କବିତା

ମୁଁ ବିମୁଗ୍ଧ ନିରବ ସଂଳାପ

Manjurani Mishra's odia poem Mun Bimugdha Nirab Sanlaap

ଭିଜାମାଟି ଗନ୍ଧ
ମୁଠା ମୁଠା ଫୁଲର ଚୁମ୍ୱନ
କିନ୍ତୁ ଅପରାହ୍ନ ଭେଟିଦେଲା
ଓଦା ଓଦା ନିସଙ୍ଗ କାରୁଣ୍ୟ

ମୁଁ ବିମୁଗ୍ଧ ନିରବ ସଂଳାପ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅଂଶୁମାନ ସକାଳକୁ ମୁଁ ମାଗିଥିଲି ଫରୁଆଏ
ଆଲୁଅ
ମେଘର ପଣତ ଲିଭାଇ ଦେଲା
କବିତାର ସବୁ ଶବ୍ଦ
ଆଲୁଅ ଫରୁଆ ହଜିଲା
ସାତ ତାଳ ପାଣି ତଳେ
ମଧ୍ୟାହ୍ନକୁ ମାଗିଲି ସୁଶୀତଳ ଶଯ୍ୟାଟିଏ
କିନ୍ତୁ ମଧ୍ୟାହ୍ନର ହାତ ପାପୁଲିରେ
ମୋ ପାଇଁ ଉପହାର
ଝରାଫୁଲ ରକ୍ତ ପଳାଶର
ଅପରାହ୍ନ ଆକାଶେ ଖୋଜିଲି
ଇନ୍ଦ୍ରଧନୁ ଛବିଟିଏ
ଭିଜାମାଟି ଗନ୍ଧ
ମୁଠା ମୁଠା ଫୁଲର ଚୁମ୍ୱନ
କିନ୍ତୁ ଅପରାହ୍ନ ଭେଟିଦେଲା
ଓଦା ଓଦା ନିସଙ୍ଗ କାରୁଣ୍ୟ
ସନ୍ଧ୍ୟାକୁ ମାଗିଲି
ଜହ୍ନର ଲାବଣ୍ୟ ଟିକେ
ଗବାକ୍ଷ ଫାଙ୍କରେ ନୂତନ କାକଳୀ
ରୂପେଲି ନଦୀର ଚୁନା ଚୁନା ଢେଉ

ସେ ନଦୀରେ ସ୍ନାନ ସାରି
ଲେଖିଦେବି ମୋ ମନର
ପ୍ରଥମ ଚିଟାଉ
ମୁଁ ଡାକିଲି ଆଗୋ
ପ୍ରିୟ ସଖୀ
କିନ୍ତୁ ସନ୍ଧ୍ୟା ଦୂରେ ଚାଲିଗଲା
ଫୁଲର ସୁରଭି କବରୀରେ ମାଖି
ଆଉ ଶର୍ବରୀର ନିବିଡ଼ ଚୁମ୍ୱନେ
ମୁଁ ହଜିଲି ତୃପ୍ତିର ସାଗର କୋଳେ
ଶକ୍ତିରୁ ମୁଁ ପାଲଟିଲି ମୁକ୍ତା
ମୁଁ ହେଲି ଉନ୍ମୁକ୍ତା
ଶାନ୍ତା ସୁଚିସ୍ମିତା
ସ୍ତର ସ୍ତର ଅନ୍ଧାରର
ଆସ୍ତରଣ ତଳେ
ମୁଁ କ୍ରମଶଃ
ଦୃଶ୍ୟରୁ ଅଦୃଶ୍ୟ
ରୂପରୁ ଅରୂପ
ମୁଁ ବିମୁଗ୍ଧ ନିରବ ସଂଳାପ
ମୁଁ ବିମୁଗ୍ଧ ନିରବ ସଂଳାପ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top