ଅଣୁଗଳ୍ପ

ସୌନ୍ଦର୍ଯ୍ୟ

Minati Pradhan's odia short story Soundarya

ସନ୍ଧ୍ୟାରେ ସ୍ଵାମୀ ଘରକୁ ଫେରୁ ଫେରୁ ମନ୍ତବ୍ୟ ଦେଇଥିଲେ, “କଣ କଥା କି ଆଜି ! ମୁହଁ ଟା ଭାରି ଉଜ୍ଜଳ ଦିଶୁଚି, ବହୁତ ସୁନ୍ଦର ଦିଶୁଚ ! ବିଉଟି ପାର୍ଲର ଯାଇ ଫେଶିଆଲ କରି ଆସିଲ ନା ମ୍ୟାଜିକ କ୍ରିମ ଲଗାଇଚ?” ଥଟ୍ଟା କରୁଥିଲେ

ସୌନ୍ଦର୍ଯ୍ୟ

ବନିତା ଦିନ ଦଶଟା ବେଳେ ଘରୁ ବାହାରି ଛତାଟି ଖୋଲିଲା; ବାହାରେ ବହୁତ ଖରା, ବାପରେ ! ଏଇ ଭାଦୁଅ ମାସରେ ବି ଗ୍ରୀଷ୍ମ ଭଳି ଦେହ ହାତ ପୋଡି ଯାଉଛି । ପୃଥିବୀର ଓଜୋନ ପ୍ରସ୍ତ କମିବା କାରଣରୁ ସୂର୍ଯ୍ୟଙ୍କ କିରଣର ତାପ ମାତ୍ରା ବହୁତ ବଢି ଯାଉଛି । ବଢିବନି ବା କେମିତି ! ଏତେ ଯାନ-ବାହନ, କଳ-କାରଖାନା, ଗଛ କଟା ସବୁ ନିର୍ବିକାର ଭାବେ ଚାଲିଛି । ସମସ୍ତେ କାନ୍ଦୁଛନ୍ତି, ହେଲେ କାହା ଆଖିରେ ଲୁହ ନାହିଁ ଭଳିଆ, ପରିଣତି କିଛି ନାହିଁ ।

ସକାଳୁ ପିଲା ମାନଙ୍କୁ ସ୍କୁଲ ଓ ସ୍ଵାମୀ ଅଫିସ ଗଲା ପରେ, ନିଜ କାମ ସାରି ଆଜି ବନିତା ମନେ ମନେ ସ୍ଥିର କଲା ବିଉଟି ପାର୍ଲର ଯିବ । କାଲି ସନ୍ଧ୍ୟାରେ ଇଭନିଂ ୱାକ କଲା ବେଳେ ଟିକେ ଅଟକି ଯାଇଥିଲା ତାର ସାଙ୍ଗ- ମାନଙ୍କ ପାଖରେ , ସ୍ୱାମୀଙ୍କ ଅଫିସ ରେ କାମ କରୁଥିବା ସହକର୍ମୀ ମାନଙ୍କ ସ୍ତ୍ରୀ ମାନଙ୍କ ସହ, ସମସ୍ତେ ଗୋଟେ ନୂଆ ଖୋଲିଥିବା ବିଉଟି ପାର୍ଲର ବିଷୟରେ କଥା ହେଉଥିଲେ, ସେଠି ବାଳ କଟା, ଆଇ ବ୍ରୋ ସଜଡା, ମୁହଁ ର ଉଜ୍ଜଳତା ବିଷୟରେ ଭାରି ଆଲୋଚନା ହେଉଥିଲା । ସେସବୁ ଶୁଣି ବନିତାର କାହିଁକି କେଜାଣି ଘରକୁ ଆସି ଆଇନାରେ ନିଜକୁ ଦେଖିବାକୁ ଖୁବ ମନେ ହେଲା ‘ନିଜକୁ ନିଜେ ଘଡିଏ ଦେଖିଲା । ସେ ତ କିଛି ଅସୁନ୍ଦରୀ ନୁହେଁ, ତଥାପି ଯଦି ବିଉଟି ପାର୍ଲର ଯାଆନ୍ତା, ଭଲ ହୁଅନ୍ତା ହୁଏତ । ତା ଭାବନାରେ ପୂର୍ଣ୍ଣଛେଦ ପକାଇ ଡାକ ଶୁଭିଲା ପଛରୁ ମିସେସ ମହାନ୍ତି ଙ୍କର, “ଗୁଡୁଲୁ ମମ୍ମି, ଖରାବେଳଟାରେ କୁଆଡେ?”

“କାମ ଟିକେ ଅଛି,” ଜାଣିଶୁଣି ଆଡେଇ ଦେଲା ବନିତା । କଥା ହେଲେ ଘଡିଏ ନିଜ କଥା ବଖାଣିବେ; ଗୁଡାଏ ସମୟ ନଷ୍ଟ ହୋଇଥାନ୍ତା । ନିଜ ବାହାଦୁରି- ପିଲାଏ ଭଲ ପଢୁଛନ୍ତି, ସ୍ଵାମୀ ଏଇଟା ଉପହାରରେ ଦେଲେ, ଏମିତି ସବୁ । ‘କେମିତି ଅଛ’ ପଚାରୁଥିବା ଲୋକଙ୍କର ନା ସମୟ ଓ ଧର୍ଯ୍ୟ ଥାଏ ଅନ୍ୟର କଥା ଶୁଣିବାକୁ, ସବୁ ତ ଉପର ଦେଖାଣିଆ ଭାବେ ଚାଲେ । ବନିତା ଏଥର ଶୀଘ୍ର ଶୀଘ୍ର ପାଦ ବଢାଇଲା ରାସ୍ତାରେ, କଣ ମନ ହେଲା କେଜାଣି, ପାଖ ସୁପର ମାର୍କେଟଟିକୁ ପଶି ଗଲା, କେବେ ଯାଉ ନଥିବା ବିଭାଗ ଆଡକୁ ଆଜି ତାର ଯିବାକୁ ମନ ବି ହେଲା । ଯେତେ ସବୁ ଜିନିଷ ଟିଭି ବିଜ୍ଞାପନରେ ଦେଖିଛି, ସବୁ ସୁନ୍ଦରତା ବଢାଇବା ସାମଗ୍ରୀ ଧାଡି ଧାଡି ହୋଇ ଥୁଆ ହୋଇଛି, ପେଣ୍ଟ, କୋଟ ଓ ଟାଇ ପିନ୍ଧି, ନିଜ ମୂହଁ ରେ ମେଞ୍ଚେ ବହଳର ମେକ ଉପ ଲଗାଇ, କୃତ୍ରିମ ହସ ହସି ତାକୁ ସାହାଯ୍ୟ କରିବା ପାଇଁ ଆଗଭର ହେଉଥିବା ସେଲ୍ସ ଝିଅ ମାନଙ୍କୁ ମନା କଲା ବନିତା, ସେମାନଙ୍କ କଥା ଭାବୁଥିଲା, ନିଜକୁ ମେକ ଅପ ନ ମାନୁ ଥିଲେ କି ଇଚ୍ଛା ନଥିଲେ ବି କଣ ଆଉ କିଛି ଚାରା ଅଛି ଏ ମାନଙ୍କର, ବିଚାରୀ ମାନେ ତ ନିଜ ଗୋଡରେ ନିଜେ ଛିଡା ହେବା ବା ପରିବାର ପୋଷିବାପାଇଁ କାମ କରୁଛନ୍ତି, କିନ୍ତୁ ସମସ୍ତ ଝିଅ ମାନେ ଆସ୍ତେ ଆସ୍ତେ ସଶକ୍ତ ଓ ରୋଜଗାର କ୍ଷମ, ଏକଥା ହୃଦୟଙ୍ଗମ କରି ଖୁସି ହେଉଥିଲା ମନେ, ମନେ । ଥାକରେ ଗୋଟେ କ୍ରିମ ଉପରେ ନଜର ପଡିବାରୁ ଗଲା ରାତିର ବିଗ୍ନ୍ୟାପନ କଥା ମାନେ ପଡି ଗଲା ତାର, ଏଇ କ୍ରିମ ଟିକୁ ଲଗାଇଲେ କୁଆଡେ ପନ୍ଦର କୋଡିଏ ବର୍ଷ କମ ବୟସ ଦିଶିବ, ବୟସ ବଢିବାଟା ତ ପ୍ରକୃତିକ, ଆମେ ସେଇଠାକୁ ସହଜରେ ଗ୍ରହଣ କରି ପାରୁନା କାହିଁକି, ସବୁ ବୟସରେ ଗୋଟେ ସୁନ୍ଦରତା ଅଛି, ସେଇଟାକୁ ଗ୍ରହଣ କରିନେଲେ ଜୀବନ ସରସ ସୁନ୍ଦର ହୋଇ ଯାଏ । ବନିତାର ମନେ ପଡିଲା ପିଲା ଦିନ କଥା । ମା ମୁଣ୍ଡ କୁଣ୍ଡାଇ ରିବନ ବାନ୍ଧି ଦେଉଥିଲେ ଆଖିରେ ଦୁଇଧର କାଜଲ ଓ କପାଳରେ ଟିକିଲିଟିଏ, ଏତକ ସାମଗ୍ରୀ ରେ ନିଜକୁ ବେଶ ସୁନ୍ଦରୀ ମାନେ କରୁଥିଲା ସେ, ଆଉ ଏବେ ବି ସେଇ ଦର୍ଶନ ତା ପାଖରେ ଅଛି, କମ ରେ ବେଶୀର ଆଭାସ ଦର୍ଶନ ରେ ସେ ଏବେ ବି ବିଶ୍ୱାସ କରେ । ତଥାପି କ୍ରିମ ଟିକୁ ଉଠାଇ ଦେଖିଲା, ତା ପଛ ପାଖ ଦାମ ଦେଖି ପୁଣି ଥାକରେ ଥୋଇଦେଲା, ଗୋଟେ ନିମ୍ନ ମଧ୍ୟବିତ୍ତ ପରରିବାରର ପନ୍ଦର ଦିନର ଘର ଖରଚ, ଏତେ ପଇସା ଖରଚ କରିବା ଠିକ ହେବନି ଭାବି କିଛି ନ କିଣି ବାହାରକୁ ବାହାରି ଆସିଲା ବିନିତା ।

ଆଉ ଟିକେ ଆଗକୁ ଗଲେ ବିଉଟି ପାରଲର, ସେ ଆଡକୁ ମୁହାଁଇଲା, “ମ୍ୟାଡାମ କଣ ହେଲା?” ସେଲସ ଗାର୍ଲ ମାନେ ପଛରୁ ଡାକୁଥିଲେ । ନିଜର ଅସହାୟତା ଓ ବିବେକର ବାଧା ଦୁଇଟା ଯାକ ଅଥୟ କରୁଥିଲେ ତାକୁ ।

ଚାଲି ଚାଲି ବିଉଟି ପାର୍ଲର ପାଖରେ ପହଞ୍ଚିଲା । କଲିଂ ବେଲ ଶବ୍ଦରେ ସହାୟିକା ମହିଳା ଜଣକ ଦ୍ଵାର ଖୋଲିଲେ, ଅଭିବାଦନ ଜଣାଇ ନେଇ ଗଲେ ଭିତରକୁ । ଭିତରେ ଚାରି ପାଞ୍ଚୋଟି ଚେୟାର ରେ ଅନ୍ୟ ଗ୍ରାହକ ମାନଙ୍କର ଚାଲିଥାଏ କଣ ସବୁ ମଖା ମଖି, ପାଦରୁ ମାଳୀ ଛଡା, ବାଲା କଟା ଇତ୍ୟାଦି, ଆଇନାରେ ନିଜକୁ ଦେଖିଲା ବନିତା, ଅସନ୍ତୋଷ କ୍ଷୋଭ, ଖରା ରେ ତା ନିଜ ମୁହଁ ତାକୁ ବଡ ନୀରସ ଲାଗିଲା, ସେ କିଛି ନ କହିବାରୁ ମାଲିକାଣୀ ତାକୁ ମେନୁ କାଡ ଟିକୁ ଧରାଇଦେଲେ ହାତରେ । ସେଇଥିରେ ଲେଖା ହୋଇଛି ସବୁ ର ଦାମ ସବୁ, ବାଳ କଟା, ଆଇ ବ୍ରୋ ସଜଡା, ପାଦ ଓ ହାତ ର ଯତ୍ନ, ତ୍ଵଚା ଚମକାଇବା ଫେଶିଆଲ ଆହୁରି କେତେ କଣ, ଦର ମାନଙ୍କ ଉପରେ ବି ନଜର ପକାଇଲା । ନାହିଁ ନ ଥିବା ଦର, ସେ ଭାବି ଥିବା ଠୁ ଢେର ଅଧିକ । ବହି ଟିକୁ ବନ୍ଦ କରି ଥୋଇଦେଲା ଟେବଲ ଉପରେ, ନିଜର ବ୍ୟାଗ ଉଠାଇ ଚାଲିବା ଆରମ୍ଭ କଲା ଦ୍ଵାର ଆଡେ । ‘ମ୍ୟାଡାମ, ଏଇ ଫେସିଆଲ ଟି କରନ୍ତୁ, ଏଇଟା ସବୁଠୁ ଶସ୍ତା ।”

ବୋଧ ହୁଏ ମାଲିକାଣୀ ଜଣକ ଠଉରାଇ ନେଇ ଥିଲେ ବନିତାର ଦ୍ଵନ୍ଦ କୁ । ସବୁକୁ ଆଡେଇ ଦେଇ ବନିତା ଫେରିଆସିଲା ତା ରାସ୍ତାରେ ।

ଘର ଭିତରେ ସୋଫା ଉପରେ ଦେହ ଟାକୁ ଥୋଇଲା, ଭାରି ବିରକ୍ତି ଲାଗୁଛି, ଯିବା ଟା ବୃଥା ହୋଇଗଲା, ତାକୁ ପଇସା ଖର୍ଚ୍ଚ କରିବା ପାଇଁ ତ କିଏ ବାରଣ କରି ନଥିଲେ, ନିଜେ ହି ଫେରି ଆସିଲା ଫେସିଆଲ ନ କରି ।

ଏତିକି ବେଳେ ଘରକୁ ଆସିଲା ଚାକରାଣୀ ସୁକାନ୍ତି, ଅଲରା ବାଳ ଓ ଶୁଖି ଯାଇଥିବା ଲୁହ ଦାଗ କହି ଦେଉଥିଲା ଯେ ସବୁ କିଛି ଠିକ ନାହିଁ, ଯନ୍ତ୍ର ପରି କାମ କରି ଯାଉଥିଲା ସେ, କାମ ସାରି ବନିତା କୁ ଚାହିଁଲା । ସତେ ତ ବନିତା ଆଜି କିଛି କଥା ହୋଇନି ତା ସହ ନିଜେ ଟିକେ ବିରକ୍ତ ଅଛି ବୋଲି । ନିଜକୁ ସୁଧାରି ନେଇ ପଚାରିଲା, “କଣ କହିବୁ?”

“ହଁ, ଲିପିକୁ ଟିଉଶନ ଦେବା ପାଇଁ ଭାବିଥିଲି ଦିଦି, ପଇସା ନାହିଁ, ପରୀକ୍ଷା ଆଉ କେଇଟା ଦିନ ରହିଲା, ମୁଁ ତ ପଢାଇ ପାରୁନି, ଲିପିର ବାପା କୁ କହିଲାରୁ ପାଟିତୁଣ୍ଡ କରୁଛି, କହୁଛି, ଝିଅ ପିଲା ପାଠ ସେମିତି ପଢୁ । ତା ପାଇଁ ଏତେ ପଇସା ଖରଚ କରି ହେବନି, ପାଠ ପଢି କେଉଁ ଆମକୁ ପୋଷି ପକାଇବ ଯେ । ତୁମେ ତ ଯାଣ ଦିଦି ମୁଁ ପାଠ ପଢି ନାହି ବୋଲି ମୋର ଯେଉଁ ଅବଶୋଷ। ମୁଁ ଚାହୁଁଛି ସେ ପଢୁ, ନିଜ ଗୋଡରେ ନିଜେ ଛିଡା ହେଉ, ମୋ ଭଳି ଜୀବନ ନ ବଞ୍ଚି ଭଲ ଜୀବନ ବଞ୍ଚୁ,” ସୁକାନ୍ତି ଆଖିର ଲୁହ ଏଥର ବାଧା ମନୁ ନ ଥିଲେ ।

ନିଜ ପର୍ସରୁ ବନିତା ପଇସା ବାହାର କଲା, “ନେ, ଟିଉଶନ ସାର ଙ୍କୁ ଦେ । ଆଉ, ଲିପିକୁ ଟିଉସନ ଯିବା ପାଇଁ କହ ।”

“କିନ୍ତୁ ଦିଦି, ଏଡଭାନ୍ସ ନେଲେ ମୁଁ କେବେ ଶୁଝିବି?” ସୁକାନ୍ତି କୁଣ୍ଠା କରୁଥିଲା

“ନା ନା, ତୋର ଫେରାଇବା ଦରକାର ନାହିଁ, ଏଇଟା ମୋର ସାହାଯ୍ୟ ବୋଲି ଭାବିନେବୁ ।”

“ଥାଙ୍କ ୟୁ, ମ୍ୟାଡାମ !” ଖୁସି ହୋଇ ଚାଲିଗଲା ସୁକାନ୍ତି ।

ସନ୍ଧ୍ୟାରେ ସ୍ଵାମୀ ଘରକୁ ଫେରୁ ଫେରୁ ମନ୍ତବ୍ୟ ଦେଇଥିଲେ, “କଣ କଥା କି ଆଜି ! ମୁହଁ ଟା ଭାରି ଉଜ୍ଜଳ ଦିଶୁଚି, ବହୁତ ସୁନ୍ଦର ଦିଶୁଚ ! ବିଉଟି ପାର୍ଲର ଯାଇ ଫେଶିଆଲ କରି ଆସିଲ ନା ମ୍ୟାଜିକ କ୍ରିମ ଲଗାଇଚ?” ଥଟ୍ଟା କରୁଥିଲେ । କିଛି ନ କହି ମୃଦୁ ହସି ବନିତା ଚା ଜଳଖିଆ ପରଷିବାରେ ଲାଗି ଯାଇଥିଲା । ଚା ପିଉ ପିଉ ତା ଦିନର କାହାଣୀ ଗୁଡିକ ଶୁଣୁଥିଲେ ସ୍ଵାମୀ । ମୁଣ୍ଡ ଟୁଙ୍ଗାରି କହିଲେ, “ବୁଝିଲ, ସୁନ୍ଦରତା ମଣିଷ ମନରେ ହିଁ ଲୁଚି ଥାଏ, ଦେହରେ ନୁହେଁ । ଯାହାର ମନ ସୁନ୍ଦର ସେ ଚିର ସୁନ୍ଦର । ସେଇ ହିସାବରେ ତୁମେ ବହୁତ ସୁନ୍ଦର !”

ବନିତା ବି ଅନୁଭବ କରୁଥିଲା ତାର ସୁନ୍ଦର କାମଟି ନିଜର ସୁନ୍ଦରତାକୁ ଦ୍ଵିଗୁଣିତ କରିଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top