ଗତବର୍ଷ ରଥଯାତ୍ରା ସମୟରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଗଲାବେଳେ ଏକ ଅଦଭୂତ ଘଟଣା ଘଟିଲା । ଏ ଘଟଣାଟି ରଥଯାତ୍ରା ପରଦିନର । ପୁରୀ ପହଞ୍ଚିବାକୁ ଆଉ ଗୋଟେ କିଲୋମିଟର ଅଛି କାର ଇଞ୍ଜିନରେ ଜୋରରେ ଶବ୍ଦ ହେଲା । ଗାଡି ରାସ୍ତା କଡ଼କୁ ରଖି ଦେଖିଲା ବେଳକୁ ଧୂଁଆ ବାହାରୁଛି । ଷ୍ଟାର୍ଟ ବନ୍ଦ କରି ଦେଖିବାରୁ, ଧୁଆଁ ବାହାରିବା ବନ୍ଦ ହେଲା । କିନ୍ତୁ ଗାଡି ଷ୍ଟାର୍ଟ କରିବାରୁ ପୁଣି ଧୁଆଁ ବାହାରିଲା । ଜଗନ୍ନାଥଙ୍କ ଦର୍ଶନ କଥା ଭୁଲି କେମିତି କାର ଠିକ୍ ହେବ ସେ ଚିନ୍ତାରେ ପଡିଲି । ଯେତେ ଚିହ୍ନା ପରିଚିତ ଲୋକଙ୍କୁ ଫୋନ୍ କଲି କେହି ସେଠି ପହଞ୍ଚି ସାହାଯ୍ୟ କରି ପାରିବ ଅବସ୍ଥାରେ ନ ଥିଲେ । ବ୍ୟସ୍ତ ହେଇ ସମସ୍ତଙ୍କୁ ଫୋନ୍ କରୁଥାଏ । ପୁଣି ଏମିତି ଗରମ ଯେ ପାଞ୍ଚ ମିନିଟ କାର ବାହାରେ ବିନା AC ରେ ରହିବ ମୁସ୍କିଲ ହେଉ ଥାଏ ।
ଏହି ସମୟରେ ଜଣେ ବ୍ୟକ୍ତି ଆସି ମୋତେ କିଛି ପଚାରୁଥାନ୍ତି । ଏତେ ବ୍ୟସ୍ତତା ଭିତରେ ସେ ବାରମ୍ବାର ପଚାରିବାରୁ, ତାଙ୍କୁ କହିଲି ଆପଣ ମତେ କିଛି ପଚାରନ୍ତୁ ନାହିଁ, ଅନ୍ୟ ମାନଙ୍କୁ ପଚାରନ୍ତୁ । ତା ସତ୍ୱେ ସେ ପୁଣି ମୋ ସହ କଥା ହେବାକୁ ଚେଷ୍ଟା କରୁଥାନ୍ତି ଓ ମୋବାଇଲ୍ ରେ କିଛି ଦେଖାଇବାକୁ ଚେଷ୍ଟା କରୁଥାନ୍ତି । ବାଧ୍ୟ ହେଇ ତାଙ୍କ ମୋବାଇଲ ଦେଖିଲି ।
ସେଥିରେ Mitsubishi Motors ର ଏକ logo ଓ କିଛି ଲେଖା ଥିବା ଏକ କାଗଜ଼ର ଫୋଟୋ ଥିଲା ।
ତାଙ୍କୁ ପଚାରିଲି, ଆପଣ କାହିଁକି ଏ ଫୋଟୋ ମତେ ଦେଖାଉଛନ୍ତି ।
–ଆପଣ ସେଥିରେ କଣ ଲେଖା ହେଇଛି ପଢିଲେକି ?
–ନା ମୁଁ କାହିଁକି ପଢ଼ିବି ?
— ଆପଣ ଟିକେ ଧର୍ଯ୍ୟ ଧରି ଶୁଣନ୍ତୁ, ମୁଁ ଜଣେ ମେକାନିକ ମତେ କୁହନ୍ତୁ, ଆପଣଙ୍କ ଗାଡିର କଣ ହେଇଛି, ଯଦି ହେବ ମୁଁ ସହାଯ୍ୟ କରିବି । ଏଥିରେ ମୁଁ ଆପଣଙ୍କୁ Mitsubishi Motors ରୁ ପାଇଥିବା ସାର୍ଟିଫିକେଟ ଦେଖାଉ ଥିଲି । ଆପଣ ଫୋନ୍ରେ ବ୍ୟସ୍ତ ହେଇ ବହୁ ସମୟ କଥା ହେଉଛନ୍ତି, ମୁଁ ଏଠି ଛିଡା ହେଇ ଶୁଣୁଥିଲି, ଭାବିଲି କଣ ହେଇଛି ଟିକେ ପଚାରିବି ।
କିନ୍ତୁ ତାଙ୍କ କଥା ମୋର ବିଶ୍ୱାସ ହେଲା ନାହିଁ, ପଚାରିଲି,
–ଆପଣ ଏଠି କଣ କରୁଛନ୍ତି ?
ତାଙ୍କ ଉତ୍ତର ଆଶ୍ଚର୍ଯ୍ୟଜନକ ଥୀଲା ।
–ମୋ ଗାଡି ଖରାପ ହେଇ ଯାଇଛି, ତେଣୁ ଏଠି ଛିଡା ହେଇଛି ।
— ଯଦି ଆପଣ ଜଣେ ମେକାନିକ, ନିଜ ଗାଡି ଠିକ କରି ପାରୁ ନାହାନ୍ତି କାହିଁକି ?
— ମୋ ପାଖରେ ସରଞ୍ଜାମ ନାହିଁ ।
ଯେହେତୁ ଅନ୍ୟ ଉପାୟ ନ ଥିଲା, ଗାଡି ଚାବି ତାଙ୍କ ହାତକୁ ବଢ଼େଇ ଦେଲି ।
ସେ ଚାବି ନେଉ ନେଉ ଗାଡି ଷ୍ଟାର୍ଟ କଲେ ଓ ପୁଣି ଧୂଁଆ ବାହାରିଲା, ଷ୍ଟାର୍ଟ ବନ୍ଦ କରିଦେଲେ । ଏମିତି 4-5 ଥର କଲେ । ମୋର ରାଗ ହେଲା, କହିଲି;
–ଆପଣ ଦେଖୁଛନ୍ତି, ଧୂଁଆ ବାହାରୁଛି, କାହିଁକି ବାରମ୍ବାର ଷ୍ଟାର୍ଟ କରୁଛନ୍ତି । ଯଦି ଜାଣିଛନ୍ତି ବନେଟ ଖୋଲି ଇଞ୍ଜିନ୍ରେ କଣ ହେଇଛି ଟିକେ ଦେଖନ୍ତୁ ।
ସେ ବନେଟ ଖୋଲୁ ଖୋଲୁ କହିଲେ, ଗାଡି ଠିକ୍ ହେଇଗଲା । ଅପଣଙ୍କ AC ବେଲ୍ଟ ଜାମ୍ ହେଇଯାଇଛି । ତେଣୁ ବିନା AC ରେ ଗାଡି ଚଲାନ୍ତୁ ।
— ମତେ କିନ୍ତୁ ଡର ଲାଗୁଥିଲା, ଷ୍ଟାର୍ଟ କଲେ ଯଦି ନିଆଁ ଲାଗିଯିବ !
କିନ୍ତୁ ଜଗନ୍ନାଥ ଙ୍କୁ ଡାକି AC ବନ୍ଦ କରି ଷ୍ଟାର୍ଟ କଲି । ଆଉ ଧୂଁଆ ବାହାରିଲା ନାହିଁ । ତଥାପି ପଚାରିଲି,
— ବାଟରେ କିଛି ଅସୁବିଧା ହେବ ନାହିଁ ତ ??
— ଆପଣ ସାରା ଓଡିଶା ବୁଲିକି ଆସନ୍ତୁ, କିଛି ଅସୁବିଧା ହେଲେ ଫୋନ୍ କରିବେ ।
ଫୋନ ନମ୍ବର ଦେଲେ ଓ ଭୁବନେଶ୍ୱର ପହଁଚିଲା ପରେ କେମିତି କମ ପଇସା ରେ AC repair ହୋଇ ପାରିବ ସେ ବ୍ୟବସ୍ତା କରିଦେଲେ ।
ଏ ଭିତରେ ପ୍ରବଳ ବର୍ଷା ହେଇ ଛାଡ଼ି ଯାଇଥାଏ, କେବଳ ଝିପି ଝିପି ବର୍ଷା ଲାଗି ରହିଥିଲା । ଥଣ୍ଡା ପବନ ବହୁଥାଏ । ବିନା AC ରେ ଗାଡି ଭିତରେ ଆରାମ ଲାଗୁଥାଏ । ବର୍ଷା ପ୍ରଭାବରେ ବଡଦାଣ୍ଡ ଖାଲି ହେଇ ଯାଇଥିଲା । ଆରାମ ରେ ରଥ ଉପରେ ଦର୍ଶନ ହେଇଗଲା । ଆସିଲା ବେଳକୁ ବଡଶଙ୍ଖରେ ଜଣେ ଅଧା ଚିଂହା ବ୍ୟକ୍ତି ଦେଖାହେଲେ । କହିଲେ ଆସନ୍ତୁ, ଗୋଟେ ନୂଆ ହୋଟେଲ କରିଛି, ଖାଇ ଦେଇକି ଯିବେ ।
ସପରିବାରେ ଆରାମ ରେ ଖାଇକି ଆସିଲୁ ଯଦିଓ ଦାମ ଟିକେ ଅଧିକ ଥିଲା ।
ବାଟରେ ଖାଲି ସେହି କଥା ଆମେ ଆଲୋଚନ କରୁଥାଉ । କେମିତି ସବୁ ଅସୁବିଧା ହଟିଯାଇ ସୁବିଧା ହେଇଗଲା । ଠିକ୍ ସମୟରେ ଗାଡି ଖରାପ ଜାଗାରେ ଜଣେ ସାହାଯ୍ୟକାରୀ ମେକାନିକ ବନ୍ଧୁ ମିଳିବା ଓ AC ଖରାପ ହେବାପରେ ବର୍ଷା ଯୋଗୁ ପାଗ ଅନୁକୂଳ ହେଇଯିବା, ଟିକେ ଆଶ୍ଚର୍ଯ୍ୟ ଲାଗୁଥାଏ । ପୁଣି କିଛି ସମୟ ପୂର୍ବରୁ ପ୍ରବଳ ଭିଡ ଥିବା ବଡଦାଣ୍ଡ ବର୍ଷା ଯୋଗୁ ଖାଲି ହେଇଯିବା ଓ ବିନା ଲାଇନ୍ରେ ଦର୍ଶନ ମିଳିବା ରୁ ଆମେ ସମସ୍ତେ ଖୁସି ଥାଉ ।
ଏ ସମୟରେ ଘରଣୀ କହିଲେ, ଏ କେବଳ ଜଗନ୍ନାଥ ଙ୍କ କୃପା ।
— କିନ୍ତୁ ସାନ ଝିଅ କହିଲା, ହଁ ହେଇପାରେ ଜଗନ୍ନାଥଙ୍କ କୃପା କିନ୍ତୁ ଆମେ ଘରୁ ବାହାରିଲା ବେଳକୁ ନେଉଳ ଦେଖିଥିଲେ । ନେଉଳ ଦେଖିଲେ ଶୁଭ । ତେଣୁ ହୁଏତ ନେଉଳ ପ୍ରଭାବରେ ସବୁ ଭଲରେ ଭଲରେ ହେଇଗଲା ।
— ବଡ ଝିଅ କହିଲା, ଯଦି ନେଉଳ ର ପ୍ରଭାବ ଅଛି, ତ ହେଲେ କାହିଁକି ଗାଡି ଖରାପ ହେଲା ?
— ମୁଁ ଭାବିଲି ସାନ ଝିଅ ଏ ପ୍ରଶ୍ନ ର ଉତ୍ତର ଦେଇ ପାରିବ ନାହିଁ, କିନ୍ତୁ ସେ ଗୋଟେ ସୁନ୍ଦର ଜବାବ ରଖିଲା ।
–ଆମେ ନେଉଳ ଦେଖିବା ପୂର୍ବରୁ ବିଲେଇ ଦେଖିଥିଲେ, ବିଲେଇ ଦେଖିଲେ ଅଶୁଭ, ତେଣୁ ପ୍ରଥମେ ଅଶୁଭ ହେଲା, ତାର ପ୍ରଭାବ ସରିବା ପରେ ନେଉଳର ପ୍ରଭାବ ଆରମ୍ଭ ହେଲା ।
ମୁଁ ଶେଷ ଯାକେ ଜାଣିପାରିଲି ନାହିଁ ପୁରା ଘଟଣାରେ ପ୍ରଭୁ ଜଗନ୍ନାଥଙ୍କ କେତେ କୃପା ଥିଲା ଏବଂ ବିଲେଇ ଓ ନେଉଳର କେତେ ଭୂମିକା ଥିଲା ।
***
ବର୍ତ୍ତମାନ ବିକାଶ ପ୍ରସଙ୍ଗ କୁ ଆସିବା । ଇନ୍ଦିରା ଗାନ୍ଧୀଙ୍କ ସମୟରୁ ଆଜି ଯାଏ ବିଭିନ୍ନ ସରକାର ଦାବି କରୁଛନ୍ତି ଯେ, ସେମାନେ ଗରିବ ମାନଙ୍କୁ ହଟେଇ ଦେଶକୁ ଆଗେଇ ନେଉଛନ୍ତି । ଯଦି ପଚାଶ ବର୍ଷ ଧରି ପ୍ରତି ବର୍ଷ ଦେଶ ଆଗଉଛି, ତେବେ ଦେଶରେ ୮୧.୩୮ କୋଟି ଲୋକଙ୍କୁ କାହିଁକି ମାଗଣା ଖାଦ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କର ଯାଇଛି ? ଭାରତରେ କେତେ ଗରିବ ଅଛନ୍ତି ତାର ନିର୍ଦ୍ଧିଷ୍ଟ ତଥ୍ୟ ନାହିଁ, ତେବେ । Internet ରେ ଥିବା ସବୁ ତଥ୍ୟ କୁ ବିଶ୍ଳେଷଣ କଲେ ଜଣା ପଡିବ, ଗରିବୀ ପ୍ରତିଶତ ହିସାବରେ ଟିକେ କମିଛି , କିନ୍ତୁ ସଂଖ୍ୟା ହିସାବରେ ବହୁତ ବଢିଛି । ବୋଧେ କିଛି ଗରିବ ଧନୀ ହେଇ ଯାଇଛନ୍ତି ଓ କିଛି ଧନୀ ଗରିବ ହେଇ ଯାଇଛନ୍ତି । ହେଇପାରେ ନୂଆ ଜନ୍ମ ହେଇଥିବା ଅଧିକାଂଶ ଗରିବ ହେଇ ଜନ୍ମ ହେଇଛନ୍ତି । GDP ବଢିଗଲେ ଦେଶ ଉନ୍ନତି କରେ, ଏ କଥା ବଡ ବଡ ଅର୍ଥନୀତିଜ୍ଞ ମାନେ ବୁଝେଇଛନ୍ତି । କିନ୍ତୁ ଯେଉଁ ଦେଶରେ ଗୋଟେ pendrive କିମ୍ବା earphone ତିଆରି ହେଇ ପାରୁ ନାହିଁ, ସେଠି କି ପ୍ରଗତି ହେଇଛି ?
ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଆକାଶବାଣୀ ଓ ରେଡ଼ିଓ ପାକିସ୍ତାନରେ ସବୁଦିନ ଦୁଇ ଦେଶ ଦାବି କରୁଥାନ୍ତି, ତାଙ୍କ ଦେଶର ସୈନିକ ମାନେ ପ୍ରତିପକ୍ଷ ଦେଶ ଭିତରକୁ କେତେ ବାଟ ମାଡିଗଲେ । କିଛି ଦିନର ଯୁଦ୍ଧ ପରେ BBC ସମ୍ବାଦ କହିଲା, ଯଦି ଉଭୟ ସରକାର ସଠିକ ଖବର ଦେଉଛନ୍ତି ତେବେ ଆଜି ପାକିସ୍ତାନ ସେନା ଭାରତ ପାର ହେଇ ଜାପାନରେ ଓ ଭରତ ସେନା ପାକିସ୍ତାନ ପାର ହେଇ ଇରାନରେ ଥାନ୍ତେ ।
ଯଦି ପ୍ରତିବର୍ଷ ୨ ପ୍ରତିଶତ ଲେଖା ଗରିବୀ କମିଥାନ୍ତା, ଆଜି ସମସ୍ତେ ଗରିବୀ ରେଖା ଉପରେ ଥାନ୍ତେ । ସରକାରଙ୍କ ଦ୍ୱାରା କରାଯାଇଥିବା ବିକାଶ ର ଦାବି ଖାଲି ମିଛ । କିମ୍ବା ହେଇପାରେ ଆମେ ଉନ୍ନତି କରିଛୁ କିନ୍ତୁ ଜାଣିପାରୁ ନାହୁଁ ।
ଏଠି ଗୋଟିଏ ପୁରୁଣା କଥା କହୁଛି, ଯାହା ମତେ ଜଣେ ବନ୍ଧୁ କହିଥିଲେ । ତାଙ୍କ ଗାଁ ରେ ଜଣେ ପ୍ରାଥମିକ ଶିକ୍ଷକ ଅବସର ପରେ ହୋମିଓପାଥି ଚିକିତ୍ସା ଆରମ୍ଭ କଲେ । କିନ୍ତୁ ସେ ନିଜର ଜ୍ଞାନ ବିଷୟରେ ଯେତେ ଭାଷଣ ଦେଲେବି କେହି ରୋଗୀ ଆସିଲେ ନାହିଁ । ଥରେ ତାଙ୍କର ଜଣେ ପୁରୁଣା ଛାତ୍ର ଦେଖାହେଲା, ତାକୁ ପଚାରିଲେ ଦେହ କେମିତି ଅଛି ? ସେ କହିଲା
— ଠିକ୍ ଅଛି କିନ୍ତୁ ମଝିରେ, ମଝିରେ ମୁଣ୍ଡ ବିନ୍ଧା ହେଉଛି ।
ଶିକ୍ଷକ କହିଲେ ତୁ ମୋ ପାଖକୁ ଆସ, ପାନେ ଔଷଧ ଦେବି ପାଞ୍ଚ ମିନଟ୍ରେ ଭଲ ହେଇଯିବୁ ।
ବଡ ଆଶା ନେଇ ସେ ଗୁରୁଙ୍କ କ୍ଲିନିକ କୁ ଗଲା । ଔଷଧ ଖାଇବାକୁ ଦେଇ ଗୁରୁଦେବ କହିଲେ ଟିକେ ବସିପଡି କମିଯିବ । ପାଞ୍ଚ୍ ମିନଟ୍ ପରେ ପଚାରିଲେ,
–କମିଲା ?
–ନା
୧୦ ମିନଟ ପରେ ପୁଣି ପଚାରିଲେ,
–କମିଲା ?
–ନା
ଏମିତି ଅଧ ଘଣ୍ଟା ଗଲା ହେଲେ ମୁଣ୍ଡ ବିନ୍ଧା କମିଲା ନାହିଁ ।
ଏଥର ଆଉ ପାନେ ଔଷଧ ଦେଇ ପଚାରିଲେ,
–କମିଲା ?
–ନା
ଏଥର ଗୁରୁଙ୍କ ମୁଣ୍ଡ କୁ ପିତ୍ତ ଚଢିଲା, ପ୍ରବଳ ରାଗି ଯାଇ ପାଟିକଲେ;
— ଆରେ ମୂର୍ଖ, ଏ ଔଷଧରେ ନିଶ୍ଚୟ ମୁଣ୍ଡବଥା କମିଥିବା, ତୁ ବୋକାଟେ କିଛି ଜାଣି ପାରୁନୁ ।
ଗୁରୁଙ୍କ ପ୍ରବଳ ରାଗ ଦେଖି, ପୁରୁଣା ଛାତ୍ର କହିଲା;
— ହଁ ହଁ ଏବେ ଟିକେ ଭଲ ଲାଗୁଛି, ମୁଣ୍ଡବିନ୍ଧା କମିଛି ।
ସେଇ ଶିକ୍ଷ୍ୟକ ଭଳିଆ ପଣ୍ଡିତ ମାନେ ଆମକୁ ବୁଝିଇ ଦେଉଛନ୍ତି ଯେ ଦେଶ ବିକାଶ କରିଛି ।
ଯେଉଁଠି M.Tech ପଢି ପିଲା ପିଅନ ହେଉଛନ୍ତି ତାକୁ କି ବିକାଶ କୁହାଯିବ ?
କିନ୍ତୁ ଏ କଥା ମାନିବାକୁ ପଡିବ କିଛି ଲୋକଙ୍କ ଅବସ୍ଥାରେ ଉନ୍ନତି ନିଶ୍ଚୟ ଆସିଛି । ଆଗ ଭଳିଆ ଖାଦ୍ୟ ଅଭାବ ନାହିଁ । ଗାଡି ମଟର ବଢିଛି, ଲୋକେ କୋଠା ଘରେ ରହୁଛନ୍ତି । କିନ୍ତୁ ତାହା ତାଙ୍କ ନିଜ ଉଦ୍ଦ୍ୟମ ପାଇଁ ସରକାରୀ ଯୋଜନା ପାଇଁ ନୁଁହ । ଯଦି ଦେଖାଯିବ, କୌଣସି ଯୋଜନା ରେ ଅନ୍ତର୍ଭୁକ୍ତ ହେଇନଥିବା ଲୋକ ଅଧିକ ଆଗେଇଛନ୍ତି ଓ ଯେଉଁମାନେ ସବୁ ସରକାରୀ ସୁବିଧା ପାଇଲେ ସେମାନେ ଏବେବି ପଛୁଆ । ଯଦି ସରକାରଙ୍କ ସାଧାରଣ ଜନତାଙ୍କ ବିକାଶ ରେ ସରକାରଙ୍କ କିଛି ଭୂମିକା ଥାଏ ତାକୁ ମାପ କରା ଯାଇ ପାରିବ ନାହିଁ । ଯେମିତି ଆମର ରଥ ଦେଖାରେ, ବିଲେଇ ଓ ନେଉଳ ର ଭୂମିକା ଆକଳନ କରା ଯାଇ ପାରିନାହିଁ ।