ଅଣୁଗଳ୍ପ

ସାପ ଶିଢି

Binay Mohapatra's odia short story Saapa Shidhi

ଏମିତି ଉଚ୍ଚାରେ ଉଡୁ ଉଡୁ କାଲି ସେ ଯେତେବେଳେ ଥକିଯିବ, କେଉଉଁଠିକୁ ଫେରିବ ସେ ? ଆଜି ସେ ନିଜେ ଅତି ଯତ୍ନରେ ସଜଡା ନିଜର ଛୋଟିଆ ନୀଡଟିକୁ ନିଜ ହାତରେ ଭାଙ୍ଗି ଦେବାକୁ ବସିଛି ।

ସାପ ଶିଢି

ୟୁନିଭରସିଟିର ସେଣ୍ଟ୍ରାଲ ହଲ୍‌ଟା ଆଜି ନୁଆବୋହୁଟିଏ ପରି ସଜେଇ ହୋଇଛି । ପୁରା ହଲଟା ଭରିଯାଇଛି, କେତେ ଗଣ୍ୟମାନ୍ୟ ଲୋକ ଏକାଠି ଗୋଟିଏ ଜାଗାରେ ଜମା ହୋଇଯାଇଛନ୍ତି । ଆଜି ସ୍ୱୟଂ ପ୍ରଧାନମନ୍ତ୍ରୀ ଆସିବେ ଏଇ ଦୀକ୍ଷାନ୍ତ ସମାରୋହକୁ । ଆଜିର ଏଇ ଦୀକ୍ଷାନ୍ତ ସମାରୋହ ସ୍ମୃତି ପାଇଁ ଖୁବ୍ ସ୍ପେସାଲ, ଡକ୍ଟରେଟ୍‌ ଉପାଧୀ ପାଇବା ଲିଷ୍ଟରେ କୋଡିଏ ଜଣଙ୍କ ଭିତରେ ସ୍ମୃତିର ବି ନାଆଁ ଅଛି ପ୍ରଧାନମନ୍ତ୍ରୀଙ୍କ ସାଥିରେ । ଏଇ ସମାରୋହରେ ପ୍ରଧାନ ମନ୍ତ୍ରୀଙ୍କୁ ମଧ୍ୟ ‘ଅନରାରୀ ଡକ୍ଟରେଟ୍’ ଉପାଧୀ ପ୍ରଦାନ କରାଯିବ । କେତେ ଗର୍ବର କଥା । ସ୍ମୃତି କେବେବି କଳ୍ପନା କରିନଥିଲା, ଦିନେ ସେ ଏମିତି ସଫଳତାର ଏତେ ଶୀର୍ଷରେ ପହଞ୍ଚି ଯାଇପାରିବ !

ସେତେବେଳେ ତାର ଗ୍ରାଜୁଏସନ କମ୍ପଲିଟ୍ ହୋଇନଥିଲା । ଫାଇନାଲ ଇୟର ଆରମ୍ଭ ହେଉହେଉ ତାର ବାହାଘର ହୋଇଗଲା ସୁଧାକର ସହିତ । ବାପା ମାଆ କହିଲେ ଖୁବ୍ ଭଲ ପିଲାଟିଏ, ପରିବାର ବି ବହୁତ ଭଲ, ବାପା ମାଆଙ୍କର ଗୋଟିଏ ବୋଲି ପୁଅ, ଭଉଣୀ ବାହାଘର ସରିଯାଇଛି । ସୁଧାକର କଲେକ୍ଟର ଅଫିସ୍‌ରେ ଏଲଡି କ୍ଲର୍କ ଅଛି, ଆଗକୁ ପ୍ରମୋସନ ହୋଇଗଲେ ଅଫିସରେ ବଡବାବୁ ହୋଇଯିବ । ସ୍ମୃତି ପାଇଁ ୟା ଠାରୁ ଆଉ ଭଲ ପ୍ରସ୍ତାବ ଆଉ କଣ ହୋଇପାରି ଥାଆନ୍ତା ? ସ୍ମୃତି ବି ସୁଧାକରଙ୍କୁ ଦେଖିଲାପରେ ବହୁତ ଖୁସି ହୋଇଯାଇଥିଲା । ଗୋରା ତକତକ ଛଅଫୁଟର ସୁଦର୍ଶନ ଯୁବକଟିଏ । ଚଉଡା ଛାତି, ଅଣ୍ଡାକୃତି ମୁହଁକୁ ପତଳା ନିଶ ଖୁବ୍ ସୁନ୍ଦର ଦିଶୁଥିଲା ସୁଧାକର । ଗୋଟିଏ ଝିଅକୁ ଏହାଠାରୁ ଆଉ ଅଧିକ କଣବା ଲୋଡା ?

ଚାକିରୀଆ ପତି, ଘରର ଗୋଟିଏ ପୁଅ, ଦିଅର ନଣନ୍ଦଙ୍କ ଝନଝଟ୍ ନାହିଁ । ସୁଧାକରଙ୍କୁ ଜୀବନ ସାଥୀ ରୂପେ ପାଇ ସ୍ମୃତି ବହୁତ ଖୁସିଥିଲା । ବାହାଘର ପରେ ସ୍ମୃତି ଥରେ ଏମିତି କଥାରେ କଥାରେ ସୁଧାକରକୁ କହିଦେଇଥିଲା ତା ଜୀବନର ସ୍ୱପ୍ନ କଥା । କହିଲା ମୋର ବହୁତ ଇଚ୍ଛାଥିଲା, ଏମ.ଏ କରି ଆଧ୍ୟାପିକା ହେବାକୁ, ହେଲେ ବାପା ମାଆ ବାହା କରେଇଦେଲେ । ସୁଧାକର ଟିକିଏ ହସି ଦେଇଥିଲେ ସ୍ମୃତିର ସ୍ୱପ୍ନକଥା ଶୁଣି । କହିଲେ, ଏଇ କଥା ! ମୋର ସୁନାନାକୀ ପତ୍ନୀ କିଛି ସ୍ୱପ୍ନ ଦେଖିବ ଆଉ ଏ ଅଧମ ପତି ତାହା ପୁରଣ କରି ପାରିବନି ?

ତାପରେ ସୁଧାକର ଶାଶୁ ଶ୍ୱଶୁରଙ୍କ ସହିତ ସ୍ମୃତିର ଆଗକୁ ପାଠ ପଢିବା ବିଷୟରେ କଥାହେଲେ । କିନ୍ତୁ ଶାଶୁ ଶ୍ୱଶରୁ ଥିଲେ ପୁରଣାକାଳିଆ ଲୋକ, ଝିଅମାନଙ୍କର ପାଠପଢିବା କଥାକୁ ସହଜରେ ଗ୍ରହଣ କରି ପାରନ୍ତିନି । ବୋହୁର ଆଗକୁ ପଢିବାକଥା ତାଙ୍କର କେମିତି ପସନ୍ଦ ହୋଇଥାନ୍ତା । ସେମାନେ ରୋକଠୋକ୍ ମନା କରିଦେଲେ, କହିଲେ ବାବୁରେ, ବାହାସାହା ହେଲ, ଏବେ ସଂସାର ପ୍ରତି ଧ୍ୟାନଦିଅ । ଆମେ ବୁଢାବୁଢି ହୋଇଗଲୁଣି, ଏଣିକି ତୁମେ ତୁମ ଘର ସଂସାର ତୁମ୍ଭେ ସମ୍ଭାଳ । ଆମକୁ କେବଳ ନାତିକି ନାତୁଣୀଟିଏ ଦିଅ, ବୁଢା ବୟସରେ ନାତି ନାତୁଣିଙ୍କ ସହିତ ହସିଖେଳି ବାକି କେତେଟା ଦିନ ଆମର ଖୁସିରେ କଟିଯାଉ । ବୋହୁ ଅହୁରି ପାଠପଢି ଆଉ ଅଧିକ କଣ କରିବ ? ଆଜି ନାହିଁତ କାଲି ଘରର ଜଞ୍ଜାଳ ବଢିବ, ପିଲାଛୁଆ, ଘର ସଂସାର ସମ୍ଭାଳିବାକୁ ତାକୁ ସମୟ ମିଳିବନି । ବରଂ ବୋହୁକୁ କହ ସେ ସୁନାବୋହୁ ପରା ଘରକରଣା ଟିକିଏ ଶିଖୁ, ସେଥିରେ ମନଦେଉ । ଆଉ ଅଧିକ ପାଠ ପଢିଲେ କଣ କରିବ ଯେ ? ହେଲେ ସୁଧାକର ନଛୋଡବନ୍ଧା ଥିଲେ, ବହୁତ ବୁଝେଇ ସୁଝେଇ, ଲଢି ଝଗଡି ଶାଶୁ ଶ୍ୱଶୁରଙ୍କୁ ରାଜି କରିଥିଲେ । ତାପରେ ସ୍ମୃତିର ପୁଣି କଲେଜ ଯିବା ଆରମ୍ଭ ହୋଇଯାଇଥିଲା ।

ସୁଧାକର ସବୁଦିନ ସ୍ମୃତିକୁ ଠିକ୍ ସମୟରେ କଲେଜରେ ଛାଡିଦେଇ ଆସନ୍ତି, କ୍ଲାସ ସରିଲା ପରେ ପୁଣି ତାକୁ କଲେଜରୁ ଆଣି ଘରେ ଛାଡ ଦିଅନ୍ତି, ଏଇଟା ତାର ନିତି ଦିନିଆ ରୁଟିନରେ ପରିଣତ ହୋଇଗଲା, ସେଥିପାଇଁ ପୁରୁଣା ଲାମ୍ବି ସ୍କୁଟରଟିଏ କିଣିଥିଲେ ସୁଧାକର । ଅଧିକାଂଶ ଦିନ ଅଫିସରେ ଲେଟ ପହଞ୍ଚୁବା ଯୋଗୁ, କେତେଥର ବଡବାବୁଙ୍କ ଠାରୁ ଗାଳି ବି ଶୁଣିଛନ୍ତି । ହେଲେ ସ୍ମୃତି ପାଇଁ ତାଙ୍କୁ ସବୁକିଛି ମଞ୍ଜୁର ଥିଲା । ଏସବୁ ପାଇଁ ଦିନେବି ମନସ୍ତାପ କରି ନାହାନ୍ତି କିମ୍ବା ସ୍ମୃତି ଆଗରେ ନିଜର ମହତପଣିଆ ଜାହିର କରି ନାହାନ୍ତି ବରଂ ସ୍ମୃତିର ସ୍ୱପ୍ନକୁ ଆକାର ଦେବାରେ ନିଜର ସହଯୋଗକୁ ନିଜର କର୍ତ୍ତବ୍ୟ ବୋଲି ଭାବି ନେଇଛନ୍ତି । ବରଂ ରାତି ରାତି ସ୍ମୃତି ପାଖରେ ବସି ତାକୁ ପାଠ ପଢାରେ ସାହାଯ୍ୟ କରିଛନ୍ତି । ପରୀକ୍ଷା ସମୟରେ ଏମତି ବସି ରହିଥିବେ ସ୍ମୃତି ପାଖରେ, କାଳେ ଏକୁଟିଆ ସ୍ମୃତି ବୋର ହୋଇଯିବ, ପାଠ ପଢୁ ପଢୁ ସ୍ମୃତିକୁ ନିଦ ଲାଗିଆସିବା ଆଗରୁ ଗରମ ଗରମ ଚା’ ତିଆରିକରି ନେଇ ଆସନ୍ତି । କହନ୍ତି, ଆଗ ଚା’ ପିଇନିଅ, ନିଦ ଛାଡିଯିବ । ପରୀକ୍ଷା ଆଉ ଅଳ୍ପଦିନ ରହିଲା ? ପରୀକ୍ଷା ସରିଲା ପରେ ସବୁ ନିଦ ଏକାଠି ପୁରା କରିନେବ । ଆଜି ସ୍ମୃତି ତା ଜୀବନରେ ଯାହାବି ହାସଲ କରିଛି ସବୁ ସେଇ ସୁଧାକରଙ୍କ ଅସୀମ ତ୍ୟାଗ ଆଉ ପ୍ରେମ ପାଇଁ । ଶ୍ରଦ୍ଧା, ଭକ୍ତି ଆଉ ପ୍ରେମରେ ସ୍ମୃତିର ମୁଣ୍ଡ ନଇଁ ଆସୁଥିଲା ସୁଧାକର ପାଦତଳେ । କେବଳ ପତି ନୁହେଁ, ସୁଧାକର ସତେ ଯେପରି ତା ପାଇଁ ସାକ୍ଷାତ ପରମେଶ୍ଵରଙ୍କ ଅବତାର।

ସେ ଦିନର ଦୀକ୍ଷାନ୍ତ ସମାରୋହ ସରିଗଲା ପରେ ବନ୍ଧୁମିଳନ ଆୟୋଜନ କରା ଯାଇଥିଲା । ବନ୍ଧୁ ମିଳନରେ ସମସ୍ତେ ନିଜ ନିଜର ପତି, ପତ୍ନୀ ଅବା ପରିବାର ଲୋକଙ୍କୁ ସମସ୍ତଙ୍କ ସହିତ ପରିଚୟ କରାଉ ଥାଆନ୍ତି । ରାଜନୀତି ବିଜ୍ଞାନର ଲେକ୍ଚରର ଅରୁନ୍ଧତୀ ମାଡାମ ଯେତେବେଳେ ସ୍ମୃତିକୁ ତାଙ୍କ ପତିଙ୍କ ସହିତ ପରିଚୟ କରାଇଲେ, ତାଙ୍କ ମୁହଁରେ ଗର୍ବର ଏକ ଚମକ ଝଲସି ଯାଉଥିଲା, ପତିଙ୍କୁ ଦେଖେଇ କହିଲେ, ମିଟ୍ ମାଇଁ ହଜବ୍ୟାଣ୍ଡ ଅବିନାଶ, ଆଇ. ଏ. ଏସ୍, ସେକ୍ରେଟେରୀଏଟରେ ଜଏଣ୍ଟ ସେକ୍ରେଟାରୀ ଅଛନ୍ତି, ରେଭେନ୍ୟୁ ଡିପାର୍ଟମେଣ୍ଟରେ । ଏବେ ସ୍ମୃତିର ପାଳି, ନିଜ ପତିଙ୍କୁ ସେମାନଙ୍କ ସହିତ ପରିଚୟ କରାଇବାକୁ କିନ୍ତୁ କଣ କହି ସୁଧାକରକୁ ପରିଚୟ କରେଇବ ସେ ଭାବି ପାରୁନଥିଲା । ସେଦିନ ପ୍ରଥମ ଥର ପାଇଁ ତାର ମୁଣ୍ଡ ଲାଜରେ ନଇଁ ଆସୁଥିଲା । ସୁଧାକର ନାମକ ଏଇ ପୁରୁଷଟି ହଠାତ୍ ସ୍ମୃତିର ମନଭିତରେ ଥିବା ଦେବତାର ଆସନରୁ ତଳକୁ ଖସି ଆସୁଥିଲା, ସ୍ମୃତିର ଆଖି ସାମ୍ନାରେ । କେଉଁ ଏକ ସଙ୍କୋଚରେ ସ୍ମୃତି ସେଇ ଖସି ପଡୁଥିବା ଦେବତାର ମୁର୍ତ୍ତିଟିକୁ ଇଚ୍ଛା କରି ବି ହାତ ବଢାଇ ଧରିନେବାକୁ ଚେଷ୍ଟା କରି ପାରୁନଥିଲା । ବରଂ ଡକ୍ଟର ସ୍ମୃତି ତଳେ ପଡି ଖଣ୍ଡ ବିଖଣ୍ଡିତ ହୋଇ ଯାଉଥିବା ସେଇ ମୁର୍ତ୍ତି ଉପରେ ପାଦଦେଇ ସଗର୍ବରେ ଆଗକୁ ବଢିଯିବା ପାଇଁ ଚାହୁଁଥିଲା ।

ବଡ କଷ୍ଟରେ ସ୍ମୃତି ନିଜକୁ ସଜାଡିନେଇ, ସୁଧାକର ଆଡକୁ ହାତ ଦେଖାଇ କହିଲା, ସୁଧାକର ଦାଶ, ମୋ ପତି, କଲେକ୍ଟର ଅଫିସରେ ହେଡକ୍ଲର୍କ ଅଛନ୍ତି । ଅବିନାଶ ଟିକିଏ ହସିଦେଇ କହିଲେ, ହଁ ମାଡାମ, ମୁଁ ଜାଣିଛି ଆପଣଙ୍କ ପତିଙ୍କୁ, ଦିବର୍ଷ ଆଗରୁ ମୁଁ କଲେକ୍ଟର ଥିଲି ଏଇଠି । ସୁଧାକର ବାବୁ ବହୁତ ପରିଶ୍ରମୀ ସଚ୍ଚୋଟ ଏବଂ ମେଳାପି ଭଦ୍ରବ୍ୟକ୍ତି । ଅବଶ୍ୟ ବଡବାବୁ ଥରେ ଦିଥର ମୋତେ କହିଥିଲେ ତାଙ୍କ ବିଷୟରେ, ଅଫିସରେ ପ୍ରାୟ ସମସ୍ତେ ଜାଣିଥିଲେ ସୁଧାକର ବାବୁଙ୍କୁ । ଆପଣଙ୍କ ପାଠପଢା ପାଇଁ ସେ କେତେ ପରିଶ୍ରମ ଆଉ ତ୍ୟାଗ କରିଛନ୍ତି । ବହୁତ ଭଲ ପାଆନ୍ତି ଆପଣଙ୍କୁ । ଭାଗ୍ୟରେ ଥିଲେ ଏପରି ପତି ମିଳନ୍ତି । ମୋର ତ ବେଳେ ବେଳେ ଇର୍ଷା ହୁଏ ସୁଧାକର ବାବୁଙ୍କ ଉପରେ । ମୁଁ ତାଙ୍କ ପରି ଲଭିଙ୍ଗ ପତିଟିଏ ହୋଇପାରି ଥାଆନ୍ତି ହେଲେ । ସତ କହିବାକୁ ଗଲେ, ମୁଁ ତାଙ୍କ ବ୍ୟବହାରରେ ବହୁତ ପ୍ରଭାବିତ, ଆଦର୍ଶ ପତି ଭାବରେ ସୁଧାକରବାବୁ ନିଶ୍ଚୟ ମୋର ଆଦର୍ଶ । ଅରୁନ୍ଧତି ଖୁସିରେ ସ୍ମୃତିକୁ କୁଣ୍ଢାଇ ଧରି କହିଲେ, ସତରେ ସ୍ମୃତି ୟୁ, ଆର ରିଏଲି ଭେରି ଲକି ୱାଇଫ୍ । ଏତେ ସ୍ନେହ ଆଉ ଭଲପାଇବା ସବୁ ପତ୍ନୀଙ୍କ ଭାଗ୍ୟରେ ନଥାଏ ।

ସ୍ମୃତିକୁ ଲାଗୁଥିଲା, ସେମାନେ ଯେପରି ସୁଧାକରର ପ୍ରଶଂସା କରୁ ନଥିଲେ ବରଂ ଏପରି କହି ତାର ଅସ୍ମିତା, ତାର ଅହଂକାର ଉପରକୁ ପଥର ଫିଙ୍ଗୁଥିଲେ । ଯେପର ସ୍ମୃତିର ସବୁ ପାରିବାପଣ, ତାର ସବୁ ଉପଲବ୍ଧିର ଶ୍ରେୟଂ ସୁଧାକର ଗର୍ବର ସହିତ ଚୋରାଇ ନେଉଥିଲା । ସାପ-ଶିଢି ଖେଳରେ ଶିଢି ଚଢି ଚଢି ସେ ଯେତେବେଳ ଶିର୍ଷରେ ପହଞ୍ଚିବାର ଉତ୍ସବ ମନାଉ ଥିଲା ସେତେବେଳେ ସୁଧାକର ନାମକ ଏଇ ସାପଟି ସତରେ ତାକୁ ଗିଳିନେଇ ପୁଣି ସେଇ ଶୂନ୍ୟରେ ପହଞ୍ଚାଇ ଦେଇଛି । ମନସ୍ତତ୍ୱ ବିଭାଗର ଅଧ୍ୟାପିକା ଡଃ ସ୍ମୃତି ଦାଶର ସମସ୍ତ ଆତ୍ମଅଭିମାନ, ଗୌରବ, ସାମାନ୍ୟ ଗୋଟାଏ କିରାଣୀ ଆଗରେ ଫିକା ପଡିଆସୁଥିଲା । ଏଇ ତାର ଅସ୍ତିତ୍ୱ ଯେପରେ ସୁଧାକର ନାମକ ବୈଶାଖୀର ସାହାରା ନେଇ ଠିଆ ହୋଇଛି । ସତେ ଅବା ସୁଧାକର ବିନା ତାର ଅନ୍ୟ କିଛି ପରିଚୟ ହିଁ ନାହିଁ । ଆଜି ତା ଝୁଲାମୁଣିରେ ଯାହା କିଛିବି ଅଛି, ସେସବୁ ତାକୁ ଏଇ ମହାନ ସୁଧାକର ଦାଶର ଦୟାରୁ ମିଳିଛି । ସ୍ମୃତିକୁ ଲାଗୁଥିଲା ହଲ୍‌ର ସବୁ ଅଲୋକର ରଶ୍ମି ଯେପରି ସୁଧାକର ଉପରେ ହିଁ କେନ୍ଦ୍ରୀତ ହୋଇ ରହିଯାଇଛି, ଏବଂ ସେଇ ସ୍ପଟଲାଇଟ୍‌ର ପରିଧୀର କେନ୍ଦ୍ରରେ ସୁଧାକର ସଗର୍ବରେ ମୁଣ୍ଡ ଉଚ୍ଚା କରି, ଛାତି ଫୁଲାଇ ଠିଆ ହୋଇଛି । ଆଉ ସେ ନିଜେ, ଏତେ ବଡ କନଫରେନ୍ସ ହଲର କେଉଁ ଗୋଟିଏ କୋଣରେ ମିଞ୍ଜି ମିଞ୍ଜି ଆଲୁଅ ତଳେ ନତମସ୍ତକ ହୋଇ ଠିଆ ହୋଇଛି ଏବଂ ସମସ୍ତେ ତାକୁ ଆଙ୍ଗୁଠି ଦେଖାଇ ହସୁଛନ୍ତି, ବଡ ବିଦ୍ରୁପର ହସ ।

ସ୍ମୃତି ଆଉ ସହି ପାରୁନଥିଲା । ସେ ଭାବୁଥିଲା ଏତେ ଉଚ୍ଚତାରେ ପହଞ୍ଚିବା ପରେ ବି ଶିଡିଟାକୁ ସେ କାହିଁକି ଯେ ଜାବୁଡି ଧରିଛି ? ଏଠି ପହଞ୍ଚିଲା ପରେ ଏଇ ଦଦରା ଶିଢିଟିକୁ ସାଇତି ରଖିବା ତା ପାଇଁ କଣ ନିହାତି ଜରୁରୀ ? ନା ଆଦୌ ନୁହେଁ, ଗନ୍ତବ୍ୟରେ ପହଞ୍ଚିଗଲା ପରେ ଟାକ୍ସିକୁ ଅଟକେଇ ରଖିବା କଣ ବୋକାମି ନୁହେଁ ? ଇପ୍ସିତ ଉଚ୍ଚତାରେ ପହଞ୍ଚିଯିବା ପରେ ବି ଏ ଶିଢିଟିକୁ ଜାବୁଡି ଧରିରଖିବାର ଆବଶ୍ୟକତା କାହିଁକି? ତା ପାଇଁ ଶିଢିର କାମ ସରିଯାଇଛି, ସେ ଏବେ, ଆଜି ଏଇଠି ଏଇ ଅଦରକାରୀ ଶିଢିଟିକୁ ଭାଙ୍ଗି ଟୁକୁଡା ଟୁକୁଡା କରିଦେବ । ଏଇ ଶିଢିଟାହିଁ ତାର କଳଙ୍କ । ସ୍ମୃତି ଆଉ ଭାବି ପାରୁନଥିଲା, ଦ୍ରୁତ ଗତିରେ ସେ ହଲ୍‌ର ବାହାରକୁ ଚାଲିଆସିଲା, ତା ପଛେ ପଛେ ସୁଧାକର ଏକ ପ୍ରକାର ଧାଇଁ ଆସି ସ୍ମୃତିକୁ ଅଟକେଇବାକୁ କହୁଥିଲେ, ରୁହ ସ୍ମୃତି, କଣ ହେଲା ଏପରି କାହିଁକି ଚାଲି ଆସିଲ । ଟିକେ ଅପେକ୍ଷା କର, ପାର୍କିଂରୁ ମୁଁ ସ୍କୁଟରଟା ବାହାର କରେ ଆମେ ଘରକୁ ଯିବା । ସୁଧାକର ପାର୍କିଂରୁ ଯେତେବେଳେ ସ୍କୁଟରେ ନେଇ ସେଇଠି ପହଞ୍ଚିଲେ, ସ୍ମୃତି ସେତେ ବେଳକୁ ସେଠି ନଥିଲା । ପାଖରେ ଠିଆ ହୋଇଥିବା ଜଣେ ଭଦ୍ରବ୍ୟକ୍ତି ସୁଧାକରଙ୍କ ପାଖକୁ ଆସି କହିଲେ, ସ୍ମୃତି ମାଡାମ ଏବେ ଏବେ ଟାକ୍ସିନେଇ ବାହାରି ଗଲେ । ସୁଧାକର ସ୍କୁଟରଟା ଉପରେ ବସି ଭାବୁଥିଲା, ହଠାତ୍ କଣ ହୋଇଗଲା ସ୍ମୃତିର?

× × × ×

ସୁଧାକର ଘରେ ପହଞ୍ଚି ଦେଖିଲେ, ସ୍ମୃତି ତଳକୁ ମୁହଁପୋତି ସୋଫାଟା ଉପରେ ଗୁମ୍‌ମାରି ବସିଛି, ଯେପରି କିଛି ଗଭୀର ଚିନ୍ତା ଭିତରେ ହଜି ଯାଇଛି ସେ । ସୁଧାକର ସ୍ମୃତି ପାଖରେ ବସିପଡି ପଚାରିଲେ, କଣ ହେଲା ସ୍ମୃତି ? ତୁମେ ହଠାତ୍ ଏମିତି ଚାଲି ଆସିଲ ଯେ, କଣ ଭାବିଥିବେ ସେମାନେ ? ତାଛଡା ସ୍କୁଟର ବାହାର କରିବା ପର୍ଯ୍ୟନ୍ତ ବି ତୁମେ ଅପେକ୍ଷା କଲନି । ତୁମ ଦେହ ଠିକ୍ ଅଛିତ ? କହି ସୁଧାକର ସ୍ମୃତିର କପାଳ ପାଖକୁ ନିଜର ହାତ ବଢାଉଥିଲେ, କିନ୍ତୁ ଠିକ୍ ସେତିକିବେଳେ ସ୍ମୃତି ସେଇଠୁ ଉଠିଯାଇ ସାମନା ସୋଫାରେ ବସି ସୁଧାକରଙ୍କୁ ବଡ କର୍କଶ ଭାବରେ ଚାହିଁ କହିଲା, ‘ମୁଁ ଡିଭୋର୍ସ ଚାହୁଁଛି’ !

ଡିଭୋର୍ସ ? ମାନେ?? କଣ କହୁଛ ସ୍ମୃତି? ତୁମେ ବୁଝିପାରୁଛ ତୁମେ କଣ କହୁଛ ? କିନ୍ତୁ ହଠାତ୍ ଏମିତି କଣ ହୋଇଗଲା ? ସମାରୋହ ସରିବା ପର୍ଯ୍ୟନ୍ତ ତ ସବୁ କିଛି ଠିକଥିଲା । ହଠାତ୍ କଣ ହୋଇଗଲା ତୁମର ? ଦେଖ ସ୍ମୃତି, ମୁଁ ବୁଝି ପାରୁନି ତୁମେ ହଠାତ୍ ଏପରି ଗୋଟିଏ ନିଷ୍ପତ୍ତି କିପରି ଓ କାହିଁକି ନେବାକୁ ଚହୁଁଛ ? କଣ ବା ମୋର ଭୂଲ ? ମୁଁ ଏପରି କଣ ମସ୍ତବଡ ଅପରାଧଟାଏ କରିଦେଲି ଯେ, ତୁମେ ମୋର ମତାମତ କିମ୍ବା ଆମର ଏଇ ଛୋଟ ସଂସାରଟିର ଭବିଷ୍ୟତ ବିଷୟରେ ମଧ୍ୟ ଟିକେ ଚିନ୍ତା କରିପାରିଲନି । ମୁଁ ଯଦି ଏପରି କିଛି ଭୂଲ କରିଦେଇ ଥାଏ, ଯାହା ତୁମକୁ ବହୁତ୍ କଷ୍ଟ ଦେଇଛ, ପତ୍ନୀ ହିସାବରେ ତୁମ କଣ ମୋତେ କ୍ଷମା କରିଦେଇ ପାରିବନି ? ପତ୍ନୀ ହିସାବରେ ତୁମ ମୋତେ ଆକଟବି ତ କରିପାରିବ, ହେଲେ ତୁମେ ତୁମର ଏ ଅଧିକାର ସାବ୍ୟସ୍ତ କରିବାକୁ ମଧ୍ୟ ଚାହୁଁନ । ହଠାତ୍ ତୁମର ଏପରି ନିଷ୍ପତ୍ତି, ମୁଁ କିଛି ବୁଝି ପାରୁନି । ତୁମର ଯାହାବି ସମସ୍ୟା ଅଛି, ତୁମେ ସବୁ ମୋ ସହିତ ସେୟାର କରିପାରିବ । ଆମେ ଦୁହେଁ ଏକାଠି ବସି ସେ ବିଷୟରେ ଆଲୋଚନା କରି ସମାଧାନର କିଛି ରାସ୍ତା ଖୋଜି ପାରିବା । ଦୁହେଁ ବସି ଚିନ୍ତା କରିବା, ଯଦି ଏପରି କିଛି କରିବା ନିହାତି ଆବଶ୍ୟକ ହୁଏ, ତେବେ ମୁଁ ତୁମ ସାଥିରେ ଅଛି । ତମର ସବୁ ନିଷ୍ପତ୍ତିରେ ମୁଁ ତୁମ ସାଥିରେ ଅଛି । ବଡ ବିନମ୍ର ଭାବରେ ଏତିକି କହି ନୀରବ ହୋଇଗଲେ ସୁଧାକର ବାବୁ । ସ୍ମୃତି ମୁହଁରୁ ତାଙ୍କ ପ୍ରଶ୍ନର ଉତ୍ତର ଚାହୁଁଥିଲେ, ଜିଜ୍ଞାସୁ ଅଥଚ କରୁଣ ଭାବରେ ଚାହିଁ ରହିଥିଲେ ସ୍ମୃତିର ମୁହଁକୁ ।

ତଥାପି ସ୍ମୃତି ନୀରବ, ଏଇ ନୀରବତା ବଡ ଅସହ୍ୟ ଲାଗୁଥିଲା ସୁଧାକରଙ୍କୁ । ପୁଣି ପଚାରିଲେ, କଣ ଅଭାବ କରିଛି ମୁଁ ତୁମର, ତୁମେ ବି ତ ଚାକିରୀ କରୁଛ, ତୁମେ ସ୍ୱୟଂ ସମ୍ପୁର୍ଣ, ଆତ୍ମ ନିର୍ଭରଶୀଳ ନାରୀ । ହଁ ମୁଁ ମାନୁଛି, କୌଣସି ନାରୀ କିମ୍ବା ପୁରୁଷ ପାଇଁ ଆତ୍ମ ନିର୍ଭରୀଶୀଳ ହୋଇ ଯିବାଟା ଯଥେଷ୍ଟ ନୁହେଁ । ତୁମେ କୁହ, ସ୍ୱମୀ ହିସାବରେ, ପୁରୁଷ ହିସାବରେ, ମୋ ପାଖରେ କେଉଁ ଜିନିଷଟିର ଅଭାବ, ତୁମକୁ ଆଜି ମୋ ଠାରୁ ଅଲଗା ହୋଇ ଯିବାର ନିଷ୍ପତ୍ତି ନେବାପାଇଁ ବାଧ୍ୟ କରୁଛି । ମୁଁ କିଛି ବୁଝି ପାରୁନି, କିଛିତ କୁହ ସ୍ମୃତି, ତୁମର ଏ ଚୁପ ରହିବାଟା ମୋ ପ୍ରାଣ ନେଇଯିବ, ପ୍ଲିଜ୍ ସ୍ମୃତି, କିଛି କୁହ, ପ୍ଲିଜ୍ ।

ଏତିକି କହୁ କହୁ ସୁଧାକର ବାବୁ ସୋଫାରୁ ଉଠିପଡି ସ୍ମୃତି ପାଖକୁ ଯାଇ, ନିଜ ଅଜାଣତରେ, ଭାବାବେଗରେ ସ୍ମୃତିର ହାତକୁ ଧରି ପକାଇଥିଲେ । ହେଲେ ହାତକୁ ଛିଞ୍ଚାଡି ଦେଇ ଠିଆହୋଇ ପଡିଲା ସ୍ମୃତି । ଆଜି ମୁଁ ତୁମର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁନି । ମୁଁ ଥରେ ନିଷ୍ପତ୍ତି ନେଇ ସାରିଛି ତ ନେଇ ସାରିଛି । ଏବେ ମୁଁ ଆଉ ମୋର ନିଷ୍ପତ୍ତି ବଦଳେଇବାର ମୁଡ୍ ରେ ନାହିଁ । ତୁମ ସହିତ ଗୋଟିଏ ଛାତତଳେ ମୁଁ ଆଉ ଗୋଟିଏ ମୁହୁର୍ତ୍ତ ବି ରହିବାକୁ ଚାହୁଁନି । ମୁଁ ଏଇଠି ଅଣନିଶ୍ଵାସୀ ଫିଲ୍ କରୁଛି, ମୋତେ ଏ ଘର ନର୍କ ପରି ଲାଗୁଛି ।

କିନ୍ତୁ କାହିଁକି ? କାହିଁକି ତୁମେ ଅଣନିଶ୍ଵାସୀ ଫିଲ୍ କରୁଛ ? ତୁମକୁ କଣ ଯଥେଷ୍ଟ ସ୍ୱାଧୀନତା ଦିଆ ଯାଇନି ? ତୁମର ଚାଲି ଚଳନ, ଆଚାର ବ୍ୟବହାର ଦୈନନ୍ଦିନ ଜୀବନ ଉପରେ କଣ କିଛି କଟକଣା କିମ୍ବା କିଛି ଜବରଦସ୍ତ ଲଦି ଦିଆ ଯାଇଛି ? ତୁମେ ଯେତେବେଳେ ନୁଆ ବୋହୁ ହୋଇ ଏ ଘରକୁ ଆସିଥିଲ, ତୁମର ପଢିବାର ଆଗ୍ରହ ଦେଖି, ବାପା ବୋଉଙ୍କ ସାଙ୍ଗେ ଲଢେଇ କରି ମୁଁ ତୁମକୁ ସବୁ ପ୍ରକାର ସାହାଯ୍ୟ କରିଛି । ରାତି ରାତି ତୁମର ପାଖରେ ବସି ତୁମ ପରୀକ୍ଷା ପାଇଁ ପାଠ ପଢାରେ ସାହାଯ୍ୟ କରିଛି, ତୁମକୁ ନିଦ ଆସିବା ଆଗରୁ ଗରମ ଚା କପ୍ ତୁମ ହାତକୁ ବଢେଇ ଦେଇଛି । ଅଫିସ୍‌ରେ ପଛେ ମୋର ଡେରି ହେଉ, ମୁଁ ତୁମର କଲେଜ କେବେ ଡେରି ହେବାକୁ ଦେଇନି । ମୁଁ ପଛେ ସେଇ କିରାଣୀ ପୋଷ୍ଟରେ ଅଟକି ଗଲି, ହେଲେ ତୁମର ଅଧ୍ୟାପିକା ହେବାର ସ୍ୱପ୍ନକୁ ପୁରା କରିବାରେ ମୁଁ କେବେ ବି ହେଲେ ହେଳା କରିନି।

ବାଃ, ସ୍ମୃତି ଗୋଟେ ତାତ୍ସଲ୍ୟର ହସ ହସିଲା, ତାଳି ବଜାଇ କହିଲା, ବାଃ ରେ ବାଃ, ତୁମର ଏଇ ପୁରୁଷ ଜାତିର ଅହଙ୍କାର, ବଡ ଦୟାବାନ ତୁମେ । ମୋତେ ମୋ ପରି ଜୀଇଁବାର ଅଧୀକାର ଦେଇ ବଡ ଦୟା ଦେଖାଇଛ ତୁମେ । ମୁଁ ବି ତୁମ ପରି ପାଠ ପଢିଛି, ସରକାରୀ ଚାକିରୀ କରିଛି, ମାସ ଶେଷରେ ମୋଟା ରକମର ଦରମା ନେଉଛି, ମୁଁ ତ କେବେ କହିନି, ମୁଁ ତୁମକୁ ସ୍ୱାଧୀନତା ଦେଇଛି ବୋଲି ।

ପ୍ଲିଜ୍ ସ୍ମୃତି, ତୁମେ ଆଉ କଥାର ଖିଅ ବାହାର କରନା । ଥରେ ଭାବି ଦେଖ, କାଲି ଯେଉଁମାନେ ଆମ ସ୍ୱାମୀ ସ୍ତ୍ରୀ ସମ୍ପର୍କର ଉଦାହରଣ ଦେଉଥିଲେ, ‘ମେଡ ଫର ଇଚ୍ ଅଦର’ କହୁଥିଲେ, ସେମାନେ ଆଜି କଣ କହିବେ ? ଏଇୟା ନା, ଯେ ସୁଧାକର ଦାଶ ଗୋଟେ ଆଦର୍ଶ ସ୍ୱାମୀର ମୁଖା ପିନ୍ଧିଥିଲା, ଆଉ ସ୍ମୃତି ଦେବୀ ଜଣେ ପୋଖତ ଅଭିନେତ୍ରୀ ପରି ସ୍ତ୍ରୀର ନିଖୁଣ ଅଭିନୟ କରୁଥିଲା ! ଯେଉଁମାନେ କାଲି ଆମକୁ ନମସ୍କାର କରୁଥିଲେ, ସମ୍ମାନ ଦେଉଥିଲେ, ଆଜି ସେମାନେ ସେଇ ହାତର ଆଙ୍ଗୁଠି ଦେଖେଇ ଆମକୁ ଥଟ୍ଟା କରିବେ ।

ଲୋକେ କଣ କହିବେ ବୋଲି, ସେମାନଙ୍କର ମତାମତକୁ ସମ୍ମାନ ଦେବାକୁ ଯାଇ ମୁଁ ଆଉ ମୋ ନିଜକୁ ଆଉ ଅଧିକ ଅପମାନିତ କରି ପାରିବିନି । ମୋର ବି ଗୋଟିଏ ଷ୍ଟେଟସ୍ ଅଛି, ସମ୍ମାନ ଅଛି, ସ୍ୱତନ୍ତ୍ର ଇଚ୍ଛା ଅଛି, ବଡ ବିରକ୍ତି ଓ କ୍ରୋଦ୍ଧଭରା ସ୍ୱରରେ କହି ଉଠିଲା ସ୍ମୃତି ।

ମୋର ସ୍ତ୍ରୀର ପରିଚୟରେ ତୁମେ ଅପମାନିତ ବୋଧ କରୁଛ ? ବାସ୍ ସ୍ମୃତି !!! ବାସ୍, ବହୁତ ହୋଇଗଲା, ଏସବୁ ଶୁଣିଲା ପରେ ଆମେ ସ୍ୱମୀ ସ୍ତ୍ରୀ ହେବାତ ବହୁତ ଦୂରର କଥା, ଆମେ ଦୁଇଜଣ ସାଧାରଣ ବନ୍ଧୁ ହୋଇ ରହିବାର ଯୋଗ୍ୟତା ବି ହରାଇ ବସିଲେଣି । ତଥାପି, ମୁଁ ତୁମକୁ ଗୋଟାଏ ଅନୁରୋଧ କରିବି, ଆଶା କରୁଚି….. ହଠାତ୍ ଅଟକି ଗଲେ ସୁଧାକର । ସ୍ମୃତିର କ୍ରୋଦ୍ଧରେ ଜଳୁଥିବା ଦୁଇଟି ବଡବଡ ଆଖି ଚାହିଁ ରହିଁଥିଲା ସୁଧାକରକୁ ଏକ ଲୟରେ, ଏକ ପ୍ରଶ୍ନବାଚୀ ଦୃଷ୍ଟିରେ ।

ସୋଫା ଉପରେ, ଦୁଇ ହାତ ପାପୁଲିରେ ମୁହଁରେ ଭରା ଦେଇ ବସିପଡିଲା ସୁଧାକର । କିଛିକ୍ଷଣ କଣ ଭାବି, ଏକ ଦୀର୍ଘ ନିଶ୍ୱାସ ଛାଡି କହିଲା, ଦେଖ ସ୍ମୃତି, ଆମେ ସ୍ୱମୀ ସ୍ତ୍ରୀ ହୋଇ ପାରିବାନି, ଦୁଇ ବନ୍ଧୁ ହେବାର ଯୋଗ୍ୟତା ଆମେ ହରାଇ ସାରିଲେଣି । କିନ୍ତୁ କେଉଁ ଏକ ପାନ୍ଥଶାଳାରେ ରାତିଟିଏ ପାଇଁ, ଦୁଇଟି ଅଜଣା ଯାତ୍ରୀ, କଣ ଏକାଠି କେତୋଟି ଘଣ୍ଟା କଟେଇ ପାରିବେନି ? ମନେ କରିନିଅ, ସେମିତି ଆମର ଏ ସମ୍ପର୍କ, ଆମେ କେହି କାହାକୁ ଚିହ୍ନିନେ, କାହା ବିଷୟରେ କାହାର କିଛି ଜାଣିବାର ଆବଶ୍ୟକତା ନାହିଁ, ଆଗ୍ରହ ବି ନାହିଁ, ହେଲେ ଏକାଠି ରହିବା ଛଡା ଆମର ଅନ୍ୟ କିଛି ଉପାୟ ନାହିଁ । ଏ କଥା ମୁଁ ମୋ ପାଇଁ କହୁନି, କି ସମାଜକୁ ଦେଖେଇବାକୁ ନୁହେଁ । ବରଂ ମୋର ଏଇ ଅନୁରୋଧ କେବଳ ଆମର ଏଇ ଦୁଇ ସନ୍ତାନଙ୍କ ପାଇଁ । ତୁମେ ଭଲ ଭାବରେ ଜାଣିଛ, ମୁଁ ସେମାନଙ୍କ ବିନା ବଞ୍ଚି ପାରିବିନି ଏବଂ ସେମାନେ ତୁମ ବିନା । ତା ଛଡା….ତା ଛଡା, ଆମେ ଅଲଗା ହୋଇଗଲେ, ସେମାନଙ୍କ ଉପରେ କେଉଁ ପ୍ରକାରର ପ୍ରଭାବ ପଡିବ? ସେମାନେ ଆମଠୁ କଣ ଶିକ୍ଷିବେ ? ସବୁଠାରୁ ବଡ କଥା, ଏପରି ପରିସ୍ଥିତିରେ ସେମାନଙ୍କର ପୂର୍ଣ୍ଣ ବିକାଶ ହୋଇ ପାରିବ ତ ? ତୁମେ ତ ମନସ୍ତତ୍ୱର ଅଧ୍ୟାପିକା, ମଣିଷର ମନ ପଢିପାର, ବୁଝିପାର । ତୁମେ ବିଚାର କର, ଆମ ବଡମାନଙ୍କର ମାନ ଅଭିମାନର ଲଢେଇ ସେମାନଙ୍କ ଭବିଷ୍ୟତକୁ ଖିନଭିନ କରି ବିଗାଡି ଦେବନିତ ?

ମୁଁ ସାମାନ୍ୟ କିରାଣୀଟିଏ, ତୁମ ପରି ଏତେ ଜ୍ଞାନ କୌଶଳ ମୋ ପାଖରେ ନାହିଁ । ମୋର ଯଦି କିଛି ଭୁଲ ଥାଏ ତେବେ ତାର ଦଣ୍ଡ ଏଇ ନୀରିହ, କୋମଳ ଶିଶୁମାନଙ୍କୁ ଦିଅନି । ସେମାନେ ଆଉ କେହି ନୁହଁନ୍ତି, ତୁମର ଜନ୍ମ କଲା ସନ୍ତାନ, ସେମାନଙ୍କର ଜୀବନକୁ ନର୍କ ହେବାକୁ ଦିଅନି, ପ୍ଲିଜ୍ । କଥାର ଶେଷ ଆଡକୁ ସୁଧାକରଙ୍କ ଆଖି ଛଳ ଛଳ ହୋଇ ଆସୁଥିଲା । କଣ୍ଠ ରୁନ୍ଧିହୋଇ ଯାଇଥିଲା କେଉଁ ଏକ ଅଜଣା ଆବେଗରେ । ଏତିକି କହି ହଠାତ୍ ଝଡ ବେଗରେ ରୁମ୍ ଭିତରୁ ବାହାରି ଗଲା ସୁଧାକର, ଏବଂ ଥମ୍ କରି ସୋଫା ଉପରେ ବସିଗଲା ସ୍ମୃତି ।

ସୁଧାକର ଗଲାବେଳେ କବାଟଟା ସେମିତି ଖୋଲା ଛାଡିଦେଇ ଚାଲିଗଲା । ମୁଣ୍ଡ ଉପରେ ସିଲିଂ ଫ୍ୟାନଟା ଫୁଲସ୍ପିଡିରେ ଘୁରୁଛି । ଆଉ ସ୍ମୃତିର ମନ ଭିତରେ ପୁଣି ଏକ ନୁଆ ଲଢେଇ ଆରମ୍ଭ ହୋଇଯାଇଛି । ଘଟଣାଟାକୁ ସେ ପୁଣିଥରେ ମନେପକାଇବାକୁ ଚେଷ୍ଟା କରୁଥିଲା । ଇତସ୍ତତ ବିଞ୍ଚି ହୋଇ ପଡିଥିବା ଗୋଟିଏ ବାକ୍ୟର ଶବ୍ଦଗୁଡିକୁ ପୁଣିଥରେ ସଜାଡି, ଆଉଥରେ ପଢିବାକୁ ଚେଷ୍ଟା କରୁଥିଲା । ଅଭିମାନରେ ପ୍ରେମିକର ଚିଠିକୁ ଟୁକୁଡା ଟୁକୁଡା କରି ଚିରି ଫିଙ୍ଗିବା ପୂର୍ବରୁ ସତେ ଯେପରି ହାତ ଅଟକି ଯାଇଛି ଅଭିମାନୀ ପ୍ରିୟାର । ପୁଣି ଥରେ ଟେବୁଲ ଉପରେ ଚିଠିର ଟୁକୁଡା ଗୁଡିକୁ ଏକାଠି ଯୋଡିବାକୁ ଚେଷ୍ଟାକରୁଛି । ଚେଷ୍ଟା କରୁଛି ପୁଣିଥରେ ସେଇ ଚିରା ଟୁକୁଡାଗୁଡିକୁ ଏକାଠି ସଜାଡି ଶେଷଥର ପାଇଁ ପଢିନେବ । ହୁଏତ ପ୍ରଥମଥର ପଢିଲା ବେଳେ କିଛି ବାକ୍ୟ ଠିକ୍‌ ଠିକ୍‌ ବୁଝି ପାରିନଥିଲା ସିଏ ।

ସ୍ମୃତି ଭାବୁଥିଲା, ଅରୁନ୍ଧତିର କଥା ଶୁଣି ସେ ଏତେ ଅସହିଷ୍ଣୁ କାହିଁକି ହୋଇଗଲା, ଏଇଟା କଣ ଇର୍ଷା, ଅନ୍ୟର ଦେଖି, ନିଜର ନଥିବାର ହୀନ ଭାବନା । ଅରୁନ୍ଧତିର ପତି ଆଇ. ଏ. ଏସ, ଆଉ ସ୍ମୃତିର ପତି ସାମାନ୍ୟ କିରାଣୀଟିଏ । ଏଥିରେ ସୁଧାକରର କଣ ଭୂଲ୍ ? ଏତେବର୍ଷ ପରେ ବି ଟିକିଏ ହେଲେ ବଦଳିନି ସିଏ, ହଁ କେବଳ ବୟସ କିଛି ବଢି ଯାଇଛି, କ୍ଲକରୁ ହେଡକ୍ଲର୍କ ହୋଇଯାଇଛି ସେ, ଦରମା ବି କିଛି ବଢିଯାଇଛି, ନହେଲେ ଏସବୁ ବ୍ୟତୀତ ଆଉ କେଉଥିରେ କିଛି ପରିବର୍ତ୍ତନ ହୋଇନି ତାଙ୍କର, ସେ କାଲି ଯେମିତି ଥିଲା ଆଜିବି ସେମିତି ଅଛି । କିନ୍ତୁ ସ୍ମୃତି ଅଣ୍ଡର ଗ୍ରାଜୁଏଟରୁ ବଢି ବଢି ଆଜି ପିଏଚଡି କରି ଡକ୍ଟରେଟ୍ ଉପାଧୀରେ ବିଭୁଷିତ ହୋଇଯାଇଛି, ସାମାନ୍ୟ ଗୃହିଣୀ ସ୍ମୃତିରୁ ପ୍ରାଧ୍ୟାପିକା ଡଃ ସ୍ମୃତି ଦାଶ ହୋଇଯାଇଛି । ତାର ଏ ଲମ୍ବାଯାତ୍ରା ସେକଣ ଏକୁଟିଆ ଚାଲିଛି ? ସୁଧାକର ସାଥିରେ ନଥିଲେ ଏସବୁ କଣ ସମ୍ଭବ ହୋଇ ପାରିଥାଆନ୍ତା ତା ପାଇଁ ? ଯେଉଁ ସୁଧାକର ତାକୁ ଉଡିବା ଶିଖେଇଲା, ଆଜି ସ୍ମୃତି ତାକୁ ସେଇ ଭୂଇଁ ଉପରେ ଛାଡି ଆକାଶର ଶୀର୍ଷରେ ପହଞ୍ଚି ଯାଇଛି, ଏବଂ ଆକାଶର ଏଇ ଉଚ୍ଚତାରେ ନିଜେ ସଗର୍ବରେ ଅଟକି ଯିବାକୁ ଚାହୁଁଛି ? କିନ୍ତୁ ସେ କିପରି ଭୂଲି ଯାଉଛି, ସଂଧ୍ୟା ଘୋଟି ଆସିବା ପୂର୍ବରୁ ସାମାନ୍ୟ ଚଢେଇଟିଏବି ମାଟିର ପୃଥିବୀକୁ, କେଉଁ ଏକ ତରୁଡାଳରେ ବନ୍ଧା ତାର ଛୋଟ ନୀଡଟିକୁ ଫେରିଆସେ । କାରଣ ଛୋଟ ପକ୍ଷୀଟିବି ଜାଣିଥାଏ, ଯଦି ସେ କେବେ ଥକିଯିବ, ସେତେବେଳେ ଅନନ୍ତ ଆକାଶର ଅସୀମ ଉଚ୍ଚତାରେ ମୁହୂର୍ତ୍ତେ ବିଶ୍ରାମ ପାଇଁ ବସିବାକୁ ଜାଗା ଟିକିଏ ବି ନାହିଁ । ତାକୁ ସେଇ ମାଟିକୁ ଫେରିବାକୁ ହିଁ ହେବ । କିନ୍ତୁ ଏ ସାମାନ୍ୟସରଳ କଥାଟି ସ୍ମୃତି କେମିତି ଭୂଲି ଯାଉଛି? ଏମିତି ଉଚ୍ଚାରେ ଉଡୁ ଉଡୁ କାଲି ସେ ଯେତେବେଳେ ଥକିଯିବ, କେଉଉଁଠିକୁ ଫେରିବ ସେ ? ଆଜି ସେ ନିଜେ ଅତି ଯତ୍ନରେ ସଜଡା ନିଜର ଛୋଟିଆ ନୀଡଟିକୁ ନିଜ ହାତରେ ଭାଙ୍ଗି ଦେବାକୁ ବସିଛି ।

ସମ୍ପର୍କକୁ ସ୍ୱାର୍ଥର ଡୋରୀରେ ବାନ୍ଧିଦେଇ କେତେ ଛୋଟ କରିଦେଇ ପାରିଲା ସେ । ବନ୍ଧୁତା ପଛରେ କଣ କେବଳ ସ୍ୱାର୍ଥ ଥାଏ, ଆଉ ନିଜର ଆବଶ୍ୟକତା ସରିଗଲେ ବନ୍ଧୁତାବି ସରିଯାଏ ? ସତରେ ସ୍ମୃତି କେତେ ସ୍ୱାର୍ଥପର ହୋଇଗଲା, କେତେ ତଳକୁ ଖସିଯାଇପାରିଲା ଆଜି, ତା ନିଜ ଉପରେ ତାର ଘୃଣା ଆସିଗଲା । ପତି ପତ୍ନୀର ସମ୍ପର୍କ କେତେ ପବିତ୍ର କିନ୍ତୁ ସ୍ମୃତି ଆଜି ଏ କଣ କରିଦେଲା, ଏମିତି କିପରି ଭାବି ପାରିଲା ସେ, ନିଜକୁ ଉପରକୁ ଉଠାଇବା ପାଇଁ ସୁଧାକର ତା ପାଇଁ କଣ କେବଳ ଏକ ଶିଢିଥିଲା ? କିନ୍ତୁ ସୁଧାକରର କଣ ସ୍ୱାର୍ଥ ଥିଲା ? ସିଏ ତ କେବଳ ସ୍ମୃତିର ଖୁସି ଚାହୁଁଥିଲା, ତାର ସ୍ୱପ୍ନକୁ ପୁରା ହେଉଥିବାର ଦେଖିବାକୁ ଚାହୁଁଥିଲା । ହେଲେ ସ୍ମୃତି ସଫଳତାର ଉଚ୍ଚତାରେ ପହଞ୍ଚି ଆଜି ଏ କଣ କହିଦେଲା ସୁଧାକରକୁ ।

ସୁଧାକର ବିନା, ଆକାଶର ଉଚ୍ଚତାରେ ଥାଇବି ନିଜକୁ ସତେ ଯେପରି ରସାତଳର ଅନନ୍ତ ଗର୍ଭରେ ଦେଖୁଥିଲା ସ୍ମୃତି । ଯେଉଁ ସଫଳତାର ଭୂତ ତାକୁ ଏତେ ଗର୍ବିତ କରୁଛି, ସେଇଟା କଣ ତାର ଏକାନ୍ତ ନିଜସ୍ୱ ସମ୍ପତ୍ତି ? କେବେବି ନୁହେଁ, ଏଇ ସଫଳତା ପଛରେ ଅଧାରୁ ଅଧିକ ଅବଦାନ କେବଳ ସୁଧାକରର । ସୁଧାକରର ସାହଚର୍ଯ୍ୟ ବିନା ସଫଳତାର ଏ ଯାତ୍ରା ସେ ଏକାକୀ କେବେବି ପୁରା କରିପାରି ନଥାଆନ୍ତା । ନିଜକୁ ବଡ ଦୋଷୀ ପରି ମନେ ହେଉଥିଲା ସ୍ମୃତିର । ମନ ହେଉଥିଲା ସୁଧାକରର ପଛେ ପଛେ ଧାଇଁଯିବ, ତାକୁ କୁଣ୍ଢେଇଧରି ତା ଛାତିଉପରେ ମଥା ରଖି, ଅନୁତାପର ସବୁଯାକ ଲୁହ ବୁହାଇ ଦେବ । ତାର ପାଦତଳେ ଲୋଟିଯାଇ କ୍ଷମା ମାଗିନେବ ।

ହଠାତ୍ ଦମକାଏ ହେମାଳ ପବନ ପଶିଆସିଲା ଘର ଭିତରକୁ, ତା ସହିତ ଭିଜାମାଟିର ମିଠାମିଠା ବାସ୍ନା । ଅଦିନିଆ ଝଡ ପବନରେ ଖୋଲା ଜାଉଁଳି କବାଟ ଦିଟା ବାରମ୍ବାର ପରସ୍ପର ସହିତ ପିଟି ହେଉଥାଆନ୍ତି, ସତେ କହୁଥାଆନ୍ତି, ଝଡକୁ ଅଟକାଇବାକୁ ଚାହୁଁଛ ଯଦି ଆମ ଦୁଇଜଣକୁ ଏକାଠି କରି ବାନ୍ଧିଦିଅ । ହଠାତ୍ ବର୍ଷା ପାଣିରେ ସୁଡୁବୁଡୁ ହୋଇ ସୁଧାକର ଘର ଭିତରକୁ ପଶିଆସି କବାଟ ଦୁଇଟାକୁ ବନ୍ଦ କରିଦେଲା, ବାହାରର ଝଡ ସତେ ଯେପରି ବନ୍ଦ ହୋଇଗଲା । ସ୍ମୃତି ସେଇଠି ସଜଳ ଆଖିରେ ଠିଆହୋଇ ସୁଧାକରକୁ ଚାହିଁ ରହିଥାଏ । ତାର ଧୈର୍ଯ୍ୟର ବନ୍ଧ ସତେ ଯେମିତି ଲୁହର ଶ୍ରାବଣୀ ବନ୍ୟାକୁ ଅଟକାଇ ରଖିବାକୁ ଅସମର୍ଥ ହୋଇପଡୁଥିଲା । ନିଜ ହାତ ପାପୁଲିରେ ମୁହଁ ଲୁଚାଇ ସ୍ମୃତି ଧାଇଁଆସି ସୁଧାକରର ଓଦା ଛାତି ଉପରେ ନିଜର ମୁହଁ ଗୁଞ୍ଜିଦେଇ ଭୋ ଭୋ ହୋଇ କାନ୍ଦି ଉଠିଲା । ନିଜ ମନରେ ଥିବା ଅପରାଧବୋଧର ପାହାଡକୁ ସତେ ଯେପରି ଧୋଇ ଦେବାକୁ ଚାହୁଁଥିଲା । ତାର ବାଷ୍ପରୁଦ୍ଧ କଣ୍ଠରେ ବାରମ୍ବାର କହୁଥାଏ ମୋତେ କ୍ଷମା କରିଦିଅ ପ୍ଲିଜ୍, ସୁଧାକରର ସ୍ନେହଭରା ହାତ ସ୍ମୃତିକୁ କୁଣ୍ଠେଇ ଧରିଲା, ତା ମଥା ଉପରେ ହାତ ବୁଲଉ ବୁଲଉ ସୁଧାକର କେବଳ ଏତିକି କହିଲେ, ଦେଖ ସ୍ମୃତି, ବାହାରେ ଝଡ ତୁଫାନ ସରିଗଲାଣି, ବର୍ଷାର କେଇବୁନ୍ଦା ଶିତଳଜଳ ଝଡର ଧୁଳିକୁ ଧୋଇଧାଇ ଆକାଶକୁ ପରିଷ୍କାର କରିଦେଇଛି । ଝଡ କେବଳ ବିନାଶ ପାଇଁ ଆସେନି, ବରଂ ଧୁଳି ଧୁଷରିତ ରାସ୍ତାକୁ ପରିଷ୍କାର ମଧ୍ୟ କରିଦିଏ । ସୁଧାକରଙ୍କୁ ଆହୁରି ଜୋରରେ ଜାବୁଡି ଧରି ଛୋଟ ଛୁଆଟିଏ ପରି ଭୋ ଭୋ ହୋଇ କାନ୍ଦିଉଠିଲା ସ୍ମୃତି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top