କୁହ ତ ଏକାଦଶୀ
ଦ୍ୱନ୍ଦ୍ୱ କ’ଣ ଦର୍ଶନ ନା ଦ୍ୱିଖଣ୍ଡିତ ରାସ୍ତାର
ସଲଗ୍ନ ସେତୁ ନା ଦ୍ରବୀଭୂତ
ବିଶେଷ ଦ୍ରଷ୍ଟବ୍ୟ ।
ଦ୍ୱନ୍ଦ୍ୱର ମାଧ୍ୟାକର୍ଷଣରେ
ଆକର୍ଷିତ ସମନ୍ଧ, ସଲଗ୍ନ ସମ୍ପର୍କ
ଆଦର ଆଲିଙ୍ଗନ ।
ଦ୍ୱନ୍ଦ୍ୱର ଦହନରେ ଆକର୍ଷଣ ବିକର୍ଷଣ
ଆକାଶେ ଆଲୁଅର ମହୋତ୍ସବ
ତୃଷିତ ତାରାମାନଙ୍କର ।
କାଳିସୀପରି ଧରିଥାଏ ମନର ମଙ୍ଗ
ସନ୍ଦେହର ଅଞ୍ଜନ ବୋଳି
ଦେଖୁଥାଏ ସ୍ଥିତିର ବିନାଶ
ପାର୍ଲିଆମେଣ୍ଟ୍ରୁ ପାକିସ୍ଥାନ କି
ପାଲେଷ୍ଟାଇନ୍ରୁ ପ୍ୟାରିସ୍
ମେରୁରୁ ମେରୁକୁ
ଗାରରେ ଯୋଡ଼ିଦିଏ ଦ୍ୱନ୍ଦ୍ୱ
କୋଣରୁ କୋଣକୁ ଝୁଲୁଥାଏ ଅକ୍ଷାଂଶ
ଦ୍ରାଘିମାର ଆୟୁଷ ।
ତା’ ସାମ୍ରାଜ୍ୟରେ କଲମ ହୁଏ କୁରାଢ଼ି
କବି ହୁଏ କଂସେଇ
ଭକ୍ଷକର ଭାଷଣବାଜିରେ
ଦୀକ୍ଷାହୁଏ ରକ୍ଷାକବଚ
ସୀମାନ୍ତ ସୈନିକ ପରି ସଜାଗଥାଏ ଦ୍ୱନ୍ଦ୍ୱ
ମୁହାଣ ମୁହଁରେ ।
ଏକାଦଶୀ ! ଦ୍ୱନ୍ଦ୍ୱ ମୃଦୁ ମୃଦୁ ଦଂଶନ
ଦ୍ରବୀଭୂତ କୁହୁଳା କ୍ଷୋଭର
କୁହୁଡ଼ିଆ ଆସ୍ତରଣ
ଧୂମାଭ ଧୂଳି ଧୂମାଳର
ଧର୍ଷିତ ବିଶ୍ୱାସର
ନିବିଡ଼ତାର ନବ ସଂସ୍କରଣ ।