କୁହତ … କେମିତି ଭୁଲି ହୁଅନ୍ତା
ଚୁପ୍ଚାପ୍ ସମୟର ଲକ୍ଷ୍ମଣଗାର ସେପଟ
ନିରୋଳା ଅନ୍ଧାର ଭିତର ଜୀବନ୍ତ ବତୀଘରକୁ !
ଗୋଟେ ଯୁଗ ତଳେ
କେତେ ଉଠାଣି ଗଡ଼ାଣିର ସହଯାତ୍ରୀ
ଏଇ ଲମ୍ବା ଆୟୁଷର ଭିନ୍ନ ଏକ ସୁବର୍ଣ୍ଣ ବେଳାରେ
ଭେଟହୁଏ ତୁମ ସଙ୍ଗେ ।
ଏ ଭେଟ-ଗୋଟେ ଅନନ୍ୟ ଆରମ୍ଭର ନବୋଦୟ
ଖାଲି ଆରମ୍ଭ ହିଁ ଆରମ୍ଭ ଅପେକ୍ଷା କରିଥାଏ
ଶେଷର ପ୍ରଶ୍ନ ଯେଉଁଠି ଉଠେନି କେବେ
କେବେନା କେବେ
ନିରବି ଯାଇଥିବା ଶବ୍ଦ ପୁଞ୍ଜର ଜଡ଼ତା ଭିତରୁ
ଅନୁଚ୍ଚାରିତ ଶବ୍ଦଟିଏ ହୋଇ ତୁମେ
ହୃଦୟକୁ କୋମଳ ଆଘାତ କର
ତୁମ ଚାନ୍ଦମୁହଁ ବିଛୁରିତ ଆଲୋକରେ
ବେଶି ଅର୍ଥମୟ ହୁଏ ବିପୁଳ ଅନ୍ଧାର ।
ଆଖି ପଲକର ଦେଖା
ଆଖିରେ ଆଖିରେ କଥା ବିନିମୟ
ଗୋଟେ ଗୋଟେ ଜାଗା ନିରୂପଣ କେତେ କାଳ ପାଇଁ
କେଉଁ ଅଦିନଝଡ଼ରେ ଆଜି ଯାହା ମରୁ ଶୂନ୍ୟସ୍ଥାନ
କେବେ କେବେ ସ୍ଵୃତିଝର ଧୋଇଦିଏ ତାକୁ
ସସ୍ନେହ ଆଦରେ ।
କେମିତି କହିବି ଦୁଇ ମୁଲକରେ
ତୁମ ଆଉ ମୋ ମଧ୍ୟରେ ଅଦୃଶ୍ୟ ପାଚେରି
ବରଂ ବେଶି ଯୋଡ଼େ ସମ୍ପର୍କକୁ
ଦୀପ ହୋଇ ଜଳ ଅହରହ ମୋ ଭିତରେ
ଦୂଢକର ମତେ ଚାଲିବାକୁ ବନ୍ଧୁର ରାସ୍ତାରେ
ତୁମକୁ ଛୁଇଁବାକୁ ଆଉ କା’ ଭିତରେ ।