-: ପୂର୍ବରୁ :-
କିଛିଦିନ ତଳର ସେଇ ସଞ୍ଜ । ମାଆ ସଂକ୍ରାନ୍ତି ପୂଜା ପାଇଁ ପାଖ ମନ୍ଦିର ଯାଇଥାଏ । ମୋତେ ପରୀକ୍ଷା ପୂର୍ବର ପ୍ରସ୍ତୁତିରୁ ମୁକ୍ତି ନଥାଏ । ମାଆ ମୋତେ ଘର ଛାଡ଼ି କୁଆଡ଼େ ନ ଯିବାକୁ ତଥା ଶୀଘ୍ର ମନ୍ଦିରରୁ ସିଏ ଫେରିଆସିବ କହି ଚାଲିଯାଇଥାଏ । ମୁଁ ଜାଣେ ମା’ କେବେ ଅଳ୍ପ ସମୟରେ ଫେରି ପାରେ ନାହିଁ । ଯଦିଓ ମୋତେ ଘରେ ଏକାକୀ ଏତେ ସମୟ ଛାଡ଼ି ବାହାରେ ରହିବା ତା’ର ଇଚ୍ଛା ନୁହେଁ ତଥାପି ତା’ ମନ ଶୀତଳ ନ ହେବାଯାଏ ଠାକୁରଙ୍କ ପାଖରୁ ସେ ଫେରେ ନାହିଁ ।
ସେଦିନ ସଞ୍ଜର ଘଟଣା କି ଆକସ୍ମିକ ସତରେ ସିମାନୀକୁ ସାଙ୍ଗରେ ନେଇ ମାଆ ମନ୍ଦିର ଯିବାର ଥିଲା । ଅଥଚ ଅପେକ୍ଷା କରି କରି ସିମାନୀ ଆସିଲା ନାହିଁ । ମା’ ବାଧ୍ୟ ହୋଇ ଏକୁଟିଆ ମନ୍ଦିର ବାହାରିଗଲା । ମୋ ପଢ଼ାଘରେ ମୁଁ ଏକୁଟିଆ । ମୁଣ୍ଡ ଉପରେ ପାଠର ବୋଝ ।
ସିମାନୀ ଆସିଲା । ଜଣେ ପରିଚିତ ମଣିଷ ପରି ଠାକୁରଘର, ଶୋଇବାଘର ଖୋଜିଲା । ମା’କୁ ନ ପାଇ ମୋ ପଢ଼ାଘର ଭିତରକୁ ଆସି ମୋ ପଢ଼ିବାର ନିମଗ୍ନତାକୁ ଦେଖିଲା । କେତେ ସମୟ ପରେ ମୋତେ ପଚାରିଲା- “ମାଉସୀ ଘରେ ନାହାନ୍ତି କି ?”
: ନା । ମୁଁ ବହିରୁ ନଜର ନ ହଟେଇ ଉତ୍ତର ଦେଲି ।
: କୁଆଡ଼େ ଗଲେ ?
: ମନ୍ଦିରକୁ ।
: ମୋର ଆସିବା ବିଳମ୍ୱ ହୋଇଗଲା ତ । ହଉ ତେବେ ତୁ ପଢୁଥା ମୁଁ ଘରକୁ ଯାଉଚି ।
ଏତକ କହି ସିମାନୀ ଚାଲିଗଲା । କିନ୍ତୁ ଗୋଟିଏ ମିନିଟ୍ ପରେ ଶୁଭିଲା ତା’ର ଚିତ୍କାର- ଆରେ ଆରେ ତୁ ସେଇଠି ବସି ପଢୁଥା । ଏଣେ ଠାକୁର ଘରେ ବିରାଡ଼ି ଘିଅ ଡବାକୁ ଚାଟିଦେଲାଣି ।
ସିମାନୀର ଚମକେଇ ଦେବା ପରି ଡାକ ଶୁଣି ମୁଁ ପଢ଼ାଘରୁ ଦଉଡ଼ିଲି । ଠାକୁରଘର ଭିତରେ ସତକୁ ସତ ବିରାଡ଼ି । ଚଟାଣ ସାରା ଢାଳି ହେଇଚି ଘିଅ । ବିରାଡ଼ି ଚାଟିବାରେ ବ୍ୟସ୍ତ । ଆମେ ଦୁହେଁ ଘଉଡ଼େଇବାକୁ ଚେଷ୍ଟା କଲୁ । ବିରାଡ଼ି ଘିଅକୁ ଛାଡ଼ି ଯାଆନ୍ତା କି । ଠାକୁରଙ୍କ ଆସ୍ଥାନ ଭିତରେ ଲୁଚିଗଲା । ତାକୁ ଘଉଡ଼େଇ ଦେବାକୁ ଆସ୍ଥାନ ଗୋଟେପଟେ ସିମାନୀ ଗୋଟେ ପଟେ ମୁଁ । ଏପଟୁ ତଡ଼ିଲେ ସେପଟେ ଯାଉଚି । କେତେବେଳେ ଏ ଥାକ ଉପରକୁ କୁଦା ମାରୁଚି ତ କେତେବେଳେ ସେ ଥାକ । ସଞ୍ଜର ଅସ୍ପଷ୍ଟ ଅନ୍ଧାରରେ ଠିକ୍ ଭାବରେ ଦିଶୁନି କୁଆଡ଼େ ବିଲେଇଟା ଛପିଯାଉଛି । କୋଉଠି ଛପିଥିଲା କେଜାଣି ହଠାତ୍ ମୋ ପାଦ ଉପରକୁ କୁଦିପଡ଼ିଲା ବିଲେଇଟା । ମୁଁ ମାଆଲୋ କହି ଉଛୁଳିପଡ଼ି ଘର ଭିତରୁ ବାହାରକୁ ଡିଆଁଟା ମାରିବାକୁ ବସିଚି ତ ଭାରସାମ୍ୟ ହରେଇ ସାମ୍ନାରୁ ଆସୁଥିବା ସିମାନୀକୁ ଜାବୁଡ଼ି ଧରିପକାଇଲ । ସିମାନୀ କି ମୁଁ, ଅକସ୍ମାତ ଏମିତି ଘଟଣା ଘଟିଯିବ ଆମେ କେହିବି ସଚେତନ ନଥିଲୁ । ଆମେ ଏତେ ପାଖାପାଖି ଯେ, ପରସ୍ପରର ଆଖି ଛଡ଼ା କେହି କିଛି ଦେଖି ପାରୁନଥିଲୁ । ସଞ୍ଜ ଅନ୍ଧାର, ନିକାଞ୍ଚନ ଠାକୁର ଘର । ବିରାଡ଼ି ଚାଲିଗଲାଣି ଅଥଚ କେତେ ଯେ ସମୟ ସେମିତି କୋଣାର୍କ କାନ୍ଥର ନଟନଟୀ ପରି ଆମେ ଭାବନାଶକ୍ତି ବିହୀନ ହେଇ ରହିଯାଇଚୁ । ସିମାନୀ ଆଖି ମୋତେ କେମିତି ଗୋଟେ ନୂଆ ଦେଖିଲା ପରି ମୁଗ୍ଧ ଆଖିରେ ଦେଖୁଚି । ଓଠରେ ସ୍ମିତ ହସ । ଆଖିରେ ମାଦକଭରା ଚାହାଁଣି ।
ସିମାନୀ ଚାଲିଯିବା ବେଳର ସେଇ ଚାହାଁଣି । ପଛକୁ ଫେରି ଫେରି ଚାହିଁବାର ଢଙ୍ଗ, ଅଶ୍ଳୀଳ ହସ, ସର୍ବୋପରି ଠାକୁରଘରର ପରିବେଶ ସାରା ସଞ୍ଜ ବେଳଟାକୁ ଆଶ୍ୱସ୍ତିକର କରିଦେଲା । ଅନେକ ସମୟ ଧରି ମୋ ପଢ଼ା ଘରେ ଭାବି ଭାବି ମଧ୍ୟ ସେ ଅବାଞ୍ଛିତ ଭାବର କାରଣଟା କ’ଣ ମୁଁ ବୁଢିପାରିଲି ନାହିଁ । କିଛି ଗୋଟେ ସ୍ଥିର ବିନ୍ଦୁରେ ପହଞ୍ଚିବା ଆଗରୁ ମା’ ମନ୍ଦିରରୁ ଫେରିଆସିଲା । ମୋତେ ଦେଖୁ ଦେଖୁ ପଚାରିଲା- “ସିମାନୀ ଆସିଥିଲା କି ?” ଏତିକି ପଚାରୁଚି ତ ସିମାନୀ କଉଠି ଥିଲା ପୁଣି ପଶିଆସିଲା ଘର ଭିତରକୁ । ଉଚ୍ଚ ପାଟିରେ ମୋତେ ଶୁଭିଲା ପରି ମାଆ ପାଖରେ ଥାଇ କହିଲା- “ମୋର ଟିକେ ଡେରି ହେଇଗଲା ମାଉସୀ । ତମେ ତ ଚାଲିଗଲ ମୁଁ କିନ୍ତୁ ଠାକୁରଙ୍କ ଦର୍ଶନ କରିଚି ଯେ ।” ପୁଣି ବିଜୁଳି ପରି ମୋ ପଢ଼ାଘରକୁ ପଶିଆସି ଫିସ୍ଫିସ୍ କରି ମୋ କାନପାଖରେ ଆଖି ନଚେଇ କହି ଦେଇଗଲା- ଆଜି କଥା ମାଉସୀଙ୍କୁ କହିବି । ମୋ ବିବଶ ଭାବକୁ ଥରେ ବି ନ ଚାହିଁ ବନହରିଣୀ ପରି ପୁଣି ବାହାରିଗଲା ପଢ଼ାଘରୁ । ବାସ୍ !
ସିମାନୀ ଚାଲିଯିବା ପରଠୁ ମୋ ସବୁ ଭାବନା ଉପରେ ବସିଗଲା ଗୋଟେ ମୋହର । ଅଶ୍ଳୀଳ ! ଅଶ୍ଳୀଳ ! ଲଜ୍ଜା ! ଲଜ୍ଜା !
ସେବେଠୁଁ ମୁଁ ଖୋଜିବାକୁ ଲାଗିଲି ମୁକ୍ତି ! ମୁକ୍ତି ! ମୁକ୍ତି ! ସିମାନୀଠାରୁ, ଘରୁ ବାହାରୁ, ସମସ୍ତଙ୍କ ଠାରୁ ।
ମନ ଲାଗୁନି ପାଠପଢ଼ାରେ । ଖେଳକୁଦରେ । କାହା ସହ କଥା ହେବାରେ । ଏ ଭିତରେ ମା’ର ଅଲକ୍ଷ୍ୟରେ କେତେଟା ଖେଳ ଉପକରଣ ଉପରେ ମିଛ ଦାଉସାଧି ଭାଙ୍ଗି ସାରିଚି । ଫୋପାଡ଼ି ସାରିଚି ମୋ ପ୍ରିୟ ରଙ୍ଗତୂଳୀ । ମୋ ଈପ୍ସିତ କ୍ରୋଧର, ପ୍ରାର୍ଥନାର ଏବେ ଗୋଟିଏ ସ୍ୱର-ପ୍ରଭୁ ମୋତେ କ୍ଷମା ଦିଅ । ମୋତେ ଏ ପାପରୁ ମୁକ୍ତିର ରାହା ଦେଖାଅ । ମୁଁ ଯେ ନିର୍ଦ୍ଦୋଷ । ଏମିତି ପାପରେ ମୋର କିଛି ହିଁ କରିବାର ନଥିଲା ।
ଘରେ ବାହାରେ ନିଜକୁ ନିଜେ ପ୍ରଶ୍ନ କରିଚି । ସତରେ କ’ଣ ସିମାନୀ ସହ ଯାହା ଘଟିଗଲା ସେଥିରେ ମୋର କିଛି ଅଶ୍ଳୀଳ ଉଦ୍ଦେଶ୍ୟ ଥିଲା ? କିନ୍ତୁ ମୁଁ ତ ମୁଁ, ଜୀବନରେ ସବୁ ସାନ୍ତ୍ୱନାର କାରଣ ଈଶ୍ୱର ବି ମୋ ପାଇଁ ନିରବ । ଓଃ. . . ! ମୁଁ ଉପାୟ ଶୂନ୍ୟ । ମୋ ସବୁ ଚିନ୍ତା ଭାବନାର ବହୁ ଦୂରରେ ମୋ ମୁକ୍ତିର ବାଟ ।
ସତରେ ଯଦି ସିମାନୀ ମା’କୁ ଏକଥା କହିଦିଏ, କ’ଣ ହବ ମା’ ମନର ଅବସ୍ଥା ? ତା’ ନିର୍ମଳ, ସରଳପଣ କେତେ ଟୁକୁରା ହୋଇ ଭାଙ୍ଗିଯିବନି ସତେ । ମୋ ପାଇଁ ତା’ ସଜଡ଼ା ଆଶା, ସ୍ୱପ୍ନର ହବ କ’ଣ ?
ଦିନ ପରେ ଦିନ ଗଡ଼ିଯାଉଚି । ମା’କୁ କହିଦେବା ଭୟରେ ମୁଁ ନାଚିବାକୁ ଆରମ୍ଭ କରିଚି ସିମାନୀର ଇସାରାରେ । ଏବେ ସିଏ ଯାହା କହିବ ମୋତେ କେବଳ ମାନିବାକୁ ପଡ଼ିବ । ସିମାନୀର ଆଦେଶକୁ ମାନିବାର ପ୍ରଥମ ଥର ମା’କୁ ଲୁଚେଇ ମୁଁ ଚାଲିଆସିଚି ଆମ୍ୱତୋଟା ତଳ ଗୋହିରି ଆଡ଼କୁ । ଯେଉଁଠି ବି ଦିନବେଳେ ମୁଁ ଏକୁଟିଆ ଆସିବାକୁ ଭୟକରେ । ସଞ୍ଜ ଅନ୍ଧାର, କେବଳ ଗୋଟେ ପରିଚିତ ଚାପାସ୍ୱରର ତାଗିଦା ମୋତେ ଯେମିତି ଟାଣି ନେଉଚି । ମୋ ଆଗରେ ସିମାନୀର ଛାଇ । ପଛରେ ଭୟାର୍ତ୍ତ ଠେକୁଆ ପରି ମୁଁ ତାକୁ ଅନୁସରଣ କରୁଚି । ଥରେ ବି ପଚାରି ପାରୁନି, ସେଠିକି ଆମେ ଯିବା କାହିଁକି ? କିନ୍ତୁ ମନେ ମନେ ଆଶ୍ଚର୍ଯ୍ୟ ସେଠିକି ଆମେ ନ ଯାଇ ଯାହା କଥା ହେବା ଘରେ ବି ହୋଇପାରିଥାନ୍ତେ ।
ଆମେ ଅଟକୁଚୁ ଏକ ନିକାଞ୍ଚନ ଜାଗାରେ । କେହି କୁଆଡ଼େ ନାହାନ୍ତି । କାହିର ଆସିବାର ଏତେଟିକେ ସମ୍ଭାବନା ମଧ୍ୟ ନାହିଁ । ମୋ ମନରେ କିନ୍ତୁ ଡର ନାହିଁ । ହୁଏତ ଏଠିକି ଆସି ମୋତେ ମୁକ୍ତି ମିଳିଯିବ କି ସିମାନୀ ଭୟରୁ !
ସିମାନୀ ମୋ ନିକଟରୁ ନିକଟତର । ଆମେ ଦି’ଜଣ ଗୋଟିଏ ଛାଇ । କେଜାଣି କାହିଁକି ସେଇ ମୁହୂର୍ତ୍ତଟା ମୋତେ ଭାରି ଅଶ୍ଳୀଳ ଅଶ୍ଳୀଳ ଲାଗିଚି । ମୋତେ ଆହୁରି ନିକଟକୁ ଜଡ଼େଇ ନେବାକୁ ହାତ ବଢ଼େଇଥିବା ସିମାନୀ ଚମକି ପଡ଼ିଲା- ଆରେ ବବ୍ଲୁ ତୋ ଦେହରେ ଏତେ ତାତି ! ଜ୍ୱର !
କେତେଥର ଈଶ୍ୱରଙ୍କଠୁ ନ୍ୟାୟ ମାଗିଚି । ନେହୁରା ହେଇଚି, ଅଥଚ ସିଏ ନିରବ । ଆଜି କିନ୍ତୁ ମୋତେ ତାଙ୍କଠୁ ଜବାବ୍ ମିଳିସାରିଚି । ସେ ଅଛନ୍ତି । ମୋ ସପକ୍ଷରେ ଅଛନ୍ତି । ଯିଏ ଅଶ୍ଳୀଳତାକୁ, ପାପକୁ ଆଦୌ ପସନ୍ଦ କରନ୍ତି ନାହିଁ । ସେଇଥିପାଇଁ କି କ’ଣ ମୁଁ ମୁକ୍ତି ପାଇଯାଇଚି । ମୋ ମନ କହୁଚି ହେତୁ ପାଇବା ଦିନରୁ ମା’ ସହିତ ସନ୍ଧ୍ୟାରେ ବସି ପ୍ରାର୍ଥନା କରୁ । ସେଇ ଶକ୍ତି ମୋତେ ଫେରେଇ ଆଣିନି ତ ସିମାନୀର ସେଇ ମନ୍ଦ ଉଦ୍ଦେଶ୍ୟ ପାଖରୁ ।
ବିଛଣାରେ ପଡ଼ି ପଡ଼ି ମୁଁ ଜ୍ୱରରେ କାତର । ମା’ ମୋ ମୁଣ୍ଡ ପାଖରେ ବସି ପାଣି ପଟି ବଦଳେଇ ଚାଲିଚି । ନିଦ ଆସୁନଥିଲେ ବି ମୁଁ ଆଖି ବୁଜି ଶୋଇ ଶୋଇ ଆରାମ ଅନୁଭବ କରୁଚି । ମୋତେ ଲାଗୁଚି ଏ ଆରାମ, ମା’ର ପାଣିପଟି ପାଇଁ ଯେତିକି ନୁହଁ, ବରଂ ସିମାନୀଠୁ ଏ ଜ୍ୱର କେଇଦିନ ଦୂରେଇ ରହିବା କାରଣରୁ । ମୁଁ ଜାଣେ ୟା’ ଭିତରେ ସିଏ କେତେଥର ଆସିଚି । ମୋତେ ବିଛଣାରେ ଶୋଇଥିବା ଦେଖି ଚାଲିଯାଇଚି । ପଡ଼ି ପଡ଼ି ଏତେ ନିରୋଳା ସମୟ ପାଇ ମଧ୍ୟ ଥରେ ହେଲେ ଭାବିନାହିଁ, ମୋ ମାଟ୍ରିକ୍ ପରୀକ୍ଷା କଥା । ଫଳ କଥା । ସ୍କୁଲ୍ରେ ସମସ୍ତଙ୍କଠୁ ଅଧିକ ନମ୍ୱର ରଖିବା ପାଇଁ ମା’କୁ ଦେଇଥିବା ପ୍ରତିଶ୍ରୁତିର କଥା ।
ରାତିରେ ଜ୍ୱରର ପ୍ରକୋପ ବଢ଼ି ଯାଇଥିଲା । ମା’ କଥାରୁ ଜାଣିଲି ମୁଁ କେତେ କ’ଣ ବାଉଳିଚାଉଳି ହେଇଚି । କି-କି କଥା ସବୁ କହିଚି । ଏକଥା ମା’ ମୁହଁରୁ ଶୁଣିବା ପରେ ଭଗବାନଙ୍କୁ ପ୍ରାର୍ଥନା କରିଚି ପ୍ରଭୁ ମୋ ପାଟିରୁ ସେମିତି କିଛି ବାହାରି ନଥାଉ ଯାହା ମୋ ମା’ ମନକୁ ଆଘାତ ଦବ । ମୋ ପ୍ରତି ଥିବା ତା’ର ଆଶା ଭରସାକୁ ଭାଙ୍ଗି ଦେବ । ମନେ ମନେ କହିଚି- ପ୍ରଭୁ ମତେ ସେତିକି ଦିନ ଅନ୍ତତଃ ମା’ ପାଖରେ ତା’ ପୁଅ ବବ୍ଲୁ କରି ରଖିଥାଅ । ଯେତେଦିନ ଯାଏ ମୁଁ ମୋ ସମସ୍ୟା ସମାଧାନର ବାଟ ଖୋଜି ନ ପାଉଚି ସେତେଦିନ ଯାଏ ଗୋଟେ ଅବୋଧ ନାବାଳକର ଡାଇରି ସେଇମିତି ବନ୍ଦ ରହୁ । ମନରୁ ହଟିଯାଇଚି ପରୀକ୍ଷା ଫଳ ପାଇଁ ପ୍ରାର୍ଥନା କରିବା କଥା ।
ଜ୍ୱର ଛାଡ଼ିଯିବା କାରଣରୁ ଦେହହାତ ଟିକେ ହାଲ୍କା ହାଲ୍କା । ଅଧିକ ଦୁର୍ବଳ ଯୋଗୁଁ ବିଛଣାରୁ ଉଠିବାକୁ ଇଚ୍ଛା ନାହିଁ । ଶୋଇ ଶୋଇ ସ୍ୱପ୍ନ ଦେଖୁଚି । ମୁଁ ଅଥଳ ନଈ ସୁଅରେ ଭାସି ଯାଉଚି । କୂଳ କିନାରା କିଛି ବି ଦିଶୁନି । ମୁଁ ଯେତେ ଜୋର୍ରେ ଭାସିଯାଉଚି ସାରା ସଂସାରର ଭଲ ପାଇବା ସେତେ ଦ୍ରୁତଗତିରେ ମୋ ଆଡ଼କୁ ହାତ ବଢ଼େଇ ମାଡ଼ିଆସୁଚି । ଲାଗୁଚି ଏଇତ ମୋତେ ଉଦ୍ଧାର କରିଦବ । କିନ୍ତୁ ମୁଁ ନିଜକୁ ନିଜେ ଆହୁରି ତୀବ୍ର ଗତିରେ ସେ ହାତ ପାଖରୁ ଦୂରେଇ ଦୂରେଇ ଯିବାକୁ ଚାହୁଁଛି । ବିକଳ ହୋଇ ଦେଖୁଚି ସେ ହାତ ଗୁଡ଼ାକ କିନ୍ତୁ ଆଉ କାହାରି ନୁହଁ ବରଂ ମୋ ମାଆର । ନିଦ ଭାଙ୍ଗିଲା ବେଳକୁ ଝାଳରେ ଗାଧୋଇ ସାରିଚି । ପାରାସିଟାମଲ୍ର ଇଏ କରାମତି । ମାଆ ମୋ ମୁଣ୍ଡ ପାଖରେ ଶୋଇଯାଇଚି । ତା’ କରୁଣାସିକ୍ତ ମୁହଁ ଉପରେ ଆଖି ପଡ଼ିଯିବା ମାତ୍ରେ ମୋ ଭିତର ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା । କେତେଦିନ ଆଉ ଏମିତି. . . । ନା
. . . କିଛି ବି ହଉ ମତେ ଗୋଟାଏ ନିଷ୍ପତ୍ତି ନେବାକୁ ପଡ଼ିବ । ହୁଏତ ଯେତେ କଷ୍ଟ ହଉ ସତକୁ ସାମ୍ନା କରିବି, ନ ହୁଏତ ପଳାତକ । ମା’ ପିଲାବେଳେ କହୁଥିବା ଅନେକ କାହାଣୀ ଭିତରୁ ଏତିକି ଶିଖିଚି । ଦୁଃଖର ଝଡ଼କୁ ପାର କଲେଇ ଶାନ୍ତିର ସ୍ୱର ଶୁଣିପାରିବୁ । ଅମାରାତିକୁ ପାରକଲେ ନୂଆ ସକାଳକୁ ଦେଖିବୁ । ମୋତେ ପାର କରିବାକୁ ହବ । ଅବଶ୍ୟ ପାର୍ କରିବାକୁ ହେବ । ତେବେ କେମିତି ? ଈଶ୍ୱରଙ୍କ ଉପରେ ସେ ଉତ୍ତର ଛାଡ଼ି ଦେଇ ମୁଁ ଶୋଇଗଲି ।
ସକାଳେ ନିଦ ଭାଙ୍ଗିଲା ଖୁବ୍ ଡେରିରେ । ଅନ୍ୟଦିନ ହେଇଥିଲେ ମା’ ଉଠେଇ ଦିଅନ୍ତା । ଦୁର୍ବଳ କାରଣରୁ ମୋ ଶୋଇଥିବା ଦେଖି ସେ ଘରକାମରେ ଲାଗିଥିବ । ଏଇତ ଝରକା ବାହାର ବାଡ଼ିପଟେ ଶୁଭୁଚି ମା’ କାହା ସହ କଥା ହଉଚି । କେତେବେଳ ହେଲାଣି କି ? କାନ୍ଥ ଘଡ଼ିକି ଚାହିଁ ଦେଲି ତ. . . ନଅ ! ମା’ କହୁଚି କାଲିଠୁ ବବ୍ଲୁକୁ ଟିକେ ଜର ଛାଡ଼ିଚି । ହେଲେ କ’ଣ ହବ କିଛି ଟିକିଏ ସେ ପାଟିକି ନଉନି । କ’ଣଟା ଯେ କରିବି. . . ?
: ମାଉସୀ ସବୁ ଠିକ୍ ହେଇଯିବ ମ । ଜର ପାଟିକି ଅରୁଚି ଲାଗୁଥିବ ।
: ନାଇଁଲୋ ମା’, ସେ ଚିନ୍ତା ତ ଯାହା, ଆଜି ତା’ ପରୀକ୍ଷାଫଳ ବାହାରିବ । କାଲିଠୁ ସିଏ ତ ବ୍ୟସ୍ତ । କିଏ ଅଛି ଯେ ଯାଇ କଉଠୁ ବୁଝିଆସିବାକୁ ।
ତା’ପରର ଘଟଣା ଏମିତି ଘଟିଛି କେହି ହେଲେ ବିଶ୍ୱାସ କରିନଥିବେ । ନା- ମା’, ନା- ସିମାନୀ, ମୁଁ କେଜାଣି କେମିତି ଯାଇ ସେଠି ପହଞ୍ଚିଚି, ନଇପଡ଼ି ମା’ର ପାଦକୁ ଛୁଇଁଚି ଆଉ ପରେ ପରେ ସିମାନୀକୁ ଜାବୁଡ଼ି ଧରି ଶୂନ୍ୟେ ଶୂନ୍ୟେ ତୋଳି ଧରିଚି ଯେ କାହାରି ପାଖରେ ମୋ ଖୁସିର କାରଣ କ’ଣ ପଚାରିବାକୁ ସମୟ ନାହିଁ ।
କେତେ ସମୟ ପରେ ମୁଁ ସିମାନୀ ଗାଲରେ ଚୁମାଟେ ଦେଇ ଖୁସିରେ କହିପକାଇଲି- ବୁଝିଲୁ ପ୍ରତିଦିନ ତୋ ହାତର ଫୁଲସେବା ପାଇଁ ଠାକୁର ମୋତେ ମାଟ୍ରିକ୍ରେ ଏ ୱାନ୍ ଗ୍ରେଡ୍ ଦେଇଛନ୍ତି । ଆଜି ମୁଁ ଭାରି ଖୁସି । ବୁଝିଲୁ ମା’ ଏବେ ବିଜୁ ହାତରେ ସାର୍ ଖବର ପଠେଇଛନ୍ତି । ଖୁସିରେ ଝରିପଡୁଚି ମା’ ଆଖିରୁ ଲୁହ । ସିମାନୀ ଠିଆ ହେଇଚି ଚେରକଟା ରୋଗରେ ଝାଉଁଳି ପଡ଼ିଥିବା ଗଛଟେ ପରି ।