-: ପୁର୍ବରୁ :-
ବାନାମ୍ୱରବାବୁ ଜାଣିପାରିଲେ କେବଳ ତାଙ୍କ ଗାଁର ସ୍ୱାସ୍ଥ୍ୟ କେନ୍ଦ୍ରର ଏମ୍.ବି.ବି.ଏସ୍. ଡାକ୍ତର ବା ଧାଇ ନୁହେଁ, ହରିର ଅଶିକ୍ଷିତ ସ୍ତ୍ରୀ ପଦ୍ମାବତୀର ଯେତିକି ସ୍ୱାସ୍ଥ୍ୟ ସମ୍ୱନ୍ଧରେ ସାଧାରଣ ଜ୍ଞାନ ଅଛି, ସେତିକି ମଧ୍ୟ ଡାକ୍ତର ନରେଶର ନାହିଁ । ଗାଁର ଆଶାକର୍ମୀ ଜ୍ୱର ହେଲେ କ୍ଲୋରକୁଇନ୍ ବଟିକା ଖାଇଦିଅ କହି କେତେ ରୋଗୂଙ୍କୁ ମ୍ୟାଲେରିଆରୁ ବଞ୍ଚାଇଲା ବେଳକୁ ଡାକ୍ତର ନରେଶ ବୃନ୍ଦାବନ ସାର୍ଙ୍କୁ ବଞ୍ଚାଇ ପାରିଲାନାହିଁ । ଗଣି କାକାର ଆଲାର୍ଜି ଜନିତ ପାଟି ଘା’ଟାକୁ କ୍ୟାନସର୍ ହୋଇପାରେ ବୋଲି ତାକୁ ଡରାଇ ତାଙ୍କ ବଂଶରେ ନୈରାଶ୍ୟ ହାହାକାର ଭରିଦେଲା । ଚଷମାର ଲେନ୍ସ ଆଡ଼ଜଷ୍ଟମେଣ୍ଟକୁ ଠିକ୍ ଭାବରେ ପରୀକ୍ଷା କରାଇ ନିଅ ନ କହି, ଆଖିକୁ ପରୀକ୍ଷା ନ କରି ସାବିତ୍ରୀ ମାଉସୀଙ୍କର ଗୋଟିଏ ଆଖି ଫୁଟାଇ ଦେବା ପାଇଁ ନରେଶ ବିନା ଦ୍ୱିଧାରେ କହି ପାରିଲା ।
ନରେଶର ଗାଁରୁ ଫେରିଯିବାକୁ ଆଉ ଦୁଇଦିନ ଅଛି, ତାକୁ ଆସିଲା ଭୀଷଣ ଜ୍ୱର । ହାତ, ପିଠି, ମୁଣ୍ଡ, ଅଣ୍ଟା ସବୁ ଭୀଷଣ ପୀଡ଼ା ହୋଇ ବିନ୍ଧିଲା । ଜ୍ୱର ହଠାତ୍ ଶହେ ଚାରି ପାଞ୍ଚ ଯାଏ ମଧ୍ୟ ଉଠିଯାଉଥାଏ । ପାରାସିଟାମଲ୍ ଖାଇ କିଛିବେଳ ଜ୍ୱରକୁ କମାଇ ରଖାଯାଉଥାଏ । ପରେ ପୁଣି ଜ୍ୱର ବଢ଼ି ଯାଉଥାଏ । ନରେଶର ଫେରିଯିବା ଦିନକୁ ଗଡ଼ାଇ ଦିଆଗଲା । ଏଭଳି ଅବସ୍ଥାରେ ଶେଜରୁ ଉଠିବା ମଧ୍ୟ ମନା । ବରଫଥଳି ମୁଣ୍ଡରେ ଦିଆଚାଲିଥାଏ । ନରେଶ ବୋଉ ତା’ର ଚିକିତ୍ସାରେ ଅନବରତ ଲାଗିଥାନ୍ତି । ଭାରତର ଯେତେ ଜଣ ସ୍ପେଶିଆଲିଷ୍ଟ ଡାକ୍ତର ନରେଶର ଚିହ୍ନା ପରିଚୟ ଥିଲେ ଏବଂ ଯେଉଁମାନେ ମଝିରେ ମଝିରେ ତା’ ସହିତ ପରାମର୍ଶ କରୁଥିଲେ, ନରେଶ ଫୋନ୍ରେ ସମସ୍ତଙ୍କ ସଙ୍ଗେ କଥାବାର୍ତ୍ତା କଲା । ଜ୍ୱରର ଦ୍ୱିତୀୟ ଦିନ ମଳମୂତ୍ର ଆଦି ସଂଗ୍ରହ କରି ସହରକୁ ପାଥୋଲୋଜି ଟେଷ୍ଟିଂ ପାଇଁ ପଠାଗଲା । କେଉଁଠାରୁ କିଛି ଇନ୍ଫେକ୍ସନ୍ ଥିବା କଥା ଜଣା ପଡ଼ିଲାନାହିଁ । ନରେଶ ନିଜେ ନିଜର ବ୍ଲଡ୍ ପ୍ରେସର ମାପି ମଝିରେ ମଝିରେ ପରୀକ୍ଷା କରୁଥାଏ । ଥର୍ମୋମିଟର ଜ୍ୱର ମାପି ବୋଉ ତା’ର ରେକର୍ଡ ରଖୁଥାନ୍ତି । ବାନାମ୍ୱରବାବୁଙ୍କ କଥାମାନି ଚତୁର୍ଥ ଦିନ ମ୍ୟାଲେରିଆର ନିବାରଣ ପାଇଁ ଲାରିଆଗୋ ମେଡ଼ିସିନ୍ ମଧ୍ୟ ନରେଶ ଖାଇବା ଆରମ୍ଭ କଲା । ଯଦିବା ଜ୍ୱର ଏଥିରେ ଓହ୍ଲାଇଲା ନାହିଁ ତେବେ ଅନ୍ତତଃ ମ୍ୟାଲେରିଆ ଯେ ଭୟଙ୍କର ରୂପ ଧରିପାରେ ଏ ଭୟ ରହିଲା ନାହିଁ ।
ଭୁବନେଶ୍ୱରରୁ ଦିଲ୍ଲୀ ଓ ଦିଲ୍ଲୀରୁ ଆମେରିକା ଯିବା ଟିକଟ୍କୁ ମାସେ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଗଲା । ନରେଶର ପତ୍ନୀ ସୁଲେଖାଙ୍କର ଫୋନ୍ ଆସୁଥାଏ ଆମେରିକାରୁ ଘନଘନ । ସେଠି କାହିଁକି ପଡ଼ି ରହିଛ । ଭାରତରେ ଦେହ ଭଲ ହେବ ନାହିଁ । ଏଠାକୁ ଚାଲିଆସ ।
ଅଜା ଓ ବୋଉଙ୍କ ସେବା ଶୁଶ୍ରୁଷା ନରେଶକୁ ଏତେ ଭଲ ଲାଗୁଥାଏ ଯେ ସେ ଦେହ ଭଲ ନ ହେବା ଯାଏ ଗାଁ ଛାଡ଼ିବ ନାହିଁ ବୋଲି କହିଲା । ଅଷ୍ଟମଦିନ ଉଇଡ଼ାଲ୍ ଟେଷ୍ଟ କରାଗଲା । ଭୁବନେଶ୍ୱରରୁ ଲ୍ୟାବ୍ ଟେକନିସିଆନ୍ ଓ ଫାର୍ମାସିଷ୍ଟ ଆସି ଆଉ ଥରେ ବ୍ଲଡ୍ର ସାମ୍ପୁଲ୍ ନେଇଗଲେ । ଟାଇଫଏଡ୍ର ଜୀବାଣୁ ମଧ୍ୟ ମିଳିଲା ନାହିଁ । କେଉଁ ଆଡୁ ନରେଶ ନିଜର ଚିକିତ୍ସା ଆରମ୍ଭ କରିବ ଜାଣିପାରୁନଥାଏ । ବ୍ଲଡ୍ ସ୍ପେକଟ୍ରମ୍ ବହୁତ ଦାମିକିଆ ଆଣ୍ଟିବାଓଟିକ୍ ଦୁଇଟାର ପୁରା କୋର୍ସ ନେଲା ନରେଶ । ଜଣ୍ଡିସ୍ ପାଇଁ ମଧ୍ୟ ଟେଷ୍ଟିଂ ହେଲା ।
ବାରଦିନ ହୋଇଗଲା ଜ୍ୱର ଭଲ ହେବାର ନାମ ନେଉନଥାଏ । ଇତିମଧ୍ୟରେ ଭୁବନେଶ୍ୱର ଓ କଟକରୁ ଚାରି ପାଞ୍ଚଜଣ ସ୍ପେଶିଆଲିଷ୍ଟ ଦେଖି କରି ଗଲେଣି । ନରେଶ ଯଦି ନିଜେ ଗୋଟିଏ ଚିକିତ୍ସାର ବିଜ୍ଞାନ ଓ କାରଣଟି ନ ବୁଝିବ ସେ ନିଜ ଉପରେ ପରୀକ୍ଷା କରିବ ନାହିଁ । ଦେହ ତାର ଝଡ଼ି କଣ୍ଟା ହେଲାଣି । ନରେଶର ବୋଉ ଓ ଅଜା ଦେବଦେବୀଙ୍କ ପାଖରେ କେତେ ଯେ ମାନସିକ କଲେଣି ତା’ର କଳନା ନାହିଁ ।
ଜ୍ୱରର ପନ୍ଦରଦିନ ଗାଁ ଡିସ୍ପେନ୍ସରିର ଡକ୍ଟର ଗୌତମ ମହାପାତ୍ର ଆସି ମନକୁ ମନ ଘରେ ପହଞ୍ଚିଲେ । ବାନାମ୍ୱରବାବୁ ନରେଶ ସଙ୍ଗେ ତାଙ୍କୁ ପରିଚୟ କରାଇଲେ । ପନ୍ଦର ମିନିଟ୍ ସେ ନରେଶର ନାଡ଼ି ପରୀକ୍ଷା କଲେ । ବ୍ଲଡ୍ ପ୍ରେସର୍ଟା ମାପିଲେ । ଷ୍ଟେଥସ୍କୋପ୍ ଦେଇ ପେଟ, ପିଠି, ଛାତି ସବୁ ପରୀକ୍ଷା କଲେ । ହାତରେ ଦେହର ବିଭିନ୍ନ ଯାଗା ଚିପି ଦେଖିଲେ । ତଣ୍ଟି, ନାକ, ଜିଭ ଆଦି ପରୀକ୍ଷା କରି ଦେଖିଲେ । ରେକର୍ଡିଂ ହୋଇଥିବା ଜ୍ୱର ଓ ରିପୋର୍ଟ ସବୁ ମଧ୍ୟ ପଢ଼ିଲେ । ଦେଶର ବିଖ୍ୟାତ ଡାକ୍ତରମାନଙ୍କ ଫୋନ୍ ଯୋଗେ ଦେଇଥିବା ପ୍ରେସ୍ସ୍କ୍ରିପ୍ସନ୍ ସବୁ ମଧ୍ୟ ପଢ଼ି ଦେଖିଲେ । ନରେଶ ସଙ୍ଗେ କୌଣସି ଚିକିତ୍ସା ବିଷୟ ଆଲୋଚନା କରିବାର ସାହସ ସେ କରି ପାରିଲେ ନାହିଁ । ଡକ୍ଟର ମହାପାତ୍ର ବାହାରକୁ ଆସିଲା ପରେ ବାନାମ୍ୱରବାବୁ ଅତ୍ୟନ୍ତ ଉତ୍ସୁକ ଭାବେ ତାଙ୍କୁ ଅନାଇ ରହିଲେ ଯେପରି କି କିଛି କହିବେ । ତାଙ୍କୁ ଦାଣ୍ଡଘରକୁ ଡାକି ନେଇ ଡକ୍ଟର ମହାପାତ୍ର କହିଲେ, ଆପଣ ମୋ ଠାରୁ କିଛି ଆଶା ରଖିଛନ୍ତି କି । ଆମେରିକାରୁ ତ ଔଷଧ ଆସି ଚାରି ପାଞ୍ଚଦିନ ହେଲା ଖିଆ ହେଉଛି, ଧୈର୍ଯ୍ୟ ଧରନ୍ତୁ ।
ବାନାମ୍ୱରବାବୁ ଆବେଗ ଆତିଶଯ୍ୟରେ ଗୌତମଙ୍କ ହାତ ଧରି ପକାଇଲେ । କହିଲେ, କ’ଣ କିଛି ଆଶା ଦେଖୁଛନ୍ତି । ସେ ଚାହିଁଥିଲେ ଆମେ ତାକୁ ସାତଦିନ ହେଲା ଆମେରିକା ପଠାଇ ସାରିଥାନ୍ତୁ । ସେ ଏଠି ଆମ ପାଖରେ ରହିବ ବୋଲି ଜିଦ୍ ଧରିଛି । ଅବସ୍ଥା ଅସମ୍ଭାଳ ହେଲେ ଆମକୁ ବଡ଼ ହସ୍ପିଟାଲ୍ରେ ଆଡ଼ମିଟ୍ କରିବାକୁ ହେବ । କିନ୍ତୁ ଏବେ ଆପଣ କ’ଣ କହୁଛନ୍ତି ? ଜ୍ୱର ଛାଡ଼ିନାହିଁ କାହିଁକି ?
ଗୌତମ କହିଲେ, ଏସବୁ ଅନ୍ଧାରରେ ବାଡ଼ି ବୁଲା ନ୍ୟାୟରେ ଚିକିତ୍ସା ଚାଲିଛି । ମୁଁ ଗୋଟିଏ ଚିକିତ୍ସା କରିବି ଯଦି ଆପଣ ହଁ କରିବେ ଓ ଡାକ୍ତର ନରେଶ ବାବୁ ଜାଣିବେ ନାହିଁ । ମୁଁ ତାଙ୍କୁ କେଉଁ ଔଷଧ ଦେଉଛି । ଔଷଧର ନାମ ଜାଣିଗଲେ ସେ ନିଶ୍ଚୟ ଖାଇବାକୁ ମନା କରିବେ । ତେଣୁ ମୁଁ ଚିକିତ୍ସା କରିପାରିବି ନାହିଁ । ଚାରୋଟି ଇେଞ୍ଜକସନ୍ ମୁଁ ଦେବି ଚାରିଦିନ ପାଇଁ । ଆମେ ତାଙ୍କୁ କହିବା ପାୱାରଫୁଲ୍ ମଲ୍ଟି ଭିଟାମିନ୍ ଆଣ୍ଡ ଆଣ୍ଟିଅକ୍ସିଡ଼ାଣ୍ଟ ଦେଉଛି ବୋଲି, ଯାହାକି ତାଙ୍କୁ ଫ୍ରେସ୍ ଲାଗିବା ପାଇଁ ଦିଆଯିବ । ଆପଣଙ୍କର ଯଦି ମୋ ଉପରେ ବିଶ୍ୱାସ ଅଛି, ତେବେ ଜାଣି ରଖନ୍ତୁ ମୋ ଇେଞ୍ଜକ୍ସନ୍ର କୌଣସି ସାଇଡ୍ ଇଫେକ୍ଟ ହେବ ନାହିଁ । ନରେଶବାବୁଙ୍କ ଅବସ୍ଥା ଏବେ ଯାହା ଅଛି ତାହାଠାରୁ କୌଣସି ଅବନତି ହେବ ନାହିଁ । ନୂଆ ବୈଜ୍ଞାନିକ ପନ୍ଧତିରେ ତିଆରି ମେଡ଼ିସିନ୍ ଯାହାର ସାଇଡ୍ ଇଫେକ୍ଟ କିଛି ନାହିଁ । ଅନ୍ୟ ଯେଉଁ ଔଷଧ ଖାଉଛନ୍ତି ଖାଆନ୍ତୁ, କାରଣ ତାକୁ ବନ୍ଦ କଲେ ସେ ସନ୍ଦେହ କରିବେ । ମୁଁ କିଛି ନୂଆ ମେଡ଼ିସିନ୍ ତାଙ୍କୁ ଦେଉଛି ଯାହାକୁ ସିଏ ନ ଜାଣି ନେବେ ନାହିଁ । ଏବେ ଯାହା ଚାଲୁଛି ସେଥିରେ ସେ ହୁଏତ ଶୀଘ୍ର ଭଲ ହେବ ନାହିଁ ।
ବାନାମ୍ୱରବାବୁ ଗାଁର ଆରାଧ୍ୟ ଦେବୀ ଜାଙ୍ଗୁଲେଇଙ୍କୁ ମୁଣ୍ଡିଆ ମାରି ଏଥିରେ ସମ୍ମତି ଦେଲେ । ବୁଡ଼ିଯାଉଥିବାଲ ଲୋକ ତ କୁଟା ଖିଅକୁ ଧରିପକାଏ । ନରେଶବାବୁଙ୍କୁ ବହୁତ ବୁଝାଇ ସେହି ମଲ୍ଟି ଭିଟାମିନ୍ ଓ ଆଣ୍ଟି ଅକ୍ସିଡ଼ାଣ୍ଟ ଇେଞ୍ଜକ୍ସନ୍ ଚାରିଦିନରେ ଚାରୋଟି ଦିଆଗଲା । ପୂର୍ବେ ନେଉଥିବା ଆମେରିକା ଡାକ୍ତରଙ୍କର ଔଷଧ ଯେପରି ଚାଲିଥିଲା ଚାଲିଲା ।
ଅତି ଆଶ୍ଚର୍ଯ୍ୟ ଭାବେ ପଞ୍ଚମଦିନ ଜ୍ୱର ପୂରା ଭାବେ ଛାଡ଼ିଗଲା । ଷଷ୍ଠଦିନ ନରେଶ ଉଠି ଚାଲବୁଲ କଲା । ବାନାମ୍ୱରବାବୁ ଓ ତାଙ୍କ ଝିଅ ସୁଚିତ୍ରାଙ୍କ ଆନନ୍ଦ ବର୍ଣ୍ଣନା କରିହେବ ନାହିଁ । କୋଡ଼ିଏ ଦିନର ଯେଉଁ ଅଜଣା ବେମାରୀ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଡାକ୍ତରମାନଙ୍କ ସମସ୍ତ ଚିକିତ୍ସାକୁ ଖାତିର କରୁନଥିଲା, ସେ ଗାଁର ଏମ୍.ବି.ବି.ଏସ୍.ଙ୍କ ଚାରୋଟି ଇେଞ୍ଜକ୍ସନ୍ରେ କୁଆଡ଼େ ଚାଲିଗଲା । ସବୁ ପ୍ରକାରର ପରୀକ୍ଷା ଆଉ ଥରେ କରାଗଲା । କୌଣସି ଇନ୍ଫେକ୍ସନ୍ ଆଉ ପତ୍ତା ସତ୍ତା ନ ଥିଲା । ସବୁ ସିଷ୍ଟମ୍ ନର୍ମାଲ୍ । ବ୍ଲଡ୍ ଦେବା ମଧ୍ୟ ଦରକାର ପଡ଼ିଲା ନାହିଁ ।
ବାନାମ୍ୱରବାବୁ ଡ. ଗୌତମଙ୍କୁ କିଭଳି ଭାଷାରେ ଧନ୍ୟବାଦ୍ ଦେବେ ଜାଣିପାରୁନଥିଲେ । ନରେଶ ଭଲ ହୋଇ ଆମେରିକା ଗଲାପରେ ଥରେ ଡାକ୍ତର ସେ ଗୌତମଙ୍କୁ ପଚାରିଲେ ଆପଣ ମୋତେ କେଉଁ ଔଷଧ ଦେଲେ କହିବେ ନାହିଁ ? ଡାକ୍ତର ଗୌତମ କହିଲେ, ନିଶ୍ଚୟ କହିବି । ଆପଣ ନାତିଙ୍କୁ କିମ୍ୱା ଆପଣଙ୍କ ଝିଅଙ୍କୁ କିମ୍ୱା କାହାରିକୁ କହିବେ ନାହିଁ ସେ ବେମାରୀ କ’ଣ ଥିଲା ଏବଂ କେଉଁଥିପାଇଁ ଚିକିତ୍ସା କରାଗଲା । ଆପଣ ମା’ ଜାଙ୍ଗୁଲେଇଙ୍କ ନାମରେ ପଣ କରି କୁହନ୍ତୁ । କାରଣ ଏବେ ଯଦି କାହାକୁ କହିଦେବେ ତେବେ ଡାକ୍ତର ନରେଶବାବୁଙ୍କୁ ସାଇକୋସେମାଣ୍ଟିକ୍ ଜ୍ୱର ଆଉ ଥରେ ଚାଲି ଆସିବ ଯେ କିଭଳି ସୁପର୍ ସ୍ପେଶିଆଲିଷ୍ଟ ଜଣେ ଡାକ୍ତରଙ୍କୁ ଏଭଳି ମେଡ଼ିସିନ୍ ଦେବାକୁ ଜଣେ ସାହସ କରିପାରିଲା । ଯଦି ରିଆକ୍ସନ୍ ହୋଇଥାନ୍ତା, ତେବେ ସେ କିପରି ଆଉ ବଞ୍ଚିନଥାନ୍ତେ, ଏ କଥା ଚିନ୍ତା କରି ସେ ପୁଣି ଥରେ ବେମାର ହୋଇଯିବେ ।
ବାନାମ୍ୱରବାବୁ ମାଆ ଜାଙ୍ଗୁଲେଇଙ୍କ ନାଁରେ ଶପଥ କଲେ । ଡାକ୍ତର ଗୌତମ କହିଲେ, ମୁଁ ନରେଶଙ୍କ ନାଡ଼ି, ଲଙ୍ଗସ୍, ପେଟ, ପିଠି ସବୁ ବାହାରୁ ପରୀକ୍ଷା କରି ଦେଖିଲି ଓ ସବୁ ରିପୋର୍ଟ ପଢ଼ିଲି । ଯେଉଁସବୁ ଦାମିକିଆ ଆଣ୍ଟିବାୟୋଟିକ୍ ଟ୍ରିଟମେଣ୍ଟ୍ କରାଯାଇଥିଲା ତାକୁ ଦେଖିଲି । ମୁଁ ଜାଣିପାରିଲି, କେବଳ ଗୋଟିଏ ଚେମେଡ଼ା ରୋଗ ଅଛି ଯିଏ କି ରକ୍ତରେ ସହଜରେ ଧରା ପଡ଼େନାହିଁ ଏବଂ ଆଣ୍ଟିବାୟୋଟିକ୍ ଦ୍ୱାରା ଅଳ୍ପ ଦବିଗଲେ ସିନା ସିମ୍ପଟମ୍କୁ ଘୋଡ଼ାଇ ଦିଏ କିନ୍ତୁ ଭଲ ହୁଏନାହିଁ । ସେ ହେଉଛି ଆମର ଭାରତର ଅତି ପୁରାତନ ଫାଇଲେରିଆ ବେମାରି । ଦେହର ବିଭିନ୍ନ ସ୍ଥାନରେ ଏହା ଆକ୍ରମଣ କରିପାରେ । ଖାଲି ହାତଗୋଡ଼ ଫୁଲିଲେ ଯେ ଫାଇଲେରିଆ ତାହା ନୁହେଁ, ନରେଶବାବୁଙ୍କ ସ୍ମଲ୍ ଇଣ୍ଟେଷ୍ଟାଇନ୍ ଏହି ରୋଗ ଜୀବାଣୁ ଲୁଚି ରହିଥିଲା । ମୁଁ ନିଷ୍ପତ୍ତି ନେଲି, ଫାଇଲେରିଆ ଟ୍ରିଟ୍ମେଣ୍ଟ କରିବି ଇେଞ୍ଜକସନ୍ ଦ୍ୱାରା । କାରଣ ଟାବ୍ଲେଟ୍ ଦେଲେ ନରେଶବାବୁ ଜାଣିପାରିଥାନ୍ତେ । ଏତେ ବଡ଼ ଡାକ୍ତରଙ୍କୁ ଏଇ ଗରିବଗୁରୁବାଙ୍କ ଗନ୍ଧିଆ ଫାଇଲେରିଆ ଆକ୍ରମଣ କରିପାରେ, ଏ କଥା ମାନିବାକୁ ତାଙ୍କୁ ଲାଜ ମାଡ଼ିଥାନ୍ତା ଏବଂ ଏହା ଯେ ସେ ଓ ତାଙ୍କ ବଡ଼ ଡାକ୍ତରମାନେ ଜାଣିପାରି ନାହାନ୍ତି ତାକୁ ମାନିବା ପାଇଁ ଆହୁରି ଲାଜ ମାଡ଼ିଥାନ୍ତା । ତେଣୁ ସେ ଏଇ ଟ୍ରିଟମେଣ୍ଟ ନେଇନଥାନ୍ତେ ଏବଂ କେବେ ହେଲେ ଭଲ ହୋଇନଥାନ୍ତେ ।
ମୁଁ ତାଙ୍କୁ ମଲ୍ଟି ଭିଟାମିନ୍ ଇେଞ୍ଜକ୍ସନ୍ ନାଁରେ ଫାଇଲେରିଆ ଇେଞ୍ଜକ୍ସନ୍ ଚାରୋଟି ଦେଲି ଓ ସେତିକିରେ ଫାଇଲେରିଆ କୁଆଡ଼େ ଚାଲିଗଲା ଆପଣ ଜାଣିପାରିଲେ ନାହିଁ । ଆପଣଙ୍କୁ ଯିଏ ପଚାରିବ ଆପଣ କହିବେ ମା’ ଜାଙ୍ଗୁଲେଇଙ୍କ ପାଖରେ ଆପଣ ଯେଉଁ ପ୍ରାର୍ଥନା ଓ ମାନସିକ କରିଥିଲେ, ସେହିଥିରେ ନରେଶ ଭଲ ହୋଇଗଲା । ଗୋଟିଏ ଦରିଦ୍ର ଭୋଜନ ମାଆଙ୍କ ମନ୍ଦିରରେ କରାଦେବେ । ନରେଶ ଏ ବିଷୟରେ ଜାଣିବା ଦରକାର ନାହିଁ । କାରଣ ଆମେରିକାରେ ଲୋକେ ହୁଏତ ମା’ ଜାଙ୍ଗୁଲେଇଙ୍କ ଦୟା ଉପରେ ବିଶ୍ୱାସ କରିବେ, କିନ୍ତୁ ନରେଶ ଯେ ଦିନେ ନିଜ ଗାଁରେ ଇଣ୍ଟେଷ୍ଟାଇନାଲ୍ ଫାଇଲେରିଆରେ ଭୋଗିବେ ଓ ତାଙ୍କ ଗାଁର ଜଣେ ଅନାମଧେୟ ସରକାରୀ ଜେନେରାଲ୍ ପ୍ରାକ୍ଟିସନର୍ଙ୍କ ଦ୍ୱାରା ଚାରିଦିନରେ ଆରୋଗ୍ୟ ହୋଇଯିବେ ଏ କଥା ପୃଥିବୀରେ କେହି ବିଶ୍ୱାସ କରିବେ ନାହିଁ । ଯଦି ଦୁଇ ତିନିବର୍ଷ ପରେ ଆଉଥରେ ଏପରି ବେମାରୀ ଆସେ ମୋତେ କହିଲେ ମୁଁ ଡାକ୍ତର ନରେଶଙ୍କ ସଙ୍ଗେ ଆଲୋଚନା କରି ସବୁ କହିଦେବି ।