ବେଳେ ବେଳେ ମନ ଭିତରେ ଉଙ୍କି ମାରୁଥାଏ
ଅପ୍ରକାଶିତ ଅନେକ ପ୍ରଶ୍ନ।
ମରମେ ମରମେ ଉତ୍ତର ଖୋଜୁ ଖୋଜୁ।
ବିତିଯାଏ ଅଧା ଜୀବନ।
ଆଜିଭି ସେମିତି ଅଛି ପାଣି ପବନ, ସବୁଜ କାନନ
ମୋ ଗାଁର ସେହି ବାଉଁସ ଉଦ୍ୟାନ।
ନା ବଦଳିଛି ସେଦିନର ସୂର୍ଯ୍ୟ, ନା ବଦଳିଛି ଜହ୍ନ!
ହେଲେ କେମିତି ବଦଳିଲା ବାତାବରଣ?
ନା ବଦଳିଛି ତାର ନାଆ, ନା ବଦଳିଛି ଠିକଣା।
ହେଲେ କେମିତି ବଦଳିଗଲା ମୋ ଗାଁ?
ଲୋକଙ୍କ ଆଚାର, ବ୍ୟବହାର, ଚାଲି, ଚଳଣ
ଆଉ ନିଆରା ମଣିଷ ପଣିଆ।
ଦାଦା ଖୁଡି, ମଉସା ମାଉସୀ , ଅଜା ଆଇ, ମାମୁ ମାଇଁ
ଡାକ ସବୁ କୁଆଡେ ଉଭେଇ ଗଲା?
ଅତି ଆପଣାର ଲୋକ, ଭାଇ ଚାରା ସମ୍ପର୍କ ସମସ୍ତଙ୍କୁ
କେବଳ ଅଙ୍କଲ ଆଣ୍ଟି ଦଖଲ କଲା।
କୁକୁଡ଼ା ରାବିଲେ ସକାଳ, ଗୋଠ ଫେରିଲେ ସଞ୍ଜ
ଦିନେ ହେଉଥିଲା ଯେଉଁ ଗାଁ ର,
ସେହି ଗାଁ ରେ ଆଜି ନା ଅଛି ଗୁହାଳ, ନା ରହିଛି ଗୋବର
ଘରେ ଘରେ ଆଜି ପୋଷିଲେ ବିଦେଶୀ କୁକୁର।
ଆଜିଭି ସେମିତି ଅଛି, ଭାଗବତ ଟୁଙ୍ଗି, ଗାଁ ପାଠାଗାର
ହେଲେ ଯେସନେ ଏକ ତୁଠ ପଥର।
ନା ଅଛନ୍ତି ପାଠକ, ନା ଛନ୍ତି ଚିନ୍ତକ, ନା ଛନ୍ତି କଳାକାର,
ଆଦର ବିହୁନେ ଆଜି ଜରାଜୀର୍ଣ୍ଣ ଅବତାର।
ଆଜିଭି ସେମିତି ଅଛି ସେହି ପର୍ବ ପର୍ବାଣୀ, ଯାନି ଜାତ,
ହେଲେ ବଦଳି ଯାଇଛି ତା ରୂପ ରେଖ।
ନା ରହିଛି ପରମ୍ପରା, ନା ରହିଛି ଭାବ ଭକ୍ତି,ରୀତି ନୀତି,
ପାଶ୍ଚାତ୍ୟକୁ ଦେଖି ଲୋକ ହେଲେ ଅବିବେକି।
ଆଜିବି ସେମିତି ଅଛି, ଗାଁ ମନ୍ଦିର, ନଇକୁଳ, ନଳକୁଅ
ସହର ତୁଳନାରେ କଉ ଗୁଣରେ କମ୍ ନୁହଁ।
ନା ଦିନ ନା ରାତି, ରାଜ ରାସ୍ତାରେ, ଗାଁ ଦାଣ୍ଡରେ
ହାତ ଛନ୍ଦାଛନ୍ଦି ହୋଇ ଚାଲୁଛନ୍ତି ପୁଅ ଝିଅ।
ନା ବସନ ପିନ୍ଧାରେ କଟକଣା, ନା ନୂଆବହୁ ମୁଣ୍ଡେ ଓଢ଼ଣା
ଝିଅ ବହୁ ଡିଯେରେ ନାଚନ୍ତି ଏଇନା।
ନା ରହିଛି ଚୁଲି, ନା ରହିଛି ଚାଳ, ନା ଅଛି ତୁଳସୀ ଅଗଣା
କେକ୍ ଖାଇ ଭୁଲିଗଲେ ପୀଠାପଣା।
ଆଜିବି ସେମିତି ଘର ଘର ବୁଲି ବିକେ ଦୁଧ ବିକାଳୀ
ପେଟକୁ ନଥାଏ ଦିଓଳିକର ଦାନା।
ଏଠି ନା ରହିଛି ଉଚ୍ଚଶିକ୍ଷା, ନା ରହିଛି ଡାକ୍ତରଖାନା
କିନ୍ତୁ ଅହରହ ଉପଲବ୍ଧ ନାଲିପଣା।
ଆଜିବି ସେମିତି ଅଛି ସେହି କେନାଲ, ସେହି କ୍ଷେତବାଡି
ହେଲେ ଚାଷ ବେଉସା ଦେଲେ ଛାଡ଼ି।
ନା ଅଛି ହଳ, ନା ଅଛି ବଳଦ, ନା ଅଛି ଶଗଡ଼ ଗାଡ଼ି,
କିନ୍ତୁ ଆଜି ଘରକେ ଯୋଡାଏ ମଟରଗାଡ଼ି।
ଆଜିବି ସେମିତି ମୋଡୁଛନ୍ତି ନିଷ, କୁହନ୍ତି ନିଜକୁ ମଣିଷ
ହେଲେ ମଣିଷ ପଣିଆ ମାରି ଯାଇଛି।
ଅନ୍ୟାୟ ଅନିତି ସବୁ ଦେଖି ତଥାପି ମୁଁ ନୀରବେ ରହିଛି
କାରଣ “କହିଲେ କହିବ କହୁଛି”।