ବୈଶାଖୀ ଖରା ଅତି କଷ୍ଟକର
ଅତିଷ୍ଠ ଜୀବନ ଦିନ ଦି ପ୍ରହାର ।
ପୂରବୁ ଦିଶିଲା ଘନ କଲା ମେଘ
ବରଷିବ ବୋଧେ ଅସରେ ବାରିଦ ।
ବାରିଦ ଅସରେ ଯାଇଛି ବରଷି
ଜୀବର ପରାଣେ ଶିତଳ ପରଶି ।
କ୍ଲାନ୍ତି ଅପସରି ପ୍ରଫୁଲ୍ଲ ଚିତ୍ତରେ
ସ୍ମରୁଥିଲୁ ବସି ରଜ ନିକଟରେ ।
ଖୁସି ମନେ ଆସି ଆଠଗଡ଼ ଘରେ
ଦେଖିଲୁ ଆନନ୍ଦ ରଜ ପର୍ବରେ ।
ନାତି ନାତୁଣୀ, ପୁଅ ବୋହୂ ଆଜି,
ମଉଜେ ପାଳନ୍ତି ବେଷ ଭୂଷା ସାଜି ।
କଳ କୋଳାହଳ ପୋଖରୀ ଗାଧୁଆ,
ନାଚିବାକୁ ପିଲେ ମଞ୍ଚପରେ ଠିଆ ।
ସକାଳେ ସନ୍ଧ୍ୟାରେ ଆମ୍ବ ପଣଷ
ସରୁ ଚକୁଳି ପିଠା ରନ୍ଧା ଆମିସ ।
ଖିଆ ପିଆ ଡିଆଁ ଘରେ ବାହାରେ
କଳି କୋଳାହଳ ଦୋଳି ପାଖରେ ।
ଅସମ୍ଭାଳ ଦେଖି ପିଲାଙ୍କର ମଜା
ଦେଖ ଡେଇଁ ଲୁଣି ବାପା ଆଉ ଅଜା ।
ଆଈ ମାଆ ମାନେ ବଡ଼ ଚଞ୍ଚଳୀ
ଭୁଲିଯାଇଛନ୍ତି ଜପିବା ମାଳି ।
ଲାଗି ପଡିଛନ୍ତି ଶୋକ ଭୋକ ତେଜି
ଭଲ ଖାଇବାରେ ଯାଇଛନ୍ତି ମଜି ।
ଏଇତ ସ୍ୱର୍ଗ ସଂସାର ଭିତରେ
ଯେବେ ଖୁସିଥାଏ ସଭିଙ୍କ ମନରେ ।
ଆସୁ ଏବେ ବର୍ଷା ଶୀତ ଅବା ଖରା
ଭୁଲିଯିବୁ ଦୁଃଖ ନ ଦେଇ ଧରା ।
ସମୂହ ଆନନ୍ଦେ କିବା ଏହି ଦୁଃଖ
ଅନୁଭବି କହୁଁ କରିଣ ପରଖ ।