ପିଲାଙ୍କୁ ଧରି ଏକ ଶିଶୁମେଳାରେ ଯୋଗ ଦେବାକୁ ଯାଉଥାଏ ଅନ୍ୟଏକ ସ୍କୁଲ୍କୁ । ପ୍ରତିଯୋଗିତାରେ ଭାଗନେବା ପୂର୍ବରୁ ସେମାନଙ୍କୁ ଟିଫିନ୍ ଦେବାକୁ ଜଳଖିଆ ଦୋକାନରେ ବସେଇଥାଏ ।
ଦଶବାର ବର୍ଷର ପିଲାଟି । ତା’ ନାଁ ବିଟୁ । ଡେକ୍ଚି କଡ଼ା ମାଜି ଆସିଥାଏ । ହାତରେ ଗାଲରେ କଳା ନେସା । ବୋତାମଦିଆ ପେଣ୍ଟକୁ ନାହି ତଳକୁ ଖୋସିଥାଏ । ଚିପା ସାର୍ଟକୁ ଇନ୍ କରିଥାଏ । ବାଆଁ ହାତରେ ବାନ୍ଧିଥାଏ ଗୋଟେ ଅଚଳ ଘଣ୍ଟା । ଡାହାଣ ହାତରେ ନାଲିସୂତା । ମୁଣ୍ଡ ଚୁଳ କହରା । ମୋତେ ପଚାରିଲା- “ପିଲାମାନେ କେଉଁଠାକୁ ଯିବେ, କ’ଣ କରିବେ ସାର୍ ?” ମୁଁ କହିଲି- “ସେମାନେ ଗୀତ ଗାଇବେ ଭାଷଣ ଦେବେ, ଅଭିନୟ କରିବେ ।”
ମୋତେ କହିଲା- “ମୁଁ ଭଲ ଅଭିନୟ କରିପାରିବି ସାର୍ !”
ମୁଁ ତାକୁ କହିଲି- “କ’ଣ କଲୁ ଟିକେ ଦେଖିବା ?” ସେ ଆରମ୍ଭ କଲା ନିର୍ଭୀକ ଭାବରେ । ଭିଲିୟାନ୍ଙ୍କ ପରି ଡାଇଲଗ୍ ମାଇଲା । ହିରୋଇନ୍ଙ୍କ ପରି ପାଥେଟିକ୍ କଲା । କମେଡ଼ିଆନ୍ଙ୍କ ପରି ହସେଇଲା । ମେଣ୍ଢାଛେଳି କୁକୁରଙ୍କ ପରି ରଡ଼ି କଲା ଅତି ଚମତ୍କାର ଭାବରେ । ଏତେ ପିଲା ଆମର, କେହି ତା’ ଭଳି ନଥିଲେ । ତା’ ବାସ୍ତବ ଅଭିନୟ କଥା ଚିନ୍ତା କରି ମୁଁ ନିରବି ଗଲି । ତା’ ପରେ ସେ ମୋତେ କହିଲା- “ସାର୍ ! ମୁଁ ପିଲାଙ୍କ ସାଙ୍ଗରେ ଯାଇ ସେଠି ଭାଗ ନେଇପାରିବିନି ?”
ମୁଁ ତାକୁ ବୁଝାଇ କହିଲି- “ତୁ ଯଦି ସ୍କୁଲ୍ରେ ପଢିଥାନ୍ତୁ ତୋତେ ସେମାନେ ସୁଯୋଗ ଦେଇଥାନ୍ତେ ।”
ତା’ପରେ ସେ କେମିତି ସ୍ଥିର ହୋଇଗଲା ।