ନିଶଦ୍ଧତାର ଛାତିରେ
ଚାବୁକ ମାରିମାରି
ଗୁମର ଭାଙ୍ଗିଦିଏ
ତା ଦର୍ପିତ ଚାତୁରୀ
ଶବ୍ଦରେ ଶବ୍ଦରେ ଫୁଟେ ଫୁଲ
ନିହଣ ମୁନରେ
ସଂଚାରେ ଜୀବନ ।
ପଥର ପ୍ରାଣରେ ବି
ଖଂଜି ଦେଇଚି ମାଂସ ହାଡ଼
ରକ୍ତର ପ୍ରବାହ, ରଂଗ
ଅପରୂପା ଅପ୍ସରିର
ନବ ଯୌବନ
ଅଂଗ ଉପାସନାରେ ମୁଗ୍ଧ
ସହସ୍ର ଶୃଙ୍ଗାର ।
ଫୁଟିବ ଫୁଲ
ମହକିବ ମହମହ
ମନ ମୋହିନେବ
ପଥର ପ୍ରଣୟ ।
ତୀକ୍ଷଣ ତରବାରି ପରି କାଟେ
ନିହଣ କରତ
ଦେହ ପାଷାଣରେ ଘାରେ
ଲକ୍ଷେ ଘାତ, କ୍ଷତ ।
ଖସି ପଡ଼ୁଥିବା
ଖଣ୍ଡ ଖଣ୍ଡ ପଥର-ମାଂସ
ରକ୍ତ ଟୋପା ପରି
ଭିଜେଇ ଦିଏ ସାରା ଦେହ
ଯଦି ଆତ୍ମା ଭିଜିଯାଏ
ରକ୍ତାକ୍ତ ହେବ
ଅନ୍ତରର ଅନ୍ଦର ମହଲ ।
ଅଥଚ ମହାନ ଆତ୍ମବିଶ୍ୱାସରେ
ଗଢି ଚାଲୁଥାଏ
ଗୋଟେ ଏନ୍ତୁଡ଼ିଶାଳ,
ତା ମନ ହୃଦୟରେ
ବସି ସାରିଥାଏ
ରୂପ ଲାବଣ୍ୟର ମୋହ
କପଟ ଶୂନ୍ୟ ହୋଇ
ଗୋଟେ ପାଷାଣ ଫୁଲ ।
ପଥର ହେଉ ବା ମାଟିରେ
ଫୁଲଟିଏ ଫୁଟେଇବା ବିଶ୍ୱସ୍ତ ଭାବେ
କାନ୍ଥରେ ହେଉ ବା କାନଭାସରେ
ଛବିଟିଏ ଆଙ୍କିବା
ଆପଣା ପଣରେ
ପ୍ରଭୁ ପୂଜା ଠୁ ବି କମ୍ ନୁହେଁ ।