ପଡିଥିଲୁ ତଳେ ଗୋଟାଇ ଆଣିଲି ତୋତେ
କଥା ନ ମାନି ତୁ ହଇରାଣ କରୁଛୁ ମତେ
ତତେ ଫେରାଇ ତୋ ପରି ଆଣିବି ନୂଆ ଆଉ
ଖାଇବାକୁ ହଇରାଣ କଲେ, ଏମିତି ଡରାଇ ଧମକାଇ
ଖୁଆଇଦିଏ ମତେ ମୋ ବୋଉ ।।
ତା’ର ଏମିତି କଥାକୁ ଝୁରି
ଲୁହ ଯାଏ ମୋର ଝରି
ମୋ ଲୁହର ମୂଲ ତ ବୁଝିଛି ସିଏ
ବୁଝେଇଦିଏ ମୋତେ କହି ସୁନ୍ଦର ଗପଟିଏ:
“ପକ୍ଷୀରାଜ ଘୋଡ଼ା ରେ ବସି ପୁଷ୍ପରାଜ୍ୟେ ବୁଲୁଥିଲେ
ଜଣେ ରାଜକୁମାର
ପାରିଜାତ ଦେଖି ଲୋଭ ବଢିଲା ତାଙ୍କର
ସେହି ସ୍ଥାନେ ଯିବା ପାଇଁ ପକ୍ଷୀରାଜ କୁ ଦେଲେ ସେ ଆଦେଶ
ପକ୍ଷୀରାଜ ନ ମାନିବାରୁ ହେଲେ ସେ ହତାଶ
ପାରିଜାତ ଫୁଟିଥାଏ ଦୁର୍ଗମ ଅଞ୍ଚଳେ
ଚାଲି ଚାଲି ଥକି ରାଜକୁମାରଙ୍କ ପାଦ ଆଉ ନ ଚଳେ
ଜିଦିଆ ସେ ରାଜକୁମାର ଚାଲୁଚାଲୁ ପଡିଲେ ଝୁଣ୍ଟି
କଳାମେଘୀ ସାପ ଦଂଶନ ଡରରେ ସେ ପଡିଯିବାରୁ,
ମାର ପୁରିଗଲା ଅଣ୍ଟି
କିଛି କ୍ଷଣ ପରେ ରାଜକୁମାରଙ୍କ ଫେରିଲା ଚେତା
ଦେଖନ୍ତି ସେ ଯେଉଁଠି ପଡିଛନ୍ତି ତାହା ପାରିଜାତ ଫୁଲେ ସଜ୍ଜିତା
ପାରିଜାତ ସ୍ପର୍ଶ ପାଇ ସେ ଶିଶୁ ହୋଇଗଲେ
ପଛ କଥା ସବୁ ପାଶୋରି ଦେଲେ
ପାରିଜାତ ଶେଯ (ମାର କୋଳ) ପାଇଁ ରାଜଉଆସର ଖୁସିକୁ
ସମୟ ପାଖେ ବନ୍ଧା ପକେଇ
ସବୁଦିନ ପାଇଁ ମା ପାଖେ ରହିଗଲେ”
ହସି ଦେଇ ସେ ଏମିତି ଗପଟିଏ କହିଲେ ମୁଁ ଯାଏ ବୁଝି
ଅମୂଲ ମୂଲ ସେ ପାରିଜାତ ଶେଯ ର ମୂଲ କିଏ ବା ପାରିଛି ସୁଝି ।।
