ଗଳ୍ପ

ଦାନ: “ସ୍ଵତଃପ୍ରବୃତ୍ତ”ନା“ଉଦ୍ଦେଶ୍ୟପ୍ରଣୋଦିତ”

Trilochan Das's odia story Daana Swatahprabrutta Naa Uddeshyapranodita

ସେ ଟଙ୍କା ତାଠୁ ରଖିନିଅ, ଏବେ ଫେରାଇ ଦେଲେ ତା ଝିଅ ଦେଖିବ ଆଉ ମନ ଖରାପ କରିବ । ସେ ଟଙ୍କା କାଲି ତୁମଠୁ ନେଇଯିବ ।

ଦାନ: “ସ୍ଵତଃପ୍ରବୃତ୍ତ”ନା“ଉଦ୍ଦେଶ୍ୟପ୍ରଣୋଦିତ”

ସକାଳ ସାତଟା ହେବ। ଜଗଦୀଶ ବାବୁ ବାଲକୋନୀରେ ବସି ଚା ପିଉଥିବା ବେଳେ କୋଇଲିର କୁହୁତାନରେ ହଠାତ୍ ଆନମନା ହୋଇଗଲେ। ଲାଗିଲା ଯେମିତି ବହୁଦିନ ପରେ ସେ ଗୋଟେ ଅକୃତିମ ସ୍ଵର ଶୁଣୁଛନ୍ତି । ଦେଖିଲେ ସାମ୍ନା ନିମ୍ବଗଛରେ କୋଇଲିଟିଏ,ଏକଲୟରେ ଗାଇ ଚାଲିଛି । ଆଜି ତାକୁ କେହି ଦୁଷ୍ଟପିଲାର ଟେକା ମାଡ଼କୁ ଭୟ ନାହିଁ । ସହର ସାରା ଶ୍ମଶାନର ନୀରବତା, ସମସ୍ତେ ଗୋଟେ ଅଦୃଶ୍ୟ ଆତଙ୍କବାଦୀର ଭୟରେ ଯିଏ ଯାହା ଘରେ କବାଟ କିଳି ରହିଛନ୍ତି । ଗତକାଲି ଝିଅ କହୁଥିଲା, ତାଙ୍କ ସହର ଭିତରେ ଦୁଇଟା କଲରା ପତରିଆ ବାଘ ଆରାମରେ ବୁଲୁଛନ୍ତି । ପାଖ ଜଙ୍ଗଲରୁ ସହର ବୁଲିବାକୁ ଆସିଛନ୍ତି ଯେ ଫେରିବା ନାଁ ଧରୁନାହାନ୍ତି । ଲୋକେ ଜଙ୍ଗଲ ବିଭାଗକୁ ଫୋନ୍ କରି କହିଲା ବେଳକୁ ସେମାନେ କହିଲେ, “ଆଜ୍ଞା ‘କୋରୋନା’ଠୁ କ’ଣବାଘ ବେଶୀ ବିପଜ୍ଜନକ ? ଆପଣମାନେ ଘରୁ ବାହାରନ୍ତୁ ନାହିଁ, ଆମେ ସମୟ ସୁବିଧା ଦେଖି ତାଙ୍କୁ ଧରି ନେବୁ ।

ଏବେ ଆମେ ବାଘ ଧରୁଧରୁ ଯଦି ଅଦୃଶ୍ୟ ଶତୃର ସାମ୍ନାସାମ୍ନି ହୋଇଗଲୁ ତ କଥା ସରିଲା । ବାଘକୁ ସିନା ବନ୍ଧୁକ ଦେଖାଇ କାବୁ କରିହେବ, କିନ୍ତୁ ସିଏତ ଅଦୃଶ୍ୟ, ତାସହିତ କେମିତି ଲଢିବେ ” ? ତାଙ୍କ ଜୀବଦ୍ଦଶାରେ ଏଭଳି ଅବସ୍ଥା ସେ କେବେ ଦେଖିନାହାନ୍ତି । ଶୁଣିଛନ୍ତି, କୁଆଡ଼େ ଦ୍ଵିତୀୟ ବିଶ୍ଵଯୁଦ୍ଧବେଳେ ଏହିପରି ଗୋଟେ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ହଠାତ୍ ଶ୍ରୀମତୀଙ୍କ ଡାକରେ ସେ ପ୍ରକୃତିସ୍ଥ ହୋଇ ଦେଖିଲେ ତାଙ୍କ ଘରେ କାମ କରୁଥିବା ‘କମଳା’ ଛିଡ଼ା ହୋଇଛି ।

ହାତରେ ତାର ଗୋଟେ ପ୍ଲାଷ୍ଟିକ ଜରିରେ କିଛି ଖୁଚୁରା ପଇସା । ଜଗଦୀଶ ବାବୁ କହିଲେ, “ତୁପରା ସାତଦିନହେଲାଣି କାମ କରିବାକୁ ଆସୁନୁ, ଆଜି କେମିତି ଆସିଲୁ” ?

କମଳା କିଛି ନ କହି ଶ୍ରୀମତୀଙ୍କ ଆଡ଼କୁ ଅନେଇଲାରୁ ସେ କହିଲେ ଯେ କମଳା ଖାଲି ନିଜଝିଅର ଜିଦ୍ ପାଇଁ ଆସିଛି । ତା’ଝିଅ ସକାଳଠୁ ଲଗେଇଛି ଯେ ବାବୁଙ୍କ ପାଖକୁ ଯାଆ, ଆଉ ତାଙ୍କୁ କହି ମୋ ଟଙ୍କା ଶୀଘ୍ର ପଠା । କମଳା ହାତରୁ ଟଙ୍କା ଜରି ଆଣି ଜଗଦୀଶବାବୁଙ୍କୁ ଦେଖାଇ ଶ୍ରୀମତୀ କହିଲେ ଯେ କମଳାର ଝିଅ କାଲିରାତିରେ ତା ସଞ୍ଚୟବାକ୍ସଭାଙ୍ଗି ସେଥିରୁ ସଞ୍ଚୟକରିଥିବା ଦଶ, ପାଞ୍ଚ, ଦୁଇ, ଓ ଏକଟଙ୍କିଆ କଏନ୍ ସବୁ ବାହାର କରି କମଳାକୁ ଦେଇ କହିଲା ଯେ ଏ ଟଙ୍କା ବାବୁଙ୍କୁ କହି ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠା । କରୋନା ରାକ୍ଷସକୁ ମାରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ବହୁତ ଟଙ୍କା ଦରକାର । ସମସ୍ତେ ଦାନକରୁଛନ୍ତି, ଆମେ ବି ଦାନ କରିବା । ଜଗଦୀଶ ବାବୁ କହିଲେ, “ତା ସ୍କୁଲତ କେତେଦିନ ହେଲାଣି ବନ୍ଦହେଲାଣି, କମଳା ଘରେ ତ ଟି.ଭି.ନାହିଁ, ତାକୁ ମଧ୍ୟ ବାହାରକୁ ବାହାରିବା ମନା, ତେବେ ସେ କେମିତି ଜାଣିଲା ଯେ ଲୋକେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଟଙ୍କା ପଠାଉଛନ୍ତି ବୋଲି” ?

କମଳା ଟିକେ ଶଙ୍କି ଯାଇ କହିଲା, “ମା’ ଯେଉଁ ପୁରୁଣା ମୋବାଇଲଟା ମୋତେ ଦେଇଥିଲେ, ସେଇଟା ଧରି ସେ ଏବେ ସବୁବେଳେ ବସୁଛି ।

ସାଙ୍ଗସାଥି ସାଙ୍ଗରେ କଥାହେଉଛି, ସେଥିରେ ଟି.ଭି,ସିନେମା ଦେଖୁଛି । ଘରେ ରହି ଚିଡିଚିଡା ହେଇ ଗଲାଣି, ପାଠ ପଢ଼ିବାକୁ କହିଲେ କହୁଛି ଯେ ସ୍କୁଲ ନାହିଁ, ଘରେ ରହି ସବୁବେଳେ କେତେ ପାଠ ପଢିବି । ବଢ଼ିଲା ଝିଅ, ଏଇ କିଛିଦିନ ତଳେ ତାଙ୍କ ସ୍କୁଲର ଗୋଟେ ଝିଅ ଘର କୋଠା ଉପରୁ ଡେଇଁ ଅଘଟଣ ଘଟାଇଲାଯେ ମୁଁ ସେବେଠୁ ତାକୁ ରାଗି କି କିଛି କହୁନି । ଗଡୁରୁ ମୋଟ ତିନିଶହ ତିରିଶ ଟଙ୍କା ବାହାରିଛି । ମୋତେ ଲାଜଲାଗୁଛି ଯେ ଏତିକି ଟଙ୍କାଏତେ ବଡ଼ ଦେଶର ପ୍ରଧାନମନ୍ତ୍ରୀଙ୍କୁ କ’ଣ କେହି ଦାନ କରନ୍ତି ? ମୁଁ ମନା କଲାରୁ ସେ କହିଲା ଯେ ଯିଏ ଟଙ୍କା ଦେଉଛନ୍ତି ତାଙ୍କ ଫଟୋ ଖବର କାଗଜରେ ବାହାରୁଛି । ତା’ସାଙ୍ଗ ତାକୁ କହୁଥିଲା ଯେ ଦାନଦେଲେ ଖବର କାଗଜ ବାଲା ନହେଲେ ଟିଭି ବାଲା ଆସି ଫଟୋ ନେବେ ଆଉ ତା ଫଟୋ ବି ବାହାରିବ ”।

ଜଗଦୀଶ ବାବୁ କମଳା କଥା ଶୁଣୁ ଶୁଣୁ ଅନ୍ୟମନସ୍କ ହୋଇଗଲେ । ଭାବିଲେ ଏପ୍ରଚାର – ସର୍ବସ୍ୱ ଦୁନିଆରେ ଲୋକେ ନିଜ ପ୍ରଚାର ପାଇଁ କୌଣସି ବି ସୁଯୋଗ ଛାଡ଼ୁ ନାହାଁନ୍ତି । ପିଲାବେଳେ ସେ ଜେଜେଙ୍କଠୁ ଶୁଣିଥିଲେ ଯେ ଦାନ କରୁଥିବା ଲୋକ ସବୁବେଳେ ନିଜ ନାଆଁ ଗୁପ୍ତ ରଖନ୍ତି । କେହି ଯଦି ତାହା ପ୍ରଚାର କରି ପ୍ରଶଂସା ଗୋଟେଇବାକୁ ଚେଷ୍ଟା କରନ୍ତି ତେବେ ସେ ଦାନରୁ ପୂଣ୍ୟ ମିଳେ ନାହିଁ । ସେଥିପାଇଁ ତ ଲୋକେ ଟଙ୍କା, ସୁନା ଯାହା ଦାନ କରିବା କଥା ଚୁପ ଚାପ୍ ହୁଣ୍ଡିରେ ପକେଇ ଦିଅନ୍ତି, ଯେମିତି ଦାତାର ପରିଚୟ ଗୋପନ ରହିବ । ଜେଜେ ତାଙ୍କ କହିଥିବା କଥା ଯେ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ, ତାହା ସେ ମଲା ପରେ ଜଣା ପଡିଲା । ଜେଜେ ମଲା ଦିନ ଆମେ ସବୁ ବହୁତ କାନ୍ଦିଥିଲୁ, କିନ୍ତୁ ସବୁଠାରୁ ଯେ ବେଶୀ କାନ୍ଦୁଥିଲେ ସେ ହେଲେ ଆମ ଘରେ ବୋଲହାକ କରୁଥିବା ଦୀନାକକା ଓରଫ୍ ଦୀନନାଥ । ସେ କାନ୍ଦୁଥିବା ବେଳେ ଦୁଇଥର ମୂର୍ଚ୍ଛା ହୋଇ ଯାଇଥିଲେ । ଆମେ ସେତେବେଳେ କଥାଟାକୁ ଏତେ ଗୁରୁତ୍ୱ ଦେଇ ନ ଥିଲୁ । କିନ୍ତୁ ସବୁକିଛି ଜଣା ପଡ଼ିଲା ଜେଜେଙ୍କ ଏକାଦଶାହ କର୍ମଦିନ, ଯେତେବେଳେ ଦୀନା କାକାଙ୍କ ପୁଅ ଯିଏକି ଭୁବନେଶ୍ୱରରେ ଚାକିରୀ କରୁଥିଲେ, ସେ ଆସି ପହଞ୍ଚିଲା ପରେ । ସେ ବାପାଙ୍କୁ ଦଶ ହଜାର ଟଙ୍କା ଦେଇ ଅନୁରୋଧ କଲେ ଯେ ଏଇ ଟଙ୍କାରେ ଜେଜେଙ୍କ ପ୍ରତିମୁର୍ତ୍ତିଟିଏ ଗଢ଼ି ଆମ ଗାଆଁ ମୁଣ୍ଡରେ ବସାଇବା ପାଇଁ । ଆଉ ମଧ୍ୟ କହିଲେ ଯେ ଏହାବାଦ୍ ଯେତେଟଙ୍କା ଖର୍ଚ୍ଚ ହେବ ତାହା ସେ ଦେବେ, କାରଣ ଜେଜେଙ୍କ ୠଣ ଶୁଝିବା ପାଇଁ ତାଙ୍କ ଜୀବଦ୍ଦଶାରେ କୌଣସି ସୁଯୋଗ ପାଇନାହାନ୍ତି । ସେ ଭଲ ପାଠ ପଢୁଥିଲେ ବୋଲି ତାଙ୍କର ସ୍କୁଲ ଶିକ୍ଷାଠାରୁ ୟୁନିଭର୍ସିଟି ପର୍ଯ୍ୟନ୍ତ ସବୁଖର୍ଚ୍ଚ ମାସକୁମାସ ଦୀନା କାକା ହାତରେ ଧରେଇଦେଉଥିଲେ ଆଉ ସର୍ତ୍ତଥିଲା ଯେ ସେ ମଲା ପର୍ଯ୍ୟନ୍ତ ଏକଥା ଗୋପନୀୟ ହୋଇ ରହିବ ।

ଏବେ କିନ୍ତୁ ଯୁଗ ଅଲଗା । ଲୋକେ ନିଜ ବ୍ୟାଙ୍କ ଆକାଉଣ୍ଟରେ ଦାନ ପରିମାଣ ଅଙ୍କ ଜମା ନ ଥାଇ ବି ଚେକ୍ ଲେଖି ଗ୍ରହିତାଙ୍କ ହାତରେ ଧରାଇ ଦେଉଥିବା ବେଳର ଯୁଗଳ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡୁଛନ୍ତି । ପୁଣି ଆଉ ଗୋଟିଏ ଗୋଷ୍ଠୀ ଅଛନ୍ତି ଯେଉଁ ମାନେ ବାଧ୍ୟବାଧକତାରେ ଦାନ କରୁଛନ୍ତି । ସମାନ ବ୍ୟବସାୟବା ପେଶାରେ ଥିବା ଜଣେ ଦାତା ଯଦି ଦାନ କରନ୍ତି ଆଉ ଅନ୍ୟମାନେ ସେହି ଭଳି କିଛି ନ ଦିଅନ୍ତି, ତେବେ ସାଧାରଣ ଲୋକେ ତାଙ୍କୁ ସୋସିଆଲ ମିଡିଆରେ ଏଭଳି ଶୋଧାଶୋଧି କରନ୍ତି ଯେ ସେମାନେ ତ୍ରାହିତ୍ରାହି ଡାକନ୍ତି । ପୁଣି ଦାନ ଦେଲା ପରେ ଫଳରେ ଆଶା କରିବା ଉଚିତ୍ ନୁହେଁ । କିନ୍ତୁ ଏଠି ଦାନକରୁଥିବା ବ୍ୟକ୍ତିଯଦି ଜଣେ ଆୟକର ଦାତା ହୋଇଥାଆନ୍ତି, ତେବେ ରିଟର୍ଣ୍ଣ ଫାଇଲ୍ କଲା ବେଳକୁ 80G ଧାରାରେ ଛାଡ ନେବା କଥା କେବେ ବି ଭୁଲନ୍ତି ନାହିଁ ।

ଅନ୍ୟମନସ୍କ ହୋଇ ଏହି ସବୁ ଭାବୁଥିବା ବେଳେ ଶ୍ରୀମତୀ କହିଲେ, “କମଳା ପରା ଛିଡ଼ା ହେଇଚି, କହୁନ କ’ଣ କରିବ ” ? ଜଗଦୀଶ ବାବୁ ପ୍ରକୃତିସ୍ଥ ହୋଇ କହିଲେ, “ସେ ଟଙ୍କା ତାଠୁ ରଖିନିଅ, ଏବେ ଫେରାଇ ଦେଲେ ତା ଝିଅ ଦେଖିବ ଆଉ ମନ ଖରାପ କରିବ । ସେ ଟଙ୍କା କାଲି ତୁମଠୁ ନେଇଯିବ । ପ୍ରଧାନମନ୍ତ୍ରୀ ଖୋଲିଥିବା ଏକାଉଣ୍ଟରେ ତାଝିଅ ନାଆଁରେ ମୁଁହଜାରେ ଟଙ୍କା ଜମା କରିଦେଉଛି । କମଳାକୁ କୁହ ଯେ ତା ଝିଅ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଗୋଟେ ଚିଠି ଲେଖିବ । ସେଥିରେ ଲେଖିବ ଯେ ସେ ସଞ୍ଚୟକରିଥିବା ଅଳ୍ପ କିଛି ଟଙ୍କା ଦେଶକାମରେ ଲାଗିପାରିଲେ ବହୁତ ଖୁସିହେବ। ମୁଁ ସେଚିଠିଟା ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ପଠେଇ ଦେବି। ପ୍ରଧାନମନ୍ତ୍ରୀ ତ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି । କମଳା ଝିଅର ଯଦି ଭାଗ୍ୟ ଭଲ ଥିବ, ତେବେ ସେହି ଚିଠିଟା ହୁଏତ ତାଙ୍କ ଦପ୍ତରର କୌଣସି ସହୃଦୟ ଅଧିକାରୀଙ୍କ ହାତରେ ପଡ଼ିବ, ଆଉ ପ୍ରଧାନମନ୍ତ୍ରୀଙ୍କ ଦସ୍ତଖତରେ ତା’ ପାଖକୁ ଚିଠିର ଉତ୍ତର ଆସିବ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top