ନିନିର ଆଉ ସେ କଂସପରିକା ଆଗ ହସ ନାହିଁ । ଈଃ..ଈଃ.. ହିଃ. ହୁ. ହାଃ. ହା.ହାଃ । କିଛିଦିନ ତଳେ ବାପାଙ୍କର ଦେହାନ୍ତ ହୋଇଥିଲା ଯେ ଆଖିରୁ ଲୁହ ଶୁଖିନି, ଏବେ ଗିନି ଚାଲିଗଲା । ବଡ ଭଉଣି ମାନି ସାଙ୍ଗରେ ପ୍ରାୟ ବର୍ଷେହେବ ବୋଲଚାଲ ନାହିଁ । ଦିନ କାଟିବ କିପରି, ସିଏ କେମିତି ବଞ୍ଚିବ ! ମଲାମନର ଉଦାସିଆ ଚେହେରା ଉପରକୁ ନୁଖୁରା ଚୁଟିର ଗଣ୍ଠିଟା ତାକୁ ଏବେ ଆଦୌ ଭଲ ମାନୁନି । ବିଧବାମାଆର ମନଟା ବି ତ ବାପାଗଲା ଦିନରୁ ମରିଯାଇଛି, ତା, କୁ ବା କିଏ ସଜେଇବ ? ଗିନି ସାଙ୍ଗରେ ଦିନ କଟୁଥିଲା ଯେ ସିଏ ବି ଅବେଳରେ ନିନିକୁ ତଳେଛାଡି ଉପରକୁ ଚାଲିଗଲା । ଗିନିକୁ ପାଣିରେ ବିସର୍ଜନ କରି ଫେରିବାବେଳେ ଗିନିର ସେ ବିସର୍ଜନ ପାଣିଜାଗାଟିକୁ ଚାହିଁଚାହିଁ ଓଲଟାପାଦରେ ନିନି ଶହେଫୁଟ ଆସିଥିବ । ଖୁଜାରୁ ଆଗରେ ଚାଲିଥାଏ । ନିନି ତାକୁ ପଛକରି ଓଲଟା ପାଦରେ ଘରମୁହାଁ ହେଲାବେଳେ ଅମାନିଆଁ ଆଖିଗୁଡା ଜମାରୁ ବୋଲ ମାନୁନଥାନ୍ତି । ଦୁଇଆଖିରୁ ଗଙ୍ଗାଯମୂନା ଝରିଲା ପରି ପାଣି ନିଗିଡି ଯାଉଥାଏ । ଖୁଜାରୁକୁ ଲୁଚେଇବାକୁ ଓଲଟା ଚାଲୁଥାଏ ସିନା କୋହ କେମିତି ନିୟନ୍ତ୍ରଣ କରିବ ବୁଝି ପାରୁନଥାଏ । ସତରେ ନିନିର ଗିନି ପ୍ରତି କି ମୋହ ! ଲାଗୁଛି ପୂର୍ବଜନ୍ମରେ ବୋଧହୁଏ ଦୁହେଁ କିଛି ନା କିଛି ନିବିଡ ସମ୍ପର୍କ ଡୋରିରେ ବାନ୍ଧି ହୋଇ ଜୀବନ କାଟିଥିଲେ । ନହେଲେ ଏ ଜନ୍ମରେ ଜଣକ ଅବର୍ତମାନରେ ଅନ୍ୟ ଜଣେ ସାମାନ୍ୟ ହେବାକୁ ଏତେ କଷ୍ଟ ଏବଂ ଡେରି ହେଉଛି କାହିଁକି ? ଜୀବର ଅର୍ଥ ହେଲା ନିଶ୍ଚୟ ଦିନେ ନା ଦିନେ ସିଏ ଯିବ । ଅସାର ମିଛମାୟା ସଂସାରରେ ଏହାହିଁ ଧୃବ ସତ୍ୟ । ଜୀବନରେ କିଏ କଣ ହେବ କିଛି କହିହେବ ନାହିଁ ! କିନ୍ତୁ ମରିବ କି ନାହିଁ ସମସ୍ତେ ଭଲ ଭାବରେ ଜାଣନ୍ତି । ଏଥିରେ କାହାର ବି କୌଣସି ସନ୍ଦେହର ଅବକାଶ ନଥାଏ । ଆଜି ଗିନିର ମୃତ୍ୟୁ ହୋଇଯାଇଛି, ସେଥିପାଇଁ ନିନି ପ୍ରେମୀକୁ ହରାଇଲା ପରି ବହୁତ ଦୁଃଖୀ ହୋଇଯାଇଛି ।
ଗିନି ଦୁଇମାସ ତଳେ ପାହାନ୍ତିଆ ପହରରେ ତା, ଭାଇ ଡୁଗୁ ସାଙ୍ଗରେ ତା’ଙ୍କ ଘରକୁ ଆସିଥିଲା । ସବୁଦିନ ସକାଳ ଚାରିଟାରେ ନିନି ଦଉଡିବାକୁ ଚିକିଣିଘାଟି ବନଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ଯାଏ । ଚିକିଣିଘାଟି ତାଙ୍କ ଘରୁ ପ୍ରାୟ ଚାରିମାଇଲ ଦୂର । ଘରୁ ରାଜରାସ୍ତା ପାରହେବା ଯାଏ ଚାଲିଚାଲି ଯାଏ, ତାପରେ ଦଉଡିବା ଆରମ୍ଭ କରେ । ତା, ସାଙ୍ଗରେ ଏବେ ତାଙ୍କ ଘରସାମ୍ନାରେ ରହୁଥିବା ଗୋଟେ କଟିକିଆ ବାବୁ ଏବଂ କନ୍ଧମାଳିଆ ପୋଲିସ୍ ବି ସେଇ ଏକା ସମୟରେ ସେଇ ଏକା ରାସ୍ତାରେ ସେଇ ମନ୍ଦିର ପର୍ଯ୍ୟନ୍ତ ଯାଉଛନ୍ତି । ପୋଲିସ୍ ଜଣକ ତା ସାଙ୍ଗରେ ଦଉଡେ, ଝାଡେଶ୍ୱର ମନ୍ଦିର ବସ୍ସ୍ଥାନକ ପରେ ଚଉଡାରାସ୍ତାରେ ଦୁହେଁ ନାନା ପ୍ରକାରର ବ୍ୟାୟାମ କରି ଶୀତଦିନେ ବି ଦେହରୁ ଝାଳ ବୁହାଇଦିଅନ୍ତି । ନିନିର ଟି-ସାର୍ଟଟା ସବୁଦିନେ ଝାଳରେ ଭିଜିଯାଏ । କଟକିଆବାବୁ ଜଣକ ଟିକେ ଅଳସୁଆ । ଦିନେ ଉଠିଲେ ଦିନେ ନାହିଁ । ନିନି ତା,ଉପରେ ସେଥିପାଇଁ ଗରଗର ହୋଇ ନାରାଜ ହୁଏ । କାଲି କାହିଁକି ଆସିଲନି ବୋଲି କୋଉ ଗୋଟେ ଅଧିକାରରେ ପଚାରି ତାଗିଦ କଲାପରି ଲାଗେ । ସବୁଦିନ ପରି ସେଦିନ ନିନି ବ୍ୟାୟାମକୁ ବାହାରିଲା ବେଳକୁ ଦେଖିଲା ଫୁଲମଣି କ୍ଷୀଣ ଶଦ୍ଧରେ ମେ,ଏଁ ମେ,ଏଁ କରି କୁନ୍ଥାଉଛି । ସମୟ ହେଇ ଆସିଥିଲା । ମାଆ କହୁଥିଲା ଏଇଥି ଭିତରେ ହବ । ନିନି ଫୁଲମଣି ପାଖକୁ ଯାଇ ଭଲରେ ଦେଖିଲା ପରେ ଲାଗିଲା ଆଉ କେଇମିନିଟର କଥା ବୋଧେ । ଫୁଲମଣିର ଜନ୍ମଦ୍ୱାରଟି ଯୋରଯୋରରେ ଖୋଲୁଛି, ବନ୍ଦ ହେଉଛି । ଫୁଲମଣି ନିନିକୁ ଦେଖି ବିକଳିଆ ଚାହାଣି ଠାଣିିରେ କେତେକଥା ସବୁ ଆଖିରେଆଖିରେ କହିଗଲା । ନିନିର ବି ବୟସ ହେଲାଣି । ଦୁଇ ବର୍ଷ ପୂର୍ବରୁ ଦେବଗଡ ମହାବିଦ୍ୟାଳୟରୁ ସ୍ନାତକ ପାସ୍ କରିଛି । ଘରସଂସାର କଥା ସବୁ ଭେଜାରେ ପଶିଗଲାଣି । ଝିଅପିଲାଟାଏ ଯେତେବେଳେ ସେ କଷ୍ଟ ବିଷୟର ସାମାନ୍ୟଜ୍ଞାନ ନ ରହିବ ବା କେମିତି ! ସେଇ ଫୁଲମଣିକୁ ସିଏ କେତେଥର ଏମିତି ଏକା ଅବସ୍ଥାରେ ଦେଖିଛି । ମାଆ ସବୁ କରେ, ସିଏ ପାଖରେ ଛିଡାହୋଇ ଦେଖେ ଓ ଶିଖେ । ଆଜି କିନ୍ତୁ ମାଆର ଅଣ୍ଟା ଦରଜ ଯେ ଉଠିବସି ପାରୁନି । ମାନି ସାଙ୍ଗରେ ତ କଟି । ଆଉ କେହିବୋଲେ କେହି ପାଖକୁ ନାହାନ୍ତି । କିନ୍ତୁ ଫୁଲମଣିକୁ ଏ କଷ୍ଟରୁ ଉଦ୍ଧାର କରିବାକୁ ପଡିବ । ନିଜେନିଜକୁ କହିଲା, ଚାଲ୍ ନିନି , ଦେଖା ତୋ କମାଲ୍ । ନିନି ସଂକଟମୋଚନ ଅଂଜନେୟକୁ ମନେମନେ ଧ୍ୟାନ କରି ହାତମୁଠା କଲା । ତାପରେ ଆଖିବୁଜି ମା ବନଦୂର୍ଗାଙ୍କୁ ଧ୍ୟାନକରି ନଂଘା ନମସ୍କାର ଟିଏ ହେଲା । ନିଇତି ସକାଳର ଦଉଡାଦଉଡି ବ୍ୟାୟାମ କସରତ କାମସବୁ ପଛରେ ଛାଡି ପୋଷାକ ବଦଳେଇଲା । ଏତେ ରାତିରେ କାହାକୁ ବା ଡାକିବ ! ଆଜି ତାକୁ ହିଁ ଧାଈମା’ର ସବୁ କାମ କରିବାକୁ ହେବ । ଗରମପାଣି ନେଇ କପଡାରେ ଫୁଲମଣିର ପଛଟା ଭଲରେ ପୋଛି ପିଠି ବେକ ଆଉଁସି ଆଉଁସି ବଳ ଦେଲା ।
ସିଏ ଆଗରୁ ବହୁତ କାମ ଏପରି ଦେଖିଛି ଏବଂ ଟିକେଟିକେ କରିଛି ମଧ୍ୟ । ସବୁ ଜଣା । ବାପା କଂସେଇ କାମରେ ଦକ୍ଷ ଥିଲେ । ଖାସିଟିଏ ମିଳିଲେ ଏମିତି ପିସ୍ କରି ଗରାଖକୁ ବିକନ୍ତି ଯେ ଏପର୍ଯ୍ୟନ୍ତ ଆଖପାଖ ଲୋକେ ସବୁ ଝୁରି ହେଉଥିବେ । ସେଦିନ ସେ ପୁରୁଣାଗଡିଆ ତହସିଲ୍ ବାବୁ କହୁଥିଲେ,- ‘ସନା ଗଲା ଦିନଠୁଁ ଯେତେ ଯାହାପାଖରୁ ମାଉଁସ ନେଲି ଆମଘରେ ମୋ, ଘରମଣିର ଶାନ୍ତି ନାହିଁ । ତା ହାତରେ ଯାଦୁ ଥିଲା । କାହାକୁ କେମିତିହାଣି ଖଣ୍ଡଖଣ୍ଡ କରି ବିକିବାକୁ ହୁଏ, ସିଏ କେବଳ ଜାଣିଥିଲା । ଆଜିକାଲିର ଛୁଆଙ୍କ ଭିତରୁ କେହି ତା’ଠୁଁ ସେ ବିଦ୍ୟାଟି ଶିଖି ପାରିଲେନି । ବିଚରା କମ ବୟସରେ ପିଆପିଇ କରି ଖରାପ ହୋଇଗଲା । ପିଇଲେ ବି ସିଏ ତା କାମରେ ଧୁରନ୍ଧର ଥିଲା । ବେଳେବେଳେ ନିଶା ହୋଇଗଲେ ନିଜ କନିଆଁସାଙ୍ଗରେ ଟିକେ ତେରିମେରି ହୁଏ, ହେଲେ ସାଇପଡିଶା ଲୋକେ ତା’କୁ ଭଲ କୁହନ୍ତି । ପିଇଥିଲା ବେଳେ ପିଲାପିଲି ମାନଙ୍କୁ କିଛି କୁହାବୋଲା କରେନି, ବହୁତ ସ୍ନେହଆଦରେ ଗେଲକରେ । ସାଧାସିଧା ବେଳର କଥା ଅଲଗା, କିନ୍ତୁ ପିଇଦେଲା ପରେ ପ୍ରଥମେ କନିଆଁ ସାଙ୍ଗରେ ଝଗଡା, ତା’ପରେ ଛୁଆମାନଙ୍କୁ ଗେଲ । ତାଙ୍କ ଘରେ ନିନି, ମାନି, ଫନି ସମୁଦାୟ ତିନିଜଣ ପିଲା । ସେମାନଙ୍କ ଭିତରେ ପୁଅ ଫନି ସବୁଠାରୁ ବଡ । ତା’ତଳେ ମାନି ଏବଂ କୋଡପୋଚ୍ଛା ଝିଅ ସବାସାନ ନିନି । ନିନି ତା, ବାପାଙ୍କର ସବୁଠାରୁ ଗେହ୍ଲାଝିଅ । ପାଖରେ ବସି ଖୋଇଦିଅନ୍ତି । ଛେଳିକଲିଜା ତା’ର ବହୁତ ପସନ୍ଦ । ମାଉଁସ ରନ୍ଧାହେବା ଦିନ ମାଆ ପରୋସିବା ପୂର୍ବରୁ ବାପା ନିଜହାତରେ ମାଉଁସବାଢି ନିନି ସାଙ୍ଗରେ ବେଳାରେ ଖାଇବାକୁ ବସିଯାଆନ୍ତି । ବାଢିଲା ବେଳେ ନିନିକୁ ଭଲଭଲ ମାଂସଖଣ୍ଡ ସହ କଲିଜା ବାଢିଥିଲେ ମଧ୍ୟ ଯଦି ତା’ଙ୍କ ନିଜ ଥାଳିଆରେ କିଛି ନରମମାଂସ କି କରାଟ କଲିଜା ହାତକୁ ଲାଗେ, ସେଗୁଡିକ ସେ ନିନି ଥାଳିଆକୁ ପକେଇଦିଅନ୍ତି । ବାପା ଗଲାଦିନରୁ ନିନିର ମାଂସଖିଆରେ ଆଉ ଶାନ୍ତିନାହିଁ । ଭାଇ ଆଣୁଛି, ସେ ନିଜେ ନିଜହାତରେ ରୋଷେଇ ବି କରୁଛି, ହେଲେ ଖୋଇଦେବ କିଏ ? ତାପରେ ବଛାବଛା ଖଣ୍ଡ ତା’ପାଇଁ କିଏ ଡଙ୍କିରେ ଖୋଜିଖୋଜି କାଢି ଅଲଗା କରିବ! ସିଏ ବାପା ଉପରେ ଯାଇଛି । ବାପାର ରଙ୍ଗ କଳା, ନିନିର ସାବନା । ଗଢଣ ଭଲ, ଆଖିରେ ଅଦ୍ଭୁତ ଆକର୍ଷଣର ଚମକ । ମାଆର ରଙ୍ଗ କିନ୍ତୁ ତୋଫା ଗୋରା । ମଝିଆଝିଅ ମାନିର ରଙ୍ଗ ବି ମାଆପରି ଗୋରା । ସେଥିପାଇଁ ସିଏ ମାଆକୁ କହେ, – ‘ତୋ ଝିଅକୁ କହ ଇଏ କରିବ, ସିଏ କରିବ ।’ ଯେମିତି କି ସିଏ ତା’ମାଆ ପେଟରୁ ନୁହେଁ, ଅଗଣାରେ ଥିବା ଗୋଟେ ଫୁଲକୁଣ୍ଡରୁ ଜନ୍ମ ନେଇଛି ।
ମାଆ ମଝିଆଝିଅ ମାନିକୁ ନିନି ଅପେକ୍ଷା ଟିକେଅଧିକ ଭଲପାଏ । ନିନିଠାରୁ ସେ ମାତ୍ର ଦୁଇବର୍ଷ ବଡ । ଦୁଇ ଭଉଣିଙ୍କ ଭିତରେ ପ୍ରତିଦିନ କଳି । ମହାଦେବଙ୍କ ଲିଙ୍ଗଉପରେ ଫୁଲବେଲପତ୍ର ଚଢା ପଛେ ବନ୍ଦ ହୋଇଯିବ ହେଲେ ଦୁଇଭଉଣିଙ୍କ ଖିଟ୍ପିଟ୍ କିନ୍ତୁ କୌଣସିଦିନ ବନ୍ଦ ହେବନି । ଜଣଙ୍କର ଚେଙ୍ଗରାଶି ହେଲେ ଅନ୍ୟ ଜଣଙ୍କର ବେଙ୍ଗରାଶି । ବେଶି ଝଗଡା ହୁଏ ଛୋଟଛୋଟ ଘରକାମକୁ ନେଇ । ନିନି କହେ ମୁଁ ମାନିଠାରୁ ବେଶି ଅଧିକ ଘରକାମ କରୁଛି, ମାନି କହେ ମୁଁ ନିନିଠାରୁ ବେଶି କରୁଛି । ଏସବୁ ଝମେଲା ଦେଖି ମାଆ ବେଳେବେଳେ ଆଖିରୁ ଲୁହ ଗଢେଇଲେ ଦୁହେଁ ଶାନ୍ତପଡି ଚୁପ୍ ହୋଇଯାଆନ୍ତି । ମାଆପାଖରେ ଆସି ସାନ୍ତ୍ୱନାଦେବା ଆଳରେ ଗେହ୍ଲେଇ ହୁଅନ୍ତି । ମାଆ ବୁଝେ, କିନ୍ତୁ କରିବ କଣ ! ନିନିଟା କସରତ କରେ ନା ! ତେଣୁ ମାନି ଅପେକ୍ଷା ଟିକେ ଷ୍ଟ୍ରଙ୍ଗ୍, ମାନିଟା ନରମା । ତେଣୁ ବେଳେବେଳେ ମାଆ ମାନିକୁ ସୁରକ୍ଷା ଦିଏ । ସେଥିପାଇଁ ନିନି ମାଆକୁ କୁହେ,- ‘ସିଏ ତୋ ଝିଅ , ମୁଁ ନୁହେଁ ।’ ଏବେ ମାଆ ସେ ଝଗଡାର ଅନ୍ତ କରିବା ଉପାୟ ବାହାର କରି ପାଳି କରିଦେଛନ୍ତି । ନିନିର ସକାଳବେଳା ସବୁକାମ ଏବଂ ମାନିର ରାତିବେଳା । ରୋଷେଇବାସ ଠାରୁ ଆରମ୍ଭକରି ଘରସଫା ଓଳାଓଳି ବାସନ ମଜାଯାଏ । ନିନି ଭାଗରେ ସକାଳବେଳା । ସମୟ ଆରମ୍ଭ ଭୋର ଚାରିଟାରୁ ଅପରାହ୍ଣ ଦୁଇଟା । ତାପରେ ମାନିର ଅପରାହ୍ନ ଦୁଇଟାରୁ ରାତି ଏଗାରଟା । ନିନିର ଭୋର ଚାରିଟାରୁ ବ୍ୟାୟାମ ସହ ପାଳିର ଅୟଂଆରମ୍ଭ । ପୋଲିସ ଚାକିରି କରିବାରେ ତା’ର ବହୁତ ଇଚ୍ଛା । ଯାହିତାହି ହୋମଗାର୍ଡ କି କନେଷ୍ଟବଳ ଚାକିରି ନୁହେଁ, ତା, ପୋଲିସ ପୋଷାକର କାନ୍ଧପଟିରେ ଅତି କମରେ କେତେ ଗୋଟି ଷ୍ଟାର ଲାଗିଥିବା ଦରକାର । ସେ ଏଏସ୍ଆଇ ତଳକୁ ମୋଟରୁ ରାଜି ନୁହେଁ । ସେଥିପାଇଁ ଦିନରାତି ପରିଶ୍ରମ କରୁଛି । ମନଦେଇ ଲାଗିଛି । ରାତି ତିନିଟାରୁ ଉଠି ପଢୁଛି, ପୁଣି ପ୍ରତ୍ୟେହ ଦୁଇଘଂଟା ଦଉଡାଦଉଡି କରି ଝାଳ ବୁହାଉଛି ।
ଦୁଇ ଭଉଣିଙ୍କର ପାଳି ବଦଳା କାମଟି ବହୁତ ଅନୋଖା । ବେଳେବେଳେ କିଛି ଦରବ ରୋଷେଇଘରେ ପହଁଚିବାରେ ସାମାନ୍ୟ ବିଳମ୍ବ ହେଲେ, ନିନି ଚାଉଳଧୋଇ ଭାତହାଣ୍ଡି ବସେଇ ଦେବ ସିନା ହେଲେ ଗାଳିବ ନାହିଁ । ଗାଳିବ ମଝିଆ ମାନି । କୁକରରେ ଡାଲି ସିଝେଇ ତିନିଟା ହୁଇସିଲ୍ ଦେବ ନିନି କିନ୍ତୁ ତଡକା ଛୁଙ୍କ ମାନିକୁ ଦେବାକୁ ପଡିବ । ଘଂଟାକଂଟାରେ ଦୁଇଟା ମାନେ ସମାନ ଦୁଇଟା । ସେଥିପାଇଁ ରୋଷଘରେ ଗୋଟେ କାନ୍ଥଘଂଟା ଦୁହେଁ ନିଜନିଜ କୁମ୍ପିରୁ ପଇସା ବାହାରକରି ଝୁଲେଇଛନ୍ତି ଯେ ପ୍ରତି ଘଣ୍ଟାରେ ଟଂଟଂ ଶଦ୍ଧ କରି ପାଳି ବଦଳିବା ସମୟକୁ ସୁଚାଇ ଦେଉଛି ।
ଅକାଳେସକାଳେ କେବେକେବେ ଯଦି କାହାର ସମୟ ସରିଲା, ଅନ୍ୟଜଣେ ରୋଷଘର ଦୁଆରବନ୍ଧ ବାରଣ୍ଡାକୁ ଆସିନାହିଁ ତେବେ ସେ ଜଣକ ମାଆକୁ ତାଗିଦକରି କହିବ, – ‘ମୁଁ ଚାଲିଲି, ତୋ, ଝିଅକୁ ଡାକିଦେ, ମୋର ସମୟ ସରିଗଲା, ଏବେ ତା ପାଳି’ – ଏତିକି କହି ତା, ଶୋଇବା ଘରକୁ ପଶି ଖଟଉପରେ ଗଡିପଡି ମୋବାଇଲ୍ ଖେଂଚିବ ପଛେ ଅଧିକ ଗୋଟେ ମିନିଟ୍ ରୋଷଘରେ ରହିବନି । କେବଳ ମାସିକଧର୍ମ ପାଂଚସାତ ଦିନ ଦୁଇଭଉଣୀ ଭିତରେ ଅଳ୍ପବହୁତେ ବୁଝାମଣା ରହେ । ଇଏ ତା ପାଇଁ କରେ, ସିଏ ବି ୟା ପାଇଁ ଘରକାମକୁ ସମ୍ଭାଳି ସେଇଦିନ ତକ ସବୁକିଛି କରିଦିଏ । ସମସ୍ତଙ୍କର ଅଲଗାଅଲଗା ଶୋଇବା ଘର । ହେଲେ ଅଗଣା ଗୋଟିଏ, ଯେଉଁଠି ଝଗଡା ହେଉହେଉ ବେଳେବେଳେ ଚୁଟି ଧରାଧରି ସହ ଇଟା ଉଠାଉଠି ଯାଏ ବି କଥା ଯାଏ ଯେ ଏବେ ଟିକେ ଥମିଛି । ସମ୍ପୂର୍ଣ୍ଣ ବନ୍ଦ ହେଇନି ନା ହବନି ବୋଧେ । କିନ୍ତୁ ଶତକଡା ଷାଠିଏଭାଗ ନିୟନ୍ତ୍ରଣ କରିବାରେ ମାଆକୁ ଏଇ କେଇଦିନ ହେଲା ସଫଳତା ମିଳିଛି ।
ଏଇ ଦୁଇଝିଅଙ୍କୁ ଛାଡି ମାଆ ସହିତ ସେଇଘରେ ଏକାଠି ରୁହନ୍ତି ମାଆର ବଡପୁଅ ଓ ନିନି ମାନିର ବଡଦାଦା ଫନି । ଦେବଗଡରେ ଭାଇକୁ ଦାଦା କୁହନ୍ତି । ଫନିକୁ ଦିଜଣଯାକର ପ୍ରାଣେ ଭୟ, ବହୁତ ଡରନ୍ତି । ନିନିଟା ଗୁଣ୍ଡି କିସମର । ଦିନେ ଦୁଇ ଭଉଣୀ ଓ ଭାଇ ତିନିହେଁ ଦଣ୍ଡ ଦେଖିଯିବା ବେଳେ ଭାଇ ସବା ଆଗରେ ଚାଲିଥାଏ । ତା ପଛକୁ ନିନି, ସବା ପଛରେ ମାନି ଓ ମାଆ । ନିନି ଭାଇର ଚାଲିବାକୁ ଅନୁକରଣ କରି ଭୀମ ପରି ହାତ ପହଁରେଇ ଚାଲିବା ଦେଖି ମାନି ସମ୍ଭାଳି ପରିଲାନି । ଫେଁ ଫେଁ ଶଦ୍ଧ କରି ବଡପାଟିରେ ହସି ଦେବାରୁ ଫନି ପଛକୁ ବୁଲି ନିନିର ଏସବୁ ଅଭିନୟ ଦେଖି ଚଣ୍ଡି ବୋଲି କହି ହାତ ଉଠେଇଲା ଯେ, କିନ୍ତୁ ମାରିଲାନି । ଥରେ ଯୋରରେ ମାରିବାରୁ ନିନି ମାଆକୁ କହିଲା- ତୋ ପୁଅକୁ କହିଦେ ମୋତେ ବି ହାତ ଉଠେଇ ଆସେ । ସେକି ଦେଇଯିବି ଯେ ପୁଅ ଚିହ୍ନିବ । ମୁଁ ତା ଭଉଣୀ, କନିଆଁ ନୁହେଁ । ଭଲରେ ବୁଝେଇ ଦେ କହୁଛି । ତାର ଯଦି ମାରଧର କରିବାକୁ ହାତ କୁଣ୍ଡେଇ ହେଉଛି, ତେବେ ତା ପାଇଁ ଗୋଟେ କନିଆଁ ନେଇଆ । ସିଏ ତାକୁ ମାରୁ କି ହାଣୁ ଆମର କିଛି କହିବାର ନାହିଁ । ମୋ ଦେହରେ ଆଉ ଥରେ ଯଦି ସେ ଟିପ ଦିଏ ତେବେ ଦେଖିବ । ନିନିକୁ ସାଇ ଟୋକାମାନେ ବି ମନେମନେ ଡରନ୍ତି । ସେ କାହାକୁ ଛାଡିବା ଯନ୍ତୁ ନୁହେଁ । ବୋପାମୁହଁରେ ଜବାବଦେବା ଝିଅ । ଯେତେ ବଡଲୋକ ହେଉ କି ସାନ, କାହାକୁ ଛାଡେନି । ଦିନେ ଭାଇକୁ ବେ କହିଥିଲା ବୋଲି ଭାଇ ଦେ ଦନାଦନ୍ କରି ଗାଲରେ ପାଞ୍ଚ ଆଙ୍ଗୁଠି ଚିହ୍ନ ବସେଇ ଦେଇଥିଲା । ସେଦିନ ଠାରୁ ଭାଇଭଉଣୀ ଭିତରେ ସ୍ନେହ ଆଦର ସମ୍ମାନ ଭରପୁର ଥିଲେ ବି କଥାବାର୍ତା ନାହିଁ । ଭାଇ ଗାଧୁଆଘରକୁ ପଶିଲେ ତା ପାଇଁ ନିନି ଜଳଖିଆ ବନ୍ଦୋବସ୍ତ କରିବ । ଗାଧୁଆ ଘର ଭିତରପଟ କୁଣ୍ଡି ଖୋଲିବା ଶଦ୍ଧ କେଁକେଁ ଶୁଣିଲେ ଜଳଖିଆ ବାଢି ଥାଳିଟିଏ ଢାଙ୍କି ରୋଷଘରୁ ବାହାରିଆସିବ । ଭାଇ ଖାଇସାରି ହାତଧୋଇବା ସମୟରେ ନଳପାଣିର ସି.ସି. ଶଦ୍ଧହେଲେ ପୁଣି ରୋଷଘର ଯାଇ ଭାଇର ଅଇଁଠାବାସନ ଉଠେଇ ମାଜିମୁଜି ଧୋଇ ସଫାକରି ପୋଛିପାଛି ରଖିଦେବ । ସାମ୍ନାସାମ୍ନି ହେବନି କି କିଛି କଥାବାର୍ତା ବି ହେବେନି । ବଢିଆ ବୁଝାମଣା । କିଛି ଜରୁରୀ କାମ ଥିଲେ ମାଆ ମଝିରେ ଭାବ ଆଦାନପ୍ରଦାନର ମାଧ୍ୟମ ହୁଏ । ଦୁଇ ଭଉଣୀଙ୍କ ଝଗଡାରେ ମାଆ ମାନିପଟିଆ ହୁଏ ବୋଲି ନିନି ବରାବର ଅଭିଯୋଗ କରେ । ଦୁଇଜଣ ଯାକ ଦେବଗଡ ମହାବିଦ୍ୟାଳୟରୁ ଆଗପଛ ହୋଇ ସ୍ନାତକ ପାସ୍ କରିଛନ୍ତି । ନିନିର ଇଚ୍ଛା ଏଏସ୍ଆଇ କି ଏସାଇ ଟିଏ ହେବ । ସରକାରୀ ଚାକିରି କରିବ । ବ୍ୟାୟାମ କରି ତଗଡା ହେଲାଣି ଯେ ଲିଖିତ ପରୀକ୍ଷାଟି ଡେଇଁ ପାରୁନି । ଉଚ୍ଚତା ବି ପାଂଚଫୁଟ ପାଂଚ ଛଅ ଇଁଚ ଆଡେ ହୋଇଯିବ । ଛାତିର ଚଉଡା ବି ଭଲ । ଫିଜିକାଲରେ ସେ କେବେ ବି କଟିବନି । ଏବେ ସକାଳ ଦଉଡାରେ କନ୍ଧମାଳର ଯୋଉ ପୋଲିସ୍କୁ ସାଙ୍ଗ କରିଛି, ତାକୁ ସେ ନିଜଭାଇ ପରିକା ଦେଖେ । ସେ ପୋଲିସ୍ ଭାଇ ନିନିକୁ ଟୋଂଟ୍ ମାରିମାରି ତାର ଝାଳ ବୁହାଇ ଦିଏ । ହେଲେ ଲିଖିତ ପରୀକ୍ଷାଟି କାଳ ହେଉଛି । ସେଥିପାଇଁ ଏବେ ସଙ୍କଟମୋଚନ ହନୁମାନ ମହାପୁରୁଙ୍କୁ ଜାବୁଡିକି ଧରି ସବୁ ସନ୍ଧ୍ୟାରେ ବର ମାଗୁଛି । ମଙ୍ଗଳବାରରେ ଆଇଁସ ଛୁଉଁନିି ଏବଂ ଶହେଆଠ ଥର ଅଞନେୟ ମନ୍ତ୍ର ପ୍ରତିସଂନ୍ଧ୍ୟାରେ ଲେଖି ମୁଣ୍ଡିଆ ମାରୁଛି । ଦିନ ପ୍ରତିଦିନ ନିନିର ମନୋବଳ ବଢୁଛି । ଆସନ୍ତା ପରୀକ୍ଷାରେ ଲିଖିତକୁ ଟପିଯିବ ବୋଲି ବିଶ୍ୱାସ କରୁଛି । ଦେଖାଯାଉ, ତା, ଭାଗ୍ୟ ।
ଘରର ମୂଖ୍ୟ ରୋଜଗାର ସେଇ ଛେଳିପହ୍ଲରୁ । ବାପା ଗଲାପରେ ଛେଳିଚରା କାମଟା ବଡଦାଦା ଫନି ଉପରେ । ଜଙ୍ଗଲ ନେଇ ଯିବା, ସମସ୍ତଙ୍କୁ ଜଗିବା ଏବଂ ଘରକୁ ଲେଉଟାଇ ଆଣି ଗୁହାଳରେ ପୁରାଇବା ଇତ୍ୟାଦି । ଏସବୁ କାମ କଲାପରେ ଫନିର ଧାନଉଁସା ହାଣ୍ଡି ପରିକା ପେଟୁଟା ଟିକେ କମିକମି ଭିତରକୁ ପଶିଲାଣି । କଅଁଳପତ୍ର ଭରା ଡାଳଭାଙ୍ଗି ଗୋଛାକରି ଜଙ୍ଗଲରୁ ବୋହିଆଣି ଛୁଆଛୁଆ ଛେଳିଙ୍କ ଆଗରେ ରଖିବା ବି ସେଇ ଫନିଦା,ର କାମ । ଘର ଭିତରେ ଛେଳିଗୁହାଳ ସଫାସୁତର ମାଆ ଭାଗରେ ଥିଲା ଯେ ଏବେ ସିଏ ଏସବୁ କାମକୁ ପାରୁନି । ବୃଦ୍ଧ ବୟସରେ ସଦାବେଳେ କଣ ଦେହପା ଭଲ ରହୁଛି ! ବେଳେବେଳେ ଝିଅମାନଙ୍କ ସହାୟତା ସେଇ ଛେଳିଗୁହାଳ ପରିଷ୍କାର କରିବାକୁ ଲୋଡାପଡେ । ଗୋଟେ ଦୁଇଟା ନୁହେଁ, ସମସ୍ତଙ୍କ ସଂଖ୍ୟା ହିସାବକଲେ ମାଆ ଛୁଆ ଖାସି ଗାରଡ ମିଶି ତିରିଶି ଉପରେ ହେବେ । ଏଇ ଗୁହାଳ ସଫାକାମୁଟା ଏବେ ଦୁଇ ଭଉଣୀଙ୍କ ଭିତରେ ଝଗଡାର ମୂଖ୍ୟ ବିନ୍ଦୁ ହୋଇଛି । ଲାଗାତାର ଯଦି ନିନିକୁ ଦୁଇ ତିନିଦିନ ଧରି ଛେଳିକାମ କରିବାକୁ ମାଆ କହେ, ତେବେ ତାର ମଥା ଗରମ ହୋଇଯାଏ । ସହଜେ ତ ମାଆ ମାନିପଟିଆ ହୁଏ ବୋଲି ନିନି ସାଦାବେଳେ ଫିଡିକି କି ଥାଏ, ତା’ପରେ ବାରମ୍ବାର ବାହାର କାମ କରିବାକୁ କହିଲେ ରାଗରେ ଫଁ ଫଁ ହୁଏ । ଥରେ ମାଆକୁ କହିଲା,
– ‘ମାଆ ତୁ ଗୋଟେ କଥା ଭୁଲି ଯାଉଛୁ!’
– ‘କି କଥା?’
-‘ବହୁତ ବଡ କଥା! ବହୁତ ମାନେ ବହୁତ ବଡ ।’
– ‘ବଡ କଥା? – ଏମିତି କୋଉ କଥା ମୁଁ ଭୁଲିଗଲି ! ବୁଲେଇବାେଙ୍କଇ ମୋତେ କଣ ସବୁ ଏଣୁତେଣୁ କହୁଛୁ ମୁଁ କିଛି ବୁଝିପାରୁନି । କୋଉ ବଡକଥା ଟା ଭୁଲିଗଲି ଯେ?’
– ‘ତୁ ଗୋଟେ ନୁହେଁ, ଦୁଇ ଦୁଇଟା ଝିଅ ଜନ୍ମ କରିଛୁ । ମୋତେ କଣ କୋହଳ ପାଇଛୁ? ତୋ ଝିଅକୁ କହୁନୁ ଦିନେ ଅଧେ ଛେଳି କାମ କରିବ । ସଦାବେଳେ କଣ ନିନି.. ନିନି.. ଏ ନିନି ନିନିଆରେ , କୁଆଡେ ମଲୁ ଏମିତି କଣ ଅସଭ୍ୟ ପରି ଦିନରାତି ଚିଲଉଛୁ? ବେଶି ଦେଖେଇ ହେଉଛି । କିଛି ନକହିଲାରୁ ତୋ ମୁହଁ ବଢିଯାଉଛି । ପଅରଦିନ ମୁଁ କରିଥିଲି, କାଳି ବି କଲି । ତୋ ଆଖି କଣ ଫୁଟିଯାଇଛି! ତୋତେ ଦିଶୁନି । ତୋ ଝିଅ ଖଟରେ ଶୋଇଶୋଇ ଟିଭି ଦେଖିବ, ଆଉ ମୁଁ ଛେଳିଲେଣ୍ଡି ଗୋଟେଇବି । ଭଲ । ଆଜି ମୋ ଦ୍ୱାରା ସେସବୁ କାମ କିଛି ହୋଇପାରିବନି, ତୋ ଝିଅକୁ ଡାକି ବରାଦ କରିଦେ କରିବାକୁ । ମୁଁ ଚାଲିଲି, ମୋର ପଢାପଢି ଅଛି । କହିଦେଇ ଗଲି ଆଉ ଚିଲେଇବୁନି । ଯଦି ଚିଲେଇଛୁ, ତେବେ ମୋତେ ଚିହ୍ନିବୁ!’
ମାଆ ତାର ଏମିତି କଥାକୁ ବେଶି ଗୁରୁତ୍ୱ ଦିଅନ୍ତିନି । ଛୁଆଟା କଣ ଗୁଡାଏ ବକରବକର ହୋଉଛି ହେଉ କହି କଅଁଳେଇ କାମ କରେଇ ନିଏ । ନିନିର ହୃଦୟ ଭଲ । ଖାଲି ମୁହଁ ଫୁଟାଣୀ । ଯାଚ୍ଛା ତା, କହି ଦିଏ ସିନା, ହେଲେ ସବୁ କରିବ । କଟକ ଚିନ୍ତା ବାଈମୁଣ୍ଡିକୁ ହେଲା ପରି ସାନଝିଅ ହେଲେ ବି ସମସ୍ତଙ୍କ ଚିନ୍ତା ତା’ର । ଏବେ ତା’ଙ୍କ ଘରସମ୍ନାରେ ଗୋଟେ ନୂଆ ଅଫିସ ଖୋଲିଛି । ସେଇ ଅଫିସର ଯିଏ ମୁଖିଆ, ସେ କଟକିବାବୁଙ୍କ ଚିନ୍ତା ବି ନିନି କରୁଛି । କେତେବେଳେ ତା’ଙ୍କ ରୋଷେଇଆ ଛୁଟି ନେଲା, କ’ଣ ଖାଇବେ ! ଇତ୍ୟାଦି ଚିନ୍ତା ଏବେ ନିନିର । ତା’ ହାତରନ୍ଧାଟା ସମସ୍ତଙ୍କୁ ଭଲଲାଗେ । ବେଳେବେଳେ ଟିକେ ତେଲମସଲା ଅଧିକ ଦେଇଦିଏ, ହେଲେ ସୁଆଦିଆ ରାନ୍ଧେ । ବଡଦାଦାକୁ ହାଲେ ଡର । ଯଦି ସ୍ୱାଦରେ ଟିକିଏ ଏପଟସେପଟ ହେଲା କେତେକଣ ଶୁଣିବାକୁ ମିଳେ ।
– ‘ଧ୍ୟାନଟା କୁଆଡେ କାହାର ରହୁଛି କିଛି ଜଣାପଡୁନି । ରୋଷେଇଘରେ ରନ୍ଧାକାମ କଲାବେଳେ ଅହରହ କାନରେ ସେ ଦୁଇଟା ବୋତାମ କଣପାଇଁ ଗେଞାଯାଉଛି ! ଯୋଉଗୁଡା ରନ୍ଧା ଯାଇଛି, ମଣିଷକୁ ରୁଚିବା ତ ଦୂରର କଥା କୁକୁର ବି ଛୁଇଁବନି । ଆଜିକାଲି ରୋଷଘରେ ଇଅରଫୋନ୍ କେଂଚିବା ସମସ୍ତଙ୍କର ଗୋଟେ ବଦଭ୍ୟାସ । ସେଥିପାଇଁ ଏସବୁ ଅଘଟଣ । ଯେଉଁଥିରେ ଯେତିକି ଲୁଣ, ଯେତିକି ହଳଦି ସେସବୁ ମାପରେ ପକେଇଲେ ସିନା ହେବ । ମନଇଛା ଛିଂଚିଦେଇ ସିଝେଇ ଥୋଇଦେଲେ କଣ ତା’କୁ ରାନ୍ଧଣା କୁହାଯାଏ ! ଏଗୁଡା କୋଉଠି ଯାଇ କାହାଘରେ ରହିବେ କେଜାଣି!’ ଭାଇଠାରୁ ଏପରି ମନ୍ତବ୍ୟ ଶୁଣି ନିନି ବେଳେବେଳେ ମାଆକୁ କୁହେ, ‘ଖାଇବା ପିଇବାକୁ ଦେଉଛ ବୋଲି କେତେ କଥା ଶୁଣଉଛ!’ ଘରେ ଯାହା ବି ରୋଷେଇ ହେବ, ତା’ଙ୍କ ଘର ସାମ୍ନା ଅଫିସର ମହାଶୟଙ୍କ ପାଇଁ ଟିଫିନ୍ରେ ପ୍ୟାକ୍କରି ଦୋକାନଥାକରେ ରଖିଦେବା ଦାୟିତ୍ୱ ବି ନିନିର । ସିଏ ବି ତା’କୁ ଗୁଣ୍ଡି ନାଁରେ ମାଆକୁ ପଚାରନ୍ତି । ତା’ଙ୍କ ହିସାବରେ ଗୁଣ୍ଡିର ଯେଉଁ ଛୁଆପିଲା ହେବେ ତା’ଙ୍କର ଅହୋଭାଗ୍ୟ । ଯିଏ ସାମାନ୍ୟ ଗୋଟେ ଛେଳିଛୁଆ ଗିନିକୁ ଏତେ ମିସ୍ କରୁଛି, ନିଜର ମଣିଷ ଛୁଆଗୁଡାକୁ କେମିତି ପାଳିବ କହିଲେ !
ଫୁଲମଣି ତା’ଙ୍କ ଘରକୁ ଆସିବା ପରେ ତିନିଥର ଫଳିଲାଣି । ଗୋଟିଏଗୋଟିଏ ଲକ୍ଷ୍ମୀବନ୍ତିଆ ଫଳନ୍ତି ଛେଳି ଥାନ୍ତି । ସେଥିରୁ ଫୁଲମଣି ଗୋଟିଏ । ଗିନି ଓ ଡୁଗୁ ଫୁଲମଣିର ତୃତିୟ ଯାଆଁଳା ସନ୍ତାନ । ଫୁଲମଣିର ପ୍ରଥମ ଯାଆଁଳା ଝିଅ ଦୁଇଟା ମାଲିକର ପୁରା କାମ ଉଠେଇଦେଲେ । ନିନିବାପାଙ୍କ ଦେହାନ୍ତର ଛଅଦିନ ହେବା ଦିନ କଂସେଇ ଆସି ରୋକଠୋକ ହାତକୁହାତ କୋଡିଏ ହଜାର ଟଙ୍କା ଗଣି ସେ ଦୁହିଁଙ୍କ ପଘା ଡିଆଁଇ ତା’ସାଙ୍ଗରେ ନେଇ ·ଲିଗଲା । ଗଲାବେଳେ ଦୁହେଁ ପଛକୁ ଚାହିଁ ମେ’.. ମେ’.. କରି କହୁଥାନ୍ତି,- ‘ଆମକଥା ଚିନ୍ତା କରନି । ଆମ ଜନ୍ମ ତ କଂସେଇ ହାତରେ ବଧହେବା ପାଇଁ । ପାଂଚମୁଖରେ ନ ଲାଗିଲେ ଆମେ ସ୍ୱର୍ଗଯିବୁ କେମିତି ? ଆଜି ନୁହେଁ ତ କାଲି କୋଉ ନା କୋଉ କଂସେଇ ତ ଆମକୁ ଏମିତି ନେଇ କାଟି ବିକିଥାନ୍ତା । ଆମର ଖୁସି ଏତିକି ଯେ ଆମେ ଆମ ମାଲିକର କାମରେ ଆସିଲୁ । ମାଆ ! ମନଦୁଃଖ କରନା, ନିନି ତୁ ବି ଲୁହ ଗଢାନା । ସମସ୍ତେ ଆମକୁ ହସିହସି ବିଦାୟ ଦେଇ ଦିଅ, ମାଲିକର ଦଶାହ କାମ ଆମ ପଇସାରେ ଧୁମ୍ଧାମରେ କର ।’
ଫୁଲମଣି ସବୁ ବୁଝୁଥାଏ, କିନ୍ତୁ ସିଏ ବି କ’ଣ ବା କରି ପାରିବ ! ମାଲିକ ଯେତେବେଳେ ଚାଲିଗଲେ, ସାଇଭାଇଙ୍କ ପାଇଁ ତ ଭୋଜିଭାତ ଦେବାକୁ ହେବ ନା ! ମାଲିକିଆଣି ପାଖରେ ପଇସାକଉଡିର ଘୋର ଅଭାବ । ଗତବର୍ଷର କିଛି ସଂଚିତଧନ ଅଳ୍ପ କିଛି ହାତରେ ଥିଲା ଯେ, ବୁଢାର ଔଷଧ ଖର୍ଚ୍ଚରେ ସରିଗଲା । ଫୁଲମଣି ତ ପରିବାର ର ସୁଖେଦୁଃଖେ ସଦାସର୍ବଦା ଭାଗିଦାର ହୋଇ ଆସିଛି । ଆଜି ବା କାହିଁକି ମୁହଁ ମୋଡିବ! ଯାଆନ୍ତୁ ପହଲିଗର୍ଭର ସେ ଦୁଇଟା । ମାଲିକଙ୍କ ପାଇଁ ସହିଦ୍ ହୁଅନ୍ତୁ । ସେଥିରେ କିଛି କଥା ନାହିଁ । ସିଏ ନିଜ ବଳିଦାନ କଥା ଭାବୁଥିଲା ଯେ, ହେଲେ ଆଉ ଦୁଇତିନି ଥର ଜନ୍ମ କରିପାରିବ ସିଏ । ଏଇ ପରିବାରକୁ ଆଉରି ବହୁତ ସାହାଯ୍ୟ କରିପାରିବ । ଆଗକୁ ତିନିତିନି ଜଣଙ୍କର ବିବାହ ଭୋଜିଭାତ ବି ଅଛି । କାହାର ନା କାହାର ତ କାମରେ ସିଏ ଆଗକୁ ନିଶ୍ଚୟ ଆସିବ । ଏମାନେ ଏବେ ମାଲିକର କାମଟା ଉଠାନ୍ତୁ, ଆଗକୁ ଦେଖିବା ।
ସେଦିନ ଗିନି ଓ ଡୁଗୁ ଭୂମିଷ୍ଟ ସମୟହେଲା ବେଳକୁ ମାଆ ଉଠି ଯାଇଥିଲା । ନିନିକୁ ଫୁଲମଣିର ସେବାରେ ଦେଖି ତା ପିଠି ଆଉଁସେଇ ପିଠିରେ ଦୁଇଟା ଗେଲ ଚାପୁଡା ଲଗେଇ ଆଶୀର୍ବାଦ ଦେଇ କହିଲେ, – ‘ମୋର ସୁନା ଝିଅଟା ।’ ଗିନିର ରଙ୍ଗ ପୁରା କଳା ମଚମଚ କୁ ଭାଇ ଡୁଗୁଟା ଛଇଲା । ଜଙ୍ଗଲି ବାରାହା ପରି ଦେହସାରା ଧଳାରଙ୍ଗର ପଟାପଟା ଗାର । ଜନ୍ମବେଳେ ଦୁହେଁ ବହୁତ ସୁନ୍ଦର ଦେଖା ଯାଉଥିଲେ । ଫୁଲମଣି ସେମାନଙ୍କୁ ଚାଟି ସଫାକଲା ଭିତରେ ନିନି ନିଜେ ଗୋଡହାତ ଦେହମୁହଁ ଧୋଇଧାଇ ତାଜାତାଜା ଡାଳପତ୍ର ଗୋଛାଏ ନେଇ ଗୁହାଳରେ ପଶିଲା । ଫୁଲମଣି ନିନିହାତରେ ତାର ପସନ୍ଦିଦା ଖାଦ୍ୟକୁ ଦେଖି ଲାଞ ଛାଟିଛାଟି ନିନିକୁ ଧନ୍ୟବାଦ ଦେବା ସହ ସ୍ୱାଗତ କଲା । ଦି ଚାରି ଦିନରେ ଛୁଆଦୁଇଟା ଚେଙ୍ଗା ହୋଇଗଲେ । ଦିନ କେଇଟାରେ ଗିନି ନିନିର ପ୍ରିୟ ହୋଇଗଲା । ଡୁଗୁ ଆଗରେ ନିନି ଗିନିଟିକୁ ଗେହ୍ଲା କଲେ ସିଏ ଜଳେ । ଫୁଲମଣି ଏସବୁ ଜାଣି ରାତିବେଳା ଗିନିକୁ ଆଗ ଖୋଇଦିଏ, ପରେ ଡୁଗୁକୁ ଖୁଆଏ । ଗିନି ଖିରଖାଇ ନିନି ପାଖରେ ଯାଇ ଶୁଏ । ନିନି ଭୋର ଚାରିଟାରୁ ଉଠି ନିତ୍ୟକର୍ମ ସାରିବାକୁ ଗାଧୁଆ ଘରକୁ ପଶିଲେ ଯାଇ ଗିନି ଫୁଲମଣି ପାଖକୁ ଆସେ । ଦୁଇଜଣଙ୍କ ଭିତରେ ଏମିତି ମୋହ ଆସିଗଲାଣି ଯେ ଜଣେ ଅନ୍ୟଜଣକୁ ନଦେଖିଲେ ଘଡିଏ ରହିବା କଷ୍ଟ । ଦିନେ ନିନି ପଡିଶାଘରକୁ ପୂଜାପାଇଁ ଯାଇ ରାତି ଅଧଯାଏ ଫେରିଲାନି ଯେ ଗିନି ଦାଣ୍ଡ ଦୁଆରବନ୍ଧ ପାଖରେ ଛିଡା ହୋଇ ମେଏଁ. ମେଏଁ. ହେଉଥାଏ । ଯିଏ ଯେତେ ଡାକିଲେ ବି ଭିତରକୁ ପଶିଲାନି । କେତେରାତିରେ ନିନି ଆସିଲା ପରେ ଯାଇ ତା ବୋବାଳି ବନ୍ଦ ହେଲା ।
ଏଇ କେଇଦିନ ପୂର୍ବରୁ ନିନି ଗିନିର ଏକୋଇସିଆ ପାଳିଥିଲା । ଛୋଟଛୁଆଙ୍କ ସାଇଜ ଛ’ନଂର ଟି’ସାର୍ଟ ଟିଏ ଆଣି ତା ଆଗଖୁରା ଦୁଇଟାକୁ ହାତକରି ଗଳେଇଦେଲା । ଭଉଣିର ପୋଷାକ ଦେଖି ଡୁଗୁ ବି ଖୁସିରେ ନାଚିଗଲା । କିରନ୍ ହୋଟେଲରୁ ଗୋଟେ ଚକୋଲେଟ୍ କେକ୍ ଆସି କଅଁଳିଆ ଜଙ୍ଗଲି ଡାଳପତ୍ର ଉପରେ ରଖାଗଲା । ଫୁଲମଣି ଖୁସିରେ ଲାଞକୁ ଛାଟି ପକଉଥାଏ । ଗିନି ଓ ଡୁଗୁ ମଥାରେ ନିନି ସିନ୍ଦୁରର ଟିକା କଲା । ଗିନି ନିନିଉପରକୁ ଦୁଇଖୋରା ଉଠେଇ ଚଢି ଯାଉଥାଏ । ଡୁଗୁ ବି ନିନି ଗୋଡରେ ଘସିଘସି ହୋଇ ଗେଲ ହେଉଥାଏ । ନିନିଟା ଗୀତ ନଶିଖିଲେ ବି ସୁରତାଳ ଧରି ଗାଏ । ହାପି ବାର୍ଥଡେ ଟୁୟୁ ଗୀତର ଗାୟନ ଭିତରେ ମାଆହାତରେ କେକ୍ କଟାଗଲା । ପ୍ରଥମ ଖଣ୍ଡ ନିନି ଗିନିକୁ ଖୋଇଲା ଓ ତାପରେ ଡୁଗୁକୁ । ଶେଷରେ ଫୁଲମଣି ପାଟିରେ ବଡଖଣ୍ଡ ନେଇ ଗେବିଦେଲା । ପରେ ଭାଇଭଉଣି ନାଚିନାଚି ଡାଳପତ୍ର ସବୁ ଖାଇଲେ । ସେଇ ଘଡିର କଥାସବୁ ନିନିକୁ ଆଜି ଅସ୍ତବ୍ୟସ୍ତ କରି ପକଉଛି । ନିନି ରାତିରେ ଶୋଇଲାବେଳେ ଗିନି କେତେବେଳେ ତା କୋଳରେ ତ କେତେବେଳେ ତା’ ମାଂସାଳବକ୍ଷୋଜ ଦୁଇଟି ମଝିରେ ମୁଣ୍ଡଗେଞି ଶୁଏ । ପଶୁ ହେଲେ ବି ଗିନିର ବୁଦ୍ଧି ଅଛି । କେବେବି ଗନ୍ଥାଗୋଦଡିରେ ଏକ ବା ଦୁଇ କରିନି । ଖରା ଦିନ ଆସିଲାଣି । ଗରମରେ ନିନି ଉଃ..ଆଃ..ଓଃ.. ଶଦ୍ଧ କଲେ ଗିନି ନିନିର ନରମ ପେଟକୁ ତା ଜିଭରେ ଚାଟି ପକାଏ । ବେଳେ ବେଳେ ଗାଲଆଡକୁ ମୁହଁ ନିଏ । ଏମିତି ମାସେ କଟିବା ପରେ ଆଜି ଗିନିର ଅବର୍ତମାନରେ ନିନି ଆଖିକୁ କେମିତି ନିଦ ଆସିବ !
ଶୀତ ଚାଲିଗଲା ପରେ ଏବେ ଖରାଦିନ ଆସିଛି । ମହୁଲଫୁଲର ବାସ୍ନାରେ ଚଉଦିଗ ମହକି ଯାଉଛି । ଗଛତଳ ମାଟିଟା ଶୁଖିଲାପତ୍ରର ବହଳ ଚାଦରରେ ଢାଙ୍କି ହୋଇଯାଇଛି । କେତେକୋଉ କାଳି ଅନ୍ଧାରରୁ ଲୋକେ ମହୁଲ ଗୋଟେଇବାକୁ ଜଙ୍ଗଲ ଯାଉଛନ୍ତି ଯେ ମହୁଲ ଫୁଲଗୁଡା ଶୁଖିଲା ପତ୍ର ତଳେ ଲୁଚିଯିବାରୁ ଗୋଟେଇ ଠୁଳ କରିବାରେ ଅସୁବିଧା ହେଉଛି । ତେଣୁ ଆଦିବାସୀ ଲୋକ ମହୁଲ ଫୁଲ ପାଇଁ ଜାଗା ସଫାକରିବା ନିମନ୍ତେ ନିଆଁ ଲଗେଇ ଦିଅନ୍ତି । ଏମିତି କିଛି ଦୁଇଦିନ ତଳେ କିଛି ଲୋକ କଲେ । କାଳ ବୈଶାଖୀ ଝଡତୋଫାନ ଆସିଲା ଯେ ବର୍ଷାର ନାଁ ଗନ୍ଧ ରହିଲାନାହିଁ, କିନ୍ତୁ ଖାଲି ପବନ ବୋହିଲା । ସେଇ ପବନରେ ପାହାଡର ତଳୁ ଉପରଯାଏ ନିଆଁ ମାତିଗଲା । ଗିନି ଓ ଡୁଗିର ବୟସ ଏବେ ଦୁଇମାସରୁ ଟିକେ ଅଧିକ । ବଡଦା ଫନି ଫୁଲମଣିକୁ ଜଙ୍ଗଲ ଚରିବାକୁ ଏବେ ଛାଡେନି । ବରଂ ନିଜେ ଯାଇ ତା ପାଇଁ ଡାଳପତ୍ର ଭାଙ୍ଗିଆଣେ । ସେଦିନ କଣ ବିଚାରିଲା କେଜାଣି ଫୁଲମଣିକୁ ଜଙ୍ଗଲ ଯିବାପାଇଁ ପଘାଖୋଲି, ଗୁହାଳ ତାଟି ଫିଟେଇ ଦେଲା । ତା ସାଙ୍ଗରେ ତାର ସେଇ ଛୁଆ ଦୁଇଟାବି କଅଁଳପତ୍ର ଲୋଭରେ ବାହାରି ତା ପଛେପଛେ ଚାଲିଲେ । ସେମାନଙ୍କୁ ରାସ୍ତା ଜଣା । ଝାଡେଶ୍ୱର ଶିବମନ୍ଦିର ପୂର୍ବରୁ ମୋହିନିପୁର ଆଗକୁ ଡାହାଣ ହାତି ପାହାଡ ତଳଯାଏ ଗୋଟିଏ ମାଟିରାସ୍ତା ଲମ୍ବିଯାଇଛି । ସେଇଠି ଛୋଟଛୋଟ ଗଛରେ କଅଁଳପତ୍ର ଭରି ରହିଛି । ସିଧାସିଧା ସେଇଠି ଯାଇ ମାଆ ଝିଅ ପୁଅ ତିନିହେଁ ଚରିଲେ । କଅଁଳ ସବୁଜିଆ ପତ୍ରଲୋଭରେ ଫୁଲମଣି ସାଙ୍ଗରେ ଚରୁଚରୁ ଗିନି ଓ ଡୁଗୁ ଟିକିଏ ପାହାଡ ଉପରକୁ ଉଠିଗଲେ । ଫେରିଲା ବେଳକୁ ନୂଆରାସ୍ତା । ତେଣୁ ମାଆ ଫୁଲମଣି ଆଗେଆଗେ, ତା ପଛରେ ବାଆଁକୁ ଡୁଗୁ ଏବଂ ଡାହାଣକୁ ଗିନି । ଡାହାଣପଟରୁ ବନାଗ୍ନୀର ଗରମ ପବନ ଆସୁଥାଏ । ନିଆଁର ଲାଭା ବି ଦେଖାଯାଉଥାଏ । ଫୁଲମଣି ମେଏଁ ମେଏଁ କରି ଦୁହିଁଙ୍କୁ ସତର୍କ ହୋଇ ଚାଲିବାକୁ କହୁଥାଏ । ଗୋଟିଏ ସିଆରର ଶୁଖିଲା ପତ୍ର ଗୁଡାକରେ ହଠାତ୍ ନିଆଁ ତାଙ୍କ ଆଡକୁ ଦଉଡି ଆସି ସେମାନଙ୍କ ଆଗ ଛେକିଲା । ଚାହୁଁ ଚାହୁଁ ନିଆଁ ଘେରିଗଲା । ଫୁଲମଣି ସଅଳ ଫେରିବାକୁ ତା ଭାଷାରେ ନିର୍ଦ୍ଧେଶ ଦେଇ ଖୁରାଟେକି ଦଉଡିବାକୁ ଲାଗିଲା । ସେଇ ନିଆଁଧାରକୁ ଫୁଲମଣି ଡେଇଁ ଦୁହିଁକୁ ଅପେକ୍ଷାକଲା । ଡୁଗୁ କଷ୍ଟେମଷ୍ଟେ ପାରି ହୋଇଗଲା, ହେଲେ ଗିନି ଗୋଟିଏ ଖାଇରେ ପଡିଗଲା । ନିଆଁର ପ୍ରଭାବ ଭୟାନକ ହେବାରେ ଲାଗିଥାଏ । ସେଇ ଖାଇରେ ଆଗରୁ ଦୁଇଖଣ୍ଡ ଶୁଖିଲା ଡାଳ ପଡି ହୁହୁ ଜଳୁଥାଏ । ଦୁଇମାସର କଅଁଳଛେଳି ଗିନିର ବା କେତେ ବଳ । ଯେତେ ଚେଷ୍ଟା କଲା, ଖାଇରୁ ଉଠି ପାରଲାନି । ମେ.. ମେ.. କରି ଚିତ୍କାର କଲା ।
ସବୁଦିନ ପରି ଫନି ଅଧଘଂଟା ଛାଡି ତାଙ୍କୁ ବାହୁଡେଇ ଆଣିବାକୁ ଯାଇଥିଲା । ସେଦିନ ବି ସେ ଠିକ୍ ସମୟରେ ପାହାଡ ତଳେ ପହଁଚିଗଲା । କିନ୍ତୁ ସେତେବେଳକୁ ଗିନିର ତଳିପେଟ ଝୁଲୁସିକିି ଚମଡା ଛାଡିବାକୁ ଆରମ୍ଭ କଲାଣି । ମାଆ ଓ ଭାଇ ଦୁହେଁ ଦେଖି ଚିତ୍କାର କରୁଥାନ୍ତି । ଫନି ତୁରନ୍ତଯାଇ ଗିନିକୁ ଉଦ୍ଧାର କରି ମୋଟରସାଇକେଲ୍ ଯୋଗେ ପଶୁଡାକତର ପାଖକୁ ନେଲା । ସେତେବେଳକୁ ଗିନିର ଅବସ୍ଥା ଗୁରୁତର । ସିଲେଇ କରିବାକୁ କମ୍ପାଉଁଡର ଜାଗା ପାଇଲାନି । କଅଁଳ ଚମଡା ବି ସିଲେଇ ସୂତାକୁ ଧରି ରଖିବାରେ ଅସମର୍ଥ ହେଲା । ଡାକତରବାବୁ ଶେଷରେ କହିଲେ,- ‘ଫେରେଇ ନିଅ, ଇଏ ଆଉ ବଂଚିବନି ।’
ଫନି କାନ୍ଦିକାନ୍ଦି ଗିନିକୁ ଘରକୁ ଅଣିଲାପରେ ନିନି ଗୁହାଳଖୁଂଟରେ ମୁଣ୍ଡ ପିଟିଦେଲା । ସାରାରାତି ସେମିତି ନିନି ଓ ଗିନି ଦୁହେଁ ଓପାସରେ ଶୋଇଲେ । ନିନିଆଖିକୁ ଆଉ ନିଦ କାହିଁ ! ଘଡିଘଡି ଆସି ଗିନିକୁ ଦେଖୁଥାଏ, ଅଞନେୟ ମନ୍ତ୍ର ପଢି ଗିନିପାଇଁ ପ୍ରର୍ଥନା କରୁଥାଏ । ତା’ପିଠିକୁ ଆଉଁସି ଦେଇ ପୁଣି ଥରେ ନିଜ ଶେଯଉପରେ ଶୋଇବାର ଚେଷ୍ଟା କରୁଥାଏ । ଶେଷକୁ କିଛି କାମ ଦେଲାନି । ଗିନି ଯେଉଁ ସମୟରେ ଆସିଥିଲା, ଠିକ୍ ସେଇ ସମୟରେ ନିନିଘର ଗୁହାଳରୁ ବିଦାୟନେଇ ପରମଧାମକୁ ଚାଲିଗଲା । ଗିନିର ଶବସତ୍କାର ପାଇଁ ଖୁଜାରୁକୁ ଡକରା ପଡିଲା । ଖୁଜାରୁ ତା’ ଛେଳିହଣା କଟୁରୀକୁ ଧାରଦେଇ ନିମିଷକ ଭିତରେ ସେଠି ପହଁଚିଗଲା । ସାଇଯାକରେ ଯାହା ଗୁହାଳେ ବି ଛେଳି ମରୁ ତା’କୁ କେମିତି ବାସ୍ନାହୁଏ । ସସ୍ତାରେ କିଣିଆଣି ଭୋଜିଭାତ କରିଦିଅନ୍ତି । ହେଲେ ଆଜି ଗିନି ମରିଛି । ସିଏ ଆଉ କିଏ ନୁହଁ, ନିନିର ପ୍ରିୟଝିଅ ଗିନି । ଖୁଜାରୁ ମାଆକୁ କହିଲା, – ‘ବଡ ମା, ବହୁତ ସୁଆଦିଆ ମାଉଁସ ବାହାରିବ । କଅଁଳିଆ ଛୁଆଟା । ଟିକେ ପୋଡି ଯାଇଛି, ସେତକ କାଟି ମୁଁ ଧିମା ଆଞ୍ଚରେ ତନ୍ଦୁର ବନେଇଦେବି । ନେ, ଏ ଟଙ୍କା ଦୁଇଶହ ଧର, ଅଂଟିରେ ରଖ ।’ ନିନି ଏସବୁ ଶୁଣି ବଡବଡ ଆଖିରେ ଖୁଜାରୁକୁ କାଳିମାଆ ପରି ଚାହିଁଲା । ପାଖରେ ଇଟା ଗଦା । ଗୋଟେ ମାଇଲେ ଖୁଜାରୁର ପ୍ରାଣବାୟୁ ଉଡି ବାହାରିଯିବ । ଚୁପ୍ଚାପ୍ ବଡମା’କୁ ଦେଉଥିବା ଶହେ ଟଙ୍କିଆ ନୋଟ ଦୁଇଟାକୁ ୱାପସ୍ ନେଇ ନିଜ ପକେଟରେ ପୁରେଇ ପଚାରିଲା – ‘ତେବେ ନିନିଦିଦି ୟାକୁ କ’ଣ କରିବା!’
ନିନି ଆଖିରୁ ଲୁହ ପୋଛୁପୋଛୁ କହିଲା,- ‘ବ୍ରିଜ୍ ପାଖ ନାଳ ପାଣିରେ ନେଇ ଗିନିକୁ ବିସର୍ଜନ କରିବା । କେତେ କଷ୍ଟରେ ବିଚାରି ମରିଛି ।’ ଖୁଜାରୁ ତା’କୁ ଖାଇବାକୁ ଓଠରେ ତେଲବୋଳି ଚାଲି ଆସିଥିଲା ଯେ କଣ ହେବ ଭାଗ୍ୟରେ ନାହିଁ । ନିନିର ହାବଭାବ ଦେଖି ସେସବୁ ଭୁଲିଗଲା । ଟିକିଏ ଶାନ୍ତ ରହି ପଚାରିଲା, -‘ନିନିଦିଦି ଏବେ କ’ଣ କରିବା କୁହ! ’
– ‘ଚାଲ୍ ସେ ଗାଣ୍ଡୁଆରେ ଭର, ଦୁହେଁ ଯିବା ସେ ବ୍ରିଜ୍ ନାଳକୁଳ ପାଣିଭିତରେ ପକେଇ ଆସିବା ।’ ତା କଥା ମନେପକେଇ ନିନି ପୁଣିଥରେ ସକେଇ କାନ୍ଦିବାକୁ ଆରମ୍ଭକଲାରୁ ମାଆ ବୁଝେଇଲା । ନିନିମନ କିନ୍ତୁ ଏ’ପର୍ଯ୍ୟନ୍ତ ବୁଝିନି । କେତେ ମୋହମାୟା ଗିନି କେତିକି ଦିନରେ ଲଗେଇଦେଲା ଯେ ନିନିକୁ ଏବେ ଅଜୁନ୍ତୁରି ଲାଗୁଛି । କ’ମ୍ ଦିନ ପାଇଁ ଆସିଥିବା କିଛି ଲୋକ ବି ଏମିତି ମୋହମାୟା ଲଗେଇ ଚାଲିଯାଅନ୍ତି ଯେ ତାଙ୍କ ପଛରେ ଝୁରିଝୁରି ଅନେକ କଂଟା ହୋଇଯାଆନ୍ତି । ସେମିତି ଅବସ୍ଥା ଏବେ ନିନିର । ଖିଆ, ପିଆ, ଶୁଆ ସବୁକିଛି ଓଲଟ ପାଲଟ । କିଛି ବୋଲେ କିଛି ଠିକ୍ ନାହିଁ । ସଦାବେଳେ ସେଇ ଗିନିର କଥା ମନେ ପଡୁଛି । ଦିନେ ସକାଳୁସକାଳୁ ମାଆକୁ ଉଠେଇ କହୁଛ, – ‘ଗିନି କାଲି ମୋ ସ୍ୱପ୍ନରେ ଆସିଥିଲା । ମୋତେ ବହୁତ ବୁଝେଇଲା, କନ୍ଦାକଟା କରନା ବୋଲି କହିଲା । ଆଉରି କହୁଥିଲା ଆସନ୍ତାକୁ ମୁଁ ପୁଣି ମୋ ମାଆଠୁଁ ଜନ୍ମ ନେବି । ତୁ ଭଲରେ ଖିଆପିଆ କରି ସୁସ୍ଥରେ ଥା ଯେ ମୁଁ ଆସିଲା ପରେ ଖେଳିବା । ଆଉ ମୋତେ ମନେପକେଇ କନ୍ଦାକଟା କରନା, ଶୋଇପଡ । ଛଅ ସାତମାସର କଥା । କାନ କୁଣ୍ଡଉ କୁଣ୍ଡଉ ପରା ସମୟ ଚାଲିଯିବ ।’ ମାଆ ନିନିର ଏପରି ପାଗଳାମି କଥା ଶୁଣି ବଡଦା ଫନିକୁ ଡାକି ଆଖିରୁ ଲୁହ ଗଢଉଗଢଉ କହିଲେ, – ‘ମାନିକଥା ପଛେ ପରେ ଦେଖିବା ଆଗ ନିନିପାଇଁ ଗୋଟିଏ ଶାଶୂଘର ସଅଳ ଠିକ୍ କର । ମାମାକୁ ଫୁନ୍ ଲଗା । ଆସନ୍ତା ତିଥିରେ ୟା’କୁ ହାତକୁ ଦି ହାତ ନକଲେ ଇଏ ମରିଯିବ । ଯାହିତାହି ୟା’କାମ ସାରିଦେଲେ ଇଏ ବଂଚିବ, ଆମେ ଅଚିନ୍ତା ହେବା । ନହେଲେ ଗିନିକୁ ଝୁରିଝୁରି ଦିନ କେଇଟାରେ କ’ଣ ଦେଖାଗଲାଣି ଦେଖିଲୁ, ପୁରିଲାପୁରିଲା ଗାଲଗୁଡା ଆଉ ନାହିଁ, ଆଖି ତଳ କଳାପଡି କୋରଡରେ ପଶିଗଲାଣି । ଏମିତି ହେଲେ କିଏ ୟା’କୁ ବୋହୂବୋଲି ପସନ୍ଦ କରିକି କାହା ଘରକୁ ନେବ ! ସବୁର ମୂଳ କାରଣ ସେଇ ଅନାବିଳ ପଶୁପ୍ରେମ ଏବଂ ଜୀବପ୍ରତି ମୋହ । ନିନି ଗୋଟେ ଭିନ୍ନ ପ୍ରକାରର ଅଦ୍ଭୁତ ଝିଅ ।