ଅଣୁଗଳ୍ପ

ମୁଁ ରାଜାଙ୍କ ଚାକର

Shrimanta Kumar Panda's odia short story Mun Raajanka Chakara

ହଜୁର, ଗଣତନ୍ତ୍ର ହେଉ କି ରାଜତନ୍ତ୍ର ସବୁଥିରେ ପ୍ରତିବାଦ କରିବାର ଅଧିକାର ସାଧାରଣ ଜନତାର ରହିଛି । ବର୍ତ୍ତମାନ ସମାଜରେ ଜନସାଧାରଣ ଙ୍କ ଭିତରେ ଥିବା ଅସନ୍ତୋଷ ରାଜାଙ୍କ ପାଖକୁ ପହଞ୍ଚେଇବାକୁ, ମୁଁ ଏହି ଅଭିନବ ପ୍ରତିବାଦ କରିଛି ।

ମୁଁ ରାଜାଙ୍କ ଚାକର

ସେଦିନ ଅଦାଲତ ଅତ୍ୟଧିକ ଭିଡ ଥିଲା, କାରଣ ଏମିତି ବିରଳ ମାମଲା ଆଗରୁ କେବେ ଆସିନଥିଲା । ଜଣେ ଯୁବକ ରାଜାଙ୍କ ପ୍ରତିନିଧିଙ୍କ ଉପରକୁ ରଙ୍ଗ ଫୋଫାଡ଼ି ଅପମାନିତ କରିଥିଲେ ।

ବିଚାର ଆରମ୍ଭ ହେଲା ।

ରଙ୍ଗ ଫୋଫାଡ଼ିଥିବା ଯୁବକକୁ ନ୍ୟାୟାଧୀଶ ପଚାରିଲେ;

— ତୁମ ଉପରେ ଯେଉଁ ଅଭିଯୋଗ ଆସିଛି, ତୁମେ କଣ ତାକୁ ସ୍ଵୀକାର କରୁଛ ?

— ଧର୍ମାବତର, ମୁଁ ହିଁ ସେ କାମ କରିଛି ।

— ଅଦାଲତ ତୁମେ କାହିଁକି ଏପରି କରିଛ ? ଅର୍ଥାତ, ଅଦାଲତ ଅପରାଧ ପଛରେ ଥିବା କାରଣ ଜାଣିବାକୁ ଚାହୁଁଛି ।

— ହଜୁର, ଗଣତନ୍ତ୍ର ହେଉ କି ରାଜତନ୍ତ୍ର ସବୁଥିରେ ପ୍ରତିବାଦ କରିବାର ଅଧିକାର ସାଧାରଣ ଜନତାର ରହିଛି । ବର୍ତ୍ତମାନ ସମାଜରେ ଜନସାଧାରଣ ଙ୍କ ଭିତରେ ଥିବା ଅସନ୍ତୋଷ ରାଜାଙ୍କ ପାଖକୁ ପହଞ୍ଚେଇବାକୁ, ମୁଁ ଏହି ଅଭିନବ ପ୍ରତିବାଦ କରିଛି ।

— ଆଇନରେ ଅପରାଧ ପଛରେ ଥିବା ଅଭିପ୍ରାୟ ଗୁରୁତ୍ୱପୂର୍ଣ, ତମେ କରିଥିବା ଅପରାଧ ପଛରେ ଥିବା ଉଦ୍ଦେଶ୍ୟ ମନ୍ଦ ନୁଁହ ତେଣୁ ତୁମର ଦଣ୍ଡ କିଛିଟା କୋହଳ ହେବ, କିନ୍ତୁ ଅପରାଧ ପାଇଁ ଦଣ୍ଡ ଅବଶ୍ୟ ପାଇବ । ଆଇନ ଅନୁସାରେ ତମେ ଛଅ ମାସ ଜେଲ ଦଣ୍ଡ ପାଇବ କଥା କିନ୍ତୁ ତମେ ସତ କହି ଥିବାରୁ ଓ ତମର ଉଦ୍ଦେଶ୍ୟ ମନ୍ଦ ନ ଥିବାରୁ ତମ ଦଣ୍ଡ ଅବଧି ମାସେ କୋହଳ କରା ଯାଉଛି । ଏବେ ତମେ ପାଞ୍ଚ ମାସ ପାଇଁ ଜେଲ ଦଣ୍ଡ ଭୋଗିବ । …ତମର ଆଉ କିଛି କହିବାର ଅଛି ?

— ନ୍ୟାୟାଧିଶ ହଜୁର, ମୁଁ ପ୍ରକୃତରେ ରଙ୍ଗ ରାଜାଙ୍କ ଉପରକୁ ଫୋଫାଡ଼ିବାକୁ ଚାଁହୁଥିଲି, କିନ୍ତୁ ରାଜା ଘରୁ ବାହାରୁ ନାହାନ୍ତି, ସବୁବେଳେ ଗଞ୍ଜେଇ ଖାଇ ଶୋଉଛନ୍ତି । ରାଜା ନ ମିଳିବାରୁ ମୁଁ ତାଙ୍କ ପ୍ରତିନିଧିଙ୍କ ଉପରକୁ ରଙ୍ଗ ଫୋଫାଡ଼ିଲି । ଯେହେତୁ ମୋର ମୂଳ ଉଦ୍ଦେଶ୍ୟ ପ୍ରତିନିଧିଙ୍କୁ ଅପମାନିତ କରିବା ନଥିଲା ତେଣୁ ମୋର ଅପରାଧ କ୍ଷମା କରାଯାଉ ।

— ତୁମର ଅନୁରୋଧ ଅନୁସାରେ ତମର ଦଣ୍ଡ ର ପୁନଃ ବିଚାର କରାଗଲା । ଏଥର ତମେ ୨୩ ମାସ ପାଇଁ ଜେଲ ଯିବ ।

— କାହିଁକି ? ଆପଣ ମୋର ଦୋଷ କ୍ଷମା କରିବା ପରିବର୍ତ୍ତେ, ଦଣ୍ଡ ବଢ଼େଇ ଦେଲେ !

— ଆଇନ ଅନୁସାରେ, ରାଜାଙ୍କ ପ୍ରତିନିଧିଙ୍କ ଉପରକୁ ରଙ୍ଗ ଫୋଫାଡ଼ିଲେ ଛଅ ମାସ ଜେଲ କିନ୍ତୁ ରାଜାଙ୍କ ଉପରକୁ ଫୋଫାଡ଼ିଲେ ଦୁଇ ବର୍ଷ ଜେଲ । କଟୁଆଳଙ୍କ ଉପରକୁ ଫୋଫାଡ଼ିଲେ ବର୍ଷେ, ଉପମନ୍ତ୍ରୀଙ୍କ ପାଇଁ ୧୪ ମାସ, କୂପମନ୍ତ୍ରୀଙ୍କ ପାଇଁ ୧୬ ମାସ, ମହାମନ୍ତ୍ରୀଙ୍କ ଉପରକୁ ଫୋଫାଡ଼ିଲେ ୧୮ ମାସ ଓ ରାଜାଙ୍କ ଚାକର ଉପରକୁ ଫୋଫାଡ଼ିଲେ ମାସେ ଜେଲର ବ୍ୟବସ୍ତା ଅଛି । ଯେହେତୁ ତୁମର ମୂଳ ଉଦ୍ଦେଶ ରାଜାଙ୍କ ଉପରକୁ ରଙ୍ଗ ଫୋଫାଡ଼ିବା ଥିଲା ତୁମେ ୨୪ ମାସ ଜେଲ ଯିବ କଥା, କିନ୍ତୁ ମୁଁ ଆଗରୁ ମାସେ କୋହଳ କରିଛି, ତେଣୁ ଏବେ ତୁମେ ୨୩ ମାସ ଜେଲ ଦଣ୍ଡ ଭୋଗିବ ।

— ଧର୍ମାବତାର, ଦଣ୍ଡ ଚୂଡାନ୍ତ କରିବା ପୂର୍ବରୁ ମୋର ଆଉ ଏକ ପ୍ରାର୍ଥନା ବିଚାର କରାଯାଉ ।

— କୁହ, ତୁମର କି ପ୍ରାର୍ଥନା ରହିଛି ?

— ହଜୁର, ଯେହେତୁ ରାଜା କେବେ ଘରୁ ବାହାରୁ ନାହାନ୍ତି କିମ୍ବା ଯେତେବେଳେ ବାହାରୁଛନ୍ତି ତାଙ୍କ ସୁରକ୍ଷାବଳୟ ଏତେ କଡାକଡି ଯେ ମୁଁ କେବେହେଲେ ତାଙ୍କ ଉପରକୁ ରଙ୍ଗ ଫୋଫାଡ଼ି ପାରି ନଥାନ୍ତି । ଯେଉଁ ଅପରାଧ ମୁଁ ଘଟେଇ ପାରି ନଥାନ୍ତି ତା ପାଇଁ ଦଣ୍ଡ ଭୋଗିବା ଆଇନ ର ବିରୁଦ୍ଧାଚରଣ ହେଉଛି ।

— ତମ ପ୍ରାର୍ଥନା ଅବଶ୍ୟ ବିଚାରଯୋଗ୍ୟ, କିନ୍ତୁ ତମ ଭିତରେ ଅପରାଧ ପ୍ରବଣତା ରହିଛି, ତମେ ସୁଯୋଗ ପାଇଥିଲେ ମହାମନ୍ତ୍ରୀଙ୍କ ଉପରକୁ ରଙ୍ଗ ଫୋଫାଡ଼ି ଅପମାନିତ କରିଥାନ୍ତ । ସବୁକଥା ବିଚାର କରି ଅଦାଲତ ତମକୁ ୧୭ ମାସେ ଜେଲ ଦଣ୍ଡ ଦେଉଛି । ଆଇନ ଅନୁସାରେ ମହାମନ୍ତ୍ରୀ ଙ୍କ ଉପରକୁ ରଙ୍ଗ ଫୋଫଡ଼ିଲେ ୧୮ ମାସ ଜେଲ ଦଣ୍ଡ ଅଛି, କିନ୍ତୁ ମୁଁ ଆଗରୁ ତମ ଦଣ୍ଡ ମାସେ କୋହଳ କରିଛି ।

— ମୁଁ ମାନ୍ୟବର ଅଦାଲତଙ୍କ ଆଦେଶ ଗ୍ରହଣ କରୁଛି ।

ଏଥର ନ୍ୟାୟମୂର୍ତ୍ତି ଆଦେଶପତ୍ର ରେ ଦସ୍ତଖତ କଲେ ଓ ସିପାହୀ କୁ ଆଦେଶ ଦେଲେ;

–ସିପାହୀ, ତୁମେ ଅପରାଧୀଙ୍କୁ ନେଇ କାରାଗାର ଅଧିକାରୀଙ୍କୁ ହସ୍ତାନ୍ତର କର ।

–ସେମିତି ଅନ୍ୟାୟ କରନ୍ତୁ ନାହିଁ, ନ୍ୟାୟାଧୀଶ, ଅଭିଯୁକ୍ତ ଯୁବକ ପାଟିକଲା ।

–ତମେ ପୁଣି କଣ କହିବାକୁ ଚାହୁଁଛ ?

— ଆପଣ ଜଣେ ଜ୍ଞାନୀ ଓ ବିଚାରବନ୍ତ ବିଚରପତି, ଦୟାକରି ମୋ ଯୁକ୍ତି ଟିକେ ଶୁଣନ୍ତୁ । ଗତବର୍ଷ ରାଜାଙ୍କ ଜନ୍ମଦିନ ପାଳନ ଅବସରରେ ଏକ ସଭା ହେଇଥିଲା । ସେଥିରେ ମହାମନ୍ତ୍ରୀ ଙ୍କ ଭାଷଣ ଟିକେ ଆପଣ ମନେ ପକାନ୍ତୁ । ସେ ବଡ ଆବେଗ ସହ କହିଥିଲେ, ରାଜାଙ୍କ ସେବା ମୋର ପରମ ଧର୍ମ, ମୁଁ ବଡ ଭାଗ୍ୟବାନ ଏପରି ଦୟାଳୁ ରାଜାଙ୍କ ସେବା କରିବାର ସୁଯୋଗ ପାଇଛି । ମୁଁ ସେଗର୍ବେ ଘୋଷଣ କରୁଛି ‘ ମୁଁ ରାଜାଙ୍କ ଚାକର’ । ଏ ଭାଷଣରେ ସମସ୍ତେ ତାଳି ମାରି ସମର୍ଥନ କରିଥିଲେ । ଆପଣ ନିଜେ ଆଗ ଧାଡିରେ ବସି ତାଳି ମାରିଥିଲେ । ରାଜା ଖୁସିରେ ମୁଣ୍ଡ ଟୁଙ୍ଗାରି ଥିଲେ । ତା ପରେ ଯେତେଜଣ ଭାଷଣ ଦେଲେ ସମସ୍ତେ ସେହି କଥା ଦୋହରେଇଲେ ‘ ଆମେ ରାଜାଙ୍କ ଚାକର’ । ମହାମନ୍ତ୍ରୀଙ୍କ ଘୋଷଣ ଅନୁସାରେ ସେ ରାଜାଙ୍କ ଚାକର ସଙ୍ଗେ ସମାନ । ତାଙ୍କ ଉପରକୁ ରଙ୍ଗ ପକେଇବା ଓ ରାଜାଙ୍କ ଚାକର ଉପରକୁ ରଙ୍ଗ ପକେଇବା ସମାନ । ନୀତିଗତ ଭାବେ ମୁଁ ମାସେ ଜେଲ ଯିବା କଥା କିନ୍ତୁ ଆପଣ ମୋର ମାସେ ଜେଲ ଦଣ୍ଡ କୋହଳ କରିଛନ୍ତି । ତେଣୁ ମତେ ଖଲାସ କରିବାକୁ ଆଦେଶ ଦିଅନ୍ତୁ ।

ଏଥର ନ୍ୟାୟାଧିଶ ଅଡୁଆରେ ପଡିଗଲେ । ତାଙ୍କୁ ଆଉ ବୁଦ୍ଧି ବାଟ ଦେଖା ଗଲା ନାହିଁ । କାରଣ, ଯୁବକର ଯୁକ୍ତି ଥିଲା ଅକାଟ୍ୟ ଯୁକ୍ତି, ଆଇନ ଅନୁସାରେ କ୍ଷମା କରିବାକୁ ପଡିବ । ତଥାପି ପରିସ୍ଥିତିକୁ ସମ୍ଭାଳି ନେଇ କହିଲେ;

— ଠିକ ଅଛି ତମ ଯୁକ୍ତି ଗ୍ରହଣ କରାଗଲା କିନ୍ତୁ ଏ କଥା ବାହାରେ ପ୍ରକାଶ କରିବ ନାହିଁ । ବରଂ କହିବ ରାଜ ପ୍ରତିନିଧି ତମକୁ କ୍ଷମା କରିଦେଲେ ।

ଯୁବକ ବିଚାରପତି ଙ୍କୁ ମୁଣ୍ଡିଆ ମାରି ବାହାରକୁ ଗଲା ।

ବାହାରକୁ ଆସି କହିଲା; ରାଜ ପ୍ରତିନିଧି ବଡ ଦୟାଳୁ, ମହାନୁଭବ ମୋର ଦୋଷ କ୍ଷମା କରିଦେଲେ ।

ଘରକୁ ଯାଇ ଅନ୍ୟ ମାନଙ୍କୁ କହିଲେ ମୋର ଉଦ୍ଦେଶ୍ୟ ସାଧିତ ହେଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top