ଅଣୁଗଳ୍ପ

ପ୍ରକୃତ ସମ୍ବର୍ଦ୍ଧନା

Manmath Kumar Dalei's odia short story Prakruta Sambarddhana

ହେ ବେତାଳ, ରାଜା ଭାନୁ ପ୍ରତାପ ବୀରଭଦ୍ରଙ୍କ ସୁପାରିଶ କ୍ରମେ ହିଁ ନିତ୍ୟାନନ୍ଦଙ୍କୁ ସମ୍ଭର୍ଦ୍ଧିତ କରିଛନ୍ତି । ନିଜେ ବୀରଭଦ୍ର ଜଣେ ଧର୍ମ ପରାୟୟଣ, ସତ୍ଯନିଷ୍ଠ ଏବଂ କର୍ମପରାୟଣ ବ୍ଯକ୍ତି ଥିଲେ ।

ପ୍ରକୃତ ସମ୍ବର୍ଦ୍ଧନା

ବହୁତ ବର୍ଷ ପୂର୍ବେ ଏକ ରାଜ୍ଯରେ ନନ୍ଦପୁର ନାମକ ଗ୍ରାମଟିଏ ଥିଲା । ସେ ଗ୍ରାମର ମୂଖିଆ ଥିଲେ ବୀରଭଦ୍ର । ବୀରଭଦ୍ରଂକର ଏକାଧାରରେ ଜଣେ ଜମିଦାର, ଧାର୍ମିକ, ସତ୍ଯନିଷ୍ଠ ଏବଂ କର୍ମ ପରାୟଣ ସଜ୍ଜନ ଭାବରେ ବେଶ ଖ୍ଯାତି ଥାଏ । ଗ୍ରାମରେ ଲୋକଙ୍କର ନ୍ଯାୟ ନିଷାପ , ସାଂସ୍କୃତିକ କାର୍ଯ୍ଯର ଆୟୋଜନ ତଥା ବିଭିନ୍ନ ପର୍ବପର୍ବାଣୀ ପାଳନ କରିବାରେ ତାଙ୍କର ଭୂମିକା ଏବଂ ନେତୃତ୍ୱ ବେଶ ଉଲ୍ଲେଖନୀୟ ଥିଲା । ତାଙ୍କ ମୂଖ ନିଷ୍କୃତ ବାଣୀକୁ ଲୋକମାନେ ବେଦର ଗାର ସଦୃଶ ମାନୁଥିଲେ । ସେ ଗ୍ରାମରେ ଗଛର ପତ୍ରଟିଏ ବି ତାଙ୍କ ବିନା ଇଙ୍ଗିତରେ ହଲୁ ନ ଥିଲା । ଏହି ସବୁ ଗୁଣ ଯୋଗୁଁ ସେ ଆଖପାଖ ଅଞ୍ଚଳରେ ବେଶ ପରିଚିତ ଥିଲେ । ସେ ରାଜ୍ଯର ରାଜା ଭାନୁ ପ୍ରତାପ ମଧ୍ଯ ତାଙ୍କୁ ବ୍ଯକ୍ତିଗତ ଭାବରେ ଜାଣିଥିଲେ ।

ଥରେ ରାଜା ଭାନୁ ପ୍ରତାପ ରାଜ୍ଯରେ ଗୋଟିଏ ବିରାଟ ସମ୍ବର୍ଦ୍ଧନା ସଭାର ଆୟୋଜନ କଲେ । ସବୁ ନିମନ୍ତ୍ରିତ ଅତିଥି ମାନଙ୍କର ଆତିଥ୍ଯ ସତ୍କାର ନିମନ୍ତେ ସୁବନ୍ଦୋବସ୍ତ କରାଗଲା । ନିଷ୍ପତି ନିଆଗଲା ଯେ, ପ୍ରତ୍ଯେକ ଗ୍ରାମର ଜଣେ ସ୍ୱେଚ୍ଛାସେବୀଙ୍କୁ ଏକ ଦଶ ସ୍ୱର୍ଣମୂଦ୍ରା ଏବଂ ରେଶମୀ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବ । ବହୁ ଆଡମ୍ବରରେ ସାଜ୍ଜସଜ୍ଜା କରାଗଲା । ରାଜପ୍ରସାଦର ନାମୀ ରୋଷକାରମାନେ ଖାଦ୍ଯ ପ୍ରସ୍ତୁତି ପାଇଁ ନିୟୋଜିତ ହେଲେ । ମନୋରଞ୍ଜନ ପାଇଁ ପ୍ରସିଦ୍ଧ ନୃତ୍ଯଶିଳ୍ପୀ, ଗାୟକ, ଗାୟିକା ଏବଂ ବାଦ୍ଯକାରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ଯକ୍ରମର ସୁବ୍ଯବସ୍ଥା ହେଲା ।

ସମ୍ବର୍ଦ୍ଧନା ସଭାର ଆୟୋଜନ ଦେଖି ଅତିଥିଗଣ କୃତ୍ଯ କୃତ୍ଯ ହେଲେ । ସମସ୍ତେ ମୁକ୍ତ କଣ୍ଠରେ ରାଜାଙ୍କର ଭୂୟଶୀ ପ୍ରଶଂସା କଲେ । ଯୋଜନା ମୁତାବକ ପ୍ରତ୍ଯେକ ଗ୍ରାମର ଜଣେ ଜଣେ ସ୍ୱଚ୍ଛାସେବୀଙ୍କୁ ସମ୍ବର୍ଦ୍ଧନା କରାଗଲା । ନନ୍ଦପୁରବାସୀ ଦୃଢ ଆଶାୟୀ ଥିଲେ ଯେ, ଗ୍ରାମ ମୂଖିଆ ବୀରଭଦ୍ର ରାଜାଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବେ । କିନ୍ତୁ ବୀରଭଦ୍ରଙ୍କୁ ସମ୍ବର୍ଦ୍ଧିତ କରିବା ପରିବର୍ତ୍ତେ ରାଜା ସେ ଗ୍ରାମର ନିତ୍ଯାନନ୍ଦ ନାମକ ଜଣେ ଗରୀବ ଚାଷୀଙ୍କୁ ସମ୍ବର୍ଦ୍ଧନା କଲେ । ନିତ୍ଯାନନ୍ଦ ଗରୀବ ହେଲେ ବି ଜଣେ କୁଶଳୀ ଚାଷୀ ସାଙ୍ଗକୁ ଜଣେ ଶାନ୍ତିପ୍ରିୟ ବ୍ଯକ୍ତି ଥିଲେ । ଅବସର ସମୟରେ ଗ୍ରାମର ଛୋଟଛୋଟ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରୁଥିଲେ । କିଛି ଯୁବକଙ୍କୁ ସଂଗଠିତ କରାଇ ଗ୍ରାମର ପରିମଳ ବ୍ଯବସ୍ଥାକୁ ମଧ୍ଯ ସୁଦୃଢ କରାଇ ପାରିଥିଲେ । ଏହିସବୁ କାର୍ଯ୍ଯ ପାଇଁ ସେ ମୂଖିଆ ବୀରଭଦ୍ରଙ୍କର ମଧ୍ଯ ପ୍ରିୟପାତ୍ର ଥିଲେ ।

ଗପଟିକୁ ଅତି ରୋଚକ ଶୈଳୀରେ ରାଜା ବିକ୍ରମାଦିତ୍ୟଙ୍କୁ କହିସାରି ବେତାଳ ପଚାରିଲା, ” ହେ ରାଜନ, ରାଜା ଭାନୁ ପ୍ରତାପ ବୀରଭଦ୍ରାଙ୍କୁ ବ୍ଯକ୍ତିଗତ ଭାବରେ ଜାଣି ସୁଦ୍ଧା ଏପରି ନିଷ୍ପତ୍ତି ନେବାର କାରଣ କ’ଣ ? ଆପଣଙ୍କ ମତରେ ସେ ପୁରସ୍କାରର ପ୍ରକୃତ ହକଦାର କିଏ ? ମୋ ପ୍ରଶ୍ନର ସଠିକ ଉତ୍ତର ଯଥାଶୀଘ୍ର ପ୍ରଦାନ କରି ବନ୍ଧନ ମୁକ୍ତ ହୁଅନ୍ତୁ । ଯଦି ଉତ୍ତର ଦେବାକୁ ଅସମର୍ଥ ହୁଅ ତେବେ ତୁମ ଶୀର ହେବ ସ୍କନ୍ଧଚ୍ଯୁତ ।”

ରାଜା ବିକ୍ରମାଦିତ୍ଯ କାଳ ବିଳମ୍ବ ନ କରି ଉତ୍ତର ଦେଲେ, ” ହେ ବେତାଳ, ରାଜା ଭାନୁ ପ୍ରତାପ ବୀରଭଦ୍ରଙ୍କ ସୁପାରିଶ କ୍ରମେ ହିଁ ନିତ୍ୟାନନ୍ଦଙ୍କୁ ସମ୍ଭର୍ଦ୍ଧିତ କରିଛନ୍ତି । ନିଜେ ବୀରଭଦ୍ର ଜଣେ ଧର୍ମ ପରାୟୟଣ, ସତ୍ଯନିଷ୍ଠ ଏବଂ କର୍ମପରାୟଣ ବ୍ଯକ୍ତି ଥିଲେ । ଏମିତିରେ ନିତ୍ଯାନନ୍ଦ ମଧ୍ଯ ତାଙ୍କର ପ୍ରିୟପାତ୍ର ଥିଲେ । ତେଣୁ ନିତ୍ଯାନନ୍ଦଙ୍କ ପରି ଜଣେ କର୍ମଠ ତଥା ଗରୀବ ସ୍ୱେଚ୍ଛାସେବୀଙ୍କୁ ସମ୍ଭର୍ଦ୍ଧିତ କରାଇ ସେ ନିଜ ବ୍ଯକ୍ତିତ୍ୱକୁ ବହୁ ଗୁଣିତ କରାଇ ପାରିଛନ୍ତି । ନିଜେ ପୁରସ୍କାର ନେବାରେ ଯେତିକି ଆନନ୍ଦ ମିଳେ, ପୁରସ୍କାର ପାଇଁ ଅନ୍ଯକୁ ସୁପାରିଶ କରାଇ ତାକୁ କାର୍ଯ୍ଯରେ ପରିଣତ କରିବାରେ ତା ଠାରୁ ଢେର ଅଧିକ ଆନନ୍ଦ ପ୍ରାପ୍ତ ହୁଏ । ମୋ ମତରେ ନିତ୍ଯାନନ୍ଦ ଏହି ସମ୍ବର୍ଦ୍ଧନା ପାଇବା ସମାଜ ପାଇଁ ଅଧିକ ଉପାଦେୟ, ଏହା ଦ୍ୱାରା ସମାଜର ଅନ୍ଯ ବ୍ଯକ୍ତି ବିଶେଷ ସମାଜ ସେବା ପାଇଁ ଅଧିକ ଅନୁପ୍ରାଣିତ ହେବେ ।”

ସଠିକ ଉତ୍ତର ପାଇ ବେତାଳ ରାଜାଙ୍କ ସ୍କନ୍ଧ ତ୍ଯାଗ କରି ନିକଟସ୍ଥ ବରଗଛ ଓହଳରେ ଝୁଲିବାରେ ଲାଗିଲା । ଝିପିଝିପି ବର୍ଷା ସାଙ୍ଗକୁ ତୁହାକୁ ତୁହା ବିଜୁଳି ଏବଂ ଭୀଷଣ ଘଡଘଡିକୁ ଖାତିର ନ କରି ରାଜା ବିକ୍ରମାଦିତ୍ଯ ନିଜ ରାଜ ପ୍ରାସାଦ ଅଭିମୁଖେ ଅଗ୍ରସର ହେଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top