କବିତା

ଏଥର ଜମିକୁ ଭାଗଦେବାକୁ ହେଲା

ବାପା କହିଲେ:
“ଏଥର ଜମିକୁ ଭାଗଦେବାକୁ ହେବ
ମୋର ଆଉ ବଳ ଅଛି ନା ବୟସ
ତମେତ ସବୁ ଯେଝା ଯେଝାର ଧନ୍ଦାରେ ମାତିଲ
ଏଯାଏଁ ବିଲ ଚିହ୍ନିଲନି’ ।

କହିଲି: “ତମ ଇଚ୍ଛା’ ।
ସେଦିନ ରାତିରେ
ବୋଉ ଭାତ ବାଢ଼ୁଥାଏ,
ଆମେ କଥା ହେଲୁ
ବହୁ ଭାବିଚିନ୍ତି ସ୍ଥିର କଲୁ
ରବି ମଳିକକୁ ଭାଗରେ ଦିଆଯିବ ଜମି
ଲୋକ ହିସାବରେ ଭଲ ସାଧାରଣ
କିଛି ଲୁଚାଏନି ।

ଏଣେ ଶାନ୍ତିର (ମୋ ସ୍ତ୍ରୀ) ଏକାଜିଦ୍
ସବୁବେଳେ ବକର ବକର
ଘରୁ ପାଦ କାଢ଼ କି କ୍ଲାନ୍ତିରେ ଟିକେ
ବିଛଣାଧର ସେଇ ଗୋଟିଏ କଥା
“ତମର ଏ ଧନ୍ଧାରୁ ଖାଲି ଯାହା ଘର ଚଳିବ
ବନ୍ଧୁ ବାନ୍ଧବ ଗଲା ଆଇଲା ସବୁବେଳେ ନିଅଣ୍ଟ
ଆଜି ସିନା ଚଳିଯାଉଚି, କାଲିକି ପିଲାଏ ବଡ଼ ହେବେ
ସେମାନଙ୍କୁ ଭଲକି ଦି ଅକ୍ଷର ପଢ଼ାଇବାକୁ ତ ହେବ
ଟଙ୍କା ଦରକାର ଟଙ୍କା ଆଟଲିଷ୍ଟ
ଏମ୍‌ସିଏ କି ଏମ୍‌ବିଏ ତ ଏବେ ଗୋଟେ ସାଧାରଣ କଥା
ଶୁଣ, ମୋ ପାଇଁ ଯାହାବି ହେଲେ ଗୋଟେ କିଛି
ବୁଝ । ଶିକ୍ଷାକର୍ମୀ କି ଇଜିଏସ୍ ସେଣ୍ଟର
ଆମକୁ ଦିନେ ଏମ୍ ଏଲ୍ ଏ ଙ୍କ ପାଖକୁ ଯିବାକୁ ହେବ
ଯେମିତି ହେଲେ ତାଙ୍କ ପାଖରୁ ଚିଠି ଆଣି ପାରିଲେ
ବ୍ଲକ୍ କଥା ବୁଝିବା” ।

ରବି ମଳିକ ଭାଗରେ ଚାଷକଲା ଜମି ।
ବାପାକହିଲେ : “ମୋ କଥା ଛାଡ଼
ଦେଖୁଛୁତ ଏଣେ ସୁଗାରକୁ ତେଣେ ବ୍ଲଡ଼ପ୍ରେସର
ଓଳିଏ କାମ ବନ୍ଦକରି ଦିନେ ଦି ଦିନ
ବିଲଆଡେ଼ ଟିକେ ବୁଲି ଆସିବୁ
ଜମି ଆମର ଚାଷ କରିବ ସେ
ଟିକିଏ ନିଘା କି ତାଗିଦା ନ କଲେ କ’ଣ
ଭାଗ ଚାଷୀ ଆମ ଜମି କଥା ବୁଝିବ ?
ଦେଖିବୁ ଭଲକି ଯେପରି କତିମାରେ ହିଡ଼ ଦିଏ
ନହେଲେ ଜମି ଆମର ମରି ମରି ଯିବ ଯେ’ ।

ରବିମଳିକ ଭାଗରେ ଚାଷକଲା ଜମି
ତାର ହଳ ବିହନ ମଜୁରୀ ବଳ
ଆମର ସାର ମସଲା ଜମି ଜଳ
ତା’ ହାତରେ ତଳି ମୁଣ୍ଡରେ ଠେକା
ମୁଁ ବସିଥାଏ ହିଡ଼ ମୁଣ୍ଡରେ ହାତରେ ମୋ ଛତା
ସେ କାଦୁଅରେ ନଟର ପଟର ପେଜ ତୋରାଣି
ଝିପି ଝିପି ବର୍ଷା କୋହଲା ପବନ
ମୋ ନାକରୁ ଆଖିରୁ
ଛିଙ୍କ, ସୁଉଁ …ସାଆଁ ପାଣି ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top