିଗଲା ଜଣାବି ପଡିଲାନି ମାନିନୀକୁ ସେ ବାରିପଟେ ଥିଲାବୋଲି । ତାର ଆତ୍ମଗ୍ଳାନିଭରା କଣ୍ଠରୁ ବାରମ୍ବାର ବାହାରୁଛି -“ମୁଁ ଘରେ ଥାଇକିବି ତାପାଖରେ କାହିଁକି ନଥିଲି ? ମୁଁ ଥିଲେ ହୁଏତ ଧରିଦେଇଥାନ୍ତି ପଡିନଥାନ୍ତା….”
ଦ୍ୱିତୀୟ କଥାହେଲା , ମୁଣ୍ଡ ମାଡହେବା ପରଠୁ ଦେହଛାଡିବାଯାଏଁ ସେ ବାକଶୂନ୍ୟ ହୋଇଯିବା କଥାଟା । ସେ କୋହଭରା ସ୍ୱରରେ କହିଲା – “ସାତଦିନ ମୁକହୋଇ ପଡିରହିବା ମୋ ମା କୁ ଅକଥନୀୟ ଯନ୍ତ୍ରଣା ଦେଇଥିବ । ତାକୁ କେତେକଣ କହିବାର ଇଚ୍ଛାଥିଲେ ବି ତାର ପାଟି ଫିଟୁନଥିବ । ସପ୍ତାହଯାକ ତା ଗୋଡପାଖେ ବସିରହିଲି ଏବେ ନହେଲେ ବି ଆଉ ଟିକେକୁ ସେ ପୂର୍ବବତ୍ କଥାକହିବ, ମୋ ସହ ନାନାପ୍ରକାର ଭାବ ବିନିମୟ କରିବ …..”
ତୃତୀୟ କଥାହେଲା , ତା ମା ପ୍ରାଣଛାଡିବା ପୂର୍ବରୁ ଗୋଟେ ପଦ କଥା କହିଥିଲେ ସମସ୍ତେ ଭଲରେ ଥିବ ବୋଲି , ଆଉ ହାତବି ଟେକିଲେ ଆଶୀର୍ବାଦ ମୁଦ୍ରାରେ , ଯେଉଁ ଦୃଶ୍ୟର ସାକ୍ଷୀକେବଳ କିଶୋରାବସ୍ଥାରେ ଥିବା ତାଙ୍କ ଦାଦାପୁଅ । ଅହର୍ନିଶି ଅପଲକ ନୟନରେ ମା ମୁହଁରୁ କଥାପଦେ ଶୁଣିବାକୁ ଆଶା ବାନ୍ଧିଥିବା ମାନିନୀର ଆଖିରେ ଠିକ୍ ସେହି ସମୟରେ ନିଦ୍ରାବତୀ ଗାଢ ନିଦ୍ରା ଘାରିବା , କେତେ ହୃଦୟବିଦାରକ ସତେ ! କାହା ମନ ବୁଝିବ ଏମିତି ହେଲେ ??
ତା ମନ ନବୁଝିବାର ଆହୁରି କେତେଯେ କାରଣ ସେ କହିଲା ତାର ଠିକଣା ନାହିଁ । “କେବେ ମୋ ମାଁକୁ ଭଲମନ୍ଦ କଣଟିକେ କରିକି ଦେଇପାରିଲିନି , ତା ଖୁସିପାଇଁ ବିଶେଷ କିଛି କରିପାରିଲିନି , ମୁଁ ଘରକୁ ଗଲେ କିଏ ମୋ ପାଇଁ ବାଟ ଦେଖିବ , କିଏ ଭଳିକିଭଳି କରିକି ବାଧ୍ୟକରିକି ଖାଇବାକୁ ଦବ, ସବୁଦିନ ଫୋନକରି କାହାକୁ ମନଖୋଲି ସବୁ କହିବି , ଏତେ କମ୍ ବୟସରେ ସେ କାହିଁକି ମୋତେ ଠକି ଦେଇଗଲା……???”
ଏତେସବୁ କଥା ଶୁଣିବାପରେ ସୃଷ୍ଟିର ନିୟମ ପ୍ରତି ଅହେତୁକ ଭୟ ତଥା କ୍ଷଣଭଙ୍ଗୁର ଦେହଟି ପ୍ରତି ବିକାରଭାବ , ମୋ ମନକୁ ଆନ୍ଦୋଳିତ କରୁଥାଏ । ସେତିକିବେଳେ ମାନିନୀ ମୋତେ ଚା’ କପ୍ ଧରେଇ ଦେଇ ମୋ ପାଖରେ ବସିଲା । ସେ କେତେବେଳେ ଉଠିକି ଚା ବନେଇବାକୁ ଗଲା ମୋର ଧ୍ୟାନ ନାହିଁ । ମୁଁ ଚା’ ପିଇବା ଆରମ୍ଭ କଲାରୁ ସେ ସଜଳ ଆଖିରେ ମା’ ର ଗୁଣସୁମରିବାରେ ଲାଗିଲା ।
ଭାବପ୍ରବଣ ହୋଇ କହୁଥାଏ – ” ମୋ ମା’ କାହାସହ ଦିନେହେଲେ କଳିଝଗଡା କରେନି , ଯିଏ ଯାହାକହୁ ସହିଯାଏ । ମନରେ କଷ୍ଟଥିଲେ କାହାକୁ କୁହେନି, ମୋତେ ବେଳେବେଳେ ପଦେ ଅଧେ କୁହେ । ଏମିତି ଛାତିରେ ସବୁ ଦୁଃଖ ଚାପି ଚାପି ତାର ଦେହ ବେଶୀ ଖରାପ ହୋଇଗଲା । ମୁଁ ଯେବେ ଘରକୁ ଯାଉଛି ବୋଲି କଲ୍ କରି କୁହେଁ , ତା ଜୀବନର ଅଧା ଦୁଃଖ ପଳେଇଲା ପରି ହୁଏ । ଝିଅ-ଜ୍ୱାଇଁଙ୍କୁ ପାଖରେ ପାଇଲେ କୋଟିନିଧି ପାଇଲାପରି ହୁଏ । ”
ଏତିକି କହିଲାବେଳକୁ ତା ପାଟିରୁ ଆଉ କଥା ବାହାରି ପାରିଲାନି , ଭୋ ଭୋ ହୋଇ କାନ୍ଦିଲା ମୋ ହାତ ଧରିକି । ମୋ ହୃଦୟର ଅବ୍ୟକ୍ତ କଥାସବୁ ତତଲା ଲୁହ ହୋଇ ଅନବରତ ଝରୁଥାଏ , ହେଲେବି ପ୍ରକୃତିସ୍ଥ ହୋଇ ବୁଝାଇବାରେ ଲାଗିଲି ମୃତ୍ୟୁର ନିଶ୍ଚିତ ନିୟମସବୁ । ଯୁଧିଷ୍ଠିର-ଯକ୍ଷ ସମ୍ବାଦର “ଅହନ୍ୟିହନି ଭୁତାନି ଗଛ୍ଛନ୍ତିହ ଯମାଳୟମ୍……” ଶ୍ଳୋକଟି ବିଷୟରେ କିଛି ଆଲୋଚନା ହେଲା । ହେଲେ ମଧ୍ୟ ପୁଣି ମା ର ସ୍ମୃତିଚାରଣ କରିଚାଲିଲା ମାନିନୀ । ଗମ୍ଭୀର ସ୍ୱରରେ କହୁଥିଲା – ” ମୋ ମା ହାତର ପଖାଳ ଅମୃତ ତୁଲ୍ୟ, ଯିଏ ଥରେ ଖାଇଛି ସେ ଝୁରିହଉଥାଏ । ତା ଶାଗଭଜା , ବେସରପୋଡା କେତେ ସୁଆଦିଆ ସତେ । ପିଠାପଣା, ବଡି, ଆଚାର ସବୁ କେତେ ଯତ୍ନରେ ବନାଏଁ । ”
ଏମିତି ଅସହ୍ୟ ଦୁଃଖ ଯନ୍ତ୍ରଣା ରେ ସନ୍ତୁଳି ହୋଇ ମଧ୍ୟ ଛାତିରେ ପଥର ରଖି ବଞ୍ଚିବାକୁ ପଡିବ , ଆଉ ଆମ ହାତରେ କଣ ଅଛି ବୋଲି ଅସହାୟ ସ୍ୱରରେ କହି କହି ମାନିନୀ ଗ୍ୟାସଚୁଲାଟା ଅନ୍ କରି ଦିପହର ଖାଇବା ବନେଇବାକୁ ବାହାରିଲା । ବେଗି ବେଗି ଭାତପାଇଁ ପାଣି ବସେଇଲା , ମୋ ପାଖରେ ବସି ଯନ୍ତ୍ରବତ୍ ସଜନାଶାଗ ବାଛିବାରେ ଲାଗିଲା । ମୁଁ ବି କାମ ଅଛି ଯାଉଛି କହି ବାହାରିଲା ବେଳକୁ ପୁଣି ବାଷ୍ପରୁଦ୍ଧ କଣ୍ଠରେ କହିଲା – “ହଁ ଯାଅ ପୁଣି ଆସିବ , ଆଜିତ କିଛି ଜଳଖିଆ ତିଆରିକରି ଦେଇପାରିଲିନି । କଣବା କରିବି , ମୋ ମନ ଜମା ବୁଝୁନି । କାହିଁକି ଅଧା ବାଟରେ ମୋ ମା’ ହାତ ଛାଡିଦେଲା….??”