ଇଭିନିଙ୍ଗ ୱାକ ସାରି ଗେଟ ପାଖରେ ପହଞ୍ଚିଲା ବେଳକୁ ଗେଟ ଖୋଲୁଥିଲା ଶିବାନୀ । ପ୍ରଭାକରଙ୍କୁ ଦେଖି କହିଲା- ଅଙ୍କଲ, ଏବେ ୬.୩୦ ରେ ମୋର ଶୋ ଆସିବ, ଚମତ୍କାର ଚ୍ୟାନେଲରେ, ପ୍ଳିଜ୍ ଦେଖିବେ । ଏତିକି କହି ନିଜ ସ୍କୁଟି ନେଇ ବାହାରି ଗଲା ସେ । ଶିବାନୀ ପ୍ରଭାକରଙ୍କର ଦୁଇ ମହଲା ଉପରେ ଥିବା ଗୋଟିକିଆ ରୁମ୍ରେ ଭଡା ରହେ । ଏବେ ଛଅ ମାସ ହେବ ଆସି ରହୁଛି । ସେ ଗୋଟିଏ ଘରୋଇ ଟିଭି ଚ୍ୟାନେଲରେ କାମ କରେ । ଶିବାନୀର କଥା ଶୁଣି ହାତ ଘଣ୍ଟା କୁ ଅନାଇଲେ ପ୍ରଭାକର । ସନ୍ଧ୍ୟା ୬.୨୦ ବାଜିଛି । ଘର ଭିତରକୁ ଯାଇ ଜୋତା ଖୋଲି, ରାକ୍ରେ ଥୋଇ ହାତ ମୁହଁ ଧୋଇବାପାଇଁ ବେସିନ ଟ୍ୟାପ ଖୋଲିଲେ ସିଏ । ମନରେ ପ୍ରଶ୍ନ ଉଙ୍କି ମାରିଲା, କାଇଁ ଆଜି ଯାଏ ତ ଶିବାନୀ କେବେହେଲେ ତାଙ୍କୁ ତା’ର ଶୋ ଦେଖିବା ପାଇଁ କହିନି । ଆଜି ବୋଧ ହୁଏ କିଛି ସ୍ପେଶିଆଲ ଅଛି ।
“ନମସ୍କାର ଦର୍ଶକ ବନ୍ଧୁ ! ମୁଁ ଆପଣଙ୍କର ପ୍ରିୟ ହୋଷ୍ଟ ଆଣ୍ଡ ଦୋସ୍ତ ଶିବାନୀ । ସମ୍ପୂର୍ଣ୍ଣାର ଏକ ନୂତନ ଅଧ୍ୟାୟରେ ଆପଣ ମାନଙ୍କୁ ସ୍ଵାଗତ । ସବୁ ଏପିଶୋଡରେ ଆମେ ଆପଣଙ୍କୁ ଏଭଳି ମହିଳା ମାନଙ୍କ ସହିତ ଭେଟ କରାଇଥାଉ, ଯେଉଁମାନେ ସୁଗୃହିଣୀ ହେବା ସହିତ ନିଜର କିଛି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି । ଏମିତି ଜଣେ ସୁଗୃହିଣୀ ହେଉଛନ୍ତି ଶ୍ରୀମତୀ ରୂପଲତା ସାମନ୍ତସିଂହାର । ଭଳିକି ଭଳି ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି କରିବାକୁ ନେଇ ସେ ୧୦ଟି ରୁ ଅଧିକ ବହି ମଧ୍ୟ ଲେଖିଛନ୍ତି । ଆଜି ତାଙ୍କ ମୁହଁ ରୁ ଶୁଣିବା ରୋଷେଇ କରିବାର କଳା ସେ କିପରି ଶିଖିଲେ ଏବଂ ଏଥିପାଇଁ ତାଙ୍କୁ କିଏ ପ୍ରେରଣା ଦେଲେ ଏବଂ ଉତ୍ସାହ ବଢାଇଲେ । “
ଆରେ !! ଇଏତ ଆମ ରୂପଲତା !! ସୋଫା ଉପରେ ଆଉ ଟିକିଏ ସଳଖି ହେଇ ବସିଗଲେ ପ୍ରଭାକର ବାବୁ । ଶିବାନୀ ତାହେଲେ ତାଙ୍କ ଅଜାଣତରେ ରୂପଲତାଙ୍କୁ ନେଇ ଗୋଟେ ଏପିଶୋଡ ତିଆରି କରିଦେଇଛି !! ମନକୁ ମନ ଭାବିଲେ ସେ ।
ଶିବାନୀ ଆରମ୍ଭ କଲା – ମ୍ୟାଡାମ, ଆପଣଙ୍କୁ ସ୍ଵାଗତ । ନିଜ ବିଷୟରେ କିଛି କୁହନ୍ତୁ ଏବଂ ଆପଣ କେମିତି ବିଭିନ୍ନ ବ୍ୟଞ୍ଜନ କରିବା ଶିଖିଲେ ସେ ବିଷୟରେ ଆମ ଦର୍ଶକ ମାନଙ୍କୁ ଜଣାନ୍ତୁ ।
ରୂପଲତା କହିଲେ- ସତ କଥା କହିବାକୁ ଗଲେ ମୁଁ ଝିଅ ଦିନେ ରୋଷେଇ ଘର ମାଡି ନଥିଲି । ଆମର ଜମିଦାର ଘର ଥିଲା, ଅନେକ ଚାକର, ବାକର ଥିଲେ । ବାହା ହେଇ ଆସିବା ପରେ ଶାଶୁଙ୍କ ଠାରୁ କିଛି କିଛି ଶିଖିଲି । କୁହାଯାଏ ଯେ “ A journey to a man’s heart is through his stomach” । ମୋ ସ୍ଵାମୀ ଖୁବ ଖାଦ୍ୟ ପ୍ରିୟ । ତାଙ୍କ ଲାଗି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ର ଏକ୍ସପେରିମେଣ୍ଟ ମୁଁ କରିଛି । ଆମ ବେଳେ ତ ଏମିତି ମୋବାଇଲ ଦେଖି ରୋଷେଇ କରିବା ନଥିଲା । ତେଣୁ ମୁଁ ନିଜେ ଚିନ୍ତା କରି କୋଉ ଆଇଟମ କେମିତି ହବ, କଣ କଣ ସବୁ ସେଥିରେ ମିଶା ଯିବ, ତାହା କରିଛି ।
ରୂପଲତାଙ୍କ କଥା ଛୁଇଁ ଗଲା ପ୍ରଭାକର ବାବୁଙ୍କ ମନକୁ । ମନ ଫେରିଗଲା ପଇଁତିରିଶ ବର୍ଷ ତଳକୁ ।
ଚାଷୀ ପରିବାରରେ ଜନ୍ମ ପ୍ରଭାକର ବାବୁ ପିଲା ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ । ଚାଷକୁ ନେଇ ଗବେଷଣା କରିବା ପାଇଁ ତାଙ୍କର ଖୁବ ଆଗ୍ରହ ଥିଲା । ଓୟୁଏଟିରେ ଏମ.ଏସ୍.ସି ପଢା ସରିବା ସମୟରେ ସାର ମାନଙ୍କର ପ୍ରେରଣାରେ ହାଇୟର ଷ୍ଟଡିଜ ପାଇଁ ମିଚିଗାନ ୟୁନିଭର୍ସିଟିରେ ସେ ଆପ୍ଲାଇ କରିଥିଲେ । କିନ୍ତୁ ଯେଉଁ ଦିନ ସିଲେକ୍ସନ ହେବାର ଚିଠି ତାଙ୍କ ପାଖରେ ଆସି ପହଞ୍ଚିଲା, ଖୁସି ଅପେକ୍ଷା ହତାଶାର କଳା ବାଦଲ ତାଙ୍କ ମୁହଁ ରେ ବେଶୀ ଛାଇଗଲା । ୟୁନିଭର୍ସିଟି ସ୍କଲାରଶିପ ଦେବା ସହିତ ଅନ୍ୟାନ୍ୟ ସବୁ ଖର୍ଚ୍ଚ ସିନା ବହନ କରିବ, କିନ୍ତୁ ଯିବା ଆସିବା ଆଉ ଭିସା ଖର୍ଚ୍ଚ ନିଜକୁ ଯୋଗାଡ କରିବାକୁ ପଡିବ । ବାପାଙ୍କ ଅବସ୍ଥା ପ୍ରଭାକରଙ୍କୁ ବେଶ ମାଲୁମ ଥିଲା । ଆଜି ପର୍ଯ୍ୟନ୍ତ ଯାହା ଯେମିତି କଷ୍ଟେ ମଷ୍ଟେ ତାଙ୍କୁ ପଢିବାପାଇଁ ପଇସା ଯୋଗାଡ କରିବାରେ ବାପା କେତେ ଧନ୍ଦି ହଉଥିଲେ, ସେ ନ ଜଣେଇଲେ ବି ପ୍ରଭାକର ବୁଝିପାରୁଥିଲେ । ତା’ ଛଡା ଗଲା ବର୍ଷ ଭଉଣୀ ବାହାଘର ରେ କରିଥିବା କରଜ, ବାପାଙ୍କୁ ସୁଝିବାକୁ ଆହୁରି ବର୍ଷେ ଦୁଇ ବର୍ଷ ଲାଗିବା କଥା ବି ହୃଦୟଙ୍ଗମ କରୁଥିଲେ । ଏଭଳି ପରିସ୍ଥିତି ରେ କଣ କରିବେ, କାହାର ସହାୟତା ନେବେ, କିଛି ଚିନ୍ତା କରିବା ମୁସ୍କିଲ ଥିଲା । ହଷ୍ଟେଲ ରୁମରେ ଖଟ ଉପରେ ପଡି ଘୂରୁଥିବା ସିଲିଙ୍ଗ ଫ୍ୟାନକୁ ଏକ ଲକ୍ଷ୍ୟ ରେ ଅନେଇ ରହିଥିଲେ ସେ । ଧଡ କରି ଆଉଜା ହେଇଥିବା କବାଟ ଖୋଲି ଭିତରକୁ ପଶି ଆସିଲା ବନ୍ଧୁ ଶ୍ରୀକାନ୍ତ । ତାଙ୍କୁ ଏମିତି ଉପରକୁ ଅନେଇ ପଡିଥିବାର ଦେଖି ଜୋର୍ରେ ହଲାଇଦେଲା ସେ ।
-କଣ ବେ !! ଏମିତି ଶୋଇରହି କଣ ସବୁ ଭାବି ଯାଉଛୁ ?? ଚାଲ୍, ଭଜିଆ ଦୋକାନରେ ଖାଇବାକୁ ଦବୁ । ଏଗ୍ରୋନୋମି ନାୟକ ସାର କହିଲେ ତୁ କୁଆଡେ ଆମେରିକା ଯିବୁ, ତୋ ଭାଗ୍ୟ ତ ଜଳୁଛି ବେ !!
ଶ୍ରୀକାନ୍ତର ଏଇ କଥା ତାଙ୍କୁ ଆହୁରି ବିଷାଦଗ୍ରସ୍ତ କରିପକାଇଲା । ୟୁନିଭର୍ସିଟି ରେ ତାହେଲେ ସମସ୍ତେ ଜାଣିସାରିଲେଣି । ହେଲେ, ତାଙ୍କ ଭିତର କଥା କିଏ ବୁଝିବ ??
ଶ୍ରୀକାନ୍ତ କିନ୍ତୁ ହୁଏତ ବୁଝିପାରିଲା । ଦୀର୍ଘ ଛଅ ବର୍ଷ ହେଲାଣି ଏକାଠି ରହି ଉଭୟ ପରସ୍ପରର ଦୁଃଖ ସୁଖ ସବୁ ଜାଣିପାରୁଥିଲେ । ଶ୍ରୀକାନ୍ତ ଅଭାବିକ ଘରର ପିଲା ନଥିଲା । ତା’ ବାପାଙ୍କର ମୋଟା ଦରମା ଥିଲା । ସେଥିଲାଗି ଅନେକ ସମୟରେ ସେ ପ୍ରଭାକରଙ୍କ ପାଇଁ ଖର୍ଚ୍ଚ କରିଦେଉଥିଲା । କିନ୍ତୁ, ବର୍ତ୍ତମାନ ପରିସ୍ଥିତି ରେ ଏତେ ଟଙ୍କା …. ତା’ ପାଇଁ ସହଜସାଧ୍ୟ ନଥିଲା ।
-ସାଙ୍ଗ, ମୋ ମୁଣ୍ଡକୁ ଗୋଟେ ଆଇଡିଆ ଆସୁଛି । ଦେଖ, ତୁ ଖରାପ ଭାବିବୁନି । ନିଜେ ବିଚାର କରି ଦେଖିବୁ । ତତେ କଥା ଟା ଟିକିଏ ଅଜବ ଲାଗିପାରେ । କିନ୍ତୁ ତୋର ସମସ୍ୟା ସମାଧାନ ହେଇଯିବ ।
“ଭାସିଯାଉଥିବା ଲୋକକୁ କୁଟା ଖିଅ ସାହା” ଭଳି ପ୍ରଶ୍ନିଳ ଆଖି ରେ ପ୍ରଭାକର ଅନେଇଲେ ଶ୍ରୀକାନ୍ତ କୁ । ସେ କହିଲା, ମୋ ମଉସାଙ୍କର ବିବାହଯୋଗ୍ୟା ଝିଅ ଟିଏ ଅଛି, ରୂପ …. ରୂପଲତା । ଦୁଇ ପୁଅ ଆଉ ଗୋଟିଏ ଝିଅ ମଉସାଙ୍କର । ବି.ଏ. ପାସ କରିଛି । ମଉସା ଜମିଦାରିଆ ଲୋକ । ବହୁତ ଧନ ସମ୍ପତ୍ତି । ମଉସାଙ୍କ ବୋଉ ନାତୁଣୀ ବାହାଘର ନ ଦେଖିଲା ଯାଏ ସ୍ଵର୍ଗ କୁ ଟିକେଟ କାଟିବେ ନାହିଁ ବୋଲି ସଫା ସଫା କହୁଥିଲେ । ଏବେ କିନ୍ତୁ ବୁଢୀ ବିଛଣାରେ । ମଉସା ତାଙ୍କ ବୋଉର ଶେଷ ଇଚ୍ଛା ପୂରଣ କରିବାପାଇଁ ଝିଅକୁ ବାହାଘର କରିବାକୁ ଭାରି ବ୍ୟସ୍ତ । ଏଥର କଥା ଟା ତୁ ବୁଝିପାରୁଛୁ ନା ମୁଁ ଆଗକୁ ଆଉ କହିବି ?
କି ବିଚିତ୍ର କଥା କହୁଛି ଶ୍ରୀକାନ୍ତ । ଏଣେ ଅଧିକ ପାଠପଢାର ସ୍ଵପ୍ନରେ ଡୋରୀ ବାନ୍ଧିବା ପରିସ୍ଥିତି ହେଲାଣି, ସେଥିରେ ସାଙ୍ଗ ତାଙ୍କୁ ଆହୁରି ଗୋଟେ ଅଡୁଆ ରେ ଫସିବାକୁ ଉସୁକାଉଛି । ବାହାଘର ଖର୍ଚ୍ଚ କୋଉଠୁ ଆସିବ ? ତା’ଛଡା ବାପା ତାଙ୍କର ଭଉଣୀ ବାହାଘର ପରେ ଅଣ୍ଟା ସଳଖି ନାହାନ୍ତି, ସେ ଚାକିରି କରି ତାଙ୍କୁ ସାହାଯ୍ୟ କଣ କରିବେ, ଓଲଟା ବୋଝ ଉପରେ ନଳିତା ବିଡା ପକାଇବାକୁ ଯୋଜନା ହଉଛି !!
-ହଇରେ ଶ୍ରୀକାନ୍ତ ! ତୋର ମୁଣ୍ଡ ଠିକ ଅଛି ଟି ? ତୁ କଣ କହୁଛୁ ?
– ସାଙ୍ଗ ଦେଖେ । ତୁ ଜମା ଚିନ୍ତା କରନା । ସବୁ ଦାୟିତ୍ଵ ମୋର । ଖାଲି ତତେ ଗୋଟିଏ କମ୍ପ୍ରୋମାଇଜ କରିବାକୁ ପଡିବ । ରୂପଲତା ଦେଖିବାକୁ ସୁନ୍ଦରୀ ନୁହେଁ । ମାନେ ବିଲକୁଲ ନୁହେଁ । ରଙ୍ଗ ତ୍ରିପଣ୍ଡ କଳା । କାଠି ଭଳି ନହକା । ସେଥିପାଇଁ ତା’ର ବହୁତ ପ୍ରସ୍ତାବ ଭାଙ୍ଗିଯାଉଛି । ଜୀବନରେ କୋଉଠି ନା କୋଉଠି ତ କମ୍ପ୍ରୋମାଇଜ କରିବାକୁ ହିଁ ପଡେ । ତୋର ଆମେରିକାରେ ପଢିବାର ବଡ ଅଭିଲାଷ ଆଗରେ ବାକି ସବୁ ତୁଚ୍ଛ । ତୁ ଚିନ୍ତା କରି କହ, ତୋ ପାଖରେ ପୁରା ଦୁଇ ମାସ ଅଛି । ତୋର ବାପାବୋଉଙ୍କୁ ବୁଝାଇବା ଦାୟିତ୍ଵ ମୋର । ତା’ଛଡା ତତେ ବାହାଘରରେ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବନି । ମଉସା ଦୁଇପଟ ଲଗେଇ ବାହାଘର କରିଦେବେ ।
ଶ୍ରୀକାନ୍ତ ଯେଉଁ ବାଣଟିଏ ଛାଡିଦେଇ ଚାଲିଗଲା, ସେଥିରେ ଘାଇଲା ହେଇ ପାଞ୍ଚଦିନ ଧରି ଛଟପଟ ହେଲେ ପ୍ରଭାକର । ଏଭଳି ଦୋଛକିରେ ଠିଆ ହେଇ କୋଉ ରାସ୍ତା ଆପଣେଇବେ, କିଛି ମୁଣ୍ଡକୁ ଜୁଟିଲାନି । ପରିଶେଷରେ ପାଠ ପଢିବାର ନିଶା ଆଗରେ ଜୀବନର ସବୁଠାରୁ ବଡ ନିଷ୍ପତ୍ତି ତାଙ୍କର ବଳୀ ପଡିଲା । ଝିଅ ଦେଖିବା ପାଇଁ ବି ସେ ଗଲେନି । ବୋଉ ଆଉ ଭଉଣୀ ଦେଖିଆସିଲେ । ଭଉଣୀ ଖାଲି ଏତିକି କହିଲା, ଭାଇ ! ତୁ ଠିକ୍ ନିଷ୍ପତ୍ତି ନଉଛୁ ତ ?? ବାହାଘର ନେଇ ବାପାଙ୍କର କିଛି କହିବାର ନଥିଲା । ସେ ସବୁବେଳେ ଚୁପ, ନିଜ କାମରେ ବ୍ୟସ୍ତ । ବୋଉ କିନ୍ତୁ କହିଲା ଝିଅଟି ମତେ ଲଖିମନ୍ତିଆ ଲାଗୁଛି । ତୁ ଆଗକୁ ବହୁତ ଉନ୍ନତି କରିବୁ ।
ପ୍ରଭାକରଙ୍କର ହଠାତ୍ ଏପରି ନିଷ୍ପତ୍ତିରେ ସବୁ ସାଙ୍ଗସାଥି ଆଶ୍ଚର୍ଯ୍ୟ ହବା ସ୍ଵାଭାବିକ ଥିଲା । କିଛି ଜଣ ଟାହିଟାପରା କରି କହିଲେ, ପୁଅ କାଳେ କୋଉ ମେମସାବ ହାବୁଡରେ ପଡିଯିବ, ସେଥିପାଇଁ ତା ବେକରେ ଫାଶ ପକାଇ ଛଡ଼ାଯାଉଛି । ବାହାଘର ଖୁବ ଜାକଜମକରେ ହେଲା । ନାତୁଣୀ ଜ୍ଵାଇଁକୁ ଦେଖି ଜେଜେମା ଶାଶୁ କୁଣ୍ଢାଇ ପକାଇ କହିଲେ- “ମୋ ରୂପ କେତେ ମନ ନେଇ କୁଆଁର ପୁନେଇ ଓଷା କରୁଥିଲା, ହେଇ ଦେଖ ସମସ୍ତେ, ମୋ ରୂପକୁ କୁମାର କାର୍ତ୍ତିକେଶ୍ଵର ଭଳିଆ ସ୍ଵାମୀ ମିଳିଛି” । ବାହାଘର ପର ଦିନ ରୂପଲତାଙ୍କ ସହ ଘରକୁ ଫେରିଲେ ପ୍ରଭାକର । ସାଙ୍ଗରେ ଆଣିଲେ ଢେର ସାରା ଯାନିଯୌତୁକ । ଏତେ ଜିନିଷ ଦେଖି ଗାଁ ଲୋକଙ୍କ ଆଖି ଖୋସି ହେଇଗଲା । ଗାଁ ମାଇପେ କିନ୍ତୁ ବୋହୁ ଦେଖି ଟୁପୁରୁ ଟାପୁରୁ ହବା ଆରମ୍ଭ କରିଦେଲେ ।
ବାହାଘର ଭୋଜି ଦିନ ସାଙ୍ଗ ମାନଙ୍କ ସହିତ ନାୟକ ସାର୍ଙ୍କ ଝିଅ ଶିଖା ବି ଆସିଥିଲା । ସେ ଉପରେ ପଡି ସବୁ ପ୍ରକାର ଚେଷ୍ଟା କରିଥିଲା ପ୍ରଭାକରଙ୍କୁ ନିଜର କରିବାପାଇଁ । ହେଲେ, ପ୍ରଭାକର କେବେହେଲେ ତା ଭଳି ଉଦ୍ଦଣ୍ଡି ଝିଅ ପ୍ରତି ଆକର୍ଷିତ ହୋଇନଥିଲେ । ରୂପଲତାଙ୍କୁ ଦେଖି ଦେଇ ମୁହଁକୁ ମୋଡି ଦେଲା ଶିଖା । ପ୍ରଭାକରଙ୍କୁ ଦେଖେଇ ବଡ ପାଟିରେ ସାଙ୍ଗ ମାନଙ୍କୁ କହିଲା – ପ୍ରଭାକର ଗୋଟେ ତୁଚ୍ଛା ପାଗଳ । କଣ ଦେଖି ଏଇ ଝିଅ କୁ ବାହାହେଲା ସିଏ । ତା’ର ଚଏସ୍ ଏତେ ଖରାପ ବୋଲି ମୁଁ ଜାଣିନଥିଲି । ତା’ପରେ ରୂପଲତାଙ୍କ ରୂପ ବର୍ଣ୍ଣନା କରି ଘୋଡ଼ୀ ଭଳି ହେ ହେ କରି ହସିଥିଲା ସେ । ଅପମାନରେ ମୁହଁ କଳା ପଡିଗଲା ପ୍ରଭାକରଙ୍କର । କିଛି ସାଙ୍ଗ ଅବଶ୍ୟ ଶିଖା ଉପରେ ବିରକ୍ତ ହେଲେ । ଶାନ୍ତନୁ ପ୍ରଭାକର ପାଖକୁ ଆସି ଫୁସ ଫୁସ କରି କାନରେ କହିଲା, ତୁ ତା’କଥା ଶୁଣନା । ଆରେ, ଯଦି ତୁ ତୋ ସ୍ତ୍ରୀକୁ ହେମାମାଳିନୀ ଭଳି ଭାବିବୁ, ତାହେଲେ କଣ କିଛି ଅସୁବିଧା ଅଛି । ସବୁ ମନର କଥା । ………..
ରୂପଲତାଙ୍କ ପ୍ରତି ଆକର୍ଷିତ ହବାର କିଛି ନଥିଲା । ଦୁଇ ଚାରି ପଦ ନିହାତି ଆବଶ୍ୟକ କଥା ପଚାରିବା ଛଡା ପ୍ରଭାକର ତାଙ୍କଠାରୁ ଦୂରେଇ ରହୁଥିଲେ । ବାହାଘର ପରବର୍ତ୍ତୀ ମାସଟିଏ ପ୍ରଭାକରଙ୍କର ଆମେରିକା ଯିବାର ପ୍ରସ୍ତୁତିରେ କଟିଗଲା ଏମିତିକି ଯିବା ଦିନ ମଧ୍ୟ ସେ ରୂପଲତାଙ୍କୁ କିଛି କହି ଯିବାକୁ ଆବଶ୍ୟକ ମନେ କଲେନି । ପୁରା ଗୋଟିଏ ବର୍ଷ ଘର ସହିତ କିଛି ଯୋଗାଯୋଗ ରଖିଲେନି । ଶ୍ରୀକାନ୍ତ ତାଙ୍କୁ ଫୋନ୍ କରି କଥା ହୁଏ ଆଉ ତାଙ୍କ ଘରର ଭଲମନ୍ଦ ଜଣାଏ । ବର୍ଷେ ପରେ ଦୁଇ ମାସ ପାଇଁ ଛୁଟି ନେଇ ଗାଁ କୁ ଆସିଲେ ସିଏ । ଏ ଭିତରେ ଜେଜେମା ବୁଢୀ ଚାଲିଯାଇଥିଲେ ବି ରୂପଲତା ତାଙ୍କ ବାପ ଘରକୁ ଯାଇନଥିଲେ, ବାହାଘର ବର୍ଷ ପୂରଣ ହେଇ ନଥିଲା ବୋଲି, ଆଉ ନୂଆ ଜ୍ଵାଇଁ ହିସାବରେ ପ୍ରଭାକର ଜ୍ଵାଇଁ ଡାକରାକୁ କାମ ବାହାନାରେ ଏଡେଇ ଯାଇଥିଲେ । ଘରକୁ ଆସିବାର ଦୁଇ ଚାରି ଦିନ ପରେ ଜ୍ଵାଇଁ ଡାକରା ନିମନ୍ତ୍ରଣ ଆସିଗଲା । ଏଥର ବାଧ୍ୟ ହୋଇ ଯିବାକୁ ପଡିଲା ତାଙ୍କୁ, ରୂପଲତାଙ୍କୁ ନେଇ । ଦୁଇ ଦିନ ପରେ ଘରକୁ ଫେରିବା କଥା । ଶାଶୁ ବାଧ୍ୟ କଲେ, ବର୍ଷେ ପରେ ଝିଅ ଘରକୁ ଆସିଛି, ଆଉ ସପ୍ତାହଟେ ରହିଯାଉ । କିନ୍ତୁ ନିଜ ବୋଉର ଅନୁରୋଧକୁ ରଖିଲେନି ରୂପଲତା । ସ୍ଵାମୀଙ୍କ ସହିତ ଫେରିଯିବାକୁ କହିଲେ ।
କଲେଜ ବେଳର ସାଙ୍ଗସାଥି, ବନ୍ଧୁବାନ୍ଧବ ଘର ବୁଲିବା ସହିତ ଯେଉଁ କେତେ ଦିନ ପ୍ରଭାକର ଘରେ ରହିଲେ, ସବୁ ଦିନ ନୂଆ ନୂଆ ପ୍ରକାରର ଖାଦ୍ୟ ପରଷା ଯାଉଥିଲା । ତାଙ୍କ ବୋଉ ଆଗ୍ରହରେ ଆଣି ଥୋଇଦେଉଥିଲେ ପୁଅ ଆହୁରି ଟିକିଏ ଅଧିକ ଖାଉ ବୋଲି । ବୋହୁର ପ୍ରଶଂସା କରୁଥିଲେ- ଦେଖ ପୁଅ, ଭାରି ସୁଧାର ବୋହୁ ଆମର । ଏତେ ବଡଲୋକ ଘର ଝିଅ, ଟିକିଏ ଅହଂକାର ନାହିଁ । କୋଉ କଥାରେ ତା’ର ଆପତ୍ତି ନାହିଁ । ଏଇ ସବୁ ରୋଷେଇ ସେ ନିଜେ କରୁଚି, ତତେ କଣ ସବୁ ଖାଇବାକୁ ଭଲ ଲାଗେ ମତେ ପଚାରି ବୁଝୁଛି । ମୁଁ କଣ କହୁଥିଲି କି, ତୁ ସିଆଡେ ଆଉ କେତେ ବର୍ଷ ରହିବୁ, ଆମେ ଜାଣିନୁ । ତାକୁ ତୁ ସାଙ୍ଗରେ ନେଇଗଲେ ହୁଅନ୍ତାନି । ଏଠି ଏମିତି ଏକୁଟିଆ ତୋ ବିନା କେତେଦିନ ରହିବ । ବୋଉ କଥାରେ ଖାଇବା ଥାଳିରେ ହାତ ଅଟକି ଗଲା ପ୍ରଭାକରଙ୍କର । କେମିତି ନିଜ ମା କୁ ବୁଝେଇବେ, ରୂପଲତାଙ୍କ ରୂପ ତାଙ୍କୁ ଆକୃଷ୍ଟ କରିପାରୁନି । ସାଙ୍ଗରେ ନେବା ତ ଦୂର ର କଥା, ତାଙ୍କୁ ଅନ୍ୟମାନଙ୍କ ଆଗରେ ନିଜର ସ୍ତ୍ରୀ ବୋଲି ପରିଚୟ ଦେବାକୁ ସେ କୁଣ୍ଠାବୋଧ କରୁଛନ୍ତି ।
ତଥାପି ରାତିର ନିର୍ଜନ ପ୍ରହରରେ ପୁରୁଷତ୍ଵ ଜାଗି ଉଠିଲେ ବାହାଘର ଭୋଜି ଦିନ ଶାନ୍ତନୁ କହିଥିବା କଥା ତାଙ୍କର ମନେ ପଡିଯାଏ । ସେଇ କିଛି ସମୟ ରୂପ, ରଙ୍ଗର କିଛି ଆବଶ୍ୟକତା ନଥାଏ ।
ଆମେରିକା ଫେରିଯିବାର ଦୁଇ ମାସ ପରେ ଶ୍ରୀକାନ୍ତ ଫୋନ୍ କରି ଜଣାଇଲା ସେ ବାପା ହେବାକୁ ଯାଉଛନ୍ତି । ଯେଉଁ ଦିନ ଝିଅ ଜନ୍ମ ହେଇଛି ବୋଲି ଖବର ଆସିଲା, ଆଶଙ୍କାରେ ସାରା ଦିନ ସେ ବୁଡି ରହିଲେ । କେମିତି ହେଇଥିବ ତାଙ୍କ ଝିଅ, ଯଦି ମା’ ରଙ୍ଗ ଆଣିଥିବ, ତାହେଲେ ତ କଥା ସରିଲା । ତାଙ୍କ ଆଶଙ୍କା ବେଶୀ ଦିନ ରହିଲାନି । ଶ୍ରୀକାନ୍ତ ଜଣେଇଲା ଯେ ଝିଅ ବାପା ଭଳି ରଙ୍ଗ ଆଣିଛି । ଏହାପରେ ଜୀବନ ଗଡି ଚାଲିଲା । ପାଠ ଶେଷ କରି ପ୍ରଭାକର ଇଣ୍ଡିଆନ ଏଗ୍ରୀକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ନୂଆଦିଲ୍ଲୀ ରେ ସାଇଣ୍ଟିଷ୍ଟ ହୋଇ ଜଏନ୍ କଲେ । ବାପା ଚାଲିଗଲା ପରେ ବୋଉ ଆଉ ଝିଅ କୁ ନେଇ ରୂପଲତା ଭୁବନେଶ୍ଵରରେ ରହିଲେ, ଶହୀଦ ନଗରରେ ତାଙ୍କ ବାପା ଦେଇଥିବା ଘରେ । ଝିଅର ପାଠପଢାଠାରୁ ଆରମ୍ଭ କରି, ବୋଉର ଦେହପା’, ବନ୍ଧୁବାନ୍ଧବ ଖୋଜାଲୋଡା, ସବୁ ରୂପଲତା ସମ୍ଭାଳିଲେ । କେବେହେଲେ କୌଣସି ଅଭିଯୋଗ ଆପତ୍ତି ଜଣେଇଲେନି । ମାସ ଆରମ୍ଭରେ ଆକାଉଣ୍ଟରେ କିଛି ଟଙ୍କା ପଠେଇଦେଇ ପ୍ରଭାକର ତାଙ୍କର କର୍ତ୍ତବ୍ୟ ଠିକ୍ ପାଳନ କରୁଛନ୍ତି ବୋଲି ମନେକରି ସାଙ୍ଗ ଗହଣରେ ନିଶ୍ଚିତରେ ରହିଲେ ।
ରୂପଲତା ରୂପରେ ସିନା ତାଙ୍କୁ ଆକର୍ଷିତ କରିପାରିଲେନି, କିନ୍ତୁ ତାଙ୍କ ହାତରନ୍ଧା ରୋଷେଇ ପ୍ରଭାକରଙ୍କ ମନ ଜିଣି ନେଇଥିଲା । ଛୁଟି ହେଲା ମାତ୍ରେ ସେ ଭୁବନେଶ୍ଵର ଧାଇଁ ଆସୁଥିଲେ, ଝିଅ ସଙ୍ଗେ କିଛି ସମୟ ବିତାଇବା ସହିତ ସୁସ୍ଵାଦୁ ଖାଦ୍ୟ ନିଜେ ଖାଇବା ଓ ସାଙ୍ଗ ମାନଙ୍କୁ ଘରକୁ ଡାକି ଖୁଆଇବାପାଇଁ । ସାଙ୍ଗମାନେ, ବିଶେଷତଃ ମ୍ୟାରେଡ ବ୍ୟାଚେଲର, ଯାହାର ପରିବାର ଅନ୍ୟ ଜାଗାରେ ରହୁଥିଲେ, ସେମାନେ ଭାଉଜଙ୍କ ହାତରନ୍ଧାର ଖୁବ ପ୍ରଶଂସା କରୁଥିଲେ । ରୂପଲତା ବି ଏ ଭିତରେ ଜାଣିଯାଇଥିଲେ ଯେ ତାଙ୍କ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ କେବଳ ରାନ୍ଧିବାଢି ଖାଇବାକୁ ଦେବା ଭିତରେ ସୀମିତ । ସେ ତାଙ୍କ ସ୍ଵାମୀଙ୍କର ମନୋଭାବ ଜାଣି ତାଙ୍କ ସାଙ୍ଗ ମାନଙ୍କ ଆଗକୁ କେବେହେଲେ ଆସୁନଥିଲେ, ଘରକାମରେ ସାହାଯ୍ୟ କରୁଥିବା ଆମ୍ମା ଖାଦ୍ୟ ପରଷୁଥିଲା । ରୋଷେଇ କରିବାକୁ କଣ ସବୁ ଜିନିଷ କିଣିବା ଦରକାର, କେତେ ପଇସା ଦରକାର, ସେକଥା ପ୍ରଭାକର ଜାଣିବାର ଆବଶ୍ୟକତା ନଥିଲା । ସେ କେବଳ କୋଉ ଦିନ କେତେ ଜଣ ବନ୍ଧୁ ଖାଇବାକୁ ଆସିବେ ଆଉ କଣ ସବୁ ମେନୁ ହବ, ସେତିକି କହୁଥିଲେ । ରୂପଲତା ନିଜେ ମାର୍କେଟ ଯାଇ ସବୁ ଜିନିଷ କିଣି ଆଣୁଥିଲେ ଆଉ ଆଗ୍ରହର ସହିତ ନିଜେ ସବୁ କରୁଥିଲେ ।
ଝିଅ ବାହାଘର ସମୟରେ ମଧ୍ୟ ପ୍ରଭାକରଙ୍କର କିଛି ମୁଣ୍ଡ ଖେଳେଇବାର ନଥିଲା । କୁଣିଆ ଭଳି ବାହାଘରର ଦୁଇ ଦିନ ଆଗରୁ ଆସି ପହଞ୍ଚିଲେ । ରୂପଲତା ତାଙ୍କ ଭାଇ ମାନଙ୍କ ସହିତ ମିଶି ସବୁ ଆୟୋଜନ କରିଥିଲେ । ଝିଅ ବାହାଘର ରିଶେପ୍ସନ୍ ପର ଦିନ ସେ ଦିଲ୍ଲୀ ଫେରିଗଲେ ।
ଚାକିରିରୁ ଅବସର ନେଇ ଆସିବା ପରେ, ବୋଉ କି ଝିଅ ଆଉ କେହି ନଥିଲେ । ଗୋଟିଏ ଛାତ ତଳେ ସେ ଆଉ ରୂପଲତା । ଏତେ ବର୍ଷ ପରେ ଏମିତି ଦୁଇଜଣ ରହିବା ତାଙ୍କୁ କେମିତି ଅଡୁଆ ଲାଗୁଥିଲା । ରୂପଲତା ସାରାଦିନ ବିଭିନ୍ନ କାମରେ ଲାଗିଥାନ୍ତି । ରୋଷେଇ ସହିତ, ଗଛପତ୍ରର ଦାୟିତ୍ତ୍ଵ, ଘର ସଜା, ମାର୍କେଟିଙ୍ଗ ଇତ୍ୟାଦି । ପ୍ରଭାକରଙ୍କର ଦିନ ଆରମ୍ଭ ହୁଏ ମର୍ଣ୍ଣିଂୱାକରୁ । ଘରେ ପହଞ୍ଚିଲା ବେଳକୁ ଡାଇନିଙ୍ଗ ଟେବୁଲ ରେ ତାଙ୍କ ମନପସନ୍ଦ ଜଳଖିଆ ଥୁଆ ହେଇଯାଇଥାଏ । ସେତକ ଉଦରସ୍ଥ କରି ନିଉଜ ପେପର ପଢିବା, ଫୋନ୍ରେ ଗପିବା, ସାଙ୍ଗ ମାନଙ୍କୁ ଦେଖା କରିବାକୁ ଯିବା, ବହି ପଢିବା, ଆର୍ଟିକଲ ଲେଖିବା, ଟିଭି ଦେଖିବା, ଇଭିନିଙ୍ଗ ୱାକ ଯିବା, ଏଇ ସବୁ ତାଙ୍କର ନିତିଦିନିଆ କାମ । ପ୍ରାୟବେଳେ ମର୍ଣ୍ଣିଂୱାକରୁ ଫେରିଲା ବେଳକୁ ମିଶ୍ର ବାବୁଙ୍କୁ ଆଣି ଘରେ ପହଞ୍ଚି ଯାଆନ୍ତି ସେ । କଫି ପିଆଇବା ପାଇଁ । ଚମତ୍କାର କଫି ତିଆରି କରନ୍ତି ରୂପଲତା । ମିଶ୍ର ବାବୁ ତାଙ୍କର ଜଣେ ବଡ ପ୍ରସଂଶକ । ରୂପଲତା କେବଳ ମିଶ୍ରବାବୁଙ୍କ ସହିତ ସହଜରେ କଥା ହେଇପାରନ୍ତି । ତାଙ୍କୁ ବଡ ଭାଇ ଭଳି ମାନନ୍ତି । ଅନେକ ସମୟରେ ରୂପଲତା ସକାଳ ଜଳଖିଆ ଟିଫିନ ବାକ୍ସରେ ପୁରାଇ ମିଶ୍ରବାବୁଙ୍କ ହାତରେ ଧରାଇ ଦିଅନ୍ତି । ମିଶ୍ରବାବୁ ସତେ ଯେମିତି ଆଗ୍ରହରେ ଅନେଇଥାନ୍ତି ସେଇ ଟିଫିନ କୁ ନେବାପାଇଁ । ମନଖୁସିରେ ତାକୁ ଘରକୁ ନେଇ ଯାଆନ୍ତି ଆଉ ଫେରେଇଲା ବେଳକୁ ଟିଫିନ ଫୁଲ କରି ଡ୍ରାଇ ଫ୍ରୁଟସ ଦେଇଥାନ୍ତି ।
ମିଶ୍ର ବାବୁଙ୍କର ଅନୁରୋଧ ରକ୍ଷା କରି ଦିନେ ପ୍ରଭାକର ସନ୍ଧ୍ୟାବେଳେ ତାଙ୍କ ଘରକୁ ଯାଇଥିଲେ । ମିଶ୍ର ବାବୁଙ୍କର ଘର ପୁରା ଫିଲ୍ମ ସେଟ୍ ଭଳି । ଘର ଆଗରେ ବଡ ଲନ ଆଉ ଗାର୍ଡେନ । ଲିଭିଙ୍ଗ ରୁମରେ ତାଙ୍କୁ ବସାଇଦେଇ ମିଶ୍ର ବାବୁ ଚାଲିଗଲେ ତାଙ୍କ ମିସେସ ଙ୍କୁ ଡାକିବା ପାଇଁ । କିଛି ସମୟ ପରେ ଉପର ମହଲାରୁ ଷ୍ଟେୟାର କେସ ଦେଇ ତଳକୁ ଆସିଲେ ମ୍ୟାଡାମ । ବିତିଯାଇଥିବା ଯୌବନକୁ ଧରି ରଖିବାର ବୃଥା ପ୍ରୟାସରେ ସେ ସଂପୂର୍ଣ୍ଣ ଚେଷ୍ଟାରତ । ତମ୍ବା ରଙ୍ଗ କରାଯାଇଥିବା ମୁକୁଳା କେଶ ଠାରୁ ପାଦ ନଖ ପର୍ଯ୍ୟନ୍ତ ସବୁ ର ନିଖୁଣ ଯତ୍ନ । ପିନ୍ଧିଥିବା ଟ୍ରାଂସପରେଣ୍ଟ ଶାଢୀ ଟି ନାମକୁ ମାତ୍ର ଦେହରେ ଗୁଡା ହେଇଛି । ଶାଢୀର କାନି ତଳେ ଘୁଷୁଡୁଛି । ବେକରେ ଡାଏମଣ୍ଡ ନେକଲେସ ଆଉ କାନ ରେ ଲମ୍ବା ଡାଏମଣ୍ଡ ଇଅର ରିଙ୍ଗ । ପ୍ରଭାକରଙ୍କୁ ଅନିଚ୍ଛା ନମସ୍କାର ଟିଏ ଫୋପାଡି ଦେଇ କ୍ଲବ ମିଟିଂ ଅଛି କହି ବାହାରି ଗଲେ ସେ । ତାଙ୍କ ପଛେ ପଛେ ବିମର୍ଶ ମୁହଁ କରି ପ୍ରଭାକରଙ୍କ ପାଖରେ ପହଞ୍ଚିଲେ ମିଶ୍ର ବାବୁ । ମିଶ୍ର ବାବୁଙ୍କର ପାରିବାରିକ ସ୍ଥିତି ଠିକ୍ ଠଉରାଇପାରିଲେ ପ୍ରଭାକର । ଦୀର୍ଘଶ୍ଵାସ ନେଇ ମିଶ୍ର ବାବୁ କହିଲେ, ବୁଝିଲେ !! ଆପଣ ଜଣେ ଭାଗ୍ୟବାନ ଲୋକ । ଝିଅ ଆପଣଙ୍କର ଅତି ସୁଧାର, ତା’ ମା ଭଳି । ଭଗବାନଙ୍କ ଦୟାରୁ ସେ ସୁଖରେ ରହୁ । ପୁଅ ମୋର ଲଣ୍ଡନ୍ରେ, ସେଠିକା ଝିଅ ବାହା ହେଇଛି । ଝିଅ ବାହାଘରର ଦୁଇ ମାସ ପରେ ସ୍ଵାମୀ ଠାରୁ ଅଲଗା ହୋଇ ରହୁଛି ପୁନେରେ । ମ୍ୟାଡାମ୍ଙ୍କ କଥା ତ ଅଜାଗା ବଥ । ଦେଖି ହବନି କି ଦେଖେଇ ହବନି । ତାଙ୍କ ବାପା ଚିଫ୍ ଇଞ୍ଜିନିୟର ଥିଲେ । ଚାକର, ବାକର ଅଭାବ ନଥିଲା । ସେଥିପାଇଁ ତାଙ୍କୁ ରୋଷେଇ ଜଣାନାହିଁ କି କିଛି ଘରକରଣା କଥା ବି ଜଣାନାହିଁ । ସାରା ଜୀବନ ହୋଟେଲ ରୋଷେଇ, ନହେଲେ ରୋଷେଇୟା ର ତେଲ, ମସଲା ରୋଷେଇ ଖାଇ ଖାଇ ବିତିଲା । ମୋର ଏବେ ହାଇ ସୁଗାର ଆଉ ବି.ପି କୁ ବି ତାଙ୍କର ଖାତିର ନାହିଁ । ସେ ଏତେ ବ୍ୟସ୍ତ ଯେ ତାଙ୍କୁ ଘର କଥା ବୁଝିବାକୁ ଫୁରସତ ନାହିଁ । କଥା କଥାରେ ସେ ମତେ ସବୁବେଳେ ହେଜେଇ ଦେବାକୁ ଭୁଲନ୍ତି ନାହି ଯେ ଏଇ ଘର ଟି ତାଙ୍କ ବାପା ଦେଇଛନ୍ତି । ଶଶୁରଙ୍କ ପଇସା ଆଉ ତାଙ୍କ ଝିଅର ସୌନ୍ଦର୍ଯ୍ୟ ଦେଖି ଯୌବନାବସ୍ଥାରେ ମୁଁ ଭାସିଗଲି । ହେଲେ, ସୁନ୍ଦର ଚେହେରା ଅପେକ୍ଷା ସୁନ୍ଦର ମନ ଯେ କେତେ ଗୁରୁତ୍ତ୍ଵପୂର୍ଣ୍ଣ, ଏଇ କଥା ବୁଝିଲା ବେଳକୁ ସମୟ ଗଡିଗଲାଣି । ଆପଣଙ୍କୁ ଅନୁରୋଧ ମୋର ବିବଶତାକୁ କାହା ଆଗରେ ପ୍ରକାଶ କରିବେନି, ପ୍ଳିଜ୍ । ମିଶ୍ର ବାବୁଙ୍କ ହାତ ଉପରେ ହାତ ରଖି, ତାଙ୍କୁ ବିଶ୍ଵାସ ଦେଇ, ତାଙ୍କ ଘରୁ ପାଣି ଗ୍ଲାସଟିଏ ମଧ୍ୟ ନ ପିଇ ବାହାରି ଆସିଥିଲେ ସେଦିନ ପ୍ରଭାକର ।
ଆଜି ଟିଭିରେ କଥା କହୁଥିବା ରୂପଲତାଙ୍କର “ A journey to a man’s heart is through his stomach” କଥା ପଦକ ମନର କେଉଁ ଗଭୀର ତନ୍ତ୍ରୀକୁ ଛୁଇଁଗଲା ତାଙ୍କର । ସତେ ତ, ରୂପଲତା ଅତି କମ୍ରେ ତାଙ୍କ ପେଟ କଥା ବୁଝି ତାଙ୍କ ମନ ନେଇଛନ୍ତି । କିନ୍ତୁ ସେ ?? ବାହାଘର ର ପଇଁତିରିଶ ବର୍ଷ ଭିତରେ କୋଉ ଦିନ ଖଣ୍ଡେ ଶାଢୀ କିଣି ଦେଇଛନ୍ତି ? ଦିଲ୍ଲୀରେ ଥିବା ସମୟରେ ଝିଅ ପାଇଁ ଅନେକ ସମୟରେ ଡ୍ରେସ ଆଣିଛନ୍ତି, ସେତେବେଳେ ତାଙ୍କର ତ ରୂପଲତାଙ୍କ କଥା ମନେ ପଡିନି !! ତାଙ୍କର ଯେ ଗୋଟେ ମନ ଅଛି, ସେ ମନରେ କିଛି ଆଶା, ଆକାଂକ୍ଷା ଅଛି, ସେ କଥା ସେ କେବେହେଲେ ଭାବନାକୁ ଆଣିନାହାନ୍ତି । ଯେତେବେଳେ କେହି ସାଙ୍ଗସାଥି କୌଣସି ଫଙ୍କସନ ରେ ଡାକିଛନ୍ତି, ସେ ଝିଅ କୁ ବେଳେବେଳେ ସାଙ୍ଗରେ ନେଇ ଯାଇଛନ୍ତି, ରୂପଲତାଙ୍କ କଥା ଏଡେଇ ଯାଇଛନ୍ତି, ଦେହ ଖରାପର ବାହାନା ଦେଖାଇ । ଘର, ବାହାର, ବନ୍ଧୁବାନ୍ଧବ, ଝିଅର ପାଠପଢା, ବାହାଘର, ଗାଁ ର ବିଲବାଡି, ସବୁ ଦାୟିତ୍ତ୍ଵ ନିର୍ବିକାର ଭାବରେ କରିଚାଲିଛନ୍ତି ଆଜିଯାଏ । ସଫଳତାର ଯେଉଁ ପାହାଡ ସବୁ ସେ ଚଢିଲେ, ‘ସାଇଣ୍ଟିଷ୍ଟ୍’ ଭାବରେ ଚାକିରି ଜୀବନ ଆରମ୍ଭ କରି ‘ଡିନ୍’ ପର୍ଯ୍ୟନ୍ତ ଗଲେ, ତା’ର ତ ମୂଳଦୁଆ ନିଶ୍ଚିତ ଭାବରେ ରୂପଲତା । ଯେଉଁ ଘରେ ସେ ରହୁଛନ୍ତି, ସେଇଟା ବି ତ ରୂପଲତାଙ୍କର । ସତରେ, ସୌନ୍ଦର୍ଯ୍ୟ ଅପେକ୍ଷା ସଂସ୍କାର କେତେ ଆବଶ୍ୟକ !! ଯୌବନାବସ୍ଥାରେ ହୁଏତ ସୌନ୍ଦର୍ଯ୍ୟ ହିଁ ପରସ୍ପର ପ୍ରତି ଆକର୍ଷଣର କେନ୍ଦ୍ରବିନ୍ଦୁ । କିନ୍ତୁ ବୟସ ଖସିବା ଆରମ୍ଭ ହେଲେ, ପରସ୍ପର ପାଇଁ ମନ ଆଉ ନିର୍ଭରଶୀଳତା ଅଧିକ ଗୁରୁତ୍ତ୍ଵପୂର୍ଣ୍ଣ ହେଇଯାଏ ।
ଏମିତି ମନ ଭିତର ଘଣ୍ଟାଚକଟାରେ ସୋଫା ଉପରୁ ଉଠି ଠିଆ ହେଇପଡିଲେ ପ୍ରଭାକର । କେତେବେଳରୁ ଶିବାନୀର ପ୍ରୋଗ୍ରାମ ସରି ଆଉ ଗୋଟେ କଣ ପ୍ରୋଗ୍ରାମ ଆରମ୍ଭ ହେଇଗଲାଣି ଚମତ୍କାର ଟିଭି ରେ, ତାଙ୍କର ଆଉ ନଜର ନାହିଁ । ରୂପଲତା ବୋଧହୁଏ ପୂଜା କରୁଛନ୍ତି ଠାକୁର ଘରେ । ମନେ ମନେ ଭାବିଲେ ଠାକୁର ଘର ସାମ୍ନାରେ ଆଜି ଏତେ ବର୍ଷ ପରେ ତାଙ୍କୁ କହିଦେବେକି “ତମ ନାଁ ଟା ରୂପଲତା ନ ହେଇ ଗୁଣଲତା ହେଇଥିଲେ ଭଲ ହେଇଥାନ୍ତା”…