ତୁମେ ଲଢ଼ ତୁମ ସଂଗେ
ମୁଁ ମାରେ ମୋତେ
ନିଜ ପାଇଁ ନିଜ ଅସ୍ତ୍ର
ଗଭୀର ସଂଘାତେ ।
ହାତ ହତିଆର ନେଇ
ଶେଷ କିନ୍ତୁ ଆଦିମ ଲଢ଼େଇ
ମନ ସଂଗେ ମନ
ମନ ଓ ବିବେକ
ଚିନ୍ତା ଆଉ ଚେତନାର
ଦ୍ୱନ୍ଦ୍ୱ ଖାଲି ଦ୍ୱନ୍ଦ୍ୱ
କିଏ ହାରେ କିଏ ଜିତେ
କିଏ ହେବ ସେନାପତି
କିଏ ସେ ନାୟକ ।
ଶ୍ଵାସରୁଦ୍ଧ ଦୁଃସ୍ୱପ୍ନ ଗୁଡ଼ାଏ
ମଲାଜହ୍ନ ମଉଳା ସ୍ତବକ ପରି
ନିସ୍ତେଜ ଜୀବନ ଛଟପଟ ହୁଏ
ନିଯା ହାତେ ସେ କ୍ଷତ ବିକ୍ଷତ ।
ନିଃସଙ୍ଗ ନାବିକ ପରି
ନିଃଶବ୍ଦ ପାଦଚିହ୍ନ ଆଙ୍କେ
ତତଲା ବାଲିରେ
ଅସହାୟ ଅବୋଧ ମଣିଷ
ଜଳଜଳ ଚାହିଁରହେ
ବସିବସି ମାଟିପିଣ୍ଡା
ଦାଣ୍ଡ ଅଗଣାରେ ।
ମନେ ମନେ ଚିତ୍ର ଆଙ୍କେ
ସ୍ମୃତି ଫେରେ
ମନ ଅଙ୍ଗନରେ
ସାଦାସିଧା ଜୀବନ ଓ
ଶାନ୍ତ ଆକାଶର
ଧୋବ ଫରଫର
ବର୍ଷିଲା ବାଦଲ କିମ୍ବା
ସୌମ୍ୟ ସବୁଜିମା
ସ୍ନିଗ୍ଧ ଦିଗ୍ବଳୟ ।
ତଥାପି କମୁନି ଝଡ଼
ଅଶାନ୍ତ ଆକାଶ
ତଥାପି କମୁନି କ୍ଷୋଭ
ବିକ୍ଷୁବ୍ଧ ପରାଣ
ତଥାପି କମୁନି ଶିଖା
ସେଇ ସଂଘାତର ।
କାହିଁକି ଏ ରକ୍ତପାତ
କାହିଁକି ସଂଘର୍ଷ
ଏତେ ଦ୍ୱନ୍ଦ୍ୱ, ଏତେ କଳି
ସ୍ନାୟୁରେ ସ୍ନାୟୁରେ
ସରଳ ମନରେ କାହିଁ
କେତେବେଳେ କିଏ
ଭରିଦେଲା ଏତେ ଗୁଡ଼ା ବିଷ ?