ଅଣୁଗଳ୍ପ

ଜୀବନ ଜ୍ୟାମିତି: ଯାହାକୁ ଯେମିତି

Kishore Akash's odia short story Jeebana Jyamiti Jahaaku Jemiti

କହେ ଅନୁତାପଭରା କଣ୍ଠରେ- ସରି ୟାର୍ ! କାଲି ଅଫିସ୍‌ରେ ୱାର୍କଲୋଡ୍ ପ୍ରବଳ ଥିଲା ତ ମୁଣ୍ଡ ଜମା କାମ କରୁ ନ ଥିଲା । ଜାମ୍ ହୋଇଯାଇଥିଲା ଜୋର୍‌ରେ ।

ଓଃ ଏତେ ଅଶାନ୍ତି !

ଏତେ ବଡ ମାନସିକ ଚାପ !

ଏତେ ଅଶ୍ୱସ୍ତି-ଅତୃପ୍ତି-ଅସନ୍ତୋଷ ।

ଅସହ୍ୟ ଓଃ ଏକଦମ୍ ଅସହ୍ୟ ।

ବାହାଘର ହେବାର ବର୍ଷେ ତ ପୁରିନି ଆହୁରି । କଥା କଟାକଟି, କଳି ଝଗଡା, ଅଖିଆ ଅପିଆରେ ବିତୁଛି ବହୁତ ଦିନ । ଅନେକ ମୁହୂର୍ତ୍ତ । ଅନେକ ସୁସ୍ଥ ସମୟ । ବହୁତ କଷ୍ଟ । ବହୁତ ଯନ୍ତ୍ରଣା । ଅଦେଖା ଜାଗାର ବଥ ଭଳି । ନା ଦେଖିହେବ ନା ଦେଖେଇହେବ । ବଡ ଅସହାୟତାର ଅନ୍ଧାର । ରାସ୍ତା ଦିଶୁନାହିଁ ଜମା ।

ଖାଲି ଅଶାନ୍ତି ଅଶାନ୍ତି ଅଶାନ୍ତି ।ଅଶାନ୍ତିର ଅକ୍ଟୋପାସ୍ କବଳରେ ଏ ମଣିଷ ଛଟପଟ ।

ତର୍ଜମା କରାଯାଉ ଆଜିକାର ଅଶାନ୍ତିର ଚିତ୍ର ।

ପତି ପତ୍ନୀ ଦୁହେଁ ଚାକିରୀଆ । ରହନ୍ତି ବାଙ୍ଗାଲୋର ସହରର ଗୋଟିଏ ସୌଖୀନ ଆପାର୍ଟମେଣ୍ଟରେ ।

ତୁଷାର ଫେରିଆସେ ଶୀଘ୍ର ସନ୍ଧ୍ୟାରେ ତା’ଅଫିସରୁ ତନିମା ଅପେକ୍ଷା । ଭାତ ଆଉ ଡାଲି ପ୍ରାୟ କରିଦେଇଥାଏ ତୁଷାର, ତନିମା ଆସିବାବେଳକୁ । ପରିବାପତ୍ର ବି କଟାକଟି କରିଦେଇଥାଏ ବେଳେବେଳେ ।

ଆଜି ବି ଭାତ –ଡାଲି କରିଦେଇଥିଲା ତୁଷାର । ଭେଣ୍ଡି କାଟି ରଖିଦେଇଥିଲା ଫ୍ରିଜ୍‌ରେ ଧୁଆଧୋଇ କରି ସାରିବା ପରେ । ଡବଲ୍‌ବେଡ୍ ପଲଙ୍କରେ ଶୋଇ ଇଂରାଜୀ ହରର୍ ଫିଲ୍ମଟିଏ ଦେଖୁଥିଲା ଅୟସରେ ।

ତନିମା ଫେରୁ ଫେରୁ ହିଁ କହିଦେଲା-ଆଇ ଆମ୍ ଏକ୍ସଟ୍ରିମିଲି ଟାୟାର୍ଡ ୟାର୍ ! ଆଜି ଆଉ ରାନ୍ଧିପାରିବିନି । ବାହାରୁ କିଛି ଖାନା ମଗେଇନିଅ ଅନ୍‌ଲାଇନ୍‌ରେ । କହୁ କହୁ ଡ୍ରେସ୍ ଚେଞ୍ଜ୍ ନ କରି ହିଁ ଗଡିପଡିଲା ଖଟରେ ।

ତୁଷାର କହିଲା-ମୁଁ ଭାତ ଡାଲି ତ ରାନ୍ଧିଦେଇଛି । ଭେଣ୍ଡି ବି କାଟିଦେଇଛି । ଖାଲି ଭାଜିବା କଥା ତ । ଭାଜିଦିଅ କିଛି ସମୟ ରେଷ୍ଟ ନେଲାପରେ । ପାପଡ ଆଚାର ଦେଇ ଖାଇନେବା ଦୁହେଁ ।

ଏଥର ତନିମା ଚିଲ୍ଲେଇଲା । ଖୁବ୍ ବଡ ପାଟିରେ କହିଲା-ତମେ ଗଧ ନା ଘୁଷୁରି କି ହୋ ! କହିଲି ପରା ମୁଁ ଓଭର୍ ଟାୟାର୍ଡ । ମୁଁ ଏଇ ବେଡରୁ ଜମା ଉଠିପାରିବିନି । ତମେ ଭେଣ୍ଡି ଲେଣ୍ଡି ଭାଜି ଯେମିତି ସେମିତି ଖାଇଲେ ଖାଅ ନ ହେଲେ ନ ଖାଅ । ମୁଁ ଶୋଉଛି ।

ତୁଷାର ବି ପାଟି କଲା-ତମେ ମଣିଷ ନା ଭାଲୁ କି ହୋ ! ତମେ ଭଲଭାବେ ଜାଣ ମୋ ଦେହରେ ବାହାରର ଖାନା ଯାଏନା । ଡିସେଣ୍ଟ୍ରି ପେସେଣ୍ଟ୍‌ ମୁଁ । ଏଣେ କଲିଗ୍ ବି ଅଛି ମୋର ।ତଥାପି ତମର ଏ ବେଖାତିରପଣ ଖୁବ୍ ବାଧୁଛି ।

ତନିମାର ତୀକ୍ଷ୍ଣ ଶାଣିତ ଉତ୍ତର – ଓଃ ହୋ ! ରାଧିକୁ ବାଧି ଯାଉଛି କି ? ଆଉ ଅଧିକା ବକ୍ ବକ୍ ନ ହୋଇ ଚୁପ୍‌ଚାପ୍ ଦହି ପଖାଳ ଆଳୁ ଚକଟା ଖାଇ ଶୋଇପଡ । ପ୍ରେସର୍‌ରେ ଦି’ଟା ଆଳୁ ସିଝାଇଦିଅ । ତମେ ରୋଗୀଣା ବୋଲି ସମସ୍ତଙ୍କୁ ରୋଗୀ ବନେଇଦେବ ନା କଣ…?

ଆଉ ବେଶୀ ଅଶାନ୍ତି ଚାହୁଁ ନ ଥିଲା ତୁଷାର । ପାଣି ଗ୍ଲାସେ ପିଇ ଖାଲି ପେଟରେ ହିଁ ଶୋଇପଡିଲା ସୋଫା ଉପରେ ସିଏ, ତ ତନିମା ପାରାଡାଇଜରୁ ଅନ୍ଲାଇନ୍‌ରେ ଚିକେନ୍ ବିରିଆନି ମଗେଇ ଆରାମରେ ଖାଇଲା । ଏଉଡି ମାରି ବେଡ୍ରୁମ୍‌ରେ ଶୋଇଗଲା ନିଶ୍ଚିନ୍ତରେ ।

ପରୋକ୍ଷରେ କହିଦେଲା- ତମେ ନ ଖାଇ ଉପବାସ ରହିଲେ ମୋର କଣ ଯାଏ ଆସେ । ମୁଁ ତ ପେଟେ ଖାଇ ନେଲି ନା ! ରୁହ ତୁମେ ଭୋକରେ । ଛଟପଟଉଥାଅ ସାରା ରାତି । କାହାର କଣ ଯାଏ ଆସେ ଯେ…!

ଏମିତି କଳି ଝଗଡା କମନ୍ ହୋଇଗଲାଣି ସେମାନଙ୍କର ଦାମ୍ପତ୍ୟ ଜୀବନରେ ଏବେ ।

ସକାଳୁ ସକାଳୁ ଚୂଡାଭଜା /ଛତୁଆ /କର୍ଣ୍ଣଫ୍ଲେକ୍ସ / ବ୍ରେଡ୍-ଚା ନିଜେ ତିଆରି କରି ଖାଇବାକୁ ପଡେ ତୁଷାରକୁ । ବେଡ୍ ଟି ଦେଇ ତନିମା ସହ କମ୍ପ୍ରୋମାଇଜ୍ କରେ । ତେଲ ମାରେ ।ଶାନ୍ତିରେ ବଞ୍ଚିବା ପାଇଁ ଗୋଡ ଧରେ । ଦୋଷ ନ ଥିଲେ ବି କ୍ଷମା ମାଗେ ହାତ ଯୋଡି । ଗେଲା ଦିଏ ଓ ମାଗେ । କାକୁସ୍ଥ ହୁଏ । ପରିବେଶକୁ ନର୍ମାଲ କରିବାକୁ ବହୁତ ନେହୁରା ହୁଏ । ପ୍ରଚେଷ୍ଟା ବି । ପ୍ରଥମେ ପାଞ୍ଚ/ଦଶ ମିନିଟ୍ ତ ତନିମା ହାତଗୋଡ ଛିଞ୍ଚାଡେ । ପାଟି ବି କରେ । ତା’ପରେ ପରେ ନର୍ମାଲ ହୁଏ । ମାନିଯାଏ । ହାଲ୍କା ହୋଇଯାଏ ପରିବେଶ । ମଲ୍ଲୀଫୁଲିଆ ହସଟିଏ ଫୋଫାଡି ଦେଇ ତୁଷାରକୁ ଭିଡି ଧରି ଚୁମା ଦିଏ ।

କହେ ଅନୁତାପଭରା କଣ୍ଠରେ- ସରି ୟାର୍ ! କାଲି ଅଫିସ୍‌ରେ ୱାର୍କଲୋଡ୍ ପ୍ରବଳ ଥିଲା ତ ମୁଣ୍ଡ ଜମା କାମ କରୁ ନ ଥିଲା । ଜାମ୍ ହୋଇଯାଇଥିଲା ଜୋର୍‌ରେ ।

ତା’ପରେ ଗଡି ଚାଲେ ଜୀବନ ଶଗଡି ସେଇ ନିର୍ଦ୍ଧିଷ୍ଟ ଶଗଡଗୁଳାରେ ରୀତିମତ । ସେମିତି ସେମିତି ଏକପାଖିଆ ବୁଝାମଣାର ବଳୟ ଭିତରେ ।

କିନ୍ତୁ କେତେଦିନ ଚାଲିବ ଏମିତି…? ଏଇ ପେଚୱାର୍କର ଦାମ୍ପତ୍ୟ ଜୀବନ କେତେଦିନ ପାଇଁ କହିଲ…? ଦାମ୍ପତ୍ୟ ଜୀବନର ନଉକାରେ ହୋଇଗଲାଣି ଯେତେବେଳେ ଛିଦ୍ରଟିଏ, ଜଳ ତ ଟିକିଏ ଟିକିଏ ପ୍ରବେଶ କଲାଣି । ତେଣୁ ନଉକାଟି ସମ୍ପୂର୍ଣ୍ଣ ଡୁବିବା ଆଗରୁ…………..

କଣ ବା କରିପାରିବ ତୁଷାାର …..!

ଖୁବ୍ ଅସହାୟ /ଅପାଂକ୍ତେୟ ଅନୁଭବ କଲା ନିଜକୁ ସିଏ । ଲୁଚେଇ ଲୁଚେଇ ଢେର କାନ୍ଦିଲା ଏକା ଏକା । ଅସହ୍ୟ ଅଶାନ୍ତିରେ କେଶ ଟାଣିଲା । ମାଇଗ୍ରେନ୍‌ର ଶିକାର ହେଲା ।

ମନ୍ଦିର ଗଲା ଏକା ଏକା । ଠାକୁରଙ୍କୁ ଭୋଗ ଚଢାଇଲା । ଦାମୀକା ଫୁଲମାଳ /ବାନା / ନଡିଆ /ମିଠା ଭୋଗ ଲଗାଇଲା । ବ୍ରାହ୍ମଣଙ୍କୁ ଦାନ ଦେଲା । ଅନେକ ଦେବଦେବୀଙ୍କୁ ମାନସିକ କଲା । ତାବିଜ୍, ମୁଦି, ମନ୍ତ୍ର ତନ୍ତ୍ରର ସାହାରା ନେଲା । ସୁଖୀ ଦାମ୍ପତ୍ୟ ଜୀବନର ଦେଖିଲା ଅନେକ ସୁହାନା କଦମ୍ବିତ ସ୍ୱପ୍ନ ।

ନା-କିଛି ବି ପରିବର୍ତ୍ତନ ଘଟିଲା ନାହିଁ । ଯଥା ପୁର୍ବଂ ତଥା ପରଂ । ତନିମା ପରିବର୍ତ୍ତନର ନାଁ ହିଁ ଧରିଲାନି । ବରଂ ଦିନକୁ ଦିନ ତା’ର ଉତ୍ପାତ / ଅତ୍ୟାଚାର ବଢିବାରେ ଲାଗିଲା ଥର୍ମୋମିଟରର ପାରଦ ଭଳି ଧିରେ ଧିରେ ।

ସିଏ ଏ କଥା କାହାକୁ କହିବ ଯେ …?

କିଏ ବା ଶୁଣିବ ତା’ର ଦାମ୍ପତ୍ୟ ଜୀବନର ଏ ଅପଡ-ଅଲଣା-ଅସନ୍ତୋଷର କଥା ଆଉ ବ୍ୟଥା । କାହିଁକି ବା ଶୁଣିବ ଯେ …? ବିନା ସ୍ୱାର୍ଥରେ ତ ଆଜିକାଲି ପଦେ କଥା ହେବାକୁ ଆତ୍ମୀୟ ସ୍ୱଜନ / ପରିଚିତ / ଅପରିଚିତ ଲୋକେ ଅପ୍ରସ୍ତୁତ । ଦେଖାହେଲେ ମୁହଁ ବୁଲେଇ ଚାଲିଯାଆନ୍ତି ସମସ୍ତେ କିଛି କାମ ନ ଥିଲେ । ବଡ ସ୍ୱାର୍ଥପର ପାଲଟିଗଲାଣି ଏ ଦୁନିଆ ଆଜିକାଲି ହୋ ! ଖାଲି ମତଲବି ମାହୋଲ୍‌ର ନାଟକ ଚାଲିଛି ସବୁଠି ଅହରହ ।

ଅବଶ୍ୟ ତୁଷାର ତା’ ଅପାକୁ ବେଳେବେଳେ ଫୋନ୍ କରେ ଅଫିସ୍ ଟାଇମ୍‌ରେ । ମନଖୋଲି କଥା ହୁଏ । ଅଭିଯୋଗ କରେ । ଅଶାନ୍ତି ଅର୍ଗଳୀର କଥା କହେ । ଅପା ଶୁଣେ ସବୁ ଧୈର୍ଯ୍ୟ ଧରି । ପରାମର୍ଶ ଦିଏ । ସବୁ ସହିଯାଆ । ହୁଏତ ଛୁଆଟିଏ ସେମାନଙ୍କର ଜୀବନ ପରିଧିକୁ ପଦାର୍ପଣ କଲେ, ସବୁ ସମସ୍ୟାର ସମାଧାନ ହୋଇଯାଇପାରେ ଆପେ ଆପେ । ଆସିଯାଇପାରେ ପରିବର୍ତ୍ତନ ତନିମାର, ମାତୃତ୍ୱର କୋମଳ ପରଶରେ ।

କିନ୍ତୁ ଛୁଆ ହେବ କେମିତି…? କନସିଭ୍ ନ ହେବା ପାଇଁ ତ କଂଟ୍ରାସେପଟିଭ୍ ପିଲ୍ ସେବନ କରେ ରେଗୁଲାର ତନିମା । କେତେ ବୁଝାଇଲେ ବୁଝୁନି ସିଏ । ବଡ ଅଜବ ଯୁକ୍ତି ତା’ର । ଛୁଆ ହେଲେ ଦେହର ଗ୍ଲେମର ଆଉ ରହିବନି । ମଉଳା ଫୁଲ ଭଳି ଝାଉଁଳିଯିବ ତା’ର ତନୁର ରୂପଶ୍ରୀ । ଫିକା ପଡିଯିବ ପୁର୍ବର ଆକର୍ଷଣୀୟ ଚେହେରା । ବେଶୀ ବୁଝେଇଲେ ଫୋପାଡି ଫୋଫୋଡି କରିବ ଘରର ମୁଲ୍ୟବାନ ଜିନିଷପତ୍ର ।

କାମବାଲୀ ବାଇ ବିରକ୍ତ ହୁଏ ଏ ଅମାନବୀୟ କାର୍ଯ୍ୟକଳାପ ଦେଖି । ମୁହେଁ ମୁହେଁ କହିଦେବାକୁ ପଛାଏନା ଜମା ।

–ମାଇକିନା ଜନମ ପରା ଧରିତ୍ରୀ ଭଳି ସବୁ ସହିଯିବା କଥା । ଅଥଚ ଏ ମାଇକିନା ଏମିତି ଅଣ୍ଡିରାଚଣ୍ଡୀ ଘୋଡା ଭଳି ଡେଉଁଛି କଣ ବା । ପତି ବୋଲି ଟିକିଏ ଖାତିର କି ସମ୍ମାନ ନାହିଁ ପତ୍ନୀର । ଓଃ କି କଳିକାଳ ହେଲା ଯେ ସବୁ ବିପରୀତ ଘଟୁଛି ଏ ଦୁନିଆରେ ଆଜି ।

ତନିମା ବି କୋଉ ଛାଡିବା ଜନ୍ତୁ । କଡା ପାଣ୍ଡିଆ ସୁବୁଦ୍ଧି ପାନ ମସଲା ଭଳି ଜବାବ ଫେରାଏ ମୁହେଁ ମୁହେଁ ସେ କାମବାଲୀ ବାଇ’କୁ ଚଟାପଟ୍ ।

ଆଲୋ ହେ ! ପତର ଗୋଟାଳୀ ତୁ, ତୋଟା ମୁଲେଇବା ତୋର କଣ ଦରକାର ଶୁଣେ । ତୁ ତୋର ଲିମିଟ୍‌ରେ ରହ । ଇଚ୍ଛା ହେଲେ କାମ କର ନଚେତ୍ ବାଟ ଦେଖ । ମତେ ଅନେକ କାମବାଲୀ ବାଇ ମିଳିବେ । ରୁଟି ଫୋଫାଡିଲେ କୁଆର ଅଭାବ ରହିବନି ମ । ଆମର ସ୍ୱାମୀ- ସ୍ତ୍ରୀଙ୍କର ବ୍ୟକ୍ତିଗତ ବ୍ୟାପାରରେ ମୁଣ୍ଡ ପୁରାଇବାକୁ ତୁ କିଏ ? ଚୁପଚାପ୍ କାମ କରିଦେଇ ଯା ।

ବାଇ’ଟି ବି ଭାବିଲା -ସତ କଥା । ତାଙ୍କରି ନିଜ ସ୍ୱାମୀ ସ୍ତ୍ରୀଙ୍କର ଆପସ୍‌କା ମାମଲା ଇଏ । ମୁଁ କିଏ ସେଥିରେ ନାକ ପୁରେଇବାକୁ । ମୁଁ ଟଙ୍କା ନେଉଛି । ଚୁପଚାପ୍ ଆସି କାମ କରିଦେଇଯିବି । ମୋର କଣ ଯାଏ ଆସେ ସେମାନଙ୍କର କଣ ହେଲା ନ ହେଲା ଜାଣିବାରେ ।

ତୁଷାର ମନେ ମନେ ତନିମାକୁ ଗାଳି ଦିଏ । କାମବାଲୀ ବାଇ ପ୍ରତି ସମ୍ବେଦନଶୀଳ ହେଲେ ତନିମାଠୁଁ ସାମ୍ନା କରବାକୁ ପଡିବ ଶାଣିତ ବାକ୍ୟ ବାଣର ତୀର, ଯାହା ବିଦ୍ଧ କରିବ ତା’ର କୋମଳ କଲିଜା । ସେ ରକ୍ତକ୍ଷରଣ ଅଦୃଶ୍ୟ ହେଲେ ବି ଖୁବ୍ ଯନ୍ତ୍ରଣାଦାୟକ । ତନିମା ଅତି ଅଶ୍ଳୀଳ ଶବ୍ଦ ପ୍ରୟୋଗ ମାଧ୍ୟମରେ ବାଇ ସହ ତା’କୁ ଯୋଡିବ । ଯାହା ଅତି ଅସହ୍ୟ । ଅସଭ୍ୟ ଅପଶବ୍ଦ । ବାଇ ତ ହିନ୍ଦୀରେ କଥାବାର୍ତ୍ତା କରେ । ଓଡିଆ ଭାଷା ବୁଝିପାରେନା ସିଏ । ତୁଷାର ହିଁ ସବୁ ଗରଳ ପାନ କରି ନୀଳକଣ୍ଠ ସାଜିବାକୁ ପ୍ରୟାସ କରେ ସିନା । ପାରେନା । ଜମା ପାରେନା । ବାଥରୁମ୍ ଯାଇ ଢେର କାନ୍ଦେ । କିଛି ସମୟ ପରେ ମୁହଁ ଧୋଇ ପୋଛି କଛି ନ ହେବା ଭଳି ଅଭିନୟ କରେ ନିଜ ଅନିଚ୍ଛାରେ ।

ହେଲେ ସବୁ କଥାର ତ ଗୋଟାଏ ସୀମା ଥାଏ । ତାହା ଅତିକ୍ରମି ଗଲେ ବିସ୍ଫୋରଣ ହେବ ହିଁ ହେବ । ତା’କୁ କେହି ବି ରୋକିପାରିବନି ଆଉ । ଏଇଟା ତ ନିୟତିର ନିର୍ଦ୍ଧେଶ ଆଉ ନିୟମ ବି ।

ଏ ଅଶାନ୍ତିର ହଳାହଳକୁ କେତେଦିନ ଆଉ ଗର୍ଭସ୍ଥ କରିବ ସିଏ ? ନିଜେ ବୁଝିପାରୁନି ତୁଷାର । ଛଟପଟଉଛି ପାଣି ବିନା ମୀନ ଭଳି ଅସହାୟ ହୋଇ ଦିନକୁ ଦିନ ।

କେଉଁଠି ରହିଯାଉଛି ତା’ର ଭୁଲ୍ ସେ ଠଉରାଇପାରୁନି ଜମା । କେମିତି ଏ କଳି ଝଗଡାର ଶେଷ ହେବ, ସେ ଠିକଭାବେ ବୁଝିପାରୁନି । କଣ କରିବ ନ କରିବ ଉପାୟ ପାଉନାହିଁ ।

ଖାଲି ଅଶାନ୍ତି ଅଶାନ୍ତି ଅଶାନ୍ତି । ଅଶାନ୍ତିର ସର୍ବଦିଗ ଚାପରେ ସେ ଡାକ ଦେଲାଣି ତ୍ରାହି ତ୍ରାହି । ହେଲେ ଆଶ୍ଚର୍ଯ୍ୟର କଥା ତନିମା ଉପରେ ଏହାର କାଣିଚାଏ ବି ପ୍ରଭାବ ପଡୁନାହିଁ । ସେ ଅଛି ବେଶ୍ ଶାନ୍ତିରେ । ବେଶ୍ ଫୁର୍ତ୍ତିରେ । ବେସ୍ ନିଧଡ୍କରେ । ପୁରାପୁରି ନର୍ମାଲ । ଯେମିତି ଚାଲିଛି ଠିକ୍‌ଠାକ୍ ସବୁ । ତା’ ଓଠରେ ବିଜୟର ହସ ଝଲସି ଉଠୁଛି ଜହ୍ନରାତି ଭଳି ଚିକ୍‌ମିକ୍ ହୋଇ ।

ଏ କଳି ଝଗଡା ଅଶାନ୍ତି ତ ଚାଲେ ସପ୍ତାହରେ ପ୍ରାୟ ଛଅଦିନ । ତୁଷାର ଶୁଏ ଡ୍ରଇଁରୁମ୍‌ରେ ତ ତନିମା ବେଡରୁମ୍‌ରେ ଭିତରପଟୁ କବାଟ ଦେଇ , “ନୋ ଡିଷ୍ଟର୍ବ ପ୍ଲିଜ୍” ବୋର୍ଡଟିଏ ଟଙ୍ଗାଇ ଦେଇ, ଶୋଇପଡେ ଆରାମରେ, ଅଲିଅଳି ରାଜଜେମା ଭଳି ଅୟସରେ ।

ଥରେ ତୁଷାରର ନନା ବୋଉ ଆସିଥିଲେ ତା’ ପାଖକୁ , ମାସେ ଖଣ୍ଡେ ରହିବା ପାଇଁ । ହେଲେ ବୋହୁ ତନିମା, ସେମାନଙ୍କ ସହ ଏମିତି ଅଭଦ୍ର ର୍ଦୁବ୍ୟବହାର /ବିରକ୍ତି ପ୍ରକାଶ କଲା ଯେ, ଦୁଇଦିନ ପରେ ହିଁ ଅତିଷ୍ଠ ହୋଇ ଗାଁ’କୁ ଫେରିଗଲେ କାନ୍ଦି କାନ୍ଦି । ତୁଷାର ର୍ନିଜୀବ ପଥର ପ୍ରତିମାଟିଏ ପାଲଟିଯାଇ କେବଳ ଦେଖିବା ଛଡା ଆଉ କିଛି କରିପାରିଲାନି । ପ୍ରତିବାଦ କି ପ୍ରତିରୋଧ କରିବା ପାଇଁ ସାହାସ କୁଳେଇପାରିଲାନି । ନନା ବି ପଦେ ପାଟି ଫିଟାଇ କହିଲେନି କିଛି ।

କାହାକୁ କହିବେ ? କଣ ବା କହିବେ ? ବୋଧେ ନିଜ ଭାଗ୍ୟଫଳ ଭାବି ନିଷ୍କ୍ରାନ୍ତ ହୋଇଗଲେ । ଆଉ ରାସ୍ତା କଣ ଥିଲା ଯେ- ନିରୁପାୟ ନିଷାଦ ଭଳି ନିଜ କପାଳରେ କର ମାରିବା ଛଡା….!

ଅଥଚ ତନିମାର ବାପା, ମା, ଭାଇ ,ଭଉଣୀ ଆସିଲେ କି ଖୁସି କି ଆନନ୍ଦ ତା’ର । ସତେ ଯେମିତି ସରଗର ଚାନ୍ଦ ଶୂନ୍ୟ ପାପୁଲିରେ ଖସି ପଡିଛି ଅଚାନକ । ଅଫିସରୁ ଛୁଟି ନେଇ ଘରେ ରହେ । ଛ ତିଅଣ , ନଅ ଭଜା କରି ଖୁଆଏ । ସେତେବେଳେ ପତି ଭକ୍ତିଭାବ ସବୁ ଥପ୍ ଥପ୍ ହୋଇ ଝରିପଡେ ଶ୍ରାବଣର ଅବାରିତ ବର୍ଷାଧାରା ଭଳି ।

ସେଇ କେତେଦିନତକ ଯେ କେହି ଦେଖିଲେ ଭାବିବ- ବାଃ ବାଃ ପତ୍ନୀ ହେବ ତ ଏମିତି ନା ! ପତି ସେବାରେ ଏତେଟା ନିମଜ୍ଜିତ / ତଲ୍ଲୀନ / ସମର୍ପିତ । ୱାଃ ୱାଃ କି ସୁନ୍ଦର ଯୋଡି ହୋ ! ପ୍ରେମାପ୍ଲୁତ ବଗଲା ବଗଲୀ ଯେମିତି । କୋଟି କୋଟି ଆର୍ଶିବାଦ ଦେବାକୁ ଆଗଭର ହେବେ ଯେ କେହି ଦେଖିଲେ- କହିବେ ସଦା ସୁଖି ଭବ । ସଦା ଆନନ୍ଦରେ ଏମିତି ରହନ୍ତୁ ସେମାନେ । ପ୍ରକୃତରେ ଦେଖିବାକୁ ଗଲେ ଦାମ୍ପତ୍ୟ ଜୀବନରେ ଶାନ୍ତି ହିଁ ଏକମାତ୍ର ସୁଖର ଚାବି । ଆଉ ଯେତେ ଧନ ରତ୍ନ ଥିଲେ କଣ ହେବ ଏଇ ଶାନ୍ତି ଟିକକ ନ ଥିଲେ କୁହ ତ!

ଅଥଚ ଏ ଅଭିନୟ / ଛଳନା ଅଢେଇଦିନ ପାଇଁ ହିଁ କେବଳ ପ୍ରାୟୋଜିତ ହୋଇଥାଏ ଅତି ଚତୁରତା ଆଉ ଚଞ୍ଚକତା ସହ । ନାରୀ ତ ମାୟାବିନୀ । ତା’ମାୟା ଭଗବାନଙ୍କୁ ଅଗୋଚର ପରା । ଆଉ ଛାର ମଣିଷ ଜାଣିବ କଣ…?

ସେ ଚାହିଁଲେ ପ୍ରଶାନ୍ତି ନ ହେଲେ ପ୍ରଳୟ !

ଏବେ ତୁଷାରର ବାହାଘର କଥା ଦେଖାଯାଉ ।

ତୁଷାରର ନନା ଜଣେ ଦାନୈକ ବ୍ରାହ୍ମଣ । ଖୁବ୍ ଭଲ ଗଣକ ମଧ୍ୟ । ଜ୍ୟୋତିଷ ବିଦ୍ୟାରେ ଧୁରନ୍ଧର । ପୁରୋହିତ କର୍ମ ବି କରନ୍ତି ଅତି ନିଷ୍ଠାର ସହ । ଗାଁ ରାଧାକୃଷ୍ଣ ମନ୍ଦିରର ପୂଜାରୀ ବି ।

ତୁଷାର ଭଲ ପାଠ ପଢି ଆଇଟି ଇଞ୍ଜିନିୟର ବନିଗଲା ବାଙ୍ଗାଲୋରରେ । ଏଥିପାଇଁ ତା’ର ବୋଉ ଆଉ ନନାଙ୍କର ଅବଦାନ ବହୁତ କିଛି । ଖୁବ୍‌ କମ୍ ପଇସାରେ ପରିବାର ଚଳାଇ ତା’ବୋଉ ତା’ପଢା ପାଇଁ ଟଙ୍କା ପଠାଉଥିଲା । ନିଜେ ଅଭାବରେ ରହି ମଧ୍ୟ ତା’ର କୌଣସି ଅଭାବ ରଖି ନ ଥିଲେ ଦୁହେଁ ।

ସବୁ ବାପା- ମା’ଙ୍କ ଭଳି ତୁଷାରର ନନା ବୋଉ ବି ତୁଷାରର ଆକର୍ଷଣୀୟ ଚାକିରୀ ପରେ,ବ୍ୟଗ୍ର ହୋଇପଡିଲେ ବୋହୁ ମୁହଁ ଦେଖିବାକୁ ।

ତୁଷାର ପାଇଁ ବୋଧେ ଅତି କମ୍‌ରେ ପଚାଶଟି ପ୍ରସ୍ତାବ ଆସିଥିବ ମଧ୍ୟସ୍ଥି ଜରିଆରେ ।

ପ୍ରଥମେ କରାଯାଏ ଜାତକ ମେଳକ । କେଉଁଟା ନାଗନାଡି ତ କେଉଁଟା ଦେବଦାନବ ତ କେଉଁଟା ରାହୁକେତୁ ଦୋଷ । ପୁଣି କେଉଁଟା ଶୁଝେନା ଷୋଳଅଣା । ତୁଷାରର ନନା ଯେ ହେତୁ ଗଣକ ଜାତକ ଦେଖନ୍ତି ଖୁଣ୍ଟିଖାଣ୍ଟି ।

ଜାତକ ମେଳକ ଖାଇଗଲେ କନ୍ୟା ପକ୍ଷ ଉଚ୍ଚାସୀନ ତ ଅନ୍ୟ କେଉଁଠି ବର ଉଚ୍ଚାସୀନ । ସମାସ୍କନ୍ଦ ପ୍ରସ୍ତାବ ସହମତିରେ ସ୍ଥିର ହେବା ଦରକାର ।

କେଉଁଠି ଯୌତୁକ କମ୍ ହୋଇଯାଏ ତ ଅନ୍ୟ କେଉଁଠି କନ୍ୟାର ରୂପ-ଗୁଣ-ବଂଶ ମର୍ଯ୍ୟାଦା ହୋଇଯାଏ କମ୍ ।

ପୁଅ ଉଚ୍ଚ ଶିକ୍ଷିତ । ରୂପବାନ୍ । ସର୍ବଗୁଣସମ୍ପନ୍ନ । ଭାରି ଶାନ୍ତ ସୁଧାର ସତ୍ୟବାନ । ମାଛିକୁ ମ କହେନା । ଏଣେ ଉତ୍ତମ ଚାକିରୀ । ଉଚ୍ଚ ଆୟ । ପୁଣି ଗୋଟିଏ ବୋଲି ପୁଅ । ଆଗକୁ ପଛକୁ କେହି ନାହିଁ ଆଉ । ତେଣୁ ଏ ସବୁକୁ ନଜରରେ ରଖି କନ୍ୟା ମନୋନୀତା ହେବା ଚାହି । ସମସ୍ତେ ଏହାକୁ ସ୍ୱୀକାର କରନ୍ତି ଅନାୟାସରେ ।

ପ୍ରାୟ ପାଞ୍ଚବର୍ଷ ଲାଗିଗଲା ମନଲାଖି କନ୍ୟାରତ୍ନଟିଏ ସନ୍ଧାନ କରିବାପାଇଁ । ତୁଷାର ବିରକ୍ତିର ଶେଷ ସୀମାରେ ପହଞ୍ଚିଯାଇ , ଏ ଫାର୍ସ ଆଉ ନ କରିବାପାଇଁ ସ୍ଥିର କଲା ତ ତା’ବୋଉ ଢେର କାନ୍ଦିଲା । ନନା ମନ କଷ୍ଟ କଲେ ଦୁଃଖରେ ।

ବିନା ଜାତକ ମେଳକରେ ବାହା ହେବା ପାଇଁ ନନା, ବୋଉ ଆଉ ତୁଷାର କେହି ବି ଜଣେ ରାଜି ନୁହଁ । ଷୋଳ ଅଣା ଜାତକ ନ ଶୁଝିଲେ କେତେ ଲୋଭନୀୟ ପ୍ରସ୍ତାବ ହେଲେ ବି କାଟ ଖାଉଥିଲା ।

ଏମିତି ଏମିତିରେ ବିତିଗଲା ପାଞ୍ଚବର୍ଷ । ତୁଷାରର ଧେର୍ଯ୍ୟର ସିମେଣ୍ଟ ବନ୍ଧ, ବାଲିବନ୍ଧରେ ରୂପାନ୍ତରିତ ହୋଇ ଭୁଷୁଡିବାରେ ଲାଗିଲା । ଏଣେ ନନା ବୋଉ ତାଙ୍କରି ଏକମାତ୍ର ପୁଅର ଅନିଶ୍ଚିତ ଭବିଷ୍ୟତ ଚିନ୍ତାରେ ମି୍ରୟମାଣ ହୋଇପଡିଲେ । ତା’ ବୋଉ ତ ଏଇ କଥା ଭାବି ଭାବି ରୋଗୀଣା ହୋଇଗଲା ଧିରେ ଧିରେ ।

ଏଥିପାଇଁ ନନା ବୋଉ ବାରଓଷା ତେରବ୍ରତ ପାଳନ କରିବାରେ ଲାଗିଲେ । ସତ୍ୟନାରାୟଣ ପୂଜା, ସନ୍ତୋଷୀ ମାତା ପୂଜା, ରୁଦ୍ରାଭିଷେକ, ଯଜ୍ଞ, ତ୍ରିନାଥ ମେଳା, ଚତୁର୍ଥୀ ବ୍ରତ ଇତ୍ୟାଦି କଲେ ଦୁହେଁ । ମା’କଟକ ଚଣ୍ଡୀ, ମା ବୁଢୀ ଠାକୁରାଣୀ ବ୍ରହ୍ମପୁର, ମା ସମଲେଇ, କାଳିଜାଇ, ଭୈରବୀ, ଲିଙ୍ଗରାଜ, ମା ତାରାତାରିଣୀ , ଘଟ ଗାଁ ତାରିଣୀ, ଗୁପ୍ତେଶ୍ୱର, ମା ବିରଜା, ଜଗନ୍ନାଥ ଧାମ ପୁରୀ, କାକଟପୁରର ମା ମଙ୍ଗଳା ଏମିତି ଏମିତି ଯେତେ ଠାକୁର ଠାକୁରାଣୀଙ୍କ ପାଖକୁ ଦୁହେଁ ଯାଇ ମାନସିକ କରି ପୂଜାର୍ଚ୍ଚନା କଲେ । ହାତଯୋଡି ସାଷ୍ଟାଙ୍ଗ ପ୍ରଣିପାତ ହୋଇ କରୁଣାଭିକ୍ଷା କଲେ । ତାଙ୍କରି ଏକୋଇର ବଳା ବିସିକେଶନ ତୁଷାରର ବାହାଘର ଶୀଘ୍ର ସମ୍ପନ୍ନ ହେଉ । ଆଉ ବିଳମ୍ବ ସହ୍ୟ କରିହେଉନି ପ୍ରଭୁ ! ସହାୟ ହୁଅନ୍ତୁ ।

ଶେଷରେ ତୁଷାରର ଭାଗ୍ୟରବି ଉଦୟ ହେଲା । ମିଳିଗଲା ମନମୁତାବକ ପ୍ରସ୍ତାବଟିଏ । ରାଜଯେ୍ାଟକ ପଡିଲା ଜାତକ ମେଳକରେ । ରୂପ-ଗୁଣ-ଶିକ୍ଷା ଆଭିଜାତ୍ୟସଂପନ୍ନ କନ୍ୟାରତ୍ନଟିଏ ପ୍ରାପ୍ତ ହେଲା । ଯୌତୁକ ବି ଢେର ମିଳିଲା । ଶ୍ୱଶୁରଙ୍କର ବଡ ବ୍ୟବସାୟ ଥିଲା କଟକ ସହରରେ । ଶଳାମାନେ ଖୁବ୍ ପାରିବାର । ଧର କହିଲେ ବାନ୍ଧି ଆଣିବାର କଳାକୌଶଳ ବେଶ୍ ମାଲୁମ୍ । ଟ୍ରକ୍, କାର୍, ଟ୍ରଲର୍, ଟ୍ରାକ୍ଟର ବିଜିନେସ୍ । ପ୍ରଚୁର ଆୟ । କଟକରେ କୋଠାବାଡି, ବଂଗଳା, ଗାଡି-ଚାକର ବାକର ଧାଡିକି ଧାଡି । କନ୍ୟା ତନିମା ଏମ୍ ଟେକ୍ କରି ବାଙ୍ଗାଲୋରରେ ଚାକିରୀ କରେ । ଯଦିଓ ଶ୍ୱଶୁର ଏଇ ଚାକିରୀକୁ ପସନ୍ଦ କରନ୍ତି ନାହିଁ । ତନିମା ସେଲଫ୍ ଡିପେଣ୍ଡେଣ୍ଟ୍‌ ହେବ ବୋଲି ଏ ଚାକିରୀ କରୁଥିଲା । ତା’ଛଡା ଘରେ ବସି ବସି ବୋର୍ ହେବା ଅପେକ୍ଷା କିଛି ଏନଗେଜ୍‌ମେଣ୍ଟ ତ ଭଲ ନା !

ଏତେଦିନ ପରେ ତୁଷାରର ନନା ବୋଉ ବହୁତ ଖୁସି । ନିଜ ମନଲାଖି କନ୍ୟାରତ୍ନଟିଏ ପାଇପାରିଛନ୍ତି ବୋଲି ଇଶ୍ୱରଙ୍କୁ କୃତଜ୍ଞତା ଜଣାଇଲେ ଦୁହେଁ । ମାନସିକ ପୂର୍ଣ୍ଣ ହେବା ପରେ ସବୁ ପୂଜାପାଠ – ଭୋଗରାଗ ନିର୍ଦ୍ଧିଷ୍ଟ ଠାକୁର / ଠାକୁରାଣୀଙ୍କ ପାଖରେ ଲାଗି କରାଇଲେ ଅତି ସନ୍ତୋଷ ମନରେ ।

ଖୁବ୍ ଜାକଜମକରେ କଟକରେ ହେଲା ବହାଘର ତ ଗାଁରେ ଗ୍ରାଣ୍ଡ ରିସେପ୍ସନର ଆୟୋଜନ କରିଥିଲା ତୁଷାର । ପାଞ୍ଚଖଣ୍ଡ ଗାଁର ଲୋକଙ୍କୁ, ଡକାଇ ବହୁତ ଟଙ୍କା ଖର୍ଚ୍ଚ କରି ବିରାଟ ଭୋଜିର ଆୟୋଜନ କରିଥିଲା । ଅବଶ୍ୟ ସବୁ ଖର୍ଚ୍ଚ ତା’ଶ୍ୱଶୁର ବହନ କରିଥିଲେ ଅକାତରରେ ନିଜ ଆଡୁ ପ୍ରସ୍ତାବ ଦେଇ ।

ପାଞ୍ଚଖଣ୍ଡ ଗାଁ’ର ଲୋକେ ତୁଷାରର ନନା ବୋଉଙ୍କୁ ଅତି ଭାଗ୍ୟବାନ ବୋଲି ଅଭିହିତ କରି ଅନେକ ଆର୍ଶିବାଦ ଦେଲେ, ନବ ବିବାହିତ ବର-କନ୍ୟାଙ୍କୁ, ଅତି ଆନନ୍ଦରେ-ଆହ୍ଲାଦରେ-ଆତ୍ମତୃପ୍ତିରେ ।

ହେଲେ ସେ ଆର୍ଶିବାଦର ଆସିଆନା ଆଜି ଅଭିଶାପର ଅଜଗରରେ ରୂପାନ୍ତରିତ ହୋଇ ତା’କୁ ଦଂଶୁଛି ବାରମ୍ବାର । ତୁଷାର ତ୍ରାହି ତ୍ରାହି ଡାକୁୁଛି ଅତି ଅସହାୟ ହୋଇ ଏକା ଏକା ।

ତୁଷାର ଭାବିବ ଏ ଜାତକ ମେଳକ / କୁଣ୍ଡଳୀ /ଗଣନା ଖାଲି ପ୍ରହସନ । ଡ୍ରାମାବାଜି ଛଡା କିଛି ନୁହଁ । ସତ ନୁହଁ ଜମା । ଖାଲି ମିଠା ମିଠା ମିଛର ନକଲି ମହକ । ଯାହା କେବଳ ମନକୁ କିଛି ସମୟ ପାଇଁ ଉତ୍ତେଜିତ କରାଇ, ବିଶ୍ୱାସର ବୋଇତରେ ବସାଇ, ବହୁତ ଦୁରକୁ ଭସେଇ ନେଇ ଡୁବେଇଦିଏ । ବିଚାରା ମଣିଷକୁ ଆକ୍ତାମାକ୍ତା କରି ଜୀଅନ୍ତା ଶବ ସଜାଇଦେବାକୁ ପଛାଏନା ।

ମଣିଷର ସବୁକିଛି କର୍ମ ବିଧିନିର୍ଦ୍ଧିଷ୍ଟ । ଯେତେବେଳେ ଯାହା ହେବା କଥା, ତାହା ନିଶ୍ଚୟ ଘଟିବ ଇ ଘଟିବ । ତା’କୁ ସ୍ୱୟଂ ବ୍ରହ୍ମା ଚାହିଁଲେ ବି ରୋକିପାରିବେନି କି ନିୟନ୍ତ୍ରଣ କରିପାରିବେ ନାହିଁ । ହୁଏତ ବହୁ ପୂର୍ବରୁ ଈଶ୍ବର ପ୍ରତ୍ୟେକ ମଣିଷର ଭାଗ୍ୟଲିପି ନିର୍ଦ୍ଧିଷ୍ଟ କରି ଲେଖିଦେଇଥାନ୍ତି । ତା’କୁ ପରିବର୍ତ୍ତନ କି ପ୍ରତିରୋଧ କରିବାକୁ ଛାର ମଣିଷ ଯେତେ ଚେଷ୍ଟା କଲେ ବି ସଫଳ ହୋଇପାରେନା । ବରଂ ତୁଷାର ଭଳି ରକ୍ତାକ୍ତ / କ୍ଷତାକ୍ତ /ଶରବିଦ୍ଧ ହୋଇ ଛଟପଟେଇବା ସାର ହୋଇଥାଏ କେବଳ ।

ପ୍ରଥମେ ପ୍ରଥମେ ତ ତନିମାର ବ୍ୟବହାର, ଚାଲିଚଳଣୀ, ଆଦବ କାଇଦା – ଏତେ ସଂଯତ ,ଶୃଙ୍ଖଳିତ, ଭଦ୍ରୋଚିତ, ମାର୍ଜିତ ଆଉ ସାମାଜିକ ପ୍ରତିବଦ୍ଧତାରେ ଭରପୁର ଥିଲା ଯେ -ଆଜି ତୁଷାର ଭାବୁଛି ସେ ସବୁ ଥିଲା ଯାତ୍ରାର ପେଷାଦାର ନିଖୁଣ ଅଭିନୟ କେବଳ । ମାତ୍ର ଦଶ ମାସ ଭିତରେ ପ୍ରକୃତ ଚେହେରା / ଅସଲ ଛବି ଆସିଗଲା ସାମ୍ନାକୁ ।

ଅଥଚ ତା’ରି ବନ୍ଧୁ ରମେଶ ପ୍ରେମ ବିବାହ କରି ବେଶ୍ ସୁଖ, ଶାନ୍ତି, ପ୍ରୀତିରେ ପାଞ୍ଚବର୍ଷ ହେଲା ଅଛି ଏଇ ବାଙ୍ଗାଲୋର ସହରରେ । ମିଡିଆ ଲାଇନ୍‌ରେ ସିଏ ବହାଲ ତ ତା’ ସ୍ତ୍ରୀ ଗୋଟିଏ ଇଂଲିଶ୍ ମିଡିୟମ ସ୍କୁଲରେ ଟିଚର । ଗୋଟିଏ ପୁଅ ଆଉ ଗୋଟିଏ ଝିଅକୁ ନେଇ ତା’ର ସୁଖୀ ପରିବାର । ଜାତି-ଜାତକ-ଯୌତୁକବିହୀନ ବିବାହରେ ସେମାନଙ୍କର ଦାମ୍ପତ୍ୟ ଜୀବନ କେତେ ମଧୁମୟ, ବାସ୍ନାମୟ, ସୁଖମୟ । ବିଭୋର ବିମୁଗ୍ଧ ବିତାନରେ ଚଇତାଳି ବାଉଳା ବାଆ ଭଳି ଅତି ଶାନ୍ତ, ସ୍ନିଗ୍ଧ, ମନୋରମ । ଦେଖିଲେ ଇର୍ଷା ଆସେ ।

ତୁଷାର ତା’ ବିବାହରେ ଜାତକ ମେଳକ ଉପରେ ଏତେ ପ୍ରାଧାନ୍ୟ ଦେଇ କଣ ପାଇଲା ହୋ ! ମୁଠାଏ ହତାଶା-ଆଞ୍ଜୁଳାଏ ଲୁହ ଆଉ କୋହର କକ୍‌ଟେଲ୍ । ନୁହେଁ କି …..?

ରମେଶ ସହ ବେଳେବେଳେ ଦେଖାହୁଏ । ସେ ତା’ଘରକୁ ନିମନ୍ତ୍ରଣ କରେ । ଡରିକି ଯାଏନା ତୁଷାର । ସେ ତା’ଆଖି ଆଗରେ ଏତେ ସୁଖ, ଶାନ୍ତି, ପ୍ରୀତିର ସଜ ସଜ ମୁଠାଏ ମଲ୍ଲୀଫୁଲ ଭଳି, ସରାଗ ସରସ ସୁନ୍ଦର ସକାଳକୁ ସାମ୍ନା କରିପାରିବନି ଜମା । ସହିପାରିବନି । କାନ୍ଦି ପକେଇବ ହୁଏତ ରମେଶର ସ୍ତ୍ରୀ ରମା ଆଗରେ । ଠକ୍ ଠକ୍ ଲୁହରେ ବତୁରିଉଠିବ ତା’ର ଅସହାୟ ସତ୍ତା । ତେଣୁ ତୁଷାର ଏଇ ଅପ୍ରସ୍ତୁତ ମାହୋଲ୍କୁ ଏଭୋଏଡ୍ କରୁଥିଲା ବିଭିନ ମିଛ ବାହାନା ଦେଖାଇ ସବୁବେଳେ । ମୁହଁ ଲୁଚେଇ ଯୁଦ୍ଧ କ୍ଷେତ୍ରରୁ ଭୀରୁ ଭଳି ପଳାୟନ କରିବା ଛଡା, ତୁଷାର ପାଖରେ ନଥିଲା ଆଉ କିଛି ରାସ୍ତା । ସବୁ ପଥ ଏବେ ତା’ପାଇଁ ନିଷିଦ୍ଧ । ବିପଦପୂର୍ଣ୍ଣ । କଣ୍ଟକିତ ।

ଦିନେ ରାତିରେ କଳିଝଗଡା ଶେଷ ସୀମାରେ ପହଞ୍ଚିଲା ତ ତନିମା ରାତାରାତ୍ କଟକ ଫେରିଗଲା ଫ୍ଲାଇଟ୍‌ରେ । ଯିବା ପୂର୍ବରୁ ତୁଷାରକୁ ତୁ ତା ସମ୍ବୋଧନ କରି ଯଥେଚ୍ଛା ଗାଳି ଗୁଲଜ କରି କହିଲା-ତୁ ନିହାତି ଛୋଟଲୋକଟାଏ । ତୋର ଔକାତ କେତେ ? ତୋ ବାପା ଭିକ ମାଗି ପେଟ ପୋଷେ । ତୋର ସେ ଭିକମଗା ପ୍ରକୃତି ଯିବ କୁଆଡେ ? ରହ ଦେଖିବୁ ମୋର ଅସଲ ରୂପ ।

ତୁଷାର ବି ରାଗି ଅନେକ ଅସଭ୍ୟ ଅଭଦ୍ର ଶବ୍ଦ ପ୍ରୟୋଗ କଲା ତନିମା ପ୍ରତି ।

ଅଚାନକ ତନିମା ତା’ ତରଫରୁ ତୁଷାର ଓ ତା’ର ପରିବାର ଉପରେ ଏକ କ୍ରିମିନାଲ କେସ୍ ଦାଏର୍ କରିଦେଲା । ତୁଷାର, ତା’ଅପା, ଭିଣୋଇ, ନନା, ବୋଉଙ୍କ ନାଁରେ ୱାରେଣ୍ଟ ଆସିଗଲା ଆରେଷ୍ଟ ପାଇଁ । ଅଭିଯୋଗ ଥିଲା ପାଞ୍ଚଜଣଯାକ ମିଶି ତନିମାକୁ ଜୀବନରେ ମାରିଦେବା ପାଇଁ ଚକ୍ରାନ୍ତ କରିଥିଲେ । ପାଞ୍ଚଜଣଯାକ ଆତ୍ମଗୋପନ କରି ରହିଲେ ପୁରୀରେ, ତୁଷାରର ମାଉସୀ ପୁଅ ଭାଇ ଆଡଭୋକେଟ୍ ଶରତ ଆଚାର୍ଯ୍ୟ ଘରେ ଦଶଦିନ । ସେତେବେଳକୁ ତୁଷାର ଛୁଟି ନେଇ ଆସି ନନା, ବୋଉ, ଅପା, ଭିଣୋଇଙ୍କ ପାଖରେ ହିଁ ରହୁଥିଲା ସାମୟିକଭାବେ । ତା’ପରେ ଜାମିନ ମିଳିଲା ହାଇକୋର୍ଟରୁ ।

ଏ ଭିତରେ ବିତିଗଲାଣି ଦୁଇ ବର୍ଷ । ଏବେ ବି ଚାଲିଛି କେସ୍ କୋର୍ଟରେ । ପୋଲିସ୍ ଚାର୍ଜସିଟ୍ ଦାଖଲ କରିନାହିଁ ଆଜିଯାଏ । ତନିମାର ବାପା ଭାଇ ପୋଲିସକୁ ନିଜ ପଟକୁ ନେବାରେ ସଫଳ । ଯୌତୁକ ବାବଦକୁ ଦେଇଥିବା ଆସବାବପତ୍ର, ବ୍ୟାଙ୍କ ବାଲାନସ୍, ସୁନାଗହଣା , ଘର, ଗାଡି, କ୍ୟାସ୍ ସବୁ ପୋଲିସ୍ ସହ ଆସି ତନିମାର ଭାଇମାନେ ୱାପସ୍ ନେଇଗଲେଣି । ତନିମା ବି ଚାକିରୀ ଛାଡି ବାପ ଘରେ କଟକରେ ଏବେ ।

ତୁଷାରର କ୍ଲାସମେଟ୍ ଅପୂର୍ବା ସୁନ୍ଦରୀ ପ୍ରୀତିଲଗ୍ନା, ଯିଏ ଏବେ ଓଏଏସ୍ ପାଇ ବିଡିଓ, କେତେଥର ବିବାହ ପ୍ରସ୍ତାବ ଅତୀତରେ ଦେଇଥିବ ତା’ଆଡୁ ତୁଷାରକୁ । ସେ ଦଳିତ ସଂପ୍ରଦାୟର ବୋଲି ରୋକଠୋକ୍ ମନା କରିଦେଇଥିଲା ତୁଷାର । ପ୍ରକୃତରେ ପ୍ରୀତିଲଗ୍ନା ଖୁବ୍ ଭଲପାଇବସିଥିଲା ତୁଷାରକୁ । ସିଏ ଏବେ ବି ସେମିତି ଅବିବାହିତା । ତଥାପି ଅଛି ଖୁସିରେ ନିଜକୁ ଲୋକଙ୍କ ସେବାରେ ନିୟୋଜିତ କରି । କେନ୍ଦ୍ର ସରକାରଙ୍କଠାରୁ ବେଷ୍ଟ୍ ବିଡିଓ ଆୱାର୍ଡ ପାଇଛି । ତା’ ବ୍ଲକ୍ ସ୍ୱଛତା, ଭ୍ରଷ୍ଟାଚାର ବିହୀନ, ସାକ୍ଷରତା, ଶିକ୍ଷା, ସ୍ୱାସ୍ଥ୍ର୍ୟ, ଏସଏଚ୍ଜିଏସ୍ରେ ନମ୍ବର ୱାନ୍ ହୋଇଛି ସାରା ଦେଶରେ । ସେ ଏବେ ବି ପ୍ରେମ କରେ ତୁଷାରକୁ । ଫୋନ୍‌ରେ କଥା ହୁଏ । ହେଲେ ତୁଷାରର ରୁଢିବାଦୀ ଚିନ୍ତାଧାରା ଯୋଗୁଁ ଆଘାତ ପାଏ । ଢେର କାନ୍ଦେ । ତୁଷାରର ଟିକିନିଖି ଖବର ରଖେ । ହେଲେ ତୁଷାରର ଜାତି ପ୍ରୀତି ଅହଂକାରରେ ଅତିଷ୍ଠ ହୋଇଉଠେ । ତଥାପି ତୁଷାରକୁ ଭଲପାଏ । ବୁଝାଏ । ସାନ୍ତ୍ୱନା ଦିଏ । ସମୟ ଉପରେ ସବୁ ଛାଡିଦେବାକୁ ପରାମର୍ଶ ଦିଏ । ଧେର୍ଯ୍ୟ ରଖିବାକୁ ଆହ୍ୱାନ ବି ।

ତୁଷାର ଏବେ କଣ କରିବ ? କିଛି ସ୍ଥିର କରିପାରୁନି । ନନା ବୋଉ ଶଯ୍ୟାଶାୟୀ । ଯାହା ତା’ର ଭଲ ମନ୍ଦ ଅପା ଭିଣୋଇ ହିଁ ବୁଝୁଛନ୍ତି । ସାହାଯ୍ୟ, ସହାନୁଭୂତି, ସାନ୍ତ୍ୱନା, ପରାମର୍ଶ ଦେବାରେ କାର୍ପଣ୍ୟ କରୁନାହାନ୍ତି । ନନା ବୋଉଙ୍କୁ ପାଖରେ ରଖି ସମ୍ଭାଳୁଛନ୍ତି ସେମାନେ ।

ତୁଷାର ଦିନେ ପାଗଳ ଭଳି ନିଜର ଭୂର୍ଜପତ୍ର ଜାତକଟିକୁ ନିଆଁରେ ଜାଳିଦେଲା । ସମସ୍ତଙ୍କୁ ଚିଲ୍ଲେଇକି କହିଲା-କେବଳ କର୍ମରେ ବିଶ୍ୱାସ ରଖ । ଭାଗ୍ୟରେ ନୁହେଁ ଜମା । ବିବେକାନନ୍ଦଙ୍କ ବାଣୀ “ନିଜ ଭାଗ୍ୟ ନିଜେ ହିଁ ଗଢି ତୋଳ”ରେ ବିଶ୍ୱାସ କର । ମୁଁ ଠକି ଯାଇଛି ହୋ ! ଠକି ଯାଇଛି ଭୀଷଣ ଭାବେ ।

ତୁଷାର ଦିନେ ଦୃଢ ନିଷ୍ପତ୍ତି ନେଲା ଯେ ସେ ଆଉ ବଞ୍ଚିବନି । ଆତ୍ମହତ୍ୟା କରିଦେବ କି ? ଏ ଅଲଣା- ଅଲୋଡା -ଅସଜଡା ଜୀବନର ଜ୍ୱାଳା ଆଉ ସହିହେଉନାହିଁ ଜମା । ଏଣେ କୋର୍ଟ କେସ୍ କେବେ ଶେଷ ହେବ କିଏ ଜାଣେ ? ପ୍ରୀତିଲଗ୍ନାର ପ୍ରୀତିର ପାରାବାରରେ ଅବଗାହନ କରି ସେ କଣ ସତରେ ପାଇପାରିବ ଶାନ୍ତି ? ଏ ଯନ୍ତ୍ରଣା ଜୁଇରୁ ମିଳିବ ମୁକ୍ତି ?

କିଛିଦିନ ପରେ ସେ ଗଲା ପୁରୀ । ଦର୍ଶନ କଲା କାଳିଆକୁ । ଖୁବ୍ କାନ୍ଦିଲା । ମନଭରି ଗାଧୋଇଲା ସମୁଦ୍ରରେ । ରହିଲା ସି ବିଚ୍‌ରେ ହିଁ ଗୋଟାଏ ହୋଟେଲ ନେଇ । ଦୁଇ / ତିନିଦିନ ପରେ ଦିନେ ରାତି ଅଧରେ ହୋଟେଲ ରୁମରେ ସିଲିଂ ଫ୍ୟାନ୍‌ରେ ( ଏକଦା ପ୍ରୀତିଲଗ୍ନାଠାରୁ ସ୍ମୃତି ସନ୍ତକଭାବେ ରଖିଥିବା ) ଓଢଣୀରେ ବେକରେ ଫାଶ ଲଗାଇ ଲଟକିବାକୁ ଯାଉଛି, ତା’କୁ ବୋଧ ହେଲା କେହି ଜଣେ ଗୋରା ତକ ତକ ମଣିଷ (ଛାୟାମୂର୍ତ୍ତି) କେଉଁଆଡୁ କେଜାଣି ଆସି, ତା’ ବେକରୁ ଫାଶ ମୁକ୍ତ କରି କହିଲେ –ବାବୁରେ ! ଆତ୍ମହତ୍ୟା ମହାପାପ । ଆତ୍ମା ଅତୃପ୍ତ ହୋଇ ଘୁରିବୁଲେ ଏଇ ପୃଥିବୀରେ ସବୁବେଳେ । ତ୍ରିପୁରରେ କେଉଁଠି ବି ତା’କୁ ସ୍ଥାନ ମିଳେନା । ଆ ମୋ ସହ ଆସ । ତତେ ଶାନ୍ତିର ତପୋବନକୁ ନେଇଯିବି । ଯେଉଁଠି କେବଳ ଶାନ୍ତିର ମନ୍ତ୍ର ହିଁ ତତେ ସବୁ ଅଶାନ୍ତିରୁ ଦେବ ମୁକ୍ତି । ଶାନ୍ତିର ସୁଧା ପରଷିଦେବି ମୁଁ । ଆ…..ଆ….ଆ…ଆ…..ଆ…

ତୁଷାର କେଉଁ ଏକ ଅଜଣା ରାଇଜକୁ ପ୍ରବେଶ କରୁଥିଲା- ଯେଉଁଠି କେବଳ ଫୁଲ, ପ୍ରଜାପତି, ଫଗୁଣ, ଶୁଆଶାରୀ, ମୟୂର ମୟୂରୀ, ବଉଳ, କୋକିଳ ମେଳରେ ଭରି ରହିଥିଲା ହସଖୁସି ଆଉ ଆନନ୍ଦଉଲ୍ଲାସ । ଜୀବନ ବୋଧ ହେଉଥିଲା ଖୁବ୍ ରଂଗୀନ ଆଉ ଉପଭୋଗ୍ୟ ।

ହେଲେ ଏ କଣ ସେ ଦେଖୁଛି । ବିଶ୍ୱାସ ହେଉନି ତା’ର ।

ପ୍ରୀତିଲଗ୍ନା ଧଳା ପୋଷାକରେ ପରୀ ଭଳି ପ୍ରତୀୟମାନ ହେଉଥିଲା ତ ଦୁଇ ବାହୁ ପ୍ରସାରି ତୁଷାରକୁ ଡାକୁଥିଲା-ଆରେ ମିତ ! ଆ ସଂଗାତ / ଆଜି ଗାଇବା ପ୍ରୀତିର ଗୀତ / ଜୀଇଁବା ନୂଆ ଜୀବନ ପଥ / ଆରେ ମିତ ଆ ସଂଗାତ / ଆ ଗାଇବା ଆନନ୍ଦ ଗୀତ / ଭଲପାଇବାର ଫୁଲେରୀ ପଦ / ଯିବା ତ ଭୁଲି ସବୁ ବିଷାଦ /ଆରେ ମିତ ଆ ମୋ ପରାଣ ମିତ ଆ….ଆ…..ଆ…….

ଅବିଶ୍ୱାସ ଲାଗିଲେ ବି ବିଶ୍ୱାସ କରିବାକୁ ବାଧ୍ୟ ହେଉଥିଲା ତୁଷାର ଏ ସୁଖଦ ଦୁର୍ଘଟଣା । ସେତେବେଳକୁ ସେ ଜୀବନ ରକ୍ଷାକାରୀ ଛାୟାମୂର୍ତ୍ତିର କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ସୁଖର ସୁନେଲି ସକାଳଟିଏ ତା’ପାଇଁ ସୃଜି ଦେଇ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top