ସେହି ଆସନ୍ନ ସଂଧ୍ୟାରେ ତା ମୁହଁସାରା ଖେଳି ବୁଲୁଥିଲା ଅନେକ ଗୁଡିଏ ପ୍ରଶ୍ନ ।
ଅସମାହିତ ପ୍ରଶ୍ନ……..?
ଅମାନିଆ ପ୍ରଶ୍ନ…….?
ଆନ୍ଦୋଳିତ ପ୍ରଶ୍ନ……..?
ଯେପରି ଭାବରେ ବୁଝିଲେ ବି ତା ଦୁଇ ବିସ୍ଫାରିତ ଆଖିକୁ ପଲକମାତ୍ରର ଡର ନଥିଲା । ଶେଷ ସୂର୍ଯ୍ୟାସ୍ତର ନିଷ୍ପ୍ରଭ ବିଷର୍ଣ୍ଣ ରଙ୍ଗ ପରି ମୁହଁଟା ଦିଶୁଥିଲା ଅତିଶୟ ମ୍ଲାନ ଆଲୋକରେ ରହସ୍ୟମୟ ।
ସେ କିଛି ଖୋଜି ହେଉଥିଲା, …………. ହଁ ।
ସେ କିଛି ଅସମାହିତ ପ୍ରଶ୍ନ ସହ ଯୁଝିହେଉଥିଲା, ………… ହଁ ।
ସେ ପ୍ରଶ୍ନ କରୁଥିଲା ପୁଣି ପ୍ରଶ୍ନର ସମ୍ମୁଖୀନ ବି ହେଉଥିଲା, ……….. ହଁ ।
ସୂର୍ଯ୍ୟାସ୍ତ ସରିବାକୁ ଆଉ ଧାପେ ବୋଲି ଜାଗା ବାକି ଥିଲା ପଶ୍ଚିମ ଆକାଶର କପାଳରେ । ସମଗ୍ର ଆକାଶକୁ ଗ୍ରାସ କଲା ପରି ଚାରିଆଡୁ ପତଳା ଅନ୍ଧାର ମାଡିଆସୁଥିଲା । ମଝିରେ ମଝିରେ ସେହିଆଡକୁ ସାମାନ୍ୟ ମଗ୍ନଚୈତନ୍ୟରେ ନିବିଷ୍ଟ ହୋଇ ଚାହିଁ ରହିବାକୁ ଚେଷ୍ଟା କରୁଥିଲା ଅଂଶୁମାନ । କିଛିକ୍ଷଣ ପାଇଁ ଆକାଶର ରହସ୍ୟଭରା ରକ୍ତିମ ରଙ୍ଗଗୁଡାକ ଯେପରି ତା କପାଳରେ ଉକୁଟି ଉଠୁଥିଲା । ତାକୁ ଲାଗୁଥିଲା ତାର ଅବସ୍ଥିତି ଏମିତି ଏକ ଛକ ଉପରେ ଯେଉଁଠି ସବୁ ରାସ୍ତା ଗୁଡାକ ପାଲଟି ଯାଇଛନ୍ତି ପ୍ରଶ୍ନଚିହ୍ନ । ପାଦ ଥାପିବ ତ କୁଆଡେ ? ଆଗକୁ ରାସ୍ତା ଥିଲେ ତ ? ଯଦି ସେହି ରାସ୍ତା ବଙ୍କା ଆଉ କୁଜା ଆକୃତିର ପ୍ରଶ୍ନର ଚିହ୍ନ ପରି ଭୟଙ୍କର ହୋଇଥାଏ ତା ହେଲେ ଅବସ୍ଥା ସାଂଘାତିକ ! ଉପର ପକେଟ୍ରେ ଏବେ ବି ଅଯତ୍ନ ଭାବରେ ପଡିରହିଥାଏ ଏଣ୍ଟ୍ରାନ୍ସ ପରୀକ୍ଷାର ଆଡ୍ମିଟ୍ କାର୍ଡ ।
ଏଇଟା ଥିଲା ତାର ସରକାରୀ ଚାକିରୀ ଖଣ୍ଡେ ପାଇବାର ଅନ୍ତିମ ପ୍ରବେଶିକା ପରୀକ୍ଷା । ଉତ୍ତୀର୍ଣ୍ଣ ବୟସର ଶେଷ ଅଭିଳଷିତ ସ୍ୱପ୍ନ । ଖାଲି ସେତିକି ନୁହେଁ, ସେଥି ସହ ଯୋଡିହୋଇଥିଲା ବାପାଙ୍କ ଉଦାସଭରା ଆଖିର ଆକାଂକ୍ଷା । ଅଂଶୁମାନକୁ ଲାଗୁଥିଲା ବାପାଙ୍କ ଆଖିର ଏହି ସ୍ୱପ୍ନଟା ଠିକ୍ ଏହି ସୂର୍ଯ୍ୟାସ୍ତର ନିଷ୍ପ୍ରଭ ରଙ୍ଗ ପାଲଟିଯିବନି ତ ! ଛବିଳ ଆଉ କ୍ଷଣିକ । ଆଖିରେ ଧରି ରଖିବାକୁ ଖୁନ୍ଦା ଖୁନ୍ଦା ଇଚ୍ଛାଥିବ କିନ୍ତୁ ଜାଗା ନ ଥିବ । ଟୁବକିନା ଭାଲେରି ଶିଖର ସେପଟେ ସୂର୍ଯ୍ୟ ହଜିଗଲା ପରି କୁଆଡେ ମିଳାଇଯିବ ଏହି ଅନ୍ତିମ ବର୍ଣ୍ଣାଢ୍ୟ ଆକାଂକ୍ଷା । ସୁଶୋଭିତ ଶେଷ ଅଭିଳାଷ ।
ପୁଅଟା ଭଲ ଚାକିରୀ ଖଣ୍ଡେ କରୁ ବୋଲି କେତେ ଅସୀମ ଧୈର୍ଯ୍ୟ ତାଙ୍କର । ଉପରକୁ ତିନିଟା ଝିଅର ବୋଝ ଥାଇ ବି ଭୁବନେଶ୍ୱରରେ ମେସ୍ ଖର୍ଚ୍ଚ, ରହିବା ଭଡା ଆଦି ନିୟମିତ ଦେବାରେ କେବେ ବି ହେଳା କରିନାହାଁନ୍ତି ତାଙ୍କ ଆଡୁ । “ହାଃ ପୁଅର ଭାଗ୍ୟ ଦେଖିଲାବେଳକୁ ଯେଉଁ ପମ୍ପ୍ଚର ସାଇକେଲ କୁ ସେହି ସାଇକେଲ୍ । ଗଡିବାର ନାଁ ଗନ୍ଧ ଧରୁନାହିଁ ?” ନିଜ ଉପରେ ତିକ୍ତ ସଂଶୟ ପ୍ରକାଶ ସହ ତା’ ପାଟିରୁ ଅସ୍ପଷ୍ଟ ଭାବେ ଛିଟିକି ପଡିଲା ଏଇ କେଇ ଧାଡି ଗୁଣୁଗୁଣୁ ଶବ୍ଦ । ସେ ଶବ୍ଦ ଗୁଡାକ ଯେମିତି ଜୀଅନ୍ତା ବିରୁଡି ପରି ଭଣ ଭଣ ହୋଇ ଘେରି ପକାଉଥିଲା ତାକୁ । ତୀକ୍ଷ୍ଣ ଶୁଣ୍ଢରେ ବିଦ୍ଧ କରି ପକାଉଥିଲା ଅନ୍ତରର କଲିଜା । “ଧିକ୍ …… ଶଳା ଏ ଜନ୍ମକୁ ! ଚାକିରୀ ଖଣ୍ଡେ ବି ଠିକ୍ରେ କପାଳକୁ ଜୁଟିଲା ନାହିଁ, ଏୟାଡେ ମଣିଷ ପରୀକ୍ଷା ଦେଇ ଦେଇ ଥେୟା ।” ଅନାଉ ଅନାଉ ବୟସର ଟ୍ରେନ୍ ଦ୍ରୁତ ଗତିରେ ଷ୍ଟେସନ୍ ପରେ ଷ୍ଟେସନ୍ ଡେଇଁ ଏଇ ଶେଷ ଷ୍ଟପେଜ୍ଟାକୁ ବି ଅତିକ୍ରମ କରିବାକୁ ବସିଲାଣି । ଆ’ ପରେ ଆଉ ଷ୍ଟେସନ୍ ନ ଥିବ, ଯଦିଓ ବୟସର ଟ୍ରେନ୍ ଗଡି ଚାଲିଥିବ ଲକ୍ଷହୀନ ଭାବରେ । ସେ ଡେଇଁ ସାରିଥିବ ତା ଇପସିତ୍ ସ୍ୱପ୍ନର ପସରାଘେରା ନିଯୁକ୍ତିର ସମସ୍ତ ଷ୍ଟେସନ୍ ।
ଉପର ପକେଟ୍ରେ ଲୋଚାକୋଚା ହୋଇ ପଡିଥିଲା ଆଡ୍ମିଟ୍ କାର୍ଡ । ଗଲା ପରୀକ୍ଷାଗୁଡାକ ପରି ଏଥର ବି ଲାଗୁଥିଲା ଗୋଟା ରକମ ହୋଇଛି ବୋଲି । ସବୁଥର ତ ସେୟା ଲାଗେ । ଏଥର ବୋଧେ ରିଟିନ୍ ଟା ବାଜିଯିବ । ବସେଇ ବସେଇ ଖାତାରେ କଷିଥିବା ଉତ୍ତର ଗୁଡାକୁ ମନେପକାଇ ଠିକ୍ ଭୂଲ୍ର ଉତ୍ତରକୁ କମ୍ପିି ନେଲା । ତାହା ପୁଣି ଥରେ ନୁହେଁ ଏକାଧିକ ଥର । ଯେପର୍ଯ୍ୟନ୍ତ ତା ଅସ୍ଥିର ମନକୁ ବୋଧ ନ ଦେଇଛି । ହେଲେ, ଫଳ ବାହାରିଲା ବେଳକୁ କିନ୍ତୁ ଫୁସ୍…….. । ଯୋଉ ପମ୍ପ୍ଚର୍କୁ ସେଇ ପମ୍ପ୍ଚର୍ ସାଇକେଲ୍ ……………. ।
କରୁଣ ଦୃଷ୍ଟିରେ ନିଜ ସାଇକେଲ ଆଡକୁ ଘେରାଏ ମୁହଁ ବୁଲାଇ ଚାହିଁଲା । ଷ୍ଟାଣ୍ଡ୍ ମରା ହୋଇ ରାସ୍ତା ସେପଟ କଡକୁ ଥୁଆ ହୋଇଥିଲା । ପୁରୁଣା ଦିଶୁଥିଲେ ବି ବାହାରକୁ ଲାଗୁଥିଲା ଠିକ୍ ଠାକ୍ । ଅନୁଗତ……. ବିଶ୍ୱସ୍ତ । ମାନେ….. ଯୁଆଡେ ଗଡାଇଲେ ଗଡିଲା । ଦି’ ଦିନ ତଳେ ପଛ ଟାୟାର୍ଟା ଘୋରି ହୋଇ କଣା ହୋଇଯାଇଥିବାରୁ ସେଇଟାରେ ଗେଟି ପକେଇ ନେଇ ଆସିଥିଲା ଆଗପଟକୁ । ଗାଡିଟା ଗଡୁଛି ସେଥିରେ । ଯାହା ଯେମିତି ତାଳି ପକେଇ କାମ ଚଳେଇଦେଲେ ଗଲା । ନୂଆ ଟାୟାରର ଦାମ୍ ଏବେ ଦୁଇଶହଟଙ୍କା ଧରିଲାଣି । ତାର ସ୍ୱଳ୍ପ ମାସିକିଆ ବଜେଟ୍ ଭିତରେ ହଠାତ୍ କରିବାଟା ସମ୍ଭବ ନୁହେଁ । ଆଖିର ରଙ୍ଗକୁ ମଳିନ କରି ସହସା ଯେପରି ଛାଇଗଲା ନୈରାଶ୍ୟର ପତଳା ଚାଦର ଖଣ୍ଡେ । ସାଇକେଲ୍ ଆଡୁ ମୁହଁ ଫେରାଇ ଆଣିଲା ଅଂଶୁମାନ ।
ଆକାଶରେ ଖଣ୍ଡ ଖଣ୍ଡ ହୋଇ ଖେଳାଇ ହୋଇ ରହିଥିଲା ଟୁକୁରା ବାଦଲ ଗୁଡାକ । ରଙ୍ଗରେ ଲାଲ୍ ପଡି ଆସୁଥିଲେ ଅସ୍ତ ସୂର୍ଯ୍ୟର ଆଭାରେ । ସେମାନଙ୍କ ବିକୃତ ଆକାରର ମୁହଁ ଗୁଡାକ ଏହି ରକ୍ତିମ ରଙ୍ଗର ପରଶରେ ଜଣାପଡୁଥିଲା ଖୁବ୍ ବିଷର୍ଣ୍ଣ । ଖୁବ୍ ଉଦାସ । ଯେମିତି ଏକାଠି ସମବେତ ହୋଇ ବିଷାଦରାଗିଣୀରେ ବିଦାୟ ଦେବାକୁ ବାହାରିଥିଲେ ଅସ୍ତାୟମାନ ସୂର୍ଯ୍ୟଦେବକୁ । ସେୟାଡକୁ ଚାହିଁଲେ କେମିତି କାନ୍ଦୁରା କାନ୍ଦୁରା ଲାଗୁଥିଲା ଆଖିଟା । ମନେପଡିଯାଉଥିଲା ବାପାଙ୍କ ସଦା ଉଦ୍ବିଗ୍ନ ମୁଖମଣ୍ଡଳ । ବିଲ୍କୁଲ୍ ଏହି ପଶ୍ଚିମ ଆକାଶର ମୁହଁପରି । ଗାଢ ରକ୍ତିମ ରଙ୍ଗରେ ଚିନ୍ତାଗ୍ରସ୍ତ । ଆଖିରେ ପ୍ରତିକ୍ଷୀତ ସକାଳର ସ୍ୱପ୍ନ, ହେଲେ ଏ ସୂର୍ଯ୍ୟ ଅସ୍ତଗଲେ ତ ? ପବନଟା କୋଉଠି ଖୁନ୍ଦି ହୋଇଗଲା ନାକପୁଡାରେ । ଅଣନିଃଶ୍ୱାସୀ ହୋଇପଡିଲା ସେ । ଆଉ ଅଧିକ ଆତ୍ମମଗ୍ନ ହେବାକୁ ତର ନଥିଲା । ମନଟାକୁ ଏୟାଡୁ ସେୟାଡୁ କରି ଭୁଲାଇ ନେବାକୁ ଚାହିଁଲା ।
କୁଆଡୁ ହାଲ୍କା ପବନ ହାବୁକାଏ ଆସି ତା ଦେହକୁ ଛୁଇଁଗଲା । ଶିରି ଶିରି ଛୁଆଁ । ମନକୁ କାହାର କଅଁଳ ହାତର ସ୍ପର୍ଶରେ ସୁଲୁସୁଲୁ କଲା ଭଳି । ମୁଦା ଫୁଲର ପାଖୁଡା ମେଲିଗଲା ପରି ସ୍ମୃତିର ଉପବନ ଚହଟି ଉଠିଲା କ୍ଷଣକ ପାଇଁ । ହଁ, ଏହା ଭିତରେ ରାଜଲକ୍ଷ୍ମୀ ସହ ଅକସ୍ମାତ୍ ଏହି ଭିଡ ସହର ମଧ୍ୟରେ ଭେଟ ହୋଇସାରିଛି ଥରେ । ଯାହା ହେଉ ଭଲରେ ଅଛି । ବର ତାର ଚାକିରୀ କରିଛି ନ’ ତାଲାରେ । ଚନ୍ଦ୍ରଶେଖରପୁରରେ କ୍ୱାଟର୍ ମିଳିଛି । ସେଇଠି ରହୁଛି । ଏବେ ଦୋଷ ଦେଇ କିଛି ଲାଭ ନାହିଁ । ଓଲଟି ତାକୁ ଭରସା କରି ବାହାଘରକୁ ବର୍ଷେ ଅଧେ ଯାଏଁ ଟାଳିଦେଇଥିଲା ସେ । ତୁଛାଟାକୁ ଅଭିଆଡୀ ବୟସ ଗଡାଇବା ଛଡା କଣ’ ବା ଲାଭ ମିଳିଥାନ୍ତା ସେଥିରେ ! ଚାକିରୀ ଖଣ୍ଡେ ମିଳିବାର ନାଁ ଗନ୍ଧ ଜୁଟିଲାନି ଯେତେବେଳେ, କରି କରି ଆଉ କେତେ ବା ଅପେକ୍ଷା କରିଥାନ୍ତା !
ଛାତି ଭିତରର ଛୋଟ ହୃଦୟରେ ଦୀପ ଶିଖାଟି ଜଳିଉଠିଲା ପରି ଦାଉ ଦାଉ ହୋଇ ମନେ ପଡିଯାଉଥିଲା ରାଜଲକ୍ଷ୍ମୀର ସ୍ମୃତି । ସେହି ସ୍ମୃତି ଗୁଡାକ ଏହି ରକ୍ତିମ ଆକାଶ ପରି ଧିରେ ଧିରେ ଜାଳି ପକାଉଥିଲା ତା’ ହୃଦୟର ଦିଗ୍ବଳୟକୁ । ଗଲା କିଛି ଦିନ ତଳେ ଅଚାନକ ଦୁଇ ନମ୍ବର ମାର୍କେଟ୍ରେ ଭେଟ ହୋଇଯାଇଥିଲା ତା’ ସହିତ । ସ୍ୱାମୀ ସହିତ ମାର୍କେଟିଙ୍ଗ୍ରେ ଆସିଥିଲା ବୋଧେ । ଅନେକ ବର୍ଷ ଅନ୍ତର ପରେ ଦେଖାଚାହାଁ । ଏଇ ଭୁବନେଶ୍ୱରରେ ରହି ସେ ଶୁଣିଥିଲା ରାଜଲକ୍ଷ୍ମୀର ବାହାଘର କଥା । ଯେଉଁଦିନ କଥାଟା ଜାଣିଲା, ବେଙ୍ଗଗୁଡାକ ଏକାଠି ବର୍ଷା ଆସିବା ଆଗରୁ କଟର୍ ମଟର୍ ଶବ୍ଦ କଲେ ଯେମିତି କାନକୁ କର୍କଶ ଆଉ ଆଖିକୁ ଏକ ନିଶ୍ଚିତ ଓଦା ପାଗର ସୂଚନା ମିଳିଥାଏ, ସେମିତି ଏକ ମିଶ୍ରିତ ଭାବନାରେ ଆଚ୍ଛନ୍ନ ହୋଇ ପଡିଥିଲା ସେ । ହଠାତ୍ ଚାରିଦିଗର ଆକାଶରୁ ମେଘ ଘୋଟିଆସିଲା । କଳା କିଟିମିଟି ଅନ୍ଧାରିଆ ମେଘ । ମଝିରେ ମଝିରେ ସେଥିରେ ଚମକୁଥିଲା ବିଜୁଳି । ଦାରୁଣ କଷ୍ଟ ଦେଲା ପରି ସେ ବିଜୁଳିର ମୁନିଆଁ କିରଣ ଗୁଡାକ ଆସି ଶରବିଦ୍ଧ କରି ପକାଉଥିଲା ତା ଅନ୍ତରକୁ । କେଜାଣି କାହିଁକି ସେଦିନ ସେ କାନ୍ଦିବାକୁ ଇଚ୍ଛା କରି ମଧ୍ୟ କାନ୍ଦିପାରିନଥିଲା । ଢଳ ଢଳ ବାଦଲ ଗୁଡାକ ଆଖିର ଆକାଶରେ ଇତଃସ୍ତତଃ ବୁଲି ପୁଣି ଲୁଚିଯାଇଥିଲେ କେଉଁଆଡେ । ତା’ ଚାରିପଟରେ ଯେଉଁ ନିଷ୍ଠୁରତାକୁ ସେହି ନିଷ୍ଠୁର ବାସ୍ତବତା ଖାଁ ଖାଁ କରୁଥିଲା ।
ଚା’କପ୍ର ଛୁଆଁରେ ଚାଉଁକିନା ଓଠଟା ପୋଡିଗଲା ଯେମିତି ! କ୍ଷଣିକ ଭାବାବିଷ୍ଟ ମୂହୂର୍ତ୍ତଗୁଡ଼ାକ କାକର ବୁନ୍ଦା ପରି ଚାହୁଁଚାହୁଁ ହଠାତ୍ ଟାଣ ଖରାର ତେଜରେ କୁଆଡେ ମିଳାଇଗଲା । ମିଠା ଚା’ଟା ବି ଜିଭକୁ ଲାଗୁଥାଏ କ୍ଷାରୁଆ କ୍ଷାରୁଆ । ଯେମିତିକି ସେହି ଦୋକାନୀ ଟୋକାଟା ତା’ ପାଇଁ କେବଳ ସ୍ପେଶାଲ ତିନି ଚାରି ବୁନ୍ଦା ଲୁଣିଆ ଲୁହକୁ ଗ୍ଲାସ୍ରେ ମିଶାଇ ଫେଣ୍ଟି ପରଶି ଦେଇ ବଢାଇ ଦେଇଛି ହାତକୁ । ଧରାଇଦେଇଛି ତା’ ହାତରେ ତିକ୍ତ ଭାଗ୍ୟର ସ୍ୱାଦ । ଇଚ୍ଛା ଅନିଚ୍ଛା ନିର୍ବିଶେଷରେ ଏହାକୁ ହିଁ ପିଇବାକୁ ପଡିବ । ଅଂଶୁମାନ ସେହି ଶେଷ ସୂର୍ଯ୍ୟର ଆଲୁଅ ଆଡକୁ ଚା’ ଗ୍ଲାସ୍ଟା ଟେକି ନିଜ ଭାଗ୍ୟର ରଙ୍ଗ ପରଖୁଥିଲା । ଇଷତ୍ ଧୂସର ମାଟିଆ ପାଣି ଉପରେ ଅସ୍ତ ରବିର ବାଦାମୀ ଛିଟା ପରି । ମାୟାବୀ ଆଲୁଅରେ ହାଲ୍କା ଆଚ୍ଛନ୍ନ ।
ଆଖିକୁ ରାଜଲକ୍ଷ୍ମୀର ସ୍ମୃତି ସବୁ ଏବେ ସେପରି ଲାଗୁଥିଲା । ତା’ ଆଖିର ଚାହାଣୀ ଲାଗୁଥିଲା ଏହି ସଂଧ୍ୟା ରହସ୍ୟମୟ ଆକାଶର ଆଲୁଅ ପରି । ଦୂର ଝାଉଁବଣ ପରି ଅସ୍ପଷ୍ଟ ଆଉ ରୋମାଞ୍ଚକର । ପାଟିର କଥାଗୁଡାକ ଶୁଭୁଥିଲା ବୟସ୍କା ପ୍ରେମିକାର ଉପଦେଶ । “କଣ’ କିଛି କରିଲଣି ! ନା, ଏମିତି ଚାଲିଥିବ?” ସ୍ୱାମୀ ସହ ଗୋଟିଏ ଗାଁର ପିଲା କହି ଚିହ୍ନା ପରିଚୟ କରାଇଦେଲା ବେଳେ ତାରି ଉଦ୍ଧେଶ୍ୟରେ ଏହି ପ୍ରଶ୍ନଟି ପଚାରିଥିଲା ରାଜଲକ୍ଷ୍ମୀ । ସେଦିନ ସଂଧ୍ୟାରେ ମାର୍କେଟ ବିଲ୍ଡିଂରୁ ଫେରିବା ବାଟରେ ତା’ ଆଖି ଆଉ କାନକୁ ଏହି ଗୋଟିଏ କଥା ଅସହ୍ୟ ଭାବରେ କଟୁଲାଗିଥିଲା । ସତସତିକା ନ ହେଲେ ବି ବୟସ୍କା ପରି ଜଣାପଡୁଥିଲା ରାଜଲକ୍ଷ୍ମୀ । ଭାରି ମାପଚୁପ କଥାବାର୍ତ୍ତା । ତା’ସହିତ ପୁଣି ନୂଆଜୀବନ ନୂଆ ପରିବେଶକୁ ନେଇ ପ୍ରାଣୋଚ୍ଛ୍ୱଳା । ସ୍ରୋତର ଅନୁକୂଳରେ ନଦୀ ଗତିପଥ ବଦଳାଇଲା ପରି ଏଇଟା ଥିଲା ତାର ଭିନ୍ନ ଏକ ଜୀବନ । କାହିଁ କେତେ ଦୂରରେ ବାଟଭାଙ୍ଗିଥିଲା ନଦୀ । ସେହି ପରିତ୍ୟକ୍ତ ମୋଡକୁ ଚାହିଁ ଏକୁଟିଆ ଛିଡା ହୋଇ ରହିଥିଲା ଅଂଶୁମାନ । ବେଗବତୀ ନଈ ନିଜର ଅଙ୍କାବଙ୍କା ଭାଗ୍ୟରେଖା କାଟି ତା’ରି ଉପରେ ବହି ଚାଲି ମାଡିଯାଇଥିଲା କାହିଁ କେତେ ଆଗକୁ ଆଗକୁ ।
ସିଗାରେଟ୍ ଖଣ୍ଡେ କିଣି ପାଟିରେ ଧରାଇବାକୁ ଇଚ୍ଛାକଲା । ଧଳାଧୂଆଁର କୁଣ୍ଡଳୀ ପରି ସବୁକିଛି ଆଖିକୁ ଦିଶୁଥିଲା ଏକ ଫେଣ୍ଟାଫେଣ୍ଟି ରହସ୍ୟର ଆସ୍ତରଣ । ତାର ଅସଂପୂର୍ଣ୍ଣ ପ୍ରେମଗାଥା । ସଂଘର୍ଷମୟ ଭାଗ୍ୟ । ଅରକ୍ଷିତ ଭବିଷ୍ୟତ । ଆଉ ସମୟ ଅସମୟରେ ଏମିତି ଆଖିକଣରେ ଉଙ୍କି ମାରୁଥିବା ନେଞ୍ଜରା ମିଶା ଅଫଳନ୍ତି ସ୍ୱପ୍ନ । ସବୁକିଛି ଦିଶୁଥିଲା ଏକ ଧୂମ୍ରାଭ ଦିଗନ୍ତ । ଅସ୍ପଷ୍ଟ, ଅପରିଷ୍କାର । ଏଇ ଆଲୁଅ ଆଉ ଅନ୍ଧାର ମିଶା ସଂଧ୍ୟାର ଆକାଶ ପରି । କ’ଣ ଭାବି ସିଗାରେଟ୍ ଟାଣିବାର ଏହି ଅବଦମିତ ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଚାହିଁଲା ନାହିଁ । ଗୁଡାଏ ପଇସା ଟାଣିନେଉଥିଲା ଏହି ବଦଭ୍ୟାସଟା । ‘ଖାଲି ନୁଖୁରା ପକେଟ୍ କୁ ବୋଝ । ଧ୍ୟାତ୍……..ଦେ………. ଛାଡ୍……… ।’
ପିଠି ଉପରେ ଜଳଜଳ ହୋଇ ଦିଶୁଥିବା ବେକାରି ଷ୍ଟାମ୍ପ୍ଟ ଆଉ ଅଜାଗା ଘା’ ପରି ଲୁଚିଛପି ରହିନାହିଁ । ଆଖି ଆଗରେ ଲଗାହୋଇଥିବା ପତଳା ଦୁଗୁଳା ଦେବଦାରୁ ଗଛଗୁଡାକ ଏବେ କାହିଁ କେତେ ଡେଙ୍ଗା ଝଙ୍କା ପାଲଟି ରାସ୍ତାକଡରେ ଛାଇ ବାଣ୍ଟିଲେଣି । ଚାକିରୀ ଅନ୍ୱେଷଣରେ ଏହା ଭିତରେ ଆଠବର୍ଷ କଟିଗଲାଣି ଏହି ସହରରେ । ବି.ଏ. ପରୀକ୍ଷା ଫଳ ବାହାରିଲା ପରେ ପରେ ଦୁଇ ଉଦ୍ଧାମ ଆଖିରେ ଉଚ୍ଚକାକ୍ଷାଂର ସ୍ୱପ୍ନ ରଖି ଧାଇଁ ଆସିଥିଲା ଭୁବନେଶ୍ୱର । ଚାକିରୀ ଆଶାୟୀଙ୍କ ପାଇଁ ସ୍ୱପ୍ନର ସହର, ପ୍ରତିଯୋଗିତାର ମହାନଗର । ଏହିଠୁ ସଫଳ ପ୍ରତିଯୋଗୀଙ୍କୁ ହାତରେ ପର୍ଚ୍ଚା ଖଣ୍ଡେ ମିଳିଯାଏ ନିରାପଦ ଭବିଷ୍ୟତର ।
ଏହା ଭିତରେ ତିନି ଜାଗାକୁ ମେସ୍ ବଦଳାଇସାରିଲାଣି । ପ୍ରଥମେ ପ୍ରଥମେ ଆସି ରହିଥିଲା ବାଣୀ ବିହାର ପଛ ସୁରେନ୍ଦ୍ର ସାଏ ନଗରରେ । ସେଠୁ ତିନି ଚାରିବର୍ଷ ରହିଗଲା ଚକେଇଶିଆଣିରେ । ଏହି କିଛିଦିନ ହେବ ନୂଆ କରି ଆସି ରହୁଛି ଜିଜିପି କଲୋନୀରେ । ସବୁ ଜାଗା ବଦଳାଇବା ପଛରେ ବାହାରକୁ ଆଉ ଯାହା କାରଣ ସେ ଜଣାଇ ଥାଏନା କାହିଁକି, ଭିତରେ ଉହ୍ୟ ଥାଏ ଏକ ଅପ୍ରକାଶ୍ୟ ଅସହାୟବୋଧ । ପଳାୟନବାଦ୍ । କେବଳ ତାକୁ ଛାଡି ତା’ ସହିତ ରହୁଥିବା ଜଣକ ପରେ ଜଣକୁ ମିଳିଯାଉଥିଲା ଏହି ସ୍ୱପ୍ନର ପାର୍ଚ୍ଚା । ସଫଳତାର ଇପ୍ସିତ ଟିକେଟ୍ । ଉପରକୁ ଚାହିଁ ଶିଢି ଚଢିବା ନାଁରେ ସେପର୍ଯ୍ୟନ୍ତ ପାଦଟିଏ ସୁଦ୍ଧା ଥାପି ପାରିନଥିଲା ପ୍ରଥମ ବାଡାରେ ।
ଏବେ ହଠାତ୍ ବାଣୀବିହାର କ୍ୟାମ୍ପସ୍ରେ ଦେଖାହୋଇଥିଲା ନରେଶ ସହ । ଗଲା କିଛିଦିନ ହେବ ପଶ୍ଚିମ ମେଦିନାପୁରରୁ ବଦଳି ହୋଇ ଆସିଛି ଭୁବନେଶ୍ୱର । ବ୍ୟାଙ୍କ୍ ଅଫ୍ ବରେଦା ବ୍ରାଞ୍ଚ କୁ । ବର୍ତ୍ତମାନ ଆସିଷ୍ଟାଣ୍ଟ ମ୍ୟାନେଜର୍ । ଦୁଇ ବର୍ଷ ତଳେ ପ୍ରୋବେସନାରୀ ଅଫିସର୍ ରୂପେ ନିଯୁକ୍ତ ପାଇଥିଲା ସେହି ବ୍ୟାଙ୍କ୍ରେ । ଗୋଟିଏ ସର୍ତ୍ତରେ ଦୁହେଁ ଏକାଠି ବସି ପରୀକ୍ଷା ଦେଇଥିଲେ । ଆଗରୁ ଦୁଇଜଣଙ୍କର ଏକାଠି ମିଶି ଚାଲିଥିଲା ପ୍ରସ୍ତୁତି । ଏଇ ଦୁଇ ବର୍ଷ ତଳେ ଦୁହେଁ ଏକାଠି ଚକେଇଶିଆଣିରେ ମେସ୍ କରି ରହୁଥିଲେ । ଏକାଠି ଚାଲିଥିଲା ପ୍ରିପାରେସନ୍ । “ଶଳାର ଭାଗ୍ୟ ଜୋର୍ । ଯା’ ଯେମିତି ବାଜିଗଲା ସେଥରଟା, ନ ହେଲେ ସେଇଟା ତ ଏରିଥ୍ମେଟିକ୍ରେ ପୁରା ଫମ୍ପା, ନ କଷିପାରିଲେ ଶେଷ ଆଡକୁ ଉତ୍ତରଗୁଡା ଢାବା ମାରିଦିଏ । ସେଇଟା ପୁଣି ଏବେ ତା’ ମୁହଁକୁ ଦୟା କଲା ଭଳିଆ ଚାହୁଁଛି । ମୋତେ ସାନ୍ତ୍ୱନା ଦେଉଛି ଶଳା…….. ଚୋଠା କୋଉଠିକାର” । ଅଂଶୁମାନ ସେପର୍ଯ୍ୟନ୍ତ ହଜମ କରିପାରିନଥିଲା ନରେଶ ତାକୁ ଶୁଣାଇଥିବା ଦୟାପୂର୍ଣ୍ଣ ପ୍ରବଚନର ଧାଡି ଗୁଡାକ ।
“ଅଂଶୁ, ତୁ ଆଉ କେତେଦିନ ଏଇ କମ୍ପିଟେଟିଭ୍ ପରୀକ୍ଷା ପଛରେ ପଡିଥିବୁ । ମୁଁ ଭାବୁଛି ତୁ ଏଥର ପ୍ରାଇଭେଟ୍ ସେକ୍ଟରରେ ଚାକିରୀ ଖଣ୍ଡେ କରିଯା । ସେମିତି ଆକାଉଣ୍ଟସ ନ ହେଲେ ଡେସ୍କ୍ କାମ ଏହି ଭୁବନେଶ୍ୱରରେ ତ ଖୋଜିଲେ ମିଳିଯିବ । କିଛି ନ ହେଲେ ତ, ତୋ ନିଜର ଗୁଜୁରାଣଟା ତ ମେଣ୍ଟିଯିବ !” ଖୁବ୍ ବିରସ ଓ ସହାନୁଭୂତିପୂର୍ଣ୍ଣ ବଦନରେ ସେଦିନ ସେଇ ବାଣୀ ବିହାର କ୍ୟାମ୍ପସ୍ର ଆସନ୍ନ ସଂଧ୍ୟା ମୂହୂର୍ତ୍ତକୁ ଆହୁରି ବିଷର୍ଣ୍ଣ କରିଦେବା ଭଳି ଥିଲା ନରେଶ ଏଇ କଥା କେଇପଦ ତା ପାଇଁ । ଶବ୍ଦଗୁଡାକ ତତଲା ଗରଳ ପାଲଟି କାନର ଏମୁଣ୍ଡ ସେମୁଣ୍ଡ ପହଁରିଯାଇଥିଲା ଯେମିତି । ଟାଇଁ ଟାଇଁ ଖରାର ଗୁଳା ପରି ଏହି ଧାଡି କେତୋଟି ଅଦିନ ଅଂଶୁଘାତ ପରି ଆକ୍ରାନ୍ତ କରିଥିଲା । କୌଣସି ମତେ ମନତଳର ହୁତୁହୁତୁ ନିଆଁକୁ ପ୍ରଶମିତ କରି ଭିତରେ ଭିତରେ ପୋଡିଯାଉଥିବା କଲିଜାର ଗନ୍ଧକୁ ଘୋଡାଇ ମୁହଁରେ ହସ ଫୁଟାଇ କଥା ହୋଇଥିଲା ନରେଶ ସହିତ । ସେଇ ପୁନରାବୃତ୍ତି ସଂଳାପରେ- “ଆଉ କେମିତି ଭଲ ଅଛୁ……..?” ଇତ୍ୟାଦି । ଏଣେ ମନର ସାତତାଳ ଯାଏଁ କ୍ରୋଧର ଜୁଆର ଢେଉ ମାରୁଥାଏ ଢୁ…..ଢୁ…….ଢୁ, “ଶଳା ଚାକିରୀ ପାଇଯିବା ଦିନଠାରୁ ଦିନେ କେବେ ବି ଚିଠି ଖଣ୍ଡେ କି ଫୋନ୍ ଥରେ ଅଧେ କରିନଥିଲା, ଆଜି ଦେଖାହେଲାରୁ କୁଆଡୁ ସବୁ ସହାନୁଭୂତି ଗୋଟାଇ ଆଣି ଗଦାଇ ପକାଉଛି । ହ୍ୟାତ୍………… ନିହାତି ସ୍ୱାର୍ଥପରଟା”! ତୀବ୍ର ତିକ୍ତ ବୋଧରେ ମୁହଁକୁ ଫେରାଇ ଆଣିଲା ନରେଶର ସ୍ମୃତି ପାଖରୁ ।
କଳା କଳା ଅନ୍ଧାର ପରି ଅବଶୋଷଗୁଡାକ ବହଳ ପାଲଟି କ୍ରମଶଃ ଚରିଆସୁଥିଲେ ତା ନିସ୍ତେଜ ଆଖିର ଦୁଇ ଉପାନ୍ତକୁ ଛୁଇଁ । ସେଠି, ଅବିରତ ଟାଣଖରାର ଧାସ ବାଜି ମୁଦି ହୋଇପଡିଥିବା ଗଛର ନିସ୍ତେଜ ପତ୍ର ପରି କଦାପି ଚାହିଁ ହେଉନଥିଲା ବାପାଙ୍କ ଦୁଇଯୋଡା ଝାଉଁଳା ଆଖିକୁ । ଯେମିତି ଆଶାର ଲମ୍ବାପଣତ କାନି ପାରି ପଡିରହିଥିଲା ଏକ ଆବେଗିକ ପ୍ରଲମ୍ବିତ ପ୍ରତୀକ୍ଷାରେ । ସେଠି, ଦିନେ ନା କେବେ ଗଙ୍ଗଶିଉଳି ଫୁଲ ପରି ଝରିପଡିବ ପୁଅର ସଫଳତା । ପାରିବାପଣ । ସେଠି, ଭିଡ ମଝିରେ, ବାଟରେ ଘାଟରେ ଆଖିକୁ ନଚାଇ ଲୋକହସା କଲା ପରି ରାଜଲକ୍ଷ୍ମୀର ଛଳନାଭରା ପ୍ରଶ୍ନକୁ ସାମ୍ନା କରିବାକୁ ପଡୁଥିବ ଏମିତି ମଝିରେ ମଝିରେ । କଟା ହୃଦୟରେ ସଜ ଚୂନକୁ ବୋଳି ଦେଲା ଭଳି ଯନ୍ତ୍ରଣା ଚହଟି ଉଠୁଥିବ ତାଜା ରକ୍ତର ଫୁଆରା ପରି । ପିଚ୍…….ପିଚ୍……….ପିଚ୍…….. ଆଃ………. । ସେଠି, ନରେଶ ପରି ଛଳହିତୈଷୀ ବନ୍ଧୁମାନଙ୍କୁ ଭେଟିବାକୁ ପଡୁଥିବ ଅନିଚ୍ଛାକୃତ ଭାବରେ । ଅସମୟରେ । କେଉଁ ନା କେଉଁ ମୋଡରେ । ରାଗ ଜହରରେ ସର୍ବାଙ୍ଗ ଜଳିଯାଉଥିଲେ ବି ପାଟିରେ ଭିଜା ବର୍ଷାର ଆଦ୍ରତା ପରି କୋମଳସିକ୍ତ କଥା କହିବାକୁ ପଡୁଥିବ । କଅଁଳେଇ କଅଁଳେଇ ବନ୍ଧୁ ସଂଖୋଳିବାକୁ ପଡୁଥିବ ।
ଅବଶୋଷଗୁଡାକ ଘୂର୍ଣ୍ଣିବଳୟ ପାଲଟି ଘୂରିଚାଲିଥିଲେ ଅଂଶୁମାନର ଚାରିପଟେ । ଚକ୍କର୍ କାଟି ତା ଭାରାକ୍ରାନ୍ତ ମୁଣ୍ଡଟାକୁ ଭିଡି ଘୋଷାଡି ଆଣୁଥିଲେ ତଳକୁ ତଳକୁ । ଯେମିତି ପୁରା ନଛୋଡ୍ବନ୍ଧା । ପିଛା ଛାଡିବେନି ଜମାରୁ । ଲାଗିପାତି ମୁଣ୍ଡଟାକୁ ତତେଇ ଫଟେଇ ଦେବେ । ପୁରା ବ୍ରେନ୍ ହାମ୍ରେଜ୍ । ନ ହେଲେ ଫୁଟ୍ବଲ୍ ଖେଳିଲା ପରି ମୁଣ୍ଡକୁ ଘୂରାଇ ଘୂରାଇ ଫୋପାଡି ଦେବେ ମାଟି ଉପରକୁ । “ ଦେ ଶଳା ଯା ………… ନିକମା……… ଅପଦାର୍ଥ ………. ଅଯୋଗ୍ୟ…… ।” କହି ଜିଂଘାସି ଉଠିବେ ସମବେତ ଭାବରେ । କାନକୁ ଖାଲି ଶୁଭୁଥିବ ନିଜର ଆର୍ତ୍ତଚିତ୍କାର । ଏକ ଅପଦାର୍ଥର ନିଭୃତ୍ତ ସଂଳାପ ।
ଫଡ୍ ଫଡ୍ କରି ଉଡିଆସି ପାଖ ଗଛ ଡାଳରେ ବସି ପଡିଲେ ଦଳେ ଖଣ୍ଡେ ବଗପକ୍ଷୀ । ଆଖି ବୁଲାଇ ଚାହିଁଲା ସେୟାଡକୁ ଅଂଶୁମାନ । ସେମାନଙ୍କ ଧୋବଲା ଦେହଗୁଡାକ ଅସ୍ତସୂର୍ଯ୍ୟର ତୁଳିଛଟାରେ ଠାଏ ଠାଏ ଇଷତ୍ କମଳା ରଙ୍ଗରେ ଝଟକି ଉଠୁଥିଲା । ଗଛର ପତ୍ର ତଳେ ତଳେ ଜମାଟ ବାନ୍ଧି ସାରିଥିଲା ସାୟାହ୍ନର ମିଶାମିଶି ଅନ୍ଧାର । ହରିତ୍ ପତ୍ର ଗୁଡାକ ଯେପରି ଆଲୁଅ ଲିଭିବା ଆଗରୁ ଶେଷଥର ପାଇଁ ଝଳିଉଠୁଥିଲେ ମ୍ଲାନ ସୂର୍ଯ୍ୟର ରଙ୍ଗରେ । ରହସ୍ୟଭରା ରୋମାଞ୍ଚରେ ଅସ୍ତରାଗର କବିତା ଆବୃତ୍ତି କରୁଥିଲେ । କାନକୁ ଶୁଭୁଥିଲା ସେମାନଙ୍କ ଅଶ୍ରୁତ କୋରସ୍ । ସତରେ କଣ’ ସବୁ ଅନ୍ଧାର ହୋଇଯିବ ନିମିଷେକରେ? ଏଇଠି ସରିଯିବ ସବୁକିଛି ? ତାର ସାଇତା ଅରମାନ୍ । ଆଉଟା ଅନ୍ଧାରରେ ମିଳାଇଯିବ ତା’ର ଦିକିଦିକି ସ୍ୱପ୍ନ । ପୂର୍ଣ୍ଣଛେଦ ପଡିଯିବ ସବୁକିଛିର ଚାହୁଁ ଚାହୁଁ ଆଖିପଲକ ଆଗରେ । ‘ଡୁମସ୍ ଡେ’ ପରି ପିଛୁଳାକରେ ସରିଯିବ ବର୍ତ୍ତମାନର ଆୟୁଷ । ସବୁ ହୋଇଯିବ ସୁଇଚ୍ ଅଫ୍ । ଅନ୍ଧକାରଚ୍ଛନ୍ନ । ଚାରିଆଡେ ଅନ୍ଧାର ……….. ଅନ୍ଧାର………… ଅନ୍ଧାର ।
ଦୁଇ ବ୍ୟଗ୍ର ବିଚଳିତ ଆଖି ଇତଃସ୍ତତଃ ଘୂରି ଘୂରି ପୁଣି ଆସି ନିବଦ୍ଧ ହେଲା ପଶ୍ଚିମ ଆକାଶର ଲଲାଟରେ । ଏଥର ଆଉଟିକେ କାହିଁ ଆଖିକୁ ଅର୍ଥପୂର୍ଣ୍ଣ ଲାଗିଲା ଆକାଶଟା । ଦାର୍ଶନିକର ମୁହଁ ପରି ତାର ଅନୁଚାରିତ ପ୍ରଶ୍ନକୁ ସାମ୍ନା କରୁଥିଲା ଦୂର ଚକ୍ରବାଳ । ଗୌରିକ ଆଭାରେ, ନିର୍ଲିପ୍ତ ଭାବରେ ଚାହିଁ ରହିଥିଲା ଅଂଶୁମାନ ଆଡକୁ । ତେଜସ୍ୱୀ ତପସ୍ୱୀର କପାଳ ପରିଥିଲା ସେହି ଦୃଶ୍ୟପଟ । ଭାବଗମ୍ଭୀର ମୁଦ୍ରାରେ ଆକର୍ଷିତ କରୁଥିଲା ଅନ୍ତଃଚେତନାକୁ । ମନ୍ଦ୍ର ଇସାରାରେ ଜଣାଇଦେଉଥିଲା- ଆଜିର ସୂର୍ଯ୍ୟାସ୍ତ ଶେଷ ନୁହେଁ…………. । ଶେଷ ନୁହେଁ….. ।
ସଞ୍ଜବତୀ ପରି କୋଉଠି ଧାପେ ଜଳିଉଠିଲା ଯେମିତି । ମନ ଅଗଣା ସାରା ବିଛାଡି ହୋଇପଡିଲା ଚେନା ଚେନା ଆଲୁଅ । ତା ମ୍ରିୟମାଣ ଆକାଶରେ ଅସ୍ତସୂର୍ଯ୍ୟକୁ ଠେଲି ଫିଟିଆସୁଥିଲା ପୂର୍ବାଶାର ରଙ୍ଗ । ସଜଫୁଟା ଫୁଲ ପରି ବିଶ୍ୱାସର ପାଖୁଡା ସବୁ ମେଲିଉଠୁଥିଲା । ଲାଗୁଥିଲା, ଏଥର କିଛି ଗୋଟା ହେବ । ହଁ, ନିଶ୍ଚୟ ହେବ । ଅଲବତ୍ ହବ । ପୂର୍ଣ୍ଣ ଆତ୍ମପ୍ରତ୍ୟୟତାର ସହିତ ଉପରପକେଟ୍ରେ ପଡିଥିବା ଇଣ୍ଟରଭ୍ୟୁର ଆଡ୍ମିଟ୍ କାର୍ଡକୁ ଛୁଇଁବାକୁ ହାତ ବଢାଇଲା ଅଂଶୁମାନ । ତା’ ଆଙ୍ଗୁଠି ସବୁ ଲମ୍ବି ଆସୁଥିଲା ନୂଆ ସକାଳର ସୂର୍ଯ୍ୟ ଆଡକୁ ।