ଗଳ୍ପ

ଚାଇନା ଭୂତ

China Bhuta an odia story by Trupti Rekha Paikaray

ଆମ ମାର୍କଣ୍ଡ ମାଆ, ପାଖ ପଡୋଶୀଘର ସ୍ତ୍ରୀଲୋକଙ୍କ ଠାରୁ ଦେଖି ଦେଖି ଜିଦି ଧରି ବସୁଛି ଯେ, ମୁଁ ସେ ଏତେ ବଡ ବଡ ଚାଇନା ରସୁଣ କିଣିବି ।

ଚାଇନା ଭୂତ

(ଭାଗ-୧)
ଦଶ ବର୍ଷ ପୂର୍ବେ ଚାଇନା ଭୂତ ଆତଙ୍କ ଉପରେ ଆଧାରିତ

କିହୋ ବାଳବ୍ରହ୍ମଚାରୀ ଭାଇନା କଣ ଘରଦ୍ୱାର ଏମିତି ଅନ୍ଧାର କରି ବସିଛ ଯେ, ମୁଁ ତୁମକୁ ଦେଖାକରିବାକୁ ଆସି କଚଡ଼ା ଖାଇ ମୋ ପ୍ରାଣବାୟୁ ଉଡିବା ଉପରେ ।

କୁହନା….କୁହନା ପ୍ରେମାନନ୍ଦ, ଆଉ କଣ କରିବି ?

ଏଣିକି ଅନ୍ଧାରରେ ଏମିତି ବସିବାକୁ ପଡିବ । ଛାଡ ଛାଡ କଣ ଆଉ କରିବି? ଏ ଯୋଉ ଚାଇନା ମିଟର ନା’ ଘରେଘରେ ବସୁଛି, ମୋତେ ଅଧମରା କରିସାରିଲାଣି । ଖାଲି କଣ ହୁ ହୁ ହେଇ ଇଲେକ୍‌ଟ୍ରିକ ବିଲ ବଢି ଚାଲିଛି । ମୋ ଲୁଗାପଟା ତ ଆଉ ସଫା ହେଉନି । ୱାଶିଂମେସିନ ଚଲେଇବା ବନ୍ଦ, ମାସେ ହେଲା ଗୋଟିଏ ଲୁଗା ପିନ୍ଧି ପିନ୍ଧି ଗନ୍ଧ ଛାଡ଼ିଲାଣି । ଟିଭି ଦେଖିବା ବନ୍ଦ । ଛାଡ ସେ ଦୁଃଖ ।

ଏ ମାର୍କଣ୍ଡ ମାଆ ପ୍ରେମାନନ୍ଦଙ୍କ ପାଇଁ କଣ ଟିକେ ଖାଇବାକୁ ନେଇଆସ ।

ହଁ, ହଁ କହି ଖାଇବା ଥାଳି ଧରି ପହଞ୍ଚିଗଲେ ମାର୍କଣ୍ଡ ମାଆ । ଥାକେ ପୁରୀ ସହିତ ଆଳୁଦମ ଟିକେ ନେଇ । ପ୍ରେମାନନ୍ଦ ତେଣେ ଗୋଡହାତ ଟେକି ଅନ୍ଧାର ଘରେ ଖାଇବାକୁ ପ୍ରସ୍ତୁତ । ପାଟିରେ ଥରଟିଏ ନେଇଛନ୍ତି କି ନାହିଁ, କହି ପକାଇଲେ, ଏଁ ବାଳବ୍ରହ୍ମଚାରୀ ଭାଇନା ତାରକାରୀର କଣ କିଛି ସ୍ୱାଦ ନାହିଁ ।

ତା’ ପରେ ବାଳବ୍ରହ୍ମଚାରୀ ଭାଇନା କହିଉଠିଲେ, ଇଏ ଆଉ ଏକ କାରଣ । ଆମ ମାର୍କଣ୍ଡ ମାଆ, ପାଖ ପଡୋଶୀଘର ସ୍ତ୍ରୀଲୋକଙ୍କ ଠାରୁ ଦେଖି ଦେଖି ଜିଦି ଧରି ବସୁଛି ଯେ, ମୁଁ ସେ ଏତେ ବଡ ବଡ ଚାଇନା ରସୁଣ କିଣିବି । କିଣି ସିନା ଆଣୁଛି, ହେଲେ ଏକରୁ ଅଧିକ ରସୁଣ ବାଟିବାକୁ ତା ହାତ ଯାଉନି, ଆଉ ଗୋଟିଏ ରସୁଣ ପକାଇଲେ ତାରକାରୀର ଏମିତି ଗୁରୁଚଣ୍ଡାଳ ଅବସ୍ଥା । ତା’ ପରେ ପ୍ରେମାନନ୍ଦଙ୍କ ପାଳି ଆସିଲା ପ୍ଲେଟ ଖାଲି କରିବାର ।

କଷ୍ଟେମଷ୍ଟେ ପ୍ଲେଟ ସଫା କରି ପଚାରିଲେ, ଝିଅ ଦୁର୍ଗେଶ୍ୱରୀ କାହିଁ ଦିଶୁନି । ଓଃ….ଦୁର୍ଗେଶ୍ୱରୀ, ମୋ’ଠାରୁ ଦୁଇ ତିନିଟା ଶକ୍ତ ଚାପୁଡ଼ା ଖାଇ, ଆର ଅନ୍ଧାରଘରେ ବସି ରଡି ଛାଡୁଥିବା । ପ୍ରେମାନନ୍ଦ କହି ଉଠିଲେ ଯେ, ଏତେ ବଡ ବୁଢା ମଣିଷଟିଏ ହେଲଣି ବୁଦ୍ଧି ହେଉନି ତମର ହୋ । କାହିଁକି ଝିଅଟାକୁ ମାରୁଛ?

ମାରିବିନି ତ କଣ ଆଉ ପୂଜା କରିବି ? ଯେତେବେଳେ ମଣିଷ ଟିକେ ଶାନ୍ତିରେ ବସିଥିବ, ଦାନ୍ତ ନେଫେଡ଼େଇ ନେଫେଡ଼େଇ ପଳେଇ ଆସିବ ଆଉ କହିବ, “ବାପା ଆଉ ଟଙ୍କା ଦିଅ, ଚାଇନା ବ୍ୟାଟ୍ରି ଆଣି ଗୀତ ଶୁଣିବି ୱାକମାନରେ ପୁରାଇ ।

ଆଉ ସେମିତି ବଡପୁଅ ମାର୍କଣ୍ଡ, କି ଘର ଗୋଟେ ତିଆରି କରିଛି ଯେ, ସହରରେ ? ଗୋଟା ପଇସା ତା ପକେଟରୁ ବାହାର କରୁନି, ଚାକିରୀବାକିରି କରି ମଧ୍ୟ ପଇସା ନବାକୁ ମୋ ପାଖରେ ହାଜର । କଣ ନା ବାପା ପଇସା ଦିଅ, ମୋ ଘରର ଫାଟକ ବନ୍ଦ କରି ନୂଆ ଦିଗରେ କରିବି, କାରଣ ଚାଇନା ବାସ୍ତୁଶାସ୍ତ୍ର ବାଲା କହିଛନ୍ତି । ଏହା କଲେ ମୋର ଶୁଭହେବ । ତାର ଶୁଭ କରିକରି ମୋ ପକେଟ ପୁରା ସଫା କରିସାରିଲାଣି । ପୁଣି କଣ “ଫେଙ୍ଗଶୁଇ” କହୁଛନ୍ତି ତାକୁ ।

ଆଉ ସାନପୁଅ ଗୋବରା, ତା କଥା ଛାଡ, ଫାଡୁଟାଏ ସିଏ । ପାଠପଢିବାକୁ ବାହାରକୁ ପଠେଇଲି ଯେ, ପାଠ କଣ ପଢ଼ିବ, ଗୋଟେ ଚାଇନା ଟେରିକୁ କୋଉଠୁ ଉଠାଇ ଆଣିଛି । ପୁଣି କଣ କହୁଛି ନା’ ସେ ମୋ ସ୍ତ୍ରୀ । ତା ନାଁ ପୁଣି କଣ ଚେଁଗିପା । ସିଏ ପୁଣି କଣ ୨୪ ଘଣ୍ଟା ଖାଲି ଚିଂଚ୍ୟାଙ୍ଗ ପିଂପ୍ୟାଙ୍ଗ ହେଉଛି ଯେ ଆମକୁ ଧମକାଇ ଦେଉଛି । ମତେ ଆଉ ମାର୍କଣ୍ଡ ମାଆକୁ ଘରୁ ବାହାର କରିବାକୁ ବସିଲାଣି । ଖାଲି କଣ ଘୋଡା ପରି ଏପଟ ସେପଟ ହେଉଛି ଓ ମୁଁ ଯେତେ ଲାଇଟ ବନ୍ଦ କଲେ ବୁଲିବୁଲି ସେ ଯାଇ ସବୁ ଘରେ ଲାଇଟ ଲଗେଇଦେଉଛି ।

ଏବେ ଶୋଇଛି ବୋଲି ମୁଁ ଶାନ୍ତିରେ ସବୁ ଲାଇଟ ଲିଭେଇ ବସିଛି । କୁହନା କୁହନା ପ୍ରେମାନନ୍ଦ, ମତେ “ଚାଇନା ଭୂତ” ପୁରାପୁରି ଗ୍ରାସ କରିସାରିଲାଣି । ଆଉ ଅଳ୍ପଦିନ ପରେ ମୁଁ ମନ୍ଦିର ସାମ୍ନାରେ ବସି ଭିକ ମାଗିବି ବୋଧେ ।

ଚାଇନା ଭୂତ (ଭାଗ-୨)
ଦଶ ବର୍ଷ ପରେ ଚାଇନା ଭୂତ ଛଡା ଉପରେ ଆଧାରିତ

ବାଳବ୍ରହ୍ମଚାରୀ ଭାଇନା, ଘରେ ଅଛ ନା ନାହିଁ?

ଆରେ, ହଁ..ହଁ ଭାଇ ପ୍ରେମାନନ୍ଦ କୁଆଡେ ଆଉ ଯିବି, ରିଟାୟାର୍ଡ଼ କଲି, ଏବେ ଘରେ ବସିଛି ଆଉ ।

ହଉ ହଉ ପ୍ରେମାନନ୍ଦ ଆସ ଆସ,ଭାରି ଭଲ ହେଲା ତମେ ଆସିଲା, ମୁଁ ତ ତମକୁ ମନେମନେ ଖୋଜୁଥିଲି ଆଉ ।

ଏତିକି କହି ସାରି, ବାଳବ୍ରହ୍ମଚାରୀ ପ୍ରେମାନନ୍ଦଙ୍କୁ ବସିବାକୁ କହିଲେ ।

ପ୍ରେମାନନ୍ଦ କହିଲେ ନାତି ଜନ୍ମଦିନ ତ, ଆସିଥିଲି ନିମନ୍ତ୍ରଣ କରିବାକୁ, ଆଉ କିଓ ଭାଇନା, ଏବେ କଣ ପୁରା ଘରଦ୍ୱାର ମାର୍ବଲ ପକେଇ ଚକାଚକ ଆଉ ଘରଦ୍ୱାର ସବୁଆଡେ ପୁରା ଭଲ ଆଲୁଅ ଜଳୁଛି । ଭାଇନା କଣ ଆଉ ଚାଇନା ମିଟର ନାହିଁ କି? ଏତିକି କହି ହସିଦେଲେ ପ୍ରେମାନନ୍ଦ ଆଉ ତାପରେ ବାଳବ୍ରହ୍ମଚାରୀ କହିଲେ ଆରେ ଭାଇ ସେ ଚାଇନା ଭୁତରୁ ଏବେ ଟିକେ ଛୁଟି ମିଳିଛି । ଏବେ ମୁଁ ଘରଦ୍ୱାର ସବୁ ସୋଲାର ଲାଇଟ କରିଦେଇଛି, ଆଉ ଚାଇନାଭୁତ ଡର ନାହିଁ, ଘରେ ଏବେ ସବୁ କାମ ଆମର ଆରାମରେ ଆଉ ଅଳ୍ପ ଖର୍ଚ୍ଚରେ ହେଇଯାଉଛି । ସେତେବେଳେ ସିନା ସେ ଚାଇନା ମିଟର ଥିଲା, ମୋତେ ଅଧମରା କରିସାରିଥିଲା ଆଉ ଖାଲି କଣ ହୁ ହୁ ହେଇ ଇଲେକ୍ଟ୍ରିକ ବିଲ ବଢି ଚାଲିଥିଲା । ମୋ ଲୁଗାପଟା ତ ଆଉ ସଫା ହେଉନଥିଲା, ଟିଭି ଦେଖିବା ବନ୍ଦ ଥିଲା । ଛାଡ ସେ ଦୁଃଖ ମନେପଡିଲେ ମୋ ଦେହ କଣ ହେଇଯାଏ l

ହେଲେ ଏବେ ଆମେ ସେ ଚାଇନା ଭୁତ ଛଡେଇଛୁ ବହୁତ କଷ୍ଟରେ, ଆଉ ଆମ ସରକାରଙ୍କ ଏବେ ଯୋଉ “ମେକ ଇନ ଇଣ୍ଡିଆ” କାର୍ଯ୍ୟକ୍ରମ, ଭାଇ ତା ବଦଳରେ ଆମେ ସବୁ ଆମ ଭାରତୀୟ ଜିନିଷ ଏବେ ବ୍ୟବହାର କରୁଛୁ, ସେ ଚାଇନା ଜିନିଷ ଗୁଡା ଆମେ କେବେଠାରୁ ଛାଡ଼ିଲୁଣି । ଆଉ ଆମ ବୋହୁ ଚେଁଗିପା ସିଏ ବି ବଦଳିଗଲାଣି, ହେଲେ ତାକୁ ତ ଆଉ ଭାଇ ଛାଡ଼ିହେବନି, ସେ ତ ଯାହାହେଲେ ଆମ ଘର ବୋହୁ, ସେ ଆଗରୁ ବାପଘରକୁ ଗଲେ ଚାଇନା ଜିନିଷ ଗୁଡା ବସ୍ତାବସ୍ତା ନେଇଆସେ, ହେଲେ ସେ ଆମ ଦେଶ ବୋହୁ ହେଇଗଲା ଆଉ ସିଏ ବି ଖୁସିରେ ଆମ ଭାରତୀୟ ଜିନିଷ ସବୁ ବ୍ୟବହାର କଲାଣି । ହେଲେ ତଥାପି ଚୋରାରେ ଅନେକ ବାଜେ ଜିନିଷ ଚାଇନାମେଡ଼ ମିଳୁଛି, ଏଇ କାଲିତ ପେପର ରେ ପଢିଛି ନକଲି ଅଣ୍ଡା ଆଉ ଚାଉଳ କୁଆଡେ ଚାଇନା ମାର୍କେଟ ଛାଡ଼ିଛି ଆଉ ଭାରତରେ, କେତେ ଲୋକ ଖାଇ ଅସୁସ୍ଥ, ଏସବୁ ଶୁଣି ଭାରି ଡର ଲାଗୁଛି ।

ଆମ ମାର୍କଣ୍ଡ ମାଆ ତାର ଆଉ ସେ ଚାଇନା ଜିନିଷ କିଣିବା ନିଶା ପୁରା ଉତୁରି ଯାଇଛି ଏହି ଅଣ୍ଡା ଆଉ ଚାଉଳ କଥା ଶୁଣିକି । ଆମେ ଆଜିକାଲି ଦେଶୀ ଜିନିଷ ପାଇଁ ବେଶୀ ଆଗ୍ରହୀ, ଆମ ଗାଁରେ ମାଣମାଣ ଜମି ପଡିଆ ପଡିଥିଲା, ମୁଁ ଏବେ ଯାଇ ସେଠି ରହୁଛି, ଆଉ ଗାଁରେ ଚାଷବାଷ କାମ ଟିକେ ଦେଖୁଛି ଭାଇ, ସେଠୁ ଆମକୁ ଧାନ, ଗହମ, ପନିପରିବା ସବୁ ମିଳୁଛି, ଆଉ ପୋଖରୀରୁ ଫ୍ରେଶ ମାଛ, କୁକୁଡ଼ା ବି ପାଳିଛି, ଦେଶୀ ଅଣ୍ଡା ନଖାଇ ଏଇ ଚାଇନା ଅଣ୍ଡା ଖାଇ କିଏ ଡାକ୍ତରଖାନା ଦୌଡିବ ଭାଇ, ଏଇ ପ୍ଲାଷ୍ଟିକ ଚାଇନା ଚାଉଳ ଚୋବେଇବା ଅପେକ୍ଷା ଦେଶୀ ଚାଉଳ ଭାତ ଖାଇବା ଭଲ ।

ଝିଅ ଦୁର୍ଗେଶ୍ୱରୀ ବାହା ହେଇ ତା ଘରସଂସାର ରେ ବ୍ୟସ୍ତ, ସେ ବି ତା ଶାଶୁଘରେ କିଛି ଚାଇନା ଜିନିଷ ଆଉ ବ୍ୟବହାର କରୁନି, ଜ୍ୱାଇଁ ଆମର ନିଜର ଗୋଟେ ସୋଲାର ପ୍ରଡକ୍ଟ ବିଜନେସ କରୁଛନ୍ତି, ଗାଁ ଗାଁ ରୁ ଲୋକ ଆସି ସବୁ ସୋଲାର ଜିନିଷ ନେଉଛନ୍ତି, ଆମେ ବି ତାଙ୍କ ଦୋକାନରୁ ସବୁ ସୋଲାର ଜିନିଷ ଆଣି ବ୍ୟବହାର କରୁଛୁ ।

ବଡ ପୁଅ ତାର ଭଲରେ ଅଛି ଏବେ, ଆଗରୁ ସେ ଫେଙ୍ଗସୁଇ ଆଉ ସେ କଣ ବାସ୍ତୁଶାସ୍ତ୍ର ଚକ୍କରରେ ପଡି ଗୁଡ଼ାଏ ପଇସା ବର୍ବାଦ କରି ଏବେ ମୁଣ୍ଡରେ ଚିନ୍ତା ପଶିଛି ଭାଇ, ଏବେ ସେସବୁ ସେ ଆଉ କରୁନି, ଭଲରେ ଅଛି ।

ଆଉ ସାନପୁଅ ଗୋବରା, ଚାଇନା ଯାଇ ପାଠ ତ କମ୍ପ୍ଲିଟ କଲାନି, ପୁଣି ଏଠି ଆସି କଣ ପଢିଲା, ମୋର ପଇସା ନଷ୍ଟ କଲା, ଏବେ ବଡ ଚାକିରୀ ଗୋଟେ ପାଇଛି ଭଲ ଦରମା ପାଉଛି । ଚେଁଗିପା ଆମର ଓଡ଼ିଆ କହିବା ଶିଖିଗଲାଣି ଆଉ ଆମ ସହ ଭଲରେ କଥା ହେଉଛି । ସେ ବି ପୁରା ବଦଳିଗଲାଣି ଆଉ ଆଗପରି ନାହିଁ, ତେଣୁ ମୁଁ ଭାବୁଛି ଭଗବାନଙ୍କ କୃପାରୁ ଏହି ଚାଇନାଭୁତ ଗଲାରୁ ଆମେ ଟିକେ ଖୁସିରେ ଅଛୁ । ଏବେ ମୋର ଆଉ ଏତେ କିଛି ଅସୁବିଧା ନାହିଁ, ଆମ ପରିବାର ଖୁସିରେ ଅଛୁ ଭାଇ । ଯାହାହେଉ ସରକାରଙ୍କ ଯେଉଁ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ସତସତିକା ଚାଇନା ଭୁତାଛଡ଼ା କାମରେ ଲାଗିଛି, ଯାହାହେଉ ଲୋକମାନେ ବି ଆମର ସତର୍କ ହେଲେଣି ଟିକେଟିକେ, ସବୁ କଥା ଶୁଣିଶୁଣି ପ୍ରେମାନନ୍ଦ କହିଲେ ଯାହେଉ ଭାଇନା ଆପଣଙ୍କ ଦୁଃଖ ଗଲା, ଭାରି ଭଲ ଲାଗିଲା ଯାହାହେଉ ସେ ଚାଇନା ଭୁତ ଛାଡିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top