କନକ ମଞ୍ଜରୀ ଦେବୀ । ଗାଁ ଟା ସାରା କନବୋଉ ନାଁ ରେ ଖ୍ୟାତ । ସ୍ୱାମୀ ରବୀନ୍ଦ୍ର ପଣ୍ଡା ଗାଁ ମୁଣ୍ଡ ଶିବ ମନ୍ଦିରରେ ପୂଜକ । ପୂଜକ ମହାନୀୟ ସିଧା ସାଧା ଶାନ୍ତ ସ୍ୱଭାବର ବ୍ୟକ୍ତି ।
ତିନୋଟି ପୁତ୍ର ସନ୍ତାନର ପ୍ରାପ୍ତି ପରେ ସୁଖମୟ ସଂସାରରେ ଭାସି ଉଠେ ଜୀବନ । ପୁଅ ମାନେ ପାଠ ପଢ଼ି ଉଚ୍ଚ ପଦବୀରେ କାର୍ଯ୍ୟରତ । ତିନି ପୁଅ ବିବାହିତ । ବୋହୂମାନେ ସୁଗୃହିଣୀ । ପଣ୍ଡିତେ ମହାଶୟଙ୍କ ମନ କୁଣ୍ଢେ ମୋଟ । କନ ବୋଉ କିନ୍ତୁ ଅସନ୍ତୁଷ୍ଟ । ବଡ଼ ବୋହୂର ତିନୋଟି ଝିଅକୁ ମଝିଆଁ ର ଦୁଇଟି । ନିଜର ପୁତ୍ର ସନ୍ତାନ ଥିଲେ କଣ ହେଲା ପୁଅ ମାନଙ୍କର ତ ଖାଲି ଝିଅ ଗୁଡା । କନବୋଉ ମନେ ସବୁବେଳେ ଗୋଟିଏ ପ୍ରଶ୍ନ ମୋ ପୁଅମାନଙ୍କ ଡିହ କଣ ବିନା ସଂଜ ସଳିତାରେ ପଡି ରହିବ । ଘରେ ପାଞ୍ଚ ପାଞ୍ଚଟା ଝିଅ ଥିଲେ କଣ ହେଲା ସେ ସବୁ ତ ପରଧନ । ସେମାନେ କି କୂଳରେ ସଞ୍ଜ ଦେବେ, ନା ମରିଗଲେ, ମୁଖେ ନିଆଁ ଦେବେ । କୂଳକୁ ବଞ୍ଚେଇବା ପାଇଁ ପୁଅଟେ ନିଶ୍ଚେ ଲୋଡ଼ା ।
ସାନ ବୋହୂଟାର ଛୁଆ ପିଲା କିଛି ଦେଇ ନାହାନ୍ତି । କନ ବୋଉର ଭରସା ଏବେ ପୂରାପୂରି ତାରି ଉପରେ । କେତେ ଡାକ୍ତର, କେତେ ଗୁଣିଆଙ୍କୁ ଦେଖେଇ ସାରିଲେଣି । ପଡ଼ିଶା ଘର ମଞ୍ଜୁ ଖୁଡି କହିଲେ , “କନ ଲୋ ବୋହୂଟାକୁ ନେଇ ‘ଅଗାଧ ବାବା’ଙ୍କଠୁ ଡେଉଁରିଆଟେ କରେଇଦେ । ତାଙ୍କ ଆଶୀର୍ବାଦରୁ ଏଥର ପୁଅଟେ ହବ । ବାବାଙ୍କ ପାଖକୁ ଯିଏ ଯାଇଛନ୍ତି ଖାଳିହାଟେ ଫେରିନାହାନ୍ତି ଲୋ । ସମସ୍ତଙ୍କୁ ପୁତ୍ର ସନ୍ତାନର ସୁଖ ମିଳିଛି । ତେବେ ବି ମିଳିବ ।”
ଅବିଳମ୍ବେ କନ ବୋଉ ସାନ ବୋହୂଟାକୁ ନେଇ ବାବାଙ୍କ ପାଖେ ଆଶୀର୍ବାଦ କରେଇଲେ । ମନେ ମନେ ମନାସିଲେ ନାତି ହେଲେ ଗଞ୍ଜାଟେ ଦାନ ଦେବେ ।
କିଛି ଦିନ ପରେ ବୋହୂଟା ଅନ୍ତଃସତ୍ତା ହେଲା , ଖବର ଶୁଣି କନବୋଉ ସଙ୍ଗେ ସଙ୍ଗେ ଗଞ୍ଜା ଛୁଆଟା ଖୋଜିଆଣି ପୋଷିବାକୁ ଲାଗିଲେ । କନବୋଉର ବୋହୂଟା ଉପରେ ଯେତେ ସରାଗ, ଗଞ୍ଜାଟା ଉପରେ ତା’ଠୁ ଆହୁରି ବେଶୀ । ନାତିହେଲେ ସେଇ ଗଞ୍ଜାଟା ବା ତା’ର ସବୁତକ ରୋଗ ପୋକ ସଙ୍ଗେ ନେଇ ଯିବ ।
କନବୋଉର ଏବେ ଦିନ ରାତି ଗଞ୍ଜାଟା ଆଉ ବୋହୂଟା ପଛେ କଟିଯାଏ । ଖୁଦ, ଭାତ, ଅଟା, ଗହମ, ଯାହା ସବୁ ଗଞ୍ଜାଟା ପାଇଁ ସଜାଡୁଥାନ୍ତି । ଗଞ୍ଜାକୁ ଯେମିତି ଖୁଆନ୍ତି ବୋହୂଟାକୁ ମଧ୍ୟ ସେମିତି । ପ୍ରଥମ ଗର୍ଭ ତ, ସେ କି ଜାଣେ ? ସେ କଣ ଖାଇବ, କେମିତି ରହିବ, କନବୋଉର ଏବେ ସେହି ଚିନ୍ତା । ଘିଅ, କ୍ଷୀର, ଛେନା, ସର , କାଜୁ, କିସମିସ, ନାନାଦି ଫଳମୂଳ, ପନିପରିବା , ଡାଳିମ୍ବ, ପିଜୁଳି, ଆହୁରି କେତେ କ’ଣ । ପାଣି ହାତ ହବନି, ଭାରି କାମ କରିବନି, ସଞ୍ଜ ବୁଡ଼ିଲେ ଏକଲା ରହିବନି, ଏମିତି କେତେ କଣ ତାଗିଦ । ଯାହା ହେଲେବି କୂଳକୁ ନାତୀତା ଆସୁଛି ପରା । ସେ ତ ନୂଆ ସେ କି ଜାଣେ । କନବୋଉ ବୋହୂଟାକୁ ଗୋଡ଼େ ଗୋଡ଼େ ଜଗିଥାନ୍ତି । କିଛି ଅଘଟଣ ହେଲେ ସେ କି ବୋପାଘରୁ ଆଣି ପୂରଣ କରିବ ? ନା ନା ଏସବୁ ବାଜେ କଥା ମୁଣ୍ଡରେ କାଇଁ ପଶୁଛି କେଜାଣି । ଦି ହାତରେ କାନ ଦି’ଟା କୁ ମୋଡ଼ିଦେଇ ଜିଭ କାମୁଡି ପକେଇଲେ କନବୋଉ । ଦୁଇହାତ ଯୋଡି ଠାକୁରଙ୍କ ଆଗେ ଗୁହାରି ପଡିଲେ ‘ହେ ଇହ କାଳ, ପର କାଳ ଦେବତା, ମୋ ଗୁହାରି ଶୁଣ ହେ ମହିମା, ବୋହୂଟା ମୋ ଭଲରେ ଭଲରେ ପାରି ହେଇଯାଉ । ନାତିଟା ମୋ ଭଲରେ ଭଲରେ ଦୁନିଆ ଦେଖୁ ।
ଆଜି ନାତିର ଆଗମନର ଦିନ । ରାତି ଗୋଟାଏରୁ ଡାକ୍ତରଖାନା ଗଲେଣି , ବୋହୁ ଦିଟା ସାଙ୍ଗରେ ଯାଇଛନ୍ତି । “ମୁଁ କି ଯାଇ ନ ଥାନ୍ତି , ଏଇ ମୁନା ବାପା ପରା , କହିଲେ କଣ ନା ତମର ସେଠି କିଛି କାମ , ନାହିଁ ତ । ପତାସୁନା ପିଲା ଦି’ଟା ସାଙ୍ଗରେ ଥିଲେ ଡାକ୍ତରଙ୍କ କଥା ବୁଝିବେ । ମୁଁ ଯେମିତି କିଛି ଜାଣିନି । ହଉ ଯାଆନ୍ତୁ । ନାତୀଟା ମୋ ଘରକୁ ଆସିଲେ ହେଲା ।”
ବୋହୂଟା ଡାକ୍ତରଖାନା ଗଲାବେଳୁ କନବୋଉ ଆଖିରେ ନିଦ ନାହିଁ । ପାହାନ୍ତି ପହରୁ ଉଠି ଘର , ଅଗଣା, ଦାଣ୍ଡ ଦୁଆର ସବୁ ଝାଡ଼ୁଡିଆ ସରିଲାଣି । ଦରଜା ଖୋଲି ଗଞ୍ଜାଟାକୁ ପୋଷେ ଅରୁଆ ଖୁଦ ପରସି ଦେଇ କହିଲେ “ଖା ଲୋ ଧନ ପେଟ ପୁରି ଖା” ଖାଇପିଇ ମଜବୁତ ଥା , ଆଉ କିଛିଟା ଦିନ ମାତ୍ର । ଖାଇ ପିଇ ବଳ ଥିଲେ ସିନା ମୋ ନାତିର ରୋଗପୋକ ବୋହିନେବୁ ।
ଦିନ ଆସି ନ’ଟା ହେଲାଣି । ଦି’ ଦି’ଟା ସାଙ୍ଗରେ ଯାଇଛନ୍ତି ଯେ ଫୋନ୍ ଗୋଟେ କଲେ ହୁଅନ୍ତା ନାହିଁ । ମୁଁ କି ଲଗେଇ ଜାଣେ ସେ ଫୋନ୍ ଟୋନ୍ । ମୁନା ବାପା ଯେ କୁଆଡେ ଗଲେ କେ ଜାଣି ? ବଜାର ଆଡେ ଯାଇଛନ୍ତି ବୋଧେ ଏ ଯାଏଁ ଦେଖା ନାହିଁ । ଏମିତି ମନେ ମନେ ଗାରୁ ଗାରୁ ହେଇ ଛୁଆ ଗୁଡ଼ାଙ୍କୁ ଖାଇ ବାଢ଼ିଲା ବେଳେ ଦାଣ୍ଡ ଦୁଆରୁ ପଣ୍ଡିତେ ମହାଶୟଙ୍କ ପାଟି ଶୁଭିଲା । “ହଇ ହୋ ମୁନାବୋଉ, କୁଆଡେ ଗଲ, ମୁନା ଫୋନ୍ କରିଛି । ନିଅ କଥା ହୁଅ । ଝିଅ ହେଇଛି ।”
ମୁହଁ’ଟା ମୋଡ଼ି ଦେଇ କନବୋଉ ଭୀଷ୍ମ ସ୍ୱରରେ କହିଲେ “ହେଁ କଥା, ଆଉ କି କଥା ମ, ଝୁଅଟାତ ହେଇଛି । କଥା ହୋଇଗଲେ କି ସରଗ ଚାଲିଯିବି ? ମୋ କୂଳ ତ ସେହି ଆଣ୍ଠୁକୁରା । ଆଉ କି କଥା ? ଘର ଭିତରୁ ଦଣ୍ଡ ମୁହାଁ ହଉଥିବା କନବୋଉ ରାଗ ତମ ତମ ରେ ପୁଣି ଘର ଭିତରକୁ ପସିଗଲେ । ପଛେ ପଛେ ଗଞ୍ଜାଟା ପଶି ଆସୁଥିଲା । ଅଲକ୍ଷଣାଟା ହୁଂଡୀ ଖାଇ ଗୁଣ୍ଡ କଲା ପରେ ଆହୁରି ସରାଗ ଲୋଡୁଛୁ । ଝାଟୁଆ ମୁଠାଟା ତା’ପିଠି ଉପରେ କଷି ଦେଇ ଦରଜାଟା ଦୁମ କିନା ଲଗେଇ ଦେଲେ ।