ବୟସ ଅତିକ୍ରାନ୍ତ !
ମୋ ଭିତରୁ ଥରୁଟିଏ
ମୁକୁଳି ପାରିନି ମୁଁ. . . ।
ଚନ୍ଦ୍ର ବନ୍ଧନୀ ଭିତରେ ମୁଁ
ବନ୍ଧନୀ କାଟି ମୁକ୍ତି ହେବି
କାହାକୁ ଆତ୍ମୀୟତାରେ ଜାବୁଡ଼ି ଧରିବି
ସେ ମୁହୂର୍ତ୍ତ ବେଳେ ବେଳେ ଆସେ
ପୁଣି ଫେରିଯାଏ ।
ମୋ ପୂର୍ବରୁ କେହି ଜଣେ ଥିଲା ମାଆ ଗର୍ଭରେ
ହସୋଉଥିଲା, କନ୍ଦୋଉ ଥିଲା ଓ
ଶୋଇ ଦେଉଥିଲା ନାନାବାୟା ଗୀତରେ ।
କିଏ ତେବେ ଲୁଟି ନେଲା ମୋର
ହସ, କାନ୍ଦ, ସୁଖର ପ୍ରାଚୁର୍ଯ୍ୟ
ଜନ୍ମପରେ ତାକୁ ଦେଖିନି ଏ ଯାଏ ।
ଅଧରା ପକ୍ଷୀଟି ପରି ସିଏ ଆସେ
ବହୁଦିନ ପରେ ମୋ ଆଗଣାକୁ
ହାତଠାରି ଡାକିଲେ ଫୁର୍କରି ଉଡ଼ିଯାଏ
କାହିଁକି ସେ ଆସେ ?
ଅଗଣାର ଆମ୍ୱଗଛରେ ବସେ
କେଉଁ ଆଳରେ !
କଥା କୁହା ପକ୍ଷୀ ହୋଇଥିଲେ
ବୁଝି ପାରିଥାନ୍ତି କଥାର ଗୁମର
କିଛି କହୁନି ଅଥଚ
ତା’ ନିରବତା ମୋତେ ଝୁଣି ଝୁଣି ଖାଏ ।
ସେଦିନ ଝୁଣ୍ଟି ପଡ଼ିଲି ଚୌକାଠ ବାହାରେ
ପକ୍ଷୀଟି ଆସି ବସି ପଡ଼ିଲା ପୁରୁଖା ଗଛରେ
କେହି ନଥିଲେ ଘରଲୋକ
ପକ୍ଷୀଟି କହିଲା : ମଣିଷ ସ୍ୱରରେ
“ବହୁତ ହେଲା; ସଂସାରର ସବୁ ସୁଖ
ଲୁଟି ନେଇ ମୋତେ ଭୁଲିଗଲୁ ?”
ମୁଁ ସେହି ଅଧରା ପକ୍ଷୀ
ଖୋଜି ଖୋଜି ବେଳ ଉଣ୍ଡି ପାଖକୁ ଆସିଛି
ଏବେ ତୋର ଫେରିବାର ପାଳି ।