ଅଣୁଗଳ୍ପ

ପ୍ରତିଧ୍ୱନି

Prafulla Tripathy's odia short story Pratidhwani

ବେଳେ ବେଳେ ଅଣ୍ଟା ପିଠିରେ ହାତ ଦେଇ ଚାପି ଦେଉଛନ୍ତି, ବୋଧ ହୁଏ ଯନ୍ତ୍ରଣା ହେଉଛି ଦେହ ସାରା । ମୁଁ ଆପାର୍ଟମେଣ୍ଟର ବାଲ୍କୋନିରେ ନିନିର୍ମେଶ ନୟନରେ ଚାହିଁଲି ବୃଦ୍ଧଙ୍କର ସେଇ ଅବିରାମ ଗତିରେ କାର୍ଯ୍ୟ କରିବାର ଗତିବିଧିକୁ ।

ପ୍ରତିଧ୍ୱନି

ହଠାତ୍ କାହାର ଡାକରେ ଚମକି ପଡିଲା ଦେବଦତ୍ତ । ଦେଖେତ ପଛରେ ଠିଆ ହେଇଛନ୍ତି ପତ୍ନୀ ଶର୍ମିଷ୍ଠା ।

କଣ ଏତେ ଭାବୁଛ କି କାଲିଠାରୁ ? ଦେଖୁଚି ଦୁଇ ଦିନ ହେବ ତୁମ ମୁହଁରେ ହସ ଲିଭି ଯାଇଛି । କ’ଣ ହେଇଚି ତୁମର ? ମୁଁ କ’ଣ ଭୁଲ୍ କଲିକି ?

ଶର୍ମିଷ୍ଠାଙ୍କ ପ୍ରଶ୍ନିଳ ଆଖିରେ ଏଇ କେଇପଡ଼ କଥା ଶୁଣି ମୁଁ ଫିକ୍ କିନା ହସି ପକାଇଲି, ଅବଶ୍ୟ ହସରେ ଜୀବନ ନ ଥିଲା) କାରଣ ମୁଁ ଯେଉଁ ଅତି ଗହନ ଭାବନା ରାଇଜରେ ଥିଲି ସେଠାରୁ ଫେରିବା ଏତେ ସହଜ ନୁହଁ । ଶର୍ମିଷ୍ଠାଙ୍କୁ ଟାଣି ଆଣି ସୋଫା ଉପରେ ବସେଇ ଦେଇ ରସିକ ଠାଣିରେ କହିଲି “ବୁଝିଲ ପ୍ରିୟେ! ତୁମେ ଏ ଜନ୍ମ ରେ କଣ କୋଉ ଜନ୍ମରେ ବି ଭୁଲ କରି ପାରିବ ନି । ହଉ ଚାଲ ଖାଇବା, ଡେରି ହେଇ ଗଲାଣି ।

ବାସ୍ ସେତିକିରେ ସେ ବହୁତ୍ ଖୁସି । ମୁଁ ବି ଭାରାକ୍ରାନ୍ତ ମନକୁ ଟିକେ ହାଲକା କରିଦେଲି ।

କିନ୍ତୁ ରାତିରେ ବେଡ୍ ଉପରେ ପଡିଲା ପରେ ସେଇ ବ୍ୟକ୍ତିଙ୍କର କରୁଣ ଚାହାଣି ମତେ ବାରମ୍ବାର ମୋ ଆଖି ସାମ୍ନାରେ ନାଚି ଉଠିଲା । ଧୁଡ଼ଧୁଡ଼ ଚମ । ପାଚିଲା କେଶ । ଆଖି ତଳକୁ ଖସି ଆସିଛି କୋଉ ମରହଟ୍ଟି ଅମଳର ପୁରୁଣା ଚଷମାର ଫ୍ରେମ୍ । ପାଦ ଦି’ଟା ଠିକ୍ ସେ ପଡୁନି । ଦୋହଲି ଯାଉଛନ୍ତି କାମ କଲା ବେଳକୁ । ବେଳେ ବେଳେ ଅଣ୍ଟା ପିଠିରେ ହାତ ଦେଇ ଚାପି ଦେଉଛନ୍ତି, ବୋଧ ହୁଏ ଯନ୍ତ୍ରଣା ହେଉଛି ଦେହ ସାରା । ମୁଁ ଆପାର୍ଟମେଣ୍ଟର ବାଲ୍କୋନିରେ ନିନିର୍ମେଶ ନୟନରେ ଚାହିଁଲି ବୃଦ୍ଧଙ୍କର ସେଇ ଅବିରାମ ଗତିରେ କାର୍ଯ୍ୟ କରିବାର ଗତିବିଧିକୁ ।

ଦେଖିଲେ ମନରେ ଦୟା ଆସିବ ସତରେ ଏ ବୟସରେ ଏ କଠିନ ପରିଶ୍ରମ କରିବାର ଯେଉଁ ଅଯୌକ୍ତିକ ବୋଝ ଦେଖିଲେ ସ୍ୱତଃ ମନ ବିଦ୍ରୋହ କରି ଉଠୁଛି । ଏତେ ସବୁ ଭାର ଲଦିଦେବା କେଉଁ ଏକ ଅବିବେକୀ ମଣିଷର କାର୍ଯ୍ୟ ନିଶ୍ଚିତ । ନିଜର ଉତ୍କଣ୍ଠାକୁ ସମ୍ବରଣ କରି ନପାଇଁ ତଳକୁ ଓହ୍ଲେଇ ଗଲି । ସେ ରହୁଥାନ୍ତି ଚାରି ମହଲା ଫ୍ଲାଟ୍‌ର ତଳ ଘରେ । ଆଗରେ ଗୋଟିଏ ଅଧା ପାଚେରୀ । ତଳକୁ ଗଲେ ତାଙ୍କ ମୁହଁ ମୋ ମୁହଁ ସାମ୍ନା ସାମ୍ନି ହେଇ ପାରିବ ।

ମନରେ କେତେ ଶଙ୍କା କାଳେ କ’ଣ ଭାବିବେ । ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରାଇବା ଅଭଦ୍ରାମୀ ହେଇ ପାରେ । କିନ୍ତୁ ନିଜ ମନରେ ସାହାସ ବାନ୍ଧି ତା’ର ଜାଲି ଏପଟେ କିଛି ସମୟ ଠିଆ ହେଲି । ବୃଦ୍ଧ ଜଣଙ୍କ ବେଶ୍‌ ନିର୍ବିକାର ସହ କାର୍ଯ୍ୟ କରି ଚାଲିଥାନ୍ତି । ଯେପରିକି ଏକାମ କରିବା ପାଇଁ ସେ କଣ୍ଟ୍ରାକ୍ଟ ନେଇଛନ୍ତି ଏବଂ ସମୟ ସୀମା ମଧ୍ୟ ।

କିନ୍ତୁ ପାଖରୁ ଯାହା ଦେଖିଲି ମୋ ଭାବନାର ସମ୍ପୂର୍ଣ୍ଣ ଅଲଗା । ବୃଦ୍ଧଙ୍କର ଆଖି ଲୁହ ଛଳଛଳ ଚଷମା ଭିତରୁ ବି ବାରି ହେଇ ପଡୁଛି ଚୁଲି ଜାଳୁଥିବା ଭଳି । ଆଖି ଦି ଟା ନାଲି ନାଲି ଦେଖା ଯାଉଛି ।

ମୁଁ ଠିଆ ହେବା ପରେ ମୋ ଆଡେ ସେ ଚାହିଁଲେ ।

– “ବାପା : କ’ଣ ଦେଖୁଛ ?”

– “ନାହିଁ କିଛି ନାହିଁ ମଉସା , ଏମିତି ଦେଖୁଥିଲି ଆପଣ କେତେ ଆଗ୍ରହରେ ଆଉ ଏତେ ଉତ୍ସାହରେ ଏ ବୟସରେ ଏତେ କାର୍ଯ୍ୟ କରି ପାରୁଛନ୍ତି ।”

ଗୋଟାଏ ଅପ୍ରାକୃତିକ ଏବଂ ଭଙ୍ଗା ଭଙ୍ଗା ହସ ହସି କହିଲେ “ବାପା” ଯାହା ହେଲେ ବି କିଛି କର୍ତ୍ତବ୍ୟ କରିବାକୁ ପଡ଼ିବ ନା ।

ମୁଁ କହିଲି “ଏସବୁ କାହାର ଲୁଗା ପଟା ଶୁଖାଉଛନ୍ତି ?”

– “କାହାର ଆଉ ହବ । ମୋ ଆପଣା ପିଲା ମାନଙ୍କର ”

– “କାହିଁକି ସେମାନେ କ’ଣ କରୁଛନ୍ତି କି ?”

– କଣ କହିବିରେ ବାପା ! କି ଚାକିରୀ କରୁଛନ୍ତି ତାଙ୍କୁ ଖାଇବା ପିଇବା ପାଇଁ ବି ଟାଇମ ନାହିଁ । ଆମେ ସ୍ୱାମୀ ସ୍ତ୍ରୀ ଦି’ ଜଣ ଆସିଛୁ । ଗୋଟାଏ ଛୋଟ ନାତି ଅଛି । ତା’ର ଭଲମନ୍ଦ ବୁଝା ସୁଝା କରିବାକୁ ।

– ହେଲେ ଏ କାମ କାହିଁକି କରୁଛନ୍ତି ? ଆପଣଙ୍କର ବୟସ ଯାହା ଆପଣଙ୍କ ଦେହ ଖରାପ ହେଇଯିବ । ଏ ଥଣ୍ଡା ପରିବେଶରେ ଆପଣ ଓଦା ଲୁଗା ଗୁଡାକ ଶୁଖେଇ ଚାଲିଛନ୍ତି । ଗୋଟାଏ ନୁହେଁ ଦୁଇଟା ନୁହେଁ ଗୋଟାଏ ମେସିନର ଲୁଗା ପଟା ।

ସେ ପୁଣି ହସିଲେ ଆଉ କହିଲେ

– “ପୁଅ ! ତୁମେ ଏବେ ପିଲା ଅଛ , ପିଲା ଛୁଆଙ୍କୁ ବାହା ସାହା କଲା ପରେ ଜାଣିବ ।

– ଆପଣ ନାତିକୁ ଖେଳାନ୍ତ । ତା’ସହ ମଜା ମଜଲିସ କରନ୍ତ । ତାର ଖାଇବା ପିଇବା କଥା ବୁଝନ୍ତ । ଆଉ ଯଦି ପାରୁଛନ୍ତି ତାକୁ ଟିକେ ବାହାରେ ବୁଲା ବୁଲି କାରାନ୍ତ । ସେଥିରେ ତ ଆପଣ ଆନନ୍ଦ ପାଇବେ ।

– ବେଳେବେଳେ ନିଜ ଇଚ୍ଛା ବିରୁଦ୍ଧରେ ବି କିଛି କାର୍ଯ୍ୟ କରିବାକୁ ପଡେ । ବୟସର କ୍ଷମତା ନ ଥିଲେ ଅନେକ ଦାୟିତ୍ୱ ତୁଲାଇବାକୁ ପଡେ । କାହାକୁ ଦୋଷ ଦେଇ ହବନି । ସେମାନଙ୍କ ପାଖରେ ତ ସମୟ ନାହିଁ । ଆମେ ଆଉ କଣ କରି ପାରିବା । ପିଲା ମାନଙ୍କୁ ଅଧିକ ପାଠ ଶାଠ ପଢ଼େଇଲେ ଏମିତି କିଛି ଦୁଃଖ ସହିବାକୁ ପଡିବ । ଇଚ୍ଛାରେ ହେଉ ବା ଅନିଚ୍ଛାରେ ହେଉ । ନ ହେଲେ ତୁମେ ଖରାପ ମଣିଷ ହେଇଯିବ । ସମ୍ପର୍କରେ ଗୋଟାଏ ବିରାଟ ପାଚେରୀ ଉଠିଯିବ ।

– ମଉସା ଗୋଟାଏ କଥା ପଚାରିବି ?

– ପଚାର ।

– କିଛି ଭାବିବେନି ତ ?

– ନାଁ ।

– ଏମାନେ ଆପଣଙ୍କର କିଏ ?

କିଛି ସମୟ ନୀରବ ରହିଗଲେ । କହିଲେ “ନା, ପୁଅ । ସେ କଥା ନ କହିଲେ ଭଲ । କାରଣ କହିଲେ କୁଳ କୁଟୁମ୍ବକୁ ଲାଜ । ତେବେ ଏତିକି ମନେ ରଖିଥାଅ ବାପ ! ଯଦି କେବେ ପିଲା ମାନଙ୍କର ବାହାସାହା କରିବ ତାଙ୍କୁ ଦାଇତ୍ୱରେ ରହିବାକୁ ଦେବ । ନିଜେ ମମତା ଦେଇ, ସ୍ନେହରେ ବାନ୍ଧି, ଘାଣ୍ଟି ହବନି । ସେମାନଙ୍କୁ ଆରମ୍ଭରୁ ତାଙ୍କ ଦାଇତ୍ୱ ନିର୍ବାହ କରିବାକୁ ଦେଲେ ସେମାନେ ସ୍ୱାବଲମ୍ବୀ ହେବେ । ଏବଂ ନିଜକୁ, ନିଜର ପରିବାରର ଦାୟିତ୍ୱ ପାଳନ କରିବାରେ ସକ୍ଷମ ହେବେ ।”

ଦୀର୍ଘ ନିଶ୍ୱାସ ପକାଇ ବୃଦ୍ଧ ଆହୁରି କହିଲେ “ଏକଥା ଯଦି ନ କର ସେମାନେ ତୁମ ପାଇଁ ଅଇଁଠା ବାସନ ଛାଡି ଯିବେ ମାଜିବା ପାଇଁ ଆଉ ପାଲଟା ଲୁଗା ବି ରଖିଦେବେ ଧୋଇ ଶୁଖେଇବା ପାଇଁ ।” ତା ପରେ ସେ ନିଜକୁ ଆଉ ସମ୍ବରଣ କରି ପାରିଲେନି ବୋଧେ । ଭୋ ଭୋ ହୋଇ କାନ୍ଦି ଉଠିଲେ । ସେ ଲୁହରେ କୁତ୍ରିମତା ନ ଥିଲା । ଥିଲା ଏକ ମର୍ମସ୍ପର୍ଶୀ ଆକୁଳତା ଆଉ ଅନାବିଳ ପ୍ରେମର ଏକ କରୁଣ ଆର୍ତ୍ତନାଦ ।

ମୁଁ ବୃଦ୍ଧଙ୍କୁ ପ୍ରଣାମ କଲି । ମତେ ଆଶୀର୍ବାଦ କରି କହିଲେ “ମୋ କଥା ମନେ ରଖିବ ପୁଅ ! ଭୁଲି ଯିବନି । ”

ମୁଁ ପୁଣି ଫେରିଆସିଲି ମୋ ନିଜ ଯାଗାକୁ । ମନେ ହେଉଥିଲା ସେ ବୃଦ୍ଧ ଯେମିତି ମୋ ପଛେ ପଛେ ଆସି ବାରମ୍ବାର ସେଇ କଥା କହୁଛନ୍ତି “ମନେ ରଖିବ ପୁଅ ! ମୋ କଥା ଭୁଲିବନି “

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top