ଭୂମିସ୍ପର୍ଶର ପରବର୍ତ୍ତୀ ମୁହୂର୍ତ୍ତଠାରୁ
କୋକେଇ ସ୍ପର୍ଶର ପୂର୍ବ ମୁହୂର୍ତ୍ତଯାଏଁ. . .
ସ୍ୱାର୍ଥ-ପ୍ରରୋଚିତ ପାଦଯୁଗଳ
ଅଣନିଃଶ୍ୱାସୀ ହୋଇ ଧାବମାନ. . .
କାନ୍ଧରେ ପ୍ରତିଷ୍ଠା, ପଦବୀ, ପ୍ରଶଂସାର
ଆକାଂକ୍ଷାଭରା ପୁଟୁଳି. . .
ନା ଲକ୍ଷ୍ୟପ୍ରତି ଦୂରଦୃଷ୍ଟି, ନା
ପଥର ବିଶ୍ଳେଷଣ. . .
ମାନବିକତାର କବର ଉପରେ
ଦୁର୍ନୀତିର ତାଣ୍ଡବ. . .
ବିଳାସର ନାମରେ ରକ୍ତରଭୋଜି
କରିବାକୁ ପଛଘୁଞ୍ଚା ନାହିଁ
ମାୟାମୋହର ଗାଢ଼ ଆଲିଙ୍ଗନରେ
ବିବେକ, ବୁଦ୍ଧିକ୍ଷୀଣ. . .
କୋଟି କୋଟି ଦୁଃଶାସନ ପ୍ରକୃତି
ମା’କୁ ବିବସନା କରିବାକୁ ଉଦ୍ୟତ. . .
ମୁହୂର୍ତ୍ତେ ମାତ୍ର ସ୍ଥିର ହୁଅ. . .
ସ୍ୱାର୍ଥର ବୀଜ ବିପନ କରି
ଶାନ୍ତିର ମହାଦ୍ରୁମର ଦିବାସ୍ୱପ୍ନ
ପରିତ୍ୟାଗ କର. . .
ବିଶ୍ୱନିୟନ୍ତାଙ୍କ ଅମୃତମୟ ସୃଷ୍ଟିରେ
ପ୍ରମାଣକର ତୁମର ଶ୍ରେଷ୍ଠତ୍ୱ. . .
ହୃଦୟର କୋଣେ ଅନୁକୋଣେ ଗୁଞ୍ଜରିତ ହେଉ
ସର୍ବେ ଭବନ୍ତୁ ସୁଖିନଃ ।।