ତୁମ ପାଇଁ ଦିନ ଟିଏ,
ତୁମ ପାଇଁ କ୍ଷଣ ଟିଏ,
ଦେଇ ପାରିଲିନି,
ଭାବୁଛି, କ୍ଷମା ଦେବ ଋଣୀ ଟିଏ ଭାବି ।।
ଭାସିଗଲି ଆକାଶର ମେଘ ଖଣ୍ଡେ ହୋଇ,
ଜାଣି ପାରିଲିନି ଟିକି ଟିକି ବର୍ଷା କଣିକାର ଭାର,
ସୁଝି ପାରିଲିନି ତମରି ଋଣ,
ତମର ସେଇ ନିଃସ୍ୱାର୍ଥପର ସ୍ନେହ, ମମତା, ସେବା,
ମନେ ପଡ଼ିଲାନି ନିଜର ପ୍ରତିଜ୍ଞା ସ୍ୱରୂପ କର୍ତ୍ତବ୍ୟ,
ଭାସିଗଲା ମନ, ଫୂଲପରି ସାଂସାରିକ ମହକ ରେ,
ପଢି ପାରିଲିନି ତମରି ମନ କଥା,
ସେଇ ସାଦା କାଗଜର ଅଲିଭା ଲିପି,
ସେଇ ଅନାଭାଷୀ ଅସାଙ୍କେତିକ ନିଷ୍କପଟୀୟ ଛଳନା,
ଡାକି ପାରିଲିନି ଶେଷ ମୂହୁର୍ତ୍ତରେ ଆଦରରେ ଟିକେ, ନିଜର ବୋଲି !
ଖୋଜି ପାରିଲିନି ସ୍ମୃତିର ପୃଷ୍ଠା ରେ ଭୂତପ୍ରେତ, ବୁଢୀମା କାହାଣୀ,
କହି ପାରିଲିନି ମନ ଭିତରେ ଅଙ୍କୁରିତ ଦି ପଦ କଥା,
କେବଳ, ମନେ ପଡେ ଏକାଟିଆ ସମୟ ର ସଦାଚାରୀ ଉପଦେଶ ।
…ରହିଗଲା ସବୁଦିନ ପାଇଁ ଅପ୍ରସ୍ଫୁଟିତ ଅକଥନୀୟ କାହାଣୀ ଟିଏ ହୋଇ ।।
ଦେଇ ପାରିଲିନି,
ତୁମ ପାଇଁ ଦିନ ଟିଏ,
ତୁମ ପାଇଁ କ୍ଷଣ ଟିଏ,
ମାଗୁ ଅଛି କ୍ଷମା ଋଣୀ ଟିଏ ହୋଇ ।।