ଅଣୁଗଳ୍ପ

ନୂଆ ବୋଉ

Badal Palei's odia short story Nuaa Bou

ତା ନଜରଟା ପଡିଗଲା କନ୍ଥରେ ଝୁଲୁଥିବା ତାର ସେଇ ନୂଆବୋଉର ହସ ହସ ମୁହଁ ଉପରେ ।

ନୂଆ ବୋଉ

ଭୟଙ୍କର ଅନ୍ଧାର ରୂପୀ ଦୁନିଆରେ ତେଜୋମୟ ଆଲୋକର ପ୍ରାୟେ ବୋଉ ବିଦ୍ୟମାନ। ବୋଉ ଡାକରେ ଥାଏ ସ୍ୱର୍ଗର ଅମେୟ ଠାରୁ ବି ଅଧିକ ମଧୁ। ସ୍ୱର୍ଗ ବାସୀ ଏବଂ ପାତାଳ ବାସୀଙ୍କ ମଧ୍ୟ୍ୟରେ ଅମେୟ ପାଇଁ ଲଢେଇ ଲାଗିଥିଲା, ସେମାନେ ସମୁଦ୍ର ମନ୍ଥନରୁ ଅମେୟ ପ୍ରାପ୍ତ କରିଥିଲେ। ସେଥିରୁ କିଛି ଅମେୟ ବିଧାତା ବୋଧେ ବୋଉ ଡାକରେ ହିଁ ଭରିଦେଇଥିଲେ । ବୋଉର ସେଇ କଥା, ତା’ ହାତତିଆରି ଖାଦ୍ୟ, ତା ସେଇ ପଣତର ବାସ୍ନାରେ ଥାଏ ଅସୀମ ଆତ୍ମ ତୃପ୍ତିକର ସୁଖଦ । ଯେତେ ଶାରୀରିକ କଷ୍ଟ ତା ପଣତ ଆଗରେ ଫିକା । ଯେତେ ଦୁଃଖ ତା କଥା ଆଗରେ ଶୁଷ୍କପତ୍ର ପ୍ରାୟ ଉଡିଯାଏ ମରୁତର ଅଙ୍କ ବଙ୍କା ଉଦର ମଧ୍ୟକୁ । ଗର୍ଭର କଳା ମଚ୍ ମଚ୍ ଅନ୍ଧାର ଭିତରେ ବୋଉର ବଚନ ମନରୁ ନାସ କରେ ନିଶବ୍ଦର ଶୂନ୍ୟତାକୁ । ଭୃଣ ଶିଶୁଠୁ ଆରମ୍ଭ କରି ଭୂମିଷ୍ଠ ହେଲା ପର୍ଯ୍ୟନ୍ତ ବୋଉର ସେ ସ୍ନେହ, ଆଦର ଜନ୍ମ ନାଡ଼ି ଦ୍ୱାରା ସଂଯୋଗ । ସନ୍ତାନ ସନ୍ତନ୍ତି ମାନଙ୍କ ପାଇଁ ନିଜର ସର୍ବସ୍ଵ ତ୍ୟାଗ କରିବାର ଅତୁଲ୍ୟ ବ୍ୟକ୍ତିତ୍ୟ ହିଁ ବୋଉ।

ଆଜି ସେ ବୋଉର ଏମିତି ଏକ କାହାଣୀ ଆପଣ ପଢୁଛନ୍ତି ଯେଉଁ ବୋଉକୁ ଲୋକେ ଏତେ ସହଜରେ ଗ୍ରହଣ କରିପାରନ୍ତିନି । ସତରେ ବୋଉ କେତେ ମହାନ ସେ କଥା ଟା ଏଥିରୁ ବେଶ୍ ବାରି ହୋଇପଡିବ ।

ମରିଯାଇଥିବା ବୋଉର କଥା ସୋନୁ ଏକା ଏକ ନିଶବ୍ଦ ଜାଗାରେ ବସି ଭାବୁଛି । ବୟସ ପ୍ରାୟ ସାତ ବର୍ଷ । ସବୁ ପିଲାଙ୍କ ତୁଳନାରେ ସୋନୁ ଭାରି ପରିପକ୍ଵ କାରଣ ସେହି ନିଜ କାମ ନିଜେ କରେ । ସକାଳୁ ଉଠି ନିଜେ ବ୍ରସ କରେ, ନିଜେ ଗାଧାଏ, ନିଜ ସ୍କୁଲ ବ୍ୟାଗ୍ ସହ ଖାଇବା ଟିଫିନ୍ ନିଜେ ସଜାଡିଦିଏ । ଆଉ ବେଳେବେଳେ ବାପାଙ୍କ ଠୁ ଲୁଚିକି ନିଜ ପୋଷାକ ବି ଧୋଇ ସଫା କରି ଶୁଖେଇ ଦିଏ । ବାପାଙ୍କ ଦେହ ଖରାପ ହେଲେ ପାଦ ଚିପିଦିଏ , ରାତି ସାରା ବସି ବାପାଙ୍କ ସେବା କରେ । କିନ୍ତୁ ସବୁବେଳେ ମନରେ ତା ବୋଉ କୁ ଖୋଜୁଥାଏ ।

ମଳୟ ଏବଂ ସୁନିତା ଦୁହେଁ ଆଜକୁ ପ୍ରାୟ ନଅ ଦଶ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ପରିବାର ର ସହମତି ନ ଥିଲେ ମଧ୍ୟ ଦୁହେଁ ବିବାହ କରି ଘର ଠୁ ଅନେକ ଦୂର ରେ ବେଶ୍ ଖୁସି ରେ ଥିଲେ।ପ୍ରେମର ସନ୍ତକ ସ୍ୱରୂପ ସୋନୁ ହେଉଛି ସେମାନଙ୍କ ପୁଅ ।

ସୋନୁକୁ ଛଅ ମାସ ହେଇଥିଲା ତା ବୋଉ ତାକୁ ସବୁଦିନ ପାଇଁ ଛାଡିଚାଲିଗଲେ । ମୃତ୍ୟୁର କାରଣ ଏବେ ବି ରହସ୍ୟମୟ ।

ବିବାହର ନଅ ମାସ ପରେ ସୋନୁର ଜେଜେମା ତା ବାପା ବୋଉଙ୍କୁ ଗାଁ କୁ ଡାକି ଆଣିଥିଲେ କହିଥିଲେ ସେ ଯାହା ବି ହେଉ ତମେ ମୋ ପାଖରେ ରୁହ । ଶୁଣାଯାଏ ସୋନୁର ବାପାଙ୍କ ବଡଭାଇ ଅର୍ଥାତ ସୋନୁର ବଡବାପାଙ୍କ ଶାଳୀ ସହ ସୋନୁ ବାପାଙ୍କର ବିବାହ ପ୍ରସ୍ତାବ ସ୍ଥିର ହୋଇଥିଲା କିନ୍ତୁ ସୋନୁର ବାପା ତା ବୋଉଙ୍କୁ ପ୍ରେମ ବିବାହ କରିଲେ । ଏ କଥାରେ ପରିବାର ଲୋକଙ୍କ ସେଥିପାଇଁ ଭାରି ରାଗ କିନ୍ତୁ ବୋହୁର ପିଲାପିଲି ଆସୁଥିବା କଥା ଶୁଣି ସୋନୁର ଜେଜେମା ତ ସବୁ ରାଗ ଭୁଲି ଯାଇ ଭୁବନେଶ୍ଵରରେ ଠିଆ । ଯେଉଁ ଦିନ ସୋନୁର ବାପା ବୋଉ ଘରକୁ ଆସିଲେ ସମସ୍ତେ ଭାରି ଖୁସି କିନ୍ତୁ ସୋନୁର ବଡ଼ମାଆଙ୍କ ମୁହଁର ମିଛ ହସ ତଳର ସେ ରାଗ ଟା ବେଶ୍ ଜଣାପଡ଼ିଯାଉଥିଲା ।

କଂସର ଯେତେ ବି ପ୍ରୟାସ କୃଷ୍ଣଙ୍କ କିଛି ବି କ୍ଷତି କରିପାରିନଥିଲା । କୃଷ୍ଣ ଯେମିତି ଗୋପରେ ବଢ଼ୁଥିଲେ ସେମିତି ସୋନୁ ଦଶ ମାସ ପରେ ଭାରି ଗୁଲୁଗୁଲିଆଟେ ହୋଇ ଜନ୍ମ ହୋଇଥିଲା ।

ସୋନୁକୁ ଛଅ ମାସ ହେଇଥାଏ ସେଦିନ ସୋନୁର ବୋଉ ସବୁଦିନ ଭଳି ଖାଇସାରି ସୋନୁକୁ ଶୁଆଇ ବଡ଼ଯାଆ ଦେଇଥିବା ନୂଆ ଚାଉଳ ଖିରି ଖାଇକି ଶୋଇଛନ୍ତି ହଠାତ୍ ଛାତିରେ ଜୋରସେ କଷ୍ଟ ହେଲା କିଏ କିଛି ଜାଣିବା ପୂର୍ବରୁ ରକ୍ତ ବାନ୍ତି କରି ସୋନୁର ବୋଉ ମରିଗଲେ । ଦେହ ଟା ପୁରା ନୀଳ ପଡିଯାଇଥିଲା ।

କିଏ କିଏ କହିଲେ ହାର୍ଟ ଆଟାକ୍ ତ କିଏ କହିଲେ ବିଷ ଖାଇଦେଇଛି ତ ଆଉ କିଏ କହିଲେ କାଳ ପୁରୁଷ ଚିପି ମାରି ଦେଇଛି ବୋଧେ । ପୋଲିସ ଭୟରେ କିଏ କିଛି ଜାଣିବା ଆଗରୁ ଦାହ ସଂସ୍କାର ଶେଷ । ଗାଁର ସ୍ତ୍ରୀ ଲୋକେ ପୋଖରୀ ତୁଠରେ କଥା ହେଉଥିଲେ ପେରମ୍ କରିକି ବାହାହେଲେ ଏମିତି ବିଷ ଖାଇକି ମାରିବାକୁ ପଡିବ ।

ଯାହାବି ହେଲା ସୋନୁର ବଡମାଆ ଭାରି ଖୁସି ଏଥର ତାଙ୍କ ସ୍ୱପ୍ନ ସତ ହେବ । ସୋନୁର ବଡମାଆଙ୍କ ସାନ ଭଉଣୀ ପୁଷ୍ପବତି ହେଲା ପରଠୁ ଆଜି ଯାଏ ସୋନୁ ବଡ଼ମାଆଙ୍କର ବାସ୍ ଗୋଟେ ଚିନ୍ତା କେମିତି ତାଙ୍କ ଭଉଣୀ ସୋନୁର ବାପାଙ୍କୁ ବାହାହେବ । ସେ ବହୁତ ବୁଝେଇଲେ ମଳୟକୁ ଦ୍ୱିତୀୟ ବିବାହ କରିବାକୁ କିନ୍ତୁ ମଳୟ କହିଦେଇଛି ମୁଁ ଦ୍ୱିତୀୟ ବିବାହ କରିବିନି ଏମିତି ଜୀବନ ସାରା ମୋ ପୁଅ କୁ ଚାହିଁ ବଞ୍ଚିବି । ସୋନୁ ବି ସାତ ବର୍ଷ ଯାଏ ବୋଉର ସ୍ନେହ ପାଇପାରିଲାନି କାହାକୁ କହି ନ ପାରିଲେ ବି ବୋଉକୁ ଝୁରେ । ବାପା କହିଛନ୍ତି ସୋନୁ ଭଲ ପାଠ ପଢିଲେ, ଭଲ ପିଲା ହେଲେ ବୋଉ ଆସିବ । ସେଥିପାଇଁ ସବୁ କାମ ରେ ସୋନୁ ଭଲ ପିଲା ହୋଇଯାଇଛି ତଥାପି ବୋଉ ଆସୁନି ।

ସାରାଦିନ ସୋନୁର ବାପା ଅଫିସରେ ଏଠି ସୋନୁ ଏକା । ଜେଜେମା ବି ଚାଲିଗଲେଣି କିଏ ଆଉ ସୋନୁର ଯତ୍ନ ନେବ । ସୋନୁ କଥା ଭାବି ଭାବି ଭାଉଜଙ୍କ ପ୍ରସ୍ତାବରେ ରାଜି ହୋଇଗଲେ ମଳୟ । ବାହାଘର ହେଲା, କୁଣିଆ କହିଲେ ଖାଲି ପରିବାର ଲୋକ । ସୋନୁର ବଡ଼ମା ମୁହଁ ରେ ଥାଏ ଗୋଟେ ଜଟିଳ ସ୍ମିତହାସ୍ୟ ।

ସୋନୁ ନୂଆ ଝିଅଟିକୁ ଭାରି ଆଗ୍ରହରେ ଦେଖୁଥାଏ । ରୁପା ବି ଏଠିକି ବେଶୀ ଆସେନି । ସୋନୁ ପାଇଁ ଯେମିତି ରୂପା ନୂଆ, ରୁପା ପାଇଁ ସେମିତି ସୋନୁ ନୂଆ ।

ବାହାଘର ସରୁ ସରୁ ସୋନୁ ଯାଇ ରୁପା କୁ ପଚାରେ “ ଏ….ଏ ମୁଁ ତମକୁ କଣ ଡାକିବି ?

ଏ କଥା ଶୁଣି ରୁପା କହିଲା – “ମୁଁ ତମ ନୂଆବୋଉ , ମତେ ନୂଆବୋଉ ଡ଼ାକିବ” ।

“ତମେ କାଇଁକି ଆସିଲ ମୋ ବୋଉ କାଇଁକି ଆସିଲାନି ? ମୁଁ ତ ଭଲପିଲା । ଯାଅ ତମେ ମୋ ବୋଉ କୁ ଡାକିକି ଆଣିବ ।“

ସୋନୁର ଏ କଥା ଶୁଣି ରୁପା ସୋନୁକୁ କୋଳରେ ବସେଇକି କହିଲା “ମତେ ତମ ବୋଉ ପଠେଇଛନ୍ତି ତମର ଯତ୍ନ ନବାକୁ ତମେ ବଡ଼ ପିଲା ହେଇଗଲେ ସେ ଆସିବେ ।“

ରୁପା ସୋନୁର ଭାରି ଯତ୍ନ ନିଏ, ତାକୁ ଗାଧେଇଦିଏ , ଖୁଆଇ ଦିଏ ସମସ୍ତ ପ୍ରକାର ଯତ୍ନ ନିଏ । ନୂଆବୋଉ କୁ ପାଇଁ ସୋନୁ ପୁରା ବୋଉ କୁ ଭୁଲିଗଲା । ନୂଆବୋଉକୁ ଦଣ୍ଡେ ନ ଦେଖିଲେ ସୋନୁ କିଛି କାମ କରେନି । ନୂଆବୋଉ ର କୋଳରେ ଶୁଏ, ତା ପଣତରେ ଖାଇକି ମୁହଁ ପୋଛିଦିଏ । ସେ ସମୟରେ ସୋନୁ ଯେମିତି ତା ସ୍ୱର୍ଗ ପାଇଯାଏ । ରୂପା ବି ସୋନୁକୁ ଭାରି ଭଲ ପାଏ । ଜନ୍ମଦାତ୍ରୀ ନ ହେଇକି ବି ସୋନୁକୁ ଜନ୍ମଦାତ୍ରୀ ଠାରୁ ଅଧିକ ସେହ୍ନ କରେ । ରୂପା ସୋନୁ ସେହ୍ନରେ ଏତେ ମଜ୍ଜି ଯାଇଥିଲା ଯେ ସେ ଭୁଲି ଯାଉଥିଲା ତା ଗର୍ଭରେ ଏବେ ଆଉ ଗୋଟେ ଜୀବନ ସଞ୍ଛରିତ ହେଉଛି । ମା ପୁଅଙ୍କ ସେହ୍ନ, ପ୍ରେମ ଦେଖିକି ସୋନୁର ବଡମାଆ ଭାରି ଈର୍ଷା କରେ । ସେ ବହୁତ ଚେଷ୍ଟା କରି ମଧ୍ୟ୍ୟ ସେମାନଙ୍କୁ ଅଲଗା କରିପାରିନି । ତଥାପି ତା ମନରେ ଜଳେ ଯେମିତି ଈର୍ଷା ରାଗର ଭୟଙ୍କର ଅନଳ । ଏଥର ସେ ରୂପାର ଦୁର୍ବଳତାର ଫାଇଦା ଉଠେଇଛି । ରୁପା ଗର୍ଭରେ ବଢୁଥିବା ଶିଶୁର ଆଗାମୀ ଭବିଷ୍ୟତରେ ସୋନୁ କିଭଳି କଣ୍ଟା ସେ କଥା କୁ ବହୁତ ବନେଇ ଚୁନେଇ କହି ରୂପା ମନରେ ଭରିଦେଇଛି ଘୃଣାଭାବ ର କଳା ଅନ୍ଧାର ଏବଂ ପୋତି ଦେଇଛି ସାବତ ମାର ବିଷ ମଞ୍ଜିକୁ ।

ବିଷଧର ସର୍ପର ଗରଳରେ ପୀଡିତ ବ୍ୟକ୍ତି ଯେମିତି ନିଜର ବିବେକ ବୁଦ୍ଧି ହରାଇ ଛଟପଟ ହୋଇ ପ୍ରାଣ ହରାଇ ସେ ଭଳି ରୁପା ତା ଭଉଣୀର ବିଷ ମନ୍ତ୍ରଣାରେ ପ୍ରଭାବିତ ।

ଆଗ ଭଳି ଆଉ ସୋନୁ କୁ ଗାଧେଇ ଦୋଉନି, ଖୁଏଇ ଦୋଉନି , ଭଲ ବି ପାଉନି ।

କଥା କଥାରେ କୁକୁର ମାଙ୍କଡ଼ ଭଳି ବ୍ୟବହାର । ନୂଆବୋଉ ଡାକରେ ଯାର ହୃଦୟ ଟାଣି ହେଇଯାଉଥିଲା ସେ ଡାକ ଏବେ ମାଡ଼ର ଉତ୍ସ । ତଥାପି ସୋନୁ ତା ନୂଆବୋଉ କୁ ବହୁତ ଭଲ ପାଏ । ନୂଆବୋଉକୁ ଜ୍ୱର ହେଲେ ଲୁଚିକି ତାଙ୍କ ମୁଣ୍ଡରେ ପାଣି କନା ଦବା, ଗୋଡ଼ ହାତ ଚିପିବା । ସେମିତି ରାତି ସାରା ନୂଆବୋଉ ପାଦ ତଳେ ବସି ସେବା କରୁଥିବ ସୋନୁ ।

ଗୋଟେ ଅନ୍ଧାର କୋଠରୀ ସେ କୋଠରୀ ଭିତରେ ରୂପା । ଏକା ଚ଼ିତ୍କାର କରୁଛି କିଏ କୋଉଠି ମତେ ବଞ୍ଚାଓ …..

ହଠାତ୍ ଗୋଟେ ସ୍ତ୍ରୀ ଲୋକଟିଏ ତା କୋଳରେ ଗୋଟେ ପିଲା ଧରି ବସିଥିବାର ରୁପା ଦେଖେ । ରୂପା ସେ ସ୍ତ୍ରୀ ଲୋକ ପାଖକୁ ଯାଏ । ସେଠି ସେ ପଛରୁ ଦେଖେ ପିଲା ଟି ମରିଯାଇଛି । ତଥାପି ସେ ସ୍ତ୍ରୀ ଲୋକଟି ତା ପିଲା ଉପରେ ହାତ ରଖିକି କହୁଛି “ଶୋଇଯାରେ ମୋ କୋକୋର ବାୟି ତୋ ମା ଯାଇଛି ଗାଈ ଚରେଇ । ଗହୀର ବଣ ରୁ ଆଣିବ ବେଲ କୋଳରେ ବସେଇ ତତେ କରିବ ଗେଲ ।“

ଏ କଥା ଶୁଣି ରୂପା ପଚାରୁଛି କିଏ ତମେ ? ହଠାତ୍ ସ୍ତ୍ରୀ ଲୋକ ଟି ପଛକୁ ବୁଲି ରୁପାକୁ ଅନେଇ ଦେଇଛି ତା ବିକୃତ ମୁହଁକୁ ଦେଖିକି ରୂପା ଜୋରସେ ଡରି ଚ଼ିତ୍କାର କରିବାକୁ ଲାଗିଛି । ସ୍ଵପ୍ନ ଭାଙ୍ଗିଯାଇଛି ରୁପା ଶେଜରୁ ଉଠିପଡ଼ିଛି । ରୁପା ବାସ୍ତବିକ ଦୁନିଆକୁ ଦେଖେତ ତା ଶେଜ ସାରା ରକ୍ତ ।

ରକ୍ତରେ ତା ଶେଜ ଟା ପୁରା ଓଦା ଜୁଡୁବୁଡୁ ।

ପୁଣି ଜୋରସେ ଚିତ୍କାର କରିକି ରୁପା ଅଚେତ ହୋଇ ପଡିଯାଇଛି ଶେଜରେ । ଚେତା ଆସିଲା ବେଳକୁ ରୁପା ମେଡ଼ିକାଲ୍‌ରେ । ରୂପାର ଗର୍ଭପାତ ହେଇଛି । ରୂପାର ପେଟରେ ବଢ଼ୁଥିବା ଛୁଆଟାଏ ଦୁନିଆକୁ ଆସିବା ପୂର୍ବରୁ ହିଁ ନଷ୍ଟ ହୋଇଗଲା । ଏ କଥା ଶୁଣି ରୁପା ଭାରି କାନ୍ଦିଲା । ସେ ଜାଣିଗଲା ଏ ହେଉଛି ତାର ଖରାପ କର୍ମର ଫଳ । ସେ ସୋନୁକୁ ଯେଉଁ କଷ୍ଟ ଦୁଃଖ ଦେଇଛି ଏ ହେଉଛି ତାର ପରିଣାମ । ସୋନୁ କୁ ଧରିକି ରୁପା ଭାରି କାନ୍ଦିଲା । କିଛି ଦିନ ପରେ ରୂପା ସମ୍ପୂର୍ଣ୍ଣରୂପେ ଭଲ ହେଇଗଲା ଏବଂ ରୂପା ମନରେ ସୋନୁ ପ୍ରତି ଆଗର ମମତା ସେହ୍ନ ଜାଗ୍ରତ ହେଲା । ମା ପୁଅ ଦୁହେଁ ସେହ୍ନରେ ଭୁଲିଗଲେ ଦୁନିଆ କୁ । ପୁଣି କେବେ ରୂପା ଏ ମୋହରେ ନ ପଡ଼ୁ କି କେବେ ଯେମିତି ତା ସେହ୍ନ ଭାଗ ନ ବାଣ୍ଟୁ ସେଥିପାଇଁ କାହାକୁ ନ କହି ମେଡିକାଲ ଯାଇ ଫ୍ୟାମିଲି ପ୍ଲାନିଙ୍ଗ୍ ଅପରେସନ୍ କରିଦେଲା । ସୋନୁର ସେଇ ନୂଆବୋଉ ଡାକରେ ରୂପା ଯେମିତି ହଜିଯାଉଥିଲା । ଭୁଲି ଯାଉଥିଲା ତାର ସବୁ କାମକୁ । ସମୟ ବଢିବା ସହ ନୂଆବୋଉ ଏବଂ ସୋନୁ ମଧରେ ସେହ୍ନର ସମ୍ପର୍କ ଆହୁରି ବଢ଼ିବାକୁ ଲାଗିଲା ।

ସୋନୁ ଏବେ କୋଡିଏ ବର୍ଷର ହେଇଗଲାଣି ତଥାପି ତା ନୂଆବୋଉ ତାକୁ ଖୁଆଇଦିଏ, କାନି ପଣତରେ ସୋନୁର ମୁହଁ ଧୋଇ ଦିଏ । ସୋନୁର ବଡ଼ମାଆ କୁ ବି ତା କର୍ମର ଫଳ ମିଲିଗଲାଣି ଗୋଟେ ବଡ଼ ଭୟଙ୍କର ଦୁର୍ଘଟଣାରେ ସେ ଏ ଦୁନିଆ ଛାଡି ଚାଲିଗଲେ । ସବୁଦିନ ଭଳି ସୋନୁ ତା ନୂଆବୋଉ ହାତରୁ ଖାଇ ବାହାରିଲା କଲେଜ ଯିବାକୁ । ନୂଆବୋଉ ବି ତା ସହ ଘର ବାହାର ଯାଏଁ ଗଲେ । କଲେଜ ଯିବା ବାଟରେ ହଠାତ୍ ଗୋଟେ କାର୍ ଆସି ସୋନୁକୁ ଧକ୍କା ଦେଇ ଚାଲିଗଲା । ସୋନୁ ରକ୍ତରେ ପୁରା ଜୁ ଡୁ ବୁ ଡୁ ତଥାପି ମୁହଁରେ ନୂଆବୋଉ ଡାକ ।
ସୋନୁର ମେଡିକାଲରେ ଆଖି ଖୋଲିଲା । ଆଖି ଖୋଲିଲା ପରେ ବି ଚାରିଆଡ଼େ ଅନ୍ଧାର ।

ଡକ୍ଟର ସୋନୁର ପରିବାରକୁ କହିଲେ ସୋନୁ ଆଉ କେବେ ଦେଖିପାରିବନି ସେ ସବୁଦିନ ପାଇଁ ତା ଦୃଷ୍ଟି ଶକ୍ତି ହରେଇ ଦେଇଛି । ଏକଥା ଶୁଣି ସୋନୁ ତା ନୂଆବୋଉ କୁ ଧରି ଜୋରସେ କାନ୍ଦିଲା । ନୂଆବୋଉ କହିଲା କାନ୍ଦେନା ସୋନୁ ସବୁ ଠିକ ହୋଇଯିବ ତୁ ପୁଣି ଦେଖିବୁ ।

କିଛି ମାସ ପରେ ସୋନୁର ମେଡିକାଲରେ ଆଖି ଅପରେସନ ହେଲା । ଡାକ୍ଟର ପଚାରିଲେ ତମେ ପ୍ରଥମେ କାହାକୁ ଦେଖିବ ? ସୋନୁ କହିଲା “ମୁଁ ମୋ ନୂଆବୋଉକୁ ଦେଖିବି ବହୁତ୍ ଦିନ ହେଲା ଦେଖିନି ।“ ଡାକ୍ତର ଆଖି ରୁ ପଟି ଖୋଲିଲେ । ସୋନୁ ଧୀରେ ଧୀରେ ଆଖି ଖୋଲିଲା ସମସ୍ତେ ଅଛନ୍ତି କିନ୍ତୁ ତା ନୂଆବୋଉ ନାହିଁ ।

ସୋନୁ ଗୋଟି ଗୋଟି କରି ସମସ୍ତ ଙ୍କୁ ପଚାରିଲା କିନ୍ତୁ ସମସ୍ତେ ପୁରା ଶାନ୍ତ ।

ସୋନୁର ବାପା ତାକୁ କହିଲେ “ତୋ ନୂଆବୋଉ ଆଉ ଫେରିବନି । ତୋର ଆଖି ପାଇଁ ତା ଜୀବନ ଦେଇଦେଇଛି । ଗଲାବେଳେ କହିଛି ମୋ ସୋନୁକୁ କହିବ ସେ କାନ୍ଦିବନି ମୁଁ ତା ସହ ସବୁ ଦିନ ଅଛି । ମୁଁ ତା ଆଖିରେ ଦୁନିଆ ଦେଖିବି ।ଏ କଥା ଶୁଣିକି ସୋନୁ ପୁରା ପାଷାଣ ପାଲଟି ଗଲା । ଏତେ ବଡ ଦୁଃଖ ଖବର ଶୁଣି ବି ସେ ସେମିତି ଅନେଇ ଥାଏ । ଆଖିରୁ ଟିକେ ବି ଲୁହ ବାହାରୁନଥାଏ । ସତରେ ଯେମିତି ତା ଆଖି ରେ ତା ନୂଆବୋଉ ବସିକି କହୁଛି କନ୍ଦେନା ସୋନୁ ମୁଁ ପରା ତୋ ପାଖରେ ଅଛି । ସେଦିନ ଠୁ ସୋନୁର ଆଖିରୁ ଲୁହ କେବେବି ବାହାରିନି ।

ସମୟ ଆଗକୁ ବଢିଛି । ସମୟର ପ୍ରଭାବରେ ସୋନୁ ଏବେ ବତିସି ବର୍ଷର ହେଇଗଲାଣି ତା ପାଖରେ ତା ସ୍ତ୍ରୀ ତା ପୁଅ ସମସ୍ତେ ଅଛନ୍ତି । ସୋନୁର ସ୍ତ୍ରୀ ସୋନୁ ପାଖରେ ବସି ପୁଅକୁ ଖୁଆଇଦେଉଥାଏ । ସେତେବେଳେ ସୋନୁର ପୁଅ କହିଲା ‘ନାଇଁ ବୋଉ ମୁଁ ଆଉ ଖାଇବିନି ।“

ଏ କଥା ଶୁଣି ସତରେ ଯେମିତି ପାଷାଣ ସୋନୁ ଛାତିର ହୃଦୟଟା ଜୋରସେ ଧଡ଼କିବା କୁ ଲାଗିଛି ଧକ୍…… ଧକ୍…. ଧକ୍….. । ସୋନୁ ଆଖିରୁ ଝରି ଯାଇଛି ଦୁଇ ଟୋପା ଲୁହ । ସୋନୁ ଆଖିର ପଲକ ପଡିବା ମାତ୍ରେ ତା ଆଖି ଆଗରେ ଦେଖାଦେଇଛି ସେଇ ନୂଆବୋଉ ସହ ସୋନୁର ଖେଳ, ମଜ଼ା ମସ୍ତି , ହସ ଗୀତ । କେମିତି ସୋନୁ ପଡିଯାଉଛି ତା ପାଟିରୁ ବାହାରି ପଡୁଛି “ନୂଆବୋଉ “।

ହଠାତ୍ ସୋନୁର ଆଖି ଟା ଖୋଲିଗଲା । ତା ନଜରଟା ପଡିଗଲା କନ୍ଥରେ ଝୁଲୁଥିବା ତାର ସେଇ ନୂଆବୋଉର ହସ ହସ ମୁହଁ ଉପରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top