ଶିରୋନାମାରେ
ରହିବାକୁ ହିଁ ହେବ ।
ସେଥିପାଇଁ
ମା’କୁ ନିଲାମ ଡାକିବାକୁ
ହେଲେ ରାଜି ।
ଭଉଣୀକୁ ରାସ୍ତାରେ
ଉଲଗ୍ନ ଚଲେଇଲେ
ରାଜି ।
ସ୍ତ୍ରୀ ପାଇଁ
ଗରାଖ ମୁଲେଇଲେ
ରାଜି ।
ବନ୍ଧୁ ପିଠିରେ ଛୁରୀ
ଭାଇ ତଣ୍ଟିରେ କ୍ଷୁର
କି ନିଜର କଅଁଳା ପିଲାର
ମାଂସରେ ଭୋଜି ଦେଇ
ଶିରୋନାମାରେ ରହିପାରିଲେ
ତଥାପି. . .,
କିଛି କ୍ଷତି ନାଇଁ ।
ସବୁଦିନେ ସକାଳେ
ଶିରୋନାମାରେ ସୁସଜ୍ଜିତ
ଧାଡ଼ିଧାଡ଼ି କବନ୍ଧ ।
ପ୍ରଥମ କିସ୍ତିରେ
ନିଜେ ନିଜର ଶିରଟିମାନ
ସେମାନେ ଜମା ଦେଇଥାନ୍ତି
ଶିରୋନାମାରେ ରହିବାର
ପ୍ରତିଯୋଗିତାର, ଦେୟ ବାବଦକୁ ।